Unknown

 

 

 

 

 

 

 

 

 

୧୫୩ତମ ସଂଖ୍ୟା କୋଣାର୍କ ୨୦୦୯

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ତ୍ରୈମାସିକ ସାରସ୍ୱତ ମୁଖପତ୍ର

 

ସମ୍ପାଦକ

ଡକ୍ଟର ସୁଦର୍ଶନ ଆଚାର୍ଯ୍ୟ

ଶ୍ରୀ ଚନ୍ଦ୍ରଶେଖର ଦାସବର୍ମା

ଡକ୍ଟର ବିଜୟାନନ୍ଦ ସିଂହ

 

ପ୍ରକାଶକ

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର

 

ଏକାଡେମୀ କର୍ତ୍ତୃକ ସର୍ବସତ୍ତ୍ୱାଧିକାର ସଂରକ୍ଷିତ । ରଚନାରେ ପ୍ରକାଶିତ ମତାମତ ଲେଖକଙ୍କ ନିଜସ୍ୱ

 

ସୂଚୀ

୧.

ଓଡ଼ିଆ ଅକ୍ଷର ତତ୍ତ୍ୱ

 

ଡକ୍ଟର ହରପ୍ରସାଦ ମିଶ୍ର

୨.

ଓଡ଼ିଆ ଅଳଙ୍କାର ଗ୍ରନ୍ଥ : ଏକ ଅନୁଶୀଳନ

 

ଡକ୍ଟର କୃଷ୍ଣଚନ୍ଦ୍ର ପ୍ରଧାନ

୩.

କାବ୍ୟାନୁବାଦକ ସଚ୍ଚିଦାନନ୍ଦ ରାଉତରାୟ

ଓ ମାୟାକୋଭସ୍କିଙ୍କ କବିତା ସଂଗ୍ରହ

 

ଡକ୍ଟର ରବିନାରାୟଣ ମହାରଣା

୪.

ଉତ୍କଳଗୌରବ ମଧୁସୂଦନଙ୍କ ପ୍ରବନ୍ଧ ଓ ଅଭିଭାଷଣ :

ଏକ ଅନୁଶୀଳନ

 

ଡକ୍ଟର ଦେବଯାନୀ ସିହ୍ନା

୫.

ଆଧୁନିକ ଓଡ଼ିଆ କବିତାରେ ଶାନ୍ତିକଳ୍ପ

 

ସୁନୀଲ ରଥ

୬.

ଖୋରଧା, ଖୁରୁଧା (ଖୁର୍‌ଧା) ଖୁର୍ଦ୍ଧା ନା ଖୋର୍ଦ୍ଧା ?

 

ଡକ୍ଟର ଅବ୍‌ଦୁଲ୍‌ ଓସିଦ୍‌ ଖାଁ

୭.

ଆମେରିକା କଥାସାହିତ୍ୟରେ ଔପନ୍ୟାସିକ ‘ସଲ୍‌ବେଲୋ’

 

ଡକ୍ଟର ମନ୍ମଥ କୁମାର ପ୍ରଧାନ

୮.

ସର୍ବଦା ସତରେ ବିଶ୍ୱାସୀ : ରାଜପୁତ୍ର

 

ଜୟନ୍ତ କୁମାର ଦାସ

୯.

ସୁରେନ୍ଦ୍ର ମହାନ୍ତିଙ୍କ କଥାମାନସ : ଏକ ବିହଙ୍ଗାବଲୋକନ

 

ଡକ୍ଟର ବାସନ୍ତୀ ମହାନ୍ତି

୧୦.

ସିଂହଭୂମର ଓଡ଼ିଆ-ଶିକ୍ଷା : ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ

 

ସତ୍ୟପ୍ରିୟ ମହାଳିକ

୧୧.

ନିବିଡ଼ ଅନ୍ଧକାର ଗହ୍ୱରରେ ପ୍ରଦୀପର କୋମଳ ଆଭା : ଅମାବାସ୍ୟାର ଚନ୍ଦ୍ର

 

ବାଳକୃଷ୍ଣ ବେହେରା

 

ଚତୁର୍ଥ ପ୍ରପତ୍ର (ନିୟମ-୮ ଦ୍ରଷ୍ଟବ୍ୟ)

୧.

ପତ୍ରିକାର ନାମ

କୋଣାର୍କ

୨.

ପଞ୍ଜୀକରଣ ସଂଖ୍ୟା

ଆର.ଏନ୍.୪୦୪୭/୫୮

୩.

ଭାଷା

ଓଡ଼ିଆ

୪.

ପ୍ରକାଶନର ଆବର୍ତ୍ତତା

ତ୍ରୈମାସିକ

୫.

ମୂଲ୍ୟ

ଟ ୩୦/-

୬.

ପ୍ରକାଶକଙ୍କ ନାମ

ଡକ୍ଟର ହରପ୍ରସାଦ ପରିଛା ପଟନାୟକ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର

୭.

ମୁଦ୍ରାକରଙ୍କ ନାମ

ଶ୍ରୀ ଜଗଦୀଶ ପଣ୍ଡା

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ଓଡ଼ିଶା ପ୍ରିଣ୍ଟ୍ରିଂ ୱାର୍କ୍ସ ମହମଦିଆ ବଜାର, କଟକ

୮.

ସମ୍ପାଦକଙ୍କ ନାମ

ଶ୍ରୀ ଚନ୍ଦ୍ରଶେଖର ଦାସବର୍ମା

ଡକ୍ଟର ସୁଦର୍ଶନ ଆଚାର୍ଯ୍ୟ

ଡକ୍ଟର ବିଜୟାନନ୍ଦ ସିଂହ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର-୧୪

୯.

ମୁଦ୍ରଣ ସ୍ଥାନ

ଓଡ଼ିଶା ପ୍ରିଣ୍ଟ୍ରିଂ ୱାର୍କ୍ସ ମହମଦିଆ ବଜାର, କଟକ

୧୦.

ସ୍ଵତ୍ୱ

ଓଡ଼ିଶା ସାହିତ୍ୟ ଏକାଡେମୀ

ସଂସ୍କୃତି ଭବନ, ରାଜ୍ୟ ସଂଗ୍ରହାଳୟ ପରିସର ଭୁବନେଶ୍ୱର-୧୪

 

ମୁଁ ଡକ୍ଟର ହରପ୍ରସାଦ ପରିଛା ପଟନାୟକ, ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ ଏତଦ୍ଦ୍ୱାରା ଘୋଷଣା କରୁଛି ଯେ ଉପରୋକ୍ତ ବିବରଣୀ ମୋର ଜ୍ଞାନ ଓ ବିଶ୍ୱାସମତେ ସତ୍ୟ ଅଟେ-।

 

 

ଡକ୍ଟର ହରପ୍ରସାଦ ପରିଛା ପଟନାୟକ

ସଚିବ,

ଓଡ଼ିଶା ସାହିତ୍ୟ ଏକାଡେମୀ

 

ସଂପାଦକୀୟ

ସୃଜନକଳା : ଅଧ୍ୟୟନ ଓ ଅନୁଶୀଳନ

 

ସାଂପ୍ରତିକ ପୃଥିବୀରେ ଶିକ୍ଷା ଓ ସଭ୍ୟତାର ଅପୂର୍ବ ବିକାଶ ସାଧିତ ହୋଇଛି । ସବୁଦିଗରୁ ବିଚାର କଲେ ଏକବିଂଶ ଶତାବ୍ଦୀରେ ମଣିଷ ସମାଜର ଅଗ୍ରଗତି ଉଲ୍ଲେଖଯୋଗ୍ୟ । ଶିକ୍ଷା ଯେ ମଣିଷକୁ ଆଲୋକକୁ ନେଇଯାଇପାରେ ତାହା ପ୍ରମାଣିତ । ଶିକ୍ଷା ଓ ସମାଜ ସହିତ ସାହିତ୍ୟର ସଂପର୍କ ନିବିଡ଼ । ବିଜ୍ଞାନ, କାରିଗରୀ ବିଦ୍ୟା, ଶିଳ୍ପ ମଣିଷର ବାହ୍ୟିକ ଉନ୍ନତିରେ ସିନା ସହାୟକ ହୁଏ କିନ୍ତୁ ସାହିତ୍ୟ ମାନସିକ ଶାନ୍ତି ପ୍ରଶାନ୍ତି ପ୍ରଦାନ କରେ । ବୌଦ୍ଧିକ ବିକାଶ ହେଲେ ଆତ୍ମାର ବିକାଶ ହେବ । ସାହିତ୍ୟ ହିଁ ମଣିଷର ବୌଦ୍ଧିକ ଚେତନାକୁ ରୁଦ୍ଧିମନ୍ତ କରେ । ବିକଶିତ ସଂସ୍କୃତି ମଣିଷ ସମାଜକୁ ମାର୍ଜ୍ଜିତ ଓ ଉନ୍ନତ କରିଥାଏ ।

 

ସାହିତ୍ୟ ହିଁ ବାସ୍ତବରେ ଗୋଟିଏ ସମୟର ପ୍ରାଣ ସ୍ପନ୍ଦନ । ଏକ ସମୟର ଚିତ୍ର ସାହିତ୍ୟରେ ହିଁ ପ୍ରତିଧ୍ୱନିତ ହୁଏ । ସମୟସମୟରେ ସାହିତ୍ୟରୁ ହିଁ ସମୟସୀମା ନିର୍ଣ୍ଣିତ ହୁଏ । କିନ୍ତୁ ସାହିତ୍ୟ ହେଉଛି ଯୁଗାତୀତ । ସମୟର ସୀମିତ ଅବଧି ମଧ୍ୟରେ ଏହା ରହେ ନାହିଁ ପରନ୍ତୁ ବିସ୍ତାରିତ ହୁଏ କାଳକାଳକୁ । ତେଣୁ ସାହିତ୍ୟ ଆମକୁ ଅତୀତର ଚିତ୍ର ପ୍ରଦାନ କରେ, ବର୍ତ୍ତମାନପରି ଜଣାପଡ଼େ ଓ ଭବିଷ୍ୟତ ପାଇଁ ପ୍ରେରଣା ଯୋଗାଏ । କାରଣ ମଣିଷର ଭାବସତ୍ତାର ପରିପ୍ରକାଶ ହେଉଛି ସାହିତ୍ୟ । ଆବେଗ ଓ ଭାବ ସାହିତ୍ୟର ପ୍ରାଣ, କିନ୍ତୁ ଏହି ଭାବ ଓ ଆବେଗ ଭିତରେ ସତ୍ୟ ହିଁ ଉନ୍ମୋଚିତ ହୋଇଥାଏ ।

 

ଆଜିକାଲି ସାହିତ୍ୟର ଅନନ୍ୟ ବିକାଶ ସାଧିତ ହେଉଛି । ଅତ୍ୟାଧୁନିକ ମୁଦ୍ରଣ ପ୍ରଣାଳୀରେ ବହିସବୁ ପ୍ରକାଶିତ ହେଉଛି । ସୁନ୍ଦର ପ୍ରଚ୍ଛଦପଟ, ଅକ୍ଷର ସଜ୍ଜା, ତଥ୍ୟ ଓ ଚିତ୍ର ସର୍ବୋପରି ଅତ୍ୟାଧୁନିକ ପ୍ରକାଶନ କୌଶଳ ପୁସ୍ତକ ସବୁକୁ କରିଛି ଆକର୍ଷଣୀୟ । ଲେଖକମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ପୁସ୍ତକ ପ୍ରକାଶନ ସଂଖ୍ୟା ଓଡ଼ିଆ ଭାଷାରେ ଆଶାତୀତ ଭାବେ ବୃଦ୍ଧି ଏକ ଶୁଭ ଲକ୍ଷଣ । କିନ୍ତୁ ଯେଉଁସବୁ ପୁସ୍ତକ ବା ରଚନା ପ୍ରକାଶିତ ହେଉଛି ତାହା ମଣିଷକୁ ପୂର୍ବ ସାହିତ୍ୟପରି ଆକର୍ଷିତ କରିପାରୁଛି କି ? ପୂର୍ବର ଲେଖାପରି କାଳୋତ୍ତୀର୍ଣ୍ଣ ହୋଇପାରିବ କି ? ସାରଳା ଦାସଙ୍କ ମହାଭାରତ ଏକ ଜ୍ଞାନର ବିରାଟ ଭଣ୍ଡାର । ସାରଳା ଦାସଙ୍କ କୁଚ୍ଛ୍ର ସାଧନାର ସିଦ୍ଧି ହେଉଛି ଏହି ମହାନ ଗ୍ରନ୍ଥ । ମହାକବି ସାରଳା ଦାସ ବହୁ ଶାସ୍ତ୍ରଦର୍ଶୀ, ମହା ପଣ୍ଡିତ ଥିଲେ ବୋଲି ଏହି ମହାନ୍‌ ଗ୍ରନ୍ଥ ପ୍ରମାଣ କରେ । ‘ସାରଳା ମହାଭାରତ’ କାଳଜୟୀ ସାରସ୍ଵତ କୃତି । ଓଡ଼ିଆ ଜାତିର ଅମୂଲ୍ୟ ସମ୍ପଦ । ଗୋଟିଏ ରଚନା କେବଳ ଭାବନାର ପ୍ରତ୍ୟକ୍ଷ ପରିପ୍ରକାଶ ନୁହେଁ ବରଂ ଉନ୍ନତ ମାର୍ଜ୍ଜିତ ହୋଇ ଭାବନା ବା ଚିନ୍ତାଟି ପ୍ରକଟିତ ହେଲେ ତାହା ପାଠକର ହୃଦୟକୁ ଛୁଏଁ । ଗୋଟିଏ ଲେଖା ଲେଖିବା ସହଜ କଥା ନୁହେଁ । ଲେଖିବାପାଇଁ ଭାବନା ସହ ଗଭୀର ଅଧ୍ୟୟନ, ଅନୁଶୀଳନ ଓ ଜ୍ଞାନର ଆବଶ୍ୟକତା ରହିଛି । କାରଣ ପଠନ ଓ ଅଧ୍ୟୟନ ଲେଖାଟିକୁ ମାର୍ଜିତ ଓ ସଂଯତ କରେ । କଳାତ୍ମକ ଶୈଳୀଟି ପାଠକର ରୁଚିଶୀଳ ହୁଏ । ବାହ୍ୟଭାବନା ସହିତ ଅନ୍ତର୍ନିହିତ ମନନଶୀଳତା ଓ ଚେତନାଦୀପ୍ତ ଜ୍ଞାନର ଯଥାର୍ଥ ସମନ୍ୱୟ ହେଲେ ଉନ୍ନତ ସାହିତ୍ୟ ସୃଷ୍ଟି ହୁଏ । ସୃଜନକଳା ଅଧ୍ୟୟନ ଓ ଅନୁଶୀଳନରେ ହୁଏ ମହିମାନ୍ୱିତ ।

 

ଆଜିର ନୂତନ ତରୁଣ ଲେଖକମାନେ ଏ ଦିଗପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ । ଗଭୀର ଅଧ୍ୟୟନ, ଅନୁଶୀଳନ ସହ କଠୋର ଶ୍ରମ କରିବାକୁ ପଡ଼ିବ । ସାହିତ୍ୟ ରଚନା ଏକ ସୃଜନ କଳା । ସୃଷ୍ଟିଟି ସର୍ବାଙ୍ଗ ସୁନ୍ଦର ହେବ ଯେତେବେଳେ ତାହା ମାର୍ଜ୍ଜିତ ଓ ରୁଚି ସମ୍ପନ୍ନ ହେବ । ଲେଖକର ଉପଲବ୍‌ଧ ଜ୍ଞାନ, ପାଣ୍ଡିତ୍ୟ ରଚନାକୁ ଶୋଭନୀୟ ଓ ଶୃଙ୍ଖଳିତ କରେ । ଆମର ମନେହୁଏ ସାଂପ୍ରତିକ କାଳରେ ଅଧ୍ୟୟନ ପ୍ରତି ଯେଉଁ ନିଷ୍ଠା ରହିବା କଥା ତାହାର ଅଭାବ ପରିଲକ୍ଷିତ ହେଉଛି-। ଜ୍ଞାନ ଗ୍ରହଣପାଇଁ ଯେଉଁ ଆଗ୍ରହ ରହିବାକଥା ତାହା ଦେଖାଯାଉ ନାହିଁ । ଅଳ୍ପ ପରିଶ୍ରମରେ ଆମେ ବେଶି ଫଳ ଆଶା କରୁଛୁ । ଯାହା ମାନବ ଜୀବନ ଧାରାର ପରିପନ୍ଥି ।

 

ଆଜିର ସ୍ରଷ୍ଟାମାନେ ସାହିତ୍ୟ ରଚନା କରନ୍ତୁ, ଏହାଦ୍ଵାରା ଆମ ସାହିତ୍ୟର ଭଣ୍ଡାର ବିକାଶ ସାଧିତ ହେବ । କିନ୍ତୁ ସିଦ୍ଧିପାଇଁ କଠୋର ସାଧନା ଅବ୍ୟାହତ ରହୁ । ଅଧ୍ୟୟନ, ଅନୁଶୀଳନ ସହ ଜ୍ଞାନର ପ୍ରସାରପାଇଁ ଆନ୍ତରିକ ପ୍ରୟାସ ହେଉ । ତେବେ, ସାହିତ୍ୟ କାଳୋତ୍ତୀର୍ଣ୍ଣ ଓ ରସୋତ୍ତୀର୍ଣ୍ଣ ହେବ ।

 

***

 

॥ ଦୁଇ ॥

 

ଚଳିତ ସଂଖ୍ୟାର ‘କୋଣାର୍କ’, ଭିନ୍ନଭିନ୍ନ ରଙ୍ଗର ଫୁଲରେ ସୁଶୋଭିତ । ଏଥିରେ ଓଡ଼ିଆ ଅକ୍ଷର ତତ୍ତ୍ୱ ସଂପର୍କରେ ଆଲୋଚନା କରାଯିବା ସହିତ ଓଡ଼ିଆ ଅଳଂକାର ପ୍ରସଙ୍ଗକୁ ଅନୁଶୀଳନ କରାଯାଇଛି । ସେହିପରି ମହାକବି ସଚ୍ଚି ରାଉତରାୟ ଓ ପ୍ରସିଦ୍ଧ କବି ମାୟାକୋଭସ୍କିଙ୍କ କବିତା ସଂପର୍କରେ ତୁଳନାତ୍ମକ ଅଧ୍ୟୟନ ଲେଖାଟି ମାର୍ମିକ ହୋଇପାରିଛି । ନାମକରଣ ଚର୍ଚ୍ଚା ବେଶ୍‌ ଚମକପ୍ରଦ । ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଶିକ୍ଷା-ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ଏକ ଭିନ୍ନ ଦୃଷ୍ଟିରେ ଆଲୋଚନା କରାଯାଇଛି । ବିଶିଷ୍ଟ ସ୍ରଷ୍ଟା ଡଃ ହୃଷୀକେଶ ପଣ୍ଡାଙ୍କ ଗଳ୍ପଗୁଡ଼ିକୁ ଏକ ଭିନ୍ନ ଦୃଷ୍ଟିକୋଣରୁ ବିଚାର କରାଯିବା ସହ ଏଥର ‘କୋଣାର୍କ’ରେ ଯଶସ୍ୱୀ ସ୍ରଷ୍ଟା ସୁରେନ୍ଦ୍ର ମହାନ୍ତିଙ୍କ କଥା ସାହିତ୍ୟର ନୂତନ ଦିଗନ୍ତ ଉନ୍ମୋଚିତ । ଔପନ୍ୟାସିକ ସଲ୍‌ବେଲୋଙ୍କ ସୃଷ୍ଟିକୁ ପର୍ଯ୍ୟାଲୋଚନା ଯେପରି କରାଯାଇଛି କାଳଜୟୀ ସ୍ରଷ୍ଟା ଗୋବିନ୍ଦ ଦାସଙ୍କ ଅମାବାସ୍ୟାର ଚନ୍ଦ୍ରକୁ ସେପରି ଆକଳନ କରାଯାଇଛି । ଉଦ୍ୟମ କରାଯାଇଛି ନୂତନ ଧର୍ମୀ ପ୍ରବନ୍ଧରେ ଏହି ସଂଖ୍ୟାର କୋଣାର୍କକୁ ସମୃଦ୍ଧ କରିବାପାଇଁ । ତଥାକଥିତ ଆଲୋଚନା ନୁହେଁ ବରଂ ନୂତନ ରଙ୍ଗରାଗରେ ପାଠକକୁ ଆକର୍ଷିତ କରିବାପାଇଁ ଆମର ଚେଷ୍ଟା ଅବ୍ୟାହତ ।

 

ପାଠକଙ୍କ ଦ୍ୱାରା ଏହା ଗ୍ରହଣୀୟ ହେଲେ ଲକ୍ଷ୍ୟ ପୂରଣ ହେବ ।

 

ସଂସ୍କୃତି ଭବନ

ଭୁବନେଶ୍ୱର

ବିଜୟାନନ୍ଦ ସିଂହ

ସଂପାଦକ

 

Unknown

ଓଡ଼ିଆ ଅକ୍ଷର ତତ୍ତ୍ୱ

ଡକ୍ଟର ହରପ୍ରସାଦ ମିଶ୍ର

 

ଓଡ଼ିଆ ଭାଷା, ଇଣ୍ଡୋ-ୟୁରୋପୀୟ ଭାଷା ପରିବାର ଅନ୍ତର୍ଗତ ଇଣ୍ଡୋ-ଆରିୟାନ୍‌ ଶାଖାର ପୂର୍ବୀ ପ୍ରଶାଖା (ପୂର୍ବୀମାଗଧୀ ଅପ୍ରଭଂଶ)ରୁ ପ୍ରାୟ ପାଖାପାଖି ଖ୍ରୀ:ଅ: ୧୦ମ ଶତାବ୍ଦୀ ବେଳକୁ ସୃଷ୍ଟି ଲାଭ କରିଥିବା ଅଧିକାଂଶ ଭାଷାବିତ୍‌ ସ୍ଵୀକାର କରିଛନ୍ତି । ଏହା ଭାରତର ସମ୍ବିଧାନ ଦ୍ୱାରା ସ୍ୱୀକୃତ ଏକ ସାମ୍ବିଧାନିକ ଭାଷା ତଥା ଓଡ଼ିଶା ରାଜ୍ୟର ଜାତୀୟ ସରକାରୀ ଭାଷା । ୧୯୯୧ ମସିହା ଜନଗଣନା ରିପୋର୍ଟ ଅନୁସାରେ ଓଡ଼ିଶାର ମୋଟ ୩୧, ୬୫୯, ୭୩୬ ଲୋକ ସଂଖ୍ୟା ମଧ୍ୟରୁ ଓଡ଼ିଆ ମାତୃଭାଷୀ ଲୋକଙ୍କ ସଂଖ୍ୟା ହେଉଛି, ୨୬, ୧୯୯, ୩୪୬ । ଦ୍ୱିତୀୟ ଭାଷାଭାବେ ଏହା ମୋଟ ୩, ୬୮୮, ୯୭୮ ଲୋକଙ୍କ ଦ୍ୱାରା ବ୍ୟବହୃତ ହେଉଛି ।

 

ଓଡ଼ିଆ ମଧ୍ୟ ଏକ ସମୃଦ୍ଧ ଲିଖିତ ଭାଷା, ଯାହାର ସାହିତ୍ୟିକ ପରମ୍ପରା ପ୍ରାୟ ୫୫୦ ବର୍ଷରୁ ଉର୍ଦ୍ଧ୍ୱକାଳ ବ୍ୟାପି ପ୍ରବହମାନ । ଓଡ଼ିଆ ଲିଖନ ପ୍ରଣାଳୀରେ ବ୍ୟବହୃତ ହେଉଥିବା ଆବଶ୍ୟକ ବର୍ଣ୍ଣ ବା ଅକ୍ଷରଗୁଡ଼ିକୁ ନେଇ ଏହାର ବର୍ଣ୍ଣମାଳା ବହୁକାଳରୁ ସୃଷ୍ଟିଲାଭ କରିଛି । ଓଡ଼ିଆ ବର୍ଣ୍ଣ ବା ଅକ୍ଷରସମୂହ ପ୍ରାଚୀନ ବ୍ରାହ୍ମୀଲିପି (ସମୟ : ଖ୍ରୀ:ପୂ: ତୃତୀୟ ଶତାବ୍ଦୀ)ରୁ ସୃଷ୍ଟିଲାଭ କରିଛି ବୋଲି ଅଧିକାଂଶ ଭାଷାବିତ୍ ମତପୋଷଣ କରିଛନ୍ତି । ତେବେ ଓଡ଼ିଶାରୁ ଆବିଷ୍କୃତ ହୋଇଥିବା ସମ୍ରାଟ୍‌ ଅଶୋକ (ଖ୍ରୀ:ପୂ: ତୃତୀୟ ଶତାବ୍ଦୀ)ଙ୍କ ଧଉଳି ଓ ଜଉଗଡ଼ ଅନୁଶାସନଗୁଡ଼ିକରେ ତଥା ମହାମେଘବାହନ ଐରଖାରବେଳଙ୍କ ‘ହାତୀଗୁମ୍ଫା ଶିଳାଲେଖ’ (ଖ୍ରୀ:ପୂ: ପ୍ରଥମ ଶତାବ୍ଦୀ)ରେ ପ୍ରାଚୀନ ବ୍ରାହ୍ମୀ ଲିପିର ଯେଉଁ ନିଦର୍ଶନ ଦେଖିବାକୁ ମିଳେ, ସେଥିରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସ୍ତର ମଧ୍ୟ ଦେଇ ପ୍ରାୟ ୧୭୦୦ ବର୍ଷର ବ୍ୟବଧାନ ପରେ ଅର୍ଥାତ୍‌ ଖ୍ରୀ: ଅ: ପ୍ରାୟ ଚତୁର୍ଦ୍ଦଶ ଶତାବ୍ଦୀ ବେଳକୁ ‘ପ୍ରତ୍ନ-ଓଡ଼ିଆ ଲିପି’ର ଉନ୍ମେଷ ଘଟିଥିଲା । ଏହି ‘ପ୍ରତ୍ନ ଓଡ଼ିଆ ଲିପି’ରୁ ପାଖାପାଖି ଷୋଡ଼ଶ ଶତାବ୍ଦୀ ବେଳକୁ ‘ଆଧୁନିକ ଓଡ଼ିଆ ଲିପି’ ବା ଅକ୍ଷରମାଳାର ନବ ଉନ୍ମେଷ ଘଟିଥିଲା, ଯାହା ଅଦ୍ୟାବଧି ବହୁଳଭାବେ ବ୍ୟବହୃତ ହେଉଥିବା ଦେଖିବାକୁ ମିଳୁଛି ।

 

ଓଡ଼ିଆ ବର୍ଣ୍ଣ ବା ଅକ୍ଷରଗୁଡ଼ିକ ପ୍ରାଚୀନ ବ୍ରାହ୍ମୀ ଲିପିରୁ ଉଦ୍‌ଭବ ବୋଲି ନିର୍ଦ୍ଧାରଣ କରାଯାଇଥିଲେ ହେଁ, ଏହା ବ୍ରାହ୍ମୀର ଅନ୍ୟାନ୍ୟ ଧାରା ଯଥା : ବଙ୍ଗଳା-ଅସମୀୟା-ମୈଥିଳୀ-ଦେବନାଗରୀ ଲିପିଠାରୁ ସଂପୂର୍ଣ୍ଣ ଭିନ୍ନରୂପ ପରିଗ୍ରହ କରିଥିବା ଲକ୍ଷ୍ୟ କରାଯାଉଛି । ଓଡ଼ିଆ ଲିପି ବା ଅକ୍ଷରଗୁଡ଼ିକର ବର୍ତ୍ତୃଳାକାର ଆକୃତି ହିଁ ଏହାକୁ ଅନ୍ୟ ସହୋଦର ଲିପିଠାରୁ ଅଧିକ ସ୍ପଷ୍ଟ, ସୁନ୍ଦର ତଥା ମନୋରମ ଲିପି ଭାବେ ପ୍ରତିଷ୍ଠିତ କରିବାରେ ସମର୍ଥ ହୋଇଛି ।

 

ଓଡ଼ିଆ ଅକ୍ଷରଗୁଡ଼ିକ ମୁଖ୍ୟତଃ ଦୁଇଗୋଟି ଭାଗକୁ ନେଇ ଗଠିତ ହୋଇଛି । ଓଡ଼ିଆ ଅକ୍ଷରଗୁଡ଼ିକର ଗୋଟିଏ ଭାଗ ହେଉଛି ଏ ସବୁର ‘ଭେଦକା ଅଂଶ’ ବା distinctive feature ଓ ଅନ୍ୟ ଭାଗଟି ହେଉଛି ‘ଆଳଙ୍କାରିକ ଅଂଶ’ ବା Ornamental feature । ଓଡ଼ିଆ ବର୍ଣ୍ଣମାଳା ଅନ୍ତର୍ଗତ ନିମ୍ନପ୍ରଦତ୍ତ ପାଞ୍ଚଗୋଟି ଅକ୍ଷରର ଗଠନ ରୂପକୁ ପର୍ଯ୍ୟାଲୋଚନା କରାଯାଇପାରେ । ଓଡ଼ିଆ ଭାଷାର ଡ, ଢ, ତ, ଦ, ବ- ଏହି ପାଞ୍ଚଗୋଟି ଅକ୍ଷରର ଆଳଙ୍କାରିକ ଅଂଶ ଅର୍ଥାତ୍‌ ଉପରିଭାଗ ଅର୍ଦ୍ଧ ବୃତ୍ତାକାର ହେତୁ ସମାନ । ମାତ୍ର ଭେଦକା ଅଂଶ ଅର୍ଥାତ୍‌ ଅକ୍ଷରଗୁଡ଼ିକର ନିମ୍ନ ଭାଗର ଭିନ୍ନତା ହିଁ ଏଗୁଡ଼ିକୁ ପୃଥକ୍‌‌ ପୃଥକ୍‌ ଅକ୍ଷର ଭାବେ ପ୍ରତିଷ୍ଠିତ କରାଇପାରୁଛି । ଆଳଙ୍କାରିକ ଭାଗର ସ୍ୱାତନ୍ତ୍ର୍ୟ/ଭିନ୍ନତା ଆଧାରରେ ଓଡ଼ିଆ ବର୍ଣ୍ଣ ବା ଅକ୍ଷର ସମୂହକୁ ନିମ୍ନଲିଖିତ ଚାରିଗୋଟି ସ୍ୱତନ୍ତ୍ର ଶ୍ରେଣୀର ଅନ୍ତର୍ଭୁକ୍ତ କରି ଦର୍ଶାଯାଇପାରେ । ଯଥା:-

 

୧. ଉପରିଭାଗ ଅର୍ଦ୍ଧବୃତ୍ତାକାର :

ଓଡ଼ିଆ ବର୍ଣ୍ଣମାଳା ଅନ୍ତର୍ଗତ ମୋଟ୍‌ ୧୩ ଗୋଟି ଅକ୍ଷର ଏହି ପର୍ଯ୍ୟାୟର । ଯଥା- କ, ଙ, ଚ, ଛ, ଜ, ଡ, ଢ, ତ, ଦ, ନ, ବ, ଳ, ହ ପ୍ରଭୃତି ।

 

୨. ଉପରିଭାଗ ଅର୍ଦ୍ଧବୃତ୍ତାକାର ଓ ଲାଞ୍ଜ :

ଓଡ଼ିଆ ବର୍ଣ୍ଣମାଳା ଅନ୍ତର୍ଗତ ୮ ଗୋଟି ଅକ୍ଷର ଏହି ପର୍ଯ୍ୟାୟର ଅନ୍ତର୍ଗତ । ଯଥା- ଇ, ଈ, ଉ, ଊ, ଋ, ଭ, ର, ଲ ପ୍ରଭୃତି ।

 

୩. ଉପରିଭାଗ ଅର୍ଦ୍ଧବୃତ୍ତାକାର ଓ ବାଡ଼ି :

ଖ, ଗ, ଘ, ଣ, ପ, ଫ, ମ, ଯ, ୟ, ସ, ଶ, ଷ, ପ୍ରଭୃତି ୧୨ ଗୋଟି ଅକ୍ଷର ଏହି ପର୍ଯ୍ୟାୟର ଅନ୍ତର୍ଭୁକ୍ତ ।

 

୪. ନିମ୍ନଭାଗ ଅର୍ଦ୍ଧବୃତ୍ତାକାର ଓ ବାଡ଼ି :

ଅ, ଆ, ଥ, ଧ ପ୍ରଭୃତି ଚାରିଗୋଟି ଅକ୍ଷର ଏହି ଶ୍ରେଣୀର ଅନ୍ତର୍ଭୁକ୍ତ ।

 

୫. ଅନ୍ୟାନ୍ୟ ମିଶାମିଶି ଅକ୍ଷର :

ଏ, ଐ, ଓ, ଔ, ଞ, ଝ, ଟ, ଠ, ଓ ପ୍ରଭୃତି ୯ ଗୋଟି ଅକ୍ଷର ଏହି ପର୍ଯ୍ୟାୟର ।

 

ଉଚ୍ଚାରଣଗତ ସ୍ୱାତନ୍ତ୍ର୍ୟ ବା ପ୍ରକାର ଭିତ୍ତିରେ ଓଡ଼ିଆ ବର୍ଣ୍ଣମାଳା ଅନ୍ତର୍ଗତ ଅକ୍ଷରଗୁଡ଼ିକୁ ନିମ୍ନୋକ୍ତ ତିନିଗୋଟି ସ୍ଵତନ୍ତ୍ର ଶ୍ରେଣୀର ଅନ୍ତର୍ଭୁକ୍ତ କରି ଦର୍ଶାଯାଇପାରେ । ଯଥା-

 

(କ) ସ୍ୱର :

ଅନ୍ୟ କୌଣସି ଧ୍ଵନିର ବିନା ସହାୟତାରେ ଏକାକୀ ଉଚ୍ଚାରିତ ହୋଇପାରୁଥିବା ବର୍ଣ୍ଣଗୁଡ଼ିକୁ ସ୍ଵରବର୍ଣ୍ଣ କୁହାଯାଏ । ଓଡ଼ିଆ ବର୍ଣ୍ଣମାଳା ଅନ୍ତର୍ଗତ ଏଗୁଡ଼ିକର ସଂଖ୍ୟା ହେଉଛି ୧୧ । ଏହି ବର୍ଣ୍ଣଗୁଡ଼ିକ ହେଲେ-ଅ, ଆ, ଇ, ଈ, ଉ, ଊ, ଏ, ଐ, ଓ, ଔ ।

 

(ଖ) ବ୍ୟଞ୍ଜନ :

ସ୍ଵର ଧ୍ଵନି ବିନା ସହାୟତାରେ ଏକାକୀ ଉଚ୍ଚାରିତ ହୋଇପାରୁନଥିବା ବର୍ଣ୍ଣଗୁଡ଼ିକୁ ବ୍ୟଞ୍ଜନ ବର୍ଣ୍ଣ କୁହାଯାଏ । ଓଡ଼ିଆ ବର୍ଣ୍ଣମାଳା ଅନ୍ତର୍ଗତ ଏଗୁଡ଼ିକର ସଂଖ୍ୟା ହେଉଛି ୩୫ । ଏଗୁଡ଼ିକୁ ବର୍ଗ୍ୟ ଓ ଅବର୍ଗ୍ୟ ଏଭଳି ଦ୍ୱିବିଧ ଭେଦରେ ବିଭକ୍ତ କରାଯାଇପାରେ । ଯଥା-

 

ବର୍ଗ୍ୟ ବ୍ୟଞ୍ଜନ :

କ, ଖ, ଗ, ଘ ,ଙ

ଚ, ଛ, ଜ, ଝ, ଞ

ଟ, ଠ, ଡ଼, ଢ, ଣ

ତ, ଥ, ଦ, ଧ, ନ

ପ, ଫ, ବ, ଭ, ମ ପ୍ରଭୃତି ୨୫ ଟି ବ୍ୟଞ୍ଜନ ।

ଅବର୍ଗ୍ୟ ବ୍ୟଞ୍ଜନ : ଯ, ୟ, ର, ଳ, ଲ, ୱ, ସ, ଶ, ଷ, ହ ପ୍ରଭୃତି ୧୦ ଟି ବ୍ୟଞ୍ଜନ ।

 

(ଗ) ଅଯୋଗବାହ :

ବିନା ସ୍ଵର ଧ୍ଵନିର ଯୋଗରେ ଏକାକୀ ଉଚ୍ଚାରିତ ହୋଇ ପାରୁନଥିବା ତିନୋଟି ଅପୂର୍ଣ୍ଣ ଅକ୍ଷର ଓଡ଼ିଆ ବର୍ଣ୍ଣମାଳାର ଅନ୍ତର୍ଭୁକ୍ତ ଯାହାକୁ ଅଯୋଗବାହ ବର୍ଣ୍ଣ କୁହାଯାଏ । ଏହି ତିନିଗୋଟି ଅପୂର୍ଣ୍ଣ ବର୍ଣ୍ଣ ହେଲା- (ଅନୁସ୍ଵାର), ଃ (ବିସର୍ଗ), ଁ ( ଚନ୍ଦ୍ରବିନ୍ଦୁ) ।

 

ବର୍ତ୍ତମାନ ଓଡ଼ିଆ ବର୍ଣ୍ଣମାଳା ଅନ୍ତର୍ଗତ ବର୍ଣ୍ଣ ବା ଅକ୍ଷରଗୁଡ଼ିକୁ ସେମାନଙ୍କ ଧ୍ଵନିତତ୍ତ୍ୱ ବା ଉଚ୍ଚାରଣ ଦୃଷ୍ଟିରୁ ବିଚାର କରାଯାଇପାରେ । ଧ୍ଵନିତତ୍ତ୍ୱ ଦୃଷ୍ଟିରୁ ଓଡ଼ିଆ ଭାଷାର ପ୍ରକୃତ ବର୍ଣ୍ଣ ସଂଖ୍ୟା ହେଉଛି ୪୦ । ତନ୍ମଧ୍ୟରୁ ସ୍ୱରବର୍ଣ୍ଣ ୮ଟି (୬ଟି ଶୁଦ୍ଧ ସ୍ଵର ଓ ୨ଟି ଦ୍ୱିସ୍ୱର ବା Dipthong), ବ୍ୟଞ୍ଜନ ବର୍ଣ୍ଣ ୩୦ ଟି ଓ ଅଯୋଗବାହ ୨ଟି ।

 

ଓଡ଼ିଆ ବର୍ଣ୍ଣମାଳାରେ ବେଶ୍‌ କେତେଗୋଟି ବର୍ଣ୍ଣ ବା ଅକ୍ଷର ଅନ୍ତର୍ଭୁକ୍ତ, ଯେଉଁଗୁଡ଼ିକର ଧ୍ଵନିଗତ ବା ଉଚ୍ଚାରଣଗତ ମୂଲ୍ୟ ଆଦୌ ନାହିଁ ବୋଲି କୁହାଯାଇପାରେ । ଅତଏବ, ପ୍ରୟୋଜନ ଅପେକ୍ଷା ବେଶ୍‌ କେତେଗୋଟି ଅଧିକା ବର୍ଣ୍ଣ ବା ଅକ୍ଷର ଓଡ଼ିଆ ବର୍ଣ୍ଣମାଳାର ଅଙ୍ଗୀଭୂତ ହୋଇଆସିଛନ୍ତି, ଯେଉଁ ଗୁଡ଼ିକର ସ୍ଵତନ୍ତ୍ର ଉଚ୍ଚାରଣ ଆଦୌ ନାହିଁ । ଦୃଷ୍ଟାନ୍ତ ସ୍ୱରୂପ : ଓଡ଼ିଆ ଭାଷାରେ ‘ଇ’ ଧ୍ଵନି ପାଇଁ ଦୁଇଗୋଟି ଅକ୍ଷର ‘ଇ’, ଈ - ‘ଜ୍’ ଧ୍ୱନି ପାଇଁ ଦୁଇଗୋଟି ଅକ୍ଷର ‘ଜ’, ‘ଯ’- ‘ସ୍‌’ ଧ୍ୱନି ପାଇଁ ତିନିଗୋଟି ଅକ୍ଷର ‘ସ’, ‘ଶ’, ‘ଷ’ ପ୍ରଭୃତି । ଓଡ଼ିଆ ଭାଷାରେ ଈ, ଊ, ଯ, ଶ, ଷ ପ୍ରଭୃତି ବର୍ଣ୍ଣଗୁଡ଼ିକର ସ୍ୱତନ୍ତ୍ର ଉଚ୍ଚାରଣ ନଥିଲେ ହେଁ, ଏଗୁଡ଼ିକ ବିଭିନ୍ନ ଶବ୍ଦ ମଧ୍ୟରେ ବନାନଗତ ପାର୍ଥକ୍ୟ (ଲିଖିତ ଭାଷାରେ) ରକ୍ଷା କରି ସ୍ଵତନ୍ତ୍ର ଅର୍ଥ ପ୍ରକାଶ କରିବାରେ ବିଶେଷଭାବେ ସହାୟତା କରିଥାନ୍ତି । ଯେପରି ‘ଜାତ’ ଓ ‘ଯାତ’ ପରି ଶବ୍ଦ । ଉଚ୍ଚାରଣ ଦୃଷ୍ଟିରୁ ଶବ୍ଦ ଦୁଇଟି ମଧ୍ୟରେ କୌଣସି ବିରୋଧ ନଥିଲେ ହେଁ, ବନାନରେ କିନ୍ତୁ ପାର୍ଥକ୍ୟ ପ୍ରଦର୍ଶନ ପୂର୍ବକ ଶବ୍ଦ ଦୁଇଟି ଭିନ୍ନ ଭିନ୍ନ ଅର୍ଥ ପ୍ରକାଶ କରିବାକୁ ସମର୍ଥ । ଯଥା- ‘ଜାତ’ର ଅର୍ଥ ‘ଉତ୍ପନ୍ନ’ ବା ‘ଜନ୍ମ ପ୍ରାପ୍ତ’ । ମାତ୍ର ‘ଯାତ’ ର ଅର୍ଥ ‘ଯାତ୍ରା’ ।

 

ଓଡ଼ିଆ ବର୍ଣ୍ଣମାଳା ଅନ୍ତର୍ଗତ ଏହି ଅଧିକା ବର୍ଣ୍ଣଗୁଡ଼ିକ ସମ୍ଭବତଃ ତତ୍ସମ ବା ତଦ୍‌ଭବ ଶବ୍ଦଗୁଡ଼ିକର ବନାନଗତ ପାର୍ଥକ୍ୟ ରକ୍ଷା ଉଦ୍ଦେଶ୍ୟରେ ବହୁକାଳରୁ ବ୍ୟବହୃତ ହୋଇଆସିଥିବାରୁ ବର୍ତ୍ତମାନ ଓଡ଼ିଆ ବର୍ଣ୍ଣମାଳାରୁ ସେଗୁଡ଼ିକୁ ବାଦ୍‌ ଦେବା ସମ୍ଭବ ନୁହେଁ । ଓଡ଼ିଆ ବର୍ଣ୍ଣମାଳାର ଅନ୍ତର୍ଭୁକ୍ତ ହୋଇଥିବା ଏହି ଅଧିକା/ଅନାବଶ୍ୟକ ବର୍ଣ୍ଣଗୁଡ଼ିକ ମଧ୍ୟରେ ୩ଟି ସ୍ଵର, ୫ଟି ବ୍ୟଞ୍ଜନ ଓ ଗୋଟିଏ ଅଯୋଗବାହ ବର୍ଣ୍ଣ ଅନ୍ୟତମ । ଏଗୁଡ଼ିକର ସ୍ଵରୂପ ନିମ୍ନରେ କ୍ରମାନ୍ୱୟରେ ପ୍ରଦାନ କରାଗଲା । ଯଥା-

 

ଈ - ଦୀର୍ଘ ‘ଈ’      -      ଉଚ୍ଚାରଣ ହ୍ରସ୍ଵ ‘ଇ’

ଊ - ଦୀର୍ଘ ‘ଊ’      -      ଉଚ୍ଚାରଣ ହ୍ରସ୍ଵ ‘ଉ’

ଋ‌ - ସ୍ଵର ‘ୠ’      -      ଉଚ୍ଚାରଣ ହ୍ରସ୍ଵ ‘ରୁ’

ଙ - କଣ୍ଠ୍ୟ ନାସିକ୍ୟ -       ଉଚ୍ଚାରଣ ‘ଓ୍ୱଁ’ (କେବଳ ଯୁକ୍ତାକ୍ଷରରେ ଏହାର କଣ୍ଠ୍ୟ-ନାସିକ୍ୟ ଉଚ୍ଚାରଣ ରକ୍ଷିତ)

ଞ - ତାଲବ୍ୟ ନାସିକ୍ୟ -      ଉଚ୍ଚାରଣ ‘ନ୍ୟଁ’ (ଦନ୍ତ୍ୟ ନାସିକ୍ୟ ‘ନ’ ର ବିକଳ୍ପ ଭାବେ କେବଳ ସମବଗୀୟ ବ୍ୟଞ୍ଜନ ପୂର୍ବରୁ ଯୁକ୍ତାକାରରେ ବ୍ୟବହୃତ)

ଯ - ଅବର୍ଗ୍ୟ ‘ଯ’      -      ଉଚ୍ଚାରଣ ‘ଜ୍ୟ’ବା ‘ଜ’ ।

ଶ - ତାଲବ୍ୟ ‘ଶ’      -      ଉଚ୍ଚାରଣ ଦନ୍ତ୍ୟ ‘ସ’

ଷ - ମୂର୍ଦ୍ଧଣ୍ୟ ‘ଷ’      -      ଉଚ୍ଚାରଣ ଦନ୍ତ୍ୟ ‘ସ’

 

ଃ (ବିସର୍ଗ) - ଜିହ୍ୱାମୂଳୀୟ - ‘ହ’ ର ବିକଳ୍ପ ଉଚ୍ଚାରଣ – ଅଯୋଗବାହ

 

ଓଡ଼ିଆ ବର୍ଣ୍ଣମାଳା ଅନ୍ତର୍ଗତ ୪୯ଟି ବର୍ଣ୍ଣ ବା ଅକ୍ଷର ମଧ୍ୟରୁ ଉପର୍ଯ୍ୟୁକ୍ତ ୯ ଗୋଟି ବର୍ଣ୍ଣ ବା ଅକ୍ଷରକୁ ବାଦ୍‌ଦେଲେ ଅନ୍ୟ (୪୯-୯=) ୪୦ଟି ବର୍ଣ୍ଣ ବା ଅକ୍ଷର ପାଇଁ ୪୦ଟି ଧ୍ଵନିର ବାସ୍ତବ ସ୍ଥିତିକୁ ଧ୍ଵନିଗ୍ରାମ ବିଜ୍ଞାନ (Phonemics) ଭିତ୍ତିରେ ପ୍ରତିଷ୍ଠା କରାଯାଇପାରୁଛି । ଏ ଦୃଷ୍ଟିରୁ ଓଡ଼ିଆ ଧ୍ଵନି ସଂଖ୍ୟା ୪୦, ମାତ୍ର ଅକ୍ଷର ସଂଖ୍ୟା ୪୯ ବୋଲି ନିର୍ଦ୍ଧାରଣ କରାଯିବା ଯଥାର୍ଥ ।

 

ଓଡ଼ିଆ ବର୍ଣ୍ଣମାଳା ଅନ୍ତର୍ଗତ ଅକ୍ଷରଗୁଡ଼ିକୁ ବାଦ୍‌ଦେଲେ ଓଡ଼ିଆ ଲିଖନ ପଦ୍ଧତିରେ ବିଭିନ୍ନ ଯୁକ୍ତାକ୍ଷରର ପ୍ରୟୋଗ ପରିଲକ୍ଷିତ ହୋଇଥାଏ । ଗଠନଗତ ସ୍ୱାତନ୍ତ୍ର୍ୟ ଦୃଷ୍ଟିରୁ ଏଗୁଡ଼ିକୁ ନିମ୍ନଲିଖିତ ଭାବେ ଦୁଇଗୋଟି ସ୍ଵତନ୍ତ୍ର ଶ୍ରେଣୀର ଅନ୍ତର୍ଭୁକ୍ତ କରି ଦର୍ଶାଯାଇପାରେ । ଯଥା- ବ୍ୟଞ୍ଜନ ସହ ‘ଅ’ ଭିନ୍ନ ଅନ୍ୟ ସ୍ଵର ଯୋଗରେ ଗଠିତ ଯୁକ୍ତାକ୍ଷର (ବ୍ୟଞ୍ଜନ+ସ୍ଵର); ବ୍ୟଞ୍ଜନ ସହ ବ୍ୟଞ୍ଜନ ଯୋଗରେ ଗଠିତ ଯୁକ୍ତାକ୍ଷର (ବ୍ୟଞ୍ଜନ+ବ୍ୟଞ୍ଜନ) ।

 

(କ) ବ୍ୟଞ୍ଜନ ସହ ସ୍ଵରଯୋଗ (ବ୍ୟଞ୍ଜନ+ସ୍ୱର)ରେ ଗଠିତ ଯୁକ୍ତାକ୍ଷର : ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣଗୁଡ଼ିକ ‘ଅ’ ସ୍ଵର ସାହାଯ୍ୟରେ/ଯୋଗରେ ଉଚ୍ଚାରିତ ହୋଇଥାନ୍ତି । ଏହି ‘ଅ’ଟିକୁ ଲୋପ୍‌ କଲେ ବ୍ୟଞ୍ଜନ ବର୍ଣ୍ଣ ତଳେ ହଳନ୍ତ୍‌ ଲଗାଇବାକୁ ପଡ଼େ, ଯଦ୍ୱାରା ତାହା ଏକ ଶୁଦ୍ଧ ବ୍ୟଞ୍ଜନ ଧ୍ଵନିରେ ପରିଣତ ହୋଇଥାଏ । ତେବେ, ବିଭିନ୍ନ ବର୍ଣ୍ଣରେ ‘ଅ’ ଛଡ଼ା ଅନ୍ୟ ସ୍ୱର ଯୋଗ ହେଲେ, ମୂଳ ବର୍ଣ୍ଣରେ ସେହି ସ୍ୱରର ମାତ୍ରା ଲାଗିଥାଏ ।

 

ସୁତରାଂ, ବ୍ୟଞ୍ଜନ ବର୍ଣ୍ଣରେ ‘ଅ’ ଭିନ୍ନ ଅନ୍ୟ ସ୍ୱରଗୁଡ଼ିକର ଯୋଗ ଘଟିଲେ ସେସବୁର ବିକଳ୍ପ ରୂପ ଭାବେ ଯେଉଁ ଚିହ୍ନ ବା ସଙ୍କେତାବଳୀର ପ୍ରୟୋଗ ଘଟେ, ସେଗୁଡ଼ିକୁ ‘ମାତ୍ରା’ କୁହାଯାଏ-। ଦଶଗୋଟି ସ୍ୱରର ବିକଳ୍ପ ରୂପ ଭାବେ ଦଶଗୋଟି ମାତ୍ରାର ପ୍ରଚଳନ ଓଡ଼ିଆ ଭାଷାରେ ପରିଲକ୍ଷିତ ହୋଇଥାଏ । ଏହି ମାତ୍ରାଗୁଡ଼ିକ ମଧ୍ୟରୁ କେତେକ ବ୍ୟଞ୍ଜନ ବର୍ଣ୍ଣର ତଳେ, ଉପରେ, ଏକ ପାର୍ଶ୍ଵରେ ବା ଉଭୟ ପାର୍ଶ୍ଵରେ ବ୍ୟବହୃତ ହେଉଥିବା ଦେଖାଯାଏ । ଯଥା-

 

‘ଆ’କାର- ‘ା’ - କାଳ, ଚାଳ

‘ଇ’କାର- ‘ି’ - କିରଣ, ଚିଠି

‘ଈ’କାର- ‘ୀ’ - କୀଟ, ଚିମିନୀ, ଚୀର

‘ଉ’କାର- ‘ୁ’ - କୁକୁର, ଚୁଡ଼ା

‘ଊ’କାର- ‘ୂ’ - କୂଳ, ଚୂଳ

‘ଋ’କାର- ‘ୃ’ - କୃଷକ, ବୃଷଭ

‘ଏ’କାର- ‘େ’ - କେଶ, ଚେର

‘ଐ’କାର- ‘ୈ’ - କୈଳାସ, ବୈଶାଖ

‘ଓ’କାର- ‘ୋ’ - କୋବି, ଚୋପା

‘ଔ’କାର- ‘ୌ’ - କୌତୁକ, ଚୌକି

 

(ଖ) ବ୍ୟଞ୍ଜନ ସହ ବ୍ୟଞ୍ଜନ ଯୋଗ (ବ୍ୟଞ୍ଜନ+ବ୍ୟଞ୍ଜନ) ରେ ଗଠିତ ଯୁକ୍ତାକ୍ଷର : ଓଡ଼ିଆ ଲିଖନ ପ୍ରଣାଳୀ ଏକ-ଆକ୍ଷରିକ ପ୍ରଣାଳୀ, ଅର୍ଥାତ୍‌ ପ୍ରତିଟି ଲିପି ମୌଳିକ ରୂପେ ହେଉ ବା ଯୁକ୍ତାକ୍ଷର ରୂପେ ହେଉ ଗୋଟିଏ ଗୋଟିଏ ପୂର୍ଣ୍ଣ ଅକ୍ଷର (Syllable) । ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ ବା ଅକ୍ଷରଗୁଡ଼ିକ ଯେଉଁ ସ୍ଵରଧ୍ଵନି ସାହାଯ୍ୟରେ ପୂର୍ଣ୍ଣ ଅକ୍ଷରରେ ପରିଣତ ହୋଇଥାନ୍ତି, ସେହି ସ୍ଵରଟି ହେଲା ‘ଅ’ । ‘କ’ ଠାରୁ ‘ହ’ ପର୍ଯ୍ୟନ୍ତ ଓଡ଼ିଆ ଅକ୍ଷରଗୁଡ଼ିକ ‘ଅ’ ଯୁକ୍ତ ହୋଇ ଉଚ୍ଚାରିତ ହୋଇଥାନ୍ତି । ବ୍ୟଞ୍ଜନ ଅକ୍ଷରକୁ ଏହି ‘ଅ’ର ଲୋପ୍‌ ଘଟିଲେ, ସେଥିରେ ହଳନ୍ତ୍‌ ଲଗାଇବାକୁ ପଡ଼ିଥାଏ, ଯଦ୍ୱାରା ଅକ୍ଷରଟି ଏକ ଶୁଦ୍ଧ ବ୍ୟଞ୍ଜନ ଧ୍ୱନିରେ ପରିଣତ ହେବାକୁ ବାଧ୍ୟ ହୁଏ ।

 

ଓଡ଼ିଆ ଭାଷା ଅନ୍ତର୍ଗତ ବିଭିନ୍ନ ଶବ୍ଦ ମଧ୍ୟରେ ବହୁଳ ଭାବେ ବ୍ୟବହୃତ ହେଉଥିବା ଯୁକ୍ତବ୍ୟଞ୍ଜନଗୁଡ଼ିକର ଗଠନରୀତି ଭିନ୍ନ ଭିନ୍ନ । କେତେକ ଯୁକ୍ତ-ବ୍ୟଞ୍ଜନ ବର୍ଣ୍ଣରେ ବିଭିନ୍ନ ବ୍ୟଞ୍ଜନ ବିକଳ୍ପ ରୂପ ଭାବେ ବିଭିନ୍ନ ‘ଫଳା’ର ପ୍ରୟୋଗ ଦେଖିବାକୁ ମିଳେ, ଯାହା ସ୍ଵତନ୍ତ୍ର ଚିହ୍ନଦ୍ଵାରା ସୂଚିତ ହୋଇଥାଏ । ଯଥା- ଦ୍‌+ଧ=ଦ୍ଧ । କେତେକ କ୍ଷେତ୍ରରେ ଏହା ଅକ୍ଷରର କେବଳ ଭେଦକା ଅଂଶ ଦ୍ଵାରା ଚିହ୍ନିତ ମଧ୍ୟ ହୋଇଥାଏ । ଯଥା- ଜ+ଜ=ଜ୍ଜ । ଆଉ କେତେକ କ୍ଷେତ୍ରରେ ଯୁକ୍ତାକ୍ଷର ଅନ୍ତର୍ଗତ ଦୁଇଟିଯାକ ବ୍ୟଞ୍ଜନ ବର୍ଣ୍ଣକୁ ବଡ଼-ସାନ କରି ତଳକୁ ତଳ ଅର୍ଥାତ୍‌ ଦ୍ୱିତଳ ରୂପରେ ଯୋଡ଼ା ଯାଇଥିବା ଦେଖିବାକୁ ମିଳେ । ଯଥା- ଣ+ଟ=ଣ୍ଟ । ଓଡ଼ିଆ ଲିଖନ ପଦ୍ଧତିରେ ବ୍ୟବହୃତ ସବୁ ଯୁକ୍ତ ବ୍ୟଞ୍ଜନ ବର୍ଣ୍ଣ ବା ଅକ୍ଷର ପାଇଁ ଉପର୍ଯ୍ୟୁକ୍ତ ଚତୁର୍ବିଧ ଗଠନରୀତି ପର୍ଯ୍ୟାପ୍ତ ପରି ମନେ ହୋଇଥାଏ । ତେବେ, କେତେକ କ୍ଷେତ୍ରରେ ଗୋଟିଏ ନୂଆ ବା ଅନ୍ୟ ଭାଷାରୁ ଆହୂତ ଶବ୍ଦ ଅନ୍ତର୍ଗତ ଯୁକ୍ତାକ୍ଷରକୁ ଲେଖିବା ପାଇଁ ହଳନ୍ତର ପ୍ରୟୋଗ ଏକାନ୍ତ ଅପରିହାର୍ଯ୍ୟ ପରି ମନେ ହୋଇଥାଏ । ଯେପରି ଇଂରାଜୀ ‘Oxygen’ ଶବ୍ଦଟିକୁ ଲେଖିଲାବେଳେ ‘କ’ ଅକ୍ଷର ତଳେ ହଳନ୍ତ୍‌ ଓ ‘ସ’- ଏପରି ଲେଖିବା ଆବଶ୍ୟକ ପଡ଼ିଥାଏ । ଯଥା- ‘ଅକ୍‌ସିଜେନ’ । ଏହି ଉପାୟ ମଧ୍ୟ ଓଡ଼ିଆ ଭାଷାର ନିଜସ୍ଵ କେତେକ ଯୁକ୍ତାକ୍ଷରର ଲିଖନ କ୍ଷେତ୍ରରେ ବର୍ତ୍ତମାନ ଅନୁସୃତ ହେଉଥିବା ଲକ୍ଷ୍ୟ କରାଯାଏ । ଅତଏବ ଓଡ଼ିଆର ଲିଖନ ପଦ୍ଧତି ଅନ୍ତର୍ଗତ ସମସ୍ତ ଯୁକ୍ତ ବର୍ଣ୍ଣ ବା ‘Consonant Cluster’ କୁ ଲେଖିବା ପାଇଁ ଯେଉଁ ୪ଟି ଉପାୟ ଅବଲମ୍ବନ କରାଯାଏ, ସେ ପ୍ରତିଟି ଉପାୟ ଓ ଉପାୟ ଅନ୍ତର୍ଗତ ଯୁକ୍ତ-ବର୍ଣ୍ଣ ବା ଅକ୍ଷରଗୁଡ଼ିକର ସ୍ଵରୂପ ନିମ୍ନରେ ସ୍ଵତନ୍ତ୍ରଭାବେ ଉପସ୍ଥାପନ କରାଗଲା । ଯଥା-

 

୧. ଫଳାଯୁକ୍ତ ଅକ୍ଷର (ଯୁକ୍ତାକ୍ଷର) :

 

ଓଡ଼ିଆ ଲିଖନ ପଦ୍ଧତିରେ ଓଡ଼ିଆ ବର୍ଣ୍ଣମାଳା ଅନ୍ତର୍ଗତ କ, ଜ, ଡ, ଢ, ଣ, ତ, ଥ, ନ, ବ, ଭ, ମ, ୟ, ର, ଳ, ଲ, ୱ ପ୍ରଭୃତି ୧୬ ଗୋଟି ମୌଳିକ ଅକ୍ଷର ବା ବର୍ଣ୍ଣ ଅନ୍ୟ ବ୍ୟଞ୍ଜନ ବର୍ଣ୍ଣ ସହ ଯୁକ୍ତ ହେଲେ ଯେଉଁ ସାଙ୍କେତିକ ଚିହ୍ନରେ ପରିଣତ ହୁଅନ୍ତି, ତାହାକୁ ‘ଫଳା’ କୁହାଯାଏ । ଓଡ଼ିଆ ଲିଖନ ପଦ୍ଧତିରେ ବ୍ୟବହୃତ ହେଉଥିବା ‘ଫଳା’ ଗୁଡ଼ିକର ସଂଖ୍ୟା ୧୮, ଏଗୁଡ଼ିକ ମଧ୍ୟରୁ ୧୪ଟି ବ୍ୟଞ୍ଜନ ବର୍ଣ୍ଣର ବିକଳ୍ପ ରୂପ ଭାବେ ୧୪ଟି ‘ଫଳା’ ବ୍ୟବହୃତ ହେଉଥିବାବେଳେ ‘ତ’ ଓ ‘ର’ ବର୍ଣ୍ଣ ପାଇଁ ଦୁଇଟି ଲେଖାଏଁ ଫଳା ଅର୍ଥାତ୍ ଅଧିକ ଗୋଟିଏ ଲେଖାଏଁ ବିକଳ୍ପ ‘ଫଳା’ର ବ୍ୟବହାର ଦେଖିବାକୁ ମିଳେ । ଏଗୁଡ଼ିକର ସ୍ଵରୂପ ନିମ୍ନରେ ଦର୍ଶାଗଲା । ଯଥା-

 

+କ (ଯୁକ୍ତ-ବର୍ଣ୍ଣ ଅନ୍ତର୍ଗତ ଦ୍ୱିତୀୟ ବର୍ଣ୍ଣ)-

‘କ’ (ସ୍‌+କ )=ସ୍କ=ଭାସ୍କର

+ଜ (ଯୁକ୍ତ-ବର୍ଣ୍ଣ ଅନ୍ତର୍ଗତ ଦ୍ୱିତୀୟ ବର୍ଣ୍ଣ)-

‘ଜ’ (ଜ+ଜ )=ଜ୍ଜ=ସଜ୍ଜନ

+ଡ (ଯୁକ୍ତ-ବର୍ଣ୍ଣ ଅନ୍ତର୍ଗତ ଦ୍ୱିତୀୟ ବର୍ଣ୍ଣ)-

‘୨’ (ଣ୍‌+ଡ)=ଣ୍ଡ=ଦଣ୍ଡ

+ଢ (ଯୁକ୍ତ-ବର୍ଣ୍ଣ ଅନ୍ତର୍ଗତ ଦ୍ୱିତୀୟ ବର୍ଣ୍ଣ)-

‘୧’ (ଣ୍+ଢ)=ଣ୍ଢ=ଷଣ୍ଢ

+ଣ (ଯୁକ୍ତ-ବର୍ଣ୍ଣ ଅନ୍ତର୍ଗତ ଦ୍ୱିତୀୟ ବର୍ଣ୍ଣ)-

‘ ଓ ’ (ଷ୍+ଣ)=ଷ୍ଣ=କୃଷ

ତ+ (ଯୁକ୍ତ-ବର୍ଣ୍ଣ ଅନ୍ତର୍ଗତ ପ୍ରଥମ ବର୍ଣ୍ଣ -

‘ତ୍କ’ (ତ୍‌+କ )=ତ୍କ=ଉତ୍କଳ

 

(ତ୍+ସ)=ତ୍ସ=ଉତ୍ସବ

 

(ତ୍‌+ନ)=ତ୍ନ=ଯତ୍ନ

+ବ (ଯୁକ୍ତ-ବର୍ଣ୍ଣ ଅନ୍ତର୍ଗତ ଦ୍ଵିତୀୟ ବର୍ଣ୍ଣ)-

(ସ୍‌+ତ)=ସ=ଶସ୍ତା

+ଥ (ଯୁକ୍ତ-ବର୍ଣ୍ଣ ଅନ୍ତର୍ଗତ ଦ୍ୱିତୀୟ ବର୍ଣ୍ଣ)-

( ସ୍‌+ଥ ) =ସ୍ଥ=ସୁସ୍ଥ

+ନ (ଯୁକ୍ତ-ବର୍ଣ୍ଣ ଅନ୍ତର୍ଗତ ଦ୍ୱିତୀୟ ବର୍ଣ୍ଣ)

( ହ୍+ନ) =ହ୍ନ=ଜହ୍ନ

 

(ତ୍+ନ)=ତ୍ନ=ଯତ୍ନ

+ତ (ଯୁକ୍ତ-ବର୍ଣ୍ଣ ଅନ୍ତର୍ଗତ ଦ୍ୱିତୀୟ ବର୍ଣ୍ଣ)-

(ମ୍‌+ବ )=ମ୍ୱ=ଆମ୍ବ

+ଭ (ଯୁକ୍ତ-ବର୍ଣ୍ଣ ଅନ୍ତର୍ଗତ ଦ୍ୱିତୀୟ ବର୍ଣ୍ଣ)-

(ମ୍‌+ଭ)=ମ୍ଭ=କୁମ୍ଭାର

+ମ (ଯୁକ୍ତ-ବର୍ଣ୍ଣ ଅନ୍ତର୍ଗତ ଦ୍ୱିତୀୟ ବର୍ଣ୍ଣ)-

(ଦ୍+ମ )=ଦ୍ମ=ପଦ୍ମ

+ୟ (ଯୁକ୍ତ-ବର୍ଣ୍ଣ ଅନ୍ତର୍ଗତ ଦ୍ୱିତୀୟ ବର୍ଣ୍ଣ)-

(କ୍+ୟ)=କ୍ୟ=ବାକ୍ୟ

+ର୍ (ଯୁକ୍ତ-ବର୍ଣ୍ଣ ଅନ୍ତର୍ଗତ ପ୍ରଥମ ବର୍ଣ୍ଣ)-

(ର୍‌+ବ)=ର୍ବ=ପର୍ବ

+ର (ଯୁକ୍ତ-ବର୍ଣ୍ଣ ଅନ୍ତର୍ଗତ ଦ୍ୱିତୀୟ ବର୍ଣ୍ଣ)-

(ବ୍‌+ର)=ବ୍ର=ବ୍ରତ/ବ୍ରଣ

+ଳ (ଯୁକ୍ତ-ବର୍ଣ୍ଣ ଅନ୍ତର୍ଗତ ଦିତୀୟ ବର୍ଣ୍ଣ)-

(କ୍‌+ଳ)=କ୍ଳ=ଶୁକ୍ଳ

+ଲ (ଯୁକ୍ତ-ବର୍ଣ୍ଣ ଅନ୍ତର୍ଗତ ଦ୍ୱିତୀୟ ବର୍ଣ୍ଣ)-

(କ୍+ଲ)=କ୍ଲ=କ୍ଲାସ୍‌/ବକ୍ଲିସ୍‌/କ୍ଲିବ

+ଓ୍ୱ (ଯୁକ୍ତ-ବର୍ଣ୍ଣ ଅନ୍ତର୍ଗତ ଦ୍ୱିତୀୟ ବର୍ଣ୍ଣ)-

(କ୍‌+ଓ୍ୱ)=କ୍ୱ=ପକ୍ୱ/କ୍ୱିଣ୍ଟାଲ

 

୨. ସ୍ୱତନ୍ତ୍ର ଯୁକ୍ତାକ୍ଷର (ଯୁକ୍ତ- ବ୍ୟଞ୍ଜନ ବର୍ଣ୍ଣ)

ଓଡ଼ିଆ ଲିଖନରେ କେତେକ ସ୍ଵତନ୍ତ୍ର ଯୁକ୍ତାକ୍ଷରର ପ୍ରୟୋଗ ମଧ୍ୟ ପରିଲକ୍ଷିତ ହୋଇଥାଏ-। ଏଗୁଡ଼ିକର କିନ୍ତୁ ଲିଖନ ଓ କଥନ ବା ଉଚ୍ଚାରଣ ମଧ୍ୟରେ କୌଣସି ଗୁରୁତର ପ୍ରଭେଦ ଦେଖିବାକୁ ମିଳେ ନାହଁ । ଏହି କାରଣରୁ ଓଡ଼ିଆ କଥନ-ପ୍ରଣାଳୀକୁ ଆୟତ୍ତ କରିବାରେ ବିଶେଷ କିଛି ଅସୁବିଧା ଉପୁଜେ ନାହିଁ । ଏହି ପର୍ଯ୍ୟାୟର ଯୁକ୍ତାକ୍ଷରଗୁଡ଼ିକର ସଂଖ୍ୟା ୨୩ । ଏଗୁଡ଼ିକର ସ୍ଵରୂପ ସହ ପ୍ରୟୋଗବିଧି ନିମ୍ନରେ ଦର୍ଶାଗଲା । ପ୍ରକାଶ ଥାଉ କି, ଏହି ପର୍ଯ୍ୟାୟର ଯୁକ୍ତବର୍ଣ୍ଣ ବା ଯୁକ୍ତାକ୍ଷରଗୁଡ଼ିକ ମଧ୍ୟରୁ କେବଳ ଶେଷ ତିନିଟିକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ଯୁକ୍ତାକ୍ଷର କେବଳ ଶବ୍ଦ ଅନାଦ୍ୟରେ ହିଁ ବ୍ୟବହୃତ ହେଉଥିବା ଦେଖିବାକୁ ମିଳେ । ଧ୍ୟ, ଜ୍ଞ, କ୍ଷ- ଏହି ତିନୋଟି ଯୁକ୍ତାକ୍ଷର ବିଭିନ୍ନ ଶବ୍ଦ ଅନ୍ତର୍ଗତ ଉଭୟ ଆଦ୍ୟ ଓ ଅନାଦ୍ୟ ବର୍ଣ୍ଣଭାବେ ବ୍ୟବହୃତ ହୋଇଥାଏ । ଯଥା-

 

ବ୍ଦ (ବ୍+ଦ)      - ଶବ୍ଦ, ଶତାବ୍ଦୀ

ଭ (ଦ୍‌+ଭ)      - ଅଦ୍ଭୁତ, ଉଦ୍ଭିଦ

ଭ (ତ୍+ତ)      - ପିତ୍ତ, ଉତ୍ତର

ଦ୍ଦ (ଦ୍+ଦ)      - ଉଦ୍ଦାତ, ଉଦ୍ଦାମ

ଝ (ଦ୍+ଧ)      - ଯୁଦ୍ଧ, ଉଦ୍ଧତ

ଟ୍ଟ (ଟ୍‌+ଟ)      - ଥଟ୍ଟା, ଅଟ୍ଟାଳିକା

ଚ୍ଚ (ଚ୍+ଚ)      - ଉଚ୍ଚ, ନୀଚ୍ଚ

ଚ୍ଛ (ଚ୍+ଛ)      - ପୁଚ୍ଛ, ସ୍ଵଚ୍ଛ

ମ୍ପ (ମ୍‌+ପ)      - ଚମ୍ପା, ସମ୍ପଦ

ମ୍ଫ (ମ୍‌+ଫ)      - ଗୁମ୍ଫା, ବାମ୍ଫ

ନ୍ଦ (ନ+ଦ)      - ଚାନ୍ଦ, ଛାନ୍ଦ

ନ୍ଧ (ନ୍+ଧ)      - ଅନ୍ଧ, କନ୍ଧ

ଞ୍ଚ (ଞ୍+ଚ)      - କଞ୍ଚା, ଚଞ୍ଚଳ

ଞ୍ଛ (ଞ୍+ଛ)      - ବାଞ୍ଚା, ଲାଞ୍ଛନା

ଞ୍ଜ (ଞ୍+ଜ)      - ସଞ୍ଜ, ଲାଞ୍ଜ

ଙ୍କ (ଙ୍+କ)      - ଅଙ୍କ, ପଙ୍କଜ

ଙ୍ଖ (ଙ୍+ଖ)      - ପଙ୍ଖା, ଶଙ୍ଖା

ଙ୍ଗ (ଙ୍+ଗ)      - ଅଙ୍ଗାର, ଡଙ୍ଗା

ଙ୍ଘ (ଙ୍+ଘ)      - ଜଙ୍ଘ, ଶିଙ୍ଘ

ଧ୍ୟ (ଧ୍+ୟ)      - ଧ୍ୟାନ, ବାଧ୍ୟ

ଜ୍ଞ (ଜ୍+ଞ)      - ଜ୍ଞାନ, ଯଜ୍ଞ

କ୍ଷ (କ୍+କ୍ଷ)      - କ୍ଷମା, ଅକ୍ଷର

 

୩. ଦ୍ୱିତଳ ଅକ୍ଷର (ଯୁକ୍ତାକ୍ଷର) :

ଓଡ଼ିଆ ଲିଖନ ପଦ୍ଧତିରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଦ୍ୱିତଳ ଅକ୍ଷର ବିଶିଷ୍ଟ ଯୁକ୍ତ-ବ୍ୟଞ୍ଜନ ବା ଯୁକ୍ତାକ୍ଷରର ବହୁଳ ପ୍ରୟୋଗ ଦେଖିବାକୁ ମିଳେ । ଏଗୁଡ଼ିକର ଉଚ୍ଚାରଣରେ ଆସୁଥିବା ପ୍ରଥମ ବ୍ୟଞ୍ଜନ ବର୍ଣ୍ଣ ତଳେ ଦ୍ୱିତୀୟ ବ୍ୟଞ୍ଜନ ବର୍ଣ୍ଣର କ୍ଷୁଦ୍ରାକୃତିଟିକୁ ସଂଯୋଗ କରିବା ଆବଶ୍ୟକ ହୋଇଥାଏ । ଏହି ପର୍ଯ୍ୟାୟର ଯୁକ୍ତାକ୍ଷରଗୁଡ଼ିକ ମଧ୍ୟରେ କ୍ଟ (ସେକ୍ଟର, ଟ୍ରାକ୍ଟର), କ୍ସ (ବାକ୍ସ), ଗ୍ଦ (ବାଗ୍ଦେବୀ), ଗ୍ଧ (ଦୁଗ୍ଧ, ପ୍ରଲୁବ୍ଧ), ଜ୍ଝ (କୁଜ୍ଝଟିକା), ଡ୍ଗ (ଖଡ଼୍ଗ), ଡ୍ଡୀ (ଉଡ୍ହୀୟମାନ), ଣ୍ଟ (ଘଣ୍ଟ, ଥଣ୍ଟ), ଣ୍ଠ (କଣ୍ଠ), ତ୍ଥ (ଉତ୍ଥାନ), ଦ୍ଗ (ମୁଦ୍ଗର), ଦ୍ଘ (ଉଦ୍ଘାଟନ), ଦ୍ବ (ବୁଦ୍ବଦ୍‌), ଦ୍ଯ (ଉଦ୍ୟୋଗ), ପ୍ଟ (ସେପ୍ଟିପିନ୍, ସେପ୍ଟେମ୍ବର), ପ୍ପ (ପିପ୍ପଳୀ), ପ୍ସ (ଅପ୍ସରା), ବ୍ଜ (କବ୍ଜା), ବ୍ଧ (ଲବ୍ଧ), ମ୍ମ (ସମ୍ମାନ), ଳ୍ପ (ସ୍ୱଳ୍ପ), ଳ୍ଭ (ପ୍ରଗଳ୍ଭ), ଲ୍ଗ (ଫ।ଲ୍ଗୁନ), ଶ୍ଚ (ପଶ୍ଚିମ), ଷ୍ଟ (ସମଷ୍ଟି), ଷ୍ଠ (ଷଷ୍ଠ, ବଳିଷ୍ଠ), ଷ୍ପ (ପୁଷ୍ପ), ଷ୍ଫ (ନିଷ୍ଫଳ), ସ୍ଖ (ସ୍ଖଳନ), ସ୍ପ (ସ୍ପର୍ଶ, ବାସ୍ପ), ସ୍ଫ (ସ୍ଫଟିକ), ହ୍ଣ (ଅପରାହ୍ଣ) ପ୍ରଭୃତି ଅନ୍ୟନାମ ।

 

୪. ହଳନ୍ତଯୁକ୍ତ ଅକ୍ଷର :

ଓଡ଼ିଆ ଛାପା-କାର୍ଯ୍ୟର ଏକ ବିରାଟ ଅଂଶ ବର୍ତ୍ତମାନ କମ୍ପ୍ୟୁଟର ମାଧ୍ୟମରେ ସମ୍ପନ୍ନ କରାଯାଉଛି । ଏଥିରେ ବାହାର ଭାଷାରୁ ଆହରିତ ହେଉଥିବା ନୂଆ ନୂଆ ଶବ୍ଦ ଅନ୍ତର୍ଗତ ଯୁକ୍ତବ୍ୟଞ୍ଜନଗୁଡ଼ିକୁ ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ତ’ ପରିବର୍ତ୍ତନ କରାଯାଇପାରିଛି, ତା’ ସହିତ ପୂର୍ବରୁ ବ୍ୟବହୃତ ହୋଇ ଆସିଥିବା କେତେକ ଦ୍ୱିତଳଯୁକ୍ତାକ୍ଷରକୁ ମଧ୍ୟ ଏହି ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ସରଳୀକୃତ ତଥା ଯନ୍ତ୍ରୋପଯୋଗୀ କରାଯାଇପାରିଛି । ଫଳରେ ଦ୍ୱିତଳ ଯୁକ୍ତବର୍ଣ୍ଣଗୁଡ଼ିକ ଅଧିକ ସ୍ପଷ୍ଟ, ସରଳ ତଥା ଯନ୍ତ୍ରୋପଯୋଗୀ ମଧ୍ୟ ହୋଇପାରିଛି । ଏହି ବିକଳ୍ପ ବ୍ୟବସ୍ଥା ଅନୁସାରେ ଯୁକ୍ତବ୍ୟଞ୍ଜନ (ଦ୍ୱିତଳ) ଅନ୍ତର୍ଗତ ପ୍ରଥମ (ଉଚ୍ଚାରଣ ଦୃଷ୍ଟିରୁ ପ୍ରଥମ) ବର୍ଣ୍ଣ ତଳେ ହଳନ୍ତ ଦେଇ ଏବଂ ପରେ ଦ୍ୱିତୀୟ ବର୍ଣ୍ଣଟିର ଅବତାରଣା ମାଧ୍ୟମରେ ପୂର୍ଣ୍ଣ ଯୁକ୍ତବ୍ୟଞ୍ଜନାକ୍ଷଟିର ଅଭିବ୍ୟକ୍ତି ସମ୍ଭବ ହୋଇପାରୁଛି । ଯଥା-

 

ଗ୍ଧ (ଗ୍‌ଧ) = ଦୁଗ୍ଧ - ଦୁଗ୍‌ଧ

ଦ୍ଗ (ଦ୍‌ଗ) = ମୁଦ୍ଗର - ମୁଦ୍‌ଗର

ଡ୍ଗ (ଡ୍+ଗ) = ଖଡ଼୍ଗ - ଖଡ଼୍‌ଗ

କ୍ସ (କ୍+ସ ) = ବାକ୍ସ - ବାକ୍‌ସ

ନ୍ସ (ନ୍+ସ) = ପ୍ରିନ୍‌ସିପାଲ - ପ୍ରିନ୍‌ସିପାଲ୍‌

କ୍ଟ (କ୍+ଟ) = ଟ୍ରାକ୍ଟର - ଟ୍ରାକ୍‌ଟର ପ୍ରଭୃତି ।

 

ମୋଟାମୋଟି ଭାବେ ଏତିକି ହିଁ ହେଉଛି ଓଡ଼ିଆ ଲିଖନ ପ୍ରଣାଳୀରେ ବ୍ୟବହୃତ ହେଉଥିବା ବର୍ଣ୍ଣ ବା ଅକ୍ଷର ସମୂହର ବର୍ଣ୍ଣନାତ୍ମକ ଆକଳନ । ଓଡ଼ିଆ ଲିଖନ ପ୍ରଣାଳୀ ଅନ୍ତର୍ଗତ ୪୯ଟି ମୌଳିକ ଅକ୍ଷର ସମେତ ୧୦ଟି ମାତ୍ରାଯୁକ୍ତ (ବ୍ୟଞ୍ଜନ ସହ ‘ଅ’ ଭିନ୍ନ ଅନ୍ୟ ସ୍ଵରଗୁଡ଼ିକର ବିକଳ୍ପ ରୂପ/ମାତ୍ରାରୂପ ଯୋଗରେ ଗଠିତ) ଅକ୍ଷର ଓ ୭୦ ରୁ ଊର୍ଦ୍ଧ୍ୱ ଯୁକ୍ତାକ୍ଷର (ଦ୍ୱିବର୍ଣ୍ଣ ଯୋଗ ଅର୍ଥାତ୍‌ ବ୍ୟଞ୍ଜନ ସହ ବ୍ୟଞ୍ଜନ ଯୋଗରେ ଗଠିତ ଯୁକ୍ତାକ୍ଷର)ର ରୂପଗତ ତଥା ଉଚ୍ଚାରଣଗତ ସ୍ଵାତନ୍ତ୍ର୍ୟ ଆଧାରରେ ସେଗୁଡ଼ିକୁ ବିଭିନ୍ନ ଶ୍ରେଣୀର ଅନ୍ତର୍ଭୁକ୍ତ କରି ଦର୍ଶାଯାଇଛି । ଦ୍ୱିବର୍ଣ୍ଣୀ ଯୁକ୍ତାକ୍ଷରଗୁଡ଼ିକୁ ବାଦ୍‌ ଦେଲେ ଓଡ଼ିଆ ଲିଖନ ପ୍ରଣାଳୀରେ କେତୋଟି ତ୍ରିବର୍ଣ୍ଣୀ (ତିନିଗୋଟି ବ୍ୟଞ୍ଜନ ବର୍ଣ୍ଣର ଯୋଗରେ ଗଠିତ) ଓ ଚତୁର୍ବର୍ଣ୍ଣୀ (ଚାରିଗୋଟି ବ୍ୟଞ୍ଜନ ବର୍ଣ୍ଣର ଯୋଗରେ ଗଠିତ) ଯୁକ୍ତାକ୍ଷରର ବ୍ୟବହାର ମଧ୍ୟ ପରିଲକ୍ଷିତ ହେଉଛି । ତ୍ରିବର୍ଣ୍ଣା ଯୁକ୍ତାକ୍ଷରଗୁଡ଼ିକ ମଧ୍ୟରେ ନ୍ତ୍ୱ (ନ୍‌ତ୍‌ୱ)-ସାନ୍ତ୍ୱନା, ନ୍ଦ୍ର (ନ୍‌ଦ୍‌ର)-ଚନ୍ଦ୍ର, ନ୍ଧ୍ର (ନ୍‌ଧ୍‌ର)-ରନ୍ଧ୍ର, ମ୍ଭ୍ର (ମ୍‌ଭ୍‌ର)-ସମ୍ଭ୍ରମ, ର୍ଦ୍ଧ (ର୍‌ଦ୍‌ଧ)-ଅର୍ଦ୍ଧ, ର୍ଦ୍ର (ର୍‌ଦ୍‌ର)-ଆର୍ଦ୍ର, ର୍ଶ୍ୱ (ର୍‌ଶ୍‌ୱ)-ପାର୍ଶ୍ୱ, ଷ୍କ୍ର, (ଷ୍‌କ୍‌ର)-ନିଷ୍କ୍ରିୟ, ଷ୍ଟ୍ର (ଷ୍‌ଟ୍‌ର)-ରାଷ୍ଟ୍ର, ଷ୍ପ୍ର (ଷ୍‌ପ୍‌ର)-ଦୁଷ୍ପ୍ରାପ୍ୟ ପ୍ରଭୃତି ଓ ଚତୁର୍ବର୍ଣୀ ଯୁକ୍ତାକ୍ଷରଗୁଡ଼ିକ ମଧ୍ୟରେ ର୍ତ୍ତ୍ୟ (ର୍‌ତ୍‌ତ୍‌ଯ)-ମର୍ତ୍ତ୍ୟ, ନ୍ତ୍ର୍ୟ (ନ୍‌ତ୍‌ର୍‌ଯ)- ସ୍ୱାତନ୍ତ୍ର୍ୟ, ର୍ତ୍ତ୍ର (ର୍‌ତ୍‌ତ୍‌ର)-କର୍ତ୍ତା, ର୍ଦ୍ଧ୍ୱ, (ର୍‌ଦ୍‌ଧ୍‌ୱ) ପ୍ରଭୃତି ଅନ୍ୟତମ । ଓଡ଼ିଆ ଭାଷାର ସମସ୍ତ ଯୁକ୍ତାକ୍ଷର ଲିଖନକୁ ଧରି ଉଚ୍ଚାରିତ ହୋଇଥାନ୍ତି । ଅନ୍ୟ କଥାରେ କହିଲେ ଓଡ଼ିଆ ଯୁକ୍ତାକ୍ଷରଗୁଡ଼ିକର ଉଚ୍ଚାରଣ ଓ ଲିଖନ ମଧ୍ୟରେ ବିଶେଷ କିଛି ପ୍ରଭେଦ ନାହିଁ ।
 

ପ୍ରତ୍ୟେକ ଭାଷାର ଲିଖନ-ପ୍ରଣାଳୀ ସେହି ଭାଷାର ଉଚ୍ଚାରଣ ପରମ୍ପରାକୁ ଧରି ଗତିଶୀଳ ହେବା ନିହାତି ଆବଶ୍ୟକ । ତା’ ନ ହେଲେ ନିର୍ଦ୍ଦିଷ୍ଟ ଭାଷା କ୍ଷେତ୍ରରେ ଏଭଳି ଏକ ଅବସ୍ଥା ଉପୁଜିବ ଯେତେବେଳେ ଭାଷାର ଲିଖନ ପ୍ରଣାଳୀ ତା’ର ଗଠନ ବା କଥନ ପ୍ରଣାଳୀଠାରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିବ ଓ ଏ ଅବସ୍ଥାଟି ଯେ କୌଣସି ଭାଷା ପାଇଁ ନିହାତି ପକ୍ଷେ ଅଭାବନୀୟ । ସଂପ୍ରତି ନବସାକ୍ଷରଙ୍କ ପାଇଁ ହେଉ ବା କମ୍ପ୍ୟୁଟର ପାଇଁ ହେଉ, ଓଡ଼ିଆ ବର୍ଣ୍ଣ ସଂସ୍କାରର ଯେଉଁ ନୂତନ ଆହ୍ୱାନ ମୁଣ୍ଡ ଟେକିଛି : ତାକୁ ଚରିତାର୍ଥ କରିବା ଲକ୍ଷ୍ୟରେ ବିଭିନ୍ନ ଅଣ-ବିଶେଷଜ୍ଞ ଓଡ଼ିଆ ଲିପିମାଳାକୁ ମନଇଚ୍ଛା ବଦଳାଇବାରେ ଲାଗିଛନ୍ତି । ବିଶେଷ କରି ଓଡ଼ିଆ ଯୁକ୍ତାକ୍ଷରଗୁଡ଼ିକୁ ସରଳୀକୃତ କରିବା ନାଆଁରେ ଯେଉଁ ପ୍ରଣାଳୀରେ ସେମାନେ ଭାଙ୍ଗି ଚାଲିଛନ୍ତି, ତା’ର କୌଣସି ବୈଜ୍ଞାନିକ ଭିତ୍ତି ନ ଥିବା ପରି ମନେହେଉଛି । ଓଡ଼ିଆ ଯୁକ୍ତାକ୍ଷରଗୁଡ଼ିକୁ କମ୍ପ୍ୟୁଟର ଉପଯୋଗୀ କରିବା ପାଇଁ ଏଗୁଡ଼ିକର ପ୍ରଣାଳୀଗତ ନୂତନତା ସାଧନର ଯେ ଆବଶ୍ୟକତା ରହିଛି- ଏଥିରେ ସନ୍ଦେହ ନାହିଁ । ମାତ୍ର କମ୍ପ୍ୟୁଟର ନାଁରେ ଓଡ଼ିଆ ଯୁକ୍ତାକ୍ଷରଗୁଡ଼ିକୁ ମନଇଚ୍ଛା ଭାଙ୍ଗି ସରଳୀକୃତ ରୂପ ପ୍ରଦାନ କରାଗଲେ, ତା’ର ବ୍ୟବସ୍ଥିତ ଧ୍ଵନି-ଗୁଣରେ ଅନେକାଂଶରେ ପରିବର୍ତ୍ତନ ଘଟିବ । ଯାହା ଭାଷା ପକ୍ଷେ ଏକାନ୍ତ କ୍ଷତିକାରକ ।

 

ଅଧୁନା ଓଡ଼ିଆ ଲିଖନ ଓ ମୁଦ୍ରଣ ପଦ୍ଧତିକୁ କମ୍ପ୍ୟୁଟର ନାଁରେ ସରଳୀକରଣ ଓ ଜଗତୀକରଣ କରିବାର ଏକ ପ୍ରଚେଷ୍ଟା ଭାବେ ଅନୁସ୍ଵାର ଓ ହଳନ୍ତ ପ୍ରୟୋଗ ଭଳି ଦୁଇଟି ବିକଳ୍ପ ବ୍ୟବସ୍ଥା ଯାଦୃଚ୍ଛିକ ଭାବେ ଅନୁସୃତ ହେଉଥିବା ଦେଖିବାକୁ ମିଳୁଛି । ଅନୁସ୍ଵାର ଓ ହଳନ୍ତ ସାହାଯ୍ୟରେ ଓଡ଼ିଆ ଯୁକ୍ତାକ୍ଷରଗୁଡ଼ିକୁ ସର୍ବତ୍ର ପ୍ରକାଶ କରିବା ସପକ୍ଷରେ ବିଭିନ୍ନ ଲିପିସଂସ୍କାରବାଦୀ ଯୁକ୍ତି ବାଢ଼ୁଛନ୍ତି । ଅନୁସ୍ଵାରର ବିକଳ୍ପ ବ୍ୟବସ୍ଥା ସାହାଯ୍ୟରେ ଓଡ଼ିଆ ଭାଷାରେ ବହୁକାଳରୁ ବ୍ୟବହୃତ ହୋଇ ଆସିଥିବା ନିମ୍ନଲିଖିତ ଯୁକ୍ତାକ୍ଷରଗୁଡ଼ିକୁ ସରଳୀକୃତ କରିବା ଆବଶ୍ୟକ ବୋଲି କେତେକ ସଂସ୍କାରବାଦୀ ପ୍ରସ୍ତାବ ଦେଇଛନ୍ତି । ଏଗୁଡ଼ିକ ମଧ୍ୟରେ

 

କ)

ଣ୍ଡ, ଣ୍ଢ, ନ୍ତ, ନ୍ଥ, ମ୍ବ, ମ୍ଭ, ପରି ୬ଟି ଫଳାଯୁକ ଅକ୍ଷର (ଯୁକ୍ତାକ୍ଷର) ।

ଖ)

ଙ୍କ, ଙ୍ଖ, ଙ୍ଗ, ଙ୍ଘ, ଞ୍ଚ, ଞ୍ଛ, ଞ୍ଜ, ଞ୍ଝ, ନ୍ଦ, ନ୍ଧ, ମ୍ପ, ମ୍ଫ ପରି ୧୨ଟି ସ୍ୱତନ୍ତ୍ର ଅକ୍ଷର (ଯୁକ୍ତାକ୍ଷର) ।

ଗ)

ଣ୍ଟ, ଣ୍ଠ ପରି ଦୁଇଗୋଟି ଦ୍ୱିତଳ ଅକ୍ଷର (ଯୁକ୍ତାକ୍ଷର) ଅନ୍ୟତମ ।

 

ଉପର୍ଯ୍ୟୁକ୍ତ ୨୦ ଟି ଯୁକ୍ତାକ୍ଷରରେ ପ୍ରଥମ ବର୍ଣ୍ଣ ରୂପେ ବ୍ୟବହୃତ ହୋଇଥବା ଙ୍‌, ଞ୍, ଣ୍‌, ନ୍, ମ୍‌ ପ୍ରଭୃତିର ବିକଳ୍ପ ଭାବେ କେବଳ ଅନୁସ୍ୱାରଟିକୁ ପ୍ରୟୋଗ କରି ଏବଂ ପରେ ସମବର୍ଗୀୟ ବ୍ୟଞ୍ଜନର ବ୍ୟବହାର ମାଧ୍ୟମରେ ଯୁକ୍ତାକ୍ଷରଗୁଡ଼ିକୁ ଭାଙ୍ଗି ଲେଖି‌ବାର ଯେଉଁ ପ୍ରସ୍ତାବ ଦିଆଯାଇଛି, ତାହା ଧ୍ୱନିତତ୍ତ୍ଵ ଦୃଷ୍ଟିରୁ ଆଦୌ ଗ୍ରହଣୀୟ ନୁହେଁ । କାରଣ, ଓଡ଼ିଆ ଭାଷାର ଅନୁସ୍ଵାରଟି ଏକ ଅଯୋଗବାହ ବର୍ଣ୍ଣ ଯାହା କଣ୍ଠ୍ୟ ନାସିକ୍ୟରୂପେ କେବଳ ସ୍ଵର ଧ୍ଵନି ‘ଅ’ ସହାୟତାରେ ବା ଯୋଗରେ ଉଚ୍ଚାରିତ । ତେଣୁ କଣ୍ଠ୍ୟ ନାସିକ୍ୟ ‘‘ଙ’’ର ବିକଳ୍ପ ଭାବେ ବ୍ୟବହୃତ ହେବାକୁ ଅନୁସ୍ଵାରଟିର ହୁଏତ ଯୋଗ୍ୟତା ଅଛି । ମାତ୍ର ତାଲବ୍ୟ ନାସିକ୍ୟ ‘‘ଞ୍‌’’ (ଯାହା ଦନ୍ତ୍ୟ ନାସିକ୍ୟ ‘ନ’ର ବିକଳ୍ପ ଭାବେ କେବଳ ସମବର୍ଗୀୟ ଯୁକ୍ତାକ୍ଷର ଞ୍ଚ (ଞ୍‌), ଞ୍ଛ, (ଞ୍+ଛ), ଞ୍ଜ (ଞ୍+ଜ), ଞ୍ଝ (ଞ୍+ଝ) ସହିତ ବ୍ୟବହୃତ ତଥା ‘‘ନ୍ୟଁ’’ ରୂପେ ଉଚ୍ଚାରିତ) ମୂର୍ଦ୍ଧଣ୍ୟ ନାସିକ୍ୟ ‘ଣ୍‌’ , ଦନ୍ତ୍ୟ ନାସିକ୍ୟ ‘ନ୍’ ଓ ଓଷ୍ଠ୍ୟ ନାସିକ୍ୟ ‘ମ୍‌’ର ବିକଳ୍ପ ଭାବେ ବ୍ୟବହୃତ ହେବା ପାଇଁ ଏହାର କୌଣସି ଯୋଗ୍ୟତା ନାହିଁ । ସୁତରାଂ, ଯୋଗ୍ୟତା ବା ଧ୍ଵନିଗୁଣ ଭିତ୍ତିରେ ନାସିକା ବ୍ୟଞ୍ଜନ ‘ଙ୍‌’ ପାଇଁ ଅନୁସ୍ଵାରର ବିକଳ୍ପ ବ୍ୟବସ୍ଥାଟିକୁ ପ୍ରୟୋଗ କରି ଙ୍କ, ଙ୍ଖ, ଙ୍ଗ, ଙ୍ଘ ଭଳି ଚାରିଗୋଟି ଯୁକ୍ତାକ୍ଷରକୁ ନିମ୍ନଲିଖିତ ମତେ ସରଳୀକୃତ କରି ଲେଖାଯାଇପାରେ । ଯଥା-

 

ଅଙ୍କ (ଙ୍କ)-ଅଂକ (°କ), ଶଙ୍ଖ (ଙ୍ଖ)-ଶଂଖ, (°ଖ), ଶୃଙ୍ଗ (ଙ୍ଗ)-ଶୃଂଗ (°ଗ) ପ୍ରଭୃତି । ମାତ୍ର ଏହି ବିକଳ୍ପ ବ୍ୟବସ୍ଥାଟିକୁ ଗ୍ରହଣକରି ଯୁକ୍ତାକ୍ଷର ‘ଙ୍କ’କୁ ଭାଙ୍ଗି ‘°କ’ କଲେ ବ୍ୟାକରଣଗତ ବିଭ୍ରାଟ ଘଟିବାର ସମ୍ଭାବନା ରହିଛି । କାରଣ ‘ଙ୍କ’ ଯୁକ୍ତାକ୍ଷରଟି କେବଳ ବିଭିନ୍ନ ଶବ୍ଦ ମଧ୍ୟରେ ଅନ୍ୟତମ ଅକ୍ଷର ଭାବେ ବ୍ୟବହୃତ ହୁଏ ନାହିଁ, ପରନ୍ତୁ ଏହା ଏକ ବଦ୍ଧ ରୂପିମ୍‌ (Morpheme) ଭାବେ ବିଭିନ୍ନ ଶବ୍ଦଧାତୁରେ ଲାଗି (ଏକକ ଭାବେ ବା ଯୌଗିକ ପ୍ରତ୍ୟୟ ଭାବେ) ବିଭିନ୍ନ ବିଭକ୍ତିର ସୂଚନା ଦେଇଥାଏ । ଓଡ଼ିଆ ଭାଷାରେ ଙ୍କୁ, ଙ୍କି ପ୍ରଭୃତି ଦ୍ୱିତୀୟା ବା ଚତୁର୍ଥୀ ବିଭକ୍ତିର ଚିହ୍ନଭାବେ ଏବଂ ଙ୍କ, ଙ୍କର ପ୍ରଭୃତି ଷଷ୍ଠୀ ବିଭକ୍ତିର ଚିହ୍ନଭାବେ ବିଭିନ୍ନ ଧାତୁ (ଶବ୍ଦ ଧାତୁ)ରେ ଯୋଗ ହୋଇଥାଏ । ସୁତରାଂ ଲିପି ସଂସ୍କାର ନାଁରେ ‘ଙ୍କ’ ଯୁକ୍ତାକ୍ଷରଟିର ରୂପଗତ ପରିବର୍ତ୍ତନ ସାଧନ କରାଗଲେ, ବ୍ୟାକରଣଗତ ବିଭ୍ରାଟ ଘଟିବା ନିଶ୍ଚିତ । ପୁନଶ୍ଚ ସନ୍ଧି ସମୟରେ ଅଳ୍ପ କେତେକ ସୀମିତ ସ୍ଥାନ ବା ପରିସ୍ଥିତିରେ ନାସିକ୍ୟ ଧ୍ଵନିର ଅନୁସ୍ଵାରରେ ପରିଣତ ଘଟୁଥିବା ଲକ୍ଷ୍ୟ କରାଯାଏ, ଯାହା ସଂପୂର୍ଣ୍ଣ ବ୍ୟାକରଣ ସମ୍ମତ । ଏଭଳି ପରିସ୍ଥିତି ବା କ୍ଷେତ୍ରରେ ଯୁକ୍ତାକ୍ଷର ପରିବର୍ତ୍ତେ ଅନୁସ୍ଵାରର ବ୍ୟବହାର ଯୁକ୍ତିଯୁକ୍ତ ମନେହୁଏ । ଏ କ୍ଷେତ୍ରରେ ‘ସମ୍‌’ ଉପସର୍ଗ ଯୋଗରେ ଗଠିତ ହୋଇଥିବା ନିମ୍ନଲିଖିତ କେତେକ ଶବ୍ଦ କ୍ଷେତ୍ରରେ ଉଭୟ ଯୁକ୍ତାକ୍ଷର ଓ ଏହାର ବିକଳ୍ପ ପଦ୍ଧତି ସ୍ଵରୂପ ଅନୁସ୍ଵାରର ପ୍ରୟୋଗ ମାଧ୍ୟମରେ ଲେଖିବା ବ୍ୟାକରଣ-ସମ୍ମତ ପରି ମନେହୁଏ । ଯଥା-

 

ସମ୍‌-ଚାଳକ = ସଂଚାଳକ/ସଞ୍ଚାଳକ (ଞ୍ଚ)

ସମ୍‌-ଜୀବନୀ = ସଂଜୀବନୀ/ସଞ୍ଜିବନୀ (ଞ୍ଜ)

ସମ୍‌-ଦେହ = ସଂଦେହ/ସନ୍ଦେହ (ନ୍ଦ)

ସମ୍‌-ଧା+ଅନ = ସଂଧାନ/ସନ୍ଧାନ (ନ୍ଧ)

ସମ୍‌-ପଦ୍+ତି = ସଂପତ୍ତି/ସମ୍ପତ୍ତି (ମ୍ପ)

ସମ୍‌-ବିଧାନ = ସଂବିଧାନ/ସମିଧାନ (ମ୍ବ)

ସମ୍‌-ଭୂ+ଅ = ସଂବବ/ସମ୍ଭବ (ମ୍ଭ)

ସମ୍‌-କୀର୍ତ୍ତନ = ସଂକୀର୍ତ୍ତନ/ସଙ୍କୀର୍ତ୍ତନ (ଙ୍କ)

ସମ୍‌-ଖ୍ୟା+ଅନ୍ = ସଂଖ୍ୟାନ/ସଙ୍ଖ୍ୟାନ (ଙ୍ଖ)

ସମ୍‌-ଗୀତ = ସଂଗୀତ/ସଙ୍ଗୀତ (ଙ୍ଗ)

ସମ୍‌-ଘଟ୍‌+ଅନ୍ = ସଂଘଟନ/ସଂଘଟନ (ଙ୍ଘ)

 

ଲିପି ସଂସ୍କାରର ଦ୍ୱିତୀୟ ବିକଳ୍ପ ବ୍ୟବସ୍ଥା ସ୍ୱରୂପ ବର୍ତ୍ତମାନ ହଳନ୍ତ ପ୍ରୟୋଗ ମାଧ୍ୟମରେ ବିଭିନ୍ନ ଯୁକ୍ତାକ୍ଷରଗୁଡ଼ିକୁ ଭଙ୍ଗାଯାଇ ଯେପରି ସରଳୀକୃତ ରୂପ ପ୍ରଦାନର ଉଦ୍ୟମ କରାଯାଉଛି, ତାହା କମ୍ପ୍ୟୁଟର ପାଇଁ ଅବଶ୍ୟ ସ୍ୱାଗତଯୋଗ୍ୟ । ଏହି ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ଓଡ଼ିଆ ଭାଷାରେ ବହୁ କାଳରୁ ବ୍ୟବହୃତ ହୋଇ ଆସିଥିବା ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ଦ୍ୱିତଳ ଯୁକ୍ତାକ୍ଷରଗୁଡ଼ିକୁ ପ୍ରକାଶ କରାଯାଇପାରୁଛି । ଏହି ବ୍ୟବସ୍ଥାନୁସାରେ ଦ୍ୱିତଳ ଅକ୍ଷର (ଯୁକ୍ତାକ୍ଷର) ଅନ୍ତର୍ଗତ ପ୍ରଥମ ବର୍ଣ୍ଣ ବା ଅକ୍ଷର ତଳେ ହଳନ୍ତ ଦିଆଯାଇ ପରବର୍ତ୍ତୀ ବର୍ଣ୍ଣଟିକୁ ତା’ ପରେ ବ୍ୟବହାର କରାଯାଇଛି । ଏହାଦ୍ୱାରା ପୂର୍ଣ୍ଣ ଯୁକ୍ତାକ୍ଷରଟିର ଅଭିବ୍ୟକ୍ତି ମଧ୍ୟ ସମ୍ଭବ ହୋଇପାରିଛି । ଯଥା- ମୁଦ୍ଗର-ମୁଦ୍‌ଗର, ଖଡ଼୍ଗ-ଖଡ଼୍‌ଗ, ବାଷ୍ପ-ବାଷ୍‌ପ, ଉତ୍ଥାନ- ଉତ୍‌ଥାନ, ବାକ୍ସ-ବାକ୍‌ସ, ଗଡ୍ଡାଳିକା-ଗଡ଼୍‌ଡ଼ାଳିକା, ପ୍ରିନ୍ସିପାଲ-ପ୍ରିନ୍‌ସିପାଲ, ପ୍ଲାଷ୍ଟ-ପ୍ଲାଷ୍‌ଟର ପ୍ରଭୃତି । ତେବେ, ଏହି ବିକଳ୍ପ ବ୍ୟବସ୍ଥାଟିକୁ ଶବ୍ଦାରମ୍ଭରେ ଆସୁଥିବା ଦୁଇ ଚାରିଗୋଟି ଦ୍ୱିତଳ ଯୁକ୍ତାକ୍ଷର କ୍ଷେତ୍ରରେ ଗ୍ରହଣ କରାଯିବାରେ ଅସୁବିଧା ଅଛି । ଏହାଦ୍ୱାରା ପଠନଗତ ବିଭ୍ରାଟ ଉପୁଜିବା ସୁନିଶ୍ଚିତ । କାରଣ ‘ସ୍ଫୁରଣ’ ଓ ‘ସ୍ପଞ୍ଜ’କୁ ଯଥାକ୍ରମେ ‘ସ୍‌ଫୁରଣ’ ଓ ‘ସ୍‌ପଞ୍’ ରୂପେ ଲେଖିଲେ ଏହାକୁ ପଢ଼ିବା ଆଦୌ ସହଜ ହେବ ନାହିଁ । ତେବେ, ଏହି ବିକଳ୍ପ ବ୍ୟବସ୍ଥାଟିର ଉପଯୋଗ ମାଧ୍ୟମରେ ବିଦେଶୀ ଭାଷାରୁ ଆହରିତ ହେଉଥିବା ନୂଆ ନୂଆ ଯୁକ୍ତବ୍ୟଞ୍ଜକ ବର୍ଣ୍ଣଗୁଡ଼ିକୁ ଅଧିକ ଷ୍ପଷ୍ଟ, ସରଳ ତଥା ସହଜ ଭାବେ ପ୍ରକାଶ କରାଯାଇପାରୁଛି । ଯଥା-ଆଉନ୍‌ସ- ଆଉନ୍‌ସ, ପ୍ରୋଜେକ୍ଟ-ପ୍ରୋଜେକ୍‌ଟ, ଫାକ୍ସ-ଫାକ୍‌ସ, ସେପ୍ଟେମ୍ୱର-ସେପ୍‍ଟେମ୍ବର, ରେଜଲ୍ଟ-ରେଜଲ୍‌ଟ, ସସ୍ପେଣ୍ଡ-ସସ୍‌ପେଣ୍ଡ ପ୍ରଭୃତି । ଶେଷରେ ଏତିକି ମାତ୍ର କୁହାଯାଇପାରେ ଯେ, କମ୍ପ୍ୟୁଟର ପାଇଁ ଓଡ଼ିଆ ଯୁକ୍ତାକ୍ଷରଗୁଡ଼ିକର ଆବଶ୍ୟକ ସଂସ୍କାର ଭାଷାବିତ୍‌ମାନଙ୍କ ସମୂହ ଅନୁଚିନ୍ତନ ଓ ସହମତି ଭିତ୍ତିରେ କାର୍ଯ୍ୟକାରୀ ହେବା ଆବଶ୍ୟକ । ଏ ଦିଗରେ ଓଡ଼ିଆ ବନାନ ପ୍ରଣାଳୀକୁ ସମଧିକ ଗୁରୁତ୍ଵ ଦିଆଯିବା ଉଚିତ । ସର୍ବୋପରି ଓଡ଼ିଆ ଛାପାକାର୍ଯ୍ୟରେ ସମାନ ବର୍ଣ୍ଣବ୍ୟବସ୍ଥାର ପ୍ରଚଳନ ପାଇଁ ସ୍ପଷ୍ଟ ନୀତି ପ୍ରବର୍ତ୍ତିତ ହେବା ବାଞ୍ଛନୀୟ । ଯୁକ୍ତ-ବର୍ଣ୍ଣଗୁଡ଼ିକୁ କେଉଁ କେଉଁ ସ୍ଥଳରେ ଓ କେଉଁ କେଉଁ ଉପାୟରେ ସରଳୀକୃତ କରାଯିବା ଉଚିତ, ସେ ସଂପର୍କରେ ସ୍ପଷ୍ଟ ନୀତି ନିର୍ଦ୍ଧାରିତ ହେବା ଏକାନ୍ତ ଆବଶ୍ୟକ । ଓଡ଼ିଆ ଲିଖନ - ପ୍ରଣାଳୀ ବିଭିନ୍ନ ଅଣବିଶେଷଜ୍ଞଙ୍କ ହାତରେ ପଡ଼ି ଦିନକୁ ଦିନ ଯେପରି ବିକୃତ ହେବାରେ ଲାଗିଛି, ତାକୁ ଯଥାଶୀଘ୍ର ନିୟନ୍ତ୍ରଣ କରିବା ଦିଗରେ ବିହିତ ବ୍ୟବସ୍ଥା ଗ୍ରହଣ କରା ନ ଗଲେ, ଓଡ଼ିଆ ଲିପିମାଳାର ମୌଳିକତା ବା ମୌଳିକ-ଅସ୍ତିତ୍ୱ ସବୁଦିନ ପାଇଁ ଲୋପ ପାଇଯିବ । ଏ ଦିଗରେ ପ୍ରତ୍ୟେକ ସ୍ଵାଭିମାନୀ ଓଡ଼ିଆ ସତର୍କ ବିଚାରକରିବା ଆବଶ୍ୟକ ।

 

ଗଜପତି ନଗର, ପୁରୀ-୨

***

 

ଓଡ଼ିଆ ଅଳଙ୍କାର ଗ୍ରନ୍ଥ : ଏକ ଅନୁଶୀଳନ

ଡକ୍ଟର କୃଷ୍ଣଚନ୍ଦ୍ର ପ୍ରଧାନ

 

ଓଡ଼ିଶାରେ ରଚିତ ହୋଇଥିବା ଅଳଙ୍କାର ଗ୍ରନ୍ଥଗୁଡ଼ିକର ପରିମାଣ ଅତ୍ୟନ୍ତ ସ୍ଵଳ୍ପ । ପୁଣି ଏଗୁଡ଼ିକ ମଧ୍ୟରେ ନିଚ୍ଛକ ଅଳଙ୍କାରଶାସ୍ତ୍ର ଅତ୍ୟନ୍ତ ସୀମିତ । ଓଡ଼ିଶା ବା ଭାରତର ଯେ କୌଣସି ପ୍ରାଦେଶିକ ଭାଷାରେ ଯେଉଁ ଅଳଙ୍କାର ଗ୍ରନ୍ଥଗୁଡ଼ିକ ରଚନା କରାଯାଇଛି, ସେଗୁଡ଼ିକର ଆଦର୍ଶ ହୋଇଛି ସଂସ୍କୃତ ଅଳଙ୍କାର ଗ୍ରନ୍ଥ । ଅବଶ୍ୟ ସଂସ୍କୃତ ଅଳଙ୍କାର ଗ୍ରନ୍ଥ ବା ଶାସ୍ତ୍ରର ନିର୍ଦ୍ଦିଷ୍ଟ ଉଦ୍ଭବ ସମୟ ଏ ଯାବତ୍‌ ନିରୂପିତ ହୋଇପାରି ନଥିଲେ ମଧ୍ୟ କେତେକ ନାନ୍ଦିକେଶ୍ଵରଙ୍କୁ ପ୍ରଥମ ଆଳଙ୍କାରିକର ମର୍ଯ୍ୟାଦା ପ୍ରଦାନ କରିଥା’ନ୍ତି । ମାତ୍ର ତାଙ୍କର ନିର୍ଦ୍ଦିଷ୍ଟ ଗ୍ରନ୍ଥ ଏ ଯାବତ୍‌ ଉପଲବ୍ଧ ହୋଇପାରି ନ ଥିବାରୁ ନାଟ୍ୟଶାସ୍ତ୍ର ପ୍ରଣେତା ଆଚାର୍ଯ୍ୟ ଭରତଙ୍କୁ ଦଳମତ ନିର୍ବିଶେଷରେ ପ୍ରଥମ ଆଳଙ୍କାରିକ ଭାବେ ସ୍ୱୀକୃତି ପ୍ରଦାନ କରାଯାଇଛି । ଆଚାର୍ଯ୍ୟ ଭରତଙ୍କ ଆବିର୍ଭାବ ସମୟକୁ ନେଇ ପଣ୍ଡିତମାନଙ୍କ ମଧ୍ୟରେ ମତଦ୍ୱୈତ ପରିଲକ୍ଷିତ ହୋଇଥାଏ । ବିଭିନ୍ନ ଆଚାର୍ଯ୍ୟଙ୍କ ଭିନ୍ନ ଭିନ୍ନ ମତକୁ ବିଚାର କରି ଭରତଙ୍କ ଆବିର୍ଭାବ ସମୟ ଖ୍ରୀ:ପୂ: ୨ୟ ଶତକଠାରୁ ଖ୍ରୀ: ଅଷ୍ଟମ ଶତକ ମଧ୍ୟରେ ଅବସ୍ଥାପିତ କରାଯାଇପାରେ । ତାଙ୍କ ପରେ ଭାମହ, ଦଣ୍ଡୀ, ବାମନ, ରୁଦ୍ରଟ, ଆନନ୍ଦବର୍ଦ୍ଧନ, ଉଦ୍‌ଭଟ, ଅଭିନବ ଗୁପ୍ତ, କୁନ୍ତକ, କ୍ଷେମେନ୍ଦ୍ର ଭୋଜ, ମହିମଭଟ୍ଟ ଇତ୍ୟାଦି ଆଳଙ୍କାରିକଗଣ ବିଭିନ୍ନ ଦିଗରୁ ସଂସ୍କୃତ ଶାସ୍ତ୍ରକୁ ଉଭୟ ଗୁଣାତ୍ମକ ଓ ପରିମାଣାତ୍ମକ ଦିଗରୁ ସମୃଦ୍ଧ କରିଛନ୍ତି ।

 

‘‘ସଂସ୍କୃତ ଅଳଙ୍କାରଶାସ୍ତ୍ର ପରମ୍ପରାରେ ଓଡ଼ିଶାର ରହିଛି ଏକ ଉଲ୍ଲେଖଯୋଗ୍ୟ ଭୂମିକା । ତ୍ରୟୋଦଶ ଶତକରେ ଆବିର୍ଭାବ ଓଡ଼ିଆ ପଣ୍ଡିତ ବିଦ୍ୟାଧରଙ୍କ ଦ୍ଵାରା ରଚିତ ‘‘ଏକାବଳୀ’’ ହେଉଛି ଓଡ଼ିଶାରେ ରଚିତ ହୋଇଥିବା ଅଳଙ୍କାରଶାସ୍ତ୍ରମାନଙ୍କ ମଧ୍ୟରେ ସର୍ବପ୍ରାଚୀନ । ଏଥିରେ କାବ୍ୟର ସ୍ଵରୂପ, ଲକ୍ଷଣ, ଅଭିଧା, ଲକ୍ଷଣା, ବ୍ୟଞ୍ଜନା; ଧ୍ଵନି ଓ ତାର ଭେଦ; ଗୁଣ ଓ ରୀତି; ଦୋଷ ପ୍ରକରଣ ଏବଂ ଅଳଂକାର ସଂପର୍କରେ ବିସ୍ତୃତ ଆଲୋଚନା ରହିଛି । ବିଦ୍ୟାଧରଙ୍କ ପରେ ପଞ୍ଚଦଶ ଶତକରେ ଉତ୍କଳରେ ଜନ୍ମଲାଭ କରିଥିବା ବିଶ୍ଵନାଥ କବିରାଜଙ୍କ ‘ସାହିତ୍ୟ ଦର୍ପଣ’ ଭାରତୀୟ ଅଳଙ୍କାର ଶାସ୍ତ୍ର ଇତିହାସରେ ଏକ ସ୍ୱତନ୍ତ୍ର ଆସନ ଦାବି କରିଥାଏ । ଏଥିରେ କାବ୍ୟର ସ୍ଵରୂପଠାରୁ ଆରମ୍ଭ କରି ଦୋଷ-ଗୁଣ, ଅଳଙ୍କାର, ରୀତି, ଶବ୍ଦଶକ୍ତି, ରସ, ଧ୍ଵନି, ଅଳଙ୍କାର, ଗୁଣ, ଦୃଶ୍ୟକାବ୍ୟ ଆଦି ଅଳଙ୍କାର ଶାସ୍ତ୍ରର ସମସ୍ତ ବିଭାବ ସମ୍ପର୍କରେ ପାଣ୍ଡିତ୍ୟପୂର୍ଣ୍ଣ ଆଲୋଚନା ରହିଛି । ଏମାନଙ୍କ ପରେ ଚଣ୍ଡୀଦାସ, ରଘୁନାଥ ଦାସ, କୃଷ୍ଣମିଶ୍ର, ରାମଚନ୍ଦ୍ର ଖଡ଼ଗରାୟ, ଅନନ୍ତ ଦାସ, ଗୋପୀନାଥ ପାତ୍ର, ଗୋପୀନାଥ ମିଶ୍ର, ଲୋକନାଥ ତ୍ରିପାଠୀ, ପଣ୍ଡିତରାଜ ଜଗନ୍ନାଥ, ଜଗନ୍ନାଥ ନାରାୟଣ ଦେବ ଆଦିଙ୍କ ନାମ ବିଶେଷ ଭାବରେ ଉଲ୍ଲେଖଯୋଗ୍ୟ । ଅବଶ୍ୟ ଉପରୋକ୍ତ ଆଳଙ୍କାରିକମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଟୀକାଗ୍ରନ୍ଥ ରଚୟିତା ।

 

ତ୍ରୟୋଦଶ ଶତକରୁ ଓଡ଼ିଶାରେ ସଂସ୍କୃତ ଭାଷାରେ ଅଳଙ୍କାର ଗ୍ରନ୍ଥ ରଚନାର ପରମ୍ପରା ପରିଲକ୍ଷିତ ହୋଇଥିଲେ ହେଁ ଓଡ଼ିଆ ଭାଷାରେ ଏହି ପରମ୍ପରା ଆରମ୍ଭ ହୋଇଛି ଷୋଡ଼ଶ ଶତକରେ । ଏହି ଶତକରେ କବି ନରସିଂହ ସେଣ ‘ଢଗ ମୁକୁତାବଳୀ’ ରଚନା କରି ଏହାର ମୂଳଭିତ୍ତି ସ୍ଥାପନ କରିଛନ୍ତି । ନରସିଂହ ସେଣଙ୍କ ପରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ‘ରସପଞ୍ଚକ’, ‘ରସ ମଞ୍ଜରୀ’, ‘ଚିତ୍ରକାବ୍ୟ ବନ୍ଧୋଦୟ’, ‘ଲୋକନାଥ ବିଦ୍ୟାଧର’, ‘ପ୍ରେମାଳଙ୍କାର’; ପୀତାମ୍ବର ଅଗ୍ରଦେବ ‘ଅଖିଳ ରସ ଚିନ୍ତାମଣି’: ‘ଯଦୁମଣି ରାଉତରାୟ’, ‘କବି-କଳ୍ପଦ୍ରୁମ’; ଗଦାଧର ନାରାୟଣ ଭଞ୍ଜ ‘ରସ ମୁକ୍ତାବଳୀ’, ସାର ବାସୁଦେବ ସୁଢ଼ଳଦେବ ‘ଅଳଙ୍କାର ବୋଧୋଦୟ’ ରାଜକବି ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ ‘ଅଳଙ୍କାର ସାର’ ଆଦି ରଚନା କରି ଏହି ପରମ୍ପରାକୁ ସମୃଦ୍ଧ କରିଛନ୍ତି-। ଏହା ମଧ୍ୟରୁ ଅଧିକାଂଶ ଗୀତ ବା କବିତା ଶୈଳୀରେ ରଚିତ ହୋଇଥିବା ବେଳେ ଅଳ୍ପ କେତୋଟି ଗଦ୍ୟରେ ରଚିତ । ସାର୍‌ ବାସୁଦେବ ସୁଢ଼ଳଦେବ ଓ ତାଙ୍କର ସୁଯୋଗ୍ୟପୁତ୍ର ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କ ଗ୍ରନ୍ଥଦ୍ୱୟ ଗଦ୍ୟରେ ରଚିତ ହୋଇଛି; ଯଦିଓ ଏଥିରେ ପ୍ରଦତ୍ତ ଉଦାହରଣଗୁଡ଼ିକ କବିତା ।

 

ଓଡ଼ିଆ ଭାଷାରେ କାବ୍ୟଶୈଳୀରେ ରଚିତ ପ୍ରଥମ ଅଳଙ୍କାରଗ୍ରନ୍ଥ ହେଉଛି କବି ନରସିଂହ ସେଣକୃତ ‘ଢଗମୁକୁତାବଳୀ’ । ରଚନାର ଭାଷା ଓ ଭାବ ଦୃଷ୍ଟିରୁ ଏହା ଷୋଡ଼ଶ ଶତକର ପ୍ରଥମ ଭାଗର ରଚନା ବୋଲି ଅନୁମିତ ହୋଇଥାଏ । ନରସିଂହ ସେଣଙ୍କ ପୂର୍ବରୁ ଓଡ଼ିଆ ଭାଷାରେ କୌଣସି ଅଳଙ୍କାରଗ୍ରନ୍ଥ ରଚିତ ହୋଇଥିବାର ପ୍ରମାଣ ମିଳୁନଥିବାରୁ ଏହାକୁ ଓଡ଼ିଆ ଭାଷାର ପ୍ରଥମ ଅଳଙ୍କାର ଗ୍ରନ୍ଥର ମର୍ଯ୍ୟାଦା ପ୍ରଦାନ କରାଯାଇପାରେ । ‘ଢଗ ମୁକୁତାବଳୀ’ ଗ୍ରନ୍ଥର ‘ଢଗ’ ଶବ୍ଦଟି ‘ଛନ୍ଦ’ ଅର୍ଥରେ ବ୍ୟବହୃତ ହୋଇଥିବା ବିଷୟ ଏହାର ସଂପାଦିକା ଡଃ. ବିଜୟଲକ୍ଷ୍ମୀ ସ୍ଵାଇଁ ଅନୁମାନ କରିଛନ୍ତି । ଏହି ଗ୍ରନ୍ଥଟିରେ ସମୁଦାୟ ସତରଗୋଟି ପଞ୍ଚକ ରହିଛି । ଏହି ପଞ୍ଚକଗୁଡ଼ିକର ନାମ ହେଉଛି-ଗୁଆଂରୀ, ନାଏକ, ନାଏକା, କାମ, ଚତୁରୀ, ରୋଷ, ପ୍ରକୃତି, ବିରହ, ଅନୁରାଗ, ଉପଦେଶ, ସଖୀ ପ୍ରବୋଧ, ବୟସସନ୍ଧି, ବାଳା, ଲୀଳା, ଉଦ୍ଦୀପନ, ପ୍ରୌଢ଼ା, ସମ୍ଭୋଗ ଇତ୍ୟାଦି । ବୋଧହୁଏ ପ୍ରତ୍ୟେକଟି ପଞ୍ଚକ ପାଞ୍ଚଗୋଟି ପଦବିଶିଷ୍ଟ (ଏକମାତ୍ର ପ୍ରକୃତି ପଞ୍ଚକଟି ଛଅପାଦ ବିଶିଷ୍ଟ) ହୋଇଥିବାରୁ ପ୍ରତ୍ୟେକ ଶିରୋନାମା ଶେଷରେ ‘ପଞ୍ଚକ’ ଶବ୍ଦ ବ୍ୟବହୃତ ହୋଇଛି । ମୁଖବନ୍ଧର ଗୋଟିଏ ପଦକୁ ମିଶାଇଲେ ଗ୍ରନ୍ଥଟିର ସମୁଦାୟ ପଦସଂଖ୍ୟା ସତାଅଶୀ । ଅଳଙ୍କାର ଶାସ୍ତ୍ରର ବିଭିନ୍ନ ଦିଗ ସମ୍ବନ୍ଧରେ ଏଥିରେ ଦୃଷ୍ଟାନ୍ତମୂଳକ ଆଲୋଚନା ରହିଛି । ମୁଖ୍ୟତଃ ରସ, ରସର ବିଭିନ୍ନ ବିଭାବ, ନାୟକ-ନାୟିକା ଭେଦ, ରୀତି-ଗୁଣ, ଧ୍ଵନି, ବକ୍ରୋକ୍ତି, ଶବ୍ଦଶକ୍ତି ଓ ଅଳଙ୍କାର ଆଦି ସମ୍ବନ୍ଧରେ ଏଥିରେ ରହିଛି ଚମତ୍କାର ଆଲୋଚନା ।

 

‘ରସ’ ଆଲୋଚନା ସମୟରେ ଅଳଙ୍କାର ଶାସ୍ତ୍ରମାନଙ୍କରେ ଶୃଙ୍ଗାର ରସକୁ ସର୍ବଶ୍ରେଷ୍ଠ ରସଭାବରେ ଗ୍ରହଣ କରାଯାଇଥାଏ । ନରସିଂହ ସେଣ ଏହି ଗ୍ରନ୍ଥରେ ‘ଶୃଙ୍ଗାର’ ଶବ୍ଦର ବ୍ୟବହାର କରିନଥିଲେ ହେଁ ବିଭିନ୍ନ ଭାବର ବିଚାରବେଳେ ସେ କାମ, ରତି, ସୁରତି ଆଦି ଶବ୍ଦର ଯେପରି ବାରମ୍ବାର ବ୍ୟବହାର କରିଛନ୍ତି, ସେଥିରୁ ସେ ମଧ୍ୟ ଶୃଙ୍ଗାରରସକୁ ପ୍ରମୁଖ ରସ ଭାବେ ଗ୍ରହଣ କରିଥିବା ଅନୁମାନ କରାଯାଇପାରେ । ଶୃଙ୍ଗାର ରସର ସ୍ଥାୟୀଭାବ ‘ରତି’ ହୋଇଥିବାରୁ ‘ଶୃଙ୍ଗାର ରସ’ ପରିବର୍ତ୍ତେ ‘ରତିରସ’ ଶବ୍ଦର ବ୍ୟବହାର କରିଛନ୍ତି । ଯେପରି-

 

‘‘ରତି ରସରେ ଚିତ୍ତ ଥିର ହୋଏ ପରମ ଆନନ୍ଦ ଜାତ ।’’ (ରୋଷ ପଞ୍ଚକ)

 

ଅଳଙ୍କାର ଶାସ୍ତ୍ରରେ ନାୟିକା ପ୍ରକରଣ ଏକ ପ୍ରମୁଖ ବିଭାଗ । କାମଶାସ୍ତ୍ର ଓ ବୈଷ୍ଣବ ଶାସ୍ତ୍ରମାନଙ୍କରେ ମଧ୍ୟ ନାୟିକା ପ୍ରକରଣର ଗୁରୁତ୍ୱ ସ୍ଵୀକୃତ । ନରସିଂହ ସେଣ ‘ଢଗ ମୁକୁତାବଳୀ’ର ବିଭିନ୍ନ ପଞ୍ଚକମାନଙ୍କର ଯେଉଁ ନାମକରଣ କରିଛନ୍ତି, ସେଥିରୁ ନାୟିକାମାନଙ୍କର ମହତ୍ତ୍ୱ ସ୍ଵତଃ ଉପଲବ୍ଧ ହୋଇଥାଏ । ଗୁଆଂରୀ ପଞ୍ଚକ, ନାଏକା ପଞ୍ଚକ, ବାଳାପଞ୍ଚକ, ପ୍ରୌଢ଼ା ପଞ୍ଚକ ଇତ୍ୟାଦିର ନାମକରଣ ମଧ୍ୟରେ ନାୟିକାଙ୍କର ଗୁରୁତ୍ୱ ପ୍ରମାଣିତ । ସେ ଜାତି, କର୍ମ, ଗୁଣ ଓ ଅବସ୍ଥାନୁଯାୟୀ ନାୟିକା ବିଭାଜନ କରିଛନ୍ତି । ପଦ୍ମିନୀ ନାୟିକା ସମ୍ପର୍କରେ ସେ ପ୍ରକୃତି ପଞ୍ଚକରେ ସୂଚନା ଦେଇ କହିଛନ୍ତି- ‘‘ପଦ୍ମିନୀ ଯୁବତୀ ନ ପାଇବା ଯାକେ ଚିତ୍ତ ସେ କାତର ହୋଇ ।’’ କର୍ମ ଆଧାରରେ ନାୟିକା ସ୍ୱକୀୟା, ପରକୀୟା ଓ ସାଧାରଣୀ-ଏହିପରି ତିନିଭାଗରେ ବିଭକ୍ତ । ନରସିଂହ ସେଣଙ୍କ ‘ଢଗ ମୁକୁତାବଳୀ’ରେ ଏହି ତିନିପ୍ରକାର ନାୟିକାଙ୍କ ସମ୍ବନ୍ଧରେ ସୂଚନା ରହିଛି । ସ୍ଵୀୟା ନାୟିକା ପୁଣି ମୁଗ୍‌ଧା, ମଧ୍ୟା, ପ୍ରଗଳଭା ଭେଦରେ ତିବ୍ରିଧ । ଅବସ୍ଥା ଭେଦରେ ନାୟିକାକୁ ବାସକସଜ୍ଜା, ଅଭିସାରିକା, ବିରହୋତ୍କଣ୍ଠିତା, ସ୍ୱାଧୀନପତିକା, ବିପ୍ରଲବ୍ଧା, କଳହାନ୍ତରିତା, ଖଣ୍ଡିତା, ପ୍ରେଷିତଭର୍ତ୍ତୃକା ଭେଦରେ ଆଠଭାଗରେ ବିଭକ୍ତ କରାଯାଇଥାଏ । ବିଭିନ୍ନ ପଞ୍ଚକରେ କବି ଯେଉଁ ଉଦାହରଣମାନ ଦେଇଛନ୍ତି, ସେଥିରୁ ଉପରୋକ୍ତ ଅଷ୍ଟବିଧ ନାୟିକାଙ୍କ ସମ୍ପର୍କରେ ପରିଚୟ ମିଳିଥାଏ । ବାସକସଜ୍ଜା ନାୟିକା ସଂପର୍କରେ ଗୋଟିଏ ଉଦାହରଣ ‘ଅନୁରାଗ ପଞ୍ଚକ’ରୁ ଗ୍ରହଣ କରାଯାଇପାରେ । ଯଥା-

 

ତାହାକୁ ଦେଖି ବିରସ ବାମା ବେଗେଣ ଶେଯ ପକାଇ

ଘନଘନ କରି ନିଶ୍ୱାସ ଛାଡ଼ି ଚକ୍ଷୁରେ ଲୁହ ପୂରୋଇ

 

ସେହିପରି ‘ପ୍ରୌଢ଼ା ପଞ୍ଚକ’ରେ ସ୍ଵାଧୀନ ପତିକା ବା ସ୍ଵାଧୀନ ଭର୍ତ୍ତୃକା ନାୟିକାର ସୁନ୍ଦର ଉଦାହରଣ ଦେଖିବାକୁ ମିଳିଥାଏ । ‘ସାହିତ୍ୟ ଦର୍ପଣ’ରେ ବିଶ୍ଵନାଥ କବିରାଜ ସ୍ୱାଧୀନଭର୍ତ୍ତୃକା ନାୟିକାର ଲକ୍ଷଣ ନିର୍ଦ୍ଦେଶରେ କହିଛନ୍ତି-

 

କାନ୍ତୋରତି ଗୁଣାକୃଷ୍ଟୋ ନ ଜହାତି ଯଦନ୍ତିକମ

ବିଚିତ୍ରବିଭ୍ରମାସକ୍ତା ସା ସ୍ୟାତ୍‌ ସ୍ଵାଧୀନଭର୍ତ୍ତୃକା

(୩ୟ ପରିଚ୍ଛେଦ)

 

ଅର୍ଥାତ୍‌ ଯେଉଁ ନାୟିକାର ରତି ସୁଖରେ ଆକୃଷ୍ଟ ହୋଇ ତା’ର ପ୍ରିୟ କୌଣସି ମୁହୂର୍ତ୍ତରେ ପାଖଛଡ଼ା ହୁଏ ନାହିଁ, ସେହି ପ୍ରକାର ନାୟିକାକୁ ସ୍ୱାଧୀନ ଭର୍ତ୍ତୃକା କୁହାଯାଇଥାଏ । ‘ଉଜ୍ଜ୍ୱଳ ନୀଳମଣି’ରେ ମଧ୍ୟ ରୂପଗୋସ୍ୱାମୀ ସ୍ୱାଧୀନ ଭର୍ତ୍ତୃକା ନାୟିକା ସମ୍ବନ୍ଧରେ ଠିକ୍‌ ତାହା ହଁ କହିଥାନ୍ତି-

 

‘ସ୍ଵାୟତ୍ତାସନ୍ନିଦୟିତା ଭବେତ୍‌ ସ୍ୱାଧୀନ ଭର୍ତ୍ତୃକା’

 

ଅର୍ଥାତ୍‌ ଯେଉଁ ନାୟିକାର ଅଧୀନ ହୋଇ କାନ୍ତ ସର୍ବଦା ତା’ ନିକଟରେ ଅବସ୍ଥାନ କରିଥାଏ, ତାହାକୁ ସ୍ଵାଧୀନଭର୍ତ୍ତୃକା କୁହାଯାଏ । ଅନୁରୂପ ଭାବରେ ନରସିଂହ ସେଣ ଏହି ନାୟିକାର ଲକ୍ଷଣ ନିର୍ଦ୍ଦେଶ କରି ‘ପ୍ରୌଢ଼ା ପଞ୍ଚକ’ରେ ଲେଖିଛନ୍ତି-

 

‘‘କାନ୍ତକୁ ଯେସନେ ବଶ କରିପାରି ଏସନ ସଂସାର ରୀତି

କୁଚ କଠିଣ ଦେହ କୋମଳେ ବଶ୍ୟ କରନ୍ତି ଯୁବତୀ ।’’

 

‘ଢଗ ମୁକୁତାବଳୀ’ ଗ୍ରନ୍ଥଟି ବୈଦର୍ଭୀ ରୀତିରେ ରଚିତ ହୋଇଥିବାର ଲକ୍ଷ୍ୟ କରାଯାଇଥାଏ । ‘ସାହିତ୍ୟ ଦର୍ପଣ’ରେ ବୈଦର୍ଭୀ ରୀତି ସଂପର୍କରେ ସୂଚନା ଦିଆଯାଇ କୁହାଯାଇଛି-

 

ମାଧୁର୍ଯ୍ୟ ବ୍ୟଞ୍ଜକୈଃ ବର୍ଣ୍ଣେ ରଚନା ଲଳିତାତ୍ମିକା

ଆବୃତ୍ତିରଳ୍ପବୃତ୍ତିକା ବୈଦର୍ଭୀ ରୀତିରୀଷ୍ୟତେ

 

ଅର୍ଥାତ୍‌ ମାଧୁର୍ଯ୍ୟବ୍ୟଞ୍ଜକ ବର୍ଣ୍ଣମାନଙ୍କ ଦ୍ଵାରା ସମାସହୀନ ବା ଅଳ୍ପ ସମାସଯୁକ୍ତ ରଚନାକୁ ବୈଦର୍ଭୀ ରୀତି କୁହାଯାଇଥାଏ । ‘ଢଗ ମୁକୁତାବଳୀ’ ସଂଯୁକ୍ତ ପଦାବଳୀ ଅନେକତ୍ର ସମାସହୀନ କିମ୍ବା ଅଳ୍ପସମାସଯୁକ୍ତ ଏବଂ ମାଧୁର୍ଯ୍ୟବ୍ୟଞ୍ଜକ ବର୍ଣ୍ଣ ସୁଶୋଭିତ । ଏଠାରେ ବୈଦର୍ତ୍ତୀ ରୀତିର ଗୋଟିଏ ଉଦାହରଣ ପ୍ରଦତ୍ତ କରାଯାଇପାରେ-

 

ଅତି କଠିନ ଭଲ ନୁହଇ ଅତି ହିଁ କୋମଳ ମନ୍ଦ

ଚତୁର ପୁରୁଷ ହୃଦୟ ଜାଣିମା ଘେନିଥିବ ଦୁଇଛନ୍ଦ

କାନ୍ତକୁ ଯେସନେ ବଶ କରିପାରି ଏସନ ସଂସାର ରୀତି

କୁଚ କଠିଣ ଦେହ କୋମଳେ ବଶ୍ୟକରନ୍ତି ଯୁବତୀ ।

(ପ୍ରୌଢ଼ପଞ୍ଚକ-୩)

 

ଗୁଣ ଦୃଷ୍ଟିରୁ ବିଚାର କଲେ ନରସିଂହ ସେଣ ମାଧୁର୍ଯ୍ୟ ଓ ପ୍ରସାଦ ଗୁଣ ଉପରେ ଗୁରୁତ୍ଵପ୍ରଦାନ କରିଥିବା ଲକ୍ଷ୍ୟ କରାଯାଏ । ପ୍ରସାଦଗୁଣର ଉଦାହରଣଟିଏ ଏଠାରେ ଉଦ୍ଧାର କରାଯାଇପାରେ-

 

‘କାମ ସଦନେ କରସ୍ଥଳ ଥିବ ଆର କର କୁଚ ଭାରେ

ଜଳ ଭିତରୁ ଉଠି ଆସୁଥିବ ପୀଡ଼ିତ ମଦନ ଶରେ

ଚକିତ ହରିଣୀ ସମନୟନରେ ଚାହୁଁଥିବ ଚାରୁବାଳା

ଏମନ୍ତ ବାଳାକୁ ଲୁଚିଣ ଦେଖିବ ହୋଇବ ସୁଫଳ ଡୋଳା’

(ଉଦ୍ଦୀପନ ପଞ୍ଚକ-୨)

 

ଏହି ଗ୍ରନ୍ଥରେ ପ୍ରଦତ୍ତ ବିଭିନ୍ନ ଉଦାହରଣରୁ ଧ୍ଵନି, ବକ୍ରୋକ୍ତି ତଥା ବିଭିନ୍ନ ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାରର ପରିଚୟ ମିଳିଥାଏ । ଏତଦ୍‌ବ୍ୟତୀତ ଶବ୍ଦଶକ୍ତି ପର୍ଯ୍ୟାୟରେ ଏଥିରେ ଅଭିଧା, ଲକ୍ଷଣା ଓ ବ୍ୟଞ୍ଜନାର ଚମତ୍କାର ଉଦାହରଣମାନ ଉପଲବ୍‌ଧ ହୋଇଥାଏ । ଯେଉଁ ଶକ୍ତିଦ୍ଵାରା ଶବ୍ଦର ସାଙ୍କେତିକ ଅର୍ଥର ଅବବୋଧ ଘଟିଥାଏ, ତାହାକୁ ଅଭିଧା କୁହାଯାଏ । ଯଥା-

 

ବିନୟ ବଚନ ନ ଶୁଣଇ ଡାକେ ଠାରିଲେ ଚାହଁଇ ନାହିଁ

ଚରଣେ ପଡ଼ିଲେ ଉପହାସ କରଇ କହେ ଜଗତ ବସାଇ ।

(ଗୁଆଂରୀ ପଞ୍ଚକ-୩)

 

ଏହି ଉଦାହରଣରେ ଜଣେ ଗୁଆଂରୀ ବା ଅଧମା ନାୟିକାର ମାନ ପ୍ରକାଶିତ- ଏହି ଅଭିଧାର୍ଥ ପ୍ରକାଶିତ । ଯେଉଁଠି ଅଭିଧାର୍ଥ ସଂଗତ ନ ହେଲେ, ରୂଢ଼ି ଓ ପ୍ରୟୋଜନ ଅନୁସାରେ ଯେଉଁ ଶକ୍ତିଦ୍ୱାରା ଅନ୍ୟ ଅର୍ଥ ଗ୍ରହଣ କରାଯାଏ, ତାହାକୁ ଲକ୍ଷଣା କୁହାଯାଏ । ଯଥା:

 

ମଧୁକର ଦେଖି ସେ ପୁଣ ବୋଲଇ ନାଏକକୁ ଶୁଣାଇ

ମଧୁପାନ ଯାୟେ ସବୁ କହୁଥାଅ ତୁମ୍ଭଙ୍କୁ ବିଶ୍ଵାସ ନାହିଁ

ମାଳତୀ ମଧୁ ଶୁଖି ନ ଥାଇ ଯାଇଣ ରମେ କି ଖାଇ

ତୁମ୍ଭଙ୍କୁ ରମଇ ଯେଉଁ କୁସୁମ ସେ ବେଗ ହୋଇ ମରଇ ।’’

(ଅନୁରାଗ ପଞ୍ଚକ-୪)

 

ଏଠାରେ ଅଭିଧାର୍ଥ ପ୍ରକୃତ ଅର୍ଥ ପ୍ରକାଶରେ ଅସମର୍ଥ ହେବାରୁ ଲକ୍ଷଣା ପ୍ରୟୋଗରେ ପ୍ରକୃତ ଅର୍ଥ ପ୍ରକାଶ ପାଇଛି । ଏଠାରେ ଏକ ଶଠ ନାୟକର ଚରିତ୍ର ସଂପର୍କରେ କୁହାଯାଇଛି, ଯିଏ ଭ୍ରମର ପରି ଗୋଟିଏ ନାୟିକାଠାରୁ ରସ ଶୋଷଣ କରୁଥିବା ପର୍ଯ୍ୟନ୍ତ ରହିଥାଏ ଓ ପରେ ପରେ ଅନ୍ୟ ନାୟିକାପାଖକୁ ଚାଲି ଯାଇଥାଏ । ସେହିପରି ଯେଉଁଠି ଅଭିଧା ଓ ଲକ୍ଷଣା ପ୍ରକୃତ ଅର୍ଥ ପ୍ରକାଶରେ ଅସମର୍ଥ ହୁଅନ୍ତି, ସେଠାରେ ବ୍ୟଞ୍ଜନାର ପ୍ରୟୋଗ କରାଯାଇ ପ୍ରକୃତ ଅର୍ଥ ବାହାର କରାଯାଇଥାଏ । ଯଥା-

 

ପନ୍ଥେ ଏକ ରାମା ଦେଖିଲି ମିତ ରୂପେଣ ଜଗତ ମୋହେ

ସଖୀର ଆଗେ ଏସନ କହି ଈଷିତ ଅପାଙ୍ଗେ ଚାହେଁ

ମୋହର ପତି ଚନ୍ଦ୍ର ଯେସନ ପଦ୍ମଲୋଚନୀ ମୋ ଶାଶୁ

ଏହା ନ ଜାଣଇ ଯେବଣ ଗୁଆଂରୀ କେତେ ମଣାଇବି ପଶୁ ।

(ଚତୁରୀ ପଞ୍ଚକ-୨)

 

ଏଠାରେ ପତିକୁ ଚନ୍ଦ୍ର କହିବା ଦ୍ଵାରା ପତି ଚନ୍ଦ୍ରପରି କ୍ଷୟରୋଗଗ୍ରସ୍ତ କିମ୍ବା ଅନ୍ୟ ନାରୀ ପ୍ରତି ଆସକ୍ତ ଓ ଶାଶୁଙ୍କୁ ପଦ୍ମଲୋଚନୀ କହିବା ଦ୍ଵାରା ସେ ଅନ୍ଧୁଣୀ ବୋଲି ଅର୍ଥ ପ୍ରକାଶିତ ହେଉଛି । ଏଣୁ ଉପପତି ବିନା ଦ୍ୱିଧାରେ ତା’ ସହିତ ରତିକ୍ରୀଡ଼ା କରିବାରେ କୌଣସି ଅସୁବିଧା ନାହଁ ବୋଲି ନାରୀଟି ବ୍ୟଞ୍ଜନାରେ ପ୍ରକାଶ କରିଛି ।

 

‘ଢଗ ମୁକୁତାବଳୀ’ ଓଡ଼ିଆ ଭାଷାରେ ପ୍ରଥମ ଅଳଙ୍କାର ଗ୍ରନ୍ଥ ହୋଇଥିବାରୁ ଏଥିରେ କେତେକ ତ୍ରୁଟିବିଚ୍ୟୁତି ପରିଲକ୍ଷିତ ହୋଇଥାଏ । ଏହା ସତ୍ତ୍ୱେ ପରବର୍ତ୍ତୀ ଓଡ଼ିଆ ଅଳଙ୍କାର ଗ୍ରନ୍ଥ ରଚନାରେ ଏହା ଯେ ମାର୍ଗ ପ୍ରଦର୍ଶକର ଭୂମିକା ଗ୍ରହଣ କରିଛି, ଅସ୍ୱୀକାର କରାଯାଇନପାରେ ।

 

କବି ଯଦୁମଣି ରାଉତରାୟ ଚିକିଟି ରାଜବଂଶର ସୁନାମଧନ୍ୟ ରାଜା ଓ କବି । ତାଙ୍କ ରାଜତ୍ୱକାଳ ସଂପର୍କରେ ଭିନ୍ନ ଭିନ୍ନ ମତ ପରିଲକ୍ଷିତ ହେଲେ ହେଁ, ସେ ଯେ ସପ୍ତଦଶ ଶତକର ବ୍ୟକ୍ତି, ଏହା ନିର୍ବିବାଦରେ ସତ୍ୟ । ତାଙ୍କ ଦ୍ଵାରା ରଚିତ ‘କବି କଳ୍ପଦ୍ରୁମ’ ଓଡ଼ିଆ ଭାଷାରେ ରଚିତ ଓଡ଼ିଆ ଅଳଙ୍କାର ଶାସ୍ତ୍ରର ଅନନ୍ୟ ମୌଳିକ ସୂତ୍ରଗ୍ରନ୍ଥ । ଗ୍ରନ୍ଥଟି ସମୁଦାୟ ଆଠଗୋଟି ପ୍ରକାଣ୍ଡରେ ବିଭକ୍ତ । ଏହି ଗ୍ରନ୍ଥ ରଚନାରେ ସେ ବିଭିନ୍ନ ସଂସ୍କୃତ ଅଳଙ୍କାର ଶାସ୍ତ୍ରର ସହାୟତା ଗ୍ରହଣ କରିଥିଲେ ହେଁ, ମୁଖ୍ୟତଃ ବିଶ୍ଵନାଥ କବିରାଜଙ୍କ ‘ସାହିତ୍ୟ ଦର୍ପଣ’ ନିକଟରେ ବହୁ ପରିମାଣରେ ଋଣୀ । ‘କବି କଳ୍ପଦ୍ରୁମ’ର ପ୍ରଥମ ପ୍ରକାଣ୍ଡର ୩୧୦ଟି ପଦରେ କାବ୍ୟର ସ୍ଵରୂପ, କାବ୍ୟଭେଦ, କାବ୍ୟବୃତ୍ତି, ନବରସ, ନାୟକ-ନାୟିକା ଭେଦ ଆଦି ସଂପର୍କରେ ଆଲୋଚନା କରାଯାଇଛି । କାବ୍ୟର ପରିଭାଷା ଦେଇ ସେ କୁହନ୍ତି-

 

‘‘ରସବନ୍ତ ଗୁଣରୀତି ଅଳଙ୍କାର ଯୁତ

ଦୋଷରେ ରହିତ କାବ୍ୟ ଯେ ସେ କାବ୍ୟ ମତ ଯେ

କାବ୍ୟରସବନ୍ତ ହୋଇ ବ୍ୟଞ୍ଜକ ସମ୍ବନ୍ଧେ

ଯଦ୍ୟପି ଆତ୍ମା ସେ ରସ ତଥା ଜାଣ ବୁଧେ ଯେ ।’’(୧/୮-୯)

 

ବାକ୍ୟର ଲକ୍ଷଣ ସମ୍ବନ୍ଧରେ ତାଙ୍କର ଅଭିମତ ‘ସାହିତ୍ୟ ଦର୍ପଣ’ ଅନୁରୂପ । ‘ସାହିତ୍ୟ ଦର୍ପଣ’ରେ ବିଶ୍ଵନାଥ ବାକ୍ୟର ଲକ୍ଷଣ ବିଷୟରେ ଲେଖୁଛନ୍ତି-

 

‘ବାକ୍ୟଂସ୍ୟାଦ ଯୋଗ୍ୟତାକାଙ୍‌କ୍ଷାସଭିଯୁକ୍ତଃ ପଦୋଚ୍ଚୟଃ

ବାକ୍ୟୋଚ୍ଚୟୋ ମହାବାକ୍ୟ ମିତ୍‌ଥଂ ବାକ୍ୟଂ ଦ୍ୱିଧାମତମ୍‌ ! (୨/୧)

 

ଅନୁରୂପ ଭାବେ ଯଦୁମଣି କୁହନ୍ତି :

ଆକାଂକ୍ଷା ଯୋଗ୍ୟତା ଆସତ୍ତିରେ ଯୁକ୍ତ ହୋଇ ।

ଯେ ପଦ ସମୂହ ତାକୁ ବାକ୍ୟ ବୋଲି କହି । (୧/୩୧)

 

ସଂସ୍କୃତ ଅଳଙ୍କାର ଶାସ୍ତ୍ର ସମ୍ମତ ଅଭିଧା, ଲକ୍ଷଣା ଓ ବ୍ୟଞ୍ଜନାକୁ ସେ ଶବ୍ଦବୃତ୍ତି ରୂପେ ଗ୍ରହଣ କରିବା ସଂଗେ ସଂଗେ ଏହାର ଲକ୍ଷଣ ଓ ବଞ୍ଜନା ଭେଦ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଛନ୍ତି । ଶବ୍ଦବୃତ୍ତିର ସଂଜ୍ଞା ନିର୍ଣ୍ଣୟ କରି ସେ କୁହନ୍ତି-

 

ଅଭିଧା ଲକ୍ଷଣା ବଞ୍ଜନା ଏ ତିନିବୃତ୍ତି

ଶବ୍ଦର ଅର୍ଥ ବୋଧନେ ସହାୟ ହୁଅନ୍ତି । (୧/୧୩)

 

ଏତଦ୍‌ବ୍ୟତୀତ ରସର ପରିଭାଷା ପ୍ରସଙ୍ଗରେ ସେ ଭରତଙ୍କ ରସସୂତ୍ରର ବିଭିନ୍ନ ଦିଗକୁ ଗ୍ରହଣ ପୂର୍ବକ ସ୍ଥାୟୀଭାବ, ବିଭାବ, ଅନୁଭାବ ଓ ସଞ୍ଚାରୀ ଭାବ ସଂପର୍କରେ ଆଲୋଚନା କରିଛନ୍ତି । ପୁଣି ସ୍ଥାୟୀଭାବରେ ଭେଦ; ଆଲମ୍ବନ- ଉଦ୍ଦୀପନ ଓ ଅନୁଭାବର ଲକ୍ଷଣ ତଥା ବିଭିନ୍ନ ଦିଗ ଏବଂ ବ୍ୟଭିଚାରୀ ଭାବର ୩୩ ଭେଦ ଓ ଲକ୍ଷଣ ସମ୍ବନ୍ଧରେ ଚମତ୍କାର ଆଲୋଚନା କରିଛନ୍ତି । ଏହା ଛଡ଼ା ଅଷ୍ଟସାତ୍ତ୍ୱିକ ଭାବ, ଶୃଙ୍ଗାର ଲକ୍ଷଣ ଓ ତାର ଭେଦ; ଦଶ କାମଦଶା, ମାନର ବିଭିନ୍ନ ଲକ୍ଷଣ ଭେଦ ଓ ମାନଭଙ୍ଗ ଉପାୟ ଆଦି ସମ୍ପର୍କରେ ବିସ୍ତାରିତ ଆଲୋଚନା କରିଛନ୍ତି । ନାୟକର ଲକ୍ଷଣ ଓ ଭେଦ ବିଷୟରେ ଆଲୋଚନା ବେଳେ ସଂସ୍କୃତ ଅଳଙ୍କାର ଶାସ୍ତ୍ର ଅନୁସରଣରେ ନାୟକକୁ ଧୀରୋଦାତ୍ତ, ଧୀରୋଦ୍ଧତ, ଧୀରଶାନ୍ତ । ଧୀରଲଳିତ ରୂପେ ବିଭାଗୀକରଣ କରି ପୁଣି ଅନ୍ୟତ୍ର ଏହାର ଅନ୍ୟତମ ଭେଦ ଦକ୍ଷିଣ, ଅନୁକୂଳ, ଧୃଷ୍ଟ ଓ ଶଠ ସମ୍ପର୍କରେ ସୂଚନା ଦେଇଛନ୍ତି ।

 

ନାୟିକାର ଲକ୍ଷଣ ଓ ଭେଦରେ ସେ ‘ସାହିତ୍ୟ ଦର୍ପଣ’ର ପଥ ଅନୁସରଣ କରିଛନ୍ତି । ପ୍ରଥମେ ନାୟିକାକୁ ସ୍ଵକୀୟା, ପରକୀୟା ଓ ସାମାନ୍ୟା ରୂପେ ତିନି ଭାଗରେ ବିଭକ୍ତ କରି ତା’ର ବିଭିନ୍ନ ଉପବିଭାଗ ବିଷୟରେ ସୂଚନା ଦେଇଛନ୍ତି । ସ୍ଵକୀୟାକୁ ମୁଗ୍‌ଧା, ମଧ୍ୟା, ପ୍ରଗଳ୍‌ଭା ଭେଦରେ ତିନିଭାଗରେ ବିଭକ୍ତ କରିଛନ୍ତି । ପ୍ରଗଳ୍‌ଭାକୁ ପୁଣି ଧୀରା, ଅଧୀରା, ଧୀରାଧୀରା ଏବଂ ମଧ୍ୟ ପ୍ରଗଳ୍‌ଭା ରୂପେ ବିଭାଗୀକରଣ କରି ତା’ର ପୁଣି କେତେକ ଉପବିଭାଗ ଯଥା ମଧ୍ୟା ଧୀରା, ମଧ୍ୟା ଅଧୀରା, ମଧ୍ୟା ଧୀରାଧୀରା, ପ୍ରଗଳ୍‌ଭା ଧୀରା, ପ୍ରଗଳ୍‌ଭା ଅଧୀରା ଓ ପ୍ରଗଳ୍‌ଭା ଧୀରାଧୀରା ଭେଦରେ ବିଭକ୍ତ କରି ତାକୁ ପୁଣି ଜ୍ୟେଷ୍ଠା ଓ କନିଷ୍ଠା ଭେଦରେ ବିଭକ୍ତ କରିଛନ୍ତି । ମଧ୍ୟ ପ୍ରଗଳ୍‌ଭାର ବାରଭାଗ ଏବଂ ମୁଗ୍‌ଧା ଏକ ଭାଗ ମିଶାଇ ତା’ର ତେରଟି ବିଭାଗ ସୃଷ୍ଟି କରିଛନ୍ତି । ପରକୀୟାର ଲକ୍ଷଣ ନିର୍ଦ୍ଦେଶ କରିସାରିବା ପରେ ସେ ତାକୁ ପରୋଢ଼ା ଓ କନ୍ୟକା ଭେଦରେ ଦୁଇଭାଗରେ ବିଭକ୍ତ କରିଛନ୍ତି । ସାମାନ୍ୟା ନାୟିକାର ଲକ୍ଷଣ ନିର୍ଦ୍ଦେଶ ପରେ ତା’ର ଷୋଡ଼ଶ ଭେଦ ସମ୍ୱନ୍ଧରେ ସୂଚନା ଦେବାପରେ ଭରତ ଯେପରି ତାଙ୍କ ‘ନାଟ୍ୟଶାସ୍ତ୍ର’ରେ ଅବସ୍ଥା ଭେଦରେ ନାୟିକାକୁ ଅଭିସାରିକା, ବାସକ ସଜ୍ଜା, ବିରହୋତ୍କଣ୍ଠିତା, ସ୍ଵାଧୀନ ପତିକା, କଳହାନ୍ତରିତା, ଖଣ୍ଡିତା, ବିପ୍ରଲବ୍‌ଧା, ପ୍ରୋଷିତ ଭର୍ତ୍ତୃକା ଭେଦରେ ବିଭକ୍ତ କରିଛନ୍ତି, ଯଦୁମଣି ମଧ୍ୟ ଅନୁରୂପ ବିଭାଗୀକରଣ ‘କବି କଳ୍ପଦ୍ରୁମ’ରେ ପ୍ରଦତ୍ତ କରିଛନ୍ତି । ଏହାପରେ ସେ ‘ସାହିତ୍ୟ ଦର୍ପଣ’ ଅନୁଯାୟୀ ନାୟିକାର ଅଷ୍ଟବିଂଶତି ଅଳଙ୍କାର ସମ୍ବନ୍ଧରେ ସୂଚନା ଦେଇଛନ୍ତି । ସେହି ଅଷ୍ଟବିଂଶତି ଅଳଙ୍କାର ହେଉଛି- ଭାବ, ହାବ, ହେଳା, ଶୋଭା, କାନ୍ତି, ଦୀପ୍ତି, ମାଧୁର୍ଯ୍ୟ, ପ୍ରାଗଳ୍‌ଭ୍ୟ, ଔଦାର୍ଯ୍ୟ, ଧୈର୍ଯ୍ୟ, ଲୀଳା, ବିଳାସ, ବିଚ୍ଛିତ୍ତି, ବିବ୍ଦୋକ, କିଳକିଞ୍ଚିତ, ମୋଟ୍ଟାୟିତ, କୁଟ୍ଟମିତ, ବିଭ୍ରମ/ଲଳିତ, ମଦ, ବିହୃତ, ତପନ, ମୌଗଧ୍ୟ, ବିକ୍ଷେପ, କୁତୂହଳ, ହସିତ, ଚକିତ, କେଳି ଇତ୍ୟାଦି ।

 

ନାୟିକା ପ୍ରକରଣ ପରେ ସେ ଅଳଙ୍କାର ଶାସ୍ତ୍ର ନିୟମାନୁଯାୟୀ ଦୂତ ଓ ଦୂତୀଲକ୍ଷଣ ତଥା ଭେଦ ସଂପର୍କରେ ଆଲୋଚନା କରିଛନ୍ତି । ଏ କ୍ଷେତ୍ରରେ ସେ ‘ସାହିତ୍ୟ ଦର୍ପଣ’ ପଦାଙ୍କ ଅନୁସରଣ କରିଛନ୍ତି । ‘ସାହିତ୍ୟ ଦର୍ପଣ’ର ତୃତୀୟ ପରିଚ୍ଛେଦରେ ଦୂତର ଲକ୍ଷଣ ଓ ବିଭାଗୀକରଣ ସଂପର୍କରେ କୁହାଯାଇଛି -

 

ନିସଷ୍ଟାର୍ଥୋ ମିତାର୍ଥଶ୍ଚ ତଥା ସଂଦେଶହାରକଃ

କାର୍ଯ୍ୟପ୍ରେଷ୍ୟ ସ୍ତ୍ରିଧାଦୂତୋ ଦୂତ୍ୟଶ୍ଚାପି ତଥାବିଧାଃ

ତତ୍ର କାର୍ଯ୍ୟ ପ୍ରେଷ୍ୟୋ ଦୂତ ଇତି ଲକ୍ଷଣମ୍‌

ତତ୍ର- ଉଭୟୋର୍ଭାବମୁନ୍ମୀୟ ସ୍ଵୟଂ ବଦତି ଚୋତ୍ତରମ୍‌

ସୁଶ୍ଲିଷ୍ଟଂ କୁରୁତେ କାର୍ଯ୍ୟଂ ନିସୃଷ୍ଟାର୍ଥସ୍ତୁ ସ ସ୍ମୃତଃ

ଉଭୟୋରିତି ଯେନ ପ୍ରେଷିତୋ ଯଦନ୍ତିକେ ପ୍ରେଗିତଶ୍ଚ

ମିତାର୍ଥଭାକ୍ଷୀ କାର୍ଯସ୍ୟ ସିଦ୍ଧକାରୀ ମିତାର୍ଥକଃ

ଯାବଦ୍‌ଭାଷିତ ସଂଦେଶ ହାରଃ ସଂଦେଶ ହାରକଃ

 

ଅର୍ଥାତ୍‌ କୌଣସି କାର୍ଯ୍ୟ ସାଧନ ପାଇଁ ଯାହାକୁ ପଠାଯାଏ, ତାକୁ ଦୂତ କହନ୍ତି । ଏହି ଦୂତ ନିସୃଷ୍ଟାର୍ଥ, ମିତାର୍ଥ ଓ ସନ୍ଦେଶହାରକ ଭେଦରେ ତ୍ରିବିଧ । ଯିଏ କାର୍ଯ୍ୟ ପାଇଁ ପଠାଇଥିବା ବ୍ୟକ୍ତି ଏବଂ ଯାହା ପାଖକୁ ପଠାଯାଇଥିବା ବ୍ୟକ୍ତି ଉଭୟଙ୍କ ମନୋଭାବକୁ ଲକ୍ଷ୍ୟରେ ରଖି କାର୍ଯ୍ୟସାଧନ କରିଥାଏ, ତାକୁ ନିସୃଷ୍ଟାର୍ଥ; ଯିଏ ଅଳ୍ପକଥା କୁହେ କିନ୍ତୁ କାର୍ଯ୍ୟ ସିଦ୍ଧି କରେ, ତାକୁ ମିତାର୍ଥ ଏବଂ ଯିଏ ସ୍ଵାମୀ ଯେତିକି କଥା କହିଥିବେ ଶୁଆପରି ସେତିକି ମାତ୍ର ସନ୍ଦେଶ ଦେଇଥାଏ ତାକୁ ସନ୍ଦେଶହାରକ ଦୂତ କୁହାଯାଏ । ‘କବି କଳ୍ପଦ୍ରୁମ’ ରେ ଦୂତର ଲକ୍ଷଣ ଦିଆଯାଇ କୁହାଯାଇଛି-

 

ସୁବୁଦ୍ଧି ସୁଶୀଳ ସତ୍ୟବାଦୀ ଭକ୍ତିଯୁତ

କାର୍ଯ୍ୟେ ଯାକୁ ପଠିଆଇ ବୋଲାଇ ସେ ଦୂତ ।

(୧/୨୦୪)

 

ସେହିପରି ‘ସାହିତ୍ୟ ଦର୍ପଣ’ରେ ଦୂତୀର ଲକ୍ଷଣ ସଂପର୍କରେ କୁହାଯାଇଛି-

 

କଳାକୌଶଳମୁତ୍ସାହୋ ଭକ୍ତିଶ୍ଚିତ୍ତଜ୍ଞତା ସ୍ମୃତିଃ

ମାଧୁର୍ଯନର୍ମବିଜ୍ଞାନଂ ବାଗ୍ମିତା ଚେତି ତଦ୍‌ଗୁଣାଃ

ଏତାଅପି ଯଥୌଚିତ୍ୟାଦୁତ୍ତମାଧମ ମଧ୍ୟମାଃ

 

ଅର୍ଥାତ୍‌ କଳାବିଦ୍ୟାରେ ନିପୁଣା, ଉତ୍ସାହୀ, ଭକ୍ତି (ସ୍ଵାମୀ ବା ସ୍ୱାମିନୀଠାରେ) ଅଭିପ୍ରାୟଜ୍ଞତା, ସ୍ମରଣ ଶକ୍ତି, ମଧୁର ସ୍ୱଭାବ, ହାସ୍ୟାଦି ଅଭିଜ୍ଞତା ସଂପନ୍ନା କଥା ଚାତୁରୀ ଯୁକ୍ତା ହିଁ ଦୂତୀ ହୋଇଥାନ୍ତି । ଉତ୍ତମ, ମଧ୍ୟମ, ଅଧମ ଭେଦରେ ଏମାନେ ତ୍ରିବିଧ । ‘କବି କଳ୍ପଦ୍ରୁମ’ରେ ଦୂତୀର ଲକ୍ଷଣ ସଂପର୍କରେ କୁହାଯାଇଛି -

 

କଳାରେ କୁଶଳାଶୀଳ ଧୃତି-ସ୍ମୃତି ଯୁତା

ଚିତ୍ରରହସ୍ୟଜ୍ଞା ବାକ୍ୟପଟୁ ଦୂତୀ ମତା ।

(୧/୨୦୯)

 

ବିଶ୍ୱନାଥ କବିରାଜଙ୍କୁ ଅନୁସରଣ କରି ଯଦୁମଣି ରସକୁ କାବ୍ୟର ଆତ୍ମାରୂପେ ଗ୍ରହଣ କରି ନଅଟି ରସ ସଂପର୍କରେ ଆଲୋଚନା କରିଛନ୍ତି । ସେହି ନଅଟି ରସ ହେଲା ଶୃଙ୍ଗାର, ହାସ୍ୟ, କରୁଣ, ରୌଦ୍ର, ବୀର, ଭୟାନକ, ବୀଭତ୍ସ, ଅଦ୍ଭୁତ, ଶାନ୍ତ, ଏହାବ୍ୟତୀତ ସେ ବିଶ୍ଵନାଥଙ୍କ ପରି ବିଭିନ୍ନ ରସର ଉପବିଭାଗ ପ୍ରଦର୍ଶନପୂର୍ବକ ସ୍ଥାୟୀଭାବ, ଆଲମ୍ବନ ବିଭାବ, ଉଦ୍ଦୀପନ ବିଭାବ, ଅନୁଭାବ, ସଞ୍ଚାରୀଭାବ; ପ୍ରତ୍ୟେକ ରସର ଦେବତା ଓ ବର୍ଣ୍ଣ ସଂପର୍କରେ ପୁଙ୍ଖାନୁପୁଙ୍ଖ ବିଶ୍ଲେଷଣ କରିଛନ୍ତି । ଏଠାରେ ଯଦୁମଣିଙ୍କ ପ୍ରଦତ୍ତ ବୀର ରସର ଉଦାହରଣଟିଏ ଦିଆଯାଇପାରେ-

 

ସ୍ଥାୟୀଭାବ ଉତ୍ସାହ ଯା ସେହି ବୀର ରସ

ମହେନ୍ଦ୍ର ଦୈବତ ଗୌର ବର୍ଣ୍ଣରେ ପ୍ରକାଶ

ଯାହାକୁ ଜିଣଇ ସେହୁ ତାର ଆଲମ୍ବନ

ବିଜେ ତବ୍ୟ ଚେଷ୍ଟାମାନ ହୋଇ ଉଦ୍ଦୀପନ

ଶତ୍ରୁପକ୍ଷ ଅନ୍ୱେଷଣ ଆଦି ଅନୁଭାବ

ସଞ୍ଚାରୀ ରୋମାଞ୍ଚ ସ୍ମୃତି ଧୃତି ତର୍କ ଗର୍ବ ।

(୧/୨୩୩-୩୫)

 

ପ୍ରଥମ ପ୍ରକାଣ୍ଡର ୨୫୬ ପଦରୁ ୨୬୮ ପଦ ମଧ୍ୟରେ ରସାସ୍ଵାଦନ ସଂପର୍କରେ ଆଲୋଚନା କରିଛନ୍ତି । ଏହାପରେ ‘ସାହିତ୍ୟ ଦର୍ପଣ’ ଅନୁରୂପ ପରସ୍ପର ବିରୋଧୀ ରସମାନଙ୍କ ସଂପର୍କରେ ଉଲ୍ଲେଖ କରିଛନ୍ତି -

 

କରୁଣ ବୀଭତ୍ସ ରୌଦ୍ର ବୀର ଭୟାନକ

ଏମାନେ ଶୃଙ୍ଗାର ରସ ବିରୋଧୀ ପ୍ରାୟେକ

ଭୟାନକେ କରୁଣ ବିରୋଧୀ ହାସ୍ୟ ପୁଣ

ହାସ୍ୟ ଶୃଙ୍ଗାରରେ ହୋଇ ବିରୋଧୀ କରୁଣ

ରୌଦ୍ର ବିରୋଧୀ ଶୃଙ୍ଗାର ହାସ୍ୟ ଭୟାନକେ

ଶାନ୍ତେ ଭୟାନକେ ବୀରବିରୋଧୀ ପ୍ରତ୍ୟେକେ

ଶୃଙ୍ଗାର ବୀର ରୌଦ୍ରାଖ୍ୟ ହାସ୍ୟ ଶାନ୍ତ ରସେ

ଭୟାନକ ରସପୁଣ ବିରୋଧୀ ପ୍ରକାଶେ ।

(୧/୨୩୩-୩୫)

 

ରସଭାବ ଓ ରସାଭାସର ଲକ୍ଷଣ ଏବଂ ଉଦାହରଣ ଦେଇସାରିବା ପରେ ସେ କାବ୍ୟ ଭେଦ ସଂପର୍କରେ ଆଲୋଚନା କରିଛନ୍ତି । ସେ ସାହିତ୍ୟ ଦର୍ପଣ, ଧ୍ଵନ୍ୟାଲୋକ ଓ କାବ୍ୟପ୍ରକାଶ ଅନୁଯାୟୀ କାବ୍ୟକୁ ଧ୍ଵନିକାବ୍ୟ, ଗୁଣୀଭୂତ ବ୍ୟଙ୍ଗ୍ୟକାବ୍ୟ ଓ ଚିତ୍ରକାବ୍ୟ- ଏହିପରି ତିନିଭାଗରେ ବିଭକ୍ତ କରି ପ୍ରତ୍ୟେକ କାବ୍ୟର ଲକ୍ଷଣ, ଭେଦ ଓ ବୈଶିଷ୍ଟ୍ୟ ସମ୍ବନ୍ଧରେ ବିଶ୍ଲେଷଣ କରିଛନ୍ତି । ‘ଧ୍ଵନିକାବ୍ୟ’ ସଂପର୍କରେ ତାଙ୍କର ବକ୍ତବ୍ୟ ହେଉଛି-

 

ବାଚ୍ୟଅର୍ଥ ଅତି ଚମତ୍କାରୀ ଯେବେ

ବ୍ୟଙ୍ଗ ଅର୍ଥ ହୋଇ ଶାସ୍ତ୍ରେ ଧ୍ୱନିବୋଲି ତେବେ

ଧ୍ଵନି କାବ୍ୟ ଯେହୁ ସେ ଉତ୍ତମ କାବ୍ୟ ହୋଇ

ଅତିଶୟେ ବ୍ୟଙ୍ଗ୍ୟ ଅର୍ଥ ଚମତ୍କାରୀ ତହିଁ ।

(୧/୨୯୭-୯୮)

 

ଧ୍ଵନିକାବ୍ୟରେ ଭେଦ ଦର୍ଶାଇ ଲେଖିଛନ୍ତି –

 

ରସଧ୍ଵନି ବସ୍ତୁଧ୍ଵନି ଅଳଙ୍କାର ଧ୍ଵନି

ଏ ରୂପେ ତିନିପ୍ରକାର ଧ୍ଵନିକାବ୍ୟ ଘେନି

ଧ୍ଵନିପ୍ରଧାନ ଯେ ସେହି ଧ୍ଵନିକାବ୍ୟ ସିଦ୍ଧ

ଶାସ୍ତ୍ରରେ ଏ ଧ୍ଵନି ପୁଣ ହୁଏ ବହୁବିଧ

ସକଳ ଯେ ଧ୍ଵନିଭେଦ ଶାସ୍ତ୍ରରେ ସମ୍ମତ

ଉକ୍ତ ତିନି ଭେଦେ ସେହୁ ହୁଏ ଅନ୍ତର୍ଗତ

(୧/୨୯୯-୩୦୧)

 

ଶେଷରେ କାବ୍ୟକୁ ଦୃଶ୍ୟ ଓ ଶ୍ରବ୍ୟ ଭେଦରେ ବିଭକ୍ତ କରି ପ୍ରଥମ ପ୍ରକାଣ୍ଡର ପରିସମାପ୍ତି ଘଟାଇଛନ୍ତି ।

 

ଦ୍ୱିତୀୟ ପ୍ରକାଣ୍ଡରେ ମୁଖ୍ୟତଃ ଗୁଣ, ରୀତି, ଅଳଙ୍କାର ଓ ଦୋଷ ସମ୍ପର୍କରେ ଆଲୋଚନା କରାଯାଇଛି । ପ୍ରଥମେ ସେ ଗୁଣର ଲକ୍ଷଣ ନିର୍ଦ୍ଦେଶ କରି କହିଛନ୍ତି -

 

କାବ୍ୟର ଯେ ଆତ୍ମାରସ ତାର ପରିପୋଷ

କରଇ ଯେ ନିତ୍ୟେସ୍ଥିତ ସେ ଗୁଣେ ପ୍ରକାଶ

ଶୌର୍ଯ୍ୟ ଆଦି ଗୁଣ ଯେହ୍ନେ ଆତ୍ମାର ଉତ୍କର୍ଷ

କରନ୍ତି ତେହ୍ନେ ଏ ଗୁଣେ ରସ ପରିପୋଷ

(୨/୨-୩)

 

ଏହାପରେ ମାଧୁର୍ଯ୍ୟ, ଓଜ ଓ ପ୍ରସାଦ ଭେଦରେ ଗୁଣକୁ ତିନିଭାଗରେ ବିଭକ୍ତ କରି ପ୍ରତିଗୁଣର ଲକ୍ଷଣଗୁଡ଼ିକୁ ସୁନ୍ଦର ଭାବରେ ବିଶ୍ଲେଷଣ କରିଛନ୍ତି । ଯେପରି ଓଜ ଲକ୍ଷଣ ସମ୍ବନ୍ଧରେ ସୂଚାଇବାକୁ ଯାଇ କହିଛନ୍ତି -

 

ଚିତ୍ତର ବିସ୍ତାର ରୂପ ଦୀପ୍ତିର କାରଣ

ଯେହୁ ହୋଇ ତାକୁ ଓଜ ଗୁଣ ବୋଲି ଜାଣ

ବୀରରସେ ଏ ଗୁଣ ସହଜେ ପୁଷ୍ଟି କରେ

ଅତିଶୟେ କରେ ପୁଷ୍ଟି ବୀଭତ୍ସ ରୌଦ୍ରରେ

କ ବର୍ଗ ଟ ବର୍ଗ ଯୁତ ଚ ବର୍ଗ ତ ବର୍ଗ

ଉର୍ଦ୍ଧ୍ୱ ଅଧଭାଗେ ରେଫେ ସଂଜାତ ସଂଯୋଗ

ଟଠଡ଼ଢ଼ ଶଷ ବର୍ଣ୍ଣଦୀର୍ଘ ମାତ୍ରା ଯୁତ

କଠିନ ପଦ ରଚନା ଦୀର୍ଘପଦ ଜାତ

(୨/୧୦-୧୩)

 

ଯଦୁମଣି ଗୁଣ ସଂପର୍କରେ ଆଲୋଚନା କରି ସାରିବା ପରେ କାବ୍ୟପାକ ସଂପର୍କରେ ସୂଚନା ଦେଇଛନ୍ତି । କାବ୍ୟପାକକୁ ସେ ଅର୍ଥର ଗଭୀରତା ରୂପେ ଉଲ୍ଲେଖ କରି ଏହାକୁ ଦ୍ରାକ୍ଷାପାକ ଓ ନାରୀକେଳ ପାକ- ଏହିପରି ଦୁଇଭାଗରେ ବିଭକ୍ତ କରି ତା’ର ଲକ୍ଷଣ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଛନ୍ତି । ପରେ ପରେ ‘ରୀତି’ ବିଷୟରେ ଆଲୋଚନା କରିବାକୁ ଯାଇ କହିଛନ୍ତି-

 

ପଦମାନଙ୍କର ଯେ ସଂଘଟନା ସେ ରୀତି

ବୈଦେର୍ଭୀ ଗୌଡ଼ୀ ପାଞ୍ଚାଳୀ ତ୍ରିବିଧ ତା’ ସ୍ଥିତି

ଅଙ୍ଗର ସୁଶ୍ଲିଷ୍ଟ ସନ୍ଧି ଯେହ୍ନେ ମନୋହର

ଦେହଦ୍ଵାରେ ଦେହୀର ସେ କରେ ଉପକାର

ତେସନେ ତ୍ରିବିଧରୀତି ଶବ୍ଦଦ୍ୱାରେ ପୁଣ

କାବ୍ୟ ଆତ୍ମାରସ ଉପକାରକ ସେ ଜାଣ

(୨/୩୨-୩୪)

 

‘ଲାଟୀ’ ରୀତିକୁ ବାମନାଦି ଆଳଙ୍କାରିକଗଣ ଗ୍ରହଣ କରି ନ ଥିବାରୁ ସେ ଏହାର ଆଲୋଚନା କରିନାହାନ୍ତି ବୋଲି ସ୍ଵୀକାର କରିଛନ୍ତି । ବୈଦର୍ଭୀ, ଗୌଡ଼ୀ, ପାଞ୍ଚାଳୀ ରୀତି ସଂପର୍କରେ ଆଲୋଚନା କରିସାରିବା ପରେ ସେ ଅଳଙ୍କାରରେ ଲକ୍ଷଣ ଓ ପ୍ରକାରଭେଦ ସମ୍ବନ୍ଧରେ ଆଲୋଚନା କରିଛନ୍ତି । ଅନ୍ୟ ଆଳଙ୍କାରିକମାନଙ୍କ ପରି ସେ ମଧ୍ୟ ଅଳଙ୍କାରକୁ କାବ୍ୟର ଶୋଭା ବିଧାୟକ ଧର୍ମ ଅର୍ଥାତ୍‌ ଆଙ୍ଗିକ ପକ୍ଷ ଭାବରେ ଗ୍ରହଣ କରିଛନ୍ତି-

 

ଯେସନେ କୁଣ୍ଡଳ ଆଦି ଅଳଙ୍କାରଗଣ

ଦେହ ଶୋଭାଦ୍ୱାରେ ଦେହୀ ଉତ୍କର୍ଷ କାରଣ

(୨/୪୧)

 

ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାର ଭେଦରେ ସେ ଅଳଙ୍କାରକୁ ଦୁଇ ଭାଗରେ ବିଭକ୍ତ କରି ଶବ୍ଦାଳଙ୍କାର ପର୍ଯ୍ୟାୟରେ ଅନୁପ୍ରାସ, ଯମକ, ବକ୍ରୋକ୍ତି, ପୁନରୁକ୍ତ ବଦଭାସ, ଶ୍ଲେଷ, ଚିତ୍ରାଳଙ୍କାର ଆଦିର ଆଲୋଚନା ସହିତ ତା’ର ଉପବିଭାଗଗୁଡ଼ିକ ବିଷୟରେ ଆଲୋଚନା କରିଛନ୍ତି । ଅର୍ଥାଳଙ୍କାର ମଧ୍ୟରେ ସେ ଉପମା, ଅନନ୍ୱୟ, ଉପମେୟୋପମାରୂପକ, ଉତ୍‌ପ୍ରେକ୍ଷା, ସନ୍ଦେହ, ଭ୍ରାନ୍ତି, ଅପହୃତି, ବ୍ୟତିରେକ, ଦୀପକ, ସମାସୋକ୍ତି, ଅତିଶୟୋକ୍ତି, ସ୍ଵଭାବୋକ୍ତି, ବ୍ୟାଜସ୍ତୁତି, ଅପ୍ରସ୍ତୁତ ପ୍ରଶଂସା, ବିଭାବ, ବିଶେଷୋକ୍ତି, ବିନୋକ୍ତି, ସହୋକ୍ତି, ଅର୍ଥାନ୍ତରନ୍ୟାସ, ବିରୋଧାଭାସ, ଅର୍ଥଶ୍ଲେଷ, ପରିକ, ସଂସୃଷ୍ଟି, ସଙ୍କର ଆଦିର ଆଲୋଚନା କରିଛନ୍ତି ।

 

ଏହାପରେ ସେ କାବ୍ୟଦୋଷ ସଂପର୍କରେ ଆଲୋଚନା କରିଛନ୍ତି । ଦୋଷର ଲକ୍ଷଣ ସଂପର୍କରେ ନିର୍ଦ୍ଦେଶ ପୂର୍ବକ ସେ କହିଛନ୍ତି -

 

କହିବା ବିଶେଷି ଏବେ ଦୋଷର ଲକ୍ଷଣ

କାବ୍ୟଭଲମନ୍ଦ ଯହୁଁ ଜାତ ବିଲକ୍ଷଣ

ରସର ପ୍ରତୀତି ପ୍ରତିବନ୍ଧ ଯେ କରଇ

ସାକ୍ଷାତ ବା ପରଂପରାରେ ସେ ଦୋଷ କହି ।

(୨/୧୦୨-୦୩)

 

କାବ୍ୟ ଦୋଷକୁ ସେ ଶବ୍ଦଗତ, ଅର୍ଥଗତ ଓ ରସଗତ - ଏହିପରି ତିନିଭାଗରେ ବିଭକ୍ତ କରି ଶବ୍ଦଦୋଷ ମଧ୍ୟରେ ଶ୍ରୁତିକଟୁ, ଅପ୍ରଯୁକ୍ତ, ନିରର୍ଥକ, ବ୍ରୀଡ଼ାଶ୍ଲୀଳ, ଅମଙ୍ଗଳାଶ୍ଲୀଳ, ଜୁଗୁପ୍‌ସାଶ୍ଲୀଳ, କ୍ଲିଷ୍ଟ, ଗ୍ରାମ୍ୟ, ଅପ୍ରତୀତ, ସନ୍ଦେହ, କଥିତପଦ, ନ୍ୟୂନପଦ, ଅଧିକ ପଦ, ସଂକୀର୍ଣ୍ଣ, ଧୂତ, ପତିତ ପ୍ରକର୍ଷଣ, ସମାପ୍ତ ପୁନରାତ୍ତତା, ଅସ୍ଥାନପଦତା; ଅର୍ଥ ଦୋଷ ମଧ୍ୟରେ ଅପୁଷ୍ଟ, କଷ୍ଟ, ବ୍ୟାହତ, ପୁନରୁକ୍ତ ଅକ୍ରମତା, ଅପ୍ରସିଦ୍ଧ, ସାକାଂକ୍ଷ, ନିର୍ହେତୁ, ପ୍ରସିଦ୍ଧି ବିରୁଦ୍ଧ, ବିଦ୍ୟା ବିରୁଦ୍ଧ ଅପଦ ଯୁକ୍ତତା ଆଦିକୁ ଗ୍ରହଣ କରିଛନ୍ତି । ରସ ଦୋଷ ସଂପର୍କରେ ତାଙ୍କର ବକ୍ତବ୍ୟ ହେଉଛି-

 

ରସର ସ୍ଥାୟୀଭାବରେ ବ୍ୟଭିଚାରୀଙ୍କର

ରସଦୋଷ ଯେ ଯାହା ନାମରେ କହିବାର

କଷ୍ଟ କଳ୍ପନାରେ ଅନ୍ତର୍ଭାବ ବିଭାବର

ଅଭିବ୍ୟକ୍ତି ହେଲେ ରସ ଦୋଷ ହୋଇ ତା’ର

ବିରୋଧୀ ରସ ବିଭାବ ଆଦି ଉପାଦାନ

ରସଦୋଷ ପୁନଃ ପୁନଃ ରସର ବର୍ଣ୍ଣନ

ଅନବସରେ ରସର ବିଚ୍ଛେଦ ବର୍ଣ୍ଣନ

ଅଙ୍ଗୀ ଯେଉଁ ରସ ହୋଇ ତା ଅନୁପାଦାନ

ଯେଉଁ ରସର ଯେ ହୋଇଥାଇ ଆଲମ୍ବନ

ତାହା ସେହି ଗୁଣଙ୍କର ଅନ୍ୟଥା ବର୍ଣ୍ଣନ

ଅଙ୍ଗୀନୁହେଁ ଯେଉଁ ରସ ତାହାର ବର୍ଣ୍ଣନ

ଅଙ୍ଗୀରସ ଯେ ହୋଇ ତାହାର ଅକଥନ ।

(୨/୧୪୦-୧୪୫)

 

ଏହା ସହିତ କେଉଁ କେଉଁ କ୍ଷେତ୍ରରେ ଦୋଷଗୁଣରେ ପରିଣତ ହୋଇଥାଏ ତାହାର ମଧ୍ୟ ସେ ଉଲ୍ଲେଖ କରି ଲେଖିଛନ୍ତି –

 

ଅନୁକରଣ କଥନେ ଶ୍ରୁତିକଟୁ ଆଦି

ଦୋଷ କରି ନ ଘେନିମ ସେ ଗୁଣ ସଂପାଦି

ବକ୍ତୃବାଚ୍ୟ ବର୍ଣ୍ଣନୀୟ ପ୍ରକରଣ ପୁଣ

ଗୁଣ ହୋଇ ଦୋଷ ସବୁ ବିଚାରି ତା ଜାଣ

(୨/୧୪୭-୪୮)

 

ତୃତୀୟ ପ୍ରକାଣ୍ଡରେ ଶବ୍ଦାର୍ଥ ନିରୂପଣ କରାଯାଇଛି । କାବ୍ୟରେ ଶବ୍ଦ ଓ ଅର୍ଥର ଏକ ବିଶେଷ ଭୂମିକା ବିଦ୍ୟମାନ । ଶବ୍ଦଭେଦ ପ୍ରସଙ୍ଗରେ ତାଙ୍କର ଅଭିମତ ହେଲା :

 

ଅର୍ଥଜ୍ଞାନ କାରଣ ବିଶେଷ ଯେ ଶବ୍ଦ

ପର୍ଯ୍ୟାୟ ନାନାର୍ଥ ହୋଇ ସେ ପୁଣି ଦ୍ୱିବିଧ । (୩/୨)

 

ପର୍ଯ୍ୟାୟ ଓ ନାନାର୍ଥ ଶବ୍ଦର ଲକ୍ଷଣ ନିର୍ଦ୍ଦେଶ କରି କହିଛନ୍ତି –

 

ଶବ୍ଦ ଭିନ୍ନ ହୋଇ ଅର୍ଥ ଏକ ଯାର ହୋଇ

ପର୍ଯ୍ୟାୟ ଶବ୍ଦ ବୋଲିଣ ଶାସ୍ତ୍ରେ ସେ ବୋଲାଇ (୩/୩)

ଶବ୍ଦ ଏକ ହୋଇ ନାନା ଅର୍ଥ ଯେ ବୁଝାଇ

ନାନାର୍ଥ ଶବ୍ଦ ବୋଲିଣ ଶାସ୍ତ୍ରେ ତାକୁ କହି (୩/୫)

 

ଏହାପରେ କାରକର ଷଡ଼ବିଧ ରୂପ ସଂପର୍କରେ ସୂଚନା ଦେବା ସଙ୍ଗେ ସଙ୍ଗେ ତା’ର ସହଜ ସରଳ ବିଶ୍ଲେଷଣ କରିଛନ୍ତି । ମେଦିନୀକୋଷ ଓ ଅମରକୋଷ ଆଧରରେ ଉପେନ୍ଦ୍ରଙ୍କ ‘ଗୀତାଭିଧାନ’ ପରି କେତେଗୁଡ଼ିଏ ନାନାର୍ଥ ବାଚକ ଶବ୍ଦର ଉଦାହରଣ ପ୍ରଦାନ କରିଛନ୍ତି । ସେଥିରୁ ଏଠାରେ ଦୁଇଟି ଶବ୍ଦର ଉଦାହରଣ ଦିଆଯାଉଛି-

 

କି ଶବ୍ଦ ବ୍ରହ୍ମାରେ ଜଳେ ପବନେ ଆତ୍ମାରେ

ଯମେ ଶିରେ ସୂର୍ଯ୍ୟେମୁଖେ ଅଗ୍ନିରେ ମୟୂରେ

ଲୋକଶବ୍ଦ ଭୁବନେ ଜନରେ ପ୍ରବର୍ତ୍ତଇ

ନାକଶବ୍ଦ ସୁଖୀ ନଭ ସ୍ୱର୍ଗକୁ ବୁଝାଇ ।

(୩/୧୭- ୧୮)

 

ଏହା ବ୍ୟତୀତ ଅନୁଲୋମ, ପ୍ରତିଲୋମ ଓ ନିରୋଷ୍ଠ୍ୟ ଶବ୍ଦ ସଂପର୍କରେ ସେ ସୁନ୍ଦର ଆଲୋଚନା କରିଛନ୍ତି ଏଥିରେ । ଅନୁଲୋମ ଶବ୍ଦ ପର୍ଯ୍ୟାୟରେ ସେ ନୟନ, ନର୍ତ୍ତନ, କନକ, କଟକ, ସରସ, କରକ, ମଧ୍ୟମ, କନକ, କାଞ୍ଚିକା, ମହିମ ଆଦି ଶବ୍ଦର ଉଦାହରଣ ଦେଇଥିବାବେଳେ ନିରୋଷ୍ଠ୍ୟ ଶବ୍ଦରୂପେ ଖେଳା, ଲୀଳା, କଳକଳ, କଙ୍କଣ, ନିଷ୍କଳ, କାଳ, କଳନ୍ନ, କଲ୍ୟାଣ ଇତ୍ୟାଦିର ଉଦାହରଣ ଦେଇଛନ୍ତି ।

 

ଚତୁର୍ଥ ପ୍ରକାଣ୍ଡରେ ବିଭିନ୍ନ ବର୍ଣ୍ଣନା ବିଷୟରେ ଆଲୋଚନା ରହିଛି । କେଉଁ ପ୍ରସଙ୍ଗରେ କେଉଁ ପ୍ରକାର ବର୍ଣ୍ଣନା ହେବା ଉଚିତ, ସେ ସଂପର୍କରେ ସୂଚନା ଦିଆଯାଇଛି । ଋତୁ ଅନୁଯାୟୀ ଲତା, ବୃକ୍ଷ, ଫୁଲ, ଫଳ ଆରଣ୍ୟକ ସୌନ୍ଦର୍ଯ୍ୟର ବର୍ଣ୍ଣନା କିପରି ହେବ, ତାହା ଏହି ପ୍ରକାଣ୍ଡରେ ସୋଦାହରଣ ବର୍ଣ୍ଣିତ । କେବଳ ଋତୁ ବର୍ଣ୍ଣନା ନୁହେଁ, ଅନ୍ୟାନ୍ୟ ବର୍ଣ୍ଣନା ପ୍ରସଙ୍ଗରେ କେଉଁ ବର୍ଣ୍ଣନୀୟ ବସ୍ତୁ ରହିବ, ସେ ସମ୍ବନ୍ଧରେ ଆଲୋଚନା ହୋଇଛି । ଉଦାହରଣ ସ୍ୱରୂପ ଜଣେ ରାଜାଙ୍କ ବର୍ଣ୍ଣନାରେ କ’ଣ ରହିବା ଉଚିତ ସେ ବିଷୟରେ କୁହାଯାଇଛି-

 

ରାଜାର ବର୍ଣ୍ଣିବ କୀର୍ତ୍ତି ପ୍ରତାପ ଯୁଗଳ ।

ଆଜ୍ଞା ରକ୍ଷା ଦୁଷ୍ଟଦଣ୍ଡ ବିବେକ ସୁଶୀଳ

ଶାସ୍ତ୍ରେ ଶାସ୍ତ୍ରେ ନିଷ୍ଠା ସବିନୟେ ନୀତି ଜ୍ଞାନ

ଦାନ ଧର୍ମ ଆଚରଣ ପ୍ରଜାଙ୍କ ପାଳନ

ଶୌର୍ଯ୍ୟ ଧୈର୍ଯ୍ୟ ସୌନ୍ଦର୍ଯ୍ୟ ଗାମ୍ଭୀର୍ଯ୍ୟ ଦୟାଦମ

ତା’ ଅରିଙ୍କ ଗିରିବାସ ଶୂନ୍ୟ ପୁରଗ୍ରାମ ।

( ୪/୮- ୧୦)

 

ଏତଦ୍‌ବ୍ୟତୀତ ରାଜପତ୍ନୀ, ରାଜକୁମାରୀ, ରାଜକୁମାର, ପୁରୋହିତ, ମନ୍ତ୍ରୀ, ସେନାପତି, ଅନ୍ତଃପୁର, ନଗର, ପ୍ରାସାଦ, ଜଳାଶୟ, ପ୍ରାକାର, କ୍ରୀଡ଼ାବନ, ଦେଶ, ଗ୍ରାମ, ନଦୀ, ଗିରି, ଅରଣ୍ୟ, ସାଗର, ମନ୍ତ୍ର, ଦୂତ, ମୃଗୟା, ଆଶ୍ରମ, ରଣ, ରଣପ୍ରୟାସ, ଗଜ, ଅଶ୍ଵ, ରଥ ପଦାତି, ଚନ୍ଦ୍ରୋଦୟ, ସୂର୍ଯ୍ୟୋଦୟ, ସନ୍ଧ୍ୟା, ପ୍ରାତଃ, ବିବାହ, ବିରହ, ଜଳକ୍ରୀଡ଼ା, ବସନ୍ତ ଋତୁ, ଗ୍ରୀଷ୍ମଋତୁ, ବର୍ଷା ଋତୁ, ଶରତ, ହେମନ୍ତ, ଶିଶିର ଆଦି ବର୍ଣ୍ଣନା ସମୟରେ କିପରି ବର୍ଣ୍ଣନା କରାଯିବ, ସେ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦତ୍ତ ହୋଇଛି ।

 

ପଞ୍ଚମ ପ୍ରକାଣ୍ଡର ନାମ ବର୍ଣ୍ଣନୀୟ ବର୍ଣ୍ଣ (ରଙ୍ଗ) ନିରୂପଣ । ଏଥିର କେଉଁ ବର୍ଣ୍ଣ ସହିତ କେଉଁ ଉପାଦାନ ତୁଳନୀୟ ତା’ର ଏକ ବିବରଣୀ ପ୍ରଦତ୍ତ ହୋଇଛି । ଶ୍ଵେତ, କୃଷ୍ଣ ରକ୍ତ, ନୀଳ, ପୀତ ଓ ଧୂସର- ଏହି ଛଅଗୋଟି ମୁଖ୍ୟବର୍ଣ୍ଣ ବା ରଙ୍ଗର ବର୍ଣ୍ଣନା ପ୍ରସଙ୍ଗ ଏଥିରେ ରହିଛି । ଶାସ୍ତ୍ରାନୁଯାୟୀ ପ୍ରତ୍ୟେକ ରଙ୍ଗର ସ୍ଵତନ୍ତ୍ର ମହତ୍ତ୍ୱ ରହିଛି ଓ ତା’ର ମଧ୍ୟ ଔଚିତ୍ୟପୂର୍ଣ୍ଣ ପ୍ରୟୋଗ ହେବା ଆବଶ୍ୟକ । ଯଦି ତାହା ଉଚିତ ଭାବରେ ହୋଇ ନ ପାରିଲା, ତେବେ କାବ୍ୟ ଦୋଷ ଦୁଷ୍ଟ ହେବାର ସମ୍ଭାବନା ରହିଛି । ଏହି ବର୍ଣ୍ଣର ଲକ୍ଷଣଗୁଡ଼ିକ କବି ପ୍ରସିଦ୍ଧି ଚିନ୍ତାଧାରା ଅନ୍ତର୍ଭୁକ୍ତ । କବି କଳ୍ପଦ୍ରୁମରୁ ଦୁଇଟି ଉଦାହରଣ ଏ ସଂପର୍କରେ ଉଦ୍ଧାର କରାଯାଇପାରେ । ଶ୍ଵେତବର୍ଣ୍ଣ ପ୍ରସଙ୍ଗରେ ଉଲ୍ଲିଖିତ ରହିଛି-

 

ଶ୍ଵେତ ବର୍ଣ୍ଣ ସୁଧା            ସୁଧାଂଶୁ ପ୍ରାସାଦ

ଜ୍ୟୋତ୍ସ୍ନା କୀର୍ତ୍ତି ହଳଧର

ଶେଷାହି ଉଚ୍ଚୈଃ            ଶ୍ରବା ଶମ୍ଭୁ ଶରଦ

ଘନ ହିମାଦ୍ରି ମନ୍ଦାର x x

(୫/୨)

 

ଧୂସରବର୍ଣ୍ଣ :

ଧୂସର ବର୍ଣ୍ଣ            ରଜଲୁଖ କପୋତ

କରଭ ଗୃହ ଗୋଧିକ

ମୂଷିକ ଖର            ସଶୂକର ଅପର

ଉରଭ୍ର ସେ କ୍ରମେଳକ

(୫/୨୩)

 

ଷଷ୍ଠ ପ୍ରକାଣ୍ଡଟି ମୁଖ୍ୟତଃ ସଙ୍ଗୀତର ବିଭିନ୍ନ ଦିଗ ଉପରେ ଆଧାରିତ । ଗୀତର ତାଳ, ମାନ, ଲୟ ଆଦିର ଲକ୍ଷଣ ନିରୂପଣ ଏଥିରେ କରାଯାଇଛି । ‘ଗୀତ ପ୍ରକାଶ’ ଗ୍ରନ୍ଥ (କୃଷ୍ଣ ଦାସ ବଡ଼ଜେନା ମହାପାତ୍ର) ଏହି ପ୍ରକାଣ୍ଡର ମୁଖ୍ୟ ଅବଲମ୍ବନ । କବି ଗଦାଧର ନାମୋଲ୍ଲେଖରୁ କେହି କେହି ଗଦାଧର ଦାସ ଏହା ରଚନା କରି ଯଦୁମଣିଙ୍କ ନାମରେ ଭଣିତା କରିଥାଇପାରନ୍ତି ବୋଲି ଅନୁମାନ କରନ୍ତି :

 

ସେ ପ୍ରଭୁ ଚରଣ ପଙ୍କଜ ବେନି

ଗଦାଧର ଦାସ ମସ୍ତକେ ଘେନି (୬/୫)

 

ଗୀତର ଲକ୍ଷଣ ସଂପର୍କରେ ସୂଚନା ଦିଆଯାଇ କୁହାଯାଇଛି-

 

ଗୀତ ବୋଳି ଯାହା ବୋଲନ୍ତି ଲୋକ

ଅନେକ ମତେ ସେ ହୁଅଇ ହାଂକ

ସେ ଗୀତ ପୁଣି ଅନେକ ପ୍ରକାର

ସଂକ୍ଷେପି କହିବା ତାର ବିଚାର

ଅତିରଞ୍ଜକ ହୁଏ ନାହିଁ ସ୍ଵର

ଗୀତବୋଲି ତାକୁ କରି ବେଭାର

(୬/୮-୧୦)

 

ତାଙ୍କ ମତରେ ସଙ୍ଗୀତ ଶାସ୍ତ୍ରରେ ଗୀତକୁ ଅନିବଦ୍ଧ ଓ ନିବଦ୍ଧ - ଏହିପରି ଦୁଇ ଭାଗରେ ବିଭକ୍ତ କରାଯାଇଛି-

 

ସେହି ଗୀତ ହୁଏ ପ୍ରକାର ବେନି

ଅନିବଦ୍ଧ ଆଉ ନିବଦ୍ଧ ଘେନି (୬/୧୧)

 

ଯେଉଁ ଗୀତର ତାଳ, ମାନ ଆଦି ନ ଥାଏ, ତାହାକୁ ଅନିବଦ୍ଧ ଏବଂ ଯେଉଁଥିରେ ତାଳ, ମାନ ଇତ୍ୟାଦି ରହିଥାଏ, ତାହାକୁ ନିବଦ୍ଧ ଗୀତ କୁହାଯାଏ । ନିବଦ୍ଧ ଗୀତ ଯଥାକ୍ରମେ ଶୁଦ୍ଧ, ଛାୟାଲଗ ଓ କ୍ଷୁଦ୍ରଗୀତ ଭେଦରେ ତ୍ରିବିଧ । ଏହାପରେ ତାଳର ସ୍ଵରୂପ ଓ ଭେଦ ସଂଗୀତ ଶାସ୍ତ୍ରାନୁଯାୟୀ ନିରୂପଣ କରାଯାଇଛି । ପରେ ପରେ ଶାସ୍ତ୍ରୀୟ ରୀତିରେ ଆଳାପ, ପ୍ରବନ୍ଧ, ପ୍ରବନ୍ଧର ଜାତି, ଛାୟାଲଗ, ତାଳର ଲକ୍ଷଣ, ମାତ୍ରା, ତାଳର କ୍ରିୟା, ତାଳଭେଦ ଆଦି ସଂପର୍କରେ ବିଚାର ଉପସ୍ଥାପିତ ହୋଇଛି । ଏହି ପ୍ରକାଣ୍ଡର ୭୮ ପଦରୁ ୮୬ ପଦ ପର୍ଯ୍ୟନ୍ତ ସମୁଦାୟ ୯ଟି ପଦ ସଂସ୍କୃତରେ ରଚିତ ଓ ଏହାକୁ ‘ଗ୍ରହଲୟ ନିରୂପଣମ୍‌’ ନାମରେ ନାମିତ କରାଯାଇଛି । ତାଳ ସଂପର୍କରେ ମଧ୍ୟ ବିସ୍ତୃତ ବିବରଣୀ ଏଥିରେ ପ୍ରଦତ୍ତ ହୋଇଛି ।

 

ସପ୍ତମ ପ୍ରକାଣ୍ଡର ନାମକରଣ କରାଯାଇଛି ‘ଗୀତ ନିରୂପଣମ୍‌’ । ୩୫ ଟି ସଂସ୍କୃତ ଶ୍ଳୋକ ମାଧ୍ୟମରେ ଗୀତ ବିଷୟରେ ତାତ୍ତ୍ୱିକ ଆଲୋଚନା କରାଯାଇଛି । ସାତୋଟି ସଂସ୍କୃତ, ଦୁଇଟି ଓଡ଼ିଆ ଓ ଗୋଟିଏ ପ୍ରାକୃତ ଗୀତର ଉଦାହରଣ ମାଧ୍ୟମରେ ବିଭିନ୍ନ ରାଗ ଓ ତାଳ ନିର୍ଣ୍ଣିତ ହୋଇଛି । ଜୟଦେବଙ୍କ ‘ଗୀତ ଗୋବିନ୍ଦ’ରୁ କେତୋଟି ସଂଗୀତ ଉଦ୍ଧାର କରାଯାଇଛି ।

 

ଅଷ୍ଟମ ପ୍ରକାଣ୍ଡର ନାମ ନୃତ୍ୟ ନିରୂପଣ । ସମୁଦାୟ ୨୫ଟି ଶ୍ଳୋକ ମାଧ୍ୟମରେ ନୃତ୍ୟ ଓ ନୃତ୍ୟ ସଂପର୍କିତ ବିଭିନ୍ନ ଆନୁଷଙ୍ଗିକ ବିଚାର ପ୍ରଦତ୍ତ ହୋଇଛି । ଏହି ପ୍ରକାଣ୍ଡ ରଚନାରେ ଯଦୁମଣି ‘ସଙ୍ଗୀତ କୌମୁଦୀ’ ଗ୍ରନ୍ଥର ସାହାଯ୍ୟ ନେଇଥିବା ବିଷୟ ସ୍ୱୀକାର କରିଛନ୍ତି -

 

ସଙ୍ଗୀତ କୌମୁଦୀତୟେମଜ୍ଞାନତିମିରାନ୍ତକୃତ

ସଙ୍ଗୀତ ବିଦ୍ୟା କୁମୁଦ ମୋଦିନୀ କଂ ନ ମୋଦୟେତ୍‍ ।

(୮/୨୫)

 

ଏଥିରେ ପ୍ରାସଙ୍ଗିକ ଭାବେ ନୃତ୍ୟ, ନୃତ୍ୟର ଲକ୍ଷଣ, ନୃତ୍ୟଭେଦ, ବିଭିନ୍ନ ପଦ, ସ୍ୱରାଦିର ସ୍ୱରୂପ ନିର୍ଦ୍ଦେଶ କରାଯିବା ସଙ୍ଗେ ସଙ୍ଗେ ନୃତ୍ୟର ବିଭିନ୍ନ ବିଭାଗ ସଂପର୍କରେ ତାଙ୍କର ରହିଥିବା ବିସ୍ତୃତ ଜ୍ଞାନର ପରିଚୟ ମିଳେ । ଓଡ଼ିଆ ଭାଷାରେ ଅଳଙ୍କାର ଶାସ୍ତ୍ରର ବିଭିନ୍ନ ବିଭାଗକୁ ନେଇ ଅଳ୍ପକେତୋଟି ଗ୍ରନ୍ଥ ରଚନା କରାଯାଇଥିଲେ ହେଁ ‘କବି କଳ୍ପଦ୍ରୁମ’ ହେଉଛି ବାସ୍ତବରେ ଓଡ଼ିଆ ଭାଷାରେ ପ୍ରଥମ ଅଳଙ୍କାର ଶାସ୍ତ୍ର ।

 

ଯଦୁମଣି ରାଉତରାୟଙ୍କ ପରେ ଏହି ଧାରାରେ ଅନ୍ୟତମ ଆଳଙ୍କାରିକ ହେଉଛନ୍ତି ଲୋକନାଥ ବିଦ୍ୟାଧର । ଏହାଙ୍କ ସମୟ ୧୬୪୦ରୁ ୧୭୧୫ ଖ୍ରୀ: ମଧ୍ୟରେ ନିରୂପିତ । ଲୋକନାଥ ବିଦ୍ୟାଧରଙ୍କ ‘ପ୍ରେମାଳଙ୍କାର’ ହେଉଛି ଏକ କ୍ଷୁଦ୍ର ଅଳଙ୍କାର ଗ୍ରନ୍ଥ । ଏଥିରେ ପ୍ରେମର ବିକାଶ କ୍ଷେତ୍ରରେ ନାୟିକା ନିକଟରେ ପରିଦୃଷ୍ଟ ହେଉଥିବା ବିଭିନ୍ନ ଭାବ, ଅଳଙ୍କାର ଶାସ୍ତ୍ରସମ୍ମତ ଅଷ୍ଟବିଂଶ ଅଳଙ୍କାର, ଅଷ୍ଟସାତ୍ତ୍ୱିକ ଲକ୍ଷଣ, ସାତପ୍ରକାର ପ୍ରେମ ଭେଦ, ଦଶପ୍ରକାର କାମଦଶା ଓ ପ୍ରେମୋଦ୍ରେକର ବିଭିନ୍ନ ଲକ୍ଷଣ ଆଲୋଚନା ହୋଇଛି । ଯୌବନରେ ନାୟିକମାନଙ୍କଠାରେ ଅଠେଇଶଟି ଅଳଙ୍କାର ଦେଖାଯାଇଥାଏ । ମାତ୍ର ଲୋକନାଥ ବିଦ୍ୟାଧର ଭାବ, ହାବ, ହେଳା, ଶୋଭା, କାନ୍ତି, ଦୀପ୍ତି, ମାଧୁର୍ଯ୍ୟ, ପ୍ରଗଳ୍‌ଭତା, ଔଦାର୍ଯ୍ୟ, ଧୈର୍ଯ୍ୟ ଲୀଳା, ବିଳାସ, ବିଚ୍ଛିତ୍ତି, ବିଭ୍ରମ, କ୍ରୋଧ (ସାହିତ୍ୟ ଦର୍ପଣରେ ଏହା ‘ତପନ’) କିଳକିଞ୍ଚିତ, କୁଟ୍ଟମିତ, ମୋଟ୍ଟାଇତ, ବିବ୍ୱୋକ, ଲଳିତ, ମଦ, ବ୍ୟାହୃତି, ମୁଗ୍‌ଧ, ଚକିତ, ବିକ୍ଷେପ- ଏହିପରି ପଚିଶଗୋଟି ଅଳଙ୍କାର ସଂପର୍କରେ ଆଲୋଚନା କରାଯାଇଛି । ନାୟିକାର ଅଷ୍ଟବିଂଶତି ଲକ୍ଷଣ ପର୍ଯ୍ୟାୟରେ କବି ‘ସାହିତ୍ୟ ଦର୍ପଣ’କୁ ଅନୁସରଣ କରିଥିବାର ଜଣାଯାଏ । ଯେପରି ‘ଔଦାର୍ଯ୍ୟ’ ସଂପର୍କରେ ‘ସାହିତ୍ୟ ଦର୍ପଣ’ରେ ଲେଖାଯାଇଛି –

 

‘‘ଔଦାର୍ଯ୍ୟଂ ବିନୟଃ ସଦା ସଦା’’ ।

 

ଏହାର ଅନୁସରଣରେ ଲୋକନାଥ ବିଦ୍ୟାଧର ଲେଖିଛନ୍ତି-

 

ବ୍ୟାଜେ ହେଲେ ମୁଁ ସରୋଷ ହେବାର

କିପରି ବିକାରରୁ ଜାଣୁ ମୋର

ପୋତି ବଦନ ନ ପଚାରୁ ହସି

କିମ୍ପା ଏ କୋପ ମୁଁ ନୁହଇ ଦୋଷୀ

ଔଦାର୍ଯ୍ୟ ତୋ’ର ଗୋ

ନିଶ୍ଚୟେ ମନମୋହିବା ମନ୍ତର

(୧୧ ପଦ)

 

ସେହିପରି ‘ଲୀଳା’ ବିଷୟରେ ‘ସାହିତ୍ୟ ଦର୍ପଣ’ରେ କୁହାଯାଇଛି-

 

ଅଙ୍ଗୈର୍ବେଗୈରଳଂ କାରୈଃ ପ୍ରେମିଭିର୍ବଚନୈରପି ।

ପ୍ରୀତି ପ୍ରୟୋଜିତୈ ଲୀଳାଂ ପ୍ରିୟସ୍ୟାନୁକୃତଂ ବିଦୁଃ

 

ଅର୍ଥାତ୍‌ ପ୍ରୀତି ଉତ୍ପାଦକ ଅଙ୍ଗଭଙ୍ଗୀ, ବେଶ, ଅଳଙ୍କାର ଓ ବଚନରେ ପ୍ରିୟକୁ ଅନୁକରଣ କରିବା ହେଉଛି ଲୀଳା । ‘ପ୍ରେମାଳଙ୍କାର’ରେ ଏ ସଂପର୍କରେ ଲେଖାଯାଇଛି-

 

ପ୍ରିୟେ କି କହିବି ଲୀଳା ଚରିତ

ମୋ ଇଙ୍ଗିତୁ କରି ଜାଣୁ ତୁରିତ

ପ୍ରଶଂସିଲେ ମୁଁ ଚନ୍ଦ୍ରମା ରୀତିକି

ଚତ୍ତ୍ୱରେ ସଖୀକରେ ସୁପାତିକି ।

ପକାଉ ମୋଦରେ ଗୋ

ତିନିପୁରେ କେ ଚତୁରୀ ତୋ ଦରେ

(୧୩ ପଦ)

 

ଅଳଙ୍କାର ଶାସ୍ତ୍ରରେ ଅଷ୍ଟସାତ୍ତ୍ୱିକ ଭାବ ସମ୍ବନ୍ଧରେ କୁହାଯାଇଛି-

 

ସ୍ତମ୍ଭଃ ସ୍ଵେଦୋଦ୍ଧଥ ରୋମାଞ୍ଚଃ ସ୍ଵରଭଙ୍ଗୋଦ୍ଧଥ ବେପଥୁଃ

ବୈବର୍ଣ୍ଣ୍ୟମଶ୍ରୁପ୍ରଳୟ ଇତ୍ୟଷ୍ଟୌ ସାତ୍ତ୍ୱିକାଃ ସ୍ମୃତାଃ

(ସାହିତ୍ୟ ଦର୍ପଣ- ୩ୟ ପରିଚ୍ଛେଦ)

 

ଅର୍ଥାତ୍‌ ସ୍ତମ୍ଭ ସ୍ୱେଦ, ରୋମାଞ୍ଚ, ସ୍ଵରଭଙ୍ଗ, ବେପଥୁ, ବୈବର୍ଣ୍ଣ୍ୟ, ଅଶ୍ରୁ ଓ ପ୍ରଳୟ - ଏହି ଆଠଟି ହେଉଛି ସାତ୍ତ୍ୱିକ ଭାବ । ଭୟ, ହର୍ଷ ବା ରୋଗରୁ ଯେଉଁ ଚେଷ୍ଟାଶୂନ୍ୟତା ତାକୁ ସ୍ତମ୍ଭ କୁହାଯାଏ । ରତିକ୍ରୀଡ଼ା, ଗରମ ଓ ଶ୍ରମ ପ୍ରଭୃତି କାରଣରୁ ଶରୀରରୁ ଝାଳ ବୋହିବାକୁ ସ୍ଵେଦ; ହର୍ଷ, ଅଦ୍ଭୁତ, ଭୟାଦିରୁ ଯେଉଁ ରୋମ ବିକ୍ରିୟା ପରିଲକ୍ଷିତ ହୋଇଥାଏ । ତାକୁ ରୋମାଞ୍ଚ ଏବଂ ସେହିପରି ଅନ୍ୟାନ୍ୟ ସାତ୍ତ୍ୱିକ ଭାବର ବିଶ୍ଲେଷଣ ସାହିତ୍ୟ ଦର୍ପଣର ତୃତୀୟ ପରିଚ୍ଛେଦରେ ପରିଲକ୍ଷିତ ହୋଇଥାଏ । ପ୍ରେମାଳଂକାର କାବ୍ୟରେ ଅଷ୍ଟସାତ୍ତ୍ୱିକ ଲକ୍ଷଣ ସମ୍ବନ୍ଧରେ ସୂଚନା ଦିଆଯାଇଛି । ଏଠାରେ ମାତ୍ର ସେଥିରେ ପ୍ରଦତ୍ତ ଉପରୋକ୍ତ ତିନୋଟି ସାତ୍ତ୍ୱିକଭାବର ଲକ୍ଷଣ ଉଦ୍ଧାର କରାଯାଉଛି-

 

ଆଠପ୍ରକାର ସାତ୍ତ୍ୱିକ ବିକାର,

ରକ୍ଷିତ ହୋୟେ ରତିକାଳେ ତୋ’ର

ସହଜେ ତ ଶ୍ରମୁ ଜନତମ ସ୍ଵେଦ,

ମୁଖାସ୍ଵାଦନୁ ସ୍ତମ୍ଭ କରେ ପଦ ।

ରସନା ବୁଲାଇ ଯେ,

ଫୁଙ୍କନ୍ତେ ରୋମ ପୁଲକଇ ।       (୩୦ ପଦ )

 

ଅଳଙ୍କାର ଶାସ୍ତ୍ରାନୁଯାୟୀ ପୂର୍ବରାଗ ବିପ୍ରଲମ୍ଭରେ ଅଭିଳାଷ, ଚିନ୍ତା, ସ୍ମୃତି, ଗୁଣକଥନ, ଉଦ୍‌ବେଗ, ସଂପ୍ରଳାପ, ଉନ୍ମାଦ, ବ୍ୟାଧି, ଜଡ଼ତା, ମରଣ- ଏହିପରି କାମ ଦଶଦଶା ସୃଷ୍ଟି ହୋଇଥାଏ । ପ୍ରେମାଳଙ୍କାର କାବ୍ୟରେ ‘ଦଶାଦଶକ’ ପର୍ଯ୍ୟାୟରେ ଏହାର ସୂଚନା ଦିଆଯାଇ କୁହାଯାଇଛି :

 

ତୋ ସୂର୍ଯ୍ୟ ସମୟ ଉଦୟ ହେଲେ,

ସ୍ମର ଦଶାଦଶ ଲଭୁ ତୁ ଭଲେ

ପୃଥକ ଶୟନୁଁ ହୋଏ ଲାଳସା ।

ଏକ ଶୟନରେ ହୁଅଇ ଆଶା

ସେ ବିଭା ନ ପଡ଼େ ଯେ,

ଯେଣୁ ଇଚ୍ଛା ତେଣୁ ଇଚ୍ଛାୟେ ପଡ଼େ (୪୩ ପଦ)

ସେ ରୁଚି ଉନ୍ମିହୁଁ କୃଶ ଶରୀର,

ବିଧି ଧିକ୍‌କାରେ ବୈରାଗୀ ତୋ’ର

ଭୂମି ଲୁଠନ ଉନୁମାଦ,

ପାଶେ ଥିବା ପରି ଅଣ୍ଡାଳୁ ହୃଦ

ମୋ’ର ତହିଁ ହୋଉ ଯେ,

ଦଶମ ଦଶାକୁ ବର୍ଣ୍ଣିକି ଆଉ (୪୪ ପଦ)

 

‘ପ୍ରେମାଳଙ୍କାର’ କାବ୍ୟରେ ପ୍ରେମର ଯେଉଁ ସାତ ପ୍ରକାର ଅବସ୍ଥା ସଂପର୍କରେ ଉଲ୍ଲେଖ କରାଯାଇଛି । ସେଗୁଡ଼ିକ ହେଲା- ବିଶ୍ରୟ ପ୍ରଣୀୟ, ଅନୁରାଗ, ପ୍ରେମ ବୈଚିତ୍ର୍ୟ, ଅନୁଭାବ, ରଢ଼ଭାବ, ଅଧିରଢ଼ ଭାବ ଓ ବିଭାବ । ଏତଦ୍‌ବ୍ୟତୀତ ଏଥିରେ ପ୍ରେମୋଦ୍ରେକର ଯେଉଁ ଲକ୍ଷଣ ଦିଆଯାଇଛି, ସେଥିରେ କାମଶାସ୍ତ୍ରର ପ୍ରଭାବ ସ୍ପଷ୍ଟ ।

 

ଅଳଙ୍କାର ଗ୍ରନ୍ଥ ରଚନା ପରମ୍ପରାରେ କବି ସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କର ଅବଦାନ ଅତୁଳନୀୟ । ସଂସ୍କୃତ ଅଳଙ୍କାର ଶାସ୍ତ୍ରମାନଙ୍କରେ ତାଙ୍କର ରହିଥିଲା ଅଗାଧ ପ୍ରବେଶ । ‘ରସ ମଞ୍ଜରୀ’, ‘ରସ ପଞ୍ଚକ’ ଓ ‘ଚିତ୍ରକାବ୍ୟ ବନ୍ଧୋଦୟ’- ଏହିପରି ତିନିଗୋଟି ଅଳଙ୍କାର ଗ୍ରନ୍ଥ ରଚନା କରିଥିଲେ ହେଁ, ତାଙ୍କର ବିଭିନ୍ନ କାବ୍ୟରେ ଅଳଙ୍କାର ଶାସ୍ତ୍ରର ବହୁବିଧ ବିଭବ ସର୍ବତ୍ର ବିରାଜିତ । ଏହି ଆଲୋଚନାରେ ତାଙ୍କର ତିନୋଟି ଅଳଙ୍କାର ଗ୍ରନ୍ଥ ସଂପର୍କରେ ସାମାନ୍ୟ ସୂଚନା ପ୍ରଦାନ କରାଯାଉଛି ମାତ୍ର । ଏଠାରେ କହି ରଖିବା ଉଚିତ ଯେ, କବିଙ୍କ ‘ରସମଞ୍ଜରୀ’ର ଅସଂପୂର୍ଣ୍ଣ ରୂପ ହିଁ ବର୍ତ୍ତମାନ ଆମ ନିକଟରେ ଉପଲବ୍‌ଧ । ଏହି ଆଲୋଚନାରେ ଓଡ଼ିଆ ଗବେଷଣା ପରିଷଦ ଦ୍ୱାରା ପ୍ରକାଶିତ ‘ରସ ମଞ୍ଜରୀ’ (ହରେକୃଷ୍ଣ ପାତ୍ରଙ୍କ ସଂପାଦିତ) ଗ୍ରନ୍ଥଟିକୁ ଗ୍ରହଣ କରାଯାଇଛି ।

 

‘ରସ ମଞ୍ଜରୀ’ ଗ୍ରନ୍ଥର ଖଣ୍ଡିତାଂଶଟି ବର୍ତ୍ତମାନ ଉପଲବ୍‌ଧ ହେଉଥିଲେ ହେଁ କବିଙ୍କ ସ୍ଵୀକାରୋକ୍ତିରୁ ଏହି ଗ୍ରନ୍ଥର ପରିକଳ୍ପନା ଓ ବିଷୟ ସଜ୍ଜୀକରଣ ସଂପର୍କରେ ସ୍ପଷ୍ଟ ରୂପେ ସୂଚନା ମିଳିଥାଏ । ଏହି ଗ୍ରନ୍ଥ ରଚନାର ଅନ୍ତରାଳରେ କବି କଳ୍ପଲତା, କାବ୍ୟ ପ୍ରକାଶ ଓ କାମଶାସ୍ତ୍ରର ପ୍ରଭାବ ରହିଥିବା ଜଣାଯାଏ । ‘ରସ ମଞ୍ଜରୀ’ର ପ୍ରଥମ ଗୁଚ୍ଛର ପ୍ରଥମ ପୁଷ୍ପରେ ଗ୍ରନ୍ଥର ପରିକଳ୍ପନା ସମ୍ବନ୍ଧରେ କବିଙ୍କ ସ୍ଵୀକାରୋକ୍ତି ହେଉଛି-

 

କରିବି ରସ ମଞ୍ଜରୀ ପ୍ରବନ୍ଧ ରଚିତ ।

ପୁଷ୍ପଗୁଚ୍ଛ ପ୍ରକାଶେ ମୋହିବ ଜନ ଚିତ୍ତ ଯେ ।୪।

ଚାରିଗୁଚ୍ଛ ଷୋଡ଼ଶ ପୁଷ୍ପରେ ହେବ ପୂର୍ଣ୍ଣ ।

କବିତ୍ୱ ସୁବାସେ ଜନ ଭୃଙ୍ଗ ଦିଅ ମନ ଯେ ।୧୦।

 

ଗ୍ରନ୍ଥରେ ପୁଷ୍ପଗୁଡ଼ିକର ସଜ୍ଜୀକରଣ ବିଧି ବିଷୟରେ କବି ସୂଚନା ଦେଇ କହିଛନ୍ତି –

 

ସେ ରସଠାରେ ଯେ ପୁଣି ପ୍ରଧାନ ଅଟଇ

ମତକେ ମତକେ ଅଷ୍ଟ, ନବ, ଦଶ ହୋଇଯେ

ଦୋଷ, ନିର୍ଦ୍ଦୋଷ, ଉପମା, ଉତ୍‌ପେକ୍ଷା ସୁଦୃଷ୍ଟି

ସପତ ବିଧିରେ ଶ୍ଲେଷ, ଅନୁପ୍ରାସ ସୃଷ୍ଟି ଯେ ।

ସପ୍ତ ପ୍ରକାରେ ଯମକ ରୂପକାଳଙ୍କାର

ବକ୍ର ଉକ୍ତି, ଛଳ ପୁଣ ରସ ବ୍ୟଭିଚାର ଯେ

ଛନ୍ଦ, ବନ୍ଧ, ନାୟିକା- ନାୟକ ସୁଲକ୍ଷଣ

ଉଦ୍ଦୀପନ, ଆଲମ୍ବନ, ସଞ୍ଚାରିକା ଗୁଣ ଯେ

ବିପ୍ରଲମ୍ଭ ସମ୍ଭୋଗ ଶୃଙ୍ଗାର ଦୁଇ ବିଧି

ନୀଳି କୁସୁମ ମଞ୍ଜିଷ୍ଠା ଅନୁରାଗ ସାଧି ଯେ (୧/୫-୮)

 

ପ୍ରଥମ ପୁଷ୍ପରେ ସେ ରସ ସଂପର୍କରେ ଆଲୋଚନା କରିଛନ୍ତି । ରସର ସଂଖ୍ୟା ସମ୍ବନ୍ଧରେ ଆଚାର୍ଯ୍ୟମାନଙ୍କ ମଧ୍ୟରେ ରହିଥିବା ମତଦ୍ୱୈଧ ସଂପର୍କରେ ସେ ଥିଲେ ସଂପୂର୍ଣ୍ଣ ସଚେତନ । ତାଙ୍କରି ଭାଷାରେ କହିବାକୁ ଗଲେ-

 

ସେ ରସଠାରେ ଯେ ପୁଣି ପ୍ରଧାନ ଅଟଇ ।

ମତକେ ମତକେ ଅଷ୍ଟ, ନବ, ଦଶ ହୋଇ ଯେ । (୧/୫)

 

ଭରତଙ୍କ ‘ନାଟ୍ୟଶ୍ରାସ୍ତ୍ର’ରେ ଆଠୋଟି ରସ ବିଷୟରେ ଉଲ୍ଲେଖ ରହିଥିବାବେଳେ, ଆଚାର୍ଯ୍ୟ ଅଭିନବ, ରୁଦ୍ରଟ, ଆନନ୍ଦବର୍ଦ୍ଧନ ଜଗନ୍ନାଥ ଏପରିକି ଏମାନଙ୍କ ପୂର୍ବରୁ ବୌଦ୍ଧ ଆଳଙ୍କାରିକ ରାହୁଳ ‘ଶାନ୍ତ’ ରସକୁ ନବମ ରସ ଭାବରେ ଗ୍ରହଣ କରିଛନ୍ତି । ବିଶ୍ଵନାଥ କବିରାଜ ଦଶମ ରସ ରୂପେ ‘ବାତ୍ସଲ୍ୟ’ ରସକୁ ସ୍ଵୀକାର କରିଛନ୍ତି । ଉପେନ୍ଦ୍ର ‘ରସମଞ୍ଜରୀ’ରେ ଶୃଙ୍ଗାର, ବୀର, କରୁଣ, ଅଦ୍ଭୁତ, ହାସ୍ୟ, ଭୟାନକ ବୀଭତ୍ସ, ରୌଦ, ଶାନ୍ତ, ବାତ୍ସଲ୍ୟ- ଏହିପରି ଦଶଟି ରସ ସଂପର୍କରେ ଆଲୋଚନା କରିଛନ୍ତି । ‘ରସ ମଞ୍ଜରୀ’ ସଜ୍ଜୀକରଣ ଅନୁଯାୟୀ ଏଥିରେ ରସ, କାବ୍ୟଦୋଷ, କାବ୍ୟ ନିର୍ଦ୍ଦୋଷ ବା ଗୁଣ, ଉପମା, ଉତ୍‍ପ୍ରେକ୍ଷା, ସୁଦୃଷ୍ଟି, ଶ୍ଲେଷ, ଅନୁପ୍ରାସ, ସପ୍ତପ୍ରକାର ଯମକ, ରୂପକ, ଅଳଙ୍କାର, ବକ୍ରୋକ୍ତି, ଛଳ, ରସ ବ୍ୟଭିଚାର, ଛନ୍ଦ, ବନ୍ଧ, ନାୟିକା-ନାୟକ ଲକ୍ଷଣ, ଉଦ୍ଦୀପନ, ଆଲମ୍ବନ, ସଞ୍ଚାରୀ ଭାବ, ବିପ୍ରଲମ୍ଭ ଓ ସମ୍ଭୋଗ ଶୃଙ୍ଗାର ଭେଦ, ନୀଳୀ- କୁସୁମ୍ଭ-ମଞ୍ଜିଷ୍ଠା ରାଗ ଆଦି କ୍ରମାନ୍ୱୟରେ ବର୍ଣ୍ଣନା କରାଯିବା କଥା । କିନ୍ତୁ ସଂପୂର୍ଣ୍ଣ ଗ୍ରନ୍ଥ ଉପଲବ୍‌ଧ ହେଉ ନ ଥିବାରୁ ସୂଚିତ କେତୋଟି ଦିଗ ଅନାଲୋଚିତ ରହିଯାଇଛି ।

 

କାବ୍ୟର ଦୋଷ-ଗୁଣ ଆଲୋଚନା ସମୟରେ ଉପେନ୍ଦ୍ର ଆଚାର୍ଯ୍ୟ ମମ୍ମଟଙ୍କ ପଥ ଅବଲମ୍ବନ କରିଥିବା ପରି ଜଣାଯାଏ । ଆଚାର୍ଯ୍ୟ ମମ୍ମଟ ‘କାବ୍ୟ ପ୍ରକାଶ’ରେ ୧୦ଟି ପଦଦୋଷ, ୨୧ଟି ବାକ୍ୟଦୋଷ, ୨୩ଟି ଅର୍ଥଦୋଷ ଓ ୧୩ଟି ରସଦୋଷ, ଏହିପରି ସମୁଦାୟ ୭୩ଟି ଦୋଷ ବିଷୟରେ ଉଲ୍ଲେଖ କରିଛନ୍ତି । ଉପେନ୍ଦ୍ର ଉପରୋକ୍ତ ସମସ୍ତ ଦୋଷ ଆଲୋଚନା କରି ପାରି ନଥିଲେ ହେଁ, ‘ଅଶ୍ଲିଷ୍ଟାର୍ଥ, ପୁନରୁକ୍ତି, ପର୍ଯ୍ୟାୟ ଅର୍ଥ, ଅଜ୍ଞତା, ଯତିଭଙ୍ଗ, ବ୍ୟସ୍ତପଦ, ଗୁପ୍ତ ଏବଂ କର୍ଣ୍ଣକଟୁ- ଏହିପରି ଅଳ୍ପକେତୋଟି ଦୋଷର ଉଦାହରଣ ଦେଇଛନ୍ତି । ଉଦାହରଣ ସ୍ୱରୂପ ଗୋଟିଏ କଥାକୁ ଏକ ପଦ୍ୟାଂଶ ମଧ୍ୟରେ ବାରମ୍ବାର ବ୍ୟବହାର କଲେ ତାହା ବାକ୍ୟଗତ ପୁନରୁକ୍ତି ଦୋଷ ଏବଂ ଗୋଟିଏ ପଦକୁ ବାରମ୍ବାର ବ୍ୟବହାର କଲେ ପଦଗତ ପୁନରୁକ୍ତି ଦୋଷ ହୋଇଥାଏ ବୋଲି ଉପେନ୍ଦ୍ର କହିଛନ୍ତି -

 

ଏକା ଚଉପଦୀକେ ନ ଥିବ ତାହିଁ ତାହିଁ

ଏକ ବଚନେ ବହୁତ ବିଧାନ ନ ଦେଇ ଯେ (୨/୨)

 

ବେଳେବେଳେ କବି ନିଜର ଅଯଥା ପାଣ୍ଡିତ୍ୟ ପ୍ରଦର୍ଶନ କରିବାକୁ ଯାଇ ଶ୍ରୁତିକଟୁ ଶବ୍ଦର ବ୍ୟବହାର କରିଥାନ୍ତି । ଏହାଦ୍ଵାରା ପାଠକର ରସୋପ୍‌ଲବ୍‌ଧିରେ ପ୍ରତିବନ୍ଧକ ସୃଷ୍ଟି ହୋଇଥାଏ । ଏ ପ୍ରକାର ଦୋଷକୁ କର୍ଣ୍ଣକଟୁ ଦୋଷ କୁହାଯାଇଥାଏ । ଉପେନ୍ଦ୍ରଙ୍କ ଭାଷାରେ କହିଲେ- ।

 

କର୍ଣ୍ଣକଟୁ ଶବ୍ଦକୁ ପ୍ରୟୋଗ ନ କର

ପଦ୍ମବକ୍ତ୍ର, ଗ୍ଲୌବଦନା ଇତ୍ୟାଦି ଶବ୍ଦର ହେ । (୨/୮)

 

ଦୋଷ ନିରୂପଣ କ୍ଷେତ୍ରରେ ଉପେନ୍ଦ୍ରଙ୍କର କେତେକ କ୍ଷେତ୍ରରେ ମୌଳିକ ଦୃଷ୍ଟିଭଙ୍ଗୀ ପରିଲକ୍ଷିତ ହୋଇଥାଏ । ଯେପରି ସଂସ୍କୃତ ଅଳଙ୍କାର ଶାସ୍ତ୍ରରେ ପରିଲକ୍ଷିତ ଅଧିକ ପଦତା ଓ ନ୍ୟୁନପଦତା ଦୋଷ ଦୁଇଟିକୁ ସେ ପ୍ରଚୁର-ଅପ୍ରଚୁର ଶବ୍ଦ ଦୋଷ ରୂପେ ଅଭିହିତ କରିବା ସଙ୍ଗେ ସଙ୍ଗେ କବିତ୍ୱର ସ୍ଵତଃସ୍ଫୁର୍ତ୍ତ ପ୍ରକାଶ ପାଇଁ ଏ ପ୍ରକାର ଦୋଷକୁ ସେ ନିର୍ଦ୍ଦୋଷ ବୋଲି କହିବା ସଙ୍ଗେ ସଙ୍ଗେ ରସ ସୃଷ୍ଟିରେ ପ୍ରତିବନ୍ଧକ ସୃଷ୍ଠି କରୁ ନଥିବା କାବ୍ୟଦୋଷ ଗ୍ରହଣୀୟ ବୋଲି କହିଛନ୍ତି ।

 

ଅଳଙ୍କାର ପ୍ରସଙ୍ଗରେ ସେ ସମୁଦାୟ ନଅଗୋଟି ଶବ୍ଦାଳଙ୍କାର ଏବଂ ଅର୍ଥାଳଙ୍କାର ଆଲୋଚନା କରିବା ସଙ୍ଗେ ସଙ୍ଗେ ସେମାନଙ୍କର ବିଭିନ୍ନ ଭେଦ ବିଷୟରେ ଉଲ୍ଲେଖ କରିଛନ୍ତି । ଦୃଷ୍ଟି, ଶ୍ଲେଷ, ଅନୁପ୍ରାସ, ଯମକ, ରୂପକ, ବକ୍ରୋକ୍ତି, ବିରୋଧାଭାସ, ଉପମା, ଉତପ୍ରେକ୍ଷା- ଏହି ନଅଟି ଅଳଙ୍କାର ସମ୍ବନ୍ଧରେ ଆଲୋଚନା କରାଯାଇଛି । ଶବ୍ଦାଳଙ୍କାର ଶ୍ଲେଷର ଉପବିଭାଗ ରୂପେ ସେ ଭାଷାଶ୍ଲେଷ, ବର୍ଣ୍ଣଶ୍ଲେଷ, ଅଭଙ୍ଗଶ୍ଲେଷ, ସଭଙ୍ଗଶ୍ଲେଷ, ଛଳଶ୍ଲେଷ, ପର୍ଯ୍ୟାୟଭଙ୍ଗ ଶ୍ଲେଷ ଓ ଭଙ୍ଗାଭଙ୍ଗ ଶ୍ଲେଷର ଆଲୋଚନା କରିବା ସଙ୍ଗେ ସଙ୍ଗେ ଅନୁପ୍ରାସ ମଧ୍ୟରେ ବୃତ୍ତ୍ୟନୁପ୍ରାସ, ଅକ୍ଷରାନୁପ୍ରାସ, ଛେକାନୁପ୍ରାସ ତଥା ଯମକର ଉପବିଭାଗ ଭାବରେ ଆଦ୍ୟଯମକ, ମଧ୍ୟଯମକ, ପ୍ରାନ୍ତ ଯମକ, ଆଦ୍ୟପ୍ରାନ୍ତ ଯମକ, ମଧ୍ୟ ପ୍ରକାର ଯମକ, ତ୍ରିଭଙ୍ଗୀ ଯମକ, ମାଳଯମକ ଓ ମହାଯମକ ଆଦିର ଆଲୋଚନା ହୋଇଛି । ଅର୍ଥାଳଙ୍କାର ମଧ୍ୟ ଉପମା ଓ ତାର ବିଭିନ୍ନ ଭେଦ, ରୂପକ, ବିରୋଧାଭାସ, ଦୃଷ୍ଟାନ୍ତ, ଉତ୍‌ପ୍ରେକ୍ଷା ଆଦିର ଉଦାହରଣ ପ୍ରଦତ୍ତ ହୋଇଛି । ଶରୀରର ବିଭିନ୍ନ ଅଙ୍ଗ ବର୍ଣ୍ଣନାରେ ବହୁ ଉପମାଳଂକାରର ବ୍ୟବହାର କରିବା ସହିତ ଦେବଚରିତ୍ର ବର୍ଣ୍ଣନାରେ ପାଦଠାରୁ ଶିର ପର୍ଯ୍ୟନ୍ତ ଏବଂ ମାନବ ଚରିତ୍ର ବର୍ଣ୍ଣନାରେ ଶିରଠାରୁ ପାଦ ପର୍ଯ୍ୟନ୍ତ ଅଳଙ୍କାର ଶାସ୍ତ୍ର ନିୟମାନୁସାରେ ପ୍ରଦତ୍ତ କରାଯାଇଛି ।

 

ଏହା ବ୍ୟତୀତ ଚିତ୍ରବନ୍ଧ ସମ୍ବନ୍ଧରେ କେତେଗୁଡ଼ିଏ ଉଦାହରଣ ‘ରସମଞ୍ଜରୀ ରେ ପରିଲକ୍ଷିତ ହୋଇଥାଏ । ପ୍ରାଚ୍ୟ ଅଳଙ୍କାର ଶାସ୍ତ୍ରରେ କାବ୍ୟକୁ ତିନିଭାଗରେ ବିଭକ୍ତ କରାଯାଇଥାଏ । ଯଥା-ଧ୍ଵନି କାବ୍ୟ ବା ଉତ୍ତମକାବ୍ୟ, ଗୁଣୀଭୂତ ବ୍ୟଙ୍ଗ୍ୟକାବ୍ୟ ବା ମଧ୍ୟମକାବ୍ୟ ଓ ଚିତ୍ରକାବ୍ୟ ବା ଅଧମ କାବ୍ୟ । ଚିତ୍ରକାବ୍ୟରେ କବିତ୍ୱ ଅପେକ୍ଷା ପାଣ୍ଡିତ୍ୟର ପରାକାଷ୍ଠା ଅଧିକ ଦେଖାଯାଏ । ‘ରସମଞ୍ଜରୀ’ରେ ଉପେନ୍ଦ୍ର ଛନ୍ଦ ଓ ବନ୍ଧର ବିଭିନ୍ନ ଉଦାହରଣ ଦେଇଛନ୍ତି । ସପ୍ତଶଳାକା, ଅନ୍ତଲିପି, ଗୋମୂତ୍ର, ସିଂହାବଲୋକନ, ଶାର୍ଦ୍ଦୂଳ ବିକ୍ରୀଡ଼ିତ ଓ ଶୃଙ୍ଖଳାକୁ ଛନ୍ଦ ରୂପେ ତଥା ପଦ୍ମ, ସ୍ଵସ୍ତିକ ଏବଂ ଛତ୍ରକୁ ଚିହ୍ନିତ କରିଛନ୍ତି ।

 

ଅଳଙ୍କାର ଶାସ୍ତ୍ରମାନଙ୍କରେ ନାୟିକାଭେଦ ଆଲୋଚନା ପର୍ଯ୍ୟାୟରେ ସେମାନଙ୍କର ଅଳଙ୍କାର ବିଷୟରେ ଆଲୋଚନା କରାଯାଇଥାଏ । ‘ସାହିତ୍ୟ ଦର୍ପଣ’ ଅନୁଯାୟୀ ଯୌବନରେ ନାୟିକାମାନଙ୍କଠାରେ ଶୃଙ୍ଗାର ଅଭିବ୍ୟଞ୍ଜକ ସତ୍ତ୍ୱଗୁଣର ଉଦ୍ରେକ ଯୋଗୁ ଅଠେଇଶଟି ଅଳଙ୍କାର ଦେଖାଯାଇଥାଏ । ‘ସାହିତ୍ୟ ଦର୍ପଣାକାର’ଙ୍କ ଭାଷାରେ : .

 

ଯୌବନେ ସତ୍ତ୍ୱଜାସ୍ତାସାମଷ୍ଟାବିଂଶତି ସଂଖ୍ୟକାଃ

ଅଳଙ୍କାରାସ୍ତତ୍ରଭାବହାବ ହେଳାସ୍ତ୍ରୟୋଦ୍ଧଙ୍ଗଜାଃ

ଶୋଭା କାନ୍ତିଶ୍ଚ ଦୀପ୍ତିଶ୍ଚ ମାଧୁର୍ଯ୍ୟଂ ଚ ପ୍ରଗଳ୍‌ଭତା

ଔଦାର୍ଯ୍ୟଂ ଧୈଯମିତ୍ୟେତେ ସପ୍ତୈବସ୍ୟୁରଯତ୍ନଜାଃ

ଲୀଳା ବିଳାସୋ ବିଚ୍ଛିତ୍ତିର୍ଜିବ୍ଦୋକଃ କିଳକିଞ୍ଚତମ୍‌

ମୋଟ୍ଟାୟିତଂ କୁଟ୍ଟମିତଂ ବିଭ୍ରମୋ ଲଳିତୋ ମଦଃ

ବିହୃତଂ ତପନଂ ମୌଗ୍‌ଧ୍ୟଂ ବିକ୍ଷେପଶ୍ଚ କୁତୂହଳମ୍‌

ହସିତଂ ଚକିତଂ କେଳିରିତ୍ୟଷ୍ଟାଦଶ ସଂଖ୍ୟକାଃ

(ତୃତୀୟ ପରିଚ୍ଛେଦ)

 

ଏହି ଅଠେଇଶଟି ଅଳଙ୍କାର ମଧ୍ୟରୁ ଭାବ, ହାବ, ହେଳା ଏ ତିନୋଟି ଅଙ୍ଗଜ ଅର୍ଥାତ୍‌ ଯତ୍ନପୂର୍ବକ ଅଙ୍ଗଭଙ୍ଗୀରୁ ଜାତ ହୋଇଥାଏ । ଶୋଭା, କାନ୍ତି, ଦୀପ୍ତି, ମାଧୁର୍ଯ୍ୟ, ପ୍ରଗଳ୍‌ଭତା, ଔଦାର୍ଯ୍ୟ, ଧୈର୍ଯ୍ୟ- ଏହି ସାତୋଟି ଅଳଙ୍କାର ବିନା ଯତ୍ନରେ ନାୟିକାମାନଙ୍କଠାରେ ଉତ୍ପନ୍ନ ହୋଇଥାଏ । ଲୀଳା, ବିଳାସ, ବିଚ୍ଛିତ୍ତି, ବିବ୍‌ବୋକ, କିଳକିଞ୍ଚିତ, ମୋଟ୍ଟାୟିତ, କୁଟ୍ଟମିତ, ବିଭ୍ରମ, ଲଳିତ, ମଦ, ବିହୁତ, ତପନ, ମୌଗଧ୍ୟ, ବିକ୍ଷେପ, କୁତୂହଳ, ହସିତ, ଚକିତ, କେଳି- ଏହି ଅଠରଟି ସେମାନଙ୍କର ସ୍ୱାଭାବିକ ଅଳଙ୍କାର । ଏହିପରି ଅଙ୍ଗଜ ତିନି, ଅଯତ୍ନଜ ସାତ, ସ୍ଵଭାବଜ ଅଠର -ସମୁଦାୟ ଅଠେଇଶଟି ନାୟିକାମାନଙ୍କର ଯୌବନ କାଳରେ ହାରାଦି ପରି ଶୋଭାବର୍ଦ୍ଧକ ଅଳଙ୍କାର ଜାତ ହୋଇଥାଏ । ‘ରସମଞ୍ଜରୀ’ରେ କମ୍ପନ, କିଳ, କିଞ୍ଚିତ, ସଂଗ୍ରହ, ସୀତ୍କାର, ସାର, ପୌଲସ୍ତ୍ୟ ଆଦି ଅଳଙ୍କାର ଭିନ୍ନ ନାମ ଗ୍ରହଣ କରିଥିଲେ ହେଁ, ଆତ୍ମିକ ଦୃଷିରୁ ତାହା ସାହିତ୍ୟ ଦର୍ପଣର ଅନ୍ୟାନ୍ୟ ଅଳଙ୍କାରର ନାମାନ୍ତର ମାତ୍ର । ମାତ୍ର ଗୋଟିଏ ଦୁଇଟି ଉଦାହରଣରୁ ଉଭୟଙ୍କ ମଧ୍ୟରେ ଥିବା ସାମ୍ୟ ଅନୁଭବ କରିହେବ । ‘ସାହିତ୍ୟ ଦର୍ପଣ’ରେ ମୋଟ୍ଟାୟିତର ଲକ୍ଷଣ ହେଉଛି -

 

ତଦ୍‌ଭାବଭାବିତେ ଚିତ୍ତେବଲ୍ଲଭସ୍ୟ କଥାଦିଷୁ

ମୋଟ୍ଟାୟିତମିତି ପ୍ରାହୁଃ କର୍ଣ୍ଣକଣ୍ଡୂୟନାଦିକମ୍‌

 

ଅର୍ଥାତ୍‌ ସଖୀମାନେ ପ୍ରିୟକଥା ଆଲୋଚନା କରନ୍ତେ ନାୟିକା ଏକାନ୍ତ ଚିତ୍ତରେ କାନ କୁଣ୍ଡାଇବା, ହାଇମାରିବା, ନଖରେ ଭୂଇଁକୁ ଲେଖିବା ପ୍ରଭୃତି ନାୟିକାର ବିକାରକୁ ‘ମୋଟ୍ଟାୟିତ’ କୁହନ୍ତି-

 

ରସମଞ୍ଜରୀ ଭାଷାରେ :

କର୍ଣ୍ଣକଣ୍ଡୁ କରି ଜୃମ୍ଭା ସର୍ଜନ

ଉର୍ଦ୍ଧ୍ୱରେ କର କରଇ ଛନ୍ଦନ

ସେ କାଳେ ସଖୀ କହେ ହେମଗୋରି

ଏଗୋ ଆସିଛି ତୋତେ ଅନୁସରି

କନ୍ଦର୍ପଟି ଏହି

ଶୁଣି କପୋଳେ ପୁଲକ ପୁରୋଇ । ( ୨/ ୨୧)

 

ସାହିତ୍ୟ ଦର୍ପଣରେ ଲୀଳାର ଲକ୍ଷଣ-

ଅଙ୍ଗୈର୍ବେଷୈରଳଂକାରୈଃ ପ୍ରେମିଭିର୍ବଚନୈରପି

ପ୍ରୀତି ପ୍ରୟୋଜିତୈ ଲୀଳାଂ ପ୍ରିୟସ୍ୟାନୁକୃତଂ ବିଦୁଃ

 

ପ୍ରୀତି ଉତ୍ପାଦନ ଅଙ୍ଗଭଙ୍ଗୀ, ବେଶ, ଅଳଙ୍କାର ଓ ବଚନରେ ପ୍ରିୟକୁ ଅନୁକରଣ କରିବା ହେଉଛି ‘ଲୀଳା’ । ‘ରସ ମଞ୍ଜରୀ’ ଭାଷାରେ-

 

ସେ ବେଶ ନୋହିଲା ରୁଚି ମନକୁ

ଚେଟୀ ଘେନିଯାଇ ଗୋପ୍ୟସ୍ଥାନକୁ

ଜୁଡ଼ା ଭାଙ୍ଗି ଚୂଳ କଲା ଚପଳ

ତାଟଙ୍କ କାଢ଼ି ଘେନିଲା କୁଣ୍ଡଳ

ଚାହିଁ ଦର୍ପଣରେ

ଚୁମ୍ବନ ବିହିଲା ପ୍ରତିବିମ୍ବରେ । (୨/୧୬)

 

‘ରସମଞ୍ଜରୀ’ର ନାୟିକା ପ୍ରକରଣ ଅନ୍ୟତମ ଆକର୍ଷଣୀୟ ବିଭାବ । ସେ କାମଶାସ୍ତ୍ର ଓ ଅଳଙ୍କାର ଶାସ୍ତ୍ର ଆଧାରରେ ନାୟିକା ବିଭାଗୀକରଣ କରିବା ସମୟରେ ଏହାର ପାର୍ଥିବ ଓ ଅପାର୍ଥିବ ଦିଗପ୍ରତି ବିଶେଷ ଦୃଷ୍ଟି ପ୍ରଦାନ କରିଥିବା ପରି ଜଣାଯାଏ । ପାର୍ଥିବ ଜାତି ନିର୍ଦ୍ଧାରଣର ଭିତ୍ତି ଉପରେ ସେ ନାୟିକାକୁ ପଦ୍ମିନୀ, ଚିତ୍ରିଣୀ, ଶଙ୍ଖିନୀ ଓ ହସ୍ତିନୀ ଭେଦରେ ବିଭାଗୀକରଣ କରିଥିବା ସମୟରେ ଅପାର୍ଥିବ ଗୁଣ ଭିତ୍ତିରେ ସେ ନାରୀକୁ ଗନ୍ଧର୍ବସତ୍ତ୍ୱା, ଯକ୍ଷ ସତ୍ତ୍ୱା, ଦେବସତ୍ତ୍ୱା ଓ ପ୍ରେତସତ୍ତ୍ୱା- ଏହିପରି ଚାରିଭାଗରେ ବିଭକ୍ତ କରିଛନ୍ତି । ତୃତୀୟ ଗୁଚ୍ଛ ପ୍ରଥମ ପୁଷ୍ପ, ଦ୍ୱିତୀୟ ପୁଷ୍ପରେ ନାୟିକା ବିଭାଗୀକରଣ ପ୍ରସଙ୍ଗ ରହିଥିଲେ ହେଁ ଏହା ଅସଂପୂର୍ଣ୍ଣ । ଗୁଣ ଦୃଷ୍ଟିରୁ ସେ ଯେଉଁ ନାୟିକା ବିଭାଗୀକରଣ କରିଛନ୍ତି, ସେଥିରେ ଦେବସତ୍ତ୍ୱା ନାୟିକାକୁ ଶ୍ରେଷ୍ଠନାୟିକା ବୋଲି କହିଛନ୍ତି । ତାଙ୍କ ମତରେ-

 

ଦେବସତ୍ତ୍ୱା ମହାଲଜ୍ଜାଶୀଳା ବନ୍ଧ୍ୟାଧ୍ଵାନ୍ତ ସୁରତା ଚିତ୍ରଗତି

ପ୍ରସନ୍ନମୁଖୀ ମୃଦୁହାସୀ କଠିନସ୍ତନୀ ପରି ଅତି ଭଗତି

ସପତ୍ନୀହିଂସା ବିବର୍ଜିତା ଉଚ୍ଚନାସିକା

ତୁଙ୍ଗ ଖର୍ବ ଦୁଇ ଦେହେ ସମ୍ଭବଇ ଅତ୍ୟନ୍ତ ପ୍ରଧାନ ନାୟିକା । (୩/୧/୭)

 

ଅଳଙ୍କାର ଶାସ୍ତ୍ରଭିତ୍ତିରେ ସେ ପ୍ରଥମେ ନାୟିକାକୁ ସ୍ଵକୀୟା, ପରକୀୟା ଓ ସାଧାରଣୀ-ଏହିପରି ତିନିଭାଗରେ ବିଭକ୍ତ କରିଛନ୍ତି । ଏହାପରେ ତାର ଉପବିଭାଗ ମଧ୍ୟ କରିଛନ୍ତି । ଯଥା-

 

ସ୍ଵକୀୟା ପରକୀୟା ଯେ ସାଧାରଣୀ ବିଳାସବତୀ ଜଗତରେ

କ୍ରମେ ମୁଗ୍‌ଧା ମଧ୍ୟା ପ୍ରଗଳ୍‌ଭା ହୁଅନ୍ତି ବାର୍ଦ୍ଧକୀ ପୁଣି ତଦନ୍ତରେ

ମଧ୍ୟା ପ୍ରଗଳ୍‌ଭା ଧୀରା ଅଧୀରା ଧୀରାଧୀରା

ନବୋଢ଼ା ନୋହଇ ୟେତେ ହେଜି ଥିବ କ୍ରମ କଥନେ ହେବ ତୋରା । (୩/ ୧/ ୯)

 

ଅଳଙ୍କାର ଶାସ୍ତ୍ରରେ ପ୍ରଗଳ୍‌ଭା ଓ ପ୍ରୌଢ଼ା ଉଭୟକୁ ଏକବୋଲି ଗ୍ରହଣ କରାଯାଇଥିବା ସମୟରେ ଉପେନ୍ଦ୍ର ତା’ର ଦୁଇଟି ସ୍ଵତନ୍ତ୍ର ଭେଦର ପରିକଳ୍ପନା କରିଛନ୍ତି । ଅଳଙ୍କାର ଶାସ୍ତ୍ରରେ ସାଧାରଣ ନାୟିକାର କୌଣସି ଭେଦ ନ ଥିବା ସମୟରେ ଉପେନ୍ଦ୍ର ରସମଞ୍ଜରୀରେ ତାକୁ ସାଧାରଣୀ, ପ୍ରକାଶ୍ୟା, ରାମା ଓ ଛୋକାରୁଣୀ ଭେଦରେ ଚାରି ଭାଗରେ ବିଭକ୍ତ କରିଛନ୍ତି । ଯେପରି-

 

ବିବାହିତା ନାରୀ ସ୍ଵକୀୟା ମନାଇ ଯାହାକୁ ସେହି ପରକୀୟା

ଧନ ବିତରଣେ ଆଣି ଯେଉଁ ନାରୀ ପରଶ କରି ଅଶଂସୟା

 

ଯାହା ଜୀବିକା, ସେ କଥା ଜଗତେ ବିଖ୍ୟାତି

ସାଧାରଣୀ ହୋଇ ପ୍ରକାଶା ରାମା ଛୋକରୁଣୀ ଆଦି ଚାରିଜାତି ( ୩/ ୧/୧୦)

 

ଏହାପରେ ସେ ମୁଗ୍‌ଧା, ମଧ୍ୟା, ପ୍ରଗଳ୍‌ଭା ଓ ପ୍ରୌଢ଼ାର ଲକ୍ଷଣ ନିର୍ଦ୍ଦେଶ କରିଛନ୍ତି । ଦ୍ୱିତୀୟ ପୁଷ୍ପରେ ସେ ମଧ୍ୟା ଓ ପ୍ରଗଳ୍‌ଭାକୁ ଯଥାକ୍ରମେ ଧୀରା, ଅଧୀରା ଓ ଧୀରାଧୀରାରେ ବିଭକ୍ତ କରି ସେମାନଙ୍କର ବିଭିନ୍ନ ଲକ୍ଷଣ ସମ୍ବନ୍ଧରେ ଆଲୋଚନା କରିଛନ୍ତି -

 

ଶୁଣହେ ବିଦୁଷ ପନ୍ତି            ମଧ୍ୟା ପ୍ରଗଳ୍‌ଭା ହୁଅନ୍ତି

ଧୀରା ଅଧୀରା ଯେ ଧୀରା ଧୀରା କହିବା (୩/୨/୧)

 

ଧୀରା ନାୟିକା ନିଜ ନାୟକର ଅନ୍ୟନାରୀ ଗମନ ଜନିତ ଲକ୍ଷଣ ଦେଖି ମଧ୍ୟ ତାଙ୍କ ପ୍ରତି ବିରକ୍ତ ବା ଅଭିମାନ ପ୍ରକାଶ ନ କରି ସାଧାରଣ ଭାବ ପ୍ରକାଶ କରିଥାଏ-

 

ଅନ୍ୟ ଯୁବତୀ ସଙ୍ଗତି            ରତିକରି ନିଜ ପତି

ପାଶେ ମିଳନ୍ତେ ସହାସେ ବୋଲେ ହେ ଯୁବା

ପ୍ରତିବଡ଼ ମୋରେ ଆଚର ।

କଲ ଉପଭୋଗ ସେହି ଯେଣୁ ଗୋଚର

କରିଛି ଭଲା ସୁବେଶ            ଅଳତା ଅନକ ଦେଶ

ଭଲା ବିନୟରେ ବଶ କଲ ତାହାକୁ x x (୩/୨/୧-୨)

 

ଅଧୀରା ନାୟିକା ନିଜ ନାୟକ ଦେହରେ ଅନ୍ୟ ନାରୀର ସମ୍ଭୋଗ ଚିହ୍ନ ଦେଖି ଅଭିମାନ ପ୍ରକାଶ କରିଥାଏ-

 

ବଲ୍ଲଭ ଅଧରେ କ୍ଷତ            ଦେଖିକେ ନାରୀକୋପିତ

ବୋଲେ ହେ ନୃଶଂସ ମୋର ଦେହ ଛୁଅଁନା

ବଞ୍ଚାଇବୁ ଆଉ କିସ            ଯହିଁରେ ସାକ୍ଷୀ ଅଶେଷ

ଚୂଡ଼ି ସଞ୍ଚା ଗଣ୍ଡମଣ୍ଡଳକୁ ତୁ ଅନା

ଭଜ ସେ ରମଣୀ ମଣିକି

ତା’ପରି ସୁରତଶାସ୍ତ୍ର ମୁହିଁ ଜାଣି କି ? (୩/୨/୩)

 

ଧୀରାଧୀରା ନାୟିକା ଏ କ୍ଷେତ୍ରରେ କ୍ରୋଧିତା ନ ହୋଇ ନାୟକର ସେବା ନିମିତ୍ତ ଦାସୀକୁ ଆଦେଶ ଦେଇ ତାଙ୍କଠାରୁ ଅଭିମାନରେ ଦୂରେଇ ରହିଥାଏ । ଯେପରି-

 

ଦଇତ ଆନେ ରସିତ            ଚିତ୍ତରେ କେଉଁ ରୁଷାତ

ଈଶ ପ୍ରବେଶେ ଦାସୀଙ୍କି ଡାକି କହିଲା

କର ମର୍ଦ୍ଦନ ମାର୍ଜନା                  କୁସୁମ ଅଣାଅ କିନା

ସୁବେଶ କର ରଚନା ନ କର ହେଳା

ଏ ଉତ୍ତାରୁ ଶେଯ ଶେଯାଇ

ଶୟନ କରାଇ ପାକଶାଳାକୁ ଯାଇ ॥

ସେ ରସେ ନିଶି ଅଳପ            ରହିଲା କଲା କି ତାପ

ଜାଣିଲା କି ମୋ ରୀତି ନାୟକ ଭାଳିଲା

ଭୋଜନକୁ ସର୍ବ ନେଇ            ଦୂରେ ବସିଲା କି ଯାଇ

ପାଶକୁ ଡାକନ୍ତେ ନ ଛୁଇଁବି ବୋଇଲା । (୩/୨/୫୦୬)

 

ଏହାପରେ ଉପେନ୍ଦ୍ର ମୁଗ୍‌ଧା, ମଧ୍ୟା ଓ ପ୍ରଗଳ୍‌ଭା ନାୟିକାଙ୍କର ସାହିତ୍ୟ ଦର୍ପଣ ଅନୁଯାୟୀ ମୁଗ୍‌ଧା ସ୍ଵାଧୀନ ଭର୍ତ୍ତା, ମଧ୍ୟା ସ୍ଵାଧୀନ ଭର୍ତ୍ତା, ପ୍ରଗଳ୍‌ଭା ସ୍ଵାଧୀନ ଭର୍ତ୍ତା, ମୁଗ୍‌ଧା ବାସକସଜ୍ଜା, ମଧ୍ୟାବାସକସଜ୍ଜା, ପ୍ରଗଳ୍‌ଭା ବାସକସଜ୍ଜା; ମୁଗ୍‌ଧା ବିରୋହୋତ୍କଣ୍ଠିତା, ମଧ୍ୟା ବିରୋହୋତ୍କଣ୍ଠିତା, ପ୍ରଗଳ୍‌ଭା ବିରୋହୋତ୍କଣ୍ଠିତା, ମୁଗ୍‌ଧା ବିପ୍ରଲବ୍‌ଧା, ମଧ୍ୟା ବିପ୍ରଲବ୍ଧା, ପ୍ରଗଳ୍‌ଭ ବିପ୍ରଲବ୍‌ଧା; ମୁଗ୍‌ଧା ଖଣ୍ଡିତା, ମଧ୍ୟା ଖଣ୍ଡିତା, ପ୍ରଗଳ୍‌ଭା ଖଣ୍ଡିତା.., ମୁଗ୍‌ଧା କଳହାନ୍ତରିତା, ମଧ୍ୟା କଳହାନ୍ତରିତା ଓ ପ୍ରଗଳ୍‌ଭା କଳହାନ୍ତରିତା ରୂପରେ ବିଭାଗୀକରଣ କରି ସେମାନଙ୍କର ବିଭିନ୍ନ ଲକ୍ଷଣ ସମ୍ବନ୍ଧରେ ଆଲୋଚନା କରିଛନ୍ତି । ଏହାପରେ ହୁଏତ ସେ ନାୟିକାଙ୍କର ଅନ୍ୟ ବିଭାଗ, ନାୟକ ତଥା ଅନ୍ୟାନ୍ୟ ବିଭାବ ସମ୍ବନ୍ଧରେ ଆଲୋଚନା କରିଥାଇପାରନ୍ତି । ମାତ୍ର ଗ୍ରନ୍ଥଟିର ସଂପୂର୍ଣ୍ଣରୂପ ହସ୍ତଗତ ହୋଇନଥିବାରୁ ସେ ବିଷୟରେ କିଛି କହିବା ସମୀଚୀନ ନୁହେଁ ।

 

ଓଡ଼ିଆ ଅଳଙ୍କାର ଗ୍ରନ୍ଥ ପରମ୍ପରାରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ‘ରସ ପଞ୍ଚକ’ ସ୍ଵତନ୍ତ୍ର ଆସନ ଦାବୀ କରିଥାଏ । ସଂସ୍କୃତ ଅଳଙ୍କାର ଶାସ୍ତ୍ରର ତତ୍ତ୍ୱ ଓ ତଥ୍ୟ ସହିତ ଓଡ଼ିଆ ଭାଷାରେ ବିଭିନ୍ନ ଉଦାହରଣ ମାଧ୍ୟମରେ ଉପେନ୍ଦ୍ର ନିଜର ଅଳଙ୍କାର ଶାସ୍ତ୍ରରେ ରହିଥିବା ଗଭୀର ଜ୍ଞାନ ଓ ବିଚାରବୋଧର ପରିଚୟ ଦେଇଛନ୍ତି ଉକ୍ତ ଗ୍ରନ୍ଥରେ । ତେଣୁ ଉପଲବ୍‌ଧ ଅସଂପୂର୍ଣ୍ଣ ‘ରସମଞ୍ଜରୀ’ଠାରୁ ‘ରସପଞ୍ଚକ’ ଅଧିକ ତଥ୍ୟପୂର୍ଣ୍ଣ ଓ ବିସ୍ତାରିତ । ଏହି ଗ୍ରନ୍ଥଟି ସଂସ୍କୃତ ‘ରସ ତରଙ୍ଗିଣୀ’, ‘ସାହିତ୍ୟ ଦର୍ପଣ’, ‘କାବ୍ୟ ପ୍ରକାଶ’, ‘କାମଶାସ୍ତ୍ର’, ‘କବି କଳ୍ପଲତା’ ଓ ପ୍ରାକୃତ ଗ୍ରନ୍ଥ ‘ପିଙ୍ଗଳ’ ଅବଲମ୍ବନରେ ରଚିତ ହୋଇଥିବା ବିଷୟ କବି ସ୍ୱୀକାର କରିଛନ୍ତି ।

 

ରସ ତରଙ୍ଗିଣୀ ଗ୍ରନ୍ଥ ସାହିତ୍ୟ ଦର୍ପଣ କବି ସମ୍ମତି କି ଏ ଆସିବ (ରସ ପଞ୍ଚକ- ୧/୧/୪)

 

କାବ୍ୟ ପ୍ରକାଶ ସ୍ମରଶାସ୍ତ୍ରରସ । କବି କଳ୍ପଲତା ଯେ ବିଶେଷ (ଅନୁକ୍ରମଣି- ୧୫)

 

କଳା ପିଙ୍ଗଳା ଶାସ୍ତ୍ରେ ଅନର୍ଗଳ (ଅନୁକ୍ରମଣି- ୨୧)

 

ଏତଦ୍‌ବ୍ୟତୀତ ନାୟିକା ସ୍ଵରୂପ ଓ ଭେଦ ବର୍ଣ୍ଣନା ସମୟରେ ସେ ଭାନୁଦତ୍ତଙ୍କ ‘ରସମଞ୍ଜରୀ’ର ଅନୁସରଣ କରିଛନ୍ତି । ଉପେନ୍ଦ୍ର ନିଜର ‘ରସ ମଞ୍ଜରୀ’ ଗ୍ରନ୍ଥରେ ମଧ୍ୟ ନାୟିକା ଭେଦ- ଉପଭେଦ ବିଚାର ସମୟରେ ଧର୍ମସୂରୀଙ୍କ ‘ସାହିତ୍ୟ ରତ୍ନାକର’ ଏବଂ ଭାନୁଦତ୍ତଙ୍କ ‘ରସ ମଞ୍ଜରୀ’ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଉପେନ୍ଦ୍ର ଭଞ୍ଜ ନିଜେ ଜଣେ ବିଶିଷ୍ଟ କବି ଏବଂ ଆଳଙ୍କାରିକ ହୋଇଥିବାରୁ ତାହାଙ୍କ ଅଳଙ୍କାର ଗ୍ରନ୍ଥଗୁଡ଼ିକରେ କିଛି ପରିମାଣରେ ନୂତନ ଆଭିମୁଖ୍ୟର ପରିପ୍ରକାଶ ହୋଇଥିବାର ଦେଖିବାକୁ ମିଳିଥାଏ । ‘ରସପଞ୍ଚକ’ର ନାମକରଣ ଓ ବର୍ଣ୍ଣନୀୟ ବିଷୟ ସଂପର୍କରେ କବି ଲେଖିଛନ୍ତି -

 

ରୁଚ୍ୟ ବୋଲି ଛାନ୍ଦ ଚଉପଦୀ

ଚଉତିଶା ଢଗ ପଞ୍ଚବିଧି ଗୀତେ ଥିବ

ରସ ପଞ୍ଚକ ବର୍ଣ୍ଣରେ ବର୍ଣ୍ଣନା

ହେବାରୁ ରସପଞ୍ଚକ ଏ ବୋଲାଇବ

(୧ମ ପଞ୍ଚକ ୩ୟ ପଦ)

 

ରସାଇବ ଚିତ୍ତ ଗୀତ ନାୟିକା-

ନାୟକ ଲକ୍ଷଣରେ ପରିପୂର୍ଣ୍ଣ ହେବ

ରତି ଧବ ଦଶା ଦଶ ପୁଣି ନବରସ

ଅଷ୍ଟସାତ୍ତ୍ୱିକ ହିଁ ବର୍ଣ୍ଣାଯିବ

ରଞ୍ଜନୀୟ ଉଦ୍ଦୀପନ ଆଲମ୍ବନ

ସଞ୍ଚାରିକା ଭାବ ପୁଣି ମିଶିଥିବ ।

(୧ମ ପଞ୍ଚକ-୪-୫)

 

କବି ସେହି ପ୍ରଥମ ପଞ୍ଚକରେ ନବରସ (xxନବରସ ରସିକ ଏ ଯଶ କବିତ୍ୱେ ବର୍ଣ୍ଣନ୍ତି କବିମାନେ) ସଂପର୍କରେ ସୂଚନା ଦେଇଥିଲେ ହେଁ ଶୃଙ୍ଗାର, ବୀର, କରୁଣ, ଅଦ୍ଭୁତ, ହାସ୍ୟ, ଭୟାନକ, ରୌଦ୍ର, ଶାନ୍ତ ଆଦି ଆଠୋଟି ରସର ଉଦାହରଣ ଦେଇଛନ୍ତି । ନାୟକ- ନାୟିକାଙ୍କୁ ରସ ଦୃଷ୍ଟିରେ ଆଲମ୍ବନ ବିଭାବ ରୂପେ ଗ୍ରହଣ କରାଯାଇଛି । ସେହିପରି ଯେଉଁ ଭାବଗୁଡ଼ିକ ରସକୁ ଉଦ୍ଦୀପିତ କରାଇଥାନ୍ତି, ତାହାକୁ ଉଦ୍ଦୀପନ ବିଭାବ କୁହାଯାଇଥାଏ । ‘ସାହିତ୍ୟ ଦର୍ପଣ’ରେ ଲେଖାଯାଇଛି- ‘‘ଉଦ୍ଦୀପନ ବିଭାବାସ୍ତେ ରସମୁଦ୍ଦୀପୟନ୍ତି ଯେ ।’’ (ତୃତୀୟ ପରିଚ୍ଛେଦ) ଉଦ୍ଦୀପନ ବିଭାବର ଉଦାହରଣ ଦିଆଯାଇ ସେହି ‘ସାହିତ୍ୟ ଦର୍ପଣ’ରେ ଲେଖାଯାଇଛି-

 

ତେ ଚ-ଆଲମ୍ବନସ୍ୟ

ଚେଷ୍ଟାଦ୍ୟା ଦେଶ କାଳାଦୟସ୍ତଥା

ଚେଷ୍ଟାଦ୍ୟା ଇତ୍ୟାଦ୍ୟଶବ୍ଦାଦ୍ରୁପଭାଷଣାଦୟଃ

କାଳାଜୟ ଇତ୍ୟାଦି ଶବ୍ଦାଚ୍ଚନ୍ଦ୍ର

ଚନ୍ଦନ କୋକିଳାଳାପ ଭ୍ରମର ଝଙ୍କାରାଦୟଃ

(୩ୟ ପରିଚ୍ଛେଦ)

 

‘ରସପଞ୍ଚକ’ର ପ୍ରଥମ ଛାନ୍ଦରେ ଉପେନ୍ଦ୍ର ଉଦ୍ଦୀପନ ବିଭାବମାନଙ୍କର ଉଦାହରଣ ଦେଇଛନ୍ତି । ସେଥିରେ ସେ ବସନ୍ତ ଋତୁ, କୋକିଳର କୁହୁତାନ, ଚନ୍ଦ୍ର, ମଳୟ ପବନ, ପୁଷ୍ପ, ଚନ୍ଦନ, ଗନ୍ଧ ତିଳକ ଆଦିକୁ ଉବ୍ଦୀପନ ବିଭାବରୂପେ ଗ୍ରହଣ କରିଛନ୍ତି । ଏତଦ୍‌ବ୍ୟତୀତ ପ୍ରାସଙ୍ଗିକ ଭାବେ ସେ ସମ୍ଭୋଗ ଓ ବିପ୍ରଲମ୍ଭ ଶୃଙ୍ଗାରର ବିଭିନ୍ନ ପକ୍ଷ ସମ୍ବନ୍ଧରେ ଏଥିରେ ସମ୍ୟକ୍‌ ସୂଚନା ପ୍ରଦାନ କରିଛନ୍ତି ।

 

ନାୟକ-ନାୟିକା ଭେଦ ‘ରସ ପଞ୍ଚକ’ ଗ୍ରନ୍ଥର ଅନ୍ୟତମ ଆକର୍ଷଣୀୟ ଦିଗ । ଉଭୟ ଅଳଙ୍କାର ଶାସ୍ତ୍ର ଓ କାମଶାସ୍ତ୍ର ଦୃଷ୍ଟିରୁ ସେ ଏଥିରେ ନାୟକ-ନାୟିକା ବିଭାଗୀକରଣ କରିଛନ୍ତି । ଅଳଙ୍କାର ଶାସ୍ତ୍ର ଦୃଷ୍ଟିରୁ ନାୟକ ଧୀରୋଦାତ୍ତ, ଧୀରୋଦ୍ଧତ, ଧୀରଲଳିତ, ଧୀରପ୍ରଶାନ୍ତ ଭେଦରେ ଚାରିପ୍ରକାର ।

 

ଧୀରୋଦାତ୍ତୋ ଧୀରୋଦ୍ଧତସ୍ତଥା ଧୀର ଲଳିତଶ୍ଚ

ଧୀର ପ୍ରଶାନ୍ତ ଇତ୍ୟୟମୁକ୍ତଃ ପ୍ରଥମଶ୍ଚତୁର୍ଭେଦଃ

(ସାହିତ୍ୟ ଦର୍ପଣ, ୩ୟ ପରିଚ୍ଛେଦଃ)

 

ଶୃଙ୍ଗାରରସ ଦୃଷ୍ଟିରୁ ଧୀରୋଦାତ୍ତ ନାୟକର ଚାରୋଟି ଭେଦ ରହିଛି । ସେହି ଚାରିଭେଦ ହେଲା ଦକ୍ଷିଣ, ଧୃଷ୍ଟ, ଅନୁକୂଳ ଓ ଶଠ । ‘‘ଏ ଭିର୍ଦକ୍ଷିଣ ଧୃଷ୍ଟାନୁକୂଳ ଶଠ ରୂପିଭିସ୍ତୁ’’...(ସା.ଦ.- ୩ୟ ପରିଚ୍ଛେଦଃ) ଏହାପରେ ଉପରୋକ୍ତ ଚାରିପ୍ରକାର ନାୟକର ଲକ୍ଷଣ ସଂପର୍କରେ ସେହି ସାହିତ୍ୟ ଦର୍ପଣରେ ଆଲୋଚନା ହୋଇଛି ।

ଯଥା :

 

ଦକ୍ଷିଣ ନାୟକ :

ଦ୍ୱୟୋସ୍ତ୍ରିଚତୁଃପ୍ରଭୃତିଷୁ ନାୟିକାସୁ ତୁଲ୍ୟାନୁରାଗୋ ଦକ୍ଷିଣଃ ।’’

ଅର୍ଥାତ୍‌ ଯେଉଁ ନାୟକର ଦୁଇ ବା ତତୋଧିକ ପତ୍ନୀ ଥିବା ସତ୍ତ୍ୱେ ଯିଏ ସମସ୍ତଙ୍କ ପ୍ରତି ସମାନ ପ୍ରେମଭାବ ଆଚରଣ କରେ ତାହାକୁ ଦକ୍ଷିଣ ନାୟକ କୁହାଯାଇଥାଏ ।

 

ଧୃଷ୍ଟନାୟକ :

କୃତାଶା ଅପି ନିଃଶଙ୍କ ସ୍ତର୍ଜିତୋଦ୍ଧପି ନ ଲଜ୍ଜିତଃ

ଦୃଷ୍ଟଦୋଷାଦ୍ଧପି ମିଥ୍ୟାବାକ୍‌ କଥିତୋ ଧୃଷ୍ଟନାୟକଃ

(ସା.ଦ- ୩ୟ ପରିଚ୍ଛେଦ )

 

ଯେଉଁ ନାୟକ ଅପରାଧ କରି ମଧ୍ୟ ଶଙ୍କାଶୂନ୍ୟ, ଗାଳିଦେଲେ ମଧ୍ୟ ଲଜ୍ଜାଶୂନ୍ୟ, ତା’ର ଦୋଷ ଦେଖି ଧରାଇ ଦେଲେବି ଯିଏ ମିଥ୍ୟାବାଦୀ, ତାହାକୁ ଧୃଷ୍ଟନାୟକ କୁହାଯାଏ ।

 

ଅନୁକୂଳ ନାୟକ :

ଅନୁକୂଳ ଏକ ନିରତଃ

ଏକସ୍ୟାମେବ ନାୟିକାୟାମାସକ୍ତେଦ୍ଧନୁକୂଳନାୟକଃ

(ସା.ଦ - ୩ୟ ପରିଚ୍ଛେଦ)

ଏକ ପତ୍ନୀବ୍ରତ ହେଉଛି ଅନୁକୂଳ ନାୟକର ଲକ୍ଷଣ ।

 

ଶଠନାୟକ :

ଦର୍ଶିତ ବହିରନୁରାଗୋ ବିପ୍ରିୟ ମନ୍ୟତ୍ର ଗୂଢ଼ମାଚରତ

ଯଃ ପୁନରେକ ସ୍ୟାମେବ ନାୟିକାୟାଂ ବଦ୍ଧୋଭାବୋ

ଦୁୟୋରପି ନାୟିକାୟୋର୍ବହିର୍ତର୍ଶିତାନୁରାଗୋଦ୍ଧନ୍ୟସ୍ୟାଂ

ନାୟିକାୟାଂ ଗୂଢ଼ଂ ବିପ୍ରିୟମାଚରତି ସ ଶଠଃ

(ସା.ଦ- ୩ୟ ପରିଚ୍ଛେଦ)

 

ଯେଉଁ ନାୟକ ଗୋଟିଏ ସ୍ତ୍ରୀକୁ ଭଲ ପାଉଥାଏ ଏବଂ ଅନ୍ୟ ସ୍ତ୍ରୀ ପ୍ରତି ବାହାରେ ଅନୁରାଗ ଦେଖାଇ ଗୋପନରେ ତା’ର ବିରୋଧ ଆଚରଣ କରୁଥାଏ, ତାହାକୁ ଶଠ ନାୟକ କୁହାଯାଏ ।

 

ଉପେନ୍ଦ୍ର‌ ‘ରସପଞ୍ଚକ’ରେ ଉପରୋକ୍ତ ଚାରିପ୍ରକାର ନାୟକ ସଂପର୍କରେ ଉଲ୍ଲେଖ କରିଛନ୍ତି-। ଦ୍ୱିତୀୟ ପଞ୍ଚକରେ ସକାର ଛାନ୍ଦରେ ଏହାର ଉଦାହରଣମାନ ଦେଖବାକୁ ମିଳିଥାଏ । ଯଥା-

 

ନାୟକ ଶଠ :

ସ୍ଵର୍ଣ୍ଣାଙ୍ଗୀ ଜଣକ ସଂଭୋଗ ଚିହ୍ନିତ କେବଣ ପୁରୁଷ

ସମଳିନ ଧୃତ ଧୂଳି ଅଳି ଯଥା ପଦ୍ମରେ ପ୍ରବେଶ

ସ୍ଵୀୟା ସୁନ୍ଦରୀ ସନ୍ନିଧେ ଯାଇଁ କରି ସେ ରୂପେ ମିଳିତ

ସ୍ରୋତପ୍ରାସ ବକ୍ରୋକ୍ତିରେ ସେ କରଇ ତା ମୋଦ ଜ୍ଵାଳିତ

 

ନାୟକ ଦକ୍ଷିଣ :

ସ୍ଵକୀୟା ନାରୀ ଜଣକୁ ରମି ସାରି ଆରେକ ଉଲ୍ଲାସେ

ସମରାଗ କାମବଶେ କେଉଁ ପୁଂସ ମିଳିଲା ତା ପାଶେ

ସମ ଯେମନ୍ତେ ନିଶିରେ ଆଲିଙ୍ଗିତ କୁମୁଦ ପ୍ରମୋଦୀ

ସୁମୁଖୀ ଚାଟୁ ତା ନଘେନି ପୁରୁଷ ବଚନ ସମ୍ପାଦି

 

ନାୟକ ଧୃଷ୍ଟ :

ସିନ୍ଦୂର ତିଳକ ଦୋଷ ଦେଉଁ ରୋଷେ ବୋଲେ କେ ପୁରୁଷ

ସଖିମାନେ ମୁଞ୍ଚ ମନେ ହେଉନାହିଁ ଅଜ୍ଞାତେ କି ଦୋଷ

ସଗଦଗଦେ ନ କହି ବାଣୀପଦେ ରହୁ ତୁ କାହିଁକି

ସ୍ଵରୂପା ଏଡ଼େ ନିରାଶକୁ ମୋ ଆନ ପ୍ରେୟସି ନାହିଁକି

 

ନାୟକ ଅନୁକୂଳ :

ସାଧ୍ଵୀରୀତିରୁ ମାନ ତର୍କୀ କୋବିଦ ସନ୍ନିଧେ ମିଳିଲା

ସାର୍ଥ ନ କର କୋପନା ନାମ ମୋର କୋପନା ବୋଇଲା

ସବେଶରେ ଅନ୍ୟ ଆବେଶ ଥିବାକୁ କରିବି ନିୟମ

ସୀତାର ରାମ ଅଭିଳାଷ ପରାୟେ ତୋତେ ମୋ ସୁପ୍ରେମ ।

 

ନାୟିକା ପ୍ରକରଣରେ ଉପେନ୍ଦ୍ର ନିଜର ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି । ବିଭିନ୍ନ ଅଳଙ୍କାର ଶାସ୍ତ୍ର ପ୍ରଦତ୍ତ ନାୟିକା ଲକ୍ଷଣ ଓ ବିଭାଗୀକରଣ ସହିତ କାମଶାସ୍ତ୍ର ସମର୍ଥିତ ନାୟିକା ପ୍ରକରଣକୁ ସମ୍ମିଳିତ କରି ‘ରସ ପଞ୍ଚକ’ରେ ନାୟିକା ପ୍ରକରଣର ଏକ ବିସ୍ତୃତ ରୂପରେଖ ପ୍ରଦାନ କରିଛନ୍ତି । ଭରତଙ୍କ ‘ନାଟ୍ୟଶାସ୍ତ୍ର’, ‘ଅଗ୍ନିପୁରାଣ’, ରୁଦ୍ରଭଟ୍ଟଙ୍କ ‘ଶୃଙ୍ଗାରତିଳକ’, ରୁଦ୍ରଟଙ୍କ ‘କାବ୍ୟାଳଙ୍କାର’, ଭୋଜରାଜଙ୍କ ‘ସରସ୍ଵତୀ କଣ୍ଠାଭରଣ’ ଓ ‘ଶୃଙ୍ଗାରପ୍ରକାଶ’, ରାମଚନ୍ଦ୍ରଙ୍କ ‘ନାଟ୍ୟଦର୍ପଣ’ ଧନଞ୍ଜୟଙ୍କ ‘ଦଶରୂପକ’, ବିଶ୍ଵନାଥଙ୍କ ‘ସାହିତ୍ୟ ଦର୍ପଣ’, ଭାନୁଦତ୍ତଙ୍କ ‘ରସମଞ୍ଜରୀ’, ବାତ୍ସାୟନଙ୍କ ‘କାମସୂତ୍ରମ୍‌’ ଆଦିରେ ପ୍ରଦତ୍ତ ନାୟିକାର ପ୍ରକରଣର ଏକ ସମ୍ମିଳିତ ରୂପ ଉପେନ୍ଦ୍ରଙ୍କ ‘ରସପଞ୍ଚକ’ରେ ପରିଲକ୍ଷିତ ହୋଇଥାଏ ।

 

ଏହି ଶାସ୍ତ୍ରୋକ୍ତ ନାୟିକା ଭେଦର ସୂକ୍ଷ୍ମ ଅନୁସନ୍ଧାନ କରେ, ତାହା ନିମ୍ନୋକ୍ତ ଭେଦାନୁଯାୟୀ ପରିକଳ୍ପିତ ହୋଇଥିବାର ଜଣାଯାଇଥାଏ । ଯଥା :

 

ଜାତିଭେଦ- ପଦ୍ମିନୀ, ଚିତ୍ରିଣୀ, ଶଙ୍ଖିନୀ, ହସ୍ତିନୀ ।

କର୍ମଭେଦ- ସ୍ଵକୀୟା, ପରକୀୟା, ସାମାନ୍ୟା ।

 

ଗୁଣଭେଦ- ସତ୍ତ୍ୱଗୁଣ, ତମୋଗୁଣ, ରଜୋଗୁଣ (ଏମାନେ ଉତ୍ତମା, ମଧ୍ୟମା ଓ ଅଧମା ଭେଦରେ ବିଭକ୍ତ ।)

ଦେଶଭେଦ- ମଧ୍ୟଦେଶ, ମଗଧ, କୋଶଳ, ଉତ୍କଳ, କଳିଙ୍ଗ, କେରଳ, ତୈଲଙ୍ଗ, ମାଳବ, ମହାରାଷ୍ଟ୍ର, ସିଂହଳ ଆଦି ୨୮ ଭାଗରେ ବିଭକ୍ତ ।

 

ବୟଃକ୍ରମ ଭେଦ- ମୁଗ୍‌‌ଧା, ମଧ୍ୟା, ପ୍ରଗଳ୍‌ଭା ।

କାଳଭେଦ- ସ୍ୱାଧୀନ ଭର୍ତ୍ତୃକା, କଳହାନ୍ତରିତା, ଖଣ୍ଡିତା, ଅଭିସାରିକା, ବିପ୍ରଲବ୍‌ଧା, ବିରହୋତ୍କଣ୍ଠିତା, ବାସକସଜ୍ଜା, ପ୍ରୋଷିତଭର୍ତ୍ତୃକା ।

ସତ୍ତ୍ୱଭେଦ- ସୁର, କିନ୍ନର, ଯକ୍ଷ, ନର, ପିଶାଚ, ନାଗ, ଖର, କପି, ଗନ୍ଧର୍ବ ଇତ୍ୟାଦି ।

ପତିପ୍ରେମ ଦୃଷ୍ଟିରୁ -ଜ୍ୟେଷ୍ଠା, କନିଷ୍ଠା ।

ଦଶା ଦୃଷ୍ଟିରୁ - ଅନ୍ୟ ସୁରତି-ଦୁଃଖିତା, ମାନବତୀ, ଗର୍ବିତା ।

ମାନ ଦୃଷ୍ଟିରୁ- ଧୀରା, ଅଧୀରା, ଧୀରାଧୀରା ।

 

ଉପରୋକ୍ତ ଭେଦ ବ୍ୟତୀତ ବୟଃକ୍ରମ, ଦଶା ଓ ମାନ ଆଦି ଦୃଷ୍ଟିରୁ ଉପେନ୍ଦ୍ର ଏହାର ଅନ୍ୟ କେତେକ ଉପଭେଦ ପରିକଳ୍ପନା କରିଛନ୍ତି । ଅବଶ୍ୟ ଏହା ତାଙ୍କର ମୌଳିକ ବିଭାଗୀକରଣ ନୁହେଁ । କେତେକ ଅଳଙ୍କାର ଶାସ୍ତ୍ରରେ ମଧ୍ୟ ଏହିପରି ସୂକ୍ଷ୍ମବିଭାଗଗୁଡ଼ିକ ପରିଲକ୍ଷିତ ହୋଇଥାଏ । ଯେପରି ତତ୍କାଳ ରତି ଗୋପନା, ଭୂତ ସୁରତି ଗୋପନା, ଭବିଷ୍ୟତ ସୁରତି ଗୋପନା, ଭାବିତତ୍କାଳ ସୁରତି ଗୋପନା, ସାହି ସୁରତି ଗୋପନା, ବିଚିତ୍ର ସୁରତି ଗୋପନା, ଅବତୀର୍ଣ୍ଣ ଯୌବନା, ବିବିଧ ସୁରତଜ୍ଞା, ଆକ୍ରାନ୍ତନାୟିକା, ସ୍ମରାନ୍ଧ, ସ୍ଵଳ୍ପବ୍ରୀଡ଼ା, ଗାଢ଼ ତାରୁଣ୍ୟ ଇତ୍ୟାଦି । ପରକୀୟା ନାୟିକା ପରୋଢ଼ା ଓ କନ୍ୟକା ଭେଦରେ ଦ୍ୱିବିଧ । ଉପେନ୍ଦ୍ର ସାମାନ୍ୟା ବା ସାଧାରଣୀ ନାୟିକାର ମଧ୍ୟ ବିଭିନ୍ନ ବିଭାଜନ କରିଛନ୍ତି । ଦ୍ୱିତୀୟ ପଞ୍ଚକରେ ‘ସ- କାର’ ଢଗରେ ସେ ବେଶ୍ୟାର ବିଭିନ୍ନ ରୂପ ସମ୍ବନ୍ଧରେ ସୂଚନା ଦେଇଛନ୍ତି । ଯେପରି ବେଶ୍ୟା ପ୍ରୋଷିତଭର୍ତ୍ତୃକା, ବେଶ୍ୟା ଖଣ୍ଡିତା, ବେଶ୍ୟା କଳହାନ୍ତରିତା, ବେଶ୍ୟା ବିପ୍ରଲବ୍ଧା, ବେଶ୍ୟା ଉତ୍କଣ୍ଠିତା, ବେଶ୍ୟା ବାସକସଜ୍ଜା, ବେଶ୍ୟା ସ୍ଵାଧୀନଭର୍ତ୍ତୃକା ଓ ବେଶ୍ୟା ଅଭିସାରିକା । ଉପରସୂଚିତ ପ୍ରତ୍ୟେକଟି, ନାୟିକାର ଚମତ୍କାର ଉଦାହରଣମାନ ‘ରସପଞ୍ଚକ’ ଗ୍ରନ୍ଥରେ ପରିଲକ୍ଷିତ ହୋଇଥାଏ । ଉପେନ୍ଦ୍ରଙ୍କ ‘ରସପଞ୍ଚକ ଗ୍ରନ୍ଥରୁ ୨/୩ଟି ନାୟିକାଙ୍କ ଲକ୍ଷଣ ସହିତ ଅଳଙ୍କାର ଶାସ୍ତ୍ରର ଅନୁରୂପ ନାୟିକାଙ୍କ ଲକ୍ଷଣକୁ ତୁଳନାତ୍ମକ ଭାବରେ ଆଲୋଚନା କଲେ, ଉପେନ୍ଦ୍ର କେତେ ପରିମାଣରେ ଅଳଙ୍କାର ଶାସ୍ତ୍ର ସହିତ ପରିଚିତ ଥିଲେ ଅନୁମାନ କରିହେବ ।

 

ସ୍ଵାଧୀନ ଭର୍ତ୍ତୃକା-

କାନ୍ତୋରତିଗୁଣାକୃଷ୍ଟୋ ନ ଜହାତି ଯଦନ୍ତିକମ୍‌

ବିଚିତ୍ର ବିଭ୍ରମାସକ୍ତା ସା ସ୍ୟାତ୍‌ ସ୍ୱାଧିନଭର୍ତ୍ତୃକା

(ସାହିତ୍ୟ ଦର୍ପଣ- ୩ୟ ପରିଚ୍ଛେଦ)

 

ସ୍ଵାଧୀନଭର୍ତ୍ତୃକା-

ସଙ୍ଗାତ ଆରେ, ସହଜେ ନ ଜାଣେ କିଛି ମୁହିଁ

ସମସ୍ତେ ବୋଲନ୍ତି କାନ୍ତ ହେବାରୁ ମୋର

ମୋହିତ କି ମନ୍ତ୍ର କରିଛି ବୋଲି ଏହି ।

(୨ୟ ପଞ୍ଚକ- ‘ସକାର’ ଛାନ୍ଦ)

 

ବାସକସଜ୍ଜା-

କୁରୁତେ ମଣ୍ଡନଂ ଯସ୍ୟା ସଜିତେ ବାସବେଶ୍ମନି ।

ସା ତୁ ବାସକସଜ୍ଜା ସ୍ୟାଦ୍‌ ବିଦିତ ପ୍ରିୟସଂଗମା ।

(ସା.ଦ- ୩ୟ ପରିଚ୍ଛେଦ)

 

ବାସକ ସଜ୍ଜା-

ଶେଯାଇଛି ଆଜ ।

ସେବତୀ ପାଖୁଡ଼ା ବିଞ୍ଚି ଦିବ୍ୟ ଶେଯ ।

ସଞ୍ଚି ହେମରଜ ଏକି ହେଜ ସଜାଡ଼ିଛି ପୁନ ।

ସୁବାସିତ ଚୂଆ ଗୁଆସାଚି ପାନ ।

ସୁମନସ ଚନ୍ଦନ ବସନ ।

(ରସପଞ୍ଚକ-୨ୟ ପଞ୍ଚକ- ‘ସକାର’ ଛାନ୍ଦ)

 

କଳହାନ୍ତରିତା-

ଚାଟୁକାରମପି ପ୍ରାଣନାଥଂ ରୋଷାଦପାସ୍ୟ ଯା

ପଶ୍ଚାତ୍ତାପମବାପ୍ନୋତି କଳହାନ୍ତରିତା ତୁ ସା ।

(ସା.ଦ- ୩ୟ ପରିଚ୍ଛେଦ)

 

କଳହାନ୍ତରିତା-

ସରୋଷ ହେଲି, ସଖି ମୁଁ ହୁଡ଼ିଲି

ସଭରମ ହୋଇକାନ୍ତେ କି କରମ କଲି (ପଦ)

ସାରହାର ସେ ତାହାର । କଣ୍ଠରୁ କରି ବାହାର

ଗଳାରେ ଦେଉ ମୋହର, କର ଫିଙ୍ଗି ଦେଲି ।

×       ×       ×      ×

ସେ ନିରାଶ ମୋର ଚାହିଁ, ଯାଇ ନିଶ୍ଵାସ ପକାଇ

ଦ୍ଵାରେ ଦଣ୍ଡେ ଥିଲେ ରହି, ତେବେ ନ ଚାହିଁଲି

ସୁରସେ ଉପେନ୍ଦ୍ର କହି, କଳହାନ୍ତରିତା ଏହି

ବୋଲେ ବନ୍ଧୁକୁ ତୁ ସହି, ନବୋଧିଲେ ମଲି

(ର.ପ.- ୨ୟ ପଞ୍ଚକ- ‘ସକାର’ ଛନ୍ଦ)

 

ଅଳଙ୍କାର ଶାସ୍ତ୍ରବର୍ଣ୍ଣିତ ଏହିପରି ଅଧିକାଂଶ ନାୟିକା ବର୍ଣ୍ଣନା ‘ରସପଞ୍ଚକ’ରେ ପରିଲକ୍ଷିତ ହୋଇଥାଏ ।

 

ଅଳଙ୍କାର ଶାସ୍ତ୍ରରେ ନାୟିକାଙ୍କର ଅଷ୍ଟବିଂଶ ଅଳଙ୍କାର ଅନ୍ୟତମ ସଂପର୍କରେ ଆଲୋଚନା ହୋଇସାରିଛି । ‘ରସପଞ୍ଚକ’ରେ ନାୟିକାର ଅଷ୍ଟବିଂଶ ଅଳଙ୍କାର ସଂପର୍କରେ ଯେଉଁ ସୂଚନା ରହିଛି ତାହା ଏହିପରି । ଯଥା-

 

ପ୍ରକାଶିବ ଭାବହାବ ହେଳା ଶୋଭାକାନ୍ତି ଦୀପିତ ମାଧୁର୍ଯ୍ୟକୁ

ପ୍ରଗଳ୍‌ଭତା ଔଦାର୍ଯ୍ୟ ଧଇର୍ଯ୍ୟକୁ ।

ପ୍ରକୃଷ୍ଟ ଲୀଳା ବିଳାସ ବିଚ୍ଛିତ ବିବ୍ୟେକୁ, କିଳକିଞ୍ଚିତକୁ ହେ

ପଣ୍ଡିତେ । ପ୍ରସିଦ୍ଧ ମୋଟ୍ଟାଇତ କୁଟ୍ଟମିତ ।

ପ୍ରଧାନ ମଦବିଭ୍ରମ ଲଳିତ ।

 

ପୁନ ବିହୃଦତାପ ମୌଗଧ୍ୟ ବିକ୍ଷେପ କୁତୂହଳ ସହସିତ ।୧।

ପ୍ରକଟ କରିବି ଚକିତ କେଳି ଏ ଅଷ୍ଟାବିଂଶତି ସଂଖ୍ୟା ମତେ ।

ପ୍ରମଦାଙ୍କର ଅଳଙ୍କାର ଏତେ

ପ୍ରତିପ୍ରତି କରି ରଚଇ ସାହିତ୍ୟ ଦର୍ପଣ କବି ସମ୍ମତେ ହେ ।୨।

(ପ-କାର ଛାନ୍ଦ)

 

ଏହି ଅଷ୍ଟବିଂଶତି ଅଳଙ୍କାର ହେଲା- ଭାବ, ହାବ, ହେଳା, ଶୋଭା, କାନ୍ତି, ଦୀପ୍ତି, ମାଧୁର୍ଯ୍ୟ, ପ୍ରଗଳ୍‌ଭତା, ଔଦାର୍ଯ୍ୟ, ଧୈର୍ଯ୍ୟ, ଲୀଳା, ବିଳାସ, ବିଚ୍ଛିତ୍ତି, ବିବ୍ୟୋକ, କିଳକିଞ୍ଚିତ, କୁଟ୍ଟମିତ, ମୋଟ୍ଟାଇତ, ବିଭ୍ରମ, ଲଳିତ, ମଦ, ବିହୃଦ, ତାପ, ମୌଗଧ୍ୟ, ବିକ୍ଷେପ, କୁତୂହଳ, ହଂସିତ, ଚକିତ, କେଳି । ‘ସାହିତ୍ୟଦର୍ପଣ’ର ଅଷ୍ଟବିଂଶତି ଅଳଙ୍କାର ଅନୁସରଣରେ ଉପେନ୍ଦ୍ର ରସ ପଞ୍ଚକରେ ତା’ର ପ୍ରୟୋଗ କରିଛନ୍ତି । ଦୁଇଟି ମାତ୍ର ଉଦାହରଣରୁ ସେହି ଅନୁସରଣର ସ୍ୱରୂପ ଜାଣି ହୋଇଯିବ । ଯେପରି ‘ହାବ’, ସଂପର୍କରେ ‘ସାହିତ୍ୟ ଦର୍ପଣ’ରେ ଲେଖାଯାଇଛି-

 

ଭୂନେତ୍ରାଦି ବିକାରୈସ୍ତୁ ସଂଭେଗେଚ୍ଛା ପ୍ରକାଶକଃ

(୩ୟ ପରିଚ୍ଛେଦ)

 

ଅର୍ଥାତ୍‌ ଭ୍ରୂଲତା ତର୍ଜନ ଏବଂ ବକ୍ରଚାହାଣୀ ଆଦିରୁ ସମ୍ଭୋଗଇଚ୍ଛା ପ୍ରକାଶିତ ଭାବକୁ ହାବ କୁହାଯାଏ ।

 

ରସପଞ୍ଚକ-

ପ୍ରାଙ୍ଗଣେ ଉଭା ଏକ ନବ ବୟସୀ ।

ରସିକକୁ ଦେଖି ମାର୍ଗରେ ପ୍ରକାଶି ।

ଅଳ୍ପ ଇଚ୍ଛା ସମ୍ଭୋଗରେ । ପ୍ରକମ୍ପ....କମ୍ପ କରି ଭୁରୁ

ଧନୁସନ୍ଧିଲା ନେତ୍ର ଶରକୁ ବେଗରେ ସେ ।

ପ୍ରମଦା । ପୁଂସ ଚାହିଁ ଦେଉଁ ମୁଖ ସରୋଜ ।

ପୋତିଲା ସେ ଝଟତି ଭଜି ଲାଜ ।

ପାଶକୁ ଆସ ବୋଲି ତାହା ଚିତ୍ତକୁ ଡାକିଲା

ସେ ଭଙ୍ଗୀ ବ୍ୟାଜ ସେ ।

(‘ପକାର’ ଛାନ୍ଦ-ପଦ-୪)

 

କିଳକିଞ୍ଚିତ-

ସ୍ମିତ ଶୁଷ୍କରୁଦିତହସିତ ତ୍ରାସକ୍ରୋଧଶ୍ରମାଦୀନାମ୍‌

ସାଙ୍କର୍ଯଂ କିଳକିଞ୍ଚିତମଭୀଷ୍ଟତମ ସଂଗମାଦିଜାଦ୍ଧର୍ଷାତ

(ସା.ଦ- ୩ୟ ପରିଚ୍ଛେଦ)

 

ଅର୍ଥାତ୍‌ ପ୍ରିୟଜନ ସଙ୍ଗମରୁ ଜାତ ଆନନ୍ଦରୁ ମନ୍ଦହାସ, ଶୁଖିଲା, କାନ୍ଦଣା, ହାସ, କ୍ରୋଧ, ଭୟ ଓ କ୍ଲାନ୍ତି ପ୍ରଭୃତିର ଯେଉଁ ଏକତ୍ର ପ୍ରକାଶ, ତାକୁ କିଳକିଞ୍ଚିତ କୁହାଯାଏ । ‘ରସପଞ୍ଚକ’ରେ ଏହାର ସ୍ୱରୂପ ସଂପର୍କରେ କୁହାଯାଇଛି-

 

ପୁରୁଷେ କହେ ଦୂତୀକି ଗଲା ରାତି

କରାଇଲୁ ଯାହା ସଙ୍ଗତି ।

ପଚାରିଲା ସେ ଭିନ୍ନେ ଭିନ୍ନେ ଗତି ।

ପାଣି ଛନ୍ଦିଲା ନୀବିଧରୁ ଦେଖାଇ ସୁହାଗ ଦ୍ୟୁତିରେ । ପ୍ରମଦା ।

ପଙ୍କୋରୁହନୟନେ ନାହିଁ ନୀର ।

ପୁଣି ରୁଦିଲା ପ୍ରାୟ କଲା ସ୍ଵର ।

ପ୍ରେମାଲିଙ୍ଗନେ ଥୟ ହୋଇ ନ ରହି ମୋ ମନ କଲା କାତର ସେ ।

(ପକାର -ଛାନ୍ଦ-ପଦ-୧୭)

 

ଏହାପରେ ସେ କାମ ଦଶଦଶା ସଂପର୍କରେ ଉଲ୍ଲେଖ କରିଛନ୍ତି । ‘ସାହିତ୍ୟ ଦର୍ପଣ’ରେ ଏହି ଦଶଦଶାର ସ୍ୱରୂପ ଏହିପରି ।

 

ଅଭିଳାଷଶ୍ଚିନ୍ତା ସ୍ମୃତିଗୁଣକଥା ନୋଦ୍‌ ବେଗ ସଂପ୍ରଳାପାଶ୍ଚ

ଉନ୍ମାଦ୍ୟୋଦ୍ଧଥ ବ୍ୟାଧିର୍ଜଡ଼ତା ମୃତିରତି ଦଶାତ୍ରକାମଦଶାଃ ।

(୩ୟ ପରିଚ୍ଛେଦ)

 

ଉପେନ୍ଦ୍ରଙ୍କ ଭାଷାରେ-

ପୁଷ୍ପଧନୁ ଦଶା ରୀତି ଅଭିଳାଷ ଚିନ୍ତା

ଶ୍ରୁତି ସୁଗୁଣ କଥନ ଉଦ୍‌ବେଗକ

ପ୍ରଳାପ ଉନ୍ମାଦ ବ୍ୟାଧି ଜଡ଼ତା ମୃତ୍ୟୁ

ଏ ବିଧି କହିବା କରିଣ ଏକ ଏକ ହେ

(ପୁକାର ଚଉତିଶା)

 

ଅର୍ଥାତ୍ ଅଭିଳାଷ ଚିନ୍ତା, ସ୍ମୃତି, ଗୁଣକଥନ, ଉଦ୍‌ବେଗ, ପ୍ରଳାପ, ଉନ୍ମାଦ, ବ୍ୟାଧି, ଜଡ଼ତା ଓ ମୃତ୍ୟୁ ହେଉଛି କାମର ଦଶଦଶା । ସାହିତ୍ୟ ‘ଦର୍ପଣ’ରେ ଉପରୋକ୍ତ ଦଶଦଶାର ଲକ୍ଷଣ ସଂପର୍କରେ ବର୍ଣ୍ଣନା ରହିଛି । ସେଥିରୁ ମାତ୍ର ଦୁଇଟିର ଉଦାହରଣ ଦିଆଯାଉଛି :

 

‘‘ଅଭିଳାଷ ସ୍ପୃହା ଚିନ୍ତା ପ୍ରାପ୍ତ୍ୟୁ ପାୟାଦିଚିନ୍ତନମ୍‌’’

 

ଅର୍ଥାତ୍ ନାୟକ- ନାୟିକା ପରସ୍ପରକୁ ପାଇବାକୁ ଯେଉଁ ସ୍ପୃହା ବା ଆଗ୍ରହ ତାହାକୁ ଅଭିଳାଷ କୁହନ୍ତି । ସେହିପରି ପରସ୍ପର ପ୍ରାପ୍ତି ପାଇଁ ଉପାୟ ଅନ୍ଵେଷଣ ହେଉଛି ଚିନ୍ତା । ଉପେନ୍ଦ୍ର ‘ରସପଞ୍ଚକ’ରେ ଠିକ୍‌ ତାହା ହିଁ କହିଛନ୍ତି ।

 

ଅଭିଳାଷ-

ପରିହାସୀଏ ନ ଥିଲେ ସମସ୍ତେ ମୋତେ ଚାହିଁଲେ ଜନ୍ମିଲାକୁ ସିନା ଚିତ୍ତେ ସୁଖ

ପ୍ରମୋଦ ଚିତ୍ତେ ହେବାରେ ପ୍ରକାଶିଲେ ବାରେ ବାରେ ଅନୁରାଗ ଭଙ୍ଗିକି ଅଲେଖ ସେ ।

ପ୍ରଣୟିନୀ । ପୁଣି ହୋଇଥିଲେ ହାସମୁଖ ।

ପରିକଳ୍ପିତ ତହିଁରେ ମୋହମନ ଯାହାଠାରେ ପ୍ରଶଂସାରେ କେ ତାହାକୁ ଯୋଖ ସେ

(ପୁକାର ଚଉତିଶା-ପଦ-୨)

 

ଚିନ୍ତା -

ପ୍ରାପ୍ତ ସେ ମୋ ହେବ କେହି ପଞ୍ଚଶର ଲକ୍ଷ୍ୟ ସେହି ଅଛି କି ମୋ ପୂର୍ବାର୍ଜିତ ଭାଗ୍ୟ ।

ପୁରନ୍ଦରୀ ସୁନ୍ଦରୀରେ ସେ ମନ୍ଦୋଦରୀ ମର୍ତ୍ତ୍ୟରେ ପୁଣି କି ଦେଖିବ ନେତ୍ରଯୁଗ ସେ ।

(ପୁକାର ଚଉତିଶା-ପଦ- ୩)

 

ଅନୁରୂପ ଭାବେ ଅଷ୍ଟସାତ୍ତ୍ୱିକ ଭାବ ସଂପର୍କରେ ଉଲ୍ଲେଖ କରି ସେ ଲେଖିଛନ୍ତି-

 

ପ୍ରତାପ ସ୍ତମ୍ଭ ସ୍ଵେଦ ରୋମାଞ୍ଚ ସ୍ଵରଭଙ୍ଗ ଏ ବଡ଼

ପୁଣ ବେପଥୁ ବୈବର୍ଣ୍ଣ୍ୟ ଅଶ୍ରୁ ପ୍ରଳୟ ଜ୍ଞାନ ପୀଡ଼

(ପୁକାର ଚଉତିଶା-୧୩)

 

ଉଦାହରଣ -ବେପଥୁ :

ପାଶେ ଶ୍ରୁତିର କହିଲେ ଧୀର ନ ହୁଅ ଛନ୍ଦମନ୍ଦ

ପିତା ଜନନୀ କି ଗୁରୁଜନ ଜାଣିଲେ ହେବ ଦ୍ୱନ୍ଦ୍ୱ

ପ୍ରଭା କେତକୀ ତନୁ ବାତକି ଶୋଭାକୁ ଆସପଦ

ପ୍ରବେଶ କରେ କିଛି ସମୀରେ ଯଥା ପୀପଳଚ୍ଛଦ

(ପୁକାର ଚଉତିଶା- ୧୮)

 

ସ୍ତମ୍ଭ-

ପରତେ ନାହିଁ ପରାଣ ସହି ଏ କଷ୍ଟ କରି ରେଫ

ପଶି ସ୍ଥକିତେ ରହିବ ସତେ ବଲ୍ଲଭ ବାହୁ ଗୁମ୍ଫ, ଇତ୍ୟାଦି ।

 

ଏତଦ୍‌ବ୍ୟତୀତ ପୂର୍ବରାଗ ପର୍ଯ୍ୟାୟରେ ‘ଚକାର’ ଚୌପଦୀରେ ସେ ଅଳଙ୍କାର ଶାସ୍ତ୍ର ସମ୍ମତ ନୀଳୀ, କୁସୁମ୍ଭ, ମଞ୍ଜିଷ୍ଠା ରାଗ ସଂପର୍କରେ ବର୍ଣ୍ଣନା କରିଛନ୍ତି । ବିଶ୍ଵାସ ରହିଛି ନାରୀମାନଙ୍କ ଅଙ୍ଗ ସ୍ପର୍ଶରେ ବିଭିନ୍ନ ବୃକ୍ଷ ପୁଷ୍ପିତ ହୋଇଥାଏ । କେଉଁ ନାରୀର ଅଙ୍ଗ ସ୍ପର୍ଶରେ କେଉଁ ବୃକ୍ଷ ପୁଷ୍ପିତ ହୋଇଥାଏ, ତା’ର ଏକ ବିବରଣୀ ‘ରସପଞ୍ଚକ’ରେ ଉପେନ୍ଦ୍ର ପ୍ରଦାନ କରିଛନ୍ତି । ଏହାକୁ ସେ ଦୋହଦ ପର୍ଯ୍ୟାୟରେ ସେ ଗ୍ରହଣ କରିଛନ୍ତି । ଏହା ମଧ୍ୟ ଅଳଙ୍କାରଶାସ୍ତ୍ର ସମର୍ଥିତ । ଏ ସଂପର୍କରେ ଉପେନ୍ଦ୍ରଙ୍କ ଅଭିମତ ହେଉଛି -

 

ଚମ୍ପା ଆଦି ଶାଖୀ ଲତା ଗୁଳ୍ମ କୁସୁମ ରହିତା ଅକାଳେ ହେବାକୁ ପୁଷ୍ପମୁଖ ଯେ

ଚାରିଜାତି ନିତମ୍ବିନୀ ପ୍ରଧାନ ଯେ ଏହା ଘେନି ରଚୁଁ ହୋଇ ଦୋହଦ ସୁମୁଖ ଯେ

(ଚ-କାର ଚଉତିଶା-ପଦ- ୨)

 

ସେ ଏହି ଚଉତିଶାରେ ଯେଉଁ ଦୋହଦମାନଙ୍କ ସଂପର୍କରେ ବର୍ଣ୍ଣନା କରିଛନ୍ତି, ସେଗୁଡ଼ିକ ହେଲା ପ୍ରିୟଙ୍ଗୁ ଦୋହଦ, କେତକୀ ଦୋହଦ, ଅଶୋକ ଦୋହଦ, ବକୁଳ ଦୋହଦ, ଆମ୍ର ଦୋହଦ, ପୁନ୍ନାଗ ଦୋହଦ, କୋବିଦାର ଦୋହଦ, କୁରୁଣ୍ଟକ ଦୋହଦ, କର୍ଣ୍ଣିକାର ଦୋହଦ, ସିନ୍ଧୁବାର ଦୋହଦ, କୁସୁମ୍ଭ ଦୋହଦ, ଶ୍ୟାମା ଦୋହଦ, ଚମ୍ପକ ଦୋହଦ, କଦମ୍ବ ଦୋହଦ ଇତ୍ୟାଦି । ଦେଶାନୁଯାୟୀ ନାରୀମାନଙ୍କର ବିଭାଗୀକରଣକୁ ମଧ୍ୟ ସେ ପଞ୍ଚମ ପଞ୍ଚକରେ ଆଲୋଚନା କରିଛନ୍ତି । ଏଥରେ ମୁଖ୍ୟତଃ ସେ ମାଳବଦେଶ, ସିଂହଳ ଦେଶ, କୋଶଳ ଦେଶ, ମହାରାଷ୍ଟ୍ର ଦେଶ, କଳିଙ୍ଗ ଦେଶ ଇତ୍ୟାଦି ନାରୀମାନଙ୍କ ଲକ୍ଷଣ ବର୍ଣ୍ଣନା କରିଛନ୍ତି ।

 

ଏହାଛଡ଼ା କାମଶାସ୍ତ୍ର ସମ୍ମତ ନଖକ୍ଷତ, ଦନ୍ତକ୍ଷତ, ଚୁମ୍ବନ ଆଦିର ବିସ୍ତୃତ ବିବରଣୀ ସେ ପଞ୍ଚମ ପଞ୍ଚକରେ ପ୍ରଦାନ କରିଛନ୍ତି । ତାଙ୍କ ଭାଷାରେ-

 

କରଜ ରଦର କ୍ଷତ ଆଠ ଆଠ ହୋଇ

କହିବାର ଶୁଣ ଗୁଣବନ୍ତ ମନ ଦେଇ

କର ରୁହ ବ୍ରଣଅଷ୍ଟବିଧିରେ ସୂଚକ୍‌ ।

କରି କହୁଥାଇ ଅନୁକ୍ରମଣି ବିବେକ

କର ସୁବୁଦ୍ଧି ତିଳକ

ଶଶପ୍ଲୁତ ତଦୁଭାରେ ମଣ୍ଡଳକ

କେଞ୍ଚପଦ ଅର୍ଦ୍ଧଚନ୍ଦ୍ର ଛୁରିତକ ରେଖା ।

କର ବ୍ୟାଘ୍ର ପଦଉତ ପଦ୍ମଦଳ ଲେଖା ।

(କ-କାର ବୋଲି ପଦ ୨-୩-୪)

 

କାମଶାସ୍ତ୍ର ଅନୁଯାୟୀ ଅଷ୍ଟନଖକ୍ଷତ ହେଲା - ଶଶପ୍ଲୁତ, ମଣ୍ଡଳକ, ମୟୂରପଦ, ଅର୍ଦ୍ଧଚନ୍ଦ୍ର ଛୁରିତକ, ରେଖା, ବ୍ୟାଘ୍ରପଦ, ଉତ୍ପଳପତ୍ର । ଆଠପ୍ରକାର ଦନ୍ତକ୍ଷତର ଉଦାହରଣ ଦେଇ ଲେଖିଛନ୍ତି-

 

କହୁଥାଇଁ ଏବେ ଆଠଜାତି ଦ୍ୱିଜବ୍ରଣ

କୃତଧୀ ବୁଦ୍ଧି ନିବେଶି ଏକୋ ଏକେ ଶୁଣ

କ୍ରମେ ବିନ୍ଦୁ ଉତ୍ସନକ । ରୁହାଇ ଖଣ୍ଡାଭ୍ର ଗୂଢ଼ ମୂଢ଼ ପ୍ରବାଳକ

କ୍ରୋଡ଼ ଚର୍ବିତକୁ ଘେନି ବିଦ୍ୟୁମାଳାଅଷ୍ଟ ।

କଞ୍ଚନ ଶାସ୍ତ୍ର ସାହିତ୍ୟେ ହୋଇଛି ଯେ ସ୍ପଷ୍ଟ

(କ-କାର ବୋଲି । ପଦ ୨୯୩୦)

 

ଆଠପ୍ରକାର ଦନ୍ତକ୍ଷତ ହେଲା- ବିନ୍ଦୁ, ଉତ୍ସନକ, ଖଣ୍ଡାଭ୍ର, ଗୃଢ଼, ମୂଢ଼, ପ୍ରବାଳ, କ୍ରୋଡ଼ ଚର୍ବିତ, ବିଦ୍ୟୁନ୍ମାଳ । ସେହିପରି ସେ ଯେଉଁ ଚୁମ୍ବନ ସଂପର୍କରେ ଉଲ୍ଲେଖ କରିଛନ୍ତି, ସେଗୁଡ଼ିକ ହେଲା- ବଳିତ ଚୁମ୍ବନ, ପୀଡ଼ିତ ଚୁମ୍ବନ, ସ୍ଫୁରିତ ଚୁମ୍ବନ, ଭ୍ରମର ଚୁମ୍ବନ, ଓଷ୍ଠପାନ ଚୁମ୍ବନ, ଉନ୍ମମିତ ଚୁମ୍ବନ, ଉଦ୍ଘୃଷ୍ଟକ ଚୁମ୍ବନ, ଓଷ୍ଠ ସମୁଦ୍‌ଗକ ଚୁମ୍ବନ ଇତ୍ୟାଦି । ସେହିପରି ଆଲିଙ୍ଗନ ସଂପର୍କରେ ସୂଚନା ଦେବାକୁ ଯାଇ କହିଛନ୍ତି - ଆଲିଙ୍ଗନଗୁଡ଼ିକର ସେ କେବଳ ନାମୋଲ୍ଲେଖ କରିନାହାନ୍ତି; ପରନ୍ତୁ ସେ ସବୁର ଲକ୍ଷଣ ସମ୍ବନ୍ଧରେ ମଧ୍ୟ ବିସ୍ତାରିତ ବର୍ଣ୍ଣନା କରିଛନ୍ତି । ଏହାଛଡ଼ା ‘ରସପଞ୍ଚକ’ରେ କବି ବିଭିନ୍ନ ଅଳଙ୍କାର ସମ୍ବନ୍ଧରେ ମଧ୍ୟ ଆଲୋଚନା କରିଛନ୍ତି ।

 

ଉପେନ୍ଦ୍ର ଭଞ୍ଜଙ୍କର ଅନ୍ୟତମ ଅଳଙ୍କାର ଗ୍ରନ୍ଥ ହେଉଛି ‘ଚିତ୍ରକାବ୍ୟ ବନ୍ଧୋଦୟ’ । ସାଧାରଣତଃ ଅଳଙ୍କାର ଶାସ୍ତ୍ରମାନଙ୍କର ଏ ପ୍ରକାର କାବ୍ୟକୁ ଅଧମ କାବ୍ୟ ପର୍ଯ୍ୟାୟଭୁକ୍ତ କରାଯାଇଥାଏ । ଏଥିରେ କବିତ୍ୱ ଅପେକ୍ଷା ପାଣ୍ଡିତ୍ୟର କର୍ଷଣ କରାଯାଇଥିବାରୁ ରସିକମାନଙ୍କ ଦ୍ଵାରା ଆଦରଣୀୟ ହୋଇ ନ ଥାଏ । ଏହା ପୁଣି ଶବ୍ଦ ଚିତ୍ର, ଅର୍ଥ ଚିତ୍ର ଭେଦରେ ବିଭକ୍ତ । ଉପେନ୍ଦ୍ର ‘ଚିତ୍ରକାବ୍ୟ ବନ୍ଧୋଦୟ’ ରଚନାରେ କବି କଳ୍ପଲତା, ସାହିତ୍ୟ ରତ୍ନାକର, ମାଘବ କାବ୍ୟ, ଛନ୍ଦୋମଞ୍ଜରୀ, ଛନ୍ଦ ରତ୍ନାକର ଆଦିର ସହାୟତା ନେବା ବିଷୟ ସ୍ୱୀକାର କରିଛନ୍ତି-

 

କବି କଳ୍ପଲତା ମତେ ଏ ଭାବେ । ସାହିତ୍ୟ ରତ୍ନାକର ମାଘ କାବ୍ୟେ (ଚି.କା.ବ-୧/୪୬)

ଛନ୍ଦ ମଞ୍ଜରୀ ଛନ୍ଦ ରତ୍ନାକର । ଯେତେ ବିଦଗ୍ଧ ମଣ୍ଡନ ବିଚାର (ଚି.କା.ବ.- ୨/୨)

 

ଚିତ୍ରକାବ୍ୟର ସ୍ଵରୂପ ସଂପର୍କରେ ସୂଚନାଦେବାକୁ ଯାଇ କହିଛନ୍ତି –

 

ଚିତ୍ର ବୋଲି କହି ଏତେ କଥାକୁ

ଏକେ କେ ମୋହି ପାରନ୍ତି ମନକୁ ।

ଛାନ୍ଦ ବନ୍ଧ ହୋଇ ବେନି ପ୍ରକାର

କେ କେତେ ଛନ୍ଦ କେତେ ବନ୍ଧସାର ।

ଶାର୍ଦ୍ଦୂଳ କ୍ରୀଡ଼ିତ ମଣ୍ଡୁକ ପ୍ଲୁତି ।

ଲୋମ ବିଲୋମ ତୁରଙ୍ଗମ ଗତି

ବହିଲିପିକା ଜାଣି ଜାତି ପାଞ୍ଚ

ଷଟପ୍ରକାରେ ଅନ୍ତର୍ଲିପି ସଞ୍ଚ ।

ପ୍ରଶ୍ନ ଉତ୍ତର ଅଜା ମେଷ ଯୁଦ୍ଧ

ଯମକ ରୀତି ପଦଛେଦ ସିଦ୍ଧ ।

ସିଂହାବଲୋକନ ଶୃଙ୍ଖଳା ଦୁଇ

ଗୋମୂତ୍ର ପଦ୍ମ ମତ୍ସ୍ୟ ଛନ୍ଦ ହୋଇ

ଜଳାନ୍ଧ୍ର ଶକଟ ପଦ୍ମ ଚକ୍ର ହିଁ ।

ବ୍ୟୁହକ ଛନ୍ଦ ଗଣନାରେ କେହି

ବର୍ଣ୍ଣ ବହୁତ କୋଷ୍ଠିରେ ସଂକ୍ଷେପ

ପ୍ରସାଦ କଠିନ ଅର୍ଥ ସ୍ଵରୂପ ।

ଅବୃତ ଶେଷ ବହୁବିଧ ଗତି

ନାନା ଦେଶରେ ଭାଷାମାନ ସ୍ଥିତି ।

ଲେଖିରଖି ଅର୍ଥ କେଉଁ ପ୍ରକାଶ

ଦେଖିଜାଣି ମୂର୍ଖ ପଣ୍ଡିତ ତୋଷ । (୧/୨୮-୩୭)

 

ଏହାବ୍ୟତୀତ ସେ ଚ୍ୟୁତାକ୍ଷର, ଦତ୍ତାକ୍ଷର, ଏକାକ୍ଷର, ଦ୍ୱିଅକ୍ଷର ସଓଷ୍ଟ୍ୟ ନିରୋଷ୍ଠ୍ୟ ଆଦିକୁ ମଧ୍ୟ ଚିତ୍ରକାବ୍ୟ ମଧ୍ୟରେ ଅନ୍ତର୍ଭୁକ୍ତ କରିଛନ୍ତି । ଏହାପରେ ସେ ବିଭିନ୍ନ ବନ୍ଧର ନାମୋଲ୍ଲେଖ କରିଛନ୍ତି । ଚିତ୍ରକାବ୍ୟ ବଦ୍ଧୋଦୟରେ ୮୨ ଗୋଟି ବଦ୍ଧ ଚିତ୍ର ପ୍ରଦର୍ଶନ କରାଯାଇଛି ।

 

ଓଡ଼ିଆ ଅଳଙ୍କାର ଗ୍ରନ୍ଥ ରଚନା ପରମ୍ପରାରେ ଉପେନ୍ଦ୍ରଙ୍କ ମହତ୍ତ୍ୱ ସର୍ବାଦୌ ସ୍ଵୀକୃତ । ଯଦିଓ ତାଙ୍କଦ୍ୱାରା ରଚିତ ତିନୋଟି ଅଳଙ୍କାର ଗ୍ରନ୍ଥ ଶତପ୍ରତିଶତ ଲକ୍ଷଣ ଗ୍ରନ୍ଥ ହୋଇନପାରେ; ମାତ୍ର ଅନେକ କ୍ଷେତ୍ରରେ ସେ ଅଳଙ୍କାର ଶାସ୍ତ୍ରର ବିଭିନ୍ନ ଲକ୍ଷଣକୁ ସେ ଅନ୍ତର୍ଭୁକ୍ତ କରିବା ସଙ୍ଗେ ସଙ୍ଗେ ପ୍ରତ୍ୟେକ ବିଭାବର ରାଶି ରାଶି ଉଦାହରଣ ପ୍ରଦାନ କରିଛନ୍ତି । ସେ ରସର ପ୍ରାଧାନ୍ୟ ସ୍ଵୀକାର କରିଛନ୍ତି; କିନ୍ତୁ କାବ୍ୟାତ୍ମା ନିରୂପଣରେ କୌଣସି ନିର୍ଦ୍ଦିଷ୍ଟ ମତ ପ୍ରଦାନ କରିନାହାନ୍ତି । କାବ୍ୟ ଦୋଷ ଓ ଗୁଣ ନିରୂପଣରେ କେତେକ କ୍ଷେତ୍ରରେ ତାଙ୍କର ମୌଳିକ ଦୃଷ୍ଟିଭଙ୍ଗୀର ପରିଚୟ ମିଳିଥାଏ । ସଂକ୍ଷେପରେ କହିଲେ ଅଳଙ୍କାର ଗ୍ରନ୍ଥରଚନା କ୍ଷେତ୍ରରେ ଉପେନ୍ଦ୍ରଙ୍କ ଦୃଷ୍ଟିଭଙ୍ଗୀ ବେଶ୍‌ ପ୍ରସାରିତ, ଏହା ଅସ୍ୱୀକାର କରାଯାଇନପାରେ ।

 

ଏହି ପରମ୍ପରାରେ ପୀତାମ୍ବର ‘ଅଗ୍ରଦେବ’ଙ୍କ ଅଖିଳ ରସ ଚିନ୍ତାମଣି’ ଓ ଗଦାଧର ନାରାୟଣ ଭଞ୍ଜଙ୍କ ‘ରସ ମୁକ୍ତାବଳୀ’ ନାମ ଉଲ୍ଲେଖଯୋଗ୍ୟ । ପୀତାମ୍ବର ଅଗ୍ରଦେବ ତାଙ୍କ ଅଳଙ୍କାର ଗ୍ରନ୍ଥ ରଚନା ପାଇଁ ଆଚାର୍ଯ୍ୟ ମମ୍ମଟଙ୍କୁ ଆଦର୍ଶ ଭାବରେ ଗ୍ରହଣ କରିଛନ୍ତି । ଏହାସତ୍ତ୍ୱେ ନାୟିକା ଭେଦ, ନାୟିକାଙ୍କର ଅଷ୍ଟବିଂଶତି ଅଳଙ୍କାର, ବର୍ଣ୍ଣସ୍ଥିତି, ଶୃଙ୍ଗାରରସର ଅନୁଭବ, ସଞ୍ଚାରୀଭାବ ରସସ୍ୱରୂପ ଆଦି ଆଲୋଚନା କ୍ଷେତ୍ରରେ ସେ କେତେକ ସ୍ଵାତନ୍ତ୍ର ପ୍ରଦର୍ଶନ କରିଛନ୍ତି । କାବ୍ୟର ଲକ୍ଷଣ ସଂପର୍କରେ ସୂଚନା ଦେବାକୁ ଯାଇ ସେ ଲେଖିଛନ୍ତି-

 

ଅମଳ କବିତା ବନିତା ସୁଗୁଣଗ୍ରାହୀ କବି ଅଟେ

ଅନୁଜ ଆର୍ଥିକ ରମଣଗ୍ରାହକ ଶରୀର ଶବ୍ଦାର୍ଥ ପ୍ରକଟେ

ଗୁଣାନି ଅନୁଲକ୍ଷିତ ମାଧୁର୍ଯ୍ୟରେ

ଅତି ସରସ ରସଧ୍ୱନି ବ୍ୟାକୋଷ ପ୍ରସିଦ୍ଧ ତା ଆତ୍ମାଭାବରେ

ଅଳଙ୍କାର ବିଧି ମୁଖ ଭୂଷଣାଦି ଶ୍ରବଣାନନ୍ଦ କ୍ରୀଡ଼ାସ୍ଥାନ

ଅତି ଉଜ୍ଜ୍ୱଳରସ ତା ଆଳିବଂଶ ବିଦଗ୍‌ଧଚିତ୍ତ ଦୃଢ଼ମନ

ଶ୍ରବଣ, ଅସୂୟା କଟୁଶବ୍ଦମାନ

ଅନଚ୍ଛଧୀୟ ସନ୍ତୋଷ ସମୁଦାୟ ବୋଲି ବଦନ୍ତି ବିଦୁଜନ ।

(ଅଖିଳ ରସ ଚିନ୍ତାମଣି- ୧୮/୧୭- ୧୮)

 

ଉପରୋକ୍ତ ଉଦାହରଣରୁ ସେ ରସଧ୍ୱନିକୁ କାବ୍ୟର ଆତ୍ମାଭାବରେ ଗ୍ରହଣ କରିବା ସଂଗେ ସଂଗେ ଶବ୍ଦାର୍ଥକୁ ଶରୀର, ମାଧୁର୍ଯ୍ୟାଦିକୁ ତାର ଗୁଣ ଓ ଅଳଙ୍କାରକୁ କଟକ କୁଣ୍ଡଳ ବା ଭୂଷଣ ରୂପେ ସ୍ଵୀକାର କରିଛନ୍ତି । ସେହିପରି ଗଦାଧର ନାରାୟଣ ଭଞ୍ଜ ‘ରସ ମୁକ୍ତାବଳୀ’ରେ ରୀତିକୁ କାବ୍ୟର ଆତ୍ମାର ଭାବରେ ସ୍ଵୀକାର କରି ବାମନଙ୍କ ମତକୁ ସମ୍ମାନ ପ୍ରଦର୍ଶନ କରିଛନ୍ତି । ସେ ଦୋଷହୀନ ସରସ ବାକ୍ୟକୁ କାବ୍ୟ ଭାବରେ ଗ୍ରହଣ କରି କହିଛନ୍ତି -

 

ନିର୍ଦ୍ଦୋଷ ସରସ ବାକ୍ୟ କବିତ୍ଵ । (ରସ ମୁକ୍ତାବଳୀ-୫/୧)

ଏ ତିନି ରୀତି କାବ୍ୟ ଆତ୍ମା ବୋଲି । (ରସ ମୁକ୍ତାବଳୀ-୫/୩)

 

ସେ ବାମନଙ୍କ ମତର ପୃଷ୍ଠପୋଷକତା କରିଥିଲେ ହେଁ କାବ୍ୟ ପ୍ରକାଶ, ସାହିତ୍ୟ ଦର୍ପଣ, ଉଜ୍ଜ୍ୱଳ ନୀଳମଣି ଆଦି ଗ୍ରନ୍ଥ ନିକଟରେ ସେ ଅନେକ ପରିମାଣରେ ୠଣୀ । ବକ୍ରୋକ୍ତି ସଂପର୍କୀୟ ଆଲୋଚନାବେଳେ ସେ କୁନ୍ତକ ଦୃଷ୍ଟିଭଙ୍ଗୀକୁ ଗ୍ରହଣ ନ କରି ବରଂ ତାକୁ ଏକ ଅଳଙ୍କାରର ମର୍ଯ୍ୟାଦା ପ୍ରଦାନ କରିଛନ୍ତି । ଗଦାଧର ନାରାୟଣ ଭଞ୍ଜ ‘ରୀତି’କୁ କାବ୍ୟର ଆତ୍ମାରୂପେ ସ୍ଵୀକୃତି ଦେବାର ପକ୍ଷପାତୀ ହେଲେ ହେଁ, ରସର ମହତ୍ତ୍ୱ ଓ ଭୂମିକାକୁ ଅସ୍ଵୀକାର କରିନାହାନ୍ତି । ସେଥିପାଇଁ ସେ ରସ ମୁକ୍ତାବଳୀରେ କହିଛନ୍ତି -

 

ରସ ସ୍ଵଭାବରେ ଅଙ୍ଗୀ ବୋଲାଇ

ମାଧୁର୍ଯ୍ୟାଦିରେ ଗୁଣବନ୍ତ ହୋଇ ।

ତହିଁ ଅଳଙ୍କାର ମଣ୍ଡନ କଲେ

ସଗୁଣ ସାଳଂକୃତ ବୋଲି ଭଲେ

ମୂର୍ତ୍ତିବନ୍ତ ହୋଇ

ରସ ରସିକ ହୃଦେ ପ୍ରକାଶଇ (୫/୬)

 

ଉପରୋକ୍ତ ଗ୍ରନ୍ଥଗୁଡ଼ିକ ବ୍ୟତୀତ ସାର୍‌ ବାସୁଦେବ ସୁଢ଼ଳ ଦେବଙ୍କ ଅଳଙ୍କାର ବୋଧୋଦୟ (୧୮୮୬) ଏବଂ ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କ ‘ଅଳଙ୍କାର ସାର’ ଗ୍ରନ୍ଥଦ୍ୱୟ ଗଦ୍ୟରେ ରଚିତ ଅନ୍ୟତମ ଅଳଙ୍କାର ଗ୍ରନ୍ଥ । ଅଳଙ୍କାର ବୋଧୋଦୟରେ ମୁଖ୍ୟତଃ କାବ୍ୟସ୍ଵରୂପ ନିରୂପଣ, ବାକ୍ୟ ସ୍ଵରୂପ ନିରୂପଣ, ରସ ନିର୍ଣ୍ଣୟ ଦୋଷ ନିରୂପଣ, ଗୁଣ ନିରୂପଣ, ବିଭିନ୍ନ ଅଳଙ୍କାର, ଧ୍ଵନି ଆଦି ସଂପର୍କରେ ଗଦ୍ୟରେ ଆଲୋଚନା ହୋଇଥିଲେ ହେଁ, ଉଦାହରଣ ମାନ କବିତାରେ (ଉଭୟ ଓଡ଼ିଆ ଓ ସଂସ୍କୃତ) ରହିଛି । ସେ ଏହି ଗ୍ରନ୍ଥ ରଚନା କ୍ଷେତ୍ରରେ ‘ସାହିତ୍ୟ ଦର୍ପଣ’କୁ ସଂପୂର୍ଣ୍ଣ ଭାବରେ ଅନୁସରଣ କରିଛନ୍ତି । ସେହିପରି ସଚ୍ଚିଦାନନ୍ଦ ‘ଅଳଙ୍କାର ସାର’ରେ (୧୮୯୯) ବାକ୍ୟର ସ୍ୱରୂପ ଓ ଭେଦ, ରସ ନିରୂପଣ, ନାୟକ- ନାୟିକା ଭେଦ, ଦୃଶ୍ୟକାବ୍ୟର ବିଭିନ୍ନ ଦିଗ, ଛନ୍ଦର ସ୍ଵରୂପ, ଦୋଷ ନିରୂପଣ, ଶବ୍ଦାଳଙ୍କାର, ଅର୍ଥାଳଙ୍କାର ଆଦି ସମ୍ବନ୍ଧରେ ଆଲୋଚନା କରାଯାଇଛି ।

 

ଓଡ଼ିଆରେ ରଚିତ ଅଳଙ୍କାର ଗ୍ରନ୍ଥଗୁଡ଼ିକ ଅଧିକାଂଶତ ସଂସ୍କୃତ ଅଳଙ୍କାର ଗ୍ରନ୍ଥଗୁଡ଼ିକର ଅନୁସରଣରେ ରଚିତ ହୋଇଥିବାରୁ ଏଥିରେ ମୌଳିକତାର ଅଭାବ ପରିଲକ୍ଷିତ ହୋଇଥାଏ । ଅବଶ୍ୟ ଏ କ୍ଷେତ୍ରରେ ଉପେନ୍ଦ୍ର କେତେକ ପରିମାଣରେ ବ୍ୟତିକ୍ରମ ପରି ମନେ ହୁଅନ୍ତି । ସଂସ୍କୃତ ଅଳଙ୍କାର ଗ୍ରନ୍ଥଗୁଡ଼ିକରେ ଯେପରି ଯୁକ୍ତି, ବିଭିନ୍ନ ମତାମତ ଓ ବାଦକୁ ନେଇ ଆଲୋଚନା-ପ୍ରତ୍ୟାଲୋଚନା ଦେଖାଯାଏ, ଓଡ଼ିଆ ଅଳଙ୍କାର ଗ୍ରନ୍ଥରେ ତା’ର ଉଦାହରଣ ବିରଳ । ପୁଣି ସଂସ୍କୃତ ଅଳଙ୍କାର ଗ୍ରନ୍ଥମାନଙ୍କରେ ଯେପରି ଲକ୍ଷଣ ଓ ଉଦାହରଣମାନଙ୍କର ସାଙ୍ଗୋପାଙ୍ଗୋ ସୂଚନା ରହିଛି, ଓଡ଼ିଆ ଗ୍ରନ୍ଥରେ ତାହା ଦୁର୍ଲଭ । ଏହା ସତ୍ତ୍ୱେ ସଂସ୍କୃତାନଭିଜ୍ଞ ଓଡ଼ିଆ ସ୍ରଷ୍ଟା ଓ ଆଲୋଚକଙ୍କ ପାଇଁ ଏହି ଓଡ଼ିଆ ଅଳଙ୍କାର ଗ୍ରନ୍ଥଗୁଡ଼ିକର ଯେ ଉପାଦେୟତା ରହିଛି, ତାହା ଅସ୍ୱୀକାର କରାଯାଇ ନ ପାରେ ।

 

 

ପ୍ରାଧ୍ୟାପକ, ଓଡ଼ିଆ ବିଭାଗ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ

ଭଞ୍ଜବିହାର, ବ୍ରହ୍ମପୁର

 

***

 

କାବ୍ୟାନୁବାଦକ ସଚ୍ଚିଦାନନ୍ଦ ରାଉତରାୟ ଓ ମାୟାକୋଭସ୍କିଙ୍କ

Unknown

କବିତା ସଂଗ୍ରହ

ଡକ୍ଟର ରବିନାରାୟଣ ମହାରଣା

 

ଓଡ଼ିଆ କବିତା ଇତିହାସରେ ପରମ ଶ୍ରଦ୍ଧା ଓ ସମ୍ମାନର କବି ହେଉଛନ୍ତି ଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ (୧୯୧୩-୨୦୦୪) । ଦୀର୍ଘ ଅର୍ଦ୍ଧ ଶତାବ୍ଦୀରୁ ଊର୍ଦ୍ଧ୍ୱକାଳ ଧରି ନିରବଚ୍ଛିନ ତଥା ନିରଳସ ସାଧନାରେ ସେ ଓଡ଼ିଆ ସାହିତ୍ୟର ବିଭିନ୍ନ ଶାଖାକୁ ସମୃଦ୍ଧ କରି ଆସିଛନ୍ତି । ସେ କେବଳ ଜଣେ ସୁପ୍ରତିଷ୍ଠିତ କବି ନୁହନ୍ତି, ଅଧିକନ୍ତୁ ସେ ଜଣେ ଗାଳ୍ପିକ, ନାଟ୍ୟକାର, ସମାଲୋଚକ, ଔପନ୍ୟାସିକ ଓ ଅନୁବାଦକ । କହିବାକୁ ଗଲେ ବହୁବିଧ ବ୍ୟକ୍ତିସତ୍ତାର ଏକ ମୂର୍ତ୍ତିମନ୍ତ ରୂପ । ପ୍ରତ୍ୟେକଟି ସ୍ତରରେ ସେ ଅତି ସୂଚାରୁ ରୂପେ ନିଜର ବକ୍ତବ୍ୟକୁ ପ୍ରକାଶ କରିଛନ୍ତି । ସ୍ତରେ ସ୍ତରେ ପାଠକଙ୍କୁ ଅଭିଭୂତ ମଧ୍ୟ କରି ତୋଳିଛନ୍ତି । ମାତ୍ର ଆମେ ଯେତେବେଳେ ତାଙ୍କୁ ପୁଣି ଅନୁବାଦକ ଭାବରେ ପାଉ, ସେତେବେଳେ କିନ୍ତୁ ଆମେ ଆଉ ତାଙ୍କର ସେହି ନିଜସ୍ଵ ବକ୍ତବ୍ୟକୁ ଶୁଣି ପାରୁନା । ସେଠି ଆମେ ଆଉ ଜଣଙ୍କର ଧ୍ଵନିର ପ୍ରତିଧ୍ଵନିକୁ ହିଁ ଭେଟୁଁ । କବି ସଚ୍ଚିଦାନନ୍ଦ ଏକ ନିଷ୍ଠ ସାଧକ ଭାବରେ ଅନୁବାଦ ଦିଗରେ ପ୍ରଥମେ ମନୋନିବେଶ କରନ୍ତି ୧୯୫୮ ମସିହାରେ, ଯାହାର ଫଳଶ୍ରୁତି ରୂପ ହେଉଛି ‘‘ଏକୋତ୍ତରଶତୀ’’ ଓ ପରେ ୧୯୬୫ ମସିହାରେ ‘‘ମାୟାକୋଭସ୍କିଙ୍କ କବିତା ସଂଗ୍ରହ’’ ମାଧ୍ୟମରେ । ପ୍ରଥମଟିର ଉତ୍ସ ହେଉଛି ରବୀନ୍ଦ୍ରନାଥଙ୍କ କବିତାରୁ ଆନନ୍ଦ ଗ୍ରହଣ, କିନ୍ତୁ ପରବର୍ତ୍ତୀଟିର ଉତ୍ସ ହେଉଛି ଭାରତ - ସୋଭିଏତ ୠଷ୍‌ର ମୈତ୍ରୀ ବନ୍ଧନକୁ ସୁଦୃଢ଼ କରିବା ସଙ୍ଗେ ସଙ୍ଗେ ୠଷିଆର କବି ଭ୍ଲାଦିମିର ମାୟାକୋଭସ୍କିଙ୍କର ବାଣୀକୁ ଓଡ଼ିଶାରେ ପ୍ରଚାର ଓ ପ୍ରସାର କରାଇବା । ତେଣୁ ତୁଳନାତ୍ମକ ଭାବରେ ବିଚାର କରିବାକୁ ଗଲେ “ମାୟାକୋଭସ୍କିଙ୍କ କବିତା ସଂଗ୍ରହ’’ ଆମ ସମାଜରେ ଖୁବ୍‌ ବେଶୀ ପ୍ରଭାବଶାଳୀ । ସେଠାରେ କିନ୍ତୁ ଅନୁବାଦକ ଭାବରେ ଆମେ ସେହି ସଚ୍ଚିଦାନନ୍ଦଙ୍କର ବାଣୀ ମାଧ୍ୟମରେ ଭ୍ଲାଦିମିର ମାୟାକୋଭସ୍କିଙ୍କର କଥାକୁ ହିଁ ଶୁଣୁ । ତେଣୁ ଜଣକୁ ଚିହ୍ନି ଚିହ୍ନାଇବାର ଅଭିଳାଷ ତାଙ୍କୁ ଯେ ଖୁବ୍ ବେଶୀ ତ୍ୱରାନ୍ୱିତ କରିଛି ଏହି ଅନୁବାଦ ଦିଗରେ, ଏହା ନିଃସନ୍ଦେହ ।

 

ଏ କଥା ଅବଶ୍ୟ ସତ୍ୟ ଯେ କବି ସଚ୍ଚିଦାନନ୍ଦ ତାଙ୍କର ଆଦ୍ୟ କବି ଜୀବନରେ ମାନବବାଦୀ ରୂପେ ଆତ୍ମ ପ୍ରକାଶ କରି, ପରେ ୧୯୩୫-୩୬ ବେଳକୁ ସାମ୍ୟବାଦୀ ଚିନ୍ତାରେ ଦୀକ୍ଷିତ ହୋଇ ଉଠିଛନ୍ତି । ଭଲ ପାଇଛନ୍ତି ମାର୍କ୍ସଙ୍କୁ । ମାର୍କ୍ସ ଓ ଏଞ୍ଜେଲ୍‌ସଙ୍କର ଦର୍ଶନ ତାଙ୍କୁ ଯେଉଁ ପରିମାଣରେ ପ୍ରଭାବିତ କରିଛି, ତା’ଠାରୁ ଅଧିକ ତାଙ୍କ କବି ଜୀବନକୁ ଉଦ୍‌ବୋଧିତ କରିଛି ତତ୍କାଳୀନ ରୁଷିଆର ସାମ୍ୟବାଦୀ କବି ଭ୍ଲାଦିମିର ମାୟାକୋଭସ୍କିଙ୍କର ପ୍ରଗତିଶୀଳ କବିତାଗୁଡ଼ିକ । ତେଣୁ ତାଙ୍କୁ ସେ ଅଚିରେ ନିଜର ପ୍ରେରଣାର ଉତ୍ସ ଭାବେ ଗ୍ରହଣ କରି ନେଇଛନ୍ତି । କେବଳ ମାୟାକୋଭସ୍କିଙ୍କ ପ୍ରେରଣାରେ ଉଦ୍‌ବୋଧିତ ହୋଇ ସେ କେବଳ ମାର୍କ୍ସବାଦୀ କବିତା ରଚନା କରି ନାହାନ୍ତି, ଏପରିକି ମାୟାକୋଭସ୍କିଙ୍କୁ ଆଣି ଓଡ଼ିଶାରେ ଠିଆ କରାଇ ଦେଇଛନ୍ତି ନିଜ ଲେଖନୀ ସାହାଯ୍ୟରେ । ତେବେ ମାୟାକୋଭସ୍କି ଓଡ଼ିଶାରେ ଛିଡ଼ା ହୋଇ ଗାଇବେ :

 

‘‘ଜୀବନ୍ତ ମଣିଷଙ୍କ ଏକ ଧୂଳିକଣା

ବେଶୀ ମୂଲ୍ୟବାନ୍‌

ମୋର ସବୁ କର୍ମ ଆଉ କୃତି

ଏବଂ କୀର୍ତ୍ତିଠାରୁ ।’’

 

ସେ ପୁଣି ବର୍ତ୍ତମାନର ଯୁଗକୁ ସତର୍କ କରାଇ ଗାଇ ଉଠିଛନ୍ତି :

“ଆମେ,

ସହରର କୁଷ୍ଠାଶ୍ରମେ ବନ୍ଦୀ ପରି ବଢ଼ୁ ।

ଯେଉଁଠି ସୁନା ଓ ଧୂଳି ସୃଜେ ଘା ପୁଜ

ଭିନିଶୀୟ ନୀଳଠାରୁ ଅଧିକ ନିର୍ମଳ

ସୂର୍ଯ୍ୟ ଓ ସମୁଦ୍ର ଧୌତ ଏକାଧାରେ

ଆମ ଗଣ୍ଡ ସ୍ଥଳ ।

×      ×      ×      ×      ×

ପ୍ରାର୍ଥନାଠୁ ସତ୍ୟ ଅଟେ ଶିରା ମାଂସପେଶୀ,

ସମୟର ଦୟା ଆମେ କରିବା ପ୍ରାର୍ଥନା ?

ଆମେ ହତେ,

ପ୍ରତ୍ୟେକ ହାତରେ

ଦୁନିଆର ରହିଚି ଲଗାମ,

ଆମ ପାଞ୍ଚ ଆଙ୍ଗୁଠିର ମୁଠାରଭିତରେ ।’’

(ଟ୍ରାଉଜର ପିନ୍ଧା ମେଘ ଖଣ୍ଡେ/ମାୟାକୋଭସ୍କି କବିତା ସଂଗ୍ରହ-ପୃ.୫୨/୫୩)

 

ମାୟାକୋଭସ୍କି କିନ୍ତୁ ଗୋଟିଏ କଥା ସ୍ପଷ୍ଟ କରି ଏଠାରେ ଉଲ୍ଲେଖ କରିଛନ୍ତି : ଜୀବନ୍ତ ମଣିଷର ମୂଲ୍ୟ ଅତୁଳନୀୟ । ଏପରିକି ତା’ର ଏକ କ୍ଷୁଦ୍ରାତ୍‌ଅପି କ୍ଷୁଦ୍ର ଧୂଳିକଣାଟିଏ ମଧ୍ୟ ବହୁ ମୂଲ୍ୟବାନ୍ । ତେଣୁ ଆମେ ପ୍ରଥମେ ସେହି ମଣିଷର ପୂଜା କରିବା ଦରକାର । ବର୍ତ୍ତମାନର ପରିସ୍ଥିତିରେ ମଣିଷର ସ୍ଥାନକୁ ମଧ୍ୟ ସେ ସୂଚାଇଛନ୍ତି । ‘‘ଆମେ, ସହରର କୁଷ୍ଠାଶ୍ରମେ ବନ୍ଦୀ ପରି ବଢ଼ୁ’’ - ବାହାରର ଆଲୋକ ଆମ ପାଇଁ ନୁହେଁ । ସମସ୍ତ ସୁଖ- ସମ୍ଭୋଗ ଐଶ୍ଵର୍ଯ୍ୟ- ବିଳାସ ପ୍ରଭୃତି ଶ୍ରେଣୀ ବୁର୍ଜୁୟା ଶ୍ରେଣୀର । ସାମ୍ରାଜ୍ୟବାଦୀ ଶୋଷକ ରକ୍ତଲିପ୍‌ସୁମାନଙ୍କର । ସେଠି ସର୍ବହରାର ସ୍ଥାନ ନାହିଁ । ସ୍ଵର୍ଗଚ୍ୟୁତ ସେ । ତେଣୁ ମଣିଷକୁ ଭଲ ପାଇ ସେ ପୂର୍ବର ସମସ୍ତ କୃତିକୁ (କ୍ଲାସିକ୍‌ ସୃଷ୍ଟିକୁ) ଘୃଣା କରି ବସିଛନ୍ତି । ହୋମର୍‌ ଓ ଓଭିଡ଼୍‌ଙ୍କର ଶ୍ରେଷ୍ଠ କୃତିମାନରେ ସେ ଯେଉଁ ଚିତ୍ର ବା ଚରିତ୍ରକୁ ଭେଟିଛନ୍ତି, ସେଥିରେ ସେ ସାଧାରଣ ନିରନ୍ନ ମଣିଷକୁ ଭେଟି ପାରିନାହାନ୍ତି । ସେ ସେଠାରେ ଆମର ଧୂଳି-ମାଟିର ମଣିଷକୁ, ଯାହାରମୁହଁ ବ୍ରଣ କ୍ଷତ ବା ବସନ୍ତରେ ଚିତ୍ରିତ, ନ ପାଇ ଯେଉଁ ଅଳକାପୁରୀର ଲାବଣ୍ୟପିତୁଳୀକୁ ଭେଟିଛନ୍ତି, ତାହା ତାଙ୍କୁ କେବେ ଆହ୍ଲାଦିତ କରିନାହିଁ । ଜୀବନ୍ତ ମଣିଷର ଚିତ୍ର ପରିବର୍ତ୍ତେ ଅବାସ୍ତବ ଚିତ୍ରରେ ସେ ଭୟ ପାଇଛନ୍ତି । ଚିତ୍କାର କରି କହିଛନ୍ତି ତାହା ସବୁ ନର୍କ ବୋଲି । ଭଗବାନଙ୍କର ପ୍ରାର୍ଥନାଠାରୁ ବେଶ୍‌ଭଲ ବରଂ ଏହି ମଣିଷର ଶିରା, ମାଂସପେଶୀର ଆକୁଳ କ୍ରନ୍ଦନ । ତେଣୁ ସେ ଗୀର୍ଜାଠାରୁ ମୁହଁ ଫେରାନ୍ତି, ମଣିଷର ଆକୁଳ ଆବେଦନ ନିକଟକୁ । ଅନ୍ୟର ତୋଷାମଦକୁ ଘୃଣା କରି, ଭରି ଦିଅନ୍ତି ଅପୂର୍ବ ଉତ୍ସାହ ସେହି ଦୁର୍ବଳ ସର୍ବହରା ଶ୍ରେଣୀର ଅଭାବି ମଣିଷଙ୍କ ମଧ୍ୟରେ । ଦୁର୍ବଳ ହୋଇଉଠିବ ସବଳ । ସେ ଗଢ଼ିବ ତା’ର ନୂତନ ଦୁନିଆଁ, ତା’ ହାତର ପାଞ୍ଚ ଆଙ୍ଗୁଠି ମଧ୍ୟରେ ରହିଛି ସେହି ଅମାପ ଶକ୍ତି । ତା’ର ଖାଲି ଉପଯୋଗ ଦରକାର । ସେ କଥା ଶୁଣିଛନ୍ତି ତାଙ୍କ ଦେଶର ସର୍ବହରା ଜନ । ନିଜର ଶକ୍ତି ଓ ସାମର୍ଥ୍ୟ ବଳରେ ଫେରାଇ ମଧ୍ୟ ଆଣିଛନ୍ତି ନିଜର ହୃତ ସାମ୍ରାଜ୍ୟକୁ ।

 

ଏଇ ହେଉଛି ମାୟାକୋଭସ୍କିଙ୍କ କବିତା, ଯାହା ଭିତରେ ଲୁଚି ରହିଥିଲା ଗୋଟିଏ କ୍ଷୁଦ୍ର ଅଗ୍ନିକଣା, ଯାହା କ୍ରମବର୍ଦ୍ଧିଷ୍ଣୁ ରୂପ ନେଇ ପୁଣି ସୃଷ୍ଟି କଲା ନୂତନ ରୁଷିଆ । ଆମ ସମାଜରେ ବି ସେହି ଏକ କଥାର ଅଭାବ ରହିଛି । ନୂତନ ଭାରତର ସୃଷ୍ଟି ପାଇଁ ଶ୍ରମ ଦରକାର । ଲାବଣ୍ୟବତୀର ସ୍ୱପ୍ନକୁ ତ୍ୟାଗ କରି ଭୁଭୁକ୍ଷୁ ମଣିଷର ଅଭାବକୁ ଉପଲବ୍ଧି କରିବା ଦରକାର । ପ୍ରାର୍ଥନା କରି ସମୟର ଦୟାରେ ବଞ୍ଚିବାର ମୋହକୁ ତ୍ୟାଗ କରି ପ୍ରଚୁର ପରିଶ୍ରମରେ ଦୁନିଆଁକୁ ଗଢ଼ିବାର ତଡ଼ିତ୍‌ କାମନା ସମୁଦ୍ୟତ ରହିବା ଦରକାର । କବି ସଚ୍ଚିଦାନନ୍ଦ ଏହା ହିଁ ଅନୁଭବ କରିଥିଲେ । ମାୟାକୋଭସ୍କିଙ୍କ ପରି ସେ ମଧ୍ୟ ପୂର୍ବର ସମସ୍ତ ସ୍ଵପ୍ନାତୁର କବିଗଣଙ୍କୁ ସ୍ଵପ୍ନପୁରୀ ତ୍ୟାଗ କରି ଆସିବାକୁ ଆହ୍ୱାନ ଜଣାଇଛନ୍ତି । ବୃହନ୍ନଳା ମଧ୍ୟରୁ ଅର୍ଜୁନତ୍ୱର କାମନା କରିଛନ୍ତି, ନପୁଂସକତ୍ୱକୁ ତ୍ୟାଗ କରି ଗାଣ୍ଡୀବୀ ହୋଇ ଫେରି ଆସିବାକୁ ବାରମ୍ବାର ଆହ୍ୱାନ ଦେଇଛନ୍ତି । ଏତେ ସତ୍ତ୍ୱେ ମଧ୍ୟ ସେ ଅନୁଭବ କରିଛନ୍ତି, ମାୟାକୋଭସ୍କିଙ୍କୁ ଓଡ଼ିଶାରେ ପହଞ୍ଚାଇବା ପାଇଁ ଓ ଅନୁବାଦ କରିଛନ୍ତି ମାୟାକୋଭସ୍କିଙ୍କୁ-

 

କବି ସଚ୍ଚିଦାନନ୍ଦ ମାୟାକୋଭସ୍କିଙ୍କୁ ନିଜ ଲେଖନୀ ମାଧ୍ୟମରେ ଓଡ଼ିଶାକୁ ଟାଣି ଆଣନ୍ତି ୧୯୬୫ ମସିହା ଅଗଷ୍ଟ ମାସରେ । ଏତେବେଳକୁ ଭାରତ ସ୍ୱାଧୀନତା ପାଇବାର ପ୍ରାୟ ଦୁଇଟି ଦଶନ୍ଧି ଅତିକ୍ରମ କରି ସାରିଥାଏ । ବାପୁଙ୍କର ସତ୍ୟ, ଅହିଂସା, ଆତ୍ମନିଷ୍ଠା ରୂପକ ମହାନ ମନ୍ତ୍ରରେ ଯେଉଁ ମଣିଷ ସ୍ୱପ୍ନର ରାମରାଜ୍ୟକୁ ପରିକଳ୍ପନା କରି ସ୍ୱାଧୀନତା ସଂଗ୍ରାମରେ ମାତିଥିଲା, ତା’ର ବାସ୍ତବ ରୂପକୁ ଠିକ୍ ଏତିକିବେଳକୁ କିଛି କିଛି ଅନୁମାନ ମଧ୍ୟ କରି ନେଇ ସାରିଥାଏ । ନିଜେ ସଚ୍ଚି ରାଉତରାୟ ମଧ୍ୟ ସ୍ୱପ୍ନର ରାମରାଜ୍ୟ (Utopia) ଠାରୁ ଦୂରେଇ ଯାଇ ଏହି ସମୟକୁ ଆଧୁନିକ କବିତାର ମୋଡ଼ରେ ନିଜକୁ ସାମିଲ କରି ସାରିଲେଣି । କବିତା- ୧୯୬୨ ତାଙ୍କର ଶ୍ରେଷ୍ଠ କାବ୍ୟକୃତି ଭାବରେ ମଧ୍ୟ ଜାତୀୟସ୍ତରରେ ସମ୍ମାନ ପାଇ ସାରିଥାଏ । ଠିକ୍‌ ଏହି ସମୟରେ କବି ଅନୁଭବ କରନ୍ତି ଓଡ଼ିଶାରେ ମାୟାକୋଭସ୍କିଙ୍କର ଆବଶ୍ୟକତାକୁ ।

 

କବି ଭ୍ଲାଦିମିର୍‌ ମାୟାକୋଭସ୍କି କେବଳ ପ୍ରଗତିବାଦୀମାନଙ୍କ ପାଇଁ କାବ୍ୟଗୁରୁ ନୁହନ୍ତି, ଅଧିକନ୍ତୁ ସେ ଆଧୁନିକ କବିତାର କବିମାନଙ୍କର ମଧ୍ୟ କାବ୍ୟଗୁରୁ । ତାଙ୍କ କବିତା କହିବାକୁ ଗଲେ ସେତେବେଳେ ଆଧୁନିକତା ପାଇଁ ଅଜସ୍ର ଉପାଦାନ ଆଣି ଦେଇଥିଲା । ପରବର୍ତ୍ତୀ କାଳରେ ଅବଶ୍ୟ ଇଲିଅଟ୍‌ ସେହି ଉର୍ବର ତଥା ଉନ୍ନତ ମନନରେ ନିଜର ଶକ୍ତି ସଞ୍ଚାରିତ କରାନ୍ତି । ଓଡ଼ିଆ କବିଏ ଉଭୟ ଇଲିଏଟ୍‌ଙ୍କ ସାହାଯ୍ୟରେ ଉଭୟ ସ୍ଥାପତ୍ୟ, ଓ ମନନରେ ବିଧିବଦ୍ଧ ଭାବରେ ଆଧୁନିକ ହୋଇ ଉଠନ୍ତି । ମାତ୍ର ଇଲିଅଟ୍‌ଙ୍କ ପର୍ଯ୍ୟନ୍ତ ମାୟାକୋଭସ୍କିଙ୍କର ପ୍ରେରଣାକୁ ଅସ୍ଵୀକାର କରାଯାଇ ନ ପାରେ । ପୂର୍ବୋକ୍ତ ସେହି କବିତାରେ କବି ପୁନଶ୍ଚ କହି ରଖିଛନ୍ତି :

 

‘‘ହୋମର ଓ ଓଭିଡ଼ଙ୍କ ସଙ୍ଗୀତରେ ଯେଉଁ

ନରକର ରହିଚି ଚିତ୍ରଣ ।

ସେଠାରେ କି ଆମପରି ପାଇବ କାହାକୁ

ମୁଖେ ଯାର ବ୍ରଣ କ୍ଷତ, ବସନ୍ତର ଚିହ୍ନ

ଏ କଥା ମୁଁ ଜାଣେ,

ସୂର୍ଯ୍ୟ ବି ମଉଳି ଯିବ ଦେଖି ସ୍ଵର୍ଣ୍ଣ ଛିଟା

ଆତ୍ମାର ଆମର ।’’

 

ଯେଉଁଠି ବାସ୍ତବ ମଣିଷର ରୂପ ଚିତ୍ର ନାହିଁ, ସେ କେବେ କବିତା ହୋଇ ନ ପାରେ । ଆଧୁନିକ କବିଏ ଏହି କଥାକୁ ମନେ ରଖିଛନ୍ତି । ଆଧୁନିକ କବିତା ବାସ୍ତବତାର କବିତା । ବର୍ତ୍ତମାନ ମଣିଷର ପ୍ରତିଛବି ବହନ କରେ ଆଧୁନିକ କବିତାର ଆତ୍ମା । ସଚ୍ଚିଦାନନ୍ଦ ମାୟାକୋଭସ୍କିଙ୍କୁ ସ୍ମରଣ ରଖିଛନ୍ତି । ଆଧୁନିକତାର ପ୍ରଥମ ସ୍ତରରୁ ହିଁ ସେ ବାସ୍ତବ ମଣିଷର ଚିତ୍ର ଆଙ୍କିବାକୁ ଚାହିଁଛନ୍ତି ତାଙ୍କ କବିତାରେ । ଏ କ୍ଷେତ୍ରରେ ତାଙ୍କର ‘ପ୍ରତିମା ନାୟକ’ ଅବଶ୍ୟ ସ୍ମରଣୀୟ । ‘ପ୍ରତିମା ନାୟକ’ର ପଂକ୍ତିଟି ଏହିପରି :

 

×      ×      ×      ×      ×      ×

ହଠାତ୍‌ ଯେ ଦେଖା ହେଲା ବହୁ ଦିନେ ପ୍ରତିମା ନାୟକ ।

ମୁଖ ତା’ର ବ୍ରଣଦୁଷ୍ଟ ହାତରେ ତା’ ଚମଡ଼ାର ବ୍ୟାଗ୍‌

ଶୀର୍ଣ୍ଣ ସାଧା ଗାଲେ ଫୁଟେ ବ୍ୟର୍ଥତାର ଅକପଟ ଦାଗ ॥

ତନୁ ତା’ର ରୋଗ ଜୀର୍ଣ୍ଣ, ବ୍ରଣେ ତା’ର ମ୍ଲାନ ମୁହଁଯାକ

ଶ୍ଳଥ, ରଜୁ ଦେହଶିଖା ଢାଙି ଅଛି ଖାକୀର ପୋଷାକ ।।

(ପାଣ୍ଡୁଲିପି/ପୃ-୧୨୮)

 

ଏଇ ହେଉଛି ସେହି ପ୍ରତିମା, ଯାହାକୁ ମାୟାକୋଭସ୍କି ଖୋଜୁଥିଲେ କବିତାରେ । ତେଣୁ କବି ସଚ୍ଚିଦାନନ୍ଦ ଅନୁଭବ କରିଛନ୍ତି ଯେ ଲାବଣ୍ୟବତୀର ଯୁଗ ଚାଲିଯାଇଛି, ତା’ର ସାନ ଏବେ ପ୍ରତିମାଦ୍ୱାରା ଅଧିକୃତ । ତେଣୁ ସେ ପ୍ରତିମାକୁ ଦେଖିଛନ୍ତି ନିଜ କବିତାରେ । ମାୟାକୋଭସ୍କିର ଚେତନା ଯେପରି ଏଠି ପୁନର୍ଜନ୍ମ ଲାଭ କରିଛି । କିନ୍ତୁ ଆଭିଜାତ୍ୟର ପାହାଚରେ ଠିଆ ହୋଇଥବା ସେହି ସାମ୍ରାଜ୍ୟବାଦୀମାନେ କିନ୍ତୁ ସଚ୍ଚିଦାନନ୍ଦଙ୍କୁ ସହି ପାରନ୍ତି ନାହିଁ । ଅସୂୟା ପରବଶ ହୋଇ ତାଙ୍କୁ ଅସୀଠାରୁ ମସୀ ପର୍ଯ୍ୟନ୍ତ ସବୁ କିଛି ବ୍ୟବହାର କରି ଆକ୍ରମଣ କରିଛନ୍ତି । କିନ୍ତୁ କବି ମନେ ରଖିଛନ୍ତି ଯେ, ‘‘××× ସୂର୍ଯ୍ୟ ବି ମଉଳି ଯିବ ଦେଖି ସ୍ଵର୍ଣ୍ଣଛିଟା ଆତ୍ମାର ଆମର ।’’ ସମୟକ୍ରମେ ସୂର୍ଯ୍ୟ ମଉଳି ଯାଇଛି । ତା’ ସ୍ଥାନରେ ଭଦ୍ଭାସିତ ହୋଇ ଉଠିଛି ଆଧୁନିକ କବିତାର ସ୍ଵର୍ଣ୍ଣଛିଟା । କବି ଏହି କାରଣରୁ ମାୟାକୋଭସ୍କିଙ୍କୁ ଆଣିବାକୁ ଚାହୁଁଛନ୍ତି ଓଡ଼ିଆ ସାହିତ୍ୟ ମଧ୍ୟକୁ । ମୁଖବନ୍ଧରେ ମଧ୍ୟ ତାଙ୍କ ସ୍ଵୀକାରୋକ୍ତି ରହିଛି ଏହିପରି : ‘‘ନାନା କାରଣରୁ ଓଡ଼ିଆ ଭାଷାରେ ମାୟାକୋଭସ୍କିଙ୍କ କବିତାବଳୀର ଅନୁବାଦ ବହୁ ଦିନରୁ ପ୍ରକାଶ ପାଇବା ଅତ୍ୟାବଶ୍ୟକ ଥିଲା । ଆଧୁନିକ ଓଡ଼ିଆ କବିତାର ବହୁ ସମସ୍ୟା ସମାଧାନ କରିବା ଦିଗରେ ମାୟାକୋଭିସ୍କ ନିଶ୍ଚୟ ପଥପ୍ରଦର୍ଶକ ରୂପେ ସାହାଯ୍ୟ କରିବେ । “(ମାୟାକୋଭସ୍କିଙ୍କ କବିତା ସଂଗ୍ରହ/ମୁଖବନ୍ଧ - ପୃଷ୍ଠା-୨) ଆଧୁନିକ ଓଡ଼ିଆ କବିତା ମାୟାକୋଭସ୍କିଙ୍କୁ ଚିହ୍ନିଛି, କିଛି ବାଟ ପୁଣି ଆଗେଇ ଯାଇଛି ମଧ୍ୟ । ପରେ ଅବଶ୍ୟ ଇଲିଅଟ୍‌ ସେହି ଅଧାଚଲା ବାଟକୁ ପୁଣି ପୂର୍ଣ୍ଣତା ଆଣିବା ଦିଗରେ ସାହାଯ୍ୟ କରନ୍ତି ।

 

କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ବହୁ ପୂର୍ବରୁ ଏ ଦେଶରେ ଯେ, ମାୟାକୋଭସ୍କିଙ୍କର ଆବିର୍ଭାବର ଏକାନ୍ତ ଆବଶ୍ୟକତା ଥିଲା, ତାହା ଉପଲବ୍ଧ କରିଥିଲେ ଆମ ଦେଶର ସ୍ଵନାମଧନ୍ୟ ପଣ୍ଡିତ ରାହୁଳ ସଂସ୍କୃତାୟନ । ସେ ପ୍ରଥମ କରି ୧୯୩୮ ମସିହାରେ ସ୍ଵରଚିତ ‘ସୋଭିଏତ ଭୂମି’ ପୁସ୍ତକ ମାଧ୍ୟମରେ ଏକ ଦୀର୍ଘ ଆଲୋଚନା କରି ମାୟାକୋଭିସ୍କଙ୍କୁ ପରିଚିତ କରାଇ ଥିଲେ ଭାରତରେ । (Ravi M.Bakaya - Vladimir Mayakovsky : Poet of the Russian Revolution/Main Stream-Annual - 1993/page- 109) ଏହାପରେ ହାର୍ବଟ ମାର୍ଶାଲ୍‌ (Herbert Marshall) ମାୟାକୋଭସ୍କିଙ୍କର ଏକ କବିତା ସଂକଳନ ଇଂରାଜୀରେ ପ୍ରକାଶ କଲେ । ବହିଟିର ନାମ ହେଉଛି : ‘‘Mayakovosky and his Poetry’’ । ଏହା ୧୯୪୨ ମସିହାରେ ଲଣ୍ଡନରୁ ପ୍ରଥମେ ପ୍ରକାଶ ଲାଭ କରିଥିଲା । ଏହି ସୂତ୍ରରେ ମାୟାକୋଭସ୍କିଙ୍କ ଚେତନା ସହିତ ଭାରତୀୟ ପାଠକମାନଙ୍କର ପୂର୍ଣ୍ଣ ସମ୍ପର୍କ ସ୍ଥାପିତ ହୋଇ ଉଠିଲା । ତେବେ ରାହୁଳ ସଂସ୍କୃତାୟନଙ୍କର ସେହି ୧୯୩୮ ମସିହାର ହିନ୍ଦୀ ପୁସ୍ତକ ‘ସୋଭିଏତ୍ ଭୂମି’ର ପ୍ରକାଶନ ପରଠାରୁ ଭାରତରେ ଯେ ମାୟାକୋଭସ୍କିଙ୍କର ପ୍ରବେଶ ଘଟିଛି, ତାହା ନିଃସନ୍ଦେହ । ମାତ୍ର ଯେତେଦୂର ଆଧୁନିକ କବିତାର ପ୍ରଶ୍ନ ଉଠେ, ପୁଣି ବିଶେଷ କରି ଓଡ଼ିଶାର କଥା ମନକୁ ଆସେ, ସେତେବେଳେ ଆମେ ଭେଟୁ କବି ସଚ୍ଚିଦାନନ୍ଦଙ୍କୁ ।

 

କବି ସଚ୍ଚିଦାନନ୍ଦ ମାୟାକୋଭସ୍କିଙ୍କୁ ଚିହ୍ନନ୍ତି ହାର୍ବଟ ମାର୍ଶାଲ୍‌ଙ୍କ କବିତା ମାଧ୍ୟମରେ । ଓଡ଼ିଶାରେ ତାଙ୍କ ଗୁରୁତ୍ୱକୁ ଅନୁଭବ କରି ତାଙ୍କୁ ପରିଚିତ କରାନ୍ତି ମଧ୍ୟ ତାଙ୍କର ସେହି କବିତାମାନର ଅନୁବାଦ ମାଧ୍ୟମରେ । ବାସ୍ତବରେ କହିବାକୁ ଗଲେ ଅନୁବାଦ ଏପରି ଏକ କଳା, ଯାହା ଚେତନାକୁ ଏକାଙ୍ଗୀଭୂତ କରେ । ଅବୁଝାକୁ ବୁଝାଏ, ଅଦେଖାକୁ ଦେଖାଏ । ସମ୍ପର୍କ ସ୍ଥାପନର ଅନ୍ୟତମ ହେତୁ ଭାବରେ ତେଣୁ ଅନୁବାଦ କଳାର ଗୁରୁତ୍ୱ ଯଥେଷ୍ଟ । ଡଃ କ୍ଷେତ୍ରବାସୀ ନାୟକ କୁହନ୍ତି : ‘‘ଏହି ଅନୁବାଦ ହେଉଛି ଭାବ ବିନିମୟର ଏକ ଉନ୍ନତ ମାଧ୍ୟମ । ଏହାଦ୍ୱାରା ଗୋଟିଏ ତୀର୍ଥଘାଟରେ ସକଳ ଜ୍ଞାନାମୃତ ସେବନର ସୁଯୋଗ ମିଳିଥାଏ । ବିଶ୍ଵର ସାରସ୍ଵତ ବିସ୍ମୟ ଓ ଚେତନାରାଜିର ଏହାରି ଜରିଆରେ ଦେଶାନ୍ତରକୁ ଖେଳିଯାଏ । ଆପଣା ଅକ୍ଷରରେ ବିଶ୍ୱ ସାହିତ୍ୟକୁ ଚିହ୍ନିବାର କଳ୍ପନା ଏଇଠି ସାର୍ଥକ ହୁଏ । କାରଣ ଅନୁବାଦ ବିନା ବିଶ୍ଵ ସାହିତ୍ୟର ଅନ୍ଦିକନ୍ଦି ସହିତ ପରିଚିତ ହେବା ଏବଂ ବିଶ୍ଵବିଦ୍ୟା ଆୟତନକୁ ପ୍ରବେଶ କରିବା ସମ୍ଭବ ନୁହେଁ ।’’ (ଡକ୍ଟର କ୍ଷେତ୍ରବାସୀ ନାୟକ/ଆଲୋଚନା ପତ୍ର/ପୃଷ୍ଠା- ୧୧୭) ଡଃ ଗୀତାରାଣୀ ଗାଲିବଲ୍‌ ମଧ୍ୟ ଠିକ୍‌ ସେଇ କଥା କୁହନ୍ତି । ସେ କୁହନ୍ତି ‘‘ମାନବର ନିକଟରେ ଆୟୁ, ସମୟ, ସାଧନର ଏକ ସୀମା ରହିଛି-। ପ୍ରତ୍ୟେକ ମଣିଷ ପ୍ରତ୍ୟେକ ଭାଷା ଶିଖି ପାରେ ନାହିଁ । ଏହି ପରିସ୍ଥିତିରେ ଅନୁବାଦକ ହିଁ ଏକମାତ୍ର ମାଧ୍ୟମ; ଯାହାଦ୍ୱାରା ଆମ୍ଭେ ସମସ୍ତେ ସମସ୍ତ ଭାଷା ମଧ୍ୟରେ ସମ୍ପର୍କ ସ୍ଥାପନ କରି ପାରିବା-।’’ (ଡକ୍ଟର ଅବଧୋଶ ମୋହନଗୁପ୍ତା/ପ୍ରାରମ୍ଭିକ ଅନୁବାଦ ବିଜ୍ଞାନ: ସିଦ୍ଧାନ୍ତ ଔର୍‌ ପ୍ରୟୋଗ/ପୃଷ୍ଠା- ୧୯) ତେବେ ପୃଥିବୀର କୋଣାନୁକୋଣ ସହିତ ଯଦି ସମ୍ପର୍କ ସ୍ଥାପନ କରିବାକୁ ହୁଏ, ପୃଥିବୀର ଚିନ୍ତନକୁ ଯଦି ଆମ ଚେତନା ମଧ୍ୟରେ ମିଶାଇ ନେବାକୁ ହୁଏ, ତେବେ ଆମେ ଅନୁବାଦକର ସାହାଯ୍ୟ ନିଶ୍ଚୟ ନେବୁ ଓ ଆମର ସେତେବେଳେ ଏକମାତ୍ର ଯେ ମାଧ୍ୟମ ହେବ ଅନୁବାଦ ସାହିତ୍ୟ- ଏହା ସର୍ବାଦୌ ସ୍ଵୀକୃତ । ଏହି ମର୍ମରେ ଆମର ପ୍ରିୟ କବି ସଚ୍ଚିଦାନନ୍ଦ ହାର୍ବଟ ମାର୍ଶାଲଙ୍କ ଅନୁଦିତ କବିତାଗୁଡ଼ିକର ପୁନଃ ଅନୁବାଦ କରି ମାୟାକୋଭସ୍କିଙ୍କୁ ଓଡ଼ିଶାର ଶ୍ରଦ୍ଧେୟ ପାଠକମାନଙ୍କ ନିକଟରେ ପରିଚିତ କରାଇବାର ଯେଉଁ ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି, ତାହା ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ ଓ ପ୍ରଶଂସନୀୟ ।

 

ଅନୁବାଦ ସାହିତ୍ୟର ଚର୍ଚ୍ଚା କଲାବେଳେ ଆମକୁ କେତୋଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଦୃଷ୍ଟିପଥକୁ ଆଣିବାକୁ ହୋଇଥାଏ, ଯେଉଁଗୁଡ଼ିକ କି ଅନୁବାଦ କ୍ରିୟାର ଏକ ଏକ ଅନତିକ୍ରମ ବାଧା (Obstacles) । ଏହି ବାଧାକୁ ଅନୁବାଦକ ଚାହିଁଲେ ବି ଏଡ଼ାଇ ଦେଇ ପାରିବେ ନାହିଁ । ପୁନଶ୍ଚ ଏହି ବାଧା ହିଁ ଅନୁବାଦ କଳାକୁ କଳାତ୍ମକ ଦୃଷ୍ଟିକୋଣରୁ ଶ୍ରେଷ୍ଠତ୍ୱର ଆସନ ଦିଏ ।

 

ଅନୁବାଦ ସାହିତ୍ୟର ପଥରେ ଥିବା ଏହି ଅନତିକ୍ରମ ବାଧାର ଆଲୋଚନା ପୂର୍ବରୁ ପ୍ରଥମେ ଅନୁବାଦ କଳା ପାଇଁ ଥିବା ବିଭିନ୍ନ ବୈଶିଷ୍ଟ୍ୟ (Characteristics)କୁ ଆଲୋଚନା କରିବା ଦରକାର ।

 

ମାର୍ଟିନ ଲୁଥର ଅନୁବାଦ ପାଇଁ ଯେଉଁସବୁ ପଦକ୍ଷେପଗୁଡ଼ିକ ନିର୍ଦ୍ଦେଶ କରିଛନ୍ତି, ତାହା ଏହିପରି :-

 

୧.

ଅନୁବାଦ ପୂର୍ଣ୍ଣତଃ ବୋଧଗମ୍ୟ ହେବା ଦରକାର ।

୨.

ମୂଳପାଠର ଶବ୍ଦକ୍ରମକୁ ଆବଶ୍ୟକ ହେଲେ ପରିବର୍ତ୍ତନ କରିନେବା ଦରକାର ।

୩.

ଅପେକ୍ଷିତ ଅର୍ଥର ଅଭିବ୍ୟକ୍ତି ପାଇଁ ଏପରି ସହାୟକ ଶବ୍ଦ (ସହାୟକ କ୍ରିୟା ଆଦି) ଅନୁବାଦରେ ସ୍ଥାନ ପାଏ, ଯାହାକି ମୂଳ ପାଠରେ ନ ଥାଏ ।

୪.

ମୂଳପାଠର ଅଗ୍ରଯୁକ୍ତ, ସଂଯୋଜକ - ବିୟୋଜକ ଆଦି ମଧ୍ୟ ଅନୁବାଦରେ ପ୍ରଯୁକ୍ତ ହୋଇଥାଏ । ଇତ୍ୟାଦି ଇତ୍ୟାଦି ।

 

(ଡକ୍ଟର ଅବଧୋଶ ମୋହନଗୁପ୍ତ/ପ୍ରାରମ୍ଭିକ ଅନୁବାଦ ବିଜ୍ଞାନ; ସିଦ୍ଧାନ୍ତ ଔର ପ୍ରୟୋଗ/ପୃଷ୍ଠା - ୧୫)

 

ଏହି କ୍ରମରେ ଅନୁବାଦ କଳାରେ ମଧ୍ୟ ଅନେକ ବାଧା ଆସି ପହଞ୍ଚେ । ସେହି ବାଧାଗୁଡ଼ିକୁ ଏବେ ଆମେ ନିମ୍ନ କ୍ରମରେ ଆଲୋଚନା କରିପାରିବା ।

 

୧.

ମୂଳପାଠର ଶବ୍ଦକ୍ରମ ଆବଶ୍ୟକତାକୁ ନେଇ ଯଦି ପରିବର୍ତ୍ତିତ ରୂପ ଧାରଣ କରେ, ତେବେ ତାହା ମୂଳଠାରୁ ଦୂରେଇ ଯାଏ ।

୨.

ଅପେକ୍ଷିତ ଅର୍ଥର ଅଭିବ୍ୟକ୍ତି ପାଇଁ, ଯଦି ମୂଳଲେଖାର କାଳୋଚିତ ଶବ୍ଦ ବ୍ୟବହାର କରାଯାଏ, ତେବେ ସେ ଆପଣା ସମୟ ନିକଟରେ ଅତି ପୁରାତନବୋଧ ହେବେ ନିଶ୍ଚୟ ଏବଂ ଅନ୍ୟ ପକ୍ଷରେ ଯଦି ମୂଳ ଶବ୍ଦର ପ୍ରତିଶବ୍ଦ ଆପଣା ସମୟ ପ୍ରଚଳନରୁ ଗ୍ରହଣ କରୁଛନ୍ତି, ତେବେ ମୂଳ ରଚନା ନିକଟରେ ନିଶ୍ଚିତ ଭାବରେ ଏକ ଐତିହାସିକ ପ୍ରସାଦ ସୃଷ୍ଟି କରିବେ । (ଡକ୍ଟର କ୍ଷେତ୍ରବାସୀ ନାୟକ/ଆଲୋଚନା ପତ୍ର/ପୃଷ୍ଠା -୧୧୯)

 

 

 

ଏହି ସବୁ କାରଣରୁ ବୋଧହୁଏ ସେଦିନ ଡକ୍ଟର ରାଜଗୋପାଳଚାରୀ ଯଥାର୍ଥତଃ କହିଥିଲେ ଯେ, ‘‘କ୍ଲାସିକ୍‌ ରଚନାବଳୀକୁ ଗୋଟିଏ ଭାଷାରୁ ଅନ୍ୟ ଭାଷାକୁ ଅନୁବାଦ କରି ତାହାର କଳାତ୍ମକ ସୌନ୍ଦର୍ଯ୍ୟ ଅକ୍ଷୁର୍ଣ୍ଣ ରଖିବା ଆଦୌ ସହଜ ବ୍ୟାପାର ନୁହେଁ । ଯଦି ଭାଷା ଦିଓଟି ସ୍ୱଧର୍ମରେ ନିକଟବର୍ତ୍ତୀ ହୋଇଥାନ୍ତି । ତା’ ହେଲେ ସେମାନଙ୍କ କଥା ଭିନେ । (Dr.C. Rajgopalchary/The Art of Translation: A symposium/page - 5)

 

ଏଠାରେ କିନ୍ତୁ ଭାଷା ଦିଓଟି ସ୍ଵଧର୍ମରେ ନିକଟବର୍ତ୍ତୀ ନୁହନ୍ତି । ଗୋଟିଏ ଭାଷା (ମୂଳ ଲେଖା) ରସିଆନ୍ (Russian) ଓ ଅନ୍ୟଟିର ଭାଷା (ଅନୁବାଦର ଭାଷା) ଓଡ଼ିଆ । ପୁନଶ୍ଚ ଓଡ଼ିଆ ଅନୁବାଦଟି ସମ୍ପୂର୍ଣ୍ଣତଃ ମୂଳ ଲେଖାର ଭାଷାନ୍ତର ନୁହେଁ; ଅଧିକନ୍ତୁ ଭାଷାନ୍ତର (ଇଂରାଜୀ)ର ଭାଷାନ୍ତର । ତେଣୁ ମାୟାକୋଭସ୍କିଙ୍କୁ ହାର୍ବାଟ୍‌ ମାର୍ଶାଲ୍‌ଙ୍କ ଦୃଷ୍ଟିରୁ ବୁଝନ୍ତି ଆମର ଅନୁବାଦକ କବି ସଚ୍ଚିଦାନନ୍ଦ । ତେଣୁ ମୂଳଲେଖାର ଭାବାନୁବାଦ ଏଠାରେ ସମୁଦ୍ୟତ । Dryden ମଧ୍ୟ ଏହି ଭାବାନୁବାଦକୁ ଶ୍ରେଷ୍ଠତ୍ଵର ଆସନ ଦିଅନ୍ତି । ତାଙ୍କ ମତରେ ଶବ୍ଦାନୁବାଦ (Meta Pharase) ଭାବାନୁବାଦ (Para Pharase) ଓ ଅନୁକରଣ (Imitation) ମଧ୍ୟରୁ ଭାବାନୁବାଦ ହିଁ ଅଧିକ ଆଦରଣୀୟ । (ଡକ୍ଟର ଅବଧୋଶ ମୋହନଗୁପ୍ତ/ପ୍ରାରମ୍ଭିକ ଅନୁବାଦ ବିଜ୍ଞାନ : ସିଦ୍ଧାନ୍ତ ଔର୍‌ ପ୍ରୟୋଗ/ପୃଷ୍ଠା- ୧୬) ଅର୍ଲ ରସ୍କିନ୍ନ ମଧ୍ୟ କହି ରଖନ୍ତି: Your author always will be best advise, Fall when he falls, and when he rises, rise ? (ଡକ୍ଟର ଅବଧୋଶ ମୋହନଗୁପ୍ତ/ପ୍ରାରମ୍ଭିକ ଅନୁବାଦ ବିଜ୍ଞାନ: ସିଦ୍ଧାନ୍ତ ଔର୍‌ ପ୍ରୟୋଗ/ପୃଷ୍ଠା- ୧୬) ତେଣୁ କବି ସଚ୍ଚିଦାନନ୍ଦ ଏହି କ୍ରମରେ ମୂଳ କଥାବସ୍ତୁର ଭାବାନୁବାଦକୁ ଅଧିକ ଗୁରୁତ୍ୱ ପ୍ରଦାନ କରି ମୂଳଲେଖାର ସୋପାନେ ସୋପାନେ ଆଗେଇ ଯାଇଛନ୍ତି ଓ ମାୟାକୋଭସ୍କିଙ୍କୁ ଆଙ୍କିଛନ୍ତି ଓଡ଼ିଶାର ପଟ୍ଟଭୂମିରେ ।

 

ହାର୍ବଟ ମାର୍ଶାଲ (Herbert Marshall)ଙ୍କ ଦ୍ୱାରା ସଂକଳିତ ସେହି ପୁସ୍ତକରେ ଯେଉଁ ଅନୁବାଦମାନ ଥିଲା, ସେଗୁଡ଼ିକର ଅନୁବାଦକ କେବଳ ସେ ନିଜେ ନ ଥିଲେ, ତାଙ୍କ ସହିତ ଥିଲେ ମଧ୍ୟ ଜିଓ ରେଭି, ଜୋସେଫ୍‌, ପ୍ରିମାନ, ଲିଓନ୍‌ ଟାଲମି, ଡି.ଆର୍‌, ନୋଏସ୍‌, ଆଲେକ୍ସ କାଉନ, ଆଲାନ୍‌ ମୋରେ ଉଇଲି ଆମ୍‌ସ, ବାବେଟା ଡ୍ୟୁସ୍‌, ଏ.ଆର୍‌.ମଲିନସ୍କି ଇତ୍ୟାଦି । କବି ସଚ୍ଚିଦାନନ୍ଦ ଅନୁବାଦ ପୁସ୍ତକର ‘ୠଣ- ସ୍ଵୀକାର’ରେ ଉପରୋକ୍ତ କବିଙ୍କ ନିକଟରେ ନିଜର ରଣ ସ୍ୱୀକାର କରିଛନ୍ତି । କାରଣ ସେହିମାନଙ୍କ ଦୃଷ୍ଟିକୋଣରୁ କବି ସଚ୍ଚିଦାନନ୍ଦ ମାୟାକୋଭକ୍ସିଙ୍କୁ ଦେଖିଛନ୍ତି, ବୁଝିଛନ୍ତି, ଚିହ୍ନିଛନ୍ତି ଓ ସର୍ବାନ୍ତକରଣରେ ଚିହ୍ନି ଚିହ୍ନାଇବାର ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି । କବି ଅନୁବାଦ କାଳରେ ନିଜେ ମଧ୍ୟ ସ୍ଵୀକାର କରିଛନ୍ତି ଯେ ମାୟାକୋଭସ୍କିଙ୍କୁ ଅନୁବାଦ କରିବା ଏକ କଠିନ ବ୍ୟାପାର । ଯଥାସମ୍ଭବ ଭାବାନୁବାଦରେ ଛନ୍ଦ ଓ ମେଳର ସାମ୍ୟତା ରକ୍ଷା କରିବାକୁ ଚେଷ୍ଟା କରିଛନ୍ତି ନିଶ୍ଚୟ । ତାଙ୍କର ସ୍ଵୀକାରୋନ୍ତି ଏହିପରି: ‘‘ମାୟାକୋଭସ୍କିଙ୍କ କବିତାର ମୂଳ ଛନ୍ଦ ତଥା ଆଙ୍ଗିକ ସଙ୍ଗେ ସମତା ରକ୍ଷା କରିବା ପାଇଁ ଓଡ଼ିଆ ଅନୁବାଦରେ ଯଥାସମ୍ଭବ ଚେଷ୍ଟା କରାଯାଇଛି । କିନ୍ତୁ ପଦ ଓ ଅକ୍ଷରର ସମତା ରକ୍ଷା କରିବା ସମ୍ପୂର୍ଣ୍ଣ ଅସମ୍ଭବ, ବିଶେଷତଃ ଓଡ଼ିଆ ଭାଷାନ୍ତରରେ ।’’ (ସଚ୍ଚିଦାନନ୍ଦ ରାଉତରାୟ/ମାୟାକୋଭସ୍କି କବିତା ସଂଗ୍ରହ/ପୃଷ୍ଠା- ୧) ତଥାପି ତାଙ୍କର ଛନ୍ଦ ଓ ମେଳ ଯେ ଇଂରାଜୀ ଭାଷାନ୍ତରର କେତେ ନିକଟବର୍ତ୍ତୀ ତାହା ନିମ୍ନ ଉଦ୍ଧୃତିରୁ ବେଶ୍‌ ଅନୁମାନ କରାଯାଇପାରେ ।

 

l don't want to be

a wayside flower.

Plucked after work.

in an idle hour,

 

...l want Gos Plan

to seat in debate

Assigning my output

as part of the state.

 

l want the pen

to equal the gun,

To be listed with iron

in industry,

 

And the Polit Bureau's agenda

Item l,

to be Stalin’s Report on

"The output of Poetry..."

(Home Ward/Herbert Marshall)

 

ଓଡ଼ିଆ ଭାଷାନ୍ତର :

ମୁଁ ହେବାକୁ ଚାହେନା

ପଥ ପ୍ରାନ୍ତର ‘ଲୁ,

ତୋଳି ନେବ ଯାହା

ଅବସର ବେଳେ ଥରେ ।

 

....ମୁଁ ହେବି ରସ୍‌ପ୍ଲ୍ୟାନ୍,

ତର୍କେ ବୁହାଇ ଝାଳ,

ରାଷ୍ଟ୍ରର ଏକ ଅଂଶ,

କର୍ମରେ ଧୁରନ୍ଧର ।

 

ମୁଁ ଚାହେ କଲମ

କମାଣର ସମତୁଲ

ହେଉ, ହେଉ ଶିଳ୍ପରେ

ଇସ୍ପାତ ସରି ଟାଣ ।

 

ମୁଁ ହୁଏ କେନ୍ଦ୍ର କମିଟି

ବୈଠକରେ

ଏଜେଣ୍ଡାରେ

ବିଷୟ

ନମ୍ବର

ଏକ

ରିପୋର୍ଟ ସ୍ତାଲିନ୍‌ର

‘କବିତାର ପରିମାଣ’

ଉପରେ ।’’

(ଘରବାହୁଡ଼ା/ମାୟାକୋଭସ୍କି କବିତା ସଂଗ୍ରହ/ପୃ.୮୯)

 

ଛନ୍ଦ ଓ ମେଳ ପ୍ରାୟ ପାଖାପାଖି ରହି ସାମ୍ୟତା ରକ୍ଷା କରିବାକୁ ଯଥା ସମ୍ଭବ ଚେଷ୍ଟା କରି ଚାଲିଚି । ଭାବାନୁବାଦ ଘଟିଛି । ଓଡ଼ିଆ ଚିହ୍ନିଛି ଏହି ସୂତ୍ରରେ ମାୟାକୋଭସ୍କିଙ୍କୁ ।

 

କବି ରାଉତରାୟ ମାୟାକୋଭସ୍କିଙ୍କୁ ଚିହ୍ନାଇବା ବେଳେ କହି ରଖିଛନ୍ତି ଯେ- ‘ମାୟାକୋଭସ୍କି ଜଣେ ଭବିଷ୍ୟତବାଦୀ । ସେ ଆଗାମୀ ଯୁଗର ନିର୍ମିତ ଚିତ୍ରପଟକୁ ଆଖି ଆଗରେ ରଖି ନୂତନ କବିତା ରଚନା ଦିଗରେ ଅଗ୍ରସର ହୋଇଛନ୍ତି । ତେଣୁ ତାଙ୍କର କବିତାର ମାନଚିତ୍ର ତଥା ଦିକ୍‌ମଣ୍ଡଳକୁ ‘ବର୍ତ୍ତମାନ’ର ସଂକୀର୍ଣ୍ଣ ପରିପ୍ରେକ୍ଷୀରେ ବିଚାର ନ କରି ଅନାଗତ କାଳର ଦିକ୍‌ବାରିଣୀ ଉପରୁ ନିରୀକ୍ଷଣ କରିବାକୁ ହେବ । ତା’ ନ ହେଲେ ତା’ ର ସମ୍ପୂର୍ଣ୍ଣ ଚେହେରା ଏବଂ ତାତ୍ପର୍ଯ୍ୟ ଧରା ପଡ଼ିବ ନାହିଁ ।’’ (ସଚ୍ଚିଦାନନ୍ଦ ରାଉତରାୟ/ମାୟାକୋଭସ୍କି କବିତା ସଂଗ୍ରହ/ମୁଖବନ୍ଧ/ପୃଷ୍ଠା. ୨) ବାସ୍ତବରେ ସେ ଥିଲେ ଜଣେ ବିପ୍ଳବୀ, ସାମ୍ୟବାଦର ସ୍ଵପ୍ନ ନେଇ କବିତା ରଚନା କରିଥଲେ । ମାତ୍ର ତାଙ୍କ କବିତାରୁ ଭବିଷ୍ୟତର ଆଭାସ ମିଳିଥିଲା । ପ୍ରକୃତରେ ସେ ଥିଲେ ଯୋଗଜନ୍ମା, ଦ୍ରଷ୍ଟା । କବିଙ୍କୁ ଆମ ଆର୍ଯ୍ୟାବର୍ତ୍ତରେ ଯେଉଁ ବ୍ରହ୍ମାଙ୍କ ସହିତ ତୁଳନା କରାଯାଇଛି, ତାହାର ପ୍ରକୃଷ୍ଟ ଉଦାହରଣ ଦେଉଛନ୍ତି ରୁଷିଆର କବି ମାୟାକୋଭସ୍କି । ୧୯୩୦ ମସିହାରେ ଆତ୍ମହତ୍ୟା କରିବା ପୂର୍ବରୁ ସେ ୧୯୨୬ ସାଲରେ ଫ୍ୟାସିବାଦର ବିଭୀଷିକାମୟ ରୂପକୁ ସ୍ପଷ୍ଟ ଦେଖି ପାରିଥିଲେ । ତେଣୁ ସେହି ଭବିଷ୍ୟତ୍‌ବାଦୀ କବିଙ୍କୁ ଆମେ ଭବିଷ୍ୟତର ଦୃଷ୍ଟିକୋଣରୁ ହିଁ ବିଚାର କରିବାକୁ ହେବ । ବାସ୍ତବରେ କବି ମାୟାକୋଭସ୍କି ଯେଉଁ ପରିମାଣରେ ଜୀବନକୁ ଭଲ ପାଇଛନ୍ତି, ମଣିଷକୁ ଭଲ ପାଇଛନ୍ତି, ତାହା ବୋଧହୁଏ ଆଧୁନିକ କବିଙ୍କୁ ପ୍ରେରଣା ଯୋଗାଇଛି । ଆଧୁନିକ ଯୁଗର ଯେ କୌଣସି କବି ଆଜି ଯେ- ମଣିଷର ଜୀବନକୁ ନେଇ ଏତେ ବ୍ୟଗ୍ର, ତା’ର ପ୍ରତିଟି ସ୍ଥିତିକୁ ନେଇ ଚଳଚଞ୍ଚଳ, ତା’ର ମୂଳରେ ଅଛନ୍ତି ନିଶ୍ଚିତ ଭାବରେ ମାୟାକୋଭସ୍କି ।

 

ମଣିଷ ଓ ଜୀବନକୁ ଅତି ଆପଣାର କରି ମାୟାକୋଭସ୍କି କିପରି ନିଜର ବକ୍ତବ୍ୟ ପ୍ରକାଶ କରିଛନ୍ତି, ତାହା ଏବେ ଦ୍ରଷ୍ଟବ୍ୟ:

 

‘‘ଯଦିଚ

ମୁଁ ଖଞ୍ଜି ବାରୁଦ ଓ

ଡିନାମାଇଟି ତହିଁ

କରିଥାନ୍ତି ତାକୁ ଭଗ୍ନସ୍ତୁପ

ମୁଁ ଘୃଣା କରେ

ସବୁ ପ୍ରକାର ମରଣଶୀଳତା ।

ମୁଁ ଶ୍ରଦ୍ଧା କରେ

ଜୀବନ ସର୍ବଥା ।’’

(ଜୁବିଲି/ ମାୟାକୋଭସ୍କି କବିତା ସଂଗ୍ରହ-ପୃ.୧୧୬)

 

ଜୀବନର ଶତତ ଯନ୍ତ୍ରଣା ମଧ୍ୟରେ ମଧ୍ୟ ଜୀବନ ଶ୍ରେୟସ୍କର । ମୃତ୍ୟୁର ମାନେ ଭୀରୁତାର ପ୍ରଥମ ଲକ୍ଷଣ । ତେଣୁ ଜୀବନ ଯନ୍ତ୍ରଣା ସହିତ ମୁକାବିଲା କରିବାକୁ କବି ଆହ୍ୱାନ ଦିଅନ୍ତି; ଯନ୍ତ୍ରଣାଠାରୁ ମୁହଁ ଫେରାଇ ନେବାକୁ ନୁହେଁ । ଯେଉଁମାନେ ମୁହଁ ଫେରାଇ ଭୀରୁ ପରି ବଞ୍ଚନ୍ତି, କବିଙ୍କ ଘୃଣାର ସେଠି ସୀମା ରୁହେ ନାହିଁ । କବି ତାତ୍ସଲ୍ୟ ଭରା କଣ୍ଠରେ ତାକୁ କୁହନ୍ତି :

 

ପ୍ରିୟବନ୍ଧୁ !

ବଞ୍ଚ ତୁମେ,

କାହଁକି ହୋଇବ ଶେଷ

ଏଡ଼େ ବଡ଼ ସୁନ୍ଦରଜୀବନ

 

ଶହେଥର

ଲଢ଼ିବାକୁ

ଆମେ ଯେ, ପ୍ରସ୍ତୁତ

ଶହେ ଥର ଲଭିବୁଁ କବର ।

(ଭ୍ଲାଦିମିର ଇଲୀଚ ଲେନିନ୍/ମାୟାକୋଭସ୍କି କବିତା- ସଂଗ୍ରହ-ପୃ.୧୬୦)

 

ଆଉ ଯେଉଁମାନେ ଜୀବନକୁ ପ୍ରାଣଭରି ଭଲ ପାଇଁ ଜୀବନରେ ଆସୁଥିବା ଝଡ଼ ଝଞ୍ଜା ସହିତ ମୁକାବିଲା ପାଇଁ ବୀର ଦର୍ପରେ ଆଗେଇ ଆସନ୍ତି, କବିଙ୍କର ସେମାନଙ୍କ ପ୍ରତି ଅଶେଷ ଶ୍ରଦ୍ଧା-। କବି ସେମାନଙ୍କୁ ଉତ୍ସାହିତ କରନ୍ତି । ଗାଇ ଉଠନ୍ତି ସଞ୍ଜୀବନୀର ମନ୍ତ୍ର :

 

ରାସ୍ତାରେ ଆବାଜ୍‌ ଉଠେ ।

ବିପ୍ଳବର

ଅଭିମାନ ଛୁଟେ ।

 

ଗର୍ବଶିରେ

ମୃତ୍ୟୁ ହାଣେ

ବ୍ରଜର ଆଘାତ ।

 

ଆମେରେ ପ୍ରଳୟ-ବନ୍ୟା ।

ତରଙ୍ଗ ଆବର୍ତ୍ତ ।

ପୃଥିବୀକୁ ମେଘ ପରି କରିବୁଁ ବିଧୌତ ॥

(ବିପ୍ଲବୀ/ମାୟାକୋଭସ୍କି କବିତା ସଂଗ୍ରହ ପୃ. ୬୩)

 

ଉଭୟ ପ୍ରଗତିବାଦୀ ଓ ଆଧୁନିକ କବିଙ୍କ ପାଇଁ ମାୟାକୋଭସ୍କି ଯେ, ଏହି ଦୃଷ୍ଟିରୁ ପଥ ପରିଷ୍କୃତ କରି ଦେଇଛନ୍ତି, ଏହା ଆଉ ବୁଝାଇ କହିବାର ଆବଶ୍ୟକତା ନାହିଁ । ପ୍ରଗତିବାଦୀଙ୍କ ପରି ବିପ୍ଲବ ପାଇଁ ଯେପରି ଆହ୍ୱାନ ଜଣାଇଛନ୍ତି, ଭବିଷ୍ୟତ୍‌ବାଦୀ ହୋଇ ଭବିଷ୍ୟତର ସୁନେଲୀ ସ୍ୱପ୍ନକୁ ମଧ୍ୟ ଦେଖିଛନ୍ତି । ବାସ୍ତବତାର ନିଷ୍ଠୁ‌ର ସତ୍ୟକୁ ଉପଲବ୍ଧି କରି ସେ ବାସ୍ତବତାର କଥା ମଧ୍ୟ କହିଛନ୍ତି-। ଏହି କାରଣରୁ ଓଡ଼ିଆ ସାହିତ୍ୟରେ ମାୟାକୋଭସ୍କିଙ୍କର ପ୍ରବେଶର ଯଥାର୍ଥତା ରହିଛି ।

 

ଉପସଂହାର ପର୍ବରେ ଆମେ ପୁଣିଥରେ ମାୟାକୋଭସ୍କିଙ୍କର ସେହି ପ୍ରଥମରୁ ଉଦ୍ଧୃତ ପଙ୍‌କ୍ତି, ଟ୍ରାଉଜର ପିନ୍ଧା ମେଘ ଖଣ୍ଡେର କିୟଦ୍ଂଶକୁ ସ୍ମରଣ କରି ପାରିବା । ସେଠି ସେ କହି ରଖିଛନ୍ତି :

 

‘‘ପ୍ରାର୍ଥନାରୁ ସତ୍ୟ ଅଟେ ଶିରା ମାଂସପେଶୀ

ସମୟର ଦୟା ଆମେ କରିବା ପ୍ରାର୍ଥନା ?

ଆମ ହାତେ,

ପ୍ରତ୍ୟେକ ହାତରେ

ଦୁନିଆର ରହିଚି ଲଗାମ,

ଆମ ପାଞ୍ଚ ଆଙ୍ଗୁଠିର ମୁଠାର ଭିତରେ ॥’’

(ଟ୍ରାଉଜର ପିନ୍ଧା ମେଘ ଖଣ୍ଡେ/ମାୟାକୋଭସ୍କି କବିତା ସଂଗ୍ରହ-ପୃ-୫୩)

 

ମଣିଷର ଜୟଗାନ ସବୁଠି । ଜୀଅନ୍ତା ମଣିଷର ପୂଜା ପାଇଁ ଆହ୍ୱାନ । ମିଥ୍ୟା ଭଗବାନଙ୍କ ଦ୍ୱାହିରେ ମଣିଷ ଆଉ କେତେ ଦିନ ନିଜକୁ ଠକିବ ? ସମୟର ଦୟାକୁ ପାଥେୟ କରି ମଣିଷ ଆଉ କେତେ ଦିନ ବଞ୍ଚିବ ? ସମୟ ଆସିଚି । ନିଜର ଚେତନାକୁ ପରିବର୍ତ୍ତନ କରିବାକୁ ହେବ । ଆମେ ପ୍ରାର୍ଥନା କଲେ, ମୁଣ୍ଡପିଟି କାନ୍ଦିଲେ କେହି ଧାଇଁ ଆସିବେ ନାହଁ ଆମର ଦୁଃଖକୁ ଦୂର କରିବାକୁ । ମାୟାକୋଭସ୍କି ଆହ୍ୱାନ ଦିଅନ୍ତି, ବୁଝାନ୍ତି, ସତର୍କ ମଧ୍ୟ କରାଇ ଦିଅନ୍ତି, ନିଜ ହାତରେ ଥିବା ଶକ୍ତି ସହିତ ମଣିଷକୁ ପରିଚିତ କରାଇ ଦିଅନ୍ତି । ଏଣିକି ନିଜ ହାତରେ ମଣିଷ ତା’ର ଭାଗ୍ୟକୁ ବଦଳାଇବ, ପୃଥିବୀକୁ ବଦଳାଇବ । ଆଜିର କବି ବି ଠିକ୍‌ ସେହି କଥା କୁହେ । ଇଲିଅଟ୍‌ଙ୍କର ଆବିର୍ଭାବ ପରଠାରୁ ସେ ଯେଉଁ ଶିଳ୍ପ ପ୍ରକରଣର ଶିକ୍ଷା ଲାଭ କରିଛି, ମିଥ୍‌ ଚେତନାର ସନ୍ଧାନ ପାଇଛି, ତା’ରି ସାହାଯ୍ୟରେ ମାୟାକୋଭସ୍କିଙ୍କ ଚିନ୍ତାଧାରା କିପରି ପର୍ଯ୍ୟାପ୍ତ ରୂପ ନେଇଛି, ତାହା ଆଧୁନିକ କବି ସୀତାକାନ୍ତ ମହାପାତ୍ରଙ୍କର ‘ଧ୍ରୁବ ଚରିତ’ କବିତାରୁ ବେଶ୍‌ ସୁସ୍ପଷ୍ଟ । ସେଠି ମଧ୍ୟ କବି ଠିକ୍‌ ସେହି ଭାବରେ ସାମ୍ପ୍ରତିକ ସମାଜର ଅବହେଳିତ ଶିଶୁଟିକୁ ପ୍ରେରଣା ଦିଅନ୍ତି । ନିଜ ସାଧନାରେ ଲିପ୍ତ ରହିବାକୁ ଉତ୍ସାହ ଦିଅନ୍ତି । ‘ଦିକି ଦିକି ଆଲୁଅରେ ପଣିକିଆ ଜାରି ରଖିବାକୁ ନିର୍ଦ୍ଦେଶ ମଧ୍ୟ ଦିଅନ୍ତି । ସତର୍କ କରାଇ ଦିଅନ୍ତି ପ୍ରଲୋଭନରେ ନ ଭୁଲିବା ପାଇଁ । ପ୍ରଲୋଭନରେ ଭୁଲିଗଲେ ସାଧନାରେ ସିଦ୍ଧି ଆସିବ ନାହିଁ । ଭାଗ୍ୟ ପୁଣିଥରେ ଅବହେଳିତ ହୋଇ ପଡ଼ିରହିବ । ସମ୍ରାଟ ବିକ୍ରମାଦିତ୍ୟଙ୍କ କାନ୍ଧରୁ ଶବ ପୁଣି ଥରେ ଫେରିଯିବ ଶ୍ମଶାନର ଡାଳକୁ । ଏଣୁ ଆଧୁନିକ କବିର କଣ୍ଠରେ ଆଜି ଫୁଟି ଉଠିଥିବା ଭାଷା ଓ ଚେତନା ମଧ୍ୟରେ ସେଦିନର ମାୟାକୋଭସ୍କି ଏବେ ବି କଥା କହୁଛନ୍ତି । କବି ସଚ୍ଚିଦାନନ୍ଦ ଓଡ଼ିଆ ଭାଷା ମାଧ୍ୟମରେ କବି ମାୟାକୋଭସ୍କିଙ୍କୁ ଓଡ଼ିଶାକୁ ଆଣି ଯେଉଁପରି ଭାବରେ ଚିହ୍ନାଇଛନ୍ତି, ତାହା ଯେ ସର୍ବାନ୍ତକରଣରେ ସାର୍ଥକତାର ରୂପ ଧାରଣ କରିଛି, ଏହା ନିଃସନ୍ଦେହରେ କୁହାଯାଇପାରେ ।

 

 

ଅଧ୍ୟାପକ

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ

ରଘୁନାଥଜୀଉ ମହାବିଦ୍ୟାଳୟ

ଦେଉଳ ସାହି, କଟକ- ୭୫୩୦୦୮

 

***

 

ଉତ୍କଳଗୌରବ ମଧୁସୂଦନଙ୍କ ପ୍ରବନ୍ଧ ଓ ଅଭିଭାଷଣ :ଏକ ଅନୁଶୀଳନ

ଡକ୍ଟର ଦେବଯାନୀ ସିହ୍ନା

 

ପ୍ରବନ୍ଧ ଆଧୁନିକ ଚିନ୍ତା ଚେତନାର ଏକ ସଫଳ ଅଭିବ୍ୟକ୍ତି । ଯୁକ୍ତି ଓ ପ୍ରଜ୍ଞାର ଏକ ସାର୍ଥକ ରୂପାୟନ । ତତ୍ତ୍ୱ ଓ ସିଦ୍ଧାନ୍ତର ଏକ ସାରସ୍ଵତ କଳାତ୍ମକ ରୂପ ଏବଂ ଅଭିଭାଷଣ ଗଦ୍ୟ ସାହିତ୍ୟର ଏକ ସଫଳଦିଗ ଏହା ପ୍ରବନ୍ଧ ପରି ବିଶେଷ ଚିନ୍ତା ଓ ଚେତନାର ତଥ୍ୟ ଓ ତତ୍ତ୍ୱର ଯଥାର୍ଥ ସଂବାହକ ଓ ସଂଶ୍ଲେଷକ । ଅଭିଭାଷଣଗୁଡ଼ିକ ଲିଖିତ ରୂପଲାଭ କଲେ ଏହା ପ୍ରବନ୍ଧ ଭାବରେ ପରିଚିତ ହୁଏ । ଅଭିଭାଷଣରେ ପ୍ରବନ୍ଧର କଳାଧର୍ମୀତା” ଥିଲେ ମଧ୍ୟ ଏହା ଠିକ୍‌ ପ୍ରବନ୍ଧ ନୁହେଁ ବରଂ ପ୍ରବନ୍ଧର ଏକ ଭିନ୍ନ ଦିଗନ୍ତର ସୂଚନା ଦିଏ । ଏହା ପରୋକ୍ଷ ଭାବରେ ନୁହେଁ ପ୍ରତ୍ୟକ୍ଷ ଭାବରେ ପ୍ରକାଶର ଏକ ମାଧ୍ୟମ । ଅଭିଭାଷଣରେ ବକ୍ତା ଓ ବ୍ୟକ୍ତି ଚିତ୍ତର ଯଥାର୍ଥ ପ୍ରତିଫଳନ ହୋଇଥାଏ । ଓଡ଼ିଆ ସାହିତ୍ୟରେ ଏହି ଅଭିଭାଷଣ ପ୍ରସଙ୍ଗ ଊନବିଂଶ ଶତାବ୍ଦୀର ଶେଷ ତ୍ରିଦଶକରୁ ଆରମ୍ଭ ହୋଇଛି । ୧୮୬୬ ମସିହାର ନ’ ଅଙ୍କ ଦୁର୍ଭିକ୍ଷ ପରେ ଓଡ଼ିଆ ଜାତିର ଆତ୍ମ ସଚେତନତା ଫେରି ଆସିଛି । ସେତିକିବେଳେ ବିଭିନ୍ନ ଆଲୋଚନା ସଭାମାନ ଅନୁଷ୍ଠିତ ହୋଇଥିଲା ଓ ବୁଦ୍ଧିଜୀବୀମାନେ ସେମାନଙ୍କର ବକ୍ତବ୍ୟ ପ୍ରଦାନ କଲେ ଏବଂ ତାହା ଜନସାଧାରଣଙ୍କୁ ମଧ୍ୟ ଆକୃଷ୍ଟ କରିଥିଲା । କଟକ ସଭା, କଟକ ସୋସାଇଟି, ହିତକର ସଭା, ଉତ୍କଳ ଭାଷା ଉଦ୍ଦୀପନା ସଭା, ଉତ୍କଳ ସଭା, କଟକ ଡିବେଟିଂ କ୍ଲବ, ଉତ୍କଳ ଉଲ୍ଲାସିନୀ ସଭାରେ ଲିଖିତ ଅଭିଭାଷଣ ପଠନ କରାଯାଇ ସେ ସମୟରେ ଆଲୋଚନାମାନ କରାଯାଉଥିଲା ଏବଂ ପରବର୍ତ୍ତୀ ସମୟରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ବିଭିନ୍ନ ତର୍କ, ବିତର୍କ ଓ ଆଲୋଚନା ଓଡ଼ିଆ ଅଭିଭାଷଣର ଅଗ୍ରଗତିରେ ସହାୟକ ହୋଇଥଲା, ‘ଉତ୍କଳ ସମ୍ମିଳନୀ ? ଓ ‘ଉତ୍କଳ ସାହିତ୍ୟ ସମାଜ’ (୧୯୦୩) ଗଠିତ ହେବା ପରେ ଓଡ଼ିଆ ଅଭିଭାଷଣ ନୂତନ ରୂପଲାଭ କରିଥିଲା । ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଓଡ଼ିଆ ଜାତିର ସ୍ଵତନ୍ତ୍ରତା ପ୍ରତିଷ୍ଠା, ଉତ୍କଳ ସମ୍ମିଳନୀର ଲକ୍ଷ୍ୟ ହୋଇଥିବାରୁ ଏଥିରେ ବକ୍ତାମାନେ ସେମାନଙ୍କ ବକ୍ତବ୍ୟ ପ୍ରଦାନ କରି ଜନସଚେତନତା ସୃଷ୍ଟି କରିବାରେ ସମର୍ଥ ହୋଇଥିଲେ । ପ୍ରକୃତରେ ‘ଉତ୍କଳ ସାହିତ୍ୟ ସମାଜ’ର ବିଭିନ୍ନ ଉତ୍ସବରେ ଓ ଅଧିବେଶନମାନଙ୍କର ଭାଷଣ, ଅଭିଭାଷଣ ଓଡ଼ିଆ ସାହିତ୍ୟକୁ କୁସୁମିତ କରିଥିଲା । ପ୍ରକୃତରେ ଓଡ଼ିଆ ଜାତିର ଇତିହାସରେ ଏକ ଶତାବ୍ଦୀ ବ୍ୟାପୀ ଜାତୀୟ ଜୀବନକୁ ଆଲୋକିତ କରିବା ପାଇଁ ଭାଷଣ ଓ ଅଭିଭାଷଣର ଅବଦାନର ପଟାନ୍ତର ନାହିଁ-। ଓଡ଼ିଆ ସାହିତ୍ୟରେ ଏହି ଦିଗନ୍ତରେ ମଧୁସୂଦନଙ୍କ ଭୂମିକା ଉଲ୍ଲେଖନୀୟ ଅଟେ । ନିଜର ଜାତୀୟ ଚିନ୍ତାକୁ ଜନମାନସରେ ପହଞ୍ଚାଇବା ପାଇଁ ମଧୁସୂଦନ କବିତା ଲେଖିଛନ୍ତି । କିନ୍ତୁ ଏହି ଜାତୀୟତା ଭାବଧାରାଟି କେବଳ କବିତା ମଧ୍ୟରେ ସୀମାବଦ୍ଧ ନ ହୋଇ ତାହା ପ୍ରସାରିତ ହୋଇଛି ପ୍ରବନ୍ଧ ଏବଂ ଅଭିଭାଷଣ ଦିଗକୁ । ମଧୁସୂଦନଙ୍କ ପ୍ରଦତ୍ତ ସାରଗର୍ଭକ ବକ୍ତୃତାଗୁଡ଼ିକ ଯେପରି ଉପାଦେୟ, ତାଙ୍କ ରଚିତ ଓ ପ୍ରକାଶିତ ପ୍ରବନ୍ଧଗୁଡ଼ିକ ମଧ୍ୟ ସେହିପରି ସ୍ପୃହଣୀୟ ଏବଂ ଶିକ୍ଷଣୀୟ । ସେ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟା ସଂପର୍କରେ ପ୍ରବନ୍ଧମାନ ରଚନା କରିଛନ୍ତି । ବିଶେଷ ଭାବରେ ତାଙ୍କ ସଂପାଦକତ୍ୱରେ ପ୍ରକାଶିତ ‘ଓଡ଼ିଆ’ ନାମକ ଏକ ଇଂରାଜୀ ସାପ୍ତାହିକ ପତ୍ରିକାରେ ତାଙ୍କ ରଚିତ ପ୍ରବନ୍ଧଗୁଡ଼ିକ ପ୍ରକାଶ ପାଇଥିଲା । ୧୯୧୭ ମସିହା ଡିସେମ୍ବର ମାସରେ ଆତ୍ମପ୍ରକାଶ କରିଥିବା ଏହି ପତ୍ରିକାଟିରେ ତତ୍‌କାଳୀନ ମଣ୍ଟେଗୁଚେମସ୍‌ ଫୋର୍ଡ଼ଙ୍କ ଭାରତରେ ଅବସ୍ଥାନ, ଓଡ଼ିଆ ଆନ୍ଦୋଳନର ଗତି, ଲକ୍ଷ୍ୟକୁ ପ୍ରକାଶ କରିବା ସହିତ ସମସ୍ତଙ୍କ ଦୃଷ୍ଟିକୁ ଆକର୍ଷଣ କରିବାରେ ଉକ୍ତ ପତ୍ରିକାଟି କାର୍ଯ୍ୟ କରିଥିଲା । ମଧୁସୂଦନ ମାତ୍ର ଦୁଇବର୍ଷ ପର୍ଯ୍ୟନ୍ତ ଏହି ‘ଓଡ଼ିଆ’ ସାପ୍ତାହିକ ପତ୍ରିକାର ସଂପାଦକ ରୂପେ କାର୍ଯ୍ୟ କରିଥିଲେ । ଖୁବ୍‌ ସୀମିତ ସମୟ ହେଲେ ମଧ୍ୟ ଉକ୍ତ ପତ୍ରିକାରେ ମଧୁସୂଦନଙ୍କ ପ୍ରକାଶିତ ପ୍ରବନ୍ଧଗୁଡ଼ିକ ପାଠକମାନଙ୍କ ମନରେ ବେଶ୍‌ ପ୍ରଭାବ ବିସ୍ତାର କରି ଆଦୃତି ଲାଭ କରିପାରିଥିଲା । ‘‘ଓଡ଼ିଆରେ ପ୍ରକାଶିତ ତାଙ୍କର ପ୍ରବନ୍ଧ, ଟୀକା ଟିପ୍‌ପଣୀ ପ୍ରଭୃତି ଯେପରି ଭାବଗର୍ଭକ, ସେହିପରି ଚିତ୍ତାକର୍ଷକ । ଏଗୁଡ଼ିକ ମଧୁସୂଦନଙ୍କର ବହୁମୁଖୀ ଚିନ୍ତାଧାରା ପ୍ରତିଭାର ପରିଚୟ ଦିଏ ।’’ (୧) ‘ଓଡ଼ିଆ’ ପତ୍ରିକାରେ ବିଭିନ୍ନ ସମୟରେ ବହୁ ଉପାଦେୟ ଆଲୋଚନାମାନ ମଧୁସୂଦନ ଲେଖିଥିଲେ । ଯେଉଁଗୁଡ଼ିକ କି ଓଡ଼ିଆ ପ୍ରବନ୍ଧ ଇତିହାସର ଏକ ଏକ ଅନତିକ୍ରମ୍ୟ ମାଇଲ ଖୁଣ୍ଟ । ଯୁକ୍ତି ନିଷ୍ଠତାରେ ଭରପୂର ଉକ୍ତ ପ୍ରବନ୍ଧ ଗୁଡ଼ିକରେ ମଧୁସୂଦନଙ୍କ ଗଭୀର ପାଣ୍ଡିତ୍ୟକୁ ବୁଝି ହୋଇଥାଏ । ‘‘ଓଡ଼ିଆ’’ (The Oriya) ରେ ପ୍ରକାଶିତ ‘ଓଡ଼ିଆଙ୍କର ଜେରୁଜେଲମ୍‌’ (The Jerusalem of the Oriyas) ଓ ପ୍ୟାରୀମୋହନଙ୍କର ଶ୍ରାଦ୍ଧ ଦିବସ, ଯୁଦ୍ଧ ହିଁ ବ୍ୟବସାୟ ଓ ବ୍ୟବସାୟ ହିଁ ଯୁଦ୍ଧ (War is business and business is war) ଅର୍ଥନୈତିକ ବନ୍ଧନରୁ ମୁକ୍ତ (Freedom from industrial activity ) ଅର୍ଥନୀତିକ ଜାଗରଣ (Industrial awakening ) ପ୍ରବନ୍ଧଗୁଡ଼ିକ ଯେପରି ସୁଚିନ୍ତାପୂର୍ଣ୍ଣ ସେହିପରି ମଧୁବାବୁଙ୍କ ଗଭୀର ଜ୍ଞାନର ପରିଚୟ ଦିଏ । ମଧୁସୂଦନଙ୍କ ଅନ୍ୟାନ୍ୟ ସୁଚିନ୍ତାପୂର୍ଣ୍ଣ ଅଗ୍ରଲେଖା ମଧ୍ୟରେ ଓଡ଼ିଶା ଇରିଡେଣ୍ଟ (Orissa Irredenta) ପ୍ରବନ୍ଧ ପ୍ରଣିଧାନଯୋଗ୍ୟ ।’’ (୨)

 

ମଧୁସୂଦନ ନିଜର ଅନ୍ତରାତ୍ମାର ବ୍ୟାକୁଳ ବେଦନାକୁ କେବଳ କବିତା ବା ପ୍ରବନ୍ଧ ମାଧ୍ୟମରେ ପ୍ରକାଶ କରୁଥିଲେ ତାହା ନୁହେଁ, ବରଂ ତାଙ୍କର ଆବେଗିକ, ସ୍ଵତଃ ସ୍ଫୁର୍ତ୍ତ ଜାତୀୟ ଭାବନାଗୁଡ଼ିକ ବିଶେଷ ଭାବରେ ତାଙ୍କ ବକ୍ତୃତା ବା ଅଭିଭାଷଣ ଗୁଡ଼ିକରେ ସ୍ପଷ୍ଟ ରୂପେ ପ୍ରକଟିତ ହୋଇପାରିଥିଲା । ମଧୁସୂଦନ ଥିଲେ ସୁବକ୍ତା । ତାଙ୍କର ଗଭୀର ଚିନ୍ତା ଶକ୍ତି ଓ ସୁଦୂର ପ୍ରସାରୀ ଭାବନାଗୁଡ଼ିକ ବକ୍ତୃତା ମାଧ୍ୟମରେ ପ୍ରକାଶିତ ହୋଇପାରିଛି, ମଣିଷ କଥା କୁହେ । କଥା ମାଧ୍ୟମରେ ପୁଣି ସେ ଅନ୍ୟକୁ ଆକର୍ଷିତ ମଧ୍ୟ କରିପାରେ । ନିଜ ଭାବନାକୁ ବ୍ୟକ୍ତ କରି ସେ ହୃଦୟ ଜିତିବାରେ ମଧ୍ୟ ସମର୍ଥ ହୁଏ । ଏହିସବୁ ଦୃଷ୍ଟିରୁ ମଧୁସୂଦନ ଥିଲେ ଅନନ୍ୟ । ତାଙ୍କ କଥା ବା ବକ୍ତୃତା ଥିଲା ଅସାଧାରଣ । ବକ୍ତୃତା ମାଧ୍ୟମରେ ତାଙ୍କର ପରିକଳ୍ପନା, ଯୋଜନା, ସୁନ୍ଦର ରୂପଲାଭ କରିଛି ଏବଂ ତାହା ଜନସାଧାରଣଙ୍କୁ ଆକୃଷ୍ଟ କରିଛି । ବକ୍ତୃତା ପ୍ରଦାନ କରିବା ତାଙ୍କର ଏକ ପ୍ରିୟକାର୍ଯ୍ୟ ଥିଲା । ତାଙ୍କ ବକ୍ତୃତା ଶ୍ରୋତାମାନଙ୍କୁ ମନମୁଗ୍‌ଧ କରି ରଖିଥିଲା । ସେଥିପାଇଁ ତାଙ୍କ ଜୀବନୀର ସୁଲେଖକ ଶ୍ରୀ ନନ୍ଦକିଶୋର ଦାସ ଯଥାର୍ଥରେ ଲେଖିଛନ୍ତି- “ତାଙ୍କ ବକ୍ତୃତାରେ କଳ୍ପନା, ସ୍ଵପ୍ନ ଯେପରି ରହୁଥିଲା, ଶ୍ରୋତାମାନଙ୍କ ପ୍ରାଣକୁ ସ୍ପର୍ଶ କଲାଭଳି ଭାଷା ଓ ଭାବ ମଧ୍ୟ ସେହିପରି ରହୁଥିଲା ।’’ (୩) ମଧୁସୂଦନ ତାଙ୍କ ଜୀବନ କାଳ ମଧ୍ୟରେ ବହୁ ବକ୍ତୃତା ଓ ଅଭିଭାଷଣ ଦେଇଛନ୍ତି । ବଙ୍ଗ-ବିହାର ଏବଂ ବିହାର ଓଡ଼ିଶା ବିଧାନ ସଭାରେ ବିଭିନ୍ନ ସମୟରେ ଅନେକ ଅଭିଭାଷଣ ପ୍ରଦାନ କରିଛନ୍ତି । ସେହିପରି ‘ଉତ୍କଳ ସମ୍ମିଳନୀ’ରେ ମଧ୍ୟ ତାଙ୍କ ପ୍ରଦତ୍ତ ଅଭିଭାଷଣଗୁଡ଼ିକ ଯଥାର୍ଥରେ ଜାତୀୟ ଚେତନା ଉଦ୍ଦୀପନମୂଳକ ହୋଇପାରିଛି । ବାସ୍ତବତାରେ ମଧୁସୂଦନଙ୍କ ଅଭିଭାଷଣଗୁଡ଼ିକ ଥିଲା ଉଚ୍ଚକୋଟୀର । ଏଥିରେ ଯେପରି ସମସ୍ୟାଗୁଡ଼ିକ ଉତ୍‌ଥାପିତ ହେଉଥିଲା । ସେହିପରି ଏହାର ସମାଧାନ ସୂତ୍ର ମଧ୍ୟ ଉଲ୍ଲେଖିତ ହେଉଥିଲା । ପ୍ରକୃତରେ ତାଙ୍କ ପ୍ରଦତ୍ତ ଅଭିଭାଷଣଗୁଡ଼ିକ ସୁନ୍ଦର ସାହିତ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ତାଙ୍କ ଭାଷଣ କେବଳ ଭାଷଣ ନୁହେଁ ଏକ ମାର୍ମିକ ଅଭିବ୍ୟକ୍ତି ଅଟେ ‘‘ମଧୁସୂଦନଙ୍କ ଏହି ଭାଷଣଗୁଡ଼ିକ ଏକ ସ୍ଵତନ୍ତ୍ର ସାହିତ୍ୟ, ଏଗୁଡ଼ିକ ସରସ, ଭାବପୂର୍ଣ୍ଣ ଓ ସ୍ପନ୍ଦନମୟୀ । ଭାଷଣଗୁଡ଼ିକର ଭାଷା ଅତି ପ୍ରାଣସ୍ପର୍ଶୀ ।’’ (୪) ମଧୁସୂଦନଙ୍କର ଅଭିଭାଷଣଗୁଡ଼ିକ ଯେପରି ଆବେଗଧର୍ମୀ ଥିଲା ସେହିପରି ସ୍ଵତଃସ୍ଫୁର୍ତ୍ତ ଏବଂ ଜାତୀୟ ସ୍ଵାଭିମାନରେ ପରିପୂର୍ଣ୍ଣ ଥିଲା ।’’ ମଧୁସୂଦନ ଏହିପରି ଅନେକ ବକ୍ତୃତା ଓ ଅଭିଭାଷଣ ପ୍ରଦାନ କରିଛନ୍ତି । ତାଙ୍କର ଅଭିଭାଷଣଗୁଡ଼ିକ ଯେପରି ଆବେଗଧର୍ମୀ ସେହିପରି ଶକ୍ତିଶାଳୀ । ଜାତିଗଠନ କରିବା ପାଇଁ ସେଗୁଡ଼ିକ ଗୋଟିଏ ଗୋଟିଏ ଜୀବନୀ ଶକ୍ତି । ତାଙ୍କର ଅଭିଭାଷଣରେ ଅଛି ନିର୍ଦ୍ଦିଷ୍ଟ ଲକ୍ଷ୍ୟ-ଜାତିଗଠନ । କେବଳ ଜାତିଗଠନ ନୁହେଁ, ଜାତିକୁ ଗୌରବମୟ କରି ଗଢ଼ିବା । ଇତିହାସ ଓ ପୂର୍ବ ପୁରୁଷଙ୍କ ଦୃଷ୍ଟାନ୍ତ ସହିତ ଅନ୍ୟାନ୍ୟ ଉନ୍ନତ ଜାତିମାନଙ୍କର ଦୃଷ୍ଟାନ୍ତ ଦେଇ ସେ ତାଙ୍କର ଯୁକ୍ତିକୁ ବଳିଷ୍ଠ ଓ ଆବେଗ ଦୀପ୍ତ କରି ଅଛନ୍ତି । ତାଙ୍କର ଅଭିଭାଷଣ ସଂଳାପଧର୍ମୀ । ସକ୍ରେଟିସ୍‌ ଯେଉଁ ସଂଳାପ (Dialogue) ମାଧ୍ୟମରେ ଆପଣାର ଅନୁଭବ ଓ ଯୁକ୍ତିକୁ ଉପସ୍ଥାପନ କରୁଥିଲେ ମଧୁସୂଦନ ସେହିପରି ନିଜର ଯୁକ୍ତିକୁ ଉପସ୍ଥାପନ କରିଅଛନ୍ତି । ଯଦିଓ ତାଙ୍କ ଅଭିଭାଷଣରେ ଉତ୍କଳୀୟତା ପ୍ରାଧାନ୍ୟ ଲାଭ କରିଥିଲା ତାହା ତାଙ୍କର ସଂକୀର୍ଣ୍ଣତାର ନିଦର୍ଶନ ନୁହେଁ । ଓଡ଼ିଶା ବାହାରେ ଯେ ଜଗତ ଥିଲା ତାହା ସହିତ ତାଙ୍କର ପରିଚୟ ନ ଥିଲା କହିବା ଭ୍ରମାତ୍ମକ ହେବ । ଯେଉଁ ଐତିହାସିକ ପରିପ୍ରେକ୍ଷୀରେ ସେ ଉତ୍କଳୀୟ ଜାତୀୟତାବୋଧକୁ ଅଭିଭାଷଣ ମାଧ୍ୟମରେ ପ୍ରକାଶ କରୁଥିଲେ ତାକୁ ବିଚାର ପରିସରକୁ ନେଲେ ସଂକୀର୍ଣ୍ଣ କହିହେବ ନାହିଁ ।’’ (୫)

 

ଅଭିଭାଷଣଗୁଡ଼ିକର ବିବିଧତା :

ଉଦ୍‌ବୋଧନ ବା ଅଭିଭାଷଣ ଦେଇ ଜନସାଧାରଣଙ୍କୁ ପ୍ରଭାବିତ କରିବା ହେଉଛି ଏକ କଳା । ବକ୍ତବ୍ୟଦ୍ଵାରା ଜନତାର ନିକଟବର୍ତ୍ତୀହେବା ଓ ସେମାନଙ୍କୁ ଆକୃଷ୍ଟ କରିବା ସହଜ କଥା ନୁହେଁ । ମଧୁବାବୁ ଉଦ୍‌ବୋଧନ ଦେଇ ଓଡ଼ିଆ ଜାତିକୁ ଏକତ୍ର କରିବାରେ ପ୍ରମୁଖ ଦାୟିତ୍ୱ ସଂପାଦନ କରିଥିଲେ । ମଧୁସୂଦନଙ୍କ ଅଭିଭାଷଣ ଗୋଟିଏ ପର୍ଯ୍ୟାୟର ନ ଥିଲା । ତାହା ଥିଲା ବିଭିନ୍ନ ବିଷୟର ଓ ବିବିଧ ପ୍ରକାରର । ମଧୁସୂଦନ ଯେଉଁ ସବୁ ବକ୍ତବ୍ୟ ବା ଅଭିଭାଷଣ ଓଡ଼ିଆ ଜାତି ନିକଟରେ ଉପସ୍ଥାପିତ କରିଛନ୍ତି ସେସବୁ ମଧ୍ୟରେ ବିଭିନ୍ନ ଚିନ୍ତାର ସମୁଜ୍ଜ୍ୱଳ ପ୍ରକାଶ ଘଟିଛି, ତାଙ୍କ ପ୍ରଦତ୍ତ ଅଭିଭାଷଣଗୁଡ଼ିକ ମୁଖ୍ୟତଃ ଇଂରେଜୀ ଓ ଓଡ଼ିଆ ଅଭିଭାଷଣ ରୂପେ ବିଭକ୍ତ । ଏହି ଅଭିଭାଷଣଗୁଡ଼ିକ ମଧ୍ୟରୁ କେତେକ ବଙ୍ଗ, ବିହାର, ଓଡ଼ିଶା, ଦିଲ୍ଲୀ ପ୍ରମୁଖ ବ୍ୟବସ୍ଥାପକ ସଭାରେ ଉପସ୍ଥାପିତ କରାଯାଇଥିବାବେଳେ ଅନ୍ୟ କେତେଗୁଡ଼ିକ ‘ଉତ୍କଳ ସମ୍ମିଳନୀ’ ପ୍ରଭୃତି ଜାତୀୟ ମଞ୍ଚରେ ଓ ବିଭିନ୍ନ ସଭା ସମିତିମାନଙ୍କରେ ପ୍ରଦାନ କରାଯାଇଥିଲା । ମଧୁସୂଦନଙ୍କ ଦ୍ୱାରା ବିଭିନ୍ନ ସମୟରେ ଦିଆଯାଇଥିବା ଅଜସ୍ର ଅଭିଭାଷଣଗୁଡ଼ିକୁ ପ୍ରାୟତଃ ସଂଗ୍ରହ କରାଯାଇପାରିନାହିଁ ତଥାପି ସେଗୁଡ଼ିକ ମଧ୍ୟରୁ କିଛି ଓଡ଼ିଆ ଓ ଇଂରାଜୀ ଅଭିଭାଷଣ ସଂଗୃହୀତ ହୋଇପାରିଛି । ଯେଉଁଥିରୁ ତାଙ୍କ ଗଭୀର ଜାତୀୟତା ଭାବକୁ ଅତି ସ୍ପଷ୍ଟ ରୂପେ ଜାଣି ହୋଇଥାଏ ।

 

ମଧୁସୂଦନଙ୍କ ଭାଷଣଗୁଡ଼ିକ ଥିଲା ଆବେଗଧର୍ମୀ । ଉତ୍କଳର ହୃତଗୌରବ ପ୍ରତି ତାଙ୍କ ପ୍ରାଣ ଥିଲା ବ୍ୟାକୁଳ । ସେ ଭାଷଣ କେବଳ ସାଧାରଣ କଥା ନ ଥିଲା ବରଂ ବୁଦ୍ଧିଦୀପ୍ତ ଚେତନାର ଏକ ସାର୍ଥକ ପରିପ୍ରକାଶ ଥିଲା । ‘‘ଉଦ୍‌ବୋଧନ ଦେଇ ଜାତି ପ୍ରାଣକୁ ପ୍ରଭାବିତ କରିବା ପାଇଁ ଦୃଢ଼ତା ଯେପରି ଅପରିହାର୍ଯ୍ୟ ସେହିପରି କୋଟି ଜନତାକୁ ପ୍ରରୋଚିତ ତଥା ପରିପୃଷ୍ଟ କରିବା ପାଇଁ ଆବେଗଧର୍ମୀ ବାଙ୍‍ମୟର ପ୍ରୟୋଜନ । ମଧୁସୂଦନଙ୍କ ପ୍ରତିଟି ପ୍ରକାଶ ଆବେଗମୟ । ଉତ୍କଳର ହୃତଗୌରବରେ ସେ ପ୍ରାଣ ଅଧୀର । ଶିଳ୍ପୀ, ସୈନିକ ଜାତିର ବଂଶଧର ଅଥଚ ଅଥର୍ବ, ମୃତପ୍ରାୟ ଜାତିଭାଇର ନିଶ୍ଚେତତାକୁ ଉପଲବ୍‌ଧି କରି ସେହି ହୃଦୟ ବେଦନା ବିଦ୍ଧ । ଅବୁଝା ଏହି ଭାବପ୍ରବଣ ଜାତି ପ୍ରାଣକୁ ସେ ଚିହ୍ନି ପାରି ନାନା ଉଦାହରଣ ଛଳରେ ଗୁରୁ ସମ୍ମିତ ଉପଦେଶାବଳୀରେ ଆକୃଷ୍ଟ କରିଛନ୍ତି । ବୁଦ୍ଧିଦୀପ୍ତ ବିତର୍କ ମାଧ୍ୟମରେ ସେ ଜନତାର ଭଗ୍ନ ହୃଦୟକୁ ଉତ୍ତୋଳିତ କରିଛନ୍ତି ।’’ (୬) ଉତ୍କଳର ଅତୀତ କୀର୍ତ୍ତି, ପୂର୍ଣ୍ଣାଙ୍ଗ ଉତ୍କଳ ଗଠନ ଓ ଉତ୍କଳର ଉନ୍ନତି ସଂପର୍କିତ ବିଷୟକୁ ଆଧାର କରି ତାଙ୍କ ରଚନାଗୁଡ଼ିକ ସମୃଦ୍ଧ ‘‘ସମୁଦାୟ କୋଡ଼ିଏଟି ରଚନା ମଧ୍ୟରୁ ଗୋଟିଏ ଦୁଇଟି ସଂକ୍ଷିପ୍ତ ରଚନାକୁ ବାଦ୍‌ ଦେଲେ ଅନ୍ୟ ପ୍ରତିଟି ରଚନା ମଧ୍ୟରେ, ବିଷୟବସ୍ତୁର ସାମଗ୍ରୀକ ରୂପ :- ଉତ୍କଳ ଦେଶ ଓ ଜାତିର ଉନ୍ନତିମୂଳକ ବିଭିନ୍ନ ଯୋଜନା ଓ ଜାଗୃତି ବିବିଧ ଉପାୟ । ଏହି ଦୃଷ୍ଟିରୁ ମଧୁସୂଦନଙ୍କ ବ୍ୟକ୍ତି ଜୀବନ ଏବଂ ସ୍ରଷ୍ଟା ପୁରୁଷ ମଧ୍ୟରେ ଏଠି ବିରୋଧ ନାହିଁ, ସଂଘର୍ଷ ନାହିଁ ବରଂ ଏକ ଅନ୍ୟର ଅନୁପୂରକ କର୍ମମୟ ବ୍ୟକ୍ତିଗତ ଜୀବନର ଯେଉଁ ଲକ୍ଷ୍ୟ, ଯେଉଁ ଚିନ୍ତା, ଯେଉଁ କାର୍ଯ୍ୟଧାରା, ସୃଷ୍ଟ କେତୋଟି ସାହିତ୍ୟିକ କୃତି ମଧ୍ୟରେ ଅନୁରୂପ ଲକ୍ଷ୍ୟ, ଚିନ୍ତା ଏବଂ ବିଷୟବସ୍ତୁ ସମଯୋଜିତ ।’’ (୭) ମଧୁସୂଦନଙ୍କ ପ୍ରଦତ୍ତ ଓଡ଼ିଆ ଅଭିଭାଷଣଗୁଡ଼ିକ ସଂଗୃହୀତ ହୋଇ ପ୍ରକାଶିତ ହୋଇଛି । ଏଗୁଡ଼ିକ ୧୯୦୩ ମସିହାଠାରୁ ୧୯୧୯ ମସିହା ମଧ୍ୟରେ ବିଭିନ୍ନ ସମୟରେ ପ୍ରଦତ୍ତ ହୋଇଛି । ମୁଖ୍ୟତଃ ଉତ୍କଳ ସମ୍ମିଳନୀ ଜାତୀୟ ମଞ୍ଚରେ ଏବଂ ବିଭିନ୍ନ ସଭା ସମିତିମାନଙ୍କରେ ସେ ଏହି ଓଡ଼ିଆ ବକ୍ତୃତାଗୁଡ଼ିକ ପ୍ରଦାନ କରିଥିଲେ । ମଧୁସୂଦନଙ୍କ ଗଭୀର ଚିନ୍ତାଧାରାରେ ସେ ସମୃଦ୍ଧିତ ଉକ୍ତ ଅଭିଭାଷଣଗୁଡ଼ିକ ଓଡ଼ିଆ ଅଭିଭାଷଣ ସାହିତ୍ୟର ଏକ ଏକ ଅମୂଲ୍ୟ ରତ୍ନ ସଦୃଶ । ମଧୁସୂଦନଙ୍କ ମୁଖ ନିସୃତ ଏହି ଅଭିଭାଷଣଗୁଡ଼ିକ ଅତ୍ୟନ୍ତ ସମୟୋପଯୋଗୀ, ଉପାଦେୟ ଏବଂ ଶିକ୍ଷଣୀୟ ହୋଇପାରିଛି । ସରସ, ଭାବପୂର୍ଣ୍ଣ ଏହି ଅଭିଭାଷଣରେ ଭାବ ଓ ଭାଷାର ସୁସମନ୍ଵୟ ଉଚ୍ଚକୋଟୀର ସାହିତ୍ୟିକ ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିପାରିଛି ।
 

ମଧୁସୂଦନଙ୍କ ଅଭିଭାଷଣରୁ ତାଙ୍କ ଚିନ୍ତାଧାରା ସଂପର୍କରେ ସ୍ପଷ୍ଟ ସୂଚନା ମିଳିପାରିଥାଏ । ମୁଖ୍ୟତଃ ଜାତି ଓ ଜାତୀୟତା, ଶିଳ୍ପ ବ୍ୟବସାୟ ଏବଂ ଉତ୍କଳର ରାଜନୀତିକ ବିଚ୍ଛିନ୍ନତା ପ୍ରସଙ୍ଗରେ ହିଁ ତାଙ୍କ ଚିନ୍ତାଧାରା ପ୍ରତିଫଳିତ । ୧୯୦୩ ମସିହାରେ କଟକ କନିକା ରାଜବାଟୀରେ ଉତ୍କଳସମ୍ମଳନୀର ଗଠନ ପୂର୍ବରୁ ଏହାର ଲକ୍ଷ୍ୟ ସଂପର୍କରେ ଯାହା କହିଥିଲେ ତାହା ତାତ୍ପର୍ଯ୍ୟପୂର୍ଣ୍ଣ । ଏକ ଜାତୀୟ ଭାବ ଜାଗ୍ରତ କରିବା ଏହି ଭାଷଣର ଥିଲା ଉଦ୍ଦେଶ୍ୟ । ତାଙ୍କ ଭାଷାରେ : “ଇଉରୋପରେ ନେସନ୍‌ ଅର୍ଥାତ୍‌ ଜାତି ଶବ୍ଦ ଗୋଟିଏ ରାଷ୍ଟ୍ର ବା ଦେଶର ଲୋକ ସମୂହକୁ ବୁଝାଏ ବା ଇଉରୋପୀୟ ଜାତି ସମୂହ ପରସ୍ପରଠାରୁ ଯେଉଁ ପରିମାଣରେ ବିଭିନ୍ନ, ଭାରତବର୍ଷର ପ୍ରାଦେଶିକ ଲୋକ ସମୂହ ସେହିପରି ନାନା ବିଷୟରେ ପରସ୍ପରଠାରୁ ସେହି ପରିମାଣରେ ବିଭିନ୍ନ । ଏହି ହେତୁରୁ ଭାରତ ବର୍ଷରେ ଜାତୀୟତା ଶବ୍ଦ ଗୋଟିଏ ବିଶେଷ ଅର୍ଥରେ ବ୍ୟବହୃତ ହେବା ଦେଖାଯାଏ । ଏକ ଜାତିର କେତେକ ବ୍ୟକ୍ତି ସହିତ ଅନ୍ୟ ଏକ ଜାତିର କେତେକ ବ୍ୟକ୍ତିଙ୍କର ପରସ୍ପର ବିରୋଧ ଥିବା ଦେଖାଗଲେ, ଲୋକେ ଭ୍ରମରେ ପଡ଼ି ବ୍ୟକ୍ତିଗତ ବିରୋଧକୁ ଜାତୀୟ ବିଦ୍ୱେଷରେ ପରିଣତ କରିବାକୁ ଚେଷ୍ଟା କରନ୍ତି । ଏହା ଦୁଇ ଜାତି ବା ସମାଜ ମଧ୍ୟରେ ମିତ୍ରଭାବେ-ରକ୍ଷାପକ୍ଷରେ କୋଟିଏ ମହାପ୍ରତିବନ୍ଧକ ଅଟେ । ଲୋକେ ଧୀରଭାବରେ ବିଚାର ନ କରି ଯେତେଦିନ ଯାଏ ଏହିପରି ଦ୍ୱେଷଭାବର ଉତ୍ତେଜନାରେ ଚାଳିତ ହେଉଥିବେ, ସେ ପର୍ଯ୍ୟନ୍ତ ଦୁଇ ଜାତି ମଧ୍ୟରେ ମିତ୍ରଭାବ ବର୍ଦ୍ଧିତ ହେବା ଅସମ୍ଭବ । ଅତଏବ ଦୁଇ ଜାତି ବା ସମାଜ ମଧ୍ୟରେ ମିତ୍ରତା ବର୍ଦ୍ଧନ କରିବା ପାଇଁ ଦୃଢ଼ ନିର୍ବନ୍ଧ ସହିତ କୌଣସି ଜାତୀୟ ଅନୁଷ୍ଠାନ କରିବା ଏକାନ୍ତ ଆବଶ୍ୟକ । ତାହା କଲେ କେତେକ ବ୍ୟକ୍ତିମାନଙ୍କ ମଧ୍ୟରେ ବିରୋଧ ଥିଲେ ସୁଦ୍ଧା, ଦୁଇ ଜାତି ବା ସମାଜ ମଧ୍ୟରେ ବନ୍ଧୁଭାବ ସରୁକ୍ଷିତ ହୋଇ ଅବିଚ୍ଛିନ୍ନ ରହିପାରିବ ।’’ (୮) ସେହିପରି ୧୯୦୪ ମସିହା ଡିସେମ୍ବର ୨୮ ତାରିଖରେ ଉତ୍କଳ ସମ୍ମିଳନୀର ଦ୍ୱିତୀୟ ଅଧିବେଶନର ପ୍ରଥମ ଦିନରେ ପ୍ରସ୍ତାବ ସଂପର୍କରେ ତାଙ୍କର ବକ୍ତବ୍ୟ ଥିଲା ତତ୍ତ୍ୱପୂର୍ଣ୍ଣ । ମଧୁସୂଦନ ସେଦିନ କହିଥିଲେ- “ମୋ ସାଙ୍ଗେ ଆପଣଙ୍କ ମନ ମିଳିଲା ନାହିଁ, ଅତଏବ ମୁଁ ସମ୍ମିଳନୀରେ କାର୍ଯ୍ୟ କରିପାରିବି ନାହଁ ।’’ ଏଥିର କାରଣ ଆମ୍ଭମାନଙ୍କର ଜୀବନରେ ଅଭାବ । ଜାତୀୟ ଜୀବନ ଗଠିତ ହେଲେ ବ୍ୟକ୍ତିଗତ ଭାବରେ ଅସଜଭାବ ଥିଲେ ସୁଦ୍ଧା ଜାତୀୟ ଅନୁଷ୍ଠାନରେ ସମସ୍ତେ ମିଳିମିଶି କାର୍ଯ୍ୟ କରିପାରିବା, ଏଥିରେ ସନ୍ଦେହ ନାହିଁ । ଏଠାରେ ଆପଣମାନଙ୍କୁ ଗୋଟିଏ ଉଦାହରଣ ଦେବାକୁ ଇଚ୍ଛା ହେଉଅଛି । ପ୍ରଥମେ ଆକାଶରୁ କ୍ଷୁଦ୍ର ଜଳବିନ୍ଦୁ ପୃଥିବୀ ଉପରେ ପଡ଼େ । ତତ୍ପରେ ଜଳବିନ୍ଦୁଗୁଡ଼ିକ ଏକତ୍ର ହୋଇ ଗୋଟିଏ ଜଳଧାରା ହୋଇ ତଳକୁ ବହିଯାଏ । ଏହିପରି କେତେଗୁଡ଼ିଏ ଜଳଧାରା ମିଶି ଗୋଟିଏ ନାଳରେ ପରିଣତ ହୁଏ । ଏହିପରି କେତେଗୁଡ଼ିଏ ନାଳ ନଦୀରେ ପରିଣତ ହୋଇ ତଳକୁ ବହିଯାଏ ଓ ଶେଷରେ ସମୁଦ୍ରରେ ପଡ଼େ । ଆପଣମାନେ ଦେଖନ୍ତୁ, ସବୁସ୍ଥଳରେ, ସବୁ ଅବସ୍ଥାରେ ଜଳ ନିଜର ଜାତୀୟଗୁଣକୁ ଧାରଣ କରି ନିଜର ଜାତୀୟ ଜୀବନର ଟେକ ରଖିଅଛି । ଜଳର ଜାତୀୟ ଗୁଣ ନିମ୍ନଗତି । ବିନ୍ଦୁଏ ଜଳରେ ସେହି ଗୁଣ ବିଦ୍ୟମାନ ଓ ମହା ସମୁଦ୍ରରେ ମଧ୍ୟ ଜଳ ନିଜର ଜାତୀୟ ଗୁଣକୁ ହରାଇ ପାରି ନାହିଁ । ଆମ ସମସ୍ତଙ୍କ ସର୍ବଦା ମନେରଖିବା ଉଚିତ ଯେ, ଆମ୍ଭମାନଙ୍କର ଜାତୀୟ ଜୀବନ ଅଛି । ସବୁ ଅବସ୍ଥାରେ ସବୁକାଳରେ ସବୁସ୍ଥାନରେ ଆମ୍ଭେମାନେ ପ୍ରତ୍ୟେକ ଜାତୀୟ ଜୀବନର ଟେକ ରଖି କାର୍ଯ୍ୟ କରିବା ଏକାନ୍ତ ଆବଶ୍ୟକ । ଆମ୍ଭମାନଙ୍କୁ ମଧ୍ୟରୁ ଯେବେ କେହି ଭ୍ରମରେ ପଡ଼ିଥାନ୍ତି, ସେ ଭ୍ରମ ଅତିଶୀଘ୍ର ସଂଶୋଧନ କରିବା ଏକାନ୍ତ ଆବଶ୍ୟକ ।’’ (୯)

 

ମଧୁସୂଦନ ଭାଷଣରେ କେବଳ ତତ୍ତ୍ୱ କହୁ ନଥିଲେ ବରଂ ତାଙ୍କ ଭାଷଣ ଥିଲା ଉପଦେଶାତ୍ମକ । ଏହି ଉପଦେଶାତ୍ମକ ଭାଷଣ ଏକ ଜାତୀୟ ବ୍ୟକ୍ତିତ୍ୱର ନିଦର୍ଶନ । ‘‘ଦୋଷ ଗୁଣ ଦେଖିବା ସମ୍ବନ୍ଧରେ ମୋର ବକ୍ତବ୍ୟ ଏହିଯେ ଯୋଡ଼ିଏ ଆଖିରୁ ଗୋଟିଏ ଆଖି ବନ୍ଦ କର ଓ ଗୋଟିଏ ଆଖିଖୋଲା ରଖ, ବନ୍ଦ ଆଖିରେ ଅନ୍ୟ ଜାତିଙ୍କର ଦୋଷଗୁଡ଼ିକ ଦେଖ ଓ ଖୋଲା ଆଖିରେ ସେମାନଙ୍କର ଗୁଣଗୁଡ଼ିକ ନିରୀକ୍ଷଣ କର ଓ ସେହି ଗୁଣଗୁଡ଼ିକ ଶିକ୍ଷା କର । ସବୁବ୍ୟକ୍ତି ଓ ସବୁ ଜାତିଙ୍କଠାରେ ଅନୁକରଣ କରିବା ଯୋଗ୍ୟ ଅନେକଗୁଡ଼ିଏ ଗୁଣ ଅଛି । ମୋର ପୂର୍ବବର୍ତ୍ତୀ ବକ୍ତା ଉମରସାହେବ ମହୁମାଛି ଓ ପିମ୍ପୁଡ଼ିଙ୍କ ଉଦାହରଣ ଦେଇ ଯାହା କହିଅଛନ୍ତି, ସେଥିରୁ ଆପଣମାନେ ଦେଖିପାରିବେ ଯେ କ୍ଷୁଦ୍ର ପିପୀଲିକା ଓ ମଧୁମକ୍ଷିକାଙ୍କଠାରୁ ଆମ୍ଭମାନଙ୍କର ଅନେକ ଶିକ୍ଷା କରିବାର ବିଷୟ ଅଛି । ସୂର୍ଯ୍ୟ ନିର୍ବିକାର ଭାବରେ ସବୁଠାରେ କିରଣ ବିତରଣ କରୁଅଛନ୍ତି । ସମୁଦ୍ରର ଲୁଣି ପାଣିରେ, ମିଶ୍ରି ସରବତରେ, ନର୍ଦ୍ଦମାରେ, ସବୁସ୍ଥାନରେ ତାଙ୍କ କିରଣ ପଡ଼ୁଛି କିନ୍ତୁ ଆପଣମାନେ ଦେଖନ୍ତୁ ଯେ ସୂର୍ଯ୍ୟଙ୍କର କିରଣ ବିଶୁଦ୍ଧ ଜଳତକ ଟାଣିନିଏ ଓ ମଇଳା, ଦୁର୍ଗନ୍ଧ, ପଙ୍କଗୁଡ଼ିକ ଛାଡ଼ିଯାଏ । ବିଶୁଦ୍ଧ ଜଳଗୁଡ଼ିକ ବାଷ୍ପ ରୂପରେ ଟାଣିନିଏ ଓ ସେହିଗୁଡ଼ିକ ପୁନର୍ବାର ପୃଥିବୀରେ ସେଚନ କରେ । ଏଥିରୁ ଆମ୍ଭେମାନେ ଏହି ମହାଶିକ୍ଷା ପାଉଅଛ୍ଥଁ ଯେ ସବୁଠାରୁ ଦୋଷତକ ତ୍ୟାଗ କରି ଗୁଣଗୁଡ଼ିକ ଗ୍ରହଣ କର ।’’ (୧୦) ମଧୁସୂଦନଙ୍କ ଅଭିଭାଷଣ ଥିଲା ଓଡ଼ିଆତ୍ୱରେ ପରିପୂର୍ଣ୍ଣ । ସେ କେବଳ ଉତ୍କଳୀୟ ଭାବ ଭାବନାରେ ସୀମିତ ଥିଲେ ତାହା ନୁହେଁ । ଏକ ବିସ୍ତାରିତ ଚିନ୍ତା ମଧ୍ୟରେ ନିଜକୁ ଉପସ୍ଥାପିତ କରିଥିଲେ । ଦେଶ ଓ ଜାତିର ଉନ୍ନତି ଥିଲା ତାଙ୍କ ଜୀବନର ଏକାନ୍ତ କାମ୍ୟ । ‘‘ଯେଉଁ ସ୍ଥାନରେ ଲୋକମାନଙ୍କର ଯାହା ଯାହା ଆବଶ୍ୟକ, ଦେଶ, କାଳ, ପାତ୍ର, ବୟସ ଓ ଶିକ୍ଷା ଅନୁସାରେ ଆମ୍ଭମାନଙ୍କୁ ସେହି ସେହି ବିଷୟରେ ଉନ୍ନତି କରିବାକୁ ହେବ, ଯଦି ଦେଶର ଉନ୍ନତି କରିବାକୁ ଅନ୍ତର ସହିତ ଇଚ୍ଛା କର ତେବେ ଆପଣମାନଙ୍କୁ ମୁଁ ସ୍ଥିର ଭାବରେ କହୁଅଛି, ଭାରତ ମାତାଙ୍କର ପବିତ୍ର ନାମରେ ଉତ୍କଳ ଜନନୀଙ୍କର ସ୍ନେହମୟ ନାମ ଧରି ମୁଁ ଆପଣମାନଙ୍କୁ ପ୍ରାର୍ଥନା କରୁଅଛି ଯେ ଦେଶର ଉନ୍ନତି କରିବାବେଳେ ଦେଶର ଗରିବ ଦୁଃଖୀଙ୍କୁ ଭୁଲନାହିଁ । ସମସ୍ତଙ୍କୁ ସଙ୍ଗେ ନେଇ ଦେଶର ଉନ୍ନତି କର । ଯେବେ ଶିକ୍ଷିତ ଲୋକ ଆପଣଙ୍କୁ ସାଧାରଣ ଅପେକ୍ଷା ଉଚ୍ଚତର ବୋଲି ଅହଙ୍କାର କରନ୍ତି, ତାହାହେଲେ ସେ ଅଧମ ଏବଂ ତାହାଙ୍କ ଶିକ୍ଷା ଶିକ୍ଷାପଦବାଚ୍ୟ ନୁହେଁ । ଏମାନଙ୍କୁ ଛାଡ଼ି ତୁମ୍ଭେ ଏକାକୀ ସଭ୍ୟତା ସୋପାନରେ କଦାପି ଉଠି ପାରିବ ନାହିଁ । ଏପରି ଅବହେଳାରେ ଈଶ୍ଵରଙ୍କର ତଥା ଭାରତ ମାତାଙ୍କର ଆଶୀର୍ବାଦ କଦାପି ପଡ଼ିବ ନାହଁ ଏହା ନିଶ୍ଚିତ ।’’ (୧୧) ଉତ୍କଳ ସମ୍ମିଳନୀର ଦ୍ୱିତୀୟ ଅଧିବେଶନରେ ମଧୁସୂଦନଙ୍କ ଭାଷଣ ଶିଳ୍ପୋନ୍ନତି ସଂପର୍କରେ ଥିଲା । ସେ ଜାଣିଥିଲେ ଜାତିର ଅର୍ଥନୈତିକ ଉନ୍ନତି ଆଣିବା ପାଇଁ ଶିଳ୍ପର ବିକାଶ ଆବଶ୍ୟକ ଅଟେ । ବିଶେଷ ଭାବରେ ଉତ୍କଳଭୂମିରେ ସ୍ଵଦେଶୀ ଶିଳ୍ପର ବିକାଶ ପାଇଁ ସେ ଗୁରୁତ୍ୱାରୋପ କରିଥିଲେ । ଏହି ସ୍ଵଦେଶୀ ଶିଳ୍ପର ଉନ୍ନତି ପାଇଁ ଜନସାଧାରଣଙ୍କୁ ଭାଷଣ ପ୍ରସଙ୍ଗରେ ଅତି ସୁନ୍ଦର ଶୈଳୀରେ କହୁଥିଲେ- “କଲିକତାରେ ଥିବା ଇଂରେଜୀ ଜୋତା ଦୋକାନରେ ଜଣେ ସାହେବ ପହଞ୍ଚି ଦେଖିଲେ ଯେ ବିଦେଶୀୟ ଜିନିଷ ଶସ୍ତା, ସ୍ଵଦେଶୀୟ ଜିନିଷ ମହଙ୍ଗା । କିନ୍ତୁ ଇଂରେଜୀ ବିଦେଶୀୟ ଯୋତା କିଣିବେ ନାହିଁ । ମୁଁ ଦଶବର୍ଷ ପୂର୍ବେ ମନେ କରିଥିଲି ଯେ ଇଂରାଜୀ ଜୋତା ମୋ ଭାଗ୍ୟରେ କିପରି ନ ପଡ଼ୁ କିନ୍ତୁ ଦଶ ବର୍ଷ ମଧ୍ୟରେ ମୁଁ ଦେଶୀ ଯୋତା ପିନ୍ଧିଅଛି । ଆମ୍ଭର ପ୍ରତିଜ୍ଞା କରିବା ଉଚିତ ଯେ ‘ବିଦେଶୀୟ ଦ୍ରବ୍ୟ’ କିଣିବା ପୂର୍ବରୁ ଚିନ୍ତା କରିବା । ଯେତିକି କରିପାରିବ, ସେତିକି କର । କୌଣସି ବିଦେଶୀୟ ପଦାର୍ଥ ଅସମ୍ଭବ । ମୋର ପରାମର୍ଶ ଯେ ଗୋଟିଏ ଚିଜ ଧର । ଦଶ କୋଡ଼ିଏ ଜଣ ପ୍ରତ୍ୟେକ ଗ୍ରାମରୁ ଏକତ୍ର ହୁଅ - ପ୍ରତିଜ୍ଞାକର ଏକ ନମ୍ବର ସୂତା, ଏକ ରକମ ଧଡ଼ିର ଲୁଗା, ପଖଳା କରା ଲୁଗା ସ୍ଵରୂପ ପିନ୍ଧିବା ତନ୍ତୀ ବୁଣିବାକୁ ପ୍ରସ୍ତୁତ-। ତାକୁ ଏଠାକୁ ପଠାଅ । ସେ ପାଞ୍ଚହାତ ବୁଣୁଥିଲେ ଏଠାରେ ୧୨-୧୫ ହାତ ବୁଣି ଶିଖିଯିବ । ସେ ଏଠାରୁ ଫେରିଲେ ସମସ୍ତେ ସେହି ଲୁଗା ପିନ୍ଧିବ । ବର୍ତ୍ତମାନ ବାରଅଣା ଲାଭ ହେଲା । ତନ୍ତୀ ଖରିଦଦାର ସମସ୍ତେ ସନ୍ତୁଷ୍ଟ ହେବେ । ୫୦ ଜଣ ଏକ ମନ ଏକ ପ୍ରତିଜ୍ଞାବଦ୍ଧ ହୁଅ । ପ୍ରଥମେ ଘରେ ପିନ୍ଧିବା ଲୁଗା ପଖାଳ କରାରେ ଆରମ୍ଭ କର । କ୍ଷୁଦ୍ର ସୀମାରେ କର । ସେଥିରେ ଆଦର ବୃଦ୍ଧି ହେଲେ, ସେହି ତନ୍ତୀ ଅନ୍ୟ ପାଞ୍ଚଜଣଙ୍କୁ ଶିଖାଅ । ସରୁଲୁଗା ନିମନ୍ତେ ଅନ୍ୟ ଗୋଟିଏ ତନ୍ତୀ ନିୟୋଗ କର । ୫୦ ଜଣ ଦୃଢ଼ ପ୍ରତିଜ୍ଞା ହୋଇ ଗୋଟାଏ ଚିଜ ସମ୍ବନ୍ଧରେ ପ୍ରତିଜ୍ଞା କର । ଯେବେ ପ୍ରତିଜ୍ଞା ଭଙ୍ଗ ହେବ, ତେବେ ଜାତୀୟ ଜୀବନରେ ଆଘାତ ଲାଗିବ । ଯେଉଁ ପ୍ରତିଜ୍ଞା ପାଳନ କରି ପାରିବ, ତାହା କର । ୧୦ ଜଣ ଏକାଠି ହୋଇ ଏକ ଧାଡ଼ିରେ ପଖାଳ କରା ପିନ୍ଧ । ଉତ୍କଳ ଜନନୀଙ୍କର ଏହା ତୁମ୍ଭମାନଙ୍କ ପାଖରେ ମାଗୁଣି । ପ୍ରଥମେ ଘରେ ପିନ୍ଧିବା ଲୁଗା ଖଣ୍ଡକ ଦେଶୀୟ ହେଉ ।’’ (୧୨)

 

ମଧୁସୂଦନଙ୍କ ବକ୍ତବ୍ୟ ଥିଲା ଆନ୍ତରିକ । ଛଳନା ପ୍ରତାରଣାଠାରୁ ବନ୍ଧୁ ଦୂରରେ । ଉତ୍କଳ ମାତାକୁ ଜୀବନ ଦେଇ ସେ ଭଲ ପାଉଥିଲେ । ଉତ୍କଳ ଜନନୀର ସୁରକ୍ଷା ପାଇଁ ଗଠିତ ଉତ୍କଳ ସମ୍ମିଳନୀର ଦୂରବସ୍ଥାରେ ସେ ମର୍ମାହତ ହୋଇ ୧୯୦୬ ମସିହାରେ ବାଲେଶ୍ଵରଠାରେ ଅନୁଷ୍ଠିତ ‘ଉତ୍କଳ ସମ୍ମିଳନୀ’ର ତୃତୀୟ ଅଧିବେଶନରେ କହିଥିଲେ । ‘‘ଭାଇମାନେ ! ଉତ୍କଳ ସମ୍ମିଳନୀର ଦୁରବସ୍ଥା ଦେଖି ମୋ ମନରେ ଯେପରି ଦୁଃଖ ଜାତ ହୋଇଅଛି, ମୋର ପୁତ୍ର କଷ୍ଟ ହୋଇଥିଲେ, ମୋ ମନର ସେପରି ଦୁଃଖ ଜାତ ହୁଅନ୍ତା ନାହିଁ । ସମ୍ମିଳନୀ ତିନିବର୍ଷ ହେଲା ସ୍ଥାପିତ ହୋଇଅଛି, କିନ୍ତୁ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟ କରିବାକୁ କ୍ଷମ ହୋଇନାହିଁ । ବର୍ତ୍ତମାନ ତା’ର ଶୈଶବାବସ୍ଥା । ଏ ଅବସ୍ଥାରେ ବିଶେଷ କାର୍ଯ୍ୟ ଯଦିଚ ଆଶା କରାଯାଏ ନାହିଁ ତଥାଚ ତାମସା ଦେଖିବା ବ୍ୟତୀତ ଉତ୍କଳୀୟମାନଙ୍କର ସମ୍ମିଳନୀର ଉଦ୍ଦେଶ୍ୟ ସାଧନରେ ବ୍ରତୀ ହୋଇ ଅନ୍ତରର ସହିତ ଚେଷ୍ଟା କରିବା ଉଚିତ ଥିଲା । ପ୍ରତି ଅଧି‌ବେଶନରେ ଶତଶତ, ସହସ୍ର ସହସ୍ର ଲୋକେ କେବଳ ତାମସା ଦେଖିବା ନିମନ୍ତେ ଉପସ୍ଥିତ ହୁଅନ୍ତି ଏବଂ ମୁଁ ସେହି ତାମସା ଦେଖିଅଛି, କିନ୍ତୁ କିଛି କରିପାରି ନାହିଁ । ମୁଁ ଉତ୍କଳ ଜନନୀର କୁପୁତ୍ର, ମୋଦ୍ଵାରା କିଛି ହୋଇପାରିବ ନାହିଁ । ସମସ୍ତଙ୍କର ଧାରଣା ଯେ ଉତ୍କଳ ସମ୍ମିଳନୀ ମଧୁବାବୁଙ୍କର, କିନ୍ତୁ ତାହା ସହିତ ମୋର ବିଶେଷ କିଛି ସମ୍ପର୍କ ନାହିଁ । ଆପଣମାନଙ୍କ ସହିତ ଯେପରି ସମ୍ପର୍କ, ମୋ ସହିତ ସେହିପରି ସମ୍ପର୍କ । ଏହି ସମ୍ମିଳନୀ ପ୍ରତ୍ୟେକ ଉତ୍କଳୀୟଙ୍କର, ଏପରି ମନେ କରିବା ଉଚିତ । ଯେ ପର୍ଯ୍ୟନ୍ତ ଧାରଣା ହୋଇ ନାହିଁ, ସେ ପର୍ଯ୍ୟନ୍ତ ସମ୍ମିଳନୀର ଉଦ୍ଦେଶ୍ୟ ସାଧିତ ହେବ ନାହିଁ ।’’ (୧୩) ମଧୁସୂଦନଙ୍କ ଜୀବନ ଥିଲା ବିଶାଳ । ଏକ ବ୍ୟାପକ ଚିନ୍ତା ଭିତରେ ସେ ଜୀବନ ବିତାଉଥିଲେ । ଭାଷଣ ଦେଲାବେଳେ ଜନସାଧାରଣଙ୍କୁ ବୁଝାଇବା ପାଇଁ ପ୍ରାସଙ୍ଗିକ କ୍ରମେ ବହୁ ଉଦାହରଣ ଦେଉଥିଲେ । ‘‘ଏହି ପର୍ଯ୍ୟନ୍ତ ବୁଝିଅଛି ଯେ ସମ୍ମିଳନୀ ଜାତିର ସଭା ଓ ମନୁଷ୍ୟ- ପ୍ରାଣରେ ଜାତୀୟ ଜୀବନ ଉଦ୍ରେକ କରିବା ଏହାର ଉଦ୍ଦେଶ୍ୟ । ପ୍ରତ୍ୟେକଙ୍କର ଦୁଇଗୋଟି ଜୀବନ । ୧- ବ୍ୟକ୍ତିଗତ ଜୀବନ, ୨- ଜାତୀୟ ଜୀବନ । ମୁଁ ଖାଉଛି, ପିନ୍ଧୁଛି, ଅର୍ଥ ଉପାର୍ଜନ କରୁଛି, ମୋ ପିଲା ବଡ଼ଲୋକ ହେବ, ଏ ଇଚ୍ଛା ବ୍ୟତିଗତ ଜୀବନର ଇଚ୍ଛା । ମାତ୍ର ଜାତୀୟ ଜୀବନ ତାହା ନୁହେଁ । ଉଦାହରଣ ଦିଏ - ଯେବେ ଜଣେ କହେ, ଓଡ଼ିଆଙ୍କୁ ମାର, ତେବେ ସମସ୍ତଙ୍କ ରକ୍ତ ଗରମ ହେବ । ଏଥିରେ ଜାତୀୟ ଜୀବନ ଅଛି, ପରିଚୟ ମିଳିଲା, କିନ୍ତୁ ଆମ୍ଭମାନଙ୍କର ଜାତୀୟ ଜୀବନ ବଡ଼ ଶିଥିଳ । ତାକୁ ଉତ୍ତେଜିତ କରି ବ୍ୟକ୍ତିଗତ ଜୀବନ ପରି ବଳବାନ୍‌ କରିବାକୁ ହେବ, ଏହା ହିଁ ସମ୍ମିଳନୀର ଉଦ୍ଦେଶ୍ୟ । ମୁଁ ଓଡ଼ିଆ, ଓଡ଼ିଶାରେ ଜନ୍ମଗ୍ରହଣ କରିଅଛି ଏବଂ ବାସ କରୁଅଛି । ଉତ୍କଳ-ମାତାଙ୍କ କୋଳରେ ମୋର ଅସ୍ଥିମାଂସ ରହିବ । ଯେଉଁମାନେ କୀର୍ତ୍ତି କରିଯାଇଅଛନ୍ତି, ସେମାନେ ମୋର ପୂର୍ବପୁରୁଷ । ତାଙ୍କର କୀର୍ତ୍ତିରକ୍ଷାର ଭାର ମୋ ଉପରେ ନ୍ୟସ୍ତ । ପ୍ରତ୍ୟେକ ଲୋକମନରେ ଏହିପରି ଭାବ ସଞ୍ଚାର କରିବା ସମ୍ମିଳନୀର ଉଦ୍ଦେଶ୍ୟ । ବ୍ୟକ୍ତିଗତ ଜୀବନ ସ୍ୱାର୍ଥପରତା ପରିପୂର୍ଣ୍ଣ ମାତ୍ର ଜାତୀୟ ଜୀବନରେ ସ୍ୱାର୍ଥ ନାହିଁ । ମୁଁ ବଡ଼ଲୋକ ହେବି, ମୋ ପୁଅ ସୁଖରେ ଜୀବନ ଯାପନ କରିବ, ଏହା ବ୍ୟକ୍ତିଗତ ଜୀବନ । ମୁଁ ମରିବି, ମୋତେ କେହି ଚିହ୍ନିବେ ନାହିଁ, ମୋର ମୃତ୍ୟୁ ପରେ ମୋର ନାମ ଲେଶ ମାତ୍ର ରହିବ ନାହିଁ, ମୋର ଶରୀରର ବଳ, ମୋର ଶରୀରର ରକ୍ତ ଜାତିକୁ ବଳବାନ୍‌ କରିବ, ଏହା ହିଁ ଜାତୀୟ ଜୀବନ-। ସମ୍ମିଳନୀ ଜାତୀୟ ଜୀବନର ସନ୍ତାନ ସ୍ୱରୂପ ।’’ (୧୪) ମଧୁସୂଦନଙ୍କ ଭାଷଣ କେବଳ ଭାଷା ପାଇଁ ଉଦ୍ଦିଷ୍ଟ ନ ଥିଲା । ଶ୍ରୋତାମଣ୍ଡଳୀଙ୍କୁ ଉଦ୍‌ବୋଧିତ କରିବା ପାଇଁ ଭାଷଣରେ ସେ ବିଭିନ୍ନ ପ୍ରସଙ୍ଗକୁ ଉଦାହରଣ ଦେଉଥିଲେ । ତାଙ୍କ ଭାଷଣ ଥିଲା ହୃଦୟସ୍ପର୍ଶୀ କାରଣ ମଧୁସୂଦନ ଜନସାଧାରଣଙ୍କୁ ସମ୍ବୋଧିତ କରୁଥିବାବେଳେ ଛୋଟ ଛୋଟ କାହାଣୀର କଥା କହୁଥିଲେ ।’’ ଏକ ସମୟରେ କେତେକ ଜାପାନୀ ବିଲାତ ଯାଇଥିଲେ । ସେ ସମୟରେ ଲୋକମାନେ ସେମାନଙ୍କୁ ଚୀନ ଦେଶର ଲୋକ ବୋଲି ମନେ କରିବାରୁ ସେମାନେ ଅନ୍ୟ ଜାତି ବୋଲି ପରିଚିତ ହେବା ଲଜ୍ଜାର ବିଷୟ ଜ୍ଞାନକରି, ସମସ୍ତ ଜାତି ଚୁଟି କାଟି ପକାଇଲେ । ଡାହାଳ କୁକୁର ଛୁଆ ମହାବଳ ବାଘକୁ ଦେଖି ପଳାଇବାକୁ ଚେଷ୍ଟା ନ କରି ଆକ୍ରମଣ କରିବାକୁ ଦୌଡ଼ିବ । ଏହାର କାରଣ କ’ଣ ? ତାହାର ଜାତୀୟ ଜୀବନ ସେ ରକ୍ଷା କରିବାକୁ ଚାହେଁ- “ବାଘ ପଛେ ମତେ ମାରୁ, ମୁଁ ମୋହର ଜାତି ଗୁଣ ରକ୍ଷା ପାଇଁ ପ୍ରାଣ ଦେବି।’’ (୧୫)

 

ମଧୁସୂଦନଙ୍କ ବକ୍ତବ୍ୟ କେବଳ ଉତ୍କଳୀୟ ଭାବ ଭାବନାରେ ଆବଦ୍ଧ ନ ହୋଇ ଏକ ସାମଗ୍ରିକ ବିକାଶର ପର୍ଯ୍ୟାୟରେ ଉପନୀତ ହୋଇଥିଲା । ନାରୀ ଶିକ୍ଷା ବିନା ସମାଜର ବିକାଶ ଅସମ୍ଭବ ବୋଲି ସେ କହୁଥିଲେ- “ସ୍ତ୍ରୀ ଶିକ୍ଷା ବିଷୟରେ ଅନେକ ବକ୍ତୃତା ଅନେକ ପ୍ରକାର ମତ ସମ୍ବାଦପତ୍ର ଓ ପୁସ୍ତକମାନଙ୍କରେ ବାହାରି ଅଛି, ତଥାପି ତହିଁର ଆବଶ୍ୟକତା ସମ୍ବନ୍ଧେ କିଛି କହିବା ବାଞ୍ଛନୀୟ । କାରଣ ମୋ ଅପେକ୍ଷା ଅଧିକ ଜ୍ଞାନୀ ଓ ମାନ୍ୟ ବ୍ୟକ୍ତିମାନେ ତହିଁର ଆବଶ୍ୟକତା ଦର୍ଶାଇଥିଲେ ସୁଦ୍ଧା ସ୍ତ୍ରୀ-ଶିକ୍ଷା ସମ୍ବନ୍ଧେ ଉତ୍କଳରେ ଉପଯୁକ୍ତ ପରିମାଣରେ ଯତ୍ନ, ଉଦ୍‌ଯୋଗ, ଉତ୍ସାହ ଦେଖାଯାଏ ନାହିଁ । ମୁଁ ସେ ସମ୍ବନ୍ଧେ ଏତିକି ମାତ୍ର କହିବାକୁ ଇଚ୍ଛା କରେ ଯେ ସ୍ତ୍ରୀଜାତିର ଶିକ୍ଷା ଭିନ୍ନ ଜାତିର ଉନ୍ନତି ସମ୍ଭବ ନୁହେଁ ।’’ (୧୬ ) ‘ଉତ୍କଳ ସମ୍ମିଳନୀ’ର ସଭାମାନଙ୍କରେ ସ୍ଵତନ୍ତ୍ର ଓଡ଼ିଶାର ପରିକଳ୍ପନା ସହିତ ଓଡ଼ିଶାର ବିକାଶ ପାଇଁ ଏକ ସାମୂହିକ ଯୋଜନା ଥିଲା । ତେଣୁ ମଧୁସୂଦନ ଶିଳ୍ପ ଓ ଶିଳ୍ପର ବିକାଶ ମାଧ୍ୟମରେ ସାମୂହିକ ଉନ୍ନତିର ପରିକଳ୍ପନା କରିଥିଲେ ସେଥିପାଇଁ ସେ କହିଥିଲେ- ‘ଶିଳ୍ପ ଆମ୍ଭମାନଙ୍କର ଗୋଟିଏ ପ୍ରଧାନ ଅଭାବ, କିନ୍ତୁ କେତେଜଣ ଏଥିପ୍ରତି ଚେଷ୍ଟିତ ଅଛନ୍ତି । ଆଧୁନିକ ଯୁବକମାନେ ଓକିଲାତି ବା ଚାକିରି ଛଡ଼ା ଆଉ କିଛି ଚାହାନ୍ତି ନାହିଁ । ବି.ଏ.ଏମ୍.ଏ ପାସକଲେ ଜାତୀୟ ଉନ୍ନତି ହୁଏ ନାହିଁ । ସାଧାରଣ ଚକ୍ଷୁ ଅପେକ୍ଷା ସୁଶିକ୍ଷିତ ଚକ୍ଷୁ ଅଧିକ କାର୍ଯ୍ୟକରେ, ଏହିପରି ହସ୍ତ, ପଦ, କାନ ଇତ୍ୟାଦି । ଜର୍ମାନୀ ଜାତିଙ୍କର କାନ ପ୍ରସିଦ୍ଧ, ସେମାନେ ସଙ୍ଗୀତ ଦ୍ୱାରା ଅଜସ୍ର ଅର୍ଥ ଲାଭ କରୁଅଛନ୍ତି । କେବଳ ମାନସିକ ପ୍ରବୃତ୍ତିଗୁଡ଼ିକ ନୁହେଁ, ଶରୀରର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗ ଗୁଡ଼ିକୁ ଚାଳିତ କଲେ ମଧ୍ୟ ଜାତୀୟ ଉନ୍ନତି ସାଧିତ ହୁଏ । ଭୁବନେଶ୍ୱର ପ୍ରଭୃତିରେ ଯେଉଁ ମୂର୍ତ୍ତି ସବୁ ଅଛନ୍ତି ତାହା ଏବେ ଆଉ ନିର୍ମିତ ହୋଇପାରିବ କି ? ସେହି ହାତ ଅଛି, ସେହି ପଥୁରିଆ ଅଛନ୍ତି, କିନ୍ତୁ ସେହି ହାତର ମୂଲ୍ୟ ଆଉ ନାହିଁ । x x x ଆମ୍ଭମାନଙ୍କୁ ଶିଳ୍ପୋନ୍ନତି କରିବାକୁ ହେଲେ ବିଦେଶୀୟ ଶିଳ୍ପ ସଙ୍ଗେ ପ୍ରତିଦ୍ୱନ୍ଦିତା ପ୍ରୟୋଜନ । ଇଉରୋପରେ ଧନ, ଜନ, ମନ ଏହି ତିନିଶକ୍ତି ଏକତ୍ର ହୋଇ ଶିଳ୍ପର ଉନ୍ନତି କରିଅଛନ୍ତି । ଯେଉଁମାନେ ଧନ ଦିଅନ୍ତି ସେମାନେ ଲାଭ ଆଶାରେ ଦିଅନ୍ତି ନାହିଁ, କେବଳ ଶିଳ୍ପୀମାନଙ୍କୁ ସାହାଯ୍ୟ ଓ ଶିକ୍ଷା ଦେଇ ଜାତୀୟ ଉନ୍ନତି ସାଧନ କରିବା ପାଇଁ । x x x ଇଉରୋପର ଶିଳ୍ପ ଅନୁକରଣରେ ଆମ୍ଭମାନଙ୍କୁ ଶିଳ୍ପ ଶିକ୍ଷା କରିବାକୁ ହେବ । ଓଡ଼ିଶାରେ ବର୍ତ୍ତମାନ ବୁଦ୍ଧି ଓ କାର୍ଯ୍ୟକାରିକା ଶକ୍ତି ଉପରେ ଧନୀମାନଙ୍କର ବିଶ୍ଵାସ ନାହିଁ ଶିଳ୍ପରେ ଯେପରି କ୍ଷତି ହେବାର ଆଶଙ୍କା ଅଛି କୃଷିରେ ମଧ୍ୟ ସେହିପରି ଆଶଙ୍କା ଅଛି । ମାତ୍ର ଲୋକେ ଓକିଲ ମୁକ୍ତାରମାନଙ୍କ ପ୍ରରୋଚନାରେ ପଡ଼ି କେବଳ ଜମି କ୍ରୟ କରିବା ଲାଗି ବ୍ୟସ୍ତ । ମାଳିମକଦ୍ଦମା ଦ୍ଵାରା ଯେଉଁ କ୍ଷତି ହୁଏ, ତାହା ଉପଲବ୍ଧି ନ କରି କେବଳ ଶିଳ୍ପରେ ଯେଉଁ କ୍ଷତିହେବାର ଆଶଙ୍କା ଅଛି ତାହାକୁ ବିଶେଷ ଭୟ କରୁଅଛନ୍ତି । ଏହାର କାରଣ ଅଶିକ୍ଷା । ୬୦ ବର୍ଷ ପୂର୍ବେ ବିଲାତରେ ଜାତୀୟ ଧନ କେବଳ ଶିଳ୍ପଦ୍ୱାରା ବର୍ତ୍ତମାନ ଶତଗୁଣ ବର୍ଦ୍ଧିତ ହୋଇ ଅଛି । ଅନାବୃଷ୍ଟି ପ୍ରଭୃତି ଆକସ୍ମିକ ଦୁର୍ଘଟଣା ସବୁ ଶିଳ୍ପର କୌଣସି କ୍ଷତି କରିପାରିବ ନାହିଁ । ଶିଳ୍ପଦ୍ଵାରା ଦେଶର ଉନ୍ନତି ହେବ ଏକଥା ଯେ ବୁଝି ପାରୁଛନ୍ତି, ସେ ତାହାର ସର୍ବସ୍ଵଧନ ଓ ଶକ୍ତି ଉତ୍ସର୍ଗ କରୁ ।’’ (୧୭)

 

ମଧୁସୂଦନଙ୍କ ଅଭିଭାଷଣ ଥିଲା ଆନ୍ତର୍ଜାତିକ ସମସ୍ୟାରେ ପରିପୂର୍ଣ୍ଣ । କେବଳ ସମସ୍ୟା ନୁହେଁ ଆନ୍ତର୍ଜାତିକ ସ୍ଥିତିକୁ ମଧ୍ୟ ସେ ଆକଳନ କରୁଥିଲେ । ‘‘ଜଗତରେ ଏକାନ୍ତ ଆଧିପତ୍ୟ ସ୍ଥାପନ କରିବା ଉଦ୍ଦେଶ୍ୟରେ ଜର୍ମାନୀମାନେ ଅନେକ ବର୍ଷ ପୂର୍ବରୁ ଗୋପନୀୟ ଭାବେ ବହୁଳ ସମରସଜ୍ଜା କରି ଆସୁଥିଲେ । ଏହି ଦୂରାକାଙ୍‌କ୍ଷା ଆଦ୍ୟ ପରିପକ୍ଵ ହେବାରୁ ପୃଥିବୀ ବ୍ୟାପୀ ମହାସମର ଭିଆଣ କରିଅଛନ୍ତି । ଜର୍ମାନ ଚକ୍ରବର୍ତ୍ତୀ ଜଣେ କଳିଯୁଗ ରାବଣ, ତାହାଙ୍କର ବଂଶ, ପ୍ରଜା, ଧନ, ବିଜ୍ଞାନ ସଂବୃଦ୍ଧି ପାଇଅଛି ଏବଂ ତାହାଙ୍କ ଦୁର୍ଜନତା ମଧ୍ୟ ବଢ଼ିଅଛି । ନିକଟବର୍ତ୍ତୀ ସାମାନ୍ୟ କିନ୍ତୁ ସଭ୍ୟ ଓ ନ୍ୟାୟ ପରାୟଣ ଦେଶମାନଙ୍କୁ ଆପଣା ପାଦତଳେ ରଖିବାକୁ ଯାଇ ଏହି ମହାସଙ୍କଟର କାରଣ ହୋଇଅଛନ୍ତି । ଅଦୂରେ ସେ ରାବଣର ଦଶା ଅନୁଭବ କରିବେ । ପ୍ରାଚୀନ କାଳରୁ ଆଜିଯାଏ ସମୟେ ସମୟେ ଏପରି ଜଣେ ଜଣେ ରାବଣ ଜନ୍ମଗ୍ରହଣ କରି ପୃଥିବୀର ଧର୍ମ, ନୀତି, ଧର୍ମ ଓ ପ୍ରାଣର ସ୍ୱାତନ୍ତ୍ର୍ୟ ଲୋପ କରିବାରେ ଚେଷ୍ଟା କରିଥାନ୍ତି । କିନ୍ତୁ ଅକୃତକାର୍ଯ୍ୟ ହୋଇ ଅବଶେଷରେ ସେମାନେ ଜଗଦ୍ୱୈରୀ ହୋଇ ନିଜ ଦୋଷରେ ନିଜେ ଜଳିଯାନ୍ତି । ଏହି ଇଉରୋପୀୟ ମହାସମର ଜର୍ମାନ ଓ ବ୍ରିଟିଶ ଜାତି ମଧ୍ୟରେ ନୁହେଁ । ଏହା ବାହୁବଳ ଓ ଧର୍ମବଳ ମଧ୍ୟରେ ତୁମୁଳ ସଂଗ୍ରାମ । ଜର୍ମାନ ବାହୁବଳରେ ବଳୀୟାନ । ବିଜ୍ଞାନ ବଳରେ ଜର୍ମାନ ଅଲୌକିକ ସାମରିକ ସଜ୍ଜା କରିଯାଇଅଛି । ଜଗତକୁ ନିଜ ବାହୁବଳ ପ୍ରଭାବରେ କରଗତ କରିବାକୁ ବସିଅଛି । ଅନ୍ୟ ପକ୍ଷ ବିଟ୍ରେନ ଧର୍ମବଳରେ ବଳୀୟାନ୍, ଧର୍ମରକ୍ଷା ସକାଶେ ପ୍ରତ୍ୟେକ ଜାତିର ସ୍ଵାଧୀନତା ଓ ସ୍ଵାତନ୍ତ୍ର୍ୟ ରକ୍ଷା ସକାଶେ ବିଟ୍ରେନ ଖଡ଼୍‌ଗହସ୍ତ । ସଂସାରର ପ୍ରାରମ୍ଭରୁ ବାହୁବଳ ଓ ଧର୍ମ ମଧ୍ୟରେ ସମର ଲାଗି ଆସୁଅଛି । ବାହୁବଳ ଧର୍ମବଳର ପଥ ଅବରୋଧ କରି ନାନା ବାଧା ବିଘ୍ନ ଘଟାଇଥାଏ କିନ୍ତୁ ଅବଶେଷରେ ଧର୍ମ ଜୟଲାଭ କରେ ଏବଂ ବାହୁବଳ ପରାଜିତ ହୁଏ । ଅଦ୍ୟ ଆମ୍ଭେମାନେ ଦେଖୁ ଯେ ଜର୍ମାନର ପ୍ରଭାବ ସ୍ଥାନେ ସ୍ଥାନେ ବଢ଼ିଅଛି । ଜର୍ମାନ ସ୍ଥାନେ ସ୍ଥାନେ ଜୟଲାଭ କରିଅଛି, ଏହା ବାହୁବଳର ପ୍ରାଥମିକ ପ୍ରଭାବ- ଧର୍ମର ଅବରୋଧ କିନ୍ତୁ ଦେଖାଯିବ, ଅବଶେଷରେ ଜର୍ମାନର ବଳ ନିସ୍ତେଜ ଓ ପରାଜିତ ହେବ, ବ୍ରିଟିଶ ଜୟଲାଭ କରିବ ଏବଂ ସଂସାରରେ ଧର୍ମ ସଂସ୍ଥାପିତ ହେବ, ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ ।’’ (୧୮)

 

ମଧୁସୂଦନ ୧୯୧୮ମସିହାରେ ଅନୁଷ୍ଠିତ ‘ଉତ୍କଳ ସମ୍ମଳନୀ’ର ତ୍ରୟୋଦଶ ଅଧିବେଶନରେ ଉଦ୍‌ବୋଧନ ଦେଇ ଉତ୍କଳମାତାର ଆବାହନ କରିଥିଲେ । ବାସ୍ତବିକ୍‌ ସେ ଭାଷଣ ଥିଲା ଆବେଗିକ ‘ଉତ୍କଳବାସୀଙ୍କ (Conference) ସମ୍ମିଳନୀ - ଜନନୀ ଜନ୍ମଭୂମିଙ୍କ ପୂଜାମଣ୍ଡପ । ପୂଜା କାର୍ଯ୍ୟ ଆରମ୍ଭ ପୂର୍ବରୁ ମାତାଙ୍କର ଆବାହନ ଆବଶ୍ୟକ । ଆବାହନ ବ୍ୟତିରେକେ ପୂଜା ଆରମ୍ଭ ହେଇ ନ ପାରେ । ବର୍ତ୍ତମାନ ଏଠାରେ ଯେତେ ଭାଇଭଉଣୀ ଉପସ୍ଥିତ, ସମସ୍ତଙ୍କ ହୃଦୟରେ ଜନନୀ ଜନ୍ମଭୂମିଙ୍କ ପ୍ରତିମୂର୍ତ୍ତି ପିତୁଳା ହୃଦୟରେ ସ୍ଥାପନ କରିବା ଉଚିତ । ଭାଇମାନେ ସମସ୍ତେ ଥରେ ତାଙ୍କ ପୁଣ୍ୟପିତୁଳା ହୃଦୟରେ ସ୍ଥାପନ କର । ଏହି କାର୍ଯ୍ୟପାଇଁ ମୁଁ ଆପଣମାନଙ୍କୁ ଅନୁନୟ ବିନୟ କରୁଅଛି, ମାତାଙ୍କ ନାମରେ ଆଜ୍ଞା ଦେଉଛି (କରତାଳି) । ଆମ୍ଭେମାନେ ସମସ୍ତେ ବର୍ତ୍ତମାନ ମାତାଙ୍କ କ୍ରୋଡ଼ରେ ବସିଅଛୁ । ଯଦି କେହି ପଚାରନ୍ତି ସେ ମାତାଙ୍କ କ୍ରୋଡ଼ରେ ବସିଥିବାର କିପରି ଅନୁଭବ କରାଯାଇପାରେ ହୃଦୟରେ କିପରି ସ୍ଥାପନ କରାଯାଇପାରେ ତେବେ କେବଳ ଏହି ଉପରେ ଲେଖା ହୋଇଥିବା ‘ଜନନୀ- ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ’ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବି । ଏ ବାକ୍ୟଟି ବହୁ କାଳରୁ ଶୁଣାଅଛି, କିନ୍ତୁ ତାହାର ଅର୍ଥ ବୁଝିବାକୁ ବୋଧହୁଏ କେହି ଚେଷ୍ଟା କରନ୍ତି ନାହିଁ । ଦେଖନ୍ତୁ ପ୍ରଥମେ ‘ଜନନୀ’, ଦ୍ୱିତୀୟରେ ‘ଜନ୍ମଭୂମି’, ତୃତୀୟରେ ‘ସ୍ଵର୍ଗ’ । ମନୁଷ୍ୟ ଜନ୍ମରେ ପ୍ରତ୍ୟେକ ମନୁଷ୍ୟ ଜୀବନକୁ ଗୋଟିଏ ସ୍ରୋତ ମନେକଲେ ଦେଖିବେ । ଏହି ସ୍ରୋତର ଆଦ୍ୟରେ ଜନନୀ, ମଧ୍ୟରେ ଜନ୍ମଭୂମି, ଶେଷରେ ସ୍ଵର୍ଗ, ପ୍ରତ୍ୟେକ ଆତ୍ମାର ଏହିଗତି । ମନୁଷ୍ୟ ଜୀବନରେ ଆଦ୍ୟ ଜନନୀ, କାର୍ଯ୍ୟ ଜନ୍ମଭୂମି, ପୁରସ୍କାର ମୁକ୍ତି ବା ସ୍ଵର୍ଗ । ଏଥିପାଇଁ ଜନନୀ, ଜନ୍ମଭୂମି ସ୍ଵର୍ଗଠାରୁ ଗରୀୟସୀ । x x x ପ୍ରଥମେ ମାତା ରକ୍ତ ଦେଇଥିଲେ । ସେହି ରକ୍ତ ବୃଦ୍ଧି କରିବା ପାଇଁ ମୋ ଜନ୍ମଭୂମି ମୋତେ ଶସ୍ୟାଦି ଦେଉଅଛି । ଅତଏବ ଶରୀରର ଆଦ୍ୟ ପଦାର୍ଥ ଦିଏ ମାତା, ତାହାର ରକ୍ଷକ ଓ ବର୍ଦ୍ଧକ ଜନ୍ମଭୂମି । ଆମ୍ଭେମାନେ ପ୍ରଥମେ ପ୍ରସବ ହେଲାବେଳେ ଭୂମିଷ୍ଠ ହେଲୁ ବୋଲି କହନ୍ତି ଅର୍ଥାତ୍‌ ଆମ୍ଭମାନଙ୍କୁ ମାତା ଜନ୍ମଭୂମି କ୍ରୋଡ଼ରେ ଅର୍ପଣ କରି ସେହି ଜନ୍ମଭୂମିର ପୂଜା କରିବାକୁ ଆଦେଶ ଦିଅନ୍ତି । ଏହି କଥା ଥରେ ଅନ୍ତଃକରଣରେ ଭାବ, ଶେଷ ଅବସ୍ଥା ସ୍ମରଣ କର । ମାତା ଯେଉଁ ରକ୍ତ ଦେଇଥିଲେ, ତାହା ନିଃଶେଷ ହେଲାଣି । କେବଳ ସେ ଶରୀର ଅଛି, ତାହା ମାତୃଭୂମିର ମାଟି ସମାନ । ମାତୃଭୂମି ଉତ୍କଳ ଦେହରେ ଆତ୍ମା ରହିଛି, ମା ଉତ୍କଳ କ୍ରୋଡ଼ରେ ଚକ୍ଷୁ ବୁଜି ଥରେ ପ୍ରାର୍ଥନା କର । ହୃଦୟରେ ଜନ୍ମଭୂମିର ପିତୁଳା ଆପେ ଜାଗ୍ରତ ହେବ । ‘ଚକ୍ଷୁ ବନ୍ଦକର’, ଦେଖିବ, ତୁମ୍ଭ ଭିତରେ ମା’ ଅଛନ୍ତି । ଏହି ତ ମାତୃଭୂମିର ପୂଜା । ଭାଇମାନେ, ପୂଜା ନିମନ୍ତେ ଜନନୀ ଜନ୍ମଭୂମି ଉତ୍କଳମାତାଙ୍କର ଆହ୍ୱାନ କର । ସମସ୍ତେ କହ ‘ବନ୍ଦଇ ଜନ୍ମଭୂମି’ । (୧୯)

 

ମଧୁବାବୁଙ୍କ ବକ୍ତବ୍ୟ ଥିଲା ଯୁକ୍ତିରେ ପରିପୂର୍ଣ୍ଣ । ନିଜର ଅନୁଭବ, ନିଜ ଜ୍ଞାନର ଅନୁଶୀଳନରେ ତାଙ୍କ ବକ୍ତବ୍ୟ ଅନ୍ୟର ପ୍ରାଣକୁ ଭାବାପ୍ଲୁତ କରି ଦେଉଥିଲା । ସଂକୀର୍ଣ୍ଣତା ବ୍ୟାଧିରେ ସଂକ୍ରମିତ ମଣିଷମାନଙ୍କୁ ସେ ପ୍ରତ୍ୟେକ୍ଷ ବ୍ୟଙ୍ଗ କରୁଥିଲେ । ସଂକୀର୍ଣ୍ଣତାବ୍ୟାଧିରେ ସଂକ୍ରମିତ ସାଧାରଣ ମଣିଷମାନଙ୍କୁ ସେ କମ୍‌ ବ୍ୟଙ୍ଗ ଟାପରା କରି ନାହାନ୍ତି । ଭୀରୁମାନଙ୍କର ସ୍ୱରୂପ ଦେଖେଇ ଦେବାକୁ ଯାଇ କହିଛନ୍ତି- ଗୋଟିଏ ଦେଶୀ କୁକୁରକୁ ଆଦର କରି ହୃଷ୍ଟପୃଷ୍ଠ କରି ରଖନ୍ତୁ ଓ ତାକୁ ନେଇ ଗୋଟିଏ ବିଲୁଆ ଦେଖେଇ ଦିଅନ୍ତୁ, ଦେଖିବେ ସେ ବିଲୁଆଟି ଖିଙ୍କାରୀ ହେବା ମାତ୍ରେ ଦେଶୀ କୁକୁରଟି ଲାଙ୍ଗୁଡ଼ ଗୁଞ୍ଜି ଆପଣଙ୍କ ନିକଟକୁ ପଳେଇ ଆସିବ, କିନ୍ତୁ ଗୋଟିଏ ବିଲାତି ଡାହାଳ କୁକୁର ଛୁଆ ଆଣନ୍ତୁ, ତାକୁ ଗୋଟାଏ ବାଘ ଦେଖେଇ ଦିଅନ୍ତୁ, ଦେଖିବେ ସେ ଡାହାଳ କୁକୁର ଛୁଆଟି ନିର୍ଭୟରେ ମହାବଳ ଆଗକୁ ଝପଟି ଯିବ । ଯେବେ ସେ ଡାହାଳ ଛୁଆଟି କଥା କହିପାରୁଥାନ୍ତା, ତାର ଅସୀମ ସାହସିକ କାର୍ଯ୍ୟର କାରଣ ଆପଣ ତାକୁ ପଚାରିଲେ ସେ ଏହିପରି ଜବାବ ଦିଅନ୍ତା- ମୁଁ ଜାଣେ ଯେ ମହାବଳ ବାଘକୁ ଆକ୍ରମଣ କରିବାକୁ ଯାଇ ମୁଁ ସେହି ବାଘ ହାତରେ ମରିବି । କିନ୍ତୁ ମୋର ଜାତିର ଗୁଣ ଓ ସାହସିକତା ମୁଁ ମୋର ଜୀବନ ପ୍ରତି ମାୟାରଖି ବାଘ ନିକଟକୁ ନ ଗଲେ ମୋ ଜାତିର ମାନ ଓ ମୂଲ୍ୟ କମିଯିବ । x x x କେବଳ ସେତିକି ନୁହେଁ, ଆପଣାର ଯୁକ୍ତିକୁ ଆହୁରି ହୃଦ୍ୟ କରିବା ପାଇଁ ଜାପାନୀ, ଜର୍ମାନୀ ଏପରିକି ପ୍ରବଳ ପରାକ୍ରମୀ ବ୍ରିଟିଶ୍‌ ଜାତିକୁ ଉଦାହରଣ ଭାବରେ ଗ୍ରହଣ କରିଅଛନ୍ତି ଏବଂ ଏଇ ଚତୁର ଉଚ୍ଚାରଣ ଭିତରେ ଆପଣାର ଦାବିର ଯୌକ୍ତିକତା ସମ୍ପର୍କରେ ମଧ୍ୟ ସମସ୍ତଙ୍କୁ ସଚେତନ କରି ଦେଉଛନ୍ତି । ଜୀବନପ୍ରତି ଅତିମାତ୍ରାରେ ମମତାସିକ୍ତ, ଦିବା-ସ୍ଵପ୍ନରେ ବିଭୋର ଓଡ଼ିଆମାନଙ୍କୁ ଚିଆଁଇ ଦେବା ପାଇଁ କେତେମତେ ଚେଷ୍ଟା କରିଅଛନ୍ତି । ମଧୁର ଭର୍ତ୍ସନାରେ ସେମାନଙ୍କୁ ନହୁ ନୁହାଣ କରିଛନ୍ତି ।’’ (୨୦)

 

ମଧୁସୂଦନଙ୍କ ଭାଷଣ ପୁନଶ୍ଚ ପ୍ରତିଭା ପୂଜା ପାଇଁ ମଧ୍ୟ ଉଦ୍ଦିଷ୍ଟ । କର୍ମବୀର ଗୌରୀଶଙ୍କରଙ୍କ ତିରୋଧାନରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଦେବାକୁ ଯାଇ କହିଥିଲେ ।- ‘‘ଏହି ପ୍ରସଙ୍ଗରେ ମଧୁବାବୁ କହିଲେ ବୋଧହୁଏ ଆପଣମାନେ ସମସ୍ତେ ଗୌରୀଶଙ୍କରଙ୍କ ନାମ ଶୁଣିଅଛନ୍ତି । ଯେଉଁଠାରେ ଲୋକେ ଓଡ଼ିଆ ଭାଷା କହନ୍ତି କିମ୍ବା ଓଡ଼ିଆ ପୁସ୍ତକ ପାଠ କରନ୍ତି, ସେଠାରେ ଗୌରୀଶଙ୍କରଙ୍କ ନାମ ଜଣା ଅଛି । ରାୟବାହାଦୁର ଉପାଧି ସେ ପାଇଥିଲେ । ମୁଁ କିନ୍ତୁ ରାୟବାହାଦୁର ଗୌରୀଶଙ୍କର, ବାବୁ ଗୌରୀଶଙ୍କର ପ୍ରମୁଖଙ୍କ କଥା କହିବାକୁ ଇଚ୍ଛା କରେ ନାହିଁ । ମନୁଷ୍ୟର ଆତ୍ମା ଯେତେବେଳେ ତାହାର ମୃଣ୍ମୟ ପିଣ୍ଡରେ ପ୍ରବେଶ କରେ, ସେହି ମୃଣ୍ମୟ ପିଣ୍ଡର ନାମ ରାୟବାହାହୁର, ମିଷ୍ଟର ଇତ୍ୟାଦି ହୁଏ । କିନ୍ତୁ ଆତ୍ମା ଯେତେବେଳେ ପ୍ରବେଶ କରେ କିମ୍ବା ମୃଣ୍ମୟପିଣ୍ଡ ଛାଡ଼ି ପଳାଏ, ସେତେବେଳେ ରାୟବାହାଦୁର, ବାବୁ ଇତ୍ୟାଦି ଉପାଧି ସବୁତୁଚ୍ଛ କରି ପିଣ୍ଡ ସହିତ ପକାଇ ଦେଇ ପଳାଏ । ଗୌରୀଶଙ୍କରଙ୍କ ଆତ୍ମା ସ୍ଵର୍ଗରେ ଅଛି । ବର୍ତ୍ତମାନ ତାଙ୍କ ଆତ୍ମାକୁ ମୁଁ ଆହ୍ୱାନ କରୁଛି । ତାଙ୍କୁ ରାବାହାଦୁର ଇତ୍ୟାଦି ସମ୍ବୋଧନରେ ଆହ୍ଵାନ କଲେ, ସେହି ଆତ୍ମା ସେ ସବୁ ତୁଚ୍ଛଜ୍ଞାନ କରିବ ମାତ୍ର । xxx ଗୌରୀଶଙ୍କର ଉତ୍କଳରେ ପ୍ରଥମେ ସମ୍ବାଦପତ୍ର ପ୍ରକାଶ କଲେ । ‘ଉତ୍କଳଦୀପିକା’ ଉତ୍କଳର ଦୀପଟିଏ । xxx ବର୍ତ୍ତମାନର ସ୍ଵାଧୀନତା ପ୍ରଚାର ସତ୍ତ୍ୱେ ଏକବିଂଶ ଶତାବ୍ଦୀର ସଭ୍ୟତା ଯୁଗରେ କୌଣସି ସଂପ୍ରସାରଣ କାର୍ଯ୍ୟ କଲେ ସରକାର, ପୋଲିସ ଯେପରି ବାଘ ପରି ଗିଳି ଦେବାକୁ ବସୁଛନ୍ତି, ୫୦ ବର୍ଷ ତଳେ ସେମାନେ କିପରି ହୋଇ ନ ଥିବେ, ଭାବନ୍ତୁ । ସେତେବେଳେ ଗୌରୀଶଙ୍କର କାର୍ଯ୍ୟକ୍ଷେତ୍ରରେ ବାଘପରି ଛିଡ଼ା ହୋଇଥିଲେ । xxx ମୁଁ ଗୌରୀଶଙ୍କରଙ୍କଠାରେ ଛାତ୍ର ରୂପରେ ଋଣୀ । ତାଙ୍କର ଯେଉଁ କର୍ତ୍ତବ୍ୟ ଜ୍ଞାନ ଥିଲା, ତାହା ବଳରେ ସେ ସର୍ବତ୍ର ନିର୍ଭୀକଭାବରେ କାର୍ଯ୍ୟ କରିଥିଲେ । ସେ ଯେତେବେଳେ ୩୦ ଟଙ୍କା ବେତନରେ ଥିଲେ, ସେତେବେଳେ କଲେକ୍ଟରଙ୍କୁ ମାନି ନ ଥିଲେ । କଂଗ୍ରେସକୁ ଓଡ଼ିଶାରୁ ପ୍ରତିନିଧି ରୂପେ ଯେତେବେଳେ ମୁଁ ଓ ଗୌରୀଶଙ୍କର ଯିବାକୁ ସ୍ଥିର କଲୁ, ସେତେବେଳେ ସରକାରୀ ଆଦେଶ ପ୍ରଚାର ହେଲା ଯେ ସରକାରୀ କର୍ମଚାରୀମାନେ କଂଗ୍ରେସକୁ ଯିବେ ନାହିଁ । ମୁଁ ଯେତେବେଳେ ପଚାରିଥିଲି, “ମାଷ୍ଟର ମହାଶୟ ! ଆପଣ କ’ଣ କରିବାକୁ ସ୍ଥିର କରିଛନ୍ତି ? ସେ କହିଥିଲେ କ’ଣ କରିବି ? ଚାକିରିଟା ପଛେ ଯାଉ, ଦେଶ ସକାଶେ ମୁଁ ଅବଶ୍ୟ କଂଗ୍ରେସକୁ ଯିବି ।’’ ତଥାପି କେତେଜଣ ଓଡ଼ିଆ କର୍ମଚାରୀ ଦେଶ ସକାଶେ ସରକାରୀ ଚାକିରି ପରିତ୍ୟାଗ କରିବାକୁ ଅଗ୍ରସର ହେବେ ? ଚାରିଦିନ ସକାଶେ ହେଉ ପଛେ, ମୁଁ ଗୌରୀଶଙ୍କରଙ୍କର ଚରଣ ତଳେ ଶିକ୍ଷା କରିଛି । ମୁଁ ଈଶ୍ୱରଙ୍କୁ ପ୍ରାର୍ଥନା କରେ, ସେ ମୋତେ ଆଶୀର୍ବାଦ କରନ୍ତୁ, ଯେପରି ମୁଁ ତାଙ୍କ ପରି ନିର୍ଭୀକ ଭାବରେ କର୍ତ୍ତବ୍ୟ ସମ୍ପାଦନ କରିବି । ତାଙ୍କ ତିରୋଧାନରେ ଯେଉଁ କ୍ଷତି ହୋଇଅଛି, ତାହା ସ୍ମରଣ ରଖିବା ନିମନ୍ତେ ତାଙ୍କର ପ୍ରତିମା ସ୍ଥାପନ ବା ଅନ୍ୟ କିଛି ବନ୍ଦୋବସ୍ତ କରିବା ନିମନ୍ତେ ଅନେକ କହନ୍ତି । କିନ୍ତୁ ଏହା ଭ୍ରମ । ଏପରି କରିବା ଦ୍ଵାରା କ’ଣ ସ୍ମୃତି ରକ୍ଷା ହୋଇପାରେ ? xxx ଆମର ଏ ଯେଉଁ ଜଗନ୍ନାଥ ଦେଉଳ ଅଛି, ତା’ର ନିର୍ମାତା ସମ୍ବନ୍ଧରେ କିଏ କହୁଛି ଅମୁକ ଲୋକ, ଅନ୍ୟ ଜଣେ କହୁଛି ଅମୁକ ଲୋକ । ଏ ସବୁ ପ୍ରକୃତ ସ୍ମୃତି ରକ୍ଷା କରିପାରିବ ନାହିଁ । ମୋର ଶିକ୍ଷା ଦ୍ୱାରା ଯଦି ଅନ୍ୟ ଜଣକର, ଆମ୍ଭମାନଙ୍କର ଆତ୍ମା ଉପରେ କିଛି ଚିହ୍ନ ରଖିପାରେ, ତେବେ ତାଙ୍କର ସ୍ମୃତି ଅକ୍ଷୁର୍ଣ୍ଣ ବୋଲି ଜ୍ଞାନ କରିବାକୁ ହେବ । ତାହା କି ଚିହ୍ନ ରଖିପାରେ ? ଓଡ଼ିଶାର କାର୍ଯ୍ୟକ୍ଷେତ୍ରରେ ତାଙ୍କ ଆତ୍ମା ଯେପରି ବିକଶିତ ହୋଇଥିଲା, ସେ ଆତ୍ମାର କାର୍ଯ୍ୟଶୀଳତା ଯଦି କୌଣସି ପ୍ରକାରେ କରାଯାଇପାରେ, ତେବେ ତାଙ୍କର ସ୍ମୃତି ରହିବା ଏହିପରି ଆତ୍ମା ଉପରେ ଉପକାରର ଉପାୟ କରାଯିବା ଉଚିତ ।’’ (୨୧)

 

ମଧୁସୂଦନ କେବଳ ଯେ ଓଡ଼ିଆରେ ବକ୍ତୃତା ଦେଉଥିଲେ ତାହା ନୁହେଁ ଇଂରାଜୀ ଭାଷାରେ ସେ ଥିଲେ ଜଣେ ସୁବକ୍ତା । ‘‘ବିଶେଷ ରୂପେ ବ୍ୟବସ୍ଥାପକ ଭାବରେ ସେ ଯେଉଁ ବକ୍ତବ୍ୟଗୁଡ଼ିକ ପ୍ରଦାନ କରିଥିଲେ, ତାହା ତାଙ୍କ ଅଭିଭାଷଣ ସାହିତ୍ୟ ପର୍ଯ୍ୟାୟକୁ ପରିବର୍ଦ୍ଧିତ କରିଥିଲା । ଓଡ଼ିଆ ଭାଷାର ଅଭିଭାଷଣ ପରି ତାଙ୍କ ପ୍ରଦତ୍ତ ଇଂରାଜୀ ଭାଷାର ଅଭିଭାଷଣଗୁଡ଼ିକ ମଧ୍ୟ ଅତ୍ୟନ୍ତ ଉପାଦେୟ ହୋଇପାରିଥିଲା । ସେଥିପାଇଁ ମଧୁସୂଦନଙ୍କ ପ୍ରଦତ୍ତ ଅଭିଭାଷଣଗୁଡ଼ିକର ଆଲୋଚନା କଲାବେଳେ ଓଡ଼ିଆ ଅଭିଭାଷଣ ପରି ଇଂରାଜୀ ଅଭିଭାଷଣଗୁଡ଼ିକର ପର୍ଯ୍ୟାଲୋଚନା ଜରୁରୀ ଅଟେ । ନ ହେଲେ ମଧୁବାବୁଙ୍କ ପ୍ରତିଭାର ଏ ଦିଗନ୍ତଟି ଅସଂପୂର୍ଣ୍ଣ ରହିଯିବା ପରି ମନେହେବ । ବ୍ୟବସ୍ଥାପକ ସଭାରେ ମଧୁସୂଦନଙ୍କ ଦ୍ୱାରା ଯେଉଁ ମହତ୍ତ୍ଵପୂର୍ଣ୍ଣ ବକ୍ତବ୍ୟଗୁଡ଼ିକ ପ୍ରଦାନ କରାଯାଇଥିଲା, ତାହା ବ୍ୟବସ୍ଥାପକ ସଭା ବିବରଣୀ ପୁସ୍ତିକାରେ ଦେଖିବାକୁ ମିଳିଥାଏ । ସେ ନିଜର ପ୍ରଚଣ୍ଡ ଧୀ-ଶକ୍ତି ତଥା ପ୍ରତିଭା ବଳରେ ରାଷ୍ଟ୍ରନୀତି, ଅର୍ଥନୀତି, ରାଜନୀତି ଏବଂ ସମାଜନୀତିକୁ ଅତି ଚମତ୍କାର ଭାବରେ ନିଜର ବକ୍ତବ୍ୟ ଛଳରେ ଉପସ୍ଥାପିତ କରୁଥିଲେ । ବ୍ୟବସ୍ଥାପକ ଭାବରେ ବକ୍ତୃତା ଦେବା ସହିତ ସେ ଅନ୍ୟାନ୍ୟ ସଭା ସମିତିରେ ମଧ୍ୟ ଇଂରାଜୀ ବକ୍ତୃତାମାନ ପ୍ରଦାନ କରିଥିଲେ । ସେଥିମଧ୍ୟରୁ ୧୯୧୨ ମସିହାରେ ବିହାର ଛାତ୍ର ସମ୍ମିଳନୀରେ ବକ୍ତୃତା, ୧୯୧୮ ମସିହାରେ ନିଖିଳ ଭାରତ ଖ୍ରୀଷ୍ଟିୟାନ ସମ୍ମିଳନୀରେ ସଭାପତି ଅଭିଭାଷଣ, ୧୯୨୧ ମସିହାରେ ସ୍ୱାୟତ୍ତ ଶାସନ ବିଲ ସଂପର୍କରେ ପ୍ରଦତ୍ତ ବକ୍ତୃତା, ୧୯୨୪ରେ ପାଟଣାଠାରେ ଶ୍ରମମର୍ଯ୍ୟାଦା ବକ୍ତୃତା ୧୯୩୩ ମସିହାରେ କଟକଠାରେ ଏକ ନେତୃ ସମ୍ମିଳନୀରେ ପ୍ରଦତ୍ତ ବକ୍ତୃତାଗୁଡ଼ିକ ଉଲ୍ଲେଖଯୋଗ୍ୟ ହୋଇ ପାରିଥିଲା, କିନ୍ତୁ ୧୯୧୨ ମସିହାରେ ବିହାର ଛାତ୍ର ସମ୍ମିଳନୀରେ ସଭାପତି ଭାବରେ ଯେଉଁ ବକ୍ତବ୍ୟ ପ୍ରଦାନ କରିଥିଲେ ତାହା ତାଙ୍କୁ ବିହାରରେ ସୁପରିଚିତ କରାଇ ପାରିଥିଲା ଏବଂ ତାଙ୍କର ଏହି ବକ୍ତବ୍ୟ ବିଭିନ୍ନ ଇଂରାଜୀ ସମ୍ବାଦପତ୍ର ଦ୍ଵାରା ପ୍ରଶଂସିତ ହୋଇଥିଲା । ୧୯୧୨ ମସିହାରେ ବିହାର ଛାତ୍ର ସମ୍ମିଳନୀର ସଭାପତି ଭାବରେ ମଧୁସୂଦନଙ୍କ ପ୍ରଦତ୍ତ ବକ୍ତୃତା ତାହାଙ୍କୁ ବିହାରରେ ସୁପରିଚିତ କରାଇ ପାରିଥିଲା ଏବଂ ଏହି ବକ୍ତୃତାଟି ଭାରତର ବିଭିନ୍ନ ଇଂରାଜୀ କାଗଜରେ ମଧ୍ୟ ପ୍ରଶଂସିତ ହୋଇଥିଲା । ଏହି ବକ୍ତୃତା ପାଇଁ ଯୁବକ ମହଲରେ ଏପରି ଦାବି ହୋଇଥିଲା ଯେ ୧୯୧୪ ମସିହାରେ ସ୍ଵର୍ଗୀୟ ବ୍ରଜସୁନ୍ଦର ଦାସ ଏହାକୁ ଏକ ସ୍ୱତନ୍ତ୍ର ବହି ରୂପେ ପ୍ରକାଶ କରିଥିଲେ । ଏହି ବକ୍ତୃତାରେ ମଧୁସୂଦନ ଅନେକଗୁଡ଼ିଏ ଉପାଦେୟ ବିଷୟର ଅବତାରଣା କରିଥିଲେ । (୧) ପ୍ରାଚ୍ୟ ଓ ପାଶ୍ଚାତ୍ୟ, (୨) ପ୍ରାଚ୍ୟ ଭୂମିରେ ପାଶ୍ଚାତ୍ୟ ସଭ୍ୟତା ରୋପଣ, (୩) ଶିଳ୍ପ ଉନ୍ନତି, (୪) କାରିଗରମାନଙ୍କର ଉନ୍ନତିବିଧାନ, (୫) ନାରୀଶିକ୍ଷା, (୬) ଆତ୍ମବଳିଦାନ, (୭) ଦେଶାତ୍ମବୋଧ, (୮) ରାଷ୍ଟ୍ରନୀତି, (୯) ମାନସିକ ଅଜୀର୍ଣ୍ଣତା ଓ (୧୦) ସମ୍ମାନ ଓ ସୁଖ ପ୍ରଭୃତି ବିଷୟରେ ମଧୁସୂଦନ ଅଭିଭାଷଣ ଦେଇଥିଲେ ।’’ (୨୨) ଏହି ସମ୍ମିଳନୀରେ ସଭାପତି ଅଭିଭାଷଣରେ ମଧୁସୂଦନ ପ୍ରାଚ୍ୟ ଆଦର୍ଶ ଓ ପାଶ୍ଚାତ୍ୟ ସଭ୍ୟତା ସମ୍ପର୍କରେ ଇଂରାଜୀରେ କହିଥିଲେ । ଯାହାର ଠିକ୍‌ ଓଡ଼ିଆ ମର୍ମଟି ହେଲା ଏହିପରି- ‘‘ଆଗାମୀ ବଂଶଧର ଭାବରେ ତୁମ୍ଭମାନଙ୍କ ସ୍ଥାନ କେଉଁଠି ? ତୁମ୍ଭେମାନେ କର୍ତ୍ତବ୍ୟ ଓ ଦାୟିତ୍ୱ ସଂପୂର୍ଣ୍ଣ ଅନୁଭବ କରିବାକୁ ଚାହୁଁଥିଲେ । ମନେକର, ଦିନେ ସକାଳୁ ଉଠି ତୁମ୍ଭେମାନେ ଦେଖିଲ ଯେ ପୂର୍ବରେ ସୂର୍ଯ୍ୟ ଉଇଁବା ସଂଗେ ସଂଗେ ପଶ୍ଚିମରେ ମଧ୍ୟ ଏକ ସୂର୍ଯ୍ୟ ଉଇଁଅଛି । ପୂର୍ବଦିଗର ସୂର୍ଯ୍ୟକୁ ତୁମ୍ଭେମାନେ ଜାଣ, ଚିହ୍ନ । ଏହାର ଆକାଶରେ ଉଦୟ ଏବଂ ଗତି ପ୍ରତ୍ୟହ ତୁମ୍ଭମାନଙ୍କୁ ଆନନ୍ଦ ଏବଂ ପ୍ରଫୁଲ୍ଲତା ପ୍ରଦାନ କରେ । ଉଦୟୋନ୍ମୁଖୀ ସୂର୍ଯ୍ୟକୁ ତୁମ୍ଭେମାନେ ପୂଜା କର, କିନ୍ତୁ ପଶ୍ଚିମ ଦିଗର ଉଦେୟାନ୍ମୁଖ ସୂର୍ଯ୍ୟ ଏକ ଆଶ୍ଚର୍ଯ୍ୟ ଦୃଶ୍ୟ । ଯଦି ଦିନର ଏହି ଦୁଇ ସମ୍ରାଟ ମଧ୍ୟରେ ଛିଡ଼ା ହୁଅ ତାହାହେଲେ ମନେ ମନେ ଭାବ, ତୁମ୍ଭମାନଙ୍କର ଅବସ୍ଥା କ’ଣ ହେବ । ତେଣୁ ଯେଉଁ ଭାରତୀୟମାନେ ପାଶ୍ଚାତ୍ୟ ସାହିତ୍ୟ ଏବଂ ବିଜ୍ଞାନ ପଢ଼ୁଛନ୍ତି ସେମାନେ ସେମାନଙ୍କ କର୍ତ୍ତବ୍ୟ ଏବଂ ଦାୟିତ୍ୱ ନିଶ୍ଚୟ ବୁଝିପାରିବେ ।’’ (୨୩) ପ୍ରାଚ୍ୟ ଓ ପାଶ୍ଚାତ୍ୟ ଚିନ୍ତାଧାରାରେ ମିଳନ ହେଲେ ଏକ ସାମୂହିକ ଉନ୍ନତି ସାଧିତ ହୋଇପାରିବ । ସେଥିପାଇଁ ମଧୁସୂଦନ ତାଙ୍କର ଏହି ବକ୍ତବ୍ୟ ମଧ୍ୟରେ ଏହି ମିଳନ ପାଇଁ ଆଶା ପୋଷଣ କରିଥିଲେ ।

 

ସେହିପରି ତତ୍‌କାଳୀନ ଭାରତୀୟ ପ୍ରଶାସନକୁ ଅନୁଧ୍ୟାନ କରି ମଧୁସୂଦନ ଉତ୍କଳ ସମ୍ମିଳନୀର ସଭାପତି ଅଭିଭାଷଣରେ କହିଥିଲେ- “ରାଷ୍ଟ୍ରନୈତିକ ଦଲିଲର ଐତିହାସିକ ପରିସ୍ଥିତି ଏହାର ପ୍ରକୃତ ଅର୍ଥବୋଧକ ।” (The historical settings of political documents are aids to their interpretation) (୨୪) ପୁନଶ୍ଚ ବ୍ରିଟିଶ୍‌ ଶାସନ ସମୟରେ ଭାରତୀୟ ଶାସନ ବ୍ୟବସ୍ଥା ସଂପର୍କରେ କହିଥିଲେ ଯେ - “ଆଧୁନିକ ଭାରତୀୟ ଶାସନ ଏକ ପିରାମିଡ଼ ସଙ୍ଗେ ତୁଳନା କରାଯାଇପାରେ ଏବଂ ଏହା ଶୀର୍ଷବିନ୍ଦୁ ଉପରେ ଭରାଦେଇ ରହିଅଛି । ଏକ ବୈଦେଶିକ ଚାକିରିଆ ଗୋଷ୍ଠୀ ଭାରତୀୟ ସାମ୍ରାଜ୍ୟର ଭାର ବହନ କରି ରହିଅଛନ୍ତି । ଏହି ରାଜନୈତିକ ମାଧ୍ୟାକର୍ଷଣ ଶକ୍ତି ସେହିପରି ରଖାଯିବ, ମାତ୍ର ସାମ୍ରାଜ୍ୟ ଭାର ବା ଚାପ ଯେପରି ବେଶୀ ବ୍ୟାପକ ଅଂଶରେ ପଡ଼େ, ତାହାର ବ୍ୟବସ୍ଥା ମାତ୍ର କରାଯାଇଅଛି । ଏହି ସମସ୍ୟା ବଡ଼ ଜଟିଳ । ଯେଉଁମାନେ ଏହାର ସମାଧାନ ପାଇଁ ଚେଷ୍ଟା କରିବେ, ସେମାନେ ହିଁ ଏହାର ଗୁରୁତ୍ଵ ମାପି ପାରିବେ ।’’ (୨୫) ୧୯୨୧ ମସିହାରେ ମଧୁସୂଦନ ମନ୍ତ୍ରୀହେବା ପରେ ସ୍ଵାୟତ୍ତଶାସନ ବିଲ୍‌କୁ ଆଗତ କରାଇ ସାଧାରଣ ଲୋକଙ୍କ ହାତକୁ ଅଧିକାର ସାବ୍ୟସ୍ତ କରାଇଥିଲେ । ତେଣୁ ଏହି ମର୍ମରେ ସେ ସ୍ଵାୟତ୍ତ ଶାସନ ବିଭାଗର ପ୍ରତିନିଧିମାନଙ୍କୁ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ଯାହା ତାଙ୍କର ପାଣ୍ଡିତ୍ୱର ପ୍ରାଚୁର୍ଯ୍ୟତାର ଯଥାର୍ଥ ନିଦର୍ଶନ ଥିଲା, ‘‘ଆମ୍ଭେମାନେ ଆତ୍ମଉତ୍ସର୍ଗ ଭାବ ଦରକାର କରୁଁ । ଏହା ଭାରତୀୟ ପ୍ରକୃତିର ଅନ୍ତର୍ନିହିତ । ଧନୀ ଲୋକର ଧନଦାନ ଏକ ଆତ୍ମତ୍ୟାଗ ନୁହେଁ । କୌଣସି ଅସୁବିଧା ନ ଭୋଗି ମୁଁ କେତେ ଲକ୍ଷ୍ୟ ଟଙ୍କା ଦାନ କରିପାରେ । ତ୍ୟାଗର ଅର୍ଥ ଆତ୍ମଉତ୍ସର୍ଗ । ନିଜର ଶକ୍ତି, ସମୟ ପ୍ରେମ ଦେଶଲାଗି ତ୍ୟାଗ କରିବା ବା ଦେବା ହିଁ ଆତ୍ମତ୍ୟାଗ ବା ଆତ୍ମୋତ୍ସର୍ଗୀ ମା ପିଲାକୁ ପ୍ରେମ କରେ । କାରଣ ସେ ତାର ରକ୍ତଦେଇ ପିଲାର ଦେହ ଗଢ଼େ ଏବଂ ନିଜର ରକ୍ତ ଦେଇ ପିଲାର ଶୁଶ୍ରୁଷା କରେ ।’’ (୨୬) ଏହିପରି ଭାବରେ ମଧୁସୂଦନ ସାରଗର୍ଭକ ବକ୍ତୃତା ମାନ ପ୍ରଦାନ କରି ଓଡ଼ିଆ ବକ୍ତୃତା ସାହିତ୍ୟକୁ ପରିବର୍ଦ୍ଧିତ କରିପାରିଥିଲେ । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷଣରେ ସେ ପ୍ରବୀଣ ଥିଲେ । ଜଣେ ଉଚ୍ଚ ଧରଣର ଭାବୁକ ଏବଂ ଚିନ୍ତାଶୀଳ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ମଧୁସୂଦନ । ସେଥିପାଇଁ ତାଙ୍କ ଅଭିଭାଷଣଗୁଡ଼ିକ ଉଚ୍ଚ ଭାବଧାରା ସମ୍ପନ୍ନ ହୋଇପାରିଥିଲା । ବକ୍ତୃତାର ଭାଷା ଏବଂ ଭାବ ଥିଲା ଅତି ସୁନ୍ଦର, ଯାହାକି ତାଙ୍କୁ ବକ୍ତୃତା କ୍ଷେତ୍ରରେ ଅସାଧାରଣ ବାଗ୍ମୀରେ ପରିଣତ କରାଇ ପାରିଥିଲା-। ତେଣୁ ଏ ସଂପର୍କରେ ତାଙ୍କ ଜୀବନୀ ଲେଖକ ନବକିଶୋର ଦାସ ଲେଖିଛନ୍ତି- “ମଧୁସୂଦନ ନେତା ଭାବରେ ଜଣେ ଅସାଧାରଣ ବକ୍ତା ଥିଲେ । ତାଙ୍କର ଭାବ ଓ ଭାଷା ଉଭୟ ଉପରେ ଅତି ସୁନ୍ଦର ପ୍ରଭୁତ୍ୱ ଥିଲା । ତାଙ୍କର ବକ୍ତୃତାର ଭାଷା ଭାବରେ ସେପରି କୁନ୍ଦନ, ତାହା ଅନ୍ୟତ୍ର ବିରଳ । ମଧୁସୂଦନଙ୍କ ରାଷ୍ଟ୍ରନୀତି କିମ୍ବା ଜାତୀୟକାର୍ଯ୍ୟର ଗତି ଦେଶରେ ବଦଳି ଗଲେ ମଧ୍ୟ ମଧୁସୂଦନ ବକ୍ତୃତା ସାହିତ୍ୟରେ ଜଣେ ଅସାଧାରଣ ବାଗ୍ମୀ ଭାବରେ ଚିରଦିନ ଜାତିର ସ୍ମରଣୀୟ ହୋଇ ରହିବେ ।’’ (୨୭)

 

ମଧୁସୂଦନଙ୍କ ଅଭିଭାଷଣଗୁଡ଼ିକ ଥିଲା ବାସ୍ତବଧର୍ମୀ । ସେ କଳ୍ପନା ଅପେକ୍ଷା ତଥ୍ୟ ଓ ସତ୍ୟ ଉପରେ ନିର୍ଭର କରିଥିଲେ । ତେଣୁ ତାଙ୍କ ଅଭିଭାଷଣଗୁଡ଼ିକରେ ଏକ ଅପୂର୍ବ ଜୀବନୀ ଶକ୍ତି ଭରି ରହିଥିଲା । ‘‘ମଧୁବାବୁଙ୍କ ପ୍ରତ୍ୟେକ ଅଭିଭାଷଣରେ ପୂରି ରହିଛି ପ୍ରଚଣ୍ଡ ଜୀବନୀ ଶକ୍ତି । ଅନାବିଳ ଭାବ ପ୍ରବଣତା କଥାରେ ସେ ମଣିଷକୁ କିଣି ନିଅନ୍ତି । କୁହୁକ ଜାଣିଲା ପରି ଅନ୍ୟକୁ ବାୟା କରି ଦିଅନ୍ତି । ମଣିଷର ମନ ତେଜି ହୋଇଯାଏ । ସେ ଅନୁଭବ କରେ ତା’ ପାଖରେ ଆଉ ଜଣେ କିଏ ଅଛି ଖୁବ୍‌ ନିଜର ଯିଏ ତା’ ପାଇଁ ଆପଣାକୁ ସମର୍ପଣ କରିଦେଇ ପାରିବ । ଜୀବନର ସୁଖ, ପ୍ରାପ୍ତିବୋଧ ପାଖରେ ତାକୁ ପହଞ୍ଚାଇ ଦେବ ।’’ (୨୮) ମଧୁସୂଦନଙ୍କ ବକ୍ତୃତା ସାହିତ୍ୟ ଥିଲା ବ୍ୟାପକ ଓ ବିସ୍ତୃତ । ଓଡ଼ିଆ ଅଭିଭାଷଣ ସାହିତ୍ୟକୁ ପରିମଣ୍ଡିତ ତଥା ପରିବର୍ଦ୍ଧିତ କରି ପାରିଥିବା ତାଙ୍କ ଅଭିଭାଷଣଗୁଡ଼ିକ ଅତୁଳନୀୟ ଅଟେ । ତେଣୁ ଯଥାର୍ଥରେ ଏହି ଅନନ୍ୟ କୃତିଗୁଡ଼ିକ ମଧୁସୂଦନଙ୍କୁ ଜଣେ ସଫଳ ସାହିତ୍ୟିକ ରୂପେ କାଳଜୟୀ କରାଇବାରେ ସମର୍ଥ ହୋଇପାରିଛି ।

 

ପାଦଟୀକା :

୧.

କୁଳବୃଦ୍ଧ ମଧୁସୂଦନ ଜୀବନୀ ଓ ଲେଖାବଳୀ- ନବକିଶୋର ଦାସ- ପୃଷ୍ଠା- ୪୨, ଓଡ଼ିଶା ବୁକ୍‌ଷ୍ଟୋର, ତୃତୀୟ ମୁଦ୍ରଣ-୧୯୯୦

୨.

ତତ୍ରୈବ-ପୃ-୪୩ ।

୩.

ବକ୍ତା ଓ ବକ୍ତୃତା- ଉତ୍କଳ ଗୌରବ ମଧୁସୂଦନ- ନବକିଶୋର ଦାସ- ପୃଷ୍ଠା- ୧୨୨ ।

୪.

ତତ୍ରୈବ-ପୃଷ୍ଠା- ୧୨୩ ।

୫.

ସମାଲୋଚନା : ମଧୁପର୍ବ- ଅଧ୍ୟାପକ ବୈଷ୍ଣବ ଚରଣ ସାମଲ- ଓଡ଼ିଆ ଅଭିଭାଷଣ- ଓଡ଼ିଶା ବୁକ୍‌ଷ୍ଟୋର ୧ମ ସଂସ୍କରଣ- ୧୯୮୩-ପୃଷା- ୪୨ ।

୬.

ଉତ୍କଳ ଗୌରବ ମଧୁସୂଦନଙ୍କ ସାହିତ୍ୟିକ ବ୍ୟକ୍ତିତ୍ୱ- ଅଧ୍ୟାପକ ବାଳକୃଷ୍ଣ ଶତପଥୀ, ସ୍ମାରକୀ (୭ମ ଅର୍ଘ୍ୟ) ପ୍ରଗତି ଉତ୍କଳ ସଂଘ- ରାଉରକେଲା- ୩, ପୃଷ୍ଠା- ୧୩ ।

୭.

ତତ୍ରୈବ-ପୃଷ୍ଠା- ୧୨ ।

୮.

ମଧୁବାବୁଙ୍କ ଓଡ଼ିଆ କବିତା ଓ ବକ୍ତୃତା- ମଧୁସ୍ମୃତି କମିଟି, ପ୍ରକାଶ କାଳ- ୨୮, ଏପ୍ରିଲ୍‌ ୧୯୯୭, ପୃଷ୍ଠା -୧୦,୧୧ ।

୯.

ଉତ୍କଳ ସମ୍ମିଳନୀର ଏକ ପ୍ରସ୍ତାବ- ମଧୁବାବୁଙ୍କ ଓଡ଼ିଆ କବିତା ଓ ବକ୍ତୃତା ପୃଷ୍ଠା - ୧୩ ।

୧୦.

ମଧୁବାବୁଙ୍କ ଓଡ଼ିଆ କବିତା ଓ ବକ୍ତୃତା- ପୃଷ୍ଠା -୧୫ ।

୧୧.

ତତ୍ରୈବ-ପୃଷ୍ଠା- ୧୬ ।

୧୨.

ତତ୍ରୈବ- ପୃଷ୍ଠା- ୧୮, ୧୯ ।

୧୩.

ତତ୍ରୈବ-ପୃଷ୍ଠା-୨୦ ।

୧୪.

ତତ୍ରୈବ-ପୃଷ୍ଠା-୨୪, ୨୫ ।

୧୫.

ତତ୍ରୈବ-ପୃଷ୍ଠା- ୩୧ ।

୧୬.

ତତ୍ରୈବ-ପୃଷ୍ଠା-୪୦ ।

୧୭.

ଉତ୍କଳ ସମ୍ମିଳନୀ (୧୯୦୩- ୧୯୩୬ )- ଦେବେନ୍ଦ୍ର କୁମାର ଦାଶ, ପ୍ରଗତି ଉତ୍କଳ ସଂଘ, ପୃଷ୍ଠା - ୨୭୯, ୨୮୦ ।

୧୮.

ମଧୁବାବୁଙ୍କ ଓଡ଼ିଆ କବିତା ଓ ବକ୍ତୃତା- ପୃଷା- ୫୨, ୫୩ ।

୧୯.

ଉତ୍କଳ ସମ୍ମିଳନୀ (୧୯୦୩-୧୯୩୬ )- ଦେବେନ୍ଦ୍ର କୁମାର ଦାଶ, ପ୍ରଗତି ଉତ୍କଳ ସଂଘ, ପୃଷ୍ଠା- ୩୯୫, ୩୯୬, ୩୯୭ ।

୨୦.

ମଧୁବାବୁଙ୍କ ଗଦ୍ୟଶୈଳୀ - ଗୌରାଙ୍ଗ ଚରଣ ଦାସ- ଉତ୍କଳ ଗୌରବ ବିଂଶ ଅର୍ଘ୍ୟ- ୧୯୮୭, ପୃଷ୍ଠା- ୭, ୮ ।

୨୧.

ମଧୁବାବୁଙ୍କ ଓଡ଼ିଆ କବିତା ଓ ବକ୍ତୃତା-ପୃଷ୍ଠା- ୬୦, ୬୧, ୬୨, ୬୩ ।

୨୨.

ଭତ୍କଳ ଗୌରବ ମଧୁସୂଦନ- ନବକିଶୋର ଦାସ, ପୃଷ୍ଠା- ୧୩୦ ।

୨୩.

ଉତ୍କଳ ଗୌରବ ମଧୁସୂଦନ- ନବକିଶୋର ଦାସ, ପୃଷ୍ଠା- ୧୩୦, ୧୩୧ ।

୨୪.

ତତ୍ରୈବ-ପୃଷ୍ଠା- ୧୩୩ ।

୨୫.

ତତ୍ରୈବ-ପୃଷ୍ଠା- ୧୩୩, ୧୩୪ ।

୨୬.

ତତ୍ରୈବ-ପୃଷଠା- ୧୩୫ ।

୨୭.

ତତ୍ରୈବ-ପୃଷ୍ଠା- ୧୪୧ ।

୨୮.

ଉତ୍କଳ ଗୌରବ (ବିଂଶ ଅର୍ଘ୍ୟ)- ୧୯୮୭, ପୃଷ୍ଠା- ୯୨୪ ।

 

ଅଧ୍ୟାପିକା

ପଞ୍ଚାୟତ ପ୍ରହ୍ଲାଦ ମହାବିଦ୍ୟାଳୟ

ନିଶ୍ଚିନ୍ତ କୋଇଲି, କଟକ

***

 

Unknown

ଆଧୁନିକ ଓଡ଼ିଆ କବିତାରେ ଶାନ୍ତିକଳ୍ପ

ସୁନୀଲ ରଥ

 

ଧ୍ୱଂସର ପ୍ରକ୍ରିୟା ବୋଧହୁଏ ଅତି ଉତ୍କଟ ଅବସ୍ଥାରେ ପହଞ୍ଚି ସାରିଥିଲା ବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକ ବେଳକୁ । ପରବର୍ତ୍ତୀ ଦୁଇଦୁଇଟି ବିଶ୍ୱଯୁଦ୍ଧର ଭୟାବହତା ମଧ୍ୟ ଆଖିଖୋଲି ପାରିନଥିଲା ବିଶ୍ଵର ଦୁଇ ମହାଶକ୍ତିଙ୍କର । କାରଣ ବିଶ୍ୱଯୁଦ୍ଧର ପରବର୍ତ୍ତୀ କାଳରେ ମଧ୍ୟ ଦୁଇଶକ୍ତିକୁ କେନ୍ଦ୍ର କରି ଶୀତଳଯୁଦ୍ଧର ପରିଣତିରେ ପାରସ୍ପରିକ ଦ୍ଵେଷ, ଘୃଣା, ଅସୂୟା ଓ ଅସହିଷ୍ଣୁ ଭାବ ସାମୂହିକ ଧ୍ଵଂସର ବିଭିଷିକା ଆଡ଼କୁ ବିଶ୍ଵବାସୀଙ୍କୁ ଟାଣି ନେଇ ଚାଲିଥିଲା । ଏପରିକି ବିଂଶ ଶତାବ୍ଦୀର ଶେଷ ଦଶକ ତଥା ଏକବିଂଶ ଶତାବ୍ଦୀର ପ୍ରଥମ ଦଶକ ବେଳକୁ ଆନ୍ତର୍ଜାତିକ ସନ୍ତ୍ରାସବାଦର ରୂପ ପରିଗ୍ରହଣ କରିସାରିଥିଲା । ବିଶ୍ଵଯୁଦ୍ଧମାନଙ୍କ ଠାରୁ ଉଗ୍ର ହୋଇ ଉଠିଥିବା ଏହି ନୂତନ ଅବସ୍ଥା ଭସ୍ମାସୁର ପରି ଶିବଙ୍କ ମସ୍ତକରେ ହାତ ରଖିବାକୁ ଭୁଲି ନଥିଲା, ଯାହାର ଭୟାବହ ରୂପ ଆମେ ମର୍ମେ ମର୍ମେ ଅନୁଭବ କରିପାରୁଛେ ।

 

ଏହିଭଳି ଏକ ସଙ୍କଟମୟ ସମୟରେ ସମଗ୍ର ବିଶ୍ଵ କିପରି ଖଣ୍ଡାଧାର ଉପରେ ଗତିଶୀଳ ତାହା ସ୍ପଷ୍ଟ ଅନୁମେୟ । ଏହି ସମୟରେ ଶାନ୍ତିକାମନାମୂଳକ ଏହି ‘ଜାତୀୟ ସଂପାନ’ ବେଶ୍‌ ଗୁରୁତ୍ୱ ବହନ କରେ । ଏହି ମହତ୍ତର ପ୍ରୟାସ ଅବସରରେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଚିନ୍ତାନାୟକ, ଦାର୍ଶନିକ, ବିଦ୍ଵାନ୍‌ଗଣ, ମଣିଷ ମନରୁ ଭ୍ରାନ୍ତି ଅନୈତିକତାକୁ ଦୂର କରି ଖଣ୍ଡିତ ଚିନ୍ତାଶକ୍ତିକୁ କିଛି ମାତ୍ରାରେ ପୂରଣ କରିବା ସହ; ଧର୍ମ, ଦର୍ଶନ, ସାହିତ୍ୟ, ସର୍ବୋପରେ ଚେତନାର ସ୍ତରରେ ମାନବିକତାକୁ ଜାଗ୍ରତ ଏବଂ ସଂଚରଣଶୀଳ କରାଇପାରିବେ ବୋଲି ମୋର ଆଶା ଓ ବିଶ୍ଵାସ ।

 

ସୃଷ୍ଟିର ସର୍ବଶ୍ରେଷ୍ଠ ଜୀବ ହିଁ ମଣିଷ । ତେଣୁ ଈଶ୍ଵରୀୟ ଭାବଚେତନାର ପ୍ରାୟତଃ ଅଳ୍ପେ ବହୁତେ, ସମସ୍ତ ଗୁଣର ମଧ୍ୟ ସମପରିମାଣର ସେ ଅଧିକାରୀ ହେବାର ଅପେକ୍ଷା ରଖେ । ପରଂବ୍ରହ୍ମଙ୍କର “ଏକୋଽହଂ ବହୁସ୍ୟାମ୍‌’’ ପରି ମହତ୍‌ ଇଚ୍ଛାର କାମନା ମଧ୍ୟ, ଏଇ ମଣିଷ ଭିତରେ ଥିବା ଅସୀମତ୍ଵର ସୂଚନା ଦିଏ । ଅବଶ୍ୟ ସେ ପରମାତ୍ମାଙ୍କ ପରି ଦେଶ କାଳାବଚ୍ଛିନ୍ନ ନୁହେଁ କିମ୍ବା କାଳରୁ କାଳାନ୍ତର ପର୍ଯ୍ୟନ୍ତ ଗତିଶୀଳ ନୁହେଁ । ସେ ଏକ ବିଚ୍ଛିନ୍ନ ସତ୍ତା । ତା’ର ସ୍ଥିତି ଏଇ ଭୂମିରେ, ଏଇ ମଣିଷ ସମାଜକୁ ନେଇ । ଯଦିଓ ତା’ର ବ୍ୟାପ୍ତିର ଉଦ୍ୟମ ଭୂମା ପର୍ଯ୍ୟନ୍ତ, ସଞ୍ଚରି ଯାଇଛି, ତଥାପି ସେ ଏଇ ପୃଥିବୀର କ୍ରିୟା ପ୍ରତିକ୍ରିୟା ମଧ୍ୟରେ ହିଁ ଗତିଶୀଳ । ନିଜର ପରିପାର୍ଶ୍ଵ ସହ ସମ୍ବନ୍ଧାନ୍ଵିତ ହେବାର ଅପରିହାର୍ଯ୍ୟ ଆବଶ୍ୟକତା ତା’ର କ୍ରିୟାକଳାପ ଏବଂ ଜୀବନବୋଧକୁ ନିୟନ୍ତ୍ରଣ କରେ । ଯେଉଁଥିପାଇଁ ବାସ୍ତବ ଜୀବନର ଯନ୍ତ୍ରଣା, ଦୈନ୍ୟ, ବ୍ୟର୍ଥତା ଏବଂ ବିଷାଦ ଭାବରେ ଗ୍ରସ୍ତ ହୋଇ ମଧ୍ୟ ଏଥିରୁ ନିଷ୍ପତି ପାଇବା ପାଇଁ ଶାନ୍ତିର ଅନ୍ଵେଷଣରେ ଅହରହ ବ୍ୟାପୃତ ରହେ । ଯଦ୍ଦ୍ୱାରାକି ତା’ ଭିତରର ଆତ୍ମପ୍ରକାଶ ଭାବଟି ସୀମା ଭିତରେ ଥାଇ ଅସୀମର, ମୃତ୍ୟୁ ମଧ୍ୟରେ ଅମୃତର, ଅନ୍ଧକାରରେ ଆଲୋକର, ଅସତ୍ୟରେ ସତ୍ୟର, ଆବିଷ୍କାରରେ ବ୍ରତୀ ହୁଏ । ପରିଣତିରେ ସେ ପରିପୂର୍ଣ୍ଣ ସୌନ୍ଦର୍ଯ୍ୟ ସତ୍ୟ, ଶିବ ତଥା ଆତ୍ମିକ ଶାନ୍ତିର ନିକଟବର୍ତ୍ତୀ ହୋଇଥାଏ ।

 

ପରିଦୃଶ୍ୟମାନ ରୂପ, ରସ, ଗନ୍ଧ ଓ ବର୍ଣ୍ଣମୟ ଜଗତରେ ସମସ୍ତ ଅନୁଭୂତି ପ୍ରବଣ ଭାବକୁ ଗ୍ରହଣ କରି, ଅନ୍ତଃ ଜଗତର ବୌଦ୍ଧିକ ଭାବ ଓ ପ୍ରଜ୍ଞାମୟ ସତ୍ତା ମଧ୍ୟରେ ବିଦ୍ୟମାନ ସ୍ରଷ୍ଟା-ପୁରୁଷର ଚିତ୍ତରେ ସ୍ପନ୍ଦନ ଆଣି ସେ ଯେଉଁ ସୃଷ୍ଟି ପ୍ରକ୍ରିୟାର ସମ୍ଭାର ଆମ ନିକଟରେ ବାଢ଼େ ତାହାହିଁ ଇହଲୋକରେ ଥାଇ ପରଲୌକିକ ଆତ୍ମବିଶ୍ଵାସ ନିକଟରେ ପହଞ୍ଚାଇଦିଏ । ଯାହାକୁ ଶାନ୍ତିର ସଂଜ୍ଞା ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷ କହେ । (The Serene Calmness of mind attained by total abstraction from World affairs after due knowledge of their eversince.)

 

ସ୍ରଷ୍ଟାଙ୍କ ସୃଷ୍ଟିର ସର୍ବଶ୍ରେଷ୍ଠ ନିଦର୍ଶନ ଏଇ ମଣିଷଠାରୁ ହିଁ ଭୌତିକ ସତ୍ୟର ସୃଷ୍ଟି । ଏଇ ଭୌତିକ ସତ୍ୟକୁ ଆଧାର କରି ଚିନ୍ତାଶୀଳ ମଣିଷଟିଏ ଅହରହ ଆତ୍ମାର ଅନ୍ଵେଷାରେ ଅନିସନ୍ଧିତ୍ସୁ ମନହୋଇ ପ୍ରୟାସରତ । କାରଣ ସେ ଜାଣେ ଭୌତିକ ସତ୍ୟ ତା ଜୀବନର ଚରମ ତଥା ପରମ ସତ୍ୟ ନୁହେଁ । ସେ ଚାହେଁ ଏହାର ଉର୍ଦ୍ଧ୍ୱରେ ଏକ ଆଧିଭୌତିକ ସତ୍ୟକୁ ପ୍ରାପ୍ତ ହେବା । ଏ ଅନ୍ଵେଷା ଭିତରେ କେବଳ ଦାର୍ଶନିକ ନଥାନ୍ତି, ଥାଆନ୍ତି କବି ମଧ୍ୟ । କବି ସଦାସର୍ବଦା ତା’ର ଦିବ୍ୟଦୃଷ୍ଟିରେ ଅନ୍ଵେଷଣ ଜାରି ରଖି ଆସିଛି ଶାନ୍ତିକଳ୍ପର । ଏଇ ଶାନ୍ତିର କାମନାରେ ସସୀମକୁ ଛାଡ଼ି ଅସୀମ ଓ ଜୈବଗତ ସ୍ଥିତି ତ୍ୟାଗ କରି ଭାବଗତ ସ୍ଥିତି ମାଧ୍ୟମରେ ପରମ ଆନନ୍ଦମୟ ଶାନ୍ତ ଅବସ୍ଥାରେ ପହଞ୍ଚିବା । ଛାଦୋଗ୍ୟ ଉପନିଷଦ୍‌ କହେ - “ଯୋ ବୈଭୂମା ତତ୍‌ ସୁଖଂ, ଯଳ୍ପେ ସୁଖଂଅସ୍ତି, ଭୂମୈବ ସୁଖଂ, ଭୂମାତ୍ଵେବ ବିଜିଜ୍ଞାସିତବ୍ୟ ।”

 

ଉପରୋକ୍ତ ବାକ୍ୟକୁ ଓଡ଼ିଆ କବିମାନେ ବି ମର୍ମେ ମର୍ମେ ଅନୁଭବ କରିଛନ୍ତି । ଦାର୍ଶନିକର ଶାନ୍ତି କାମନା ଯାହା ହେଉନା କାହିଁକି, ମାଟି ପାଇଁ ମମତାଶୀଳ କବିର ଶାନ୍ତିକାମନା ଏଇ ମାଟି ମଣିଷର ଇନ୍ଦ୍ରିୟ-ଚିତ୍ତ-ବୃତ୍ତି-ଭାବ-ବୁଦ୍ଧିକୁ ନେଇ । ଯେପରି ମହାକାବ୍ୟ ରାମାୟଣ କିମ୍ବା ମହାଭାରତ ପାଠ କଲେ, ଆମର ଇନ୍ଦ୍ରିୟପ୍ରବଣତା, ଭାବପ୍ରବଣତା, ଚିତ୍ତ ପ୍ରବଣତା, ବୁଦ୍ଧି ପ୍ରବଣତା ଓ ଆଧ୍ୟାତ୍ମିକତା ଏକା ସାଙ୍ଗରେ ଜାଗ୍ରତ ହୁଏ ଏବଂ ଏହି ସମସ୍ତ ଭାବ ଆଧ୍ୟାତ୍ମିକ ଓ ଭୌତିକ ଶାନ୍ତିର ଅନ୍ୱେଷା ଏଇ ଦେହରେ ଆରମ୍ଭ କରିଦିଅନ୍ତି, ଯଦ୍ଦ୍ୱାରା କବି ଓ ବିଦଗ୍‌ଧ ପାଠକ ଶାନ୍ତିର ମହାବ୍ୟାପକ ସ୍ତରରେ ପହଞ୍ଚିଯିବାରେ ସମ୍ଭବ ହୁଏ ।

 

ସେହି ଦୃଷ୍ଟିରୁ ‘କବିତା’ ବି କେବଳ ସାଧାରଣ ରସଗ୍ରାହୀ ଆନନ୍ଦ ପ୍ରଦାନକାରୀ ସାହିତ୍ୟ ଭାବରେ ଗ୍ରହଣ କରାନଯାଇ, ଇନ୍ଦ୍ରିୟପ୍ରବଣ (Sensuos), ଭାବପ୍ରବଣ (Sentimental), ବୁଦ୍ଧିପ୍ରବଣ (Intellectual) ଏବଂ ଆଧ୍ୟାତ୍ମିକ ପ୍ରବଣ (Spiritual) ଦୃଷ୍ଟିରୁ ଏକ ମହତ୍ତର ଆସନ ଦାବି କରିବା ସ୍ଵାଭାବିକ୍‌ । ଏଇ ପରିପ୍ରେକ୍ଷୀରେ ସମଗ୍ର ବିଶ୍ଵର କବିତା ରାଜ୍ୟକୁ ଓଡ଼ିଆ କବିତାର ଅବଦାନ କିଛି କମ୍‌ ନୁହେଁ । ଚର୍ଯ୍ୟାଗୀତିକାଠାରୁ ପ୍ରାଗ୍‌ ରାଧାନାଥ ସମୟ ଯାଏଁ ଓଡ଼ିଆ କବିତା ମୁଖ୍ୟତଃ ଥିଲା ଆଧ୍ୟାତ୍ମମାର୍ଗୀ ତଥା ଧର୍ମାଶ୍ରୟୀ ଓ ଲକ୍ଷ୍ୟ ଥିଲା ପ୍ରଶସ୍ତ ପ୍ରଶାନ୍ତି । ରାଧାନାଥଙ୍କ ସମୟରୁ ଇଂରେଜ ଶିକ୍ଷାପ୍ରାପ୍ତ ନବ୍ୟଶିକ୍ଷିତ ସମାଜରେ ମଧ୍ୟ ଏ ଶାନ୍ତିର ଅନ୍ଵେଷା ସାମାନ୍ୟତମ କମି ନାହିଁ କେବଳ ଧାରା ବଦଳିଯାଇଛି ।

 

ଆଧୁନିକ ଓଡ଼ିଆ କବିଟିଏ ତା’ର ଆଧ୍ୟାତ୍ମିକ ଶାନ୍ତିର ସ୍ଵର ବିଭିନ୍ନ ମାଧ୍ୟମ ଦେଇ ଆରମ୍ଭ କରିଦେଇଛି । ସେ କେବଳ ଆଧ୍ୟାତ୍ମିକ ସତ୍ୟରେ ଶାନ୍ତିକୁ ଠାବ କରେ ନାହିଁ, ତା’ର ବିସ୍ତୀର୍ଣ୍ଣ ଅନ୍ୱେଷଣର ଭୂମିରେ, ମାନବିକତାବାଦ, ପେମ, ଆତ୍ମସମର୍ପଣ, ବ୍ୟକ୍ତିଚେତନାର ଆଶାବାଦୀ ମନ, ସ୍ଥିତିବାଦୀ ଅବସ୍ଥା, ଭୌଗଳିକ ପଳାୟନ, ଯୁଦ୍ଧ ଏପରିକି ମୃତ୍ୟୁରେ ବି ଶାନ୍ତିର ସ୍ଵରୁପକୁ ଖୋଜିବାରେ କିଛି ପରିମାଣରେ ସମର୍ଥ ହୋଇଛି ।

 

ମଣିଷର ଗତି ଚରୈବତି ଚରୈବତି । ଯାତ୍ରା ଅନନ୍ତ, ଗତି ଅବିଶ୍ରାନ୍ତ । ହେଲେ ଯିବ କେଉଁଠାକୁ ? ସ୍ପଷ୍ଟତଃ ବୁଝି ହୁଏ ମୈତ୍ରୀ, ପ୍ରୀତି ଓ ଶାନ୍ତି ଆଡ଼କୁ । ସ୍ଥୁଳ ଭାବରେ ଦେଖିଲେ ଶାନ୍ତିରେ ଜୀବନଯାପନ କରି ଶାନ୍ତିର ସହ ମୃତ୍ୟୁବରଣ କରିବା ମଣିଷର ଏକମାତ୍ର କାମ୍ୟ । ବଳବାନ, ଧନବାନ, ପରିଚୟବାନ ହେବାର ବ୍ୟାକୁଳତା ଯେତେ ଉଦଗ୍ର ହେଲେ ମଧ୍ୟ ପରିଣତିରେ ସେ ଅନୁଭବ କରିଥାଏ ଯାବତୀୟ ନିରାପତ୍ତା ଶାନ୍ତିକଳ୍ପରେ ।

 

‘‘ନାନ୍ୟଃପନ୍ଥା ବିଦ୍ୟତେ ଅୟନାୟ” ନ୍ୟାୟରେ ଯୁଦ୍ଧଠାରୁ ପ୍ରେମ, ସ୍ଥିତିବାଦରୁ ମୃତ୍ୟୁ ସବୁଠି ଶାନ୍ତିର ଅନ୍ଵେଷଣ ଜାରି ରହିଛି ଓ ରଖିଛନ୍ତି ଆଧୁନିକ କବିଗଣ । ଏପରିକି ଜନୈକ ପ୍ରାଚୀନ କବିଙ୍କ ରଚିତ କାବ୍ୟଖଣ୍ଡ ‘ଗୀତା’ର ନାୟକ କୃଷ୍ଣ ମୁହଁରୁ ଏ ଧାରାର ଅୟମାରମ୍ଭ ଘଟିଛି । କୃଷ୍ଣ ମୁହଁରେ - ମୁଁ ପାପ, ମୁଁ ପୁଣ୍ୟ, ମୁଁ ଜୀବନ, ମୁଁ ମୃତ୍ୟୁ, ମୁଁ ସତ୍‌, ମୁଁ ଅସତ୍‌ ପରି ଶବ୍ଦ କୁହାଇ ବ୍ୟାସଦେବ, ଚେତନସ୍ତରରେ ମହାଐକ ଆଣି ଶାନ୍ତି ପ୍ରତିଷ୍ଠାର ବାଣୀ ପ୍ରଚାରର ପ୍ରୟାସ କରିଥିଲେ-

 

ଓଡ଼ିଆ ସାହିତ୍ୟ ଅଳ୍ପ କିଛି କାଳ ପାଇଁ ହୁଏତ ଭଞ୍ଜଙ୍କ ସମୟରେ କଳାପାଇଁ କଳା ସାଜିଥିଲା । ଆମର ସର୍ବକାଳୀନ ସତ୍ୟ ହେଉଛି ସାହିତ୍ୟ ଜୀବନ ପାଇଁ । ଇନ୍ଦ୍ରିୟ, ମନ, ବୁଦ୍ଧି ଓ ଆତ୍ମାର ସମ୍ମିଶ୍ରଣ ହିଁ କବିର ଜୀବନୀଶକ୍ତି । ଏଇ ଜୀବନୀଶକ୍ତି କବିକୁ ସାଧାରଣ ମଣିଷଠାରୁ ଭିନ୍ନ କରିଥାଏ । ସାଧାରଣ ମଣିଷଟିଏ ଯେଉଁ ସତ୍ୟର ଉପଲବ୍‌ଧି ଜଗତ ଭିତରୁ ଅନୁଭବ କରିପାରେ ନାହିଁ, କବି ତାହା ଅନୁଭବ କରେ । ସଂସାରର ପ୍ରାକୃତିକ ଲୀଳା ଭିତରେ ଶାନ୍ତିର ମହାନନ୍ଦମୟ ଶଙ୍ଖନାଦକୁ ସେ ଶୁଣିପାରେ । ତା’ ଭିତରେ ଜାଗ୍ରତ ହୁଏ ମହାଭାବ । ଏଇ ଭାବ ଶାନ୍ତିକାମୀ ମନରେ ଆଣେ ଉଲ୍ଲାସ ଓ ଆହ୍ଲାଦ । ଏଇଠି ଆଧ୍ୟାତ୍ମିକ ସତ୍ୟାନ୍ଵେଷର ପୂର୍ଣ୍ଣଚ୍ଛେଦ ପକାଇ କବି ଉଚ୍ଚାରଣ କରେ-

 

“କେମନ୍ତ ବର୍ଣ୍ଣିବି ସେହି ଭାଷାତୀତ ଭାବ,

ଜୀବାତ୍ମାରେ ପରମାତ୍ମା ଭୂମା ଆବିର୍ଭାବ ।

ନୁହେଁ ସେ ଧରାର ଦୃଶ୍ୟ ଧରାର ଶବଦ,

ସେ ଭାବ ନୁହଁଇ କ୍ଷୁଦ୍ର ଧରାର ସମ୍ପଦ ।

x      x      x      x

ମହାପୁଲକରେ ତନୁ ରୋମାଞ୍ଚେ ପୂରିତ,

କଦମ୍ବ କେଶର ପ୍ରାୟେ କେଶ କଣ୍ଟକିତ ।

ପ୍ରେମାଶ୍ରୁ ଉଛୁଳି ପଡ଼େ ନୟନ ଯୁଗଳେ,

ସୁନ୍ଦର କପୋଳେ ଧାରା ବହେ ଅବିରଳେ ।’’

(ଋଷିପ୍ରାଣେ ଦେବାବତରଣ - ମଧୁସୂଦନ ରାଓ)

 

ଭକ୍ତକବିଙ୍କ ଉପରୋକ୍ତ ପଂକ୍ତିରୁ ଆଧୁନିକ ଓଡ଼ିଆ କବିତାର ଅତିନ୍ଦ୍ରିୟ ଚେତନା, ଚିତ୍ତ ଓ ବୃତ୍ତିକୁ ନେଇ ମହାଜାଗତିକ ଶାନ୍ତିର ଅନ୍ଵେଷଣ ଯେ ଅବ୍ୟାହତ ଏହା ବେଶ୍‌ ହୃଦୟଙ୍ଗମ କରିହେବ-। ପ୍ରାକୃତିକ ଦୃଶ୍ୟରାଜି ମଧ୍ୟରେ ସତ୍ୟ-ଶିବ-ସୁନ୍ଦରର ସମ୍ମିଳିତ ରୂପରେ ଶାନ୍ତିକଳ୍ପକୁ କବି ବେଶ୍‌ ଭଲ ଭାବରେ ଉପଲବ୍‌ଧି କରିପାରିଥିଲେ । ମୁଣ୍ଡକ ଉପନିଷଦ୍‌ କହେ- “ଆନନ୍ଦ ରୂପମମୃତଂ ଯଦ୍‌ବିଭାତି” । ଜଗତରେ ସମସ୍ତ ଦୃଶ୍ୟମାନ ବା ପ୍ରକାଶମାନ ଆନନ୍ଦମୟ ଚିତ୍ର ହିଁ ପ୍ରଶାନ୍ତିର ଆଶ୍ରୟସ୍ଥଳ ।

 

ଜୀବନ ଏକ ଜ୍ଵଳନ୍ତ ସତ୍ୟର ପରିପ୍ରକାଶ । ଇନ୍ଦ୍ରିୟ ବାସନା ବହିର୍ଭୁତ ହୋଇ, ପ୍ରବୃତ୍ତି ମାର୍ଗ ତ୍ୟାଗ କରି, ନିବୃତ୍ତି ମାର୍ଗରେ ଗତି କରିବା ଦ୍ଵାରା ପରମଶାନ୍ତ ପରମାତ୍ମାଙ୍କର ନିକଟରେ ପହଞ୍ଚିବାର ବିଶ୍ଵାସ, ଆଧୁନିକ ଓଡ଼ିଆ କବିତାର ଅନେକତ୍ର ରହିଛି । ସେଇ ପହଞ୍ଚିବାର ଭାବରେ ହିଁ ସବୁକିଛି ମଧୁମୟ, ଆନନ୍ଦମୟ ହୋଇଉଠେ । ପାର୍ଥିବ ପଦାର୍ଥ ନଦନଦୀ, ଗିରି-ବନ-କାନ୍ତାର, ଝରଣାର କୁଳୁକୁଳୁ ଧ୍ଵନି, ପକ୍ଷୀଙ୍କର ମନୋରମ କୂଜନ, ବାୟୁର ହିଲ୍ଲୋଳ, ପିତାମାତାଙ୍କ ଆଶୀର୍ବାଦ, ଭାଇ ବନ୍ଧୁଙ୍କ ପ୍ରେମରେ, ରେଣୁ ରେଣୁ ହୋଇ ମଧୁମୟତ୍ୱ ଭରି ରହିଥିବାର ଅନୁଭବ ଆସେ । ଜଣେ ପ୍ରଶାନ୍ତଚିତ୍ତ କବି ହିଁ ଏ ସମସ୍ତ ମଧ୍ୟରେ ପରଂବ୍ରହ୍ମଙ୍କର ପ୍ରଶାନ୍ତ କରୁଣାକୁ ଅନୁଭବ କରିପାରେ । ଏହା ପଛରେ କୌଣସି ହେତ୍ୱାଭାସ (Pathetic Fallacy) ନାହିଁ । ବରଂ ରହିଛି ଭାରତୀୟ ଚିନ୍ତାଧାରାର ନିର୍ମଳଭାବ । ଏହି ମଧୁମୟ ପ୍ରଶାନ୍ତ ଅବସ୍ଥାକୁ ଯେଉଁ ଓଡ଼ିଆ କବିଗଣ ଅନୁଭବ କରିଛନ୍ତି ସେମାନଙ୍କ ମଧ୍ୟରେ ଭକ୍ତକବି ମଧୁସୂଦନ ରାଓ, ସ୍ୱଭାବକବି ଗଙ୍ଗାଧର ମେହେର, ପଲ୍ଲୀକବି ନନ୍ଦ କିଶୋର ଅନ୍ୟତମ । ଯେଉଁଠି ଭକ୍ତକବି ଜଗତରେ ଝରୁଥିବା ପ୍ରଶାନ୍ତ ଅମୃତ ନିର୍ଝର କଥା କହନ୍ତି -

 

“ମଧୁମୟ ସୃଷ୍ଟି ସୁଧାମୟ ସୃଷ୍ଟି ଏ ସୃଷ୍ଟି ଅମୃତମୟ ହେ,

ଜାଗ ନରନାରୀ ଅମୃତସନ୍ତତି ପିଅ ସେ ଅମୃତ ପୟହେ,

ପିଇସେ ଅମୃତ ଦିବସ ଶର୍ବରୀ ଗାଅ ଅମୃତର ଜୟହେ ।’’

 

ସେଠି ଗଙ୍ଗାଧର ମେହେର ସ୍ଵସ୍ତ୍ୟାୟନରେ ଅମୃତ ସଙ୍ଗୀତଗାନ କରନ୍ତି-

 

“ବିଶ୍ୱଦେଖ ମଧୁମୟରେ ଜୀବନ

ବିଶ୍ଵ ଦେଖ ମଧୁମୟ

ମଧୁର ଝରଣ କରିବ ହରଣ

ତୋ ପାପ ମରଣ ଭୟରେ ଜୀବନ ।

 

ବିଶ୍ଵନାଥଙ୍କର କରୁଣାକଦର

ମଧୁଝର ଜନ୍ମସ୍ଥାନ

ଚାହିଁ ଝର ପ୍ରତି ଉଚ୍ଚେ କଲେ ଗତି

ପାଇବୁ କରୁଣାବନରେ ଜୀବନ ।”

(ମଧୁମୟ)

 

ଅପରପକ୍ଷରେ ନନ୍ଦକିଶୋର ମଧୁମୟଙ୍କଠାରୁ ଆଶୀଷ ଭିକ୍ଷା କରିଛନ୍ତି-

 

“ମଧୁମୟ ପ୍ରାଣେପୂତ

କରନ୍ତୁ ଜୀବନ

ଦିଅ ପ୍ରଭୂ ପୂତଭାଷା

ପୂଣ୍ୟଚିନ୍ତା ମନେ ।”

(କବିର ପ୍ରାର୍ଥନା)

 

ବୈଦାନ୍ତିକ ଭାବଦୃଷ୍ଟିରୁ ଅନ୍ନ, ପ୍ରାଣ ମନ ଦେଇ ବିଜ୍ଞାନମୟ ଅବସ୍ଥା ଏବଂ ତତ୍‌ପଶ୍ଚାତ୍‌ ସର୍ବଶ୍ରେଷ୍ଠ ଅବସ୍ଥା ହେଉଛି ଆନନ୍ଦମୟ ସତ୍ତାର ଉପଲବ୍‌ଧି । ଜାଗତିକ ଦୃଷ୍ଟିରୁ ଏହି ସମଗ୍ର ଅବସ୍ଥା ଅତିକ୍ରମ କରି ଆନନ୍ଦମୟ ଅବସ୍ଥାରେ ପହଞ୍ଚିବା ପାଇଁ ଲୋକୋତ୍ତର ମହତ୍‌ କାବ୍ୟ ଜଗତର ଆବଶ୍ୟକତା ରହିଛି । ଯେଉଁଥିପାଇଁ କବିଙ୍କୁ ଦ୍ୱିତୀୟ ବ୍ରହ୍ମା (କବିରେବ ପ୍ରଜାପତିଃ) ବୋଲି କୁହାଯାଏ ଏବଂ କାବ୍ୟାନନ୍ଦରୁ ପ୍ରାପ୍ତ ଶାନ୍ତି ଓ ସୁଖ ବ୍ରହ୍ମାନନ୍ଦ ସହ ସମାନ ବୋଲି ବିବେଚନା କରି କାବ୍ୟାନନ୍ଦକୁ ‘ବ୍ରହ୍ମାନନ୍ଦ ସହୋଦର’ କୁହାଯାଇଛି । ଏହି କାବ୍ୟାନନ୍ଦ ଶାନ୍ତିକଳ୍ପର ତୃଷ୍ଣାକ୍ଷୟ (Satiation of thirst) ଅବସ୍ଥା । ଆଧୁନିକ ଓଡ଼ିଆ କବିତାରେ ମଧ୍ୟ ଏପରି ଅବସ୍ଥାର ବର୍ଣ୍ଣନା ପରିଲକ୍ଷିତ ହୁଏ -

 

‘‘ସର୍ବଭୂତ ବୀଜୀଭୂତ ବ୍ରହ୍ମ ସନାତନ

ସେହି ପରଂବ୍ରହ୍ମ ଅଂଶ ମାନବ ଜୀବନ ।

ସିନ୍ଧୁଜାତ ବିନ୍ଦୁମାତ୍ର ଥାଏ ପୃଥକରେ,

ସିନ୍ଧୁ ଧର୍ମାକ୍ରାନ୍ତ କିନ୍ତୁ ସଂପୂର୍ଣ୍ଣ ରୂପରେ ।

ମିଳିଲେ ସିନ୍ଧୁରେ ବିନ୍ଦୁ ସାଗରକେବଳଂ

ଜୀବଶେଷଦଶା ଶାନ୍ତଂ ଶିବଂ ମଙ୍ଗଳଂ ।”

(ସୋଽହଂ-ଫକୀରମୋହନ)

 

ଜୀବନର ସତ୍ୟକୁ ଉପଲବ୍‌ଧି କରି ମୋହମୁକ୍ତ, ନିଷ୍କାମ ଓ ଅଚଞ୍ଚଳ ଚିତ୍ତ ବା ଚିତ୍ତସ୍ଥୌର୍ଯ୍ୟ ଦ୍ଵାରା ସଚ୍ଚିଦାନନ୍ଦଙ୍କର ମହାନ୍‌ ଉଦ୍ଦେଶ୍ୟ ସାଧନ ହୋଇପାରେ । ଏଥିପାଇଁ ବୈରାଗ୍ୟ ମାର୍ଗକୁ ଆଦରି ନେଇ ବାନପ୍ରସ୍ଥ ଗମନର ଆବଶ୍ୟକତା ନାହିଁ । ବରଂ କର୍ମକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ସଂପାଦନ କରିବା ଉଚିତ୍‌ । ଏହି କର୍ମ ଆଶକ୍ତି ବିହୀନ ହେବା ଆବଶ୍ୟକ । କର୍ମର ଫଳ ପ୍ରତ୍ୟାଶା ତ୍ୟାଗଦ୍ଵାରା ଜଗତର ମଙ୍ଗଳପାଇଁ, ଆତ୍ମବିନିଯୋଗରେ ହିଁ ଶାନ୍ତି ମିଳିଥାଏ । ଜଣଚିନ୍ତା ଅପେକ୍ଷା ଗଣଚିନ୍ତା ମୁଖ୍ୟ ହୋଇ ଉଠିଥାଏ । ବୈଦିକ ଆପ୍ତ ବାକ୍ୟ - ସର୍ବେ ଭବନ୍ତୁ ସୁଖିନଃ ଠାରୁ ଆହୁରି ଦୁଇପାଦ ଆଗେଇଥାଏ, ଓଡ଼ିଆ କବି ଏବଂ ତ୍ୟାଗର ଚରମବାଣୀ ଉଚ୍ଚାରଣ କରେ -

 

“ଶରଣ ବାଞ୍ଛିତ କାନ୍ଦି କାନ୍ଦି ଭକ୍ତ

ଗଡ଼ିଗଲେଣି ସକଳ,

ଦୋଷ ଅପରାଧ କ୍ଷମା କର ସ୍ଵାମୀ

ଜାଗ୍ରତରେ ପ୍ରତିପାଳ ।

 

ଜଗତ ଅରତ ଦୁଃଖ ଅପ୍ରମିତ

ଦେଖୁ ଦେଖୁ କେବା ସହୁ,

ମୋ ଜୀବନ ପଛେ ନର୍କେ ପଡ଼ିଥାଉ

ଜଗତ ଉଦ୍ଧାର ହେଉ ।’’

(ସ୍ତୁତି ଚିନ୍ତାମଣି, ଭୀମଭୋଇ)

 

ମାନବବାଦୀ କବିଟି ଜୀବନର ଦୁଃଖ କଷ୍ଟ ଯନ୍ତ୍ରଣାକୁ ସହିନପାରି ପ୍ରବଳ ଆତ୍ମିକ ଦୁଃଖରେ ଅବଗାହନ କରୁଥିଲେ ମଧ୍ୟ, ଶାନ୍ତି ପ୍ରତିଷ୍ଠା ପାଇଁ ତ୍ୟାଗକୁ ସର୍ବଶ୍ରେଷ୍ଠ ମନ୍ତ୍ର ଭାବରେ ଗ୍ରହଣ କରି ସମସ୍ତ ଜଗତର ଉଦ୍ଧାର ନିମନ୍ତେ ନିଜେ ନର୍କରେ ରହିବାକୁ ପ୍ରସ୍ତୁତ ଅଛନ୍ତି । ଏ ଭାବ ସମଗ୍ର ବିଶ୍ଵରେ ବିସ୍ମୟ । ଏଥିରୁ ହିଁ ମିଳିଥାଏ ପରମ ଆତ୍ମିକ ଶାନ୍ତି । କେବଳ ସେତିକି ନୁହଁ ବରଂ ମାନବୀୟ ଚେତନାର ଏକ ସତର୍କ ପ୍ରତିନିଧି ଭାବରେ ଆତ୍ମତ୍ୟାଗର ଉଜ୍ଜ୍ଵଳ ଦୃଷ୍ଟାନ୍ତ ଦେଖାଇ ଓଡ଼ିଆ କବି କହନ୍ତି -

 

ଭକତ ଲକ୍ଷଣ ଅଟଇ ନିର୍ଗୁଣ,

କାହାକୁ ଅନ୍ତର ନାହିଁ

ଭାଇ ବନ୍ଧୁ ପ୍ରାୟେ ସମାନରେ ଚାହିଁ,

ଏକ ଆତ୍ମା ମଣୁଥାଇ ।

(ସ୍ତୁତି ଚିନ୍ତାମଣି - ଭୀମଭୋଇ)

 

ତ୍ୟାଗରେ ଯେ ଶାନ୍ତି ସମାହିତ ଏ କଥା ଅବଲୋକିତେଶ୍ଵର ବୁଦ୍ଧ କହିଥିଲେ, ‘‘ସଂସାର ଯଦି ଶକ୍ତି ନପାଏ, ମୁକ୍ତି ନପାଏ, ମୋର ନିର୍ବାଣରେ କିଛି ଲାଭ ନାହିଁ ।’’ ଅନୁରୂପ ଭାବରେ ଓଡ଼ିଆ କବି ମଧ୍ୟ ବିଶ୍ଵଜୀବନର ସ୍ପନ୍ଦନକୁ ହୃଦୟରେ ଅନୁଭବ କରି, ସର୍ବସ୍ଵ ତ୍ୟାଗରେ ସଂସାରର ଶାନ୍ତି କାମନା କରିଥିଲେ।

 

ପ୍ରତ୍ୟେକ କବି ଜଣେ ଜଣେ ଦାର୍ଶନିକ । ସେ ମଧ୍ୟ ଦାର୍ଶନିକ ପରି ରହସ୍ୟର ଅନୁସନ୍ଧାନୀ-। ତା’ର ହୃଦୟରେ ଅନୁଭୂତିର ସାନ୍ଧ୍ରତା ଏବଂ ମନରେ ଏକନିଷ୍ଠ ଭାବନେଇ ପୃଥିବୀର ସମସ୍ତ ଚେତନାର ଉର୍ଦ୍ଧ୍ୱ‌ରେ ଥିବା ରହସ୍ୟମୟ ସତ୍ତାଙ୍କ ସନ୍ଧାନରେ ସନ୍ଧାନୀ । ଏହି ରହସ୍ୟମୟ ପରମସତ୍ତାଙ୍କ ଦ୍ଵାରା ପୃଥିବୀକୁ କମନୀୟ, ଶୋକ ରହିତ ଓ ମହନୀୟ କରି ଗଢ଼ି ତୋଳିବାର ପାଇଁ ସତତ ସଚେଷ୍ଟ । ତେବେ ତା ନିକଟରେ କୌଣସି ସାଧୁସନ୍ଥ କିମ୍ବା ମହତ୍‌ବାଣୀ ତୁଚ୍ଛ । କବି ପୁରାଣ ପ୍ରବଚନ କିମ୍ବା ଆସ୍ତିକ ନାସ୍ତିକ ଦର୍ଶନର ଧାର ଧାରେନା । ସେ କେବଳ ବିଶ୍ଵାସ କରେ ସ୍ରଷ୍ଟା ନାମକ ଏକ ରହସ୍ୟମୟ ସତ୍ତା ଉପରେ । ଏହି ରହସ୍ୟମୟଙ୍କୁ ଅନୁଭବ କରିବାରେ ହିଁ ସେ ପାଏ ଆତ୍ମଶାନ୍ତି । ଠିକ୍‌ ଇଂରାଜୀ କବି ଓ୍ୱାର୍ଡ଼ସ୍‌ୱାର୍ଥ କିମ୍ବା ବଙ୍ଗଳାର କବି ରବୀନ୍ଦ୍ରନାଥଙ୍କ ପରି ଅରୂପପ୍ରୀତି । ଅରୂପ ଆତ୍ମତତ୍ୱର ସନ୍ଧାନରେ ଶଙ୍କର, ବୁଦ୍ଧ, ଗୌରାଙ୍ଗଙ୍କ ପରି ମହାପୁରୁଷଙ୍କ ଆବଶ୍ୟକତା ତା ନିକଟରେ ଅନାବଶ୍ୟକ । ପାତଞ୍ଜଳି ଚାର୍ବାକ କେହି ଲୋଡ଼ା ନୁହନ୍ତି -

 

‘‘ଗଉର ଶଙ୍କର ବୁଦ୍ଧ ଲୋଡ଼ା ନାହିଁ ମୋର,

ନାହିଁ ଲୋଡ଼ା ପୁରାଣର ପ୍ରଥିତ ବଚନ,

ପାତଞ୍ଜଳି ନୀତିତନ୍ତ୍ର ଚାର୍ବାକ୍‌ ଚହଳ,

ସମାଜର ବିଧିବଦ୍ଧ ଧର୍ମ ଅନୁଷ୍ଠାନ,

ତୁମ୍ଭରି ଜଗତେ ଭାସେ,

ପ୍ରକୃତିର ଚାରୁହାସେ

କେମନ୍ତେ ଦେଖିବି ହେ

ସେ ହସ ନିଦାନ ।’’

(ଭକ୍ତିଗାଥା-ନୀଳକଣ୍ଠ)

 

କବି ନିଜ ଦୃଷ୍ଟିରୁ ଜାଗତିକ ଦିବ୍ୟାନୁଭୂତିକୁ ଅନୁଭବ କରି ପରମଶାନ୍ତି ପାଏ । ଇଂରାଜୀର ‘‘All men are good’’ ଉକ୍ତିର ଯଥେଷ୍ଟ ଯଥାର୍ଥତା ରହିଛି । କାରଣ ମଣିଷ ଉଭୟ ଭଲ ଓ ଖରାପ, ପାପ ଓ ପୁଣ୍ୟ, ଶାନ୍ତି ଓ ଅଶାନ୍ତିର ଯୁଗନ୍ନଦ୍ଧ ରୂପ । ମଣିଷର ଅନ୍ତରର ରୂପ ହେଉଛି ସତ୍ୟ, ଶିବ, ସୁନ୍ଦରର । ତା’ର ବାହ୍ୟ ରୂପ ହେଉଛି ଅସତ୍ୟ, ଅଶିବ ଓ ଅସୁନ୍ଦର । ମଣିଷର ଅନ୍ତରାମା ଜାଗ୍ରତ ହେଲେ ବାହ୍ୟରୂପ ବିନଷ୍ଟ ହେବ ଏବଂ ମଣିଷହିଁ ହେବ ଈଶ୍ଵର ପଦବାଚ୍ୟ । ଅନ୍ତରାତ୍ମାର ଅନ୍ଵେଷଣରେ ଓଡ଼ିଆ କବି ବ୍ୟସ୍ତ -

 

‘‘ଖୋଜେ ମୁହିଁ ଅବା ସତେ ହଜିବାର ଧନ

ଏକ ମହା ଅନ୍ଵେଷଣେ ଗଢ଼ା ଏ ଜୀବନ ।’’

 

(ମହା ଅନ୍ୱେଷଣ - ଗୋଦାବରୀଶ ମିଶ୍ର)

 

କେବଳ ରହସ୍ୟବାଦୀ ଦୃଷ୍ଟିକୋଣରୁ ଶାନ୍ତିର ସ୍ଵରୁପ ଓଡ଼ିଆ କବିତାରେ ରହିନାହିଁ । ବରଂ ପ୍ରତ୍ୟେକ କାବ୍ୟିକ ଚିନ୍ତନରେ ରହିଛି । ଏପରିକି ସମାଜବାଦୀ ଓଡ଼ିଆ କବିତାର ମୂଳଉତ୍ସକୁ ଶାନ୍ତିର ସହାବସ୍ଥାନ ପାଇଁ ସମର୍ପଣ କରାଯାଇପାରେ । ପୂଥିବୀର ଦୁଃଖ, ଦୈନ୍ୟ, ବ୍ୟଥାବେଦନା ସହିତ କୁସଂସ୍କାର ଓ ଅନ୍ଧବିଶ୍ଵାସ ଅପସରିଯିବା ପାଇଁ ସମାଜବାଦ ଆବାହନ କରେ । ଏହାରି ମଧ୍ୟରେ ସେ ଖୋଜେ ମଣିଷପାଇଁ ସୁଖ ଓ ଶାନ୍ତିର ଉପାୟ । କବିର-

 

‘‘କବିତା ଗଢ଼େ ଏକ ବିରାଟ ସମାଜର

ସବୁରି ପାଇଁ ଯହିଁ ବଖୁରେ ହେଲେ ଘର ।

ସକାଳେ ଲଭିବାକୁ ମୁଠିଏ ଦୁଧ ଭାତ,

ଯୋଗ୍ୟ ଯେତେ ଯହିଁ ବାଳକ ବାଳିକାତ ।’’

(ଆଗାମୀ - କାଳିନ୍ଦୀ ଚରଣ ପାଣିଗ୍ରାହୀ)

 

ଏଠି ସମାଜବାଦୀ କାଳିନ୍ଦୀଚରଣ ମାର୍କସଙ୍କ ବିପ୍ଳବ ନୁହେଁ ଗାନ୍ଧୀଙ୍କର ଶାନ୍ତିରେ ବିଶ୍ଵାସୀ-। ଏମିତି ଏକ ଶାନ୍ତି କାମନାରେ ଭବିଷ୍ୟତର ଏକ ଉଜ୍ଜ୍ଵଳ ସମ୍ଭାବନା ଦେଖିଛନ୍ତି ଅନ୍ୟତମ ସମାଜବାଦୀ କବି ବ୍ରଜନାଥ ରଥ । ତାଙ୍କ କାବ୍ୟ ଆତ୍ମା ଜୀବନର କଷ୍ଟକର ପରିବେଶରୁ ମୁକ୍ତି ପାଇଁ ଓ ଶାନ୍ତି ପ୍ରାପ୍ତିର ଅନ୍ଵେଷାରେ ବ୍ୟାକୁଳ । କବିଙ୍କ ଭାଷାରେ -

 

‘‘ଆଲୋକର ଦେଶ ନୁହଁଇ ତଥାପି ଦୂର

ପାଦତଳୁ ନୂଆ ବ୍ୟାବିଲୋନ୍‌ ତୋଳେ ମଥା,

ଡେରି ନୁହଁ ଗୁଣ ମରୁଯାତ୍ରୀର ଦଳ

ସାହାରାରେ କାଲି ଗୋଲାପ କହିବ କଥା।’’

(ମରୁ ସଙ୍ଗୀତ)

ଏବଂ

‘‘ସମୟ ଆସିବ ଶାନ୍ତି ଗୀତିରେ,

ନୂତନ ରୀତିରେ, ଜୀବନପ୍ରୀତିରେ

ହସି ଉଠିବ ଏ ଧୂସର ମାଟି ।’’

(ଯୁଦ୍ଧଖୋରମାନଙ୍କ ପାଇଁ ଏକ କବିତା)

 

ସମାଜବାଦୀ ଧାରା ଛଡ଼ା ଆଧୁନିକ ମଣିଷର ଏକକ ବ୍ୟକ୍ତିଚେତନା ଭିତରେ ହିଁ ନିଜର ସ୍ଥିତିକୁ ବଜାୟ ରଖିବାର ପ୍ରୟାସ ଲାଗି ରହିଥାଏ । କବି ଯେଉଁଠି ଜୀବନପ୍ରତି ଅଧିକ ସତ୍ୟଶୀଳ ଏବଂ ଆତ୍ମ ସଚେତନଶୀଳ ସେଠି ଜୀବନନିଷ୍ଠତା ଅଧିକ ପରିମାଣରେ ପରିଦୃଶ୍ୟ ହୁଏ । ସ୍ଥିତିବାଦୀ ଚେତନାର କବିତାରେ ଜୀବନର । ମୂଲ୍ୟବୋଧ ମୁଖ୍ୟ ନୁହେଁ । ଜୀବନଧାରଣର ଦିଗନିର୍ଣ୍ଣୟ ହିଁ ସର୍ବପ୍ରଧାନ ଅଟେ । ଠିକ୍‌ ଭାବରେ କହିଲେ ଜୀବନକୁ କେବଳ ତାତ୍‌କାଳୀକ ବାସ୍ତବତାରେ ବଞ୍ଚିବାହିଁ ଏହାର ଆଦର୍ଶ । ଏ ପରିସ୍ଥିତିରେ କେବଳ ‘‘ଆଶ୍ଳେଷର ହରିକାଠରେ ଚନ୍ଦ୍ରମାର ଜୀବନ’’ କଟିନଥାଏ, ବରଂ ସ୍ଥିତିବାଦରେ ବି ଶାନ୍ତିର ଅନ୍ଵେଷା ଥାଏ । କିରକିଗାଡ଼ ଏ ସଂପର୍କରେ କହିଛନ୍ତି,- It is a philosophy not of things but of the human situation’’ ତତ୍‌କାଳିକ ପରିସ୍ଥିତିରେ ବି କବିଟିଏ ଜୀବନକୁ ନେଇ ଶାନ୍ତିର ଅନ୍ୱେଷଣରେ ବ୍ୟାପୃତ ରହିଥାଏ । ଏ ଶାନ୍ତି ଭବିଷ୍ୟତ ସୁଖର ସମ୍ଭାବନା ଦିଏ । ଓଡ଼ିଆ କବିଙ୍କ ଭାଷାରେ -

 

‘‘ବାରିପଟୁ ବୋଉର ଘଷି ତାଡ଼ିବାର ଶବ୍ଦରେ

ପଂଡ଼ ପଂଡ଼ଉଚି ଆମର ଡେଣା

ଆମର ସ୍ଵପ୍ନ

ଚଢ଼େଇ ଛୁଆଙ୍କ ମା ପରି

ସିଏ ଆମକୁ ଏମିତି ଉଡ଼ା ଶିଖାଏ ।’’

(ଗୋଟେ ଧାନ ପାଇଁ - ଅରୂପାନନ୍ଦ ପାଣିଗ୍ରାହୀ)

 

କିମ୍ବା ‘‘ନିଜସ୍ଵ ପ୍ରାର୍ଥନା’’ କବିତାରେ କବି- ଜୀବନର ସ୍ଵୀକାରୋକ୍ତି, ଏକ ଶାନ୍ତିକାମୀ ବ୍ୟକ୍ତି ଚେତନାର ସ୍ଵୀକାରୋକ୍ତି ଛଡ଼ା ଅନ୍ୟ କିଛି ନୁହଁ । ଏହି ବ୍ୟକ୍ତିକ ସ୍ଵୀକାରୋକ୍ତି ନୈର୍ବ୍ୟକ୍ତିକ ସ୍ତରକୁ ଉଠିଯାଇଛି- ‘‘ମୋତେ ମୁକ୍ତିଦିଅ / ତୃଷାର ଅନ୍ଧାରୁ / ମୋତେ ପ୍ରୀତି ଦିଅ / ଭିତ ନିର୍ମମତାରୁ / ମୋତେ ଶାନ୍ତି ଦିଅ / ନିଜସ୍ୱ ପ୍ରାର୍ଥନାରୁ ।’’

 

ସ୍ଥିତିବାଦୀ ଚିନ୍ତାଧାରା କେବଳ ଦୁଃଖପୀଡ଼ିତ ଜୀବନଯାତ୍ରା ପଥରେ ନିଜର ଉପସ୍ଥିତି ଖୋଜିବା ନୁହଁ । କିମ୍ବା ଅନ୍ତଃସ୍ଥଳର ଶାଶ୍ୱତ ବିଷାଦକୁ ଦେଖାଇବାରେ ନାହିଁ । ଏହା ସହିତ ରହିଛି ମଣିଷ ଜୀବନର ଆଶା, ଆନନ୍ଦ ଓ ତତ୍‌ଜନିତ ଶାନ୍ତିରେ । ଦୁଃଖ ତା’ର ସହଚର ହୋଇପାରେ କିନ୍ତୁ ଶାନ୍ତି ଓ ଆନନ୍ଦ ଜୀବନର ଉତ୍ସ । ତେଣୁ ସ୍ଥିତିବାଦୀ କବି ଅଙ୍ଗୀକାର କରିଛି ଜୀବନକୁ ‘‘ମୁଁ ତତେ ଭଲପାଏ.../ ମୋତେ ଏଇ ବର ଦେ ଜୀବନ !/ ଥରକୁ ଥର ମୁଁ ଯେମିତି ତୋର ଅଥୟ ଅଥଳ ଡଅଁର ଭିତରେ / ଅତି ଛୋଟ ହୁଲି ଡଙ୍ଗା ପରି / ଏମିତି ଉଲ୍ଲାସରେ ବେଦନାରେ / ନାଚୁଥିବି ଡେଉଁଥିବି / ଘୁରୁଥିବି, ଛିଟୁକୁଥିବି / ମୋକ୍ଷ ଫୋକ୍ଷ ମୋର ଲୋଡ଼ା ନାହିଁ ।’’ ( ରାଜେନ୍ଦ୍ର ପଣ୍ଡା)

 

ଏହି ପାର୍ଥିବ ଜୀବନରେ ହିଁ ଅଛି ଆନନ୍ଦ । ସେଇ ଅଭିଳାଷିତ ଆନନ୍ଦ ପ୍ରାପ୍ତି ହିଁ ଶାନ୍ତିର ଅନ୍ୟନାମ ।

 

ଭୟାବହ ପ୍ରଥମ ବିଶ୍ଵଯୁଦ୍ଧ ପରବର୍ତ୍ତୀ ପ୍ରଭାବ ଏବଂ ସମାନ୍ତରାଳ ଭାବରେ ବହୁ ପାଶ୍ଚାତ୍ୟ ଦେଶମାନଙ୍କରେ ଦେଖାଦେଇଥିବା ବିଭିନ୍ନ ଜାତୀୟ ବିପ୍ଳବର ପ୍ରଭାବରେ ସମଗ୍ର ବିଶ୍ଵ ଅଶାନ୍ତିର ବାତାବରଣ ଭିତରେ ସନ୍ତୁଳି ହୋଇ ଚାଲିଥିଲା । ଏ କାଳଖଣ୍ଡରେ ପାରସ୍ପରିକ ଅସୂୟା, ଅବିଶ୍ୱାସ, ତଥା ନିଃସଙ୍ଗତା ଭିତରେ ଆଉଟିପାଉଟି ହେଉଥିବା ମଣିଷ, ସାମଗ୍ରିକ ଭାବରେ ଦୁଃଖ, ଅନିଶ୍ଚୟତା ଓ ଅଶାନ୍ତିରୁ ମୁକ୍ତି ପାଇବା ପାଇଁ ଶାନ୍ତିର ଅନ୍ଵେଷଣରେ ଘୁରି ବୁଲିଛି ଇତଃସ୍ତତଃ । କେତେବେଳେ ସେ ସ୍ଵପ୍ନଲୋକର କଳ୍ପପୁରକୁ ଗୋପନରେ ଉଡ଼ିଯାଇଛି ପ୍ରଣୟଗୀତା ଓ ପ୍ରେୟସୀକୁ ନେଇ ତ କେତେବେଳେ ଭୌଗଳିକ ସୀମାରେଖା ଡେଇଁ ଶାନ୍ତି ପାଇଁ ବାଲ୍‌ଟିକ୍‌ ଉପସାଗରର ନୈରତ କୋଣରେ ଘୁରି ବୁଲିଛି (ବିନୋଦ ନାୟକ) । ସମାଜ ଓ ବାସ୍ତବତାକୁ ଛାଡ଼ି ଶାନ୍ତିକାମୀ ଏ କବିଗୋଷ୍ଠୀଙ୍କୁ ସମାଲୋଚକଗଣ ପଳାୟନାବାଦୀର ଆଖ୍ୟା ଦେଇଛନ୍ତି ।

 

ଏଇ କାଳଖଣ୍ଡର ପରବର୍ତ୍ତୀ କାଳରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତାକୁ ନେଇ ବ୍ୟଗ୍ର ହୋଇ ଉଠିଛନ୍ତି ଶାନ୍ତିକାମୀ କବି ବଜ୍ରନାଥ ରଥ । ଯୁଦ୍ଧକୁ ଆଦରି ନେଇଥିବା ନଷ୍ଟ ଆତ୍ମାମାନଙ୍କ କବଳରୁ ପୃଥିବୀକୁ ଉଦ୍ଧାର କରିବା ପାଇଁ ସତତ ପ୍ରୟାସୀ-

 

‘‘ଇଗଲ୍‌ର ଶାନ୍ତି ବାଣୀ ପରମାଣୁ ମରଣ ଯନ୍ତ୍ରଣା / ପୋପ୍‌ର ବାର୍ତ୍ତା ଆଉ ଆଣବିକ ହସ୍ତର ମନ୍ତ୍ରଣା ନାଟୋର ମିଳିତ ଚୁକ୍ତି ସବୁ ମିଶି ହୁଏ ଏକାକାର / ଦିନର ଆଲୋକଠାରୁ ବରଂ ଭଲ ରାତ୍ରିର ଅଂଧାର ।’’ ( ମୁହୂର୍ତ୍ତ) ।

 

ମାନବବାଦୀ ହୁଅକି ପଳାୟନବାଦୀ ହୁଅ ଶାନ୍ତି ଖୋଜୁଛତ ଯାଅ ସାବରମତୀ- ‘‘ଯୁଆଡ଼େ ଯେମିତି ଯାଅ / ଏ ଶତାବ୍ଦୀରୁ / ଅନାଗତ ଆର ଶତାବ୍ଦୀ / ଚନ୍ଦ୍ର ମଙ୍ଗଳ / × × × ସାବରମତି କୁହିଁ ଯିବାକୁ ପଡ଼ିବ ।’’

(ସାବରମତି - ଶତୃଘ୍ନ ପାଣ୍ଡବ)

 

ଆଉ ଏକ ଗୋଷ୍ଠୀ କବି ଦୃଷ୍ଟିରେ ଯୁଦ୍ଧର ପ୍ରଭାବଯୁକ୍ତ ସଂସାରରୁ ଭୀରୁ ପରି ପଳାୟନରେ ଶାନ୍ତି ନାହିଁ । ବରଂ ଏ ସଂସାରରେ ରହି ମାଟିର ବାସ୍ନା ଭିତରେ ବି ଶାନ୍ତି ଖୋଜା ଯାଇପାରେ । ଏହା ସହିତ ରହିଛି ବିଶ୍ଵଯୁଦ୍ଧରେ ବ୍ୟବହୃତ ପରମାଣୁ ବୋମାର ଧ୍ୱଂସକାରୀ ଶକ୍ତି ପ୍ରତି ବ୍ୟଙ୍ଗ । ଜନୈକ ଭୁକ୍ତଭୋଗୀ କବିଙ୍କର କବିତାଟିଏ ଏଠାରେ ଉଦ୍ଧାର କରିବାର ଧୃଷ୍ଠତା ରଖୁଛି -

 

‘‘Sweet was the bomb that killed my son

It made him sleep and sleep in peace.

It made him free from the bar of war

Now no more guns, no more bombs.’’

(Harbinger of Peace-R.Gould)

 

ଏହି ପ୍ରସଙ୍ଗରେ କବି ହରିହର ମିଶ୍ରଙ୍କର ‘‘ବସୁଧୈବ କୁଟୁମ୍ବକମ୍‌’’ କବିତାରେ ଶ୍ରୀ ଜଗନ୍ନାଥ ଚେତନାକୁ ଆଦର୍ଶ ଭାବରେ ଗ୍ରହଣ କରାଯାଇଛି । ତାଙ୍କ ଦୃଷ୍ଟିରେ ଜଗନ୍ନାଥ ଏକ ପ୍ରତିବାଦ ଯୁଦ୍ଧ ପାଇଁ, ଦେଶ ଦେଶର ସୀମା ପାଇଁ, ନିଜ ନିଜର ଅଧିକାର ପାଇଁ ଯୁଦ୍ଧରେ ବ୍ୟସ୍ତ ମଣିଷଙ୍କ ପାଇଁ । କବିଙ୍କ ଭାଷାରେ-

 

‘‘କିଏ ସେ ବ୍ରାହ୍ମଣ ଅବା କିଏ ସେ ଶବର

ଆମେ ଯେତେ ଭିନ୍ନ ଭିନ୍ନ ନିଃସଙ୍ଗ ନିର୍ଜନ

ମହାଯୁଦ୍ଧ ପରବର୍ତ୍ତୀ ସମୟର

ସମବେତ ହେଉ ଏଠି

ସମତଳ ବେଳାଭୂମି ପରେ ।

 

ସ୍ଵେଦାକ୍ତ ମୁହଁରେ ସତେ କେତେ

କ୍ଳାନ୍ତ କେତେ ଅବସନ

x      x      x      x

ପ୍ରୀତିର ନୀରବ ମନ୍ତ୍ର ତୋଳୁଥିଲୁ

ଝାଉଁବଣ ଶୀତ୍କାରେ ଶୀତ୍କାରେ

x      x      x      x

ନୂଆ ଏକ ଜଗତର ରୂପାନ୍ତର ଆମ କଳେବର

ପ୍ରତିରେଣୁ ପରମାଣୁ

ମଧୁମୟ ସବୁ ମଧୁମୟ ।’’

 

ଉତ୍ତର ସ୍ୱାଧୀନତା କାଳର ଓଡ଼ିଆ କବିତାର ଏକ ବଳିଷ୍ଠ ଅଙ୍ଗ ହେଉଛି ମୃତ୍ୟୁ ଚେତନା । ଜୀବନ ଓ ଜଗତର ନଶ୍ଵରତା ପ୍ରତି ସଚେତନ ହୋଇ କବି ଖୋଜେ ସ୍ଵତନ୍ତ୍ର ସତ୍ତା । ଯହିଁରେ ଥିବ ବାସ୍ତବତା ଓ ନିତ୍ୟନୂତନତା । ଜାଗତିକ ଦୁଃଖ, ଶୋକ, ଭଣ୍ଡାମୀ ଓ ଅପ୍ରାପ୍ତିଜନିତ ଅନୁଶୋଚନାରୁ ମୁକ୍ତ ହୋଇ ଜୀବନର ନିଷ୍ଠୁର ସତ୍ୟକୁ ପ୍ରାପ୍ତ ହେବାର ଉଦଗ୍ର କାମନାରେ ଥାଏ ଶାନ୍ତିଚେତନା । ଓଡ଼ିଆ କବି, ଟଲଷ୍ଟୟଙ୍କର ସମାଧି ପାଖରେ ଜୀବନର ନସ୍ଵରତା କଥା କହି ମଣିଷର ଚେତନା ଭିତରେ ଏକ ଆଧ୍ୟାତ୍ମିକ ଭାବର ସଂଚରଣ କରାଇଛନ୍ତି -‘‘କାହିଁ ପାଇଁ ଏତେ ଧାଁ ଦୌଡ଼ / ସକାଳରୁ ସୂର୍ଯ୍ୟ ଅସ୍ତ ଯାଏଁ / କାହିଁକି ଏ ରାଜଧାନୀ ଜମି, କୋଠା ମାଳମାଳ / କିଛି ତ ଯିବନି ସଙ୍ଗେ / ରହିଯିବ ମୁଠାଏ ପାଉଁଶ / ତାହାହିଁ ତ ଜୀବନର ସକାଳ ସାରାଂଶ ।’’ (ସଚ୍ଚି ରାଉତରାୟ) ।

 

ବାସ୍ତବରେ ଉନବିଂଶ ଶତାବ୍ଦୀର ଉତ୍ତର ପଚାଶରେ ଓଡ଼ିଆ କବିତାରେ ସଚ୍ଚି ରାଉତରା ସମାଜବାଦୀ ଅପେକ୍ଷା ବେଶୀମାତ୍ରାରେ ଥିଲେ ରହସ୍ୟାନୁସନ୍ଧାନୀ। ଏହି ସତ୍ୟଶୀଳତା ହିଁ ତାଙ୍କ ବୟସ୍କ କବି ଚେତନାରେ ଶାନ୍ତି କାମନାର ଉଦାହରଣ । ସେ ନିଜ ଭିତରେ ଈଶ୍ଵରଙ୍କ ସତ୍ତାକୁ ଅନୁଭବ କରି ସେହି ଐଶ୍ଵରିକ ବ୍ୟାପ୍ତିକୁ ନୂଆରୂପରେ ହୃଦୟଙ୍ଗମ କରିଛନ୍ତି । ବିରୋଧାଭାସ ଭିତରେ ସ୍ଥିରତାର ସନ୍ଧାନ ପାଇଛନ୍ତି -

 

‘‘ବୁଢ଼ିଆଣି ଜାଲ ନାହିଁ ଚାହିଁ ଦେଖେ ବୁଲି ଏଣେ ତେଣେ / ଶୂନ୍ୟ ଘର କେହି ନାହିଁ ସେଇ ଘରର ବିରାଟ ଦର୍ପଣେ / ଦେଖିଲି ମୁଁ ଦୁଇପ୍ରତି ବିମ୍ବ / ଶେଷ ଓ ଆରମ୍ଭ - ଆରମ୍ଭ ଓ ଶେଷ-।’’

 

ମୃତ୍ୟୁ ଚେତନା ଭିତରେ ଉର୍ଣ୍ଣନାଭିବତ୍‌, ସୃଷ୍ଟି ଓ ଲୟରେ ମାୟାକୁ କାଟି ଏକ ସ୍ଥିର ବିନ୍ଦୁରେ ହିଁ ପହଞ୍ଚିଛି କବିଙ୍କ ବ୍ୟକ୍ତିଚେତନା । ଯାହା କବିଙ୍କୁ ମୃତ୍ୟୁଭୟ ଠାରୁ ଦୂରେଇ ନେଇ ପରମଶାନ୍ତି ପ୍ରଦାନ କରିଛି । ସାଂପ୍ରତିକ ଓଡ଼ିଆ କବିତାର ପରିଭାଷାରେ ଏହା ମୃତ୍ୟୁଚେତନା ହେଲେହେଁ - ଉପନିଷଦୀୟ ଦୃଷ୍ଟିକୋଣରୁ ପରମାତ୍ମାଙ୍କ ସହ ଆତ୍ମାର ସଂଯୋଗଜନିତ ଚରମାନନ୍ଦ-

 

ମୃତ୍ୟୁଚେତନାର ଅନ୍ୟତମ ଅଗ୍ରଗଣ୍ୟ ବଳିଷ୍ଠ କବି ରମାକାନ୍ତ ରଥ ମଧ୍ୟ ତାଙ୍କର ଏକାଧିକ କବିତାରେ ମୃତ୍ୟୁର ଶୀତଳ ସ୍ପର୍ଶରେ ଶାନ୍ତିର ମହିମାମୟ ରୂପକୁ ଅବଲୋକନ କରିଛନ୍ତି-। ମୃତ୍ୟୁ ତାଙ୍କୁ ଭୟଭୀତ କରାଇ ପାରିନାହିଁ ବରଂ ଶାନ୍ତି ପ୍ରଦାନର ଉତ୍ସ ସାଜିଛି । କବିଙ୍କ ହୃଦୟର ଅନୁଭୂତିର ସାନ୍ଦ୍ରତା, ବିଶ୍ଵାସ ରଖିଛି, ମୃତ୍ୟୁରୂପକ ରହସ୍ୟମୟ ସତ୍ତା ଉପରେ । ଫଳରେ ମୃତ୍ୟୁରୁ ହିଁ ସେ ନୀଳକଣ୍ଠ ଦାସଙ୍କ ପରି ଅମୃତନିଧି ଆହରଣ କରିଛନ୍ତି । ରମାକାନ୍ତଙ୍କ ଦୃଷ୍ଟିରେ ମୂତ୍ୟୁ ଭୟଙ୍କର ନୁହେଁ, ସେ ଏମିତି ଏକ ସ୍ଥାନ, ଯେଉଁଠି ଫୁଲର ସମସ୍ତ ମାଧୁର୍ଯ୍ୟ ରହିଛି । କବି ତେଣୁ ‘ଧର୍ମପଦର ଆତ୍ମହତ୍ୟା’ କବିତାରେ କହିଛନ୍ତି-

 

‘‘ମୁଁ ଯିବିକି ଯେଉଁଠାରେ ଲକ୍ଷ ଲକ୍ଷ ଫୁଲ ଫୁଟିଥାଏ

ମୋଟେ ନୁହେଁ ମୋତେ ତୁମେ ବିଦାୟ ଦିଅଗୋ

ବାଉଁଶ ବଣରୁ ଭାଙ୍ଗି ନୂଆ ନୂଆ ବାଉଁଶ କେଇଟା

କୋକେଇ ସଜାଡ଼ି ଆଉ ମୋତେ ରଖି ପ୍ରାର୍ଥନା ଗାଅଗୋ ।’’

 

ମୃତ୍ୟୁର ଅସାରଣରେ ହିଁ ଶାଶ୍ୱତ ଶାନ୍ତି । ମୃତ୍ୟୁରେ ମଣିଷର ଦେବତ୍ୱ ରହିଛି ବୋଲି ଅନୁଭବ କରିଛନ୍ତି ଧୂନ୍‌ ଖୁଣ୍ଟିଆ-

 

‘‘ବସୁଧାର ମାତ୍ର ସାଢ଼େ ତିନିହାତ ମାଟିରେ

ଶୋଇ ପଡ଼ିଲାବେଳକୁ

ମଣିଷଟିଏ ହୋଇ

ଦେବତାଟିଏ ହୋଇ

ପରର ଦୁଃଖ ଚାଖିଲାବେଳକୁ କାନ୍ଦି କାନ୍ଦି

ଉଡ଼ି ଯାଇଥାଏ ସୁନାର ଚଢ଼େଇ

କ୍ଷିତ୍‌ ଅପ୍‌ ତେଜ ମରୁତ୍‌ ବ୍ୟୋମ

ନିଜ ଫେରସ୍ତ ସତ୍ତାକୁ

ପବିତ୍ରିତ କରୁଥାନ୍ତି ।’’

(ଅଂଧ ଅଜଗର)

 

କାଳପୁରୁଷର ଶେଷ ଧାଡ଼ିରେ ବି କବି ଗୁରୁପ୍ରସାଦ ମହାନ୍ତି ମୃତ୍ୟୁ ଭିତରେ ଶେଷତମ ଓ ଶ୍ରେଷ୍ଠତମ ଆକୁତି । ତାଙ୍କ ଦୃଷ୍ଟିରେ ମୃତ୍ୟୁହିଁ ଶାନ୍ତି ଓ ବିସ୍ତୃତିର ଗଭୀର ସ୍ଥିରତା ।

 

ପ୍ରାଗ୍‌ କାଳରୁ ଓଡ଼ିଆ କବିତାରେ ଆଧ୍ୟାତ୍ମିକତା ଥିଲା ଏକ ଅବିଚ୍ଛିନ୍ନ ସଂପଦ । ଅବଶ୍ୟ ଯାଇଥିଲା ଆଧ୍ୟାତ୍ମିକତାଠାରୁ । ଏ ସମୟମାନଙ୍କରେ ବିଜ୍ଞାନର ବୈପ୍ଳବିକ ଅଗ୍ରଗତି, ଶିଳ୍ପ ପ୍ରତିଯୋଗୀତା, ବିଭିନ୍ନ ବାଦର ପ୍ରଭାବରେ ଆଧ୍ୟାତ୍ମିକ ବ୍ୟକ୍ତିଚେତନା ଚ୍ଛିନ୍ନମୂଳ ହୋଇ ଯୁଗ ଚେତନା ଦ୍ଵାରା ପ୍ରଭାବିତ ହୋଇ ଉଠିଥିଲା । ଫଳରେ ଓଡ଼ିଆ କବିତା ରାଜ୍ୟରେ କବିଟିଏ ତା’ର ଇନ୍ଦ୍ରିୟ, ମନ ଓ ବୁଦ୍ଧିକୁ ଯେତେ ଉଦ୍ଦୀପିତ କଲେ ମଧ୍ୟ ଆତ୍ମାପୁରୁଷକୁ ସମ ପରିମାଣରେ ଜାଗ୍ରତ କରିପାରିଲା ନାହିଁ । ଫଳରେ କବିତା ସ୍ରଷ୍ଟାର ଉଦ୍ଦେଶ୍ୟ ସାଧନର ପନ୍ଥା ନହୋଇ ନିଜେ ଉଦ୍ଦେଶ୍ୟ ହୋଇଗଲା । ଯେପରି ସୁଖ ଓ ଶାନ୍ତି ପାଇଁ ଅର୍ଥ ଏକ ପନ୍ଥା । କିନ୍ତୁ ଉଦ୍ଦେଶ୍ୟ ନୁହେଁ, ଅର୍ଥ ଯେଉଁଠି ଉଦ୍ଦେଶ୍ୟ ସେଇଠି ହିଁ ଯାବତୀୟ ଅସୁବିଧା । ଅନୁରୂପ ଭାବରେ କବିତା ନିଜେ ଉଦ୍ଦେଶ୍ୟରେ ପରିଣତ ହେବାଦ୍ଵାରା ସାଧାରଣ ମଣିଷଠାରୁ କ୍ରମେ ଦୂରେଇଯିବା ସହ କବିଗୋଷ୍ଠୀଙ୍କୁ ମଧ୍ୟ ମଣିଷଠାରୁ ଦୂରେଇ ଦେବାରେ ଲାଗିଲା ।

 

ଏହି କାଳଖଣ୍ଡରେ ପ୍ରଂୟେଡ୍‌ ଏବଂ ମାର୍କସ୍‌ଙ୍କ ବାଣୀ ଓଡ଼ିଆ କବି, ତା’ କବିତାରେ ଏତେ ପ୍ରୟୋଗ କଲା ଯେ, ତାହା ସମାଜକୁ ଦୃଢ଼ କରିବା ଅପେକ୍ଷା ବ୍ୟକ୍ତି ବିଚ୍ଛିନ୍ନତା, ଇନ୍ଦ୍ରିୟ ପ୍ରବଣତା, ଆଡ଼କୁ ଟାଣି ନେଲା । ଏବଂ ମଣିଷକୁ ଆତ୍ମା ବିବର୍ଜିତ ଏକ ଆଂଶିକ ଜୀବନ ଜିଇଁବାକୁ କହିଲା । କିନ୍ତୁ କବିତାର ଉଦ୍ଦେଶ୍ୟ ହେଉଛି, ପୂର୍ଣ୍ଣାଙ୍ଗଜୀବନ ଯାହା ଆଧ୍ୟାତ୍ମିକତା ବିନା ଅସମ୍ଭବ । ଏହି ସମୟର ଅଶାନ୍ତ କବି ଚିତ୍ତ କ୍ରମେ କ୍ରମେ ସାମଗ୍ରିକ ଶାନ୍ତି ପାଇଁ ଆଧ୍ୟାତ୍ମିକତା ଆଡ଼କୁ ପୁନଃ ଦୃଷ୍ଟି ପ୍ରସାରିତ କଲା । ଫଳରେ ଈଶ୍ଵରୀୟ ଚେତନା ମିଥ୍‌ ଆକାରରେ ବେଳେବେଳେ ସିଧାସଳଖ ଓଡ଼ିଆ କବିତାରେ ପ୍ରବେଶ କଲା । ଏମିତି ଏକ ସମୟରେ ପ୍ରସନ୍ନ ମିଶ୍ରଙ୍କ ପରି କବି ମଧ୍ୟ ଅନୁଭବ କଲେ - ‘‘ମୋ ସ୍ନାୟୁର ଦରଜାରେ ତାହାର ଅପୁର୍ବ ଡାକ/ତା କୋମଳ କରାଘାତ /ପିଣ୍ଡରେ ଉଚ୍ଚାଟ / ସମୟ ବ୍ରହ୍ମାଣ୍ଡର ପୁଲକରେ ଅସ୍ଥିର ରୋମାଞ୍ଚ /ନିଦ୍ରା ଓ କର୍ତ୍ତବ୍ୟ ତେଜି /ମୁଁ ତାକୁ ଚୁମ୍ବନ କରି ଡାକି ଆଣେ /ମୋ ଦେହର ବିପୁଳ ପଲଙ୍କେ ।’’ (ଅଦୃଶ୍ୟ ସଙ୍ଗମ)

 

ଏହା ଏକ ସ୍ନାୟବିକ ମିଳନ ହେଲେବି, ଏକ ସୁସମୃଦ୍ଧି ଶାନ୍ତିକାମୀ, ମୁକ୍ତିକାମୀ, ପାର୍ଥିବୋତ୍ତର ଚିନ୍ତାଧାରା । ଏହାର ଘଟଣାସ୍ଥଳୀ ପୃଥିବୀ, ତେବେ ଚିନ୍ତା ଓ ଚେତନାରେ ଆଧ୍ୟାତ୍ମିକ ଶାନ୍ତି ଇଚ୍ଛୁ କବିସତ୍ତା ପରମଙ୍କୁ ନିଜ ଭିତରେ ଅନୁଭବ କରିଛି । ଏହାକୁ ଆଚାର୍ଯ୍ୟ ଶଙ୍କରଙ୍କର ଆଧ୍ୟାତ୍ମ ପରାହତ ଆତ୍ମାରେ ତତ୍ତ୍ୱମସୀ ଭାବ ।

 

ମିଥିକ ପରିକଳ୍ପନା ହେଉ କିମ୍ବା ସିଧାସଳଖ ଈଶ୍ଵରୀୟ ଚେତନାକୁ ନେଇ ହେଉ, ଏ ଦିଗରେ ଆମର ଅଗ୍ରଗଣ୍ୟ କବି ବ୍ରହ୍ମୋତ୍ରୀ ମହାନ୍ତି ହରିହର ମିଶ୍ରଙ୍କ ନାମ ବ୍ୟତୀତ ସୀତାକାନ୍ତ ମହାପାତ୍ର (ଶରଧା ବାଲିରେ ବୁଢ଼ାଲୋକ), ହର ପ୍ରସାଦ ଦାସ ରାଜେନ୍ଦ୍ର ପଣ୍ଡା, ପ୍ରଭୃତିଙ୍କ କବିତାରେ ମଧ୍ୟ ଆଧ୍ୟାତ୍ମିକ ଶାନ୍ତିର ଅନ୍ଵେଷା ରହିଛି । ଆଧ୍ୟାତ୍ମିକତା ସହ ମାନବିକତା ବି ଓତଃପ୍ରୋତଃ ଭାବେ ଜଡ଼ିତ । ଏହି ମାନବବାଦୀ ଆଧ୍ୟାତ୍ମିକତା ସମସ୍ତଙ୍କୁ ସୁଖ ଦେଖିବାରେ, ସମସ୍ତଙ୍କ ପାଇଁ ଶାନ୍ତିର ସହାବସ୍ଥାନରେ ବିଶ୍ଵାସୀ । ତେଣୁ ସେ ଜଗନ୍ନାଥଙ୍କ ଠାରେ ଫେରାଦ ହୋଇ କହେ- ‘‘ଆପଣ ଫେରିବେ କ’ଣ ଶ୍ରୀକ୍ଷେତ୍ରରୁ ପୁଣି ଥରେ ? / ଅନ୍ୟଦାରୁ ଧୂପ ଝୁଣା ଚନ୍ଦନରେ/ସୁଗନ୍ଧରେ ଅନ୍ୟ ରଙ୍ଗ ଅନ୍ୟ ଚିତ୍ରାଙ୍କନ ? / ରାଣୀର ଆପଣ ତ ଫେରିଥିଲେ ତ୍ରେତୟା ଦ୍ଵାପରରେ, ପୁଣି ଏକ / ଅରଣ୍ୟ ରାଜ୍ୟରେ ନିଦ୍ରିତା ରାଣୀର ଗର୍ଭ ଭିତରକୁ / ଆଲୋକିତ ଶ୍ଵେତହସ୍ତୀ ହୋଇ ।’’ (ବିଶର ମହାନ୍ତି - ଗୁରୁ ମହାନ୍ତି) ।

 

ଅବତାରବାଦର ବିବର୍ତ୍ତନରେ ବୁଦ୍ଧଙ୍କୁ ପାଇବାର ଆକୁତି ଶାନ୍ତିକଳ୍ପର ଯଥାର୍ଥ ଚିନ୍ତନ ।

 

ଆଧ୍ୟାତ୍ମିକତାର ଅନ୍ୟତମ ପର୍ଯ୍ୟାୟରେ ଆସିଥାଏ ଭାବ ଏବଂ ଚିତ୍ତପ୍ରବଣ ଜନିତ ଆତ୍ମ ସମର୍ପଣ ଭାବ । ଆତ୍ମସମର୍ପଣ ଦ୍ଵାରା ପାର୍ଥିବ ଜଗତରୁ ମୁକ୍ତ ହୋଇ ସାମଗ୍ରିକ ଶାନ୍ତି ପାଇବା ପାଇଁ ମନ ବ୍ୟାକୁଳ ହୋଇଉଠେ ।

 

ଆଧ୍ୟାତ୍ମିକତା ନୁହଁ ଓଡ଼ିଆ କାବ୍ୟ ସାହିତ୍ୟରେ ଥିବା ଦୁଃଖବାଦରେ ବି ଶାନ୍ତିର ବୀଜମନ୍ତ୍ର ନିହିତ ଅଛି । ଦୁଃଖବାଦ ସହ ଶାନ୍ତି ପ୍ରସଙ୍ଗ କେବଳ ଭାରତୀୟ ଆସ୍ତିକ ଦର୍ଶନ ଯୋଗୁଁ: ହିଁ ସମ୍ଭବ ହୋଇପାରେ । ଈଶ୍ଵର ବିଶ୍ଵାସ ଥିଲେ ଜୀବନର ସମସ୍ତ ଦୁଃଖକୁ ଆକଣ୍ଠ ପାନ କରି ମଧ୍ୟ କବି ଭାଙ୍ଗି ପଡ଼େନା । ସେ ପ୍ରାଣର ନିଭୃତ କୋଣରେ ଜୀବନ ଦେବତାକୁ ଅନୁଭବ କରି ସବୁ ହରାଇ ମଧ୍ୟ ପଳିତତରୁରେ ବସନ୍ତର ସ୍ପର୍ଶ ଅନୁଭବ କରେ । ଶାନ୍ତିକାମୀ ମନଟି ଅପ୍ରାପ୍ତିରେ ପ୍ରାପ୍ତିର ଅନୁଭବ ପାଇ ଗାଇ ଉଠେ-‘‘ଜୀବନ ପାତ୍ର ମୋ ଭରିଛ କେତେ ମତେ / ନଦେଲ କିଛି ବୋଲି କହିବି କି ହେ ଆଉ / ଜୀବନ ପ୍ରିୟତମ ହରିଛ ମୋ ଭରମ / ତରଣୀ ମୋର ତବ / ସାଗରେ ବହିଯାଉ ।’’ (ବୈକୁଣ୍ଠନାଥ ପଟ୍ଟନାୟକ) ।

 

ଏହାକୁ ହିଁ କୁହାଯାଏ ଆଧ୍ୟାତ୍ମବାଦୀ ଦୁଃଖି ମନର ଧ୍ୟାନ ତନ୍ମୟତା । ଏହି ଧ୍ୟାନଲୀନ ସ୍ତବ୍‌ଧତାରେ ଶାନ୍ତିର ଅବଲୋକନ କରିଥାଏ କବି । କେବଳ ବୈକୁଣ୍ଠନାଥ ନୁହନ୍ତି ବହୁ ଓଡ଼ିଆ କବି ଚେତନ ଅଚେତନ ମିଶ୍ରିତ ଜଗତର କଥା କହିଛନ୍ତି । ଚେତନାରେ କବି ଦୁଃଖରେ ଭାଙ୍ଗି ପଡ଼ି ନଥାଏ କି ସୁଖରେ ଉତ୍‌ଫୁଲିତ ହୋଇନଥାଏ ।

 

ମଣିଷ ଜୀବନର ସଂପର୍କର ନିବିଡ଼ତା ମଧ୍ୟରେ ନଥାଏ ଅସୂୟା, ଦ୍ଵେଷ ଓ ପରଶ୍ରୀକାତରତା । ରକ୍ତ ସଂପର୍କଠାରୁ ଆରମ୍ଭ କରି ମାନବୀୟ ସଂପର୍କଯାଏଁ ସ୍ଵେହ ଓ ପ୍ରେମର ନିବିଡ଼ତାହିଁ ଶ୍ରେଷ୍ଠ । ଆଧୁନିକ ଯୁଗର ତଥାକଥିତ ନିଃସଙ୍ଗତା, ଅସହାୟତା, ଆତ୍ମ-କୈନ୍ଦ୍ରିକତାରେ ମଧ୍ୟ ସଂପର୍କର ସରୁ ଅଥଚ ବଳଶାଳୀ ଖିଅଟିଏ ରହିଛି ବୋଲି ଆମେ ପରସ୍ପର ପରସ୍ପରକୁ ନେଇ ବଞ୍ଚୁଛେ । ଆମ ଭିତରେ ଆନନ୍ଦ, ବିଶ୍ଵାସ ଓ ସାହାସର ବିଦ୍ୟୁତ୍‌ଛଟା ରହି ରହି ବାହାରି ଆସୁଛି -‘‘କଥା ପଦକରେ / ନିଶ୍ଚିତ ଭରସା ଅଛି ବୋଲିତ / ମୁଁ ଅଛି / ତୁମେ ଅଛ ଏବଂ ଈର୍ଷା, ଅସୂୟା ଓ ବିଶ୍ଵସ୍ତତାର / ଦୁର୍ଗନ୍ଧରେ ଫାଟି ପଡ଼ୁଥିବା ପୃଥିବୀରେ / ଏବେ ମଧ୍ୟ ଫୁଲ ଫୁଟୁଛି / ବାସ୍ନା ଚହଟୁଛି ।’’ (ବନ୍ଧୁ - ବୀଣାପାଣି ପଣ୍ଡା) ।

 

କେବଳ ସଂପର୍କର ବିଶ୍ଵସ୍ତତାରେ ନୁହଁ ଭବିଷ୍ୟତର ସୁଦୃଢ଼ ସଂପର୍କ ପ୍ରତି ଆଶାବାଦୀ ଦୃଷ୍ଟିକୋଣରେ ଉକୁଟି ଉଠେ ଶାନ୍ତିକାମୀ ମନଟିଏ । ଯାବତୀୟ ସ୍ଵାର୍ଥ ଓ ଆତ୍ମକୈନ୍ଦିକତା ଭିତରେ ମୈତ୍ରୀର ବାରିପାତ ହେବ ଓ ଶାନ୍ତିପ୍ରସୂନ ପୁନର୍ବାର ମର୍ମରିବ । କବି ଦୃଷ୍ଟିରେ - ‘‘ଆଶାଇ ସବୁଜପତ୍ର ହସିବ / ମୈତ୍ରୀର ବାରିପାତେ /ମଞ୍ଜରିବ ପୁଣି ଶାନ୍ତି ପ୍ରସୂନ / ମମତା ସ୍ମିଗ୍‌ଧ ବାତେ-।’’ (ତଥାପି ହୋଇନି ଡେରି - ଦେବାଶିଷ ଚକ୍ରବର୍ତ୍ତୀ)

 

ମାନବୀୟ ଦେହରୁ ବିଦେହ ପାଖକୁ ନିୟତି ସଂଚରଣଶୀଳ । ଏହି ଭାବାବେଗକୁ, ଅନ୍ତରଙ୍ଗତାକୁ, କେବେ ଦେହ ଭିତରେ ତ କେବେ ବିଦେହରେ ଆକୁଳ ନିର୍ବାକ୍‌ କରିଦିଏ । ପ୍ରେମର ଏତାଦୃଶ ରହସ୍ୟକୁ ନୃସିଂହ ତ୍ରିପାଠୀଙ୍କ କବିତାରୁ ବୁଝାଯାଇପାରେ- ‘‘ସଳଖ ସଜଡ଼ା ତୋର / ପରିରତି ଫୁଲର ଚାଙ୍ଗୁଡ଼ି / ମେଲିଥା ଶବରୀ / ଶକତ ହାତ ପୁରାଇ / ଅ-ଜରା ଶବର / ଖୁଣ୍ଟ କରି ଫୁଲରେଣୁ / ରେଣୁ ପ୍ରଭାକର ଅଶୁଖା କାକର ଭିଜା / ସ୍ଥାନଶୂନ୍ୟ ଅଞ୍ଚଳରେ / ଭାବମୟ ଘର ।’’ ( ଶୂନ୍ୟରମଣ) ।

 

ଆଧୁନିକତାର ଉତ୍ତର କାଳରେ ଶାନ୍ତିକାମୀ କବି ଚିତ୍ତ ନିଜ ମାଟିର ଗନ୍ଧ ବାରିବାରେ ଆରମ୍ଭ କରିଛି । ଆରମ୍ଭ କରିଛି ସାମଗ୍ରିକ ଭାବରେ ଆନ୍ତରିକତାର ଅନ୍ଵେଷଣ । ସେ ଅଜୟ ପ୍ରଧାନ ହୁଅନ୍ତୁ କି କେଦାର ମିଶ୍ର । କିମ୍ବା ପବିତ୍ର ଦାସ କି ଚିନ୍ମୟ ବିବେକ, ଅଥବା ଭାରତ ମାଝି । ବିଂଶ ଶତାବ୍ଦୀର ନବଦଶକଠାରୁ ତରୁଣ କବି ଚିତ୍ତରେ ରହିଥିବା ଭଲ ପାଇବାର ସଂପର୍କଟି ହିଁ ବ୍ୟକ୍ତିକ ଦୁଃଖକୁ ପରାହତ କରିଥାଏ ବଂଧୁତ୍ୱର ପ୍ରଗାଢ଼ ଭରସାରେ । କବି ସମସ୍ତଙ୍କୁ ଆମନ୍ତ୍ରଣ ଜଣାଏ ସାମ୍ରଗିକ ଶାନ୍ତି ପାଇଁ । ପ୍ରବୋଧନା ଦିଏ ଓ କହେ- ‘‘ଜୀବନରେ ଝଡ଼ ଅଛି / ସବୁଜିମା ବି ଅଛି / ଏଥର ଉତ୍ତୀର୍ଣ୍ଣ ହୁଅ ଡଙ୍ଗାରେ / ମଙ୍ଗକୁ ସଳଖିବାକୁ ପଡ଼ିବ / ସେଇ ଦିଗରେ -ଯେଉଁଠି ଆଲୋକ ଅଛି ଶାନ୍ତିର / ବଢ଼ାଇ ଦେବ ବାଟ ଅନ୍ଧାରରେ ।’’ (ବିଗଡ଼ିତ ସ୍ଵପ୍ନ _ ଚିନ୍ମୟ ବିବେକ) ।

 

ଏହି କାଳଖଣ୍ଡର କବି ନିକଟରୁ କ୍ରମଶଃ ଏକାକୀତ୍ୱ ଓ ନିଃସଙ୍ଗତା ଦୂରୀଭୂତ ହୋଇ ସେ ସ୍ଥାନ ଅଧିକାର କରୁଛି ସମାଜ ଓ ପରିବାରର ଐକାନ୍ତିକ ବଂଧନ । କବି ଚିତ୍ତରେ ସୃଷ୍ଟି ହେଉଛି ପୀଡ଼ିତ ପାଇଁ ବେଦନା, ପରିବେଶ ପାଇଁ ମମତ୍ୱବୋଧ, ଅନିଶ୍ଚିତତା ଭିତରେ ଛଟପଟ ଜୀବନକୁ ଶାନ୍ତି ଦେବାର ପ୍ରୟାସ । ପାରସ୍ପରିକ ଦଙ୍ଗାଜନିତ କର୍ଫ୍ୟୁ ତାକୁ ବ୍ୟଥିତ କରିଛି । ଫଳରେ ସେ ବିଳପି ଉଠୁଛି ଶାନ୍ତି କାମନାରେ- ‘‘କି ଉନ୍ନାଦନା ଅଛି /ବଞ୍ଚିବାଠୁ ଭାଗ ଭାଗ ହୋଇ ମରିବାରେ / କାହାଠୁ ଖୋଜିବି ଏଇ ପ୍ରଶ୍ନର ଉତ୍ତର / ମାତ୍ର କେତେ ଘଣ୍ଟା ପାଇଁ / କର୍ଫ୍ୟୁ କୋହଳ ବେଳେ ।’’ (କର୍ଫ୍ୟୁ କୋହଳ ବେଳେ - ପବିତ୍ର ମୋହନ ଦାଶ) ।

 

ଆଜିର କବି ଆତ୍ମକୈନ୍ଦ୍ରିକତାକୁ ଦୂରେଇ ଦେଇଛି । ବିଶ୍ଵମୋହରେ ସେ ଅନୁପ୍ରେରିତ ହୋଇଛି ଅଧିକରୁ ଅଧକ । ତା’ଭିତରେ ନିଃସ୍ଵାର୍ଥପରତାର ଓ ବିଶ୍ଵପ୍ରୀତିର ମହାଜାଗତିକ ଭାବ ଅନୁରଣିତ ହୋଇଛି । ଜଗତର ଶାନ୍ତି ପାଇଁ ଭୀମଭୋଇଙ୍କ ପରି ସେ ମଧ୍ୟ କ୍ରନ୍ଦନରତ ଏବଂ ନିଜକୁ ମାଟିରେ ମିଶାଇ ଦେବାକୁ ମଧ୍ୟ ପ୍ରସ୍ତୁତ -ଯୋଉ ଛାତି କୋଟି କୋଟି ମଣିଷଙ୍କ / ଦୀର୍ଘଶ୍ୱାସ ଧରି ପାରିଲା / ଯୋଉ ହାତ ଧୋଇ ପାରିଲା / କୋଟି କୋଟି ଘା / ଯୋଉ ଆଖି କୋଟି କୋଟି ମଣିଷକୁ / ଦେଖାଇ ପାରିଲା ଦୁନିଆ / ଯୋଉ କାନ୍ଧ ବୋହିପାରିଲା ଟନ୍‌ଟନ୍‌ ଦୁଃଖ / ଯୋଉ ଓଠ ଲୁଚାଇ ପାରିଲା ହସିବା / ଦେଇ ପାରିଲା ରକ୍ତ ଓ ବିଶ୍ୱାସ) x x x ! କେହି କେହିତ ଜନ୍ମ ହୋଇଥାନ୍ତି ମାଟି ହୋଇଯିବାକୁ ।’’ (ପାରିଲିନି କଳି - ଅଜୟ ପ୍ରଧାନ) ।

 

ବିଂଶ ଶତାବ୍ଦୀର ଶେଷ ଦଶକରୁ ଆପାତତଃ କବିତାରେ ମୃତ୍ୟୁ ଅପେକ୍ଷା ଜୀବନ, ଦୁଃଖ ଅପେକ୍ଷା ଆନନ୍ଦକୁ କେନ୍ଦ୍ର କରି କବିତା ରଚନା ଆରମ୍ଭ ହୋଇଛି । କବିତାର ସ୍ଵର ଭିତରେ ସୁସ୍ଥ ଓ ସୁଖକର ସହାବସ୍ଥାନ, ଧର୍ମୀୟ ସଂପ୍ରୀତି, ମହାଭାତୃତ୍ୱ ବୋଧ, ଯାବତୀୟ ଦୁର୍ବିପାକ ମଧ୍ୟରେ ଜୀବନର ସବୁଜ ଓଁକାର ଅନୁରଣିତ । ଆଜିର କବି ବୁଝିସାରିଛି ଜୀବନର ପରିଧି ଭିତରେ ସବୁ ଅଛି । ତାକୁ ଠିକ୍‌ ହୃଦୟଙ୍ଗମ କଲେ ହେଁ ଶାନ୍ତି ମିଳିବ ।

 

ପରିଶେଷରେ ଏତିକି କହିପାରେ, ବିଶ୍ୱବିଖ୍ୟାତ କବି ଟି:ଏସ:ଇଲିୟଟ୍‌ ମଧ୍ୟ ସମଗ୍ର ଯୁଦ୍ଧ, ଅଶାନ୍ତି ଓ ଯନ୍ତ୍ରଣା ପ୍ରପୀଡ଼ିତ ୟୁରୋପୀୟଙ୍କୁ ତାଙ୍କ ନୋବେଲ, ବିଜୟୀ ପ୍ରସ୍ଥରେ ଉପନିଷଦୀୟ ବାଣୀ ଓଁ ଶାନ୍ତି ! ଶାନ୍ତି ! ଶାନ୍ତି ! ମନ୍ତ୍ରରେ ଦୀକ୍ଷିତ ହୋଇ ଜୀବନକୁ ସହଜ ସରଳ ଓ ଶାନ୍ତି ରଖିବାକୁ ଆବାହନ ଦେଇଛନ୍ତି ।

 

ଉପର ନୂଆସାହି, ପୁରୀ

***

 

ଖୋରଧା, ଖୁରୁଧା (ଖୁର୍‌ଧା)

ଖୁର୍ଦ୍ଧା ନା ଖୋର୍ଦ୍ଧା ?

ଡକ୍ଟର ଅବଦୁଲ୍‌ ଓସିଦ୍‌ ଖାଁ

 

ଓଡ଼ିଶା ଇତିହାସରେ ଖୋର୍ଦ୍ଧାର ବିଶେଷ ଗୁରୁତ୍ୱ ପୂର୍ଣ୍ଣ ସ୍ଥାନ ରହି ଆସିଅଛି । ଖ୍ରୀ.ଅ. ୧୫୭୧-୭୨ ଠାରୁ ଖ୍ରୀଅ. ୧୮୦୩ ଅର୍ଥାତ୍‌ ଗଜପତି ମୁକୁନ୍ଦଦେବ ୨ୟଙ୍କ ପର୍ଯ୍ୟନ୍ତ ଦୀର୍ଘ ୨୩୧ ବର୍ଷ କାଳ ଭୋଇବଂଶ ରାଜତ୍ୱରେ ଖୋର୍ଦ୍ଧା (ଖୁରୁଧା) କହିଲେ ଓଡ଼ିଶାକୁ ହିଁ ବୁଝାଉଥିଲା । ମୋଗଲ ସମ୍ରାଟ ଆକବରଙ୍କ ନିର୍ଦ୍ଦେଶକ୍ରମେ ସେନାପତି ମାନସିଂହଙ୍କ ସହିତ ମୈତ୍ରୀ ଚୁକ୍ତିରେ ରାମଚନ୍ଦ୍ର ଦେବ ପାଇଲେ ୭୧ ଗୋଟି ଗଡ଼ (କୃପାସିନ୍ଧୁ ମିଶ୍ର - ୧୨୮, ଚକ୍ରଧର ମହାପାତ୍ର - ୫୬, କେଦାରନାଥ ମହାପାତ୍ର ୨୭, ହରିଚନ୍ଦନ- ୨୧୮) କେହି କେହି ୧୧୦ ଗୋଟି ଗଡ଼ (କୃପାସିନ୍ଧୁ ବିଶ୍ଵାଳ - ୧୦-୧୧) ସହିତ ୨୯ ଗୋଟି ଜମିଦାରୀ ପାଇଥିଲେ । (କେଦାରନାଥ ମହାପାତ୍ର - ୨୭ କହନ୍ତି ୩୧ ଗୋଟି ଜମିଦାରୀ) । ତୋଡ଼ର ମଲ୍ଲ ଦତ୍ତ ୭୧ ଗୋଟି ଗଡ଼ ବାଦ୍‌ ମାନସିଂହ ଆହୁରି ଅଧିକ ୧୨୯ ଗୋଟି ଦୁର୍ଗର ପ୍ରଭୃତ୍ୱ ରାମଚନ୍ଦ୍ର ଦେବଙ୍କୁ ଦାନ କଲେ (କୃପାସିନ୍ଧୁ ମିଶ୍ର - ୧୨୮) । ଖୁରୁଧା ରାଜାଙ୍କ ଅଧୀନସ୍ଥ‌ ୩୧ ଜମିଦାରୀରେ ୧୨୯ ଗୋଟି ଜିଲ୍ଲା ବା ଗଡ଼ ଥିଲା (ଖୁରୁଧା ଇତିହାସ ପୃ- ୨୮ ଦ୍ରଷ୍ଟବ୍ୟ Sterling-44-45) । ଏଇ କାରଣରୁ ଖୋର୍ଦ୍ଧା ରାଜାଙ୍କୁ ଗଜପତି ମହାରାଜା, ଠାକୁରରାଜା ମାନ୍ୟତା ମିଳିଥିଲା । ଲକ୍ଷେ ରାଇଜର ମଉଡ଼ମଣି ସେ, ଖୋରଧା ରାଇଜ ରଜା । ଗଜପତି ସମଗ୍ର ଭାରତର ଚଳନ୍ତି ବିଷ୍ଣୁ (ମହାପାତ୍ର ଚକ୍ରଧର ୭୮) । ଖୋର୍ଦ୍ଧା ରାଜ୍ୟ ପ୍ରତିଷ୍ଠା ଦିଗରେ ସହାୟତା କରିଥିଲେ ବାଘୁ ପାତ୍ର, ସରଣୀ ପାତ୍ର ଓ ଝାଡ଼ୁ ପରିଡ଼ା । ସାମନ୍ତ ରାଜା ବୀର ବିକ୍ରମ ସିଂହଙ୍କ ଠାରୁ ‘ଖୋରଧାପଲ୍ଲୀ’ ନାମକ ଗ୍ରାମ ମାଗିନେଇ ସେଠାରେ ନିଜର ରାଜଧାନୀ ପ୍ରତିଷ୍ଠା କଲେ ଓ ତାର ନାଁ ରଖିଲେ ଜଗନ୍ନାଥପୁର କଟକ । ପଲ୍ଲା ବଜାର ହାଟ ବା ବାଟମଙ୍ଗଳା ମନ୍ଦିରର ପୂର୍ବକୁ ପାଞ୍ଚ ନମ୍ବର ଜାତୀୟ ରାଜପଥକୁ ଯେ ଲାଗି ରହିଛି, ଏବେବି ଗଡ଼ର ସ୍ଥିତି ବହନ କରି ପଡ଼ି ରହିଛି ଖୋର୍ଦ୍ଧାଗଡ଼ । ତତ୍‌ପରେ ୧୭୯୪- ୯୫ ମଧ୍ୟରେ ସେହି ପୁରୁଣା ମାଟିଗଡ଼ ଛାଡ଼ି ଖୋର୍ଦ୍ଧାର ଦ୍ୱିତୀୟ ନରସିଂହ ଦେବ ବରୁଣାଇ ପାହାଡ଼ ଘାଟୀ ତଳେ, ନିର୍ମାଣ କଲେ । ସୁଦୃଢ଼ ପଥର ପାଚେରୀ ଘେରା ଖୋରଧାଗଡ଼ା ବ୍ରିଟିଶ ଶକ୍ତି ବିରୁଦ୍ଧରେ ଭାରତୀୟ ନବଜାଗରଣର ଆଦ୍ୟ ଓଁକାର ଭୂମି, ପାଇକ ବିଦ୍ରୋହ (୧୮୧୭)ର ପ୍ରାଣକେନ୍ଦ୍ର କ୍ରମେ ସଂକୁଚିତ ଓ ସୀମିତ ହୋଇ ହେଲା ଅବିଭକ୍ତ ପୁରୀଜିଲ୍ଲାର ଏକ ସବ୍‌ଡିଭିଜନ, ଲୁଙ୍ଗି ଗାମୁଛା ବ୍ୟବସାୟ କେନ୍ଦ୍ରର ଏକ ଛୋଟ ସହର (୮୫ °-୩୭-୩୫ ପୂ- ୨୦°, ୧୧, ୦୫ ଉ) । ଏବକୁ ୧୯୯୩ ମସିହାରୁ ହୋଇଛି ଓଡ଼ିଶାର ଏକ ପ୍ରଧାନ ଜିଲ୍ଲା (୧୯°, ୩୦ରୁ ୨୦°, ୩୦ ଅକ୍ଷ୍ୟାଂଶ ୮୪°-୫୫ ରୁ ୮୬°-୦୫ ପୂର୍ବ ଦ୍ରାଘିମା) ଯାହାର ଆୟତନ ୨୮୧୩ ବର୍ଗ କି.ମି. ୨୦୦୧ ମସିହା ଜନଗଣନାନୁସାରେ ୧୮ ଲକ୍ଷ ୭୭ ହଜାର । ଗ୍ରାମ ସଂଖ୍ୟା- ୧୫୬୭ ।

 

ଯେଉଁ ଜିଲ୍ଲାରେ ଓଡ଼ିଶାର ରାଜଧାନୀ ସମେତ ରାଜ୍ୟ ତଥା ଦେଶର ପ୍ରମୁଖ କାର୍ଯ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ଗବେଷଣାଗାର, ଦର୍ଶନୀୟ ସ୍ଥାନ, ପର୍ଯ୍ୟଟନ କେନ୍ଦ୍ର, ମଠ, ମନ୍ଦିର ଓ ପୀଠମାନ ବିଦ୍ୟମାନ, ତାକୁ ଆମେ ଖୋରଧା, ଖିରୁଧା, ଖିର୍ଧା, ଖୁର୍ଦ୍ଧା, ଖୋରଦା ନା ଖୋର୍ଦ୍ଧା କେଉଁ ନାମରେ ଚିହ୍ନଟ କରିବା ? ଐତିହାସିକ Sterling ଏହାକୁ ଲେଖିଲେ Khoordha (ଖୋରଦାଃ), Khoordahur (ଖୋରଦାଃଗଡ଼), ଜର୍ଜ ଟୟନ୍‌ ବି ଲେଖିଲେ Khurdha, W.W. Hunter ଲେଖିଲେ Khurdha, କିଏ ଲେଖିଲେ Khorda ( ଖୋରଦା) । ମାଦଳା ପାଞ୍ଜି ଉଲ୍ଲେଖ କରେ ଖୁରୁଧା କଟକେ (ମା.ପା- ମହାନ୍ତି ପୃ ୪୧) । ଗବେଷକ, ଐତିହାସିକ କେଦାରନାଥ ମହାପାତ୍ର ଲେଖିଲେ ଖିରୁଧା ଇତିହାସ (ଗ୍ରନ୍ଥମନ୍ଦିର ୧୯୬୯), ଶ୍ରୀ ଦିଗମ୍ବର ହରିଚନ୍ଦନ ଲେଖିଲେ ଖିରୁଧା ଦର୍ପଣ ଫକୀର ହରିଚନ୍ଦନ ଲେଖିଲେ ଖୋର୍ଦ୍ଧା ଇତିହାସର ଅନ୍ତରାଳେ, ଓଡ଼ିଶା ସରକାର ଖୋର୍ଦ୍ଧା ଜିଲ୍ଲା (Khordha) ନାମରେ ଉଲ୍ଲେଖ କଲାବେଳେ ଅନେକ ଐତିହାସିକ, ପ୍ରନ୍ନତତ୍ତ୍ୱବିଦ୍‌ ରାଜନୀତିଜ୍ଞ ଓ କବି ଉଚ୍ଚାରଣ କରିଛନ୍ତି ଖୋରଧା, ଖୁରୁଧା, ଖୁର୍ଦ୍ଧା, ଖୋର୍ଦ୍ଧା ଆଦି ଶବ୍ଦରେ । ଏକ ଗୌରବମୟ ଐତିହ୍ୟସମ୍ପନ୍ନ ବୀରମାଟି ନାଁ କଅଣ ? ୧୫୧୭ ଶକାବ୍ଦ ବା ଖ୍ରୀଅ ୧୫୯୫ ପ୍ରଥମ ଶ୍ରୀଜଙ୍ଗ ଶିଳାଲିପି ଓ ୧୫୨୦ ଶକାବ୍ଦ, ୧୫୯୮ରେ ଲିଖିତ ଦ୍ୱିତୀୟ ଶିଳାଲିପି ଦ୍ୱୟରେ ଅଛି - ‘କଟେକ ପଛିମେ ପରଙ୍ଗ ଖୁଦୀରଥୀତ କଟେକ (ସୂଦ୍ରରାଜା) ଉଲ୍ଲେଖ ଥିଲାବେଳେ (ମହାପାତ୍ର କେଦାରନାଥ-୬) ୧୫୯୩ ଖ୍ରୀ.ଅ.ରେ ରଚିତ ଆକବର ନାମାରେ ମାନସିଂହଙ୍କର Khurda (ଖୁର୍‌ଦା) କଥା ଲିପିବଦ୍ଧ । ସେହିପରି ଅଲବଦାଉନି (Al-Badaoni) କୃତ ମନ୍ତଖାବୁତ୍‌-ତଉଆରିଖ (Muntkha but-Tawarikh) ରେ Khurda (ଖୁରୁଦା) ରାଜା ରାମଚନ୍ଦ୍ରଙ୍କ ବିଷୟ ଉଲ୍ଲେଖ ଅଛି । ସପ୍ତଦଶ ଶତାବ୍ଦୀରେ ରଚିତ ନୀଳ ସୁନ୍ଦର ଗୀତାରେ ଲେଖା ଅଛି - ଖୋରଧା କରିବ ସ୍ଥିତି । ଦୀନକୃଷ୍ଣ ଦାସ ସ୍ଵୀୟ ରସବିନୋଦରେ ଲେଖିଛନ୍ତି ‘‘ଖୋରଧା କଟକ ନଗର - ରହିଣ ଥିଲେ ନୃପବର’ ଖୋରଧା କଟକେ ବିଶ୍ରାମ ଇତ୍ୟାଦି । କବି ବିଶ୍ଵମ୍ବର ଦାସ ବିଚିତ୍ର ଭାରତ ସଭାପର୍ବରେ ମଧ୍ୟ ଖୋରଧାନାମେ ନଗର ଓ ଦାର୍ଢ଼୍ୟତାଭକ୍ତି ରସାମୃତ କାବ୍ୟରେ କବି ରାମଦାସ ଖୋରଧାର ରଥୀପୁରେ ନାମ ଉଲ୍ଲେଖ କରିଅଛନ୍ତି । ମୋଗଲ, ମରହଟ୍ଟା ଓ ବ୍ରିଟିଶ ନଥିପତ୍ର (Record) ରେ Khoordah (ଖୋରଧାଃ) ନାମ ଦେଖିବାକୁ ମିଳେ । ରାୟବାହାଦୁର ପଦ୍ମଚରଣ ପଟ୍ଟନାୟକଙ୍କ କବିତାର ନାଁ ‘ଖୋରଧାର ପ୍ରଥମ ଦର୍ଶନେ’ । କବି ପ୍ରସନ୍ନ ପାଟଶାଣୀଙ୍କର କବିତା ପୁସ୍ତକ- ଖୋର୍ଦ୍ଧାର କବିତା ମୁଁ ପଢ଼େ । ଐତିହାସିକ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ଖୋରଧା, ଜଗବନ୍ଧୁ ସିଂହଙ୍କ- ଖୋରଧା, ଡଃ ହରେକୃଷ୍ଣ ମହତାବ- ଖୋରଧା, ଚକ୍ରଧର ମହାପାତ୍ରଙ୍କ ଖୁର୍ଦ୍ଧା, ଖୋରଧା ନାମ ଦର୍ଶାଇ ଥିଲାବେଳେ କେଉଁ ସୂତ୍ରରୁ କିପରି ଭାବେ ତିନୋଟି ନାମ ରୂପ - ଖୋରଧା, ଖୁରୁଧା (ଖୋରଧା- ଖୁରଧା-ଖୋରଦା) ଖୁର୍ଦ୍ଧା ବା ଖୋର୍ଦ୍ଧା ହେଲା; ତାହା ଏକ ଗମ୍ଭୀର ଆଲୋଚନାର ବିଷୟ । ଆତ୍ମ ପରିଚିତ ଚର୍ଚ୍ଚାରେ ଆମେ କେଉଁ ଗୋଟିଏ ପରିଚୟକୁ ଧରି ଚିହ୍ନିତ ହେବୁ ? ଏଇ କଥା ଆଜି ଆମ ନିକଟରେ ସବୁଠାରୁ ବଡ଼ ସମ୍ବେଦନଶୀଳ ପ୍ରଶ୍ନ । ଜାତୀୟ ଆନ୍ତର୍ଜାତୀୟ କ୍ଷେତ୍ରରେ ଶବ୍ଦ ବା ପଦ ପ୍ରତୀକରେ ମୂଳ (root) ଖୋଜିବାର ରହସ୍ୟମୟ ଅଭିଯାନ ଆରମ୍ଭ ହୋଇସାରିଛି । ଆମେ ଏ ଅନ୍ତରୀଣ ମହାପ୍ରବାହରୁ ବାଦ୍‌ ହେବୁ କିପରି ?

 

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ‘ଖୁରଦା’ ଖୋରଧା ଓ ଖୋରଦା ତିନୋଟି ଶବ୍ଦ ଯଥାକ୍ରମେ Khurada, khoradha ଏବଂ Khorada ରୁପେ ଲିଖିତ । ଓଡ଼ିଆ ଇଂରାଜୀ ଅକ୍ଷରାନ୍ତରୀକରଣ (Trans Literation) ପ୍ରକ୍ରିୟାରେ ଉ-U, ଓ-O, ଦ-d, ଧ-dh ରୂପେ ସ୍ଵୀକୃତ । ତେଣୁ ଇଂରାଜୀ ଉଚ୍ଚାରଣ Khoordah (ଖୋରଦାଃ), khurdha (ଖୁର୍‌ଧା), khoorda (ଖୋର୍‌ଦା) ହେବା ଅଧିକ ସମୀଚୀନ । ‘ଖୋରଧା’ ଶବ୍ଦର ଅର୍ଥତାତ୍ତ୍ୱିକ ଦିଗକୁ ଲକ୍ଷ୍ୟ କରାଯାଉ । ପ୍ରକୃତରେ ଏହା ଏକ ସଂସ୍କୃତ ? ଦ୍ରାବିଡ଼ ? କି ଆଦିବାସୀ ଶବ୍ଦ, ଜାଣିବା କଷ୍ଟ ଖୋରଧା- ଖୁରୁଦା- ଖୋରଦା-ଶବ୍ଦ ତତ୍ତ୍ୱ‌ଟି ଏହିପରି ହୋଇପାରେ । ଖିର+ଦା, ଖୋର+ଧା (ଦା) ବା ଖ+ଓ+ର+ଅ+ଦ+ଆ, ଖ+ଉ+ର୍‌+ଧ+ଆ, ଖ+ଓ+ର୍‌+ଧ-+ଆ । ଖିର୍‌ ଅର୍ଥ କ୍ଷୌର କରିବା ଶସ୍ତ୍ର+ଦା’ ଅର୍ଥ ଯିଏ ଦାନ କରେ । ଏହି ଅର୍ଥଟି ଖୁରଦା ପାଇଁ ଯଥାର୍ଥ ମନେହୁଏନା । ଗବେଷକ ଚକ୍ରଧର ମହାପାତ୍ର ଉଲ୍ଲେଖ କରିଅଛନ୍ତି- ‘ଏହି କ୍ଷୁରଧାର ଠୁ ତୀକ୍ଷ୍ଣ ଶତ୍ରୁଘାତୀ ଭୂମି ‘ଖୁରଧା’ କ’ଣ ନ କରିପାରନ୍ତା ? (ମହାପାତ୍ର- ୨୦୬) । ଖୁର୍‌ ଶବ୍ଦର ଅନ୍ୟ ଏକ ଅର୍ଥ ନଖୀ ନାମକ ସୁଗନ୍ଧ ଦ୍ରବ୍ୟ-। ଏହା ସାମୁଦ୍ରିକ ଶାମୁକାର ଖୋଳ, ପୋଡ଼ିଲେ ସୁଗନ୍ଧ, ବାହାରେ (fasciolarica a scented herb) ଅର୍ଥାତ୍‌ ଯେଉଁ ଭୂମି ଏକ ସାମୁଦ୍ରିକ ଗୁଳ୍ମଜାତ ସୁଗନ୍ଧ ଦାନ କରିପାରେ, ସେ ‘ଖୁରଦା’ । ଖୋରଧା ନାମକ ନାମବାଚକ ଦେଶଜ ଗ୍ରାମ୍ୟ ବିଶେଷ୍ୟ ପଦ, ଯାହାର ଅର୍ଥ ପାର୍ବତ୍ୟ ପ୍ରଦେଶ ।’ ଏହା ଯଥାର୍ଥ ଅପରନ୍ତୁ ‘ଖୁରଧା’ ଶବ୍ଦର ଅର୍ଥତାତ୍ତ୍ୱିକ ଦିଗଟି ସଂପୂର୍ଣ୍ଣ ଅସ୍ପଷ୍ଟ । ଅନେକ ଉଚ୍ଚାରଣ ପରେ କାବ୍ୟିକ ଶବ୍ଦ ‘ଖୋରଧା’ । ଯେ ସଂକ୍ଷେପରେ ‘ଖୋର୍ଦ୍ଧା’ ହୋଇଛି; କହିଲେ ଅଯୌକ୍ତିକ ହେବ ନାହିଁ ।

 

ଓଡ଼ିଶାରେ ଖୋରଧା (khordha), ଶବ୍ଦ ଦୁଇଥର ଦୃଶ୍ୟମାନ ହେଉଥିଲାବେଳେ ଖୋରଦା (Khorda), ଭାରତବର୍ଷର ଅନ୍ୟାନ୍ୟ ପ୍ରାନ୍ତରରେ ଅନ୍ୟୁନ ପାଞ୍ଚଥର ଦୃଶ୍ୟମାନ ହୁଏ (Balkrish nan-14) । ଗୁଜୁରାଟର ବନଷ୍କଣ୍ଠ ଜିଲ୍ଲା ଓ ମଧ୍ୟପ୍ରଦେଶ ଖଣ୍ଡତ୍ତ୍ୱା (ପୂର୍ବନିମର) ଜିଲ୍ଲାରେ ଥରେ ଲେଖାଏଁ ଦେଖିବାକୁ ମିଳେ । ପଶ୍ଚିମ ବଙ୍ଗଳାରେ ଖୋରଦା (Khorda) ତିନିଥର ଦେଖାଯାଏ- ଉତ୍ତର ଚବିଶ ପ୍ରଗଣା, ଦକ୍ଷିଣ ଚବିଶ ପ୍ରଗଣା ଓ ମିଦନାପୁର ଜିଲ୍ଲାରେ । ଖୁର୍‌ଦା (khurda) ଶବ୍ଦର ସ୍ଥାନମାନ ସଂଖ୍ୟା ଭାରତବର୍ଷରେ ଛଅ ଗୋଟି । ଦୁଇଗୋଟି ସ୍ଥାନ ମଧ୍ୟପ୍ରଦେଶରେ ଏବଂ ଚାରୋଟି ଉତ୍ତର ପ୍ରଦେଶରେ ଅବସ୍ଥିତ ।

 

ତା’ଛଡ଼ା ଖୋରଦା (Khorda) ପୂର୍ବ ପ୍ରତ୍ୟୟ ରୂପେ ଭାରତବର୍ଷର ଅଠରଗୋଟି ସ୍ଥାନ ନାମ ସହିତ ସଂପୃକ୍ତ । ପଶ୍ଚିମ ବଙ୍ଗଳାରେ ଖୋରଦା ପଲାସୀ, ମହାରାଷ୍ଟରେ ଖୋରଦାଛକ, ଓଡ଼ିଶାରେ ଖୋରଦଙ୍ଗା ଅପରନ୍ତୁ ଖୁରଦା (Khurda) ଭାରତବର୍ଷର ପନ୍ଦରଗୋଟି ସ୍ଥାନନାମ ସହିତ ସଂପୃକ୍ତ । ଉତ୍ତରପ୍ରଦେଶର ଖୁରଦାପୁର, ଓଡ଼ିଶାର ଖୁରଦାଗୁହ, ଗୁଜୁରାଟର ଖୁରଦାବାଦ ।

 

ଖୋରଧା ଏକ ସ୍ଥାନୀୟ ସଂପୂର୍ଣ୍ଣ ରୂପେ କଥିତ ଶବ୍ଦ ପରି ମନେ ହେଉଥଲେହେଁ ଯୋରାଷ୍ଟରୀୟ ସଂପୃକ୍ତିକୁ ନେଇ ଏହାର ବିଚାର କରାଯାଇପାରେ । ଜେନ୍ଦ୍‌ ଆଭେସ୍ତା ହେଉଛି ପୂରାତନ ଜୋରାଷ୍ଟରୀୟମାନଙ୍କର ଏକ ଧର୍ମଶାସ୍ତ୍ର । ଏଇ ଆଭେସ୍ତାର ଏକ ବିଭାଗ (ଭାଗ)ର ନାଁ ଖୋର୍‌ଦା ଆଭେସ୍ତା (Khorda Avesta) ଅର୍ଥ କ୍ଷୁଦ୍ର ଆଭେସ୍ତା । ଜୋରାଷ୍ଟରୀୟ-ମାନଙ୍କର ଦୈନିକ ପ୍ରାର୍ଥନାରେ ଖୋରଦାଦ୍‌ (Khordad) ହେଉଛି ସର୍ବୋତ୍ତମ ଆଧ୍ୟାତ୍ମିକ ସତ୍ତା ଯାହାକୁ ଆଦୁର୍‌ ମଜ୍‌ଦା ସୃଷ୍ଟି କରିଛନ୍ତି । ଏଇ ଖୋର୍‌ଦାଦି ସାମଗ୍ରିକ ସତ୍ତାର ପ୍ରତିନିଧି ଓ ଜଳଦେବୀ ସ୍ଵରୂପା । ଇରାନ୍‌ରେ ଖୋରଦା କୁହେ (Khordakoh-1) ନାମରେ ସ୍ଥାନମାନ ରହିଛି । ଆହୁରି ମଧ୍ୟ ‘କୋର୍‌ଦା’ ପୂର୍ବପଦ ପ୍ରତ୍ୟୟ ଯୋଗରେ ଇରାନରେ କେତୋଟି ସ୍ଥାନମାନ ଥିବାର ଜାଣିବାକୁ ମିଳେ ଯଥା- କୋର୍‌ଦାବାଦ (Kordabad), କୁର୍‌ଦାନ (kurdan), କୁର୍‌ଦାଭାନ୍‌ (kuradavan) ଇତ୍ୟାଦି । ଇରାନ୍‌ରେ ମିଳୁଥିବା ଖୋରଦା, କୋରଦା ସ୍ଥାନ ନାମକୁ ପାରସିକ ସଂପୃକ୍ତ ନେଇ ଯେବେ ପ୍ରମାଣ କରାଯିବାର ଯତ୍ନ କରାଯାଉନାହିଁ; ତା’ଠୁ ଅଧିକ ଜୋରାଷ୍ଟରୀୟ ସଂପର୍କ କଥା ହିଁ କୁହାଯାଇଛି ।

 

ଇତିହାସ କହେ ଭାରତବର୍ଷରେ ପାରସିକମାନେ ପ୍ରଥମେ ଗୁଜୁରାଟ ଉପକୂଳର ଡିଉ ତତ୍‌ପରେ ସନ୍‌ଜନ୍‌ କୂଳରେ ଖ୍ରୀ.ଅ. ଅଷ୍ଟମ ଶତାବ୍ଦୀ ବେଳକୁ ପାଦ ଦେଇଥିଲେ । ମହାଭାରତ କାଳରେ ପାରସିକମାନେ ଭାରତବର୍ଷରେ ରହିଥିବାର ‘ପରାସିକାର’ ଶବ୍ଦରୁ ଜାଣିବାକୁ ମିଳେ । କାଳିଦାସ ସ୍ଵୀୟ ରଘୁବଂଶରେ ସେମାନଙ୍କୁ କହିଛନ୍ତି ‘ଖୋରାସୀୟ’ । ଇରାନର ଏକ ସ୍ଥାନର ନାମ ଖୋରାସାନ । ଯେଉଁଠୁ ପ୍ରଥମ ଦଳ ପାରସିକ ଭାରତକୁ ଆସି ବସବାସ କରିଥିଲେ । ବିବାହର ସମେତ ପୂର୍ବ ଭାରତର ବହୁସ୍ଥାନରେ ସୂର୍ଯ୍ୟ-ଅଗ୍ନି ଉପାସନା ଧାରାଟି ଦେଖିବାକୁ ମିଳେ ଯାହା ଇରାନର ଧର୍ମଧାରା ଅଟେ । ପାରସ୍ୟର ଅନ୍ୟନାମ ପାର୍ଶ୍ଵ, ପାର୍ଶ ଅଧିବାସୀମାନଙ୍କୁ ‘ପାର୍ଶୀ’ କୁହାଯାଏ । ଭାରତବର୍ଷରେ ପାର୍ଶୀ ନାମରେ ୧୦୬ ଗୋଟି ସ୍ଥାନନାମ ରହିଛି । ତନ୍ମଧ୍ୟରୁ ଗୁଜୁରାଟରେ ଗୋଟିଏ କେବଳ ବିହାରରେ ରହିଛି ୬୯ ଗୋଟି ବିହାର ସହସ୍ର ଜିଲ୍ଲାର ଖୋରାସାନ୍‌ ଓ ପାର୍ଶୀ ସ୍ଥାନ ନାମକୁ ନେଇ ବିଚାର କଲେ ପାରସିକମାନେ ବିହାର ବାଟେ ଓଡ଼ିଶାକୁ ପ୍ରବେଶ କରିଥିଲେ ବୋଲି ହୃଦ୍‌ବୋଧ ହୁଏ । ଭାରତବର୍ଷରେ ଇରାନୀୟ ମାଗ ପୂଜକମାନଙ୍କର ସୂର୍ଯ୍ୟ ଉପାସନା କ୍ଷେତ୍ରରେ ପ୍ରଭାବ ରହିଥିବାର ଶାସ୍ତ୍ରୀୟ ପ୍ରମାଣ ରହିଛି । ମହାଭାରତରେ ଶାକଦ୍ୱୀପ ବ୍ରାହ୍ମଣମାନେ ସୂର୍ଯ୍ୟ ଓ ଅଗ୍ନି ଉପାସନା କରୁଥିବାର ଉଲ୍ଲେଖ ଅଛି । ଅନ୍ୟାନ୍ୟ ପୁରାଣରେ ମଧ୍ୟ ଉଲ୍ଲେଖ ଅଛି ମାଗମାନେ ଶାକଦ୍ୱୀପରୁ ଆସିଥିଲେ । ଏହା ସୁଲତାନର ଶାମ୍ବ ଓ କୋଣାର୍କର ଶାମ୍ବ କଥାର ସାମଞ୍ଜସ୍ୟରୁ ପ୍ରମାଣ ମିଳେ ।

 

ଅତଏବ ଖୋରଧା/ଖୋରଦା ସ୍ଥାନନାମ ଇରାନ୍ ରୁ ସ୍ଥାନାନ୍ତର ହୋଇଥିବା ଅସମ୍ଭବ ନୁହେଁ । ଆଉ ଏକ ସମ୍ଭାବନାକୁ ଅସ୍ଵୀକାର କରିହେବ ନାହିଁ ଖୋର୍ଦ୍ଧା/ ଖୋରଧା ଶବ୍ଦଟି କୋର୍ଦା > କୁର୍ଦ ଶବ୍ଦର ରୂପାନ୍ତର । ‘କୁର୍ଦ’ ଏକ ଦୁର୍ଦ୍ଦଶ ଜାତି, ଯେଉଁମାନେ ପଶ୍ଚିମ ଏସିଆର ଇରାନ୍‌ ଓ ଇରାକ୍‌ ସୀମାନ୍ତର ପ୍ରଭାବଶାଳୀ । କୁର୍ଦମାନଙ୍କ ନାମାନୁସାରେ ପାରସ୍ୟରେ ଏକ ସ୍ଥାନର ନାମ କୁର୍ଦିସ୍ଥାନ । ଖୋରଧାର ପାଇକମାନଙ୍କର ବୀରତ୍ୱ ପରାକ୍ରମ ଓ ପାର୍ବତ୍ୟ ଜୀବନ ସହିତ କୁର୍ଦମାନଙ୍କର ଜୀବନ ଚରିତ୍ର ସାମଞ୍ଜସ୍ୟ ରକ୍ଷା କରୁଥିବାରୁ କୋର୍ଦ୍ଦା ଯେ ଖୋର୍ଦ୍ଧା / ଖୋରଧା ହୋଇନାହିଁ ; କହିବା ଦୁଷ୍କର, ଖୋର୍ଦ୍ଧାର ଆଉ ଏକ ସ୍ଥାନ ନାମ କୁର୍ଦ୍ଦଙ୍ଗ, ଏହା କୁର୍ଦ୍ଦ + ଅଙ୍ଗ ନୁହେଁ ତ-?

 

‘ଖୋରଧା’ ଶବ୍ଦଟି ଖରିଜା ଦେଶଜ ଶବ୍ଦରୁ ଉତ୍ପତ୍ତି ଲାଭ କରିଥିବା ଅଧିକ ସମ୍ଭାବନା । ବୀର ବିକ୍ରମ ସିଂହଙ୍କ ରାଜ୍ୟର ଏକ କ୍ଷୁଦ୍ର ପଲ୍ଲୀର ନାଁ ହେଉଛି ‘ଖରିଜା’ । ଯେଉଁ ଗ୍ରାମ ପୂର୍ବେ ନିଷ୍କର ଥିଲା ମାତ୍ରଦାନ ଗ୍ରହିତାରୁ ବଂଶଧରମାନେ ଅନ୍ୟ ବ୍ୟକ୍ତିକୁ ବିକ୍ରି କରନ୍ତି ଓ ସରକାରଙ୍କର ଜମା ବା କରଧାର୍ଯ୍ୟ ହୋଇଯାଏ, ତାହା ଓଡ଼ିଶା ଭୁସ୍ଵତ୍ୱ ଆଇନ୍‌ରେ ଖରିଦାଜମାବନ୍ଦି ‘ଖରିଦା’ ଶବ୍ଦ କାଳକ୍ରମେ ‘ଖୋରଦା’ ହେବାରେ କୌଣସି ଅପ୍ରାସଙ୍ଗିକତା ମନେହୁଏନା । କେହି କେହି କହନ୍ତି- ଖୁରୁଧା- ଖୁର+ଧାର ଶବ୍ଦରୁ ଆସିଅଛି, ଯାହାର ଅର୍ଥ ଖୁର ପରି ଧାରଯୁକ୍ତ । ଯେଉଁ ଅଂଚଳର ଜନସମୁଦାୟ ବୀର, ପରାକ୍ରମୀ ଓ ଖୁରଧାର ପରି ତୀକ୍ଷ୍ଣ ଓ ଭୟଙ୍କର ସେ ଅଂଚଳର ନାଁ ‘ଖୁରଧା’ । ଏତାଦୃଶ ଅର୍ଥ ଯଥାର୍ଥ ମନେହୁଏନା । ଅନ ଏକ ସମ୍ଭାବନାକୁ ଏଡ଼ି ହେବ ନାହିଁ । ‘ଖୋରଧା’ ଏକ ‘ସଉରା’ ମୁଳଶବ୍ଦ (ଜର୍ଜାରସିଙ୍ଗ) । ‘ସୁଙ୍ଗ’ ପ୍ରାନ୍ତଃ ଯୋଜକ ଏକ ଶବ୍ଦ ସହଜଡ଼ିତ ଥିବା କଥା ସମୀଚୀନ ମନେହୁଏନା । ‘ଖୋରଧା’ > କୋରଡ଼ା > କୁରୁଡ଼ା (କୁସୂଲ)ରୁ ଆସିଥାଇପାରେ । ସୋରଡ଼ା > ସୁରୁଡ଼ା (ସୁସ୍ଵର)ରୁ ଆସିଅଛି । ବରଂ ଏ କ୍ଷେତ୍ରରେ ସୋରଡ଼ାର ସାମଞ୍ଜସ୍ୟ ଖୋଜିବା ଅପେକ୍ଷା କୋରଡ଼ା ( ଅଶ୍ଵପାଇଁ ଛାଟ) । ବୀରମାଟି ବା ଯୋଦ୍ଧାମାନଙ୍କୁ ଅଶ୍ଵପୃଷ୍ଠରେ ବସାଇ ଯୁଦ୍ଧକ୍ଷେତ୍ରକୁ ହସି ହସି ବିଦାୟ ଦିଏ । ଧରାଇଦିଏ ହାତରେ ‘କୋରଡ଼ା’ ‘କୋରଣ’ ନାମରୁ କୋରଦା > ଖୋରଦା > ଖୋରଧା ନହୋଇ ଥିବା ବୋଲି କିଏ କହିବ ?

 

ପୌରାଣିକ ଉତ୍ସକୁ ନେଇ ବିଚାର କଲେ ଜଣାଯାଏ- ତ୍ରେୟୋ ଯୁଗରେ ରାଜା ରାମଚନ୍ଦ୍ର ଖର ଓ ଦୂଷଣ ଦୁଇ ଅସୁରଙ୍କୁ ମୁକ୍ତି ଦେଇଥିଲେ । ତେଣୁ ରାମଚନ୍ଦ୍ରଙ୍କର ଅନ୍ୟ ଏକ ନାମ ହେଉଛି ଖରଧ୍ୱଂସୀ । ସ୍ଥାନୀୟ ଖରଗଡ଼ ଖରନାମକ ରାକ୍ଷସର ଗଢ଼ା ଖର ଉଦ୍ଧାର ପ୍ରସଙ୍ଗଟି ଯଥାର୍ଥ । ମାତ୍ର ଏଇ ଉତ୍ସକୁ ଅଧିକ ପ୍ରମାଣଯୋଗ୍ୟ କରିବା ପାଇଁ ଖୋରଧା ଜିଲ୍ଲାର ତ୍ରିବେଣୀ ଘାଟ (ପ୍ରାଚୀକୂଳ) ଅଦୂରରେ ଥବା ରାମେଶ୍ୱରକୁ ବିସ୍ମରଣ କରାଯାଇ ପାରିବ ନାହିଁ । ସୀତା ଓ ଲକ୍ଷ୍ମଣଙ୍କ ସହିତ ରାମଚନ୍ଦ୍ର ବନବାସ କାଳରେ ପ୍ରାଚୀ କୂଳେ କୂଳେ ଯାତ୍ରା କରିଥିଲେ ଓ ପିତୃପୁରୁଷଙ୍କ ପାଇଁ ଯଜ୍ଞ କରାଇଥିଲେ (ପ୍ରାଚୀ ମହାତ୍ମ୍ୟ ପଟ୍ଟନାୟକ-ପୁ-୫୫, ୫୬, ୬୧) । ଅପରନ୍ତୁ ଦଣ୍ଡକ ଯିବା ପଥରେ ଖର ଓ ଦୂଷଣ ଦୁଇ ରାକ୍ଷସଙ୍କୁ ବିନାଶ କରିଥିଲେ । ଏକଥା ପ୍ରାଚୀ ମହାତ୍ମ୍ୟରେ ଉଲ୍ଲେଖ ସହିତ ରାଧାନାଥଙ୍କ ଚିଲିକା କାବ୍ୟରେ ମଧ୍ୟ ଦେଖିବାକୁ ମିଳେ । ଖୋରଧା-ଖର+ଉଦ୍ଧାର > ଖରୋଦ୍ଧାର > ଖରୋଦ୍ଧା > ଖୋରଦ୍ଧା > ଖୋରଧା ହୋଇଥାଇପାରେ ବୋଲି ଖୋର୍ଦ୍ଧା ଜିଲ୍ଲାର କେତେ ସ୍ଥାନ ନାମକୁ ନେଇ ଯୁକ୍ତି ଉପସ୍ଥାପନ କରାଯାଇପାରେ । ଦଶାନନ ରାବଣର ଅତିପ୍ରିୟ ଥିଲେ ଓ ଖର ଦୂଷଣ ରାକ୍ଷସ । ତେଣୁ ଖର ନିବାସସ୍ଥଳୀକୁ ଖରୋଧା (ଖୋରଧା) ନାମରେ ନାମିତ କରାଯାଇଥିବା ଅଧକ ସମ୍ଭବ ।

 

ପରିଶେଷରେ ଓଡ଼ିଶାର କେନ୍ଦ୍ରସ୍ଥଳରେ ଥିବା ଖୋର୍ଦ୍ଧା ଜିଲ୍ଲାକୁ କେହି ଖରିଦ କରିନାହିଁ ତ-? ‘ଖରିଦ’ ଶହ କ୍ରୟ କରାଯିବା ଅର୍ଥରେ ବିଚାର୍ଯ୍ୟ । ଖରିଜା ଶବ୍ଦଟି ଏହି ଖରିଦ ଶବ୍ଦର ଅପଭ୍ରଂଶ । ‘ଖରିଦ୍‌ଫରୋସ’ କ୍ରିୟାରେ ମୋଗଲ ମରହଟ୍ଟା ଶବ୍ଦ ଅପଭ୍ରଂଶ ସୂତ୍ରରେ ଖୋର୍ଦ୍ଧା ହୋଇ ନାହିଁ ତ ? ଓଡ଼ିଶାର ଇତିହାସ, ପ୍ରତ୍ନତତ୍ତ୍ୱ, ଭୂଗୋଳ ଓ ସାଂସ୍କୃତିକ ଶବ୍ଦକୋଷରେ ‘ଖୋର୍ଦ୍ଧା’ / ଯେତେ ଯେତେ ଶବ୍ଦରୂପ ଲାଭ କରିଥାଉନା କାହିଁକି, ଏଣିକି ଆମେ ‘ଖୋର୍ଦ୍ଧା’ କହିବାରେ ଓ କବିଟିଏ ‘ଖୋରଧା’ ଲେଖିବାରେ ଆପତ୍ତି କେଉଁଠି ?

 

ସହାୟକ ଗ୍ରନ୍ଥ ସୂଚୀ :

(୧)

ମହତାବ, ଡଃ ହରେକୃଷ୍ଣ, ଓଡ଼ିଶା ଇତିହାସ,

(୨)

ମିଶ୍ର, କୃପାସିନ୍ଧୁ -ଉତ୍କଳ ଇତିହାସ, ୧୯୭୯, ବୁକ୍‌ସ ଏଣ୍ଡ ବୁକ୍‌ସ, କଟକ

(୩)

ମହାପାତ୍ର, ଚକ୍ରଧର - ଉତ୍କଳ ଇତିହାସର ଅଜ୍ଞାତ ଅଧ୍ୟାୟ, ୧୯୮୯, ଫ୍ରେଣ୍ଡସ୍‌, କଟକ

(୪)

ମହାପାତ୍ର, କେଦାରନାଥ - ଖୁରୁଧା ଇତିହାସ, ୧୯୬୯, ଗ୍ରନ୍ଥମନ୍ଦିର, କଟକ

(୫)

ହରିଚନ୍ଦନ, ଫକୀର - ଖୋର୍ଦ୍ଧା ଇତିହାସର ଅନ୍ତରାଳେ, ୧୯୯୯, ଭାରତଭାରତୀ, କଟକ

(୬)

ହରିଚନ୍ଦନ, ଫକୀର - ଓଡ଼ିଶା ଇତିହାସର ଅନାଲୋଚିତ ଅଧ୍ୟାୟ, ୨୦୦୩, ଭାରତଭାରତୀ, କଟକ

(୭)

ବିଶ୍ଵାଳ, କୃପାସିନ୍ଧୁ - ଓଡ଼ିଶାର ଗଡ଼ ଓ ଗଡ଼ଖାଇ, ୨୦୦୧, କେ.କେ. ମିଶ୍ର, କଟକ

(୮)

Cultural Heritage of khurda- Fakirmohan Smruti Samsad, BBSR, 2003,

(୯)

Sterling, Orissa- Prafulla, 2004

(୧୦)

Hunter, WW-A Hist of Orissa-New Age Publications, 2005

 

 

ପ୍ରାଧ୍ୟାପକ, ଓଡ଼ିଆ ବିଭାଗ

ନିମାପଡ଼ା କଲେଜ, ନିମାପଡ଼ା

ପୁରୀ- ୭୫୨୧୦୬

 

***

 

ଆମେରିକା କଥାସାହିତ୍ୟରେ ଔପନ୍ୟାସିକ ‘ସଲ୍‌ବେଲୋ’

ଡକ୍ଟର ମନ୍ମଥ କୁମାର ପ୍ରଧାନ

 

ଅଷ୍ଟାଦଶ ଶତାବ୍ଦୀରେ ଶେଷଭାଗ ପର୍ଯ୍ୟନ୍ତ ଆମେରିକା ସାହିତ୍ୟର ବିକାଶ ହୋଇ ନଥିଲା କହିଲେ ଚଳେ । ଏପର୍ଯ୍ୟନ୍ତ ଆମେରିକା ଅଧିବାସୀମାନଙ୍କର ସାହିତ୍ୟିକ ଓ ସାଂସ୍କୃତିକ ଚେତନା ଔପନିବେଶିକ ଚିନ୍ତାଧାରା ଦ୍ଵାରା ବହୁଭାବେ ପ୍ରଭାବିତ ହୋଇଥିଲା । ଆମେରିକୀୟ ଜୀବନ ଉପରେ ଆଧାରିତ କୌଣସି ବଳିଷ୍ଠ ସାହିତ୍ୟ ସୃଷ୍ଟି ସେ ପର୍ଯ୍ୟନ୍ତ ହୋଇନଥିଲା । ଏହି ଶତାବ୍ଦୀର ଶେଷ ଭାଗରେ କେତେଜଣ ବିଶିଷ୍ଟ ଲେଖକ ଆମେରିକାର ଜୀବନ ଉପରେ ପର୍ଯ୍ୟବେସିତ ମୌଳିକ ସୃଷ୍ଟିମାନ କରିବାକୁ ଉଦ୍ୟମ କରିଥିଲେ । ଆମେରିକାରେ ପ୍ରଥମ ଉପନ୍ୟାସ ସମ୍ପର୍କରେ ସମାଲୋଚକମାନଙ୍କ ମଧ୍ୟରେ ମତପାର୍ଥକ୍ୟ ରହିଛି । ଯାହା ହେଉନା କାହିଁକି Hill Brown ଙ୍କ ‘The Power of Sympathy’ ଏପର୍ଯ୍ୟନ୍ତ ସର୍ବସମ୍ମତ ଭାବେ ପ୍ରଥମ ଉପନ୍ୟାସ ହିସାବରେ ଗୃହୀତ ହୋଇ ଆସିଛି । ଏହା ୧୭୮୯ ଖ୍ରୀ:ପୂ:ରେ ପ୍ରକାଶ ପାଇଥିଲା । ବ୍ରାଉନ୍‌ ପ୍ରସିଦ୍ଧ ଜର୍ମାନ ଲେଖକ ଗେଟେଙ୍କର ‘The Sorrows of Young Werther’ ଉପନ୍ୟାସ ଦ୍ଵାରା ପ୍ରଭାବିତ ହୋଇଥିଲେ । ଏହି ଉପନ୍ୟାସ ହିଁ ଅନ୍ୟ ଲେଖକମାନଙ୍କୁ ସୃଷ୍ଟିର ଆଦି ଉତ୍ସ ରୂପେ ଯଥେଷ୍ଟ ଖୋରାକ ଯୋଗାଇଥିଲା । ଏହି ପ୍ରକ୍ରିୟା କ୍ରମଶଃ ବିକାଶ ଲାଭ କରି ଉନବିଂଶ ଶତାବ୍ଦୀରେ ଏକ ସ୍ଵକୀୟ ତଥା ପ୍ରଭାବଶାଳୀ ଉପନ୍ୟାସ ଧାରାର ସୃଷ୍ଟି କରିବାରେ ଅନେକ ସହାୟ ହୋଇଥିଲା ।

 

Brownଙ୍କ ପରେ ସୁଶାନା ରାଉସ୍‌ଙ୍କ ଦ୍ଵାରା ଲିଖିତ Charlotte Temple ୧୯୯୧ ଖ୍ରୀ:ଅ:ରେ ପ୍ରକାଶିତ ହେଲା । ଜଣେ ନିଉୟର୍କବାସୀ ପ୍ରଚାରକ ସହିତ ଏକ ଇଂରାଜୀ ଲାଲିନାର ବିବାହର ବିୟୋଗାନ୍ତକ ପରିଣତି ଏହି ଉପନ୍ୟାସର କଥାବସ୍ତୁ । ଏହାର ଆଳଙ୍କାରିକ ଭାଷା ଏବଂ ପ୍ରାଚୀନ ରଚନାଶୈଳୀ ବହୁ ପରିମାଣରେ ବାସ୍ତବ ଜୀବନଠାରୁ ପୃଥକ ହେଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର ଗୁରୁତ୍ୱ ତଥା ପ୍ରଭାବ ଆମେରିକାର ପାଠକ ମହଲରେ ରହିଛି । ମୁଶାନ୍‌ଙ୍କ ପରେ Hannah Foster ଙ୍କ The conquette ଉପନ୍ୟାସ ୧୭୯୫ ଖ୍ରୀ:ରେ ପ୍ରକାଶିତ ହେଲା । ଏଲିଜା ନାମ୍ନୀ ନାରୀ କିଭଳି ଅର୍ଥ ପାଇଁ ଶୋଚନୀୟ ଭାବରେ ମୃତ୍ୟୁବରଣ କରିଛି, ତାହାହିଁ ଏହାର କଥାବସ୍ତୁ । ଅଷ୍ଟାଦଶ ଶତାବ୍ଦୀ ଓ ଉନବିଂଶ ଶତାବ୍ଦୀର କିୟଦଂଶ ପର୍ଯ୍ୟନ୍ତ ଉପନ୍ୟାସର ଧାରା ଆଲୋଚନା କଲେ ଆମ୍ଭେମାନେ ଜାଣିବାକୁ ପାଉ ଯେ ଉପନ୍ୟାସଗୁଡ଼ିକ ଏହି ସମୟରେ ମୁଖ୍ୟତଃ ତିନୋଟି ଭାବଧାରା ଦ୍ଵାରା ଆଧାରିତ ହୋଇଥିଲା । ଯଥା-Sentimental Novels, Satirical Novels, Gothic Novels ପ୍ରଥମେ ଯେଉଁ ଉପନ୍ୟାସଗୁଡ଼ିକର ଆଲୋଚନା ହୋଇଛି, ସେଗୁଡ଼ିକ ଆବେଗ ପ୍ରଧାନ ଉପନ୍ୟାସର ଅନ୍ତର୍ଭୁକ୍ତ । ୧୭୯୭ ମସିହାଠାରୁ ୧୮୧୫ ମସିହା ଦୀର୍ଘ ତେଇଶ ବର୍ଷ ଭିତରେ Henry Backerridge ତାଙ୍କର ଏକ ଉପନ୍ୟାସ ବିଭିନ୍ନ ପର୍ଯ୍ୟାୟରେ ପ୍ରକାଶ କରିଥିଲେ । ଏହି ଉପନ୍ୟାସର ନାମ ହେଉଛି Modern Chivalry । ଏହି ବିରାଟ ସୃଷ୍ଟି ସାଧାରଣତଃ Picturesque (ଚିତ୍ରଧର୍ମୀ) ଉପନ୍ୟାସର ଅନ୍ତର୍ଭୁକ୍ତ । ଏହି ଉପନ୍ୟାସର ଖଳନାୟକ ମୁଖ୍ୟ ନାୟକ ରୂପେ ବିବେଚିତ ହୋଇଥାଏ । କ୍ୟାପ୍‌ଟାନ୍‌ ଫାରାଗୋ ନାମକ ଜଣେ ଜମିଦାର ଏବଂ ଟିଗ୍ୟୁ ନାମକ ଜଣେ ଭୃତ୍ୟର ଭ୍ରମଣ କାହାଣୀ ହିଁ ଏହାର ମୁଖ୍ୟ କଥାବସ୍ତୁ । ସେମାନଙ୍କ ଭ୍ରମଣ କାଳରେ ଭୃତ୍ୟଟି ବାରମ୍ବାର ଭୁଲ କରିଛି ଏବଂ ସେସବୁ ଭୁଲକୁ ତାର ମୁନିବ ସଂଶୋଧନ କରିଛନ୍ତି । କୁହାଯାଏ ଯେ, ଏହି ଉପନ୍ୟାସ ଆମେରିକା ଗଣତନ୍ତ୍ର ଶାସନ ପଦ୍ଧତି ଉପରେ ଏକ କଠିନ ସମାଲୋଚନା । ମାତ୍ର ଏହାକୁ ଏକ ନୀତିବାଦୀ ଉପନ୍ୟାସ ବୋଲି କୁହାଯାଇପାରେ । ଗଣତନ୍ତ୍ର ଶାସନରେ କିଭଳି ଯୋଗ୍ୟତାହୀନ ବ୍ୟକ୍ତି ସହସ୍ର ସହସ୍ର ଲୋକଙ୍କର ଜୀବନଧାରାକୁ ନିୟନ୍ତ୍ରଣ କରିବାରେ ସୁଯୋଗ ପା’ନ୍ତି- ଏହି ନିଷ୍ଠୁର ବାସ୍ତବ କଥାକୁ ଟିଗ୍ୟୁର ଚରିତ୍ର ମାଧ୍ୟମରେ ଦର୍ଶାଯାଇଛି । ଗଥିକ୍‌ ଉପନ୍ୟାସର ପ୍ରଚଳନ Charles Brockden Brownଙ୍କ ଦ୍ଵାରା ଆରମ୍ଭ ହୋଇଥିଲା Brown ଆମେରିକାର ଏକ ପ୍ରଥମ ଶ୍ରେଣୀର ଲେଖକ ଭାବରେ ଆଦୃତ । ତାଙ୍କର ପ୍ରସିଦ୍ଧ ଉପନ୍ୟାସ ‘Wieo Land’ ସମସାମୟିକ ଆମେରିକା ଓ ଇଂଲଣ୍ଡରେ ପ୍ରଶଂସା ଲାଭ କରିଥିଲା । ଏହି ଉପନ୍ୟାସରେ ଏକ ବିକୃତ ମାନସିକ ବ୍ୟାଧିଗ୍ରସ୍ତ ‘ଓ୍ୱାଇଲ୍ୟାଣ୍ଡ’ ନାମରେ ଜଣେ ବ୍ୟକ୍ତି କିପରି ନିଜସ୍ତ୍ରୀ ଓ ସନ୍ତାନମାନଙ୍କୁ ନିଷ୍ଠୁର ଭାବରେ ହତ୍ୟା କରିଛି – ତାହାହିଁ ଏହାର ଆଧାରିତ ବିଷୟବସ୍ତୁ-। ମୋଟ ଉପରେ ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗ ଓ ଉନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଆମେରିକୀୟ ଜୀବନ ଉପରେ ପର୍ଯ୍ୟବେସିତ ମୌଳିକ ଉପନ୍ୟାସ ମାନ ସୃଷ୍ଟି ହୋଇଥିଲା । ଏହି ସମୟରେ ଯେଉଁ ଔପନ୍ୟାସିକମାନେ ଆବିର୍ଭାବ ହୋଇଥିଲେ ସେମାନଙ୍କ ମଧ୍ୟରେ କୁପାର, ସିମ୍‌ସ, ନାଥାନି ଏଲହଥାର୍ଣ୍ଣ, ପୋ, ମିସେସ୍‌ ହେରିଏଟ୍‌, ହଥେର୍ଣ୍ଣ, ମେଲ୍‌ଭିଲ, ଅଗ୍ରଗଣ୍ୟ । ହଥେର୍ଣ୍ଣଙ୍କର The Scarlet Letter ଓ The house of the gables ସମସାମୟିକ ଆମେରିକାର ଧର୍ମୀୟ ନିଷ୍ପେଷଣ ଓ ସାମାଜିକ ପୃଷ୍ଠଭୂମି ଉପରେ ପର୍ଯ୍ୟବେସିତ । ମେଲ୍‌ଭିଲ ଅନେକ ପରିମାଣରେ ହଥର୍ଣ୍ଣଙ୍କଠାରୁ ଭିନ୍ନ ଦୃଷ୍ଟିଭଙ୍ଗୀର । ସେ ଜୀବନର ବହି ରଂଗର ଛବିରେ ପ୍ରଭାବିତ ହୋଇ ନଥିଲେ । ତାଙ୍କ ମତରେ ଜୀବନ ଓ କଳା ଭିତରେ ସୁସମ୍ପର୍କ ଥିଲେ ମଧ୍ୟ ଆମେ ଜୀବନକୁ ଯେଉଁଭଳି ଅଧ୍ୟୟନ କରୁ ଜୀବନ ପ୍ରକୃତରେ ତାହା ନୁହେଁ । ମିସେସ୍‌ ଷ୍ଟୋ ମଧ୍ୟ ଏକ ଭିନ୍ନ ଧରଣର ଲେଖିକା । ତାଙ୍କର ପ୍ରସିଦ୍ଧ ଉପନ୍ୟାସ - ‘Uncle tom’s cabin’ ଆମେରିକାର ଶ୍ଵେତାଙ୍ଗମାନଙ୍କର ନିଗ୍ରୋ ନିଷ୍ପେଷଣର ଏକ ଜୀବନ୍ତ କରୁଣ କାହାଣୀ । ଆମେରିକାରୁ ଦାସତ୍ୱ ପ୍ରଥା ଲୋପ କରିବା ଦିଗରେ ରାଷ୍ଟ୍ରପତି ଆବ୍ରାହମ୍‌ ଲିଙ୍କନ ରାଜନୈତିକ ଦୃଷ୍ଟିରୁ ଯେପରି ଉଦ୍ୟମ କରିଥିଲେ, ଶିଳ୍ପୀ ଭାବରେ ମିସେସ୍‌ ଷ୍ଟୋ’ଙ୍କ ପ୍ରଚେଷ୍ଟାରେ ସେହି ଦୃଷ୍ଟିରୁ କୌଣସି ପ୍ରକାରରେ ନ୍ୟୁନ ନୁହେଁ ।

 

ମାର୍କଟ୍ୱାଇନ୍‌ ମଧ୍ୟ ଏହି ସମୟର ଜଣେ ବଳିଷ୍ଠ ଲେଖକ ଗଳ୍ପ ଓ ଉପନ୍ୟାସ ରଚନାରେ ସେ ବେଶ୍‌ ଖ୍ୟାତି ଅର୍ଜନ କରିଛନ୍ତି । ତାଙ୍କର ବଳିଷ୍ଠ ହାସ୍ୟରସ ଓ ବିଦ୍ରୂପ କେବଳ ବର୍ଣ୍ଣାଡ଼ ଶ’ଙ୍କ ଦ୍ଵାରା ଅତିକ୍ରମ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । Howell ମଧ୍ୟ ଏ ସମୟର ଜଣେ ବଳିଷ୍ଠ ଔପନ୍ୟାସିକ । ତାଙ୍କର ‘‘The Sliver-weading Journey’’, The Kuntuns, ‘‘A Fearful- Responsibilities’’, Indian Summer ଇତ୍ୟାଦି ଉପନ୍ୟାସଗୁଡ଼ିକ ସଫଳ ସୃଷ୍ଟି ରୂପେ ଆଦୃତ । ସମାଜର ନୈତିକ ମୂଲ୍ୟବୋଧ ଓ ବାସ୍ତବବାଦ ଭିତରେ ସ୍ରଷ୍ଟାମାନସ ସମନ୍ୱୟ ସ୍ଥାପନ କରିଛନ୍ତି ।

 

Edgarwhartonଏହି ଶତାବ୍ଦୀର ଜଣେ ଲବ୍ଧ ପ୍ରତିଷ୍ଠିତ ପ୍ରତିଭା । ନାରୀ ଲେଖିକା ଭାବରେ ସେ ଆଦୃତି ଲାଭ କରିଥିଲେ । ପୁଞ୍ଜିପତିମାନଙ୍କର ଶୋଷଣ, ସମାଜର ସଂକୀର୍ଣ୍ଣ ଦୃଷ୍ଟିଭଂଗୀ ବିରୋଧରେ ସେ ସ୍ଵର ଉତ୍ତୋଳନ କରିଛନ୍ତି । ଏହି ସମୟରେ ବହୁ ଲେଖକ ଆବିର୍ଭାବ ହୋଇ ଥିଲେହେଁ, ସେମାନଙ୍କ ମଧ୍ୟରୁ Willa Sibert, Ellen Glasgow, Branch Cabell, Sinclari Lewis, Sherwood Anderson, Ring Lardner ପ୍ରଭୃତି ଔପନ୍ୟାସିକମାନେ ପ୍ରଧାନ । Henery James ଏ ଯୁଗରେ ଜଣେ ସ୍ମରଣୀୟ ପ୍ରତିଭା । ଉଇଲିୟମ ଫଳନର, ହେମିଂଓ୍ୱେ, ଜନ୍‌ଷ୍ଟାଇନ୍‌ ବେକ୍‌ ଆଦି ଔପନ୍ୟାସିକ ନୋବେଲ ପୁରସ୍କାର ପାଇଛନ୍ତି ।

 

ଏହି ସମୟରେ ଆମେରିକାର ପ୍ରଖ୍ୟାତ ଶିଳ୍ପୀ ତଥା ନୋବେଲ ବିଜେତା ଔପନ୍ୟାସିକ ସଲ୍‌ବେଲୋ Saul Below ଆବିର୍ଭାବ ହୋଇଥିଲେ । ବୌଦ୍ଧିକ ଚିନ୍ତନ, ଆଧୁନିକ ସଭ୍ୟତାର ବିବିଧ ସମସ୍ୟା, ମାନସିକ ଦ୍ଵନ୍ଦ୍ଵ ପ୍ରଭୃତିର କଳାତ୍ମକ ପରିପ୍ରକାଶ ତାଙ୍କ ଲେଖାରେ ପରିଦୃଷ୍ଟ ହୋଇଥାଏ । ୧୯୧୫ ମସିହା ଜୁଲାଇ ଦଶ ତାରିଖରେ ସେ ଲାଟିନ୍‌ କ୍ୟୁବେକ୍‌ ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଆବ୍ରାହମ୍‌ ବେଲୋ । ମାତାଙ୍କ ନାମ ଲିଜାବେଲୋ । ପରିବାରର ଚାରୋଟି ସନ୍ତାନଙ୍କ ମଧ୍ୟରେ ସେ ଥିଲେ ସବୁଠାରୁ ସାନ । ପିଲାଦିନରୁ ଜଣେ ଭଲ ଲେଖକ ହେବାର ସେ ସ୍ଵପ୍ନ ଦେଖିଥଲେ । ସେ ହିନ୍ଦୁ, ଇଂରାଜୀ, ଇଡ଼ିସ୍‌ ଓ ଫରାସୀ ଭାଷା ଶିଖି ପାରିଥିଲେ-। ୧୯୩୩ ମସିହାରେ ହାଇସ୍କୁଲ ପରୀକ୍ଷାରେ ପାସ୍‌ କରି ଚିକାଗୋ ବିଶ୍ଵବିଦ୍ୟାଳୟରେ ପ୍ରବେଶ କରିଥିଲେ । ସେଠାରେ ସେ ଅଧ୍ୟୟନ ନକରି ୧୯୩୫ ମସିହାରେ North Western University ଅଧ୍ୟୟନ କଲେ ୧୯୩୭ରେ ନୃତତ୍ତ୍ୱ ଓ ସାମାଜିକ ବିଜ୍ଞାନରେ ଡିଗ୍ରୀ ହାସଲ କଲେ । ସେ ଚିକିତ୍ସା ଶାସ୍ତ୍ରରେ ଅଧ୍ୟୟନ କରିଥିଲେ । ଅନିତାଗମ୍‌କିନ୍‌ ନାମକ ସମାଜସେବୀଙ୍କୁ ସେ ବିବାହ କରିଥିଲେ । କିଛିଦିନ ଶିକ୍ଷକତା ମଧ୍ୟ କରିଥିଲେ । ୧୯୩୪ ମସିହାରେ Encyclopedia Britanica ର ସଂପାଦନା ମଣ୍ଡଳୀରେ ଜଣେ ସଭ୍ୟ ହେବାର ସୌଭାଗ୍ୟ ଲାଭ କରିଥିଲେ । କ୍ରମେ ଲେଖାଲେଖିରେ ମନୋନିବେଶ କରି ସେ ଲୋକପ୍ରିୟ ହୋଇଥିଲେ । ତାଙ୍କର ଆଠଟି ଉପନ୍ୟାସ ଏକ ଏକ ସଫଳକୃତି । ସେଗୁଡ଼ିକ ହେଲା- Dangling Man (୧୯୪୪), The victim (୧୯୪୭), The Adventures of Augie March (୧୯୫୩), Sieze the Day (୧୯୫୬), Henderson the Rainking (୧୯୫୯), Herzon(୧୯୬୪), Mr. Sammler’s Planet (୧୯୬୯) Humboldt’s Gift (୧୯୭୫) ।

 

ତାଙ୍କର The Last Analysis (୧୯୬୫) ଏକ ନାଟକ ମଧ୍ୟ ଦେଖିବାକୁ ମିଳେ । ଏଗାରଟି ଗଳ୍ପ ସଂକଳନ ସଲ୍‌ବେଲୋର ଅନନ୍ୟ ପ୍ରତିଭାର ଜ୍ୟୋତିକ । ସେଗୁଡ଼ିକ ହେଲା- Two Morning Mono- logues (୧୯୪୧), The Maxican General (୧୯୪୨), Dora(୧୯୪୯) Sermon by Doctorpep (୧୯୪୯) Tripto Galena (୧୯୫୦) Looking for Mr.Green (୧୯୫୧), By the Rock Wall (୧୯୫୧), Address by Gooley Mac Dowell to the Hasbeens -club to chicago (୧୯୫୧), A Father to be Newyorker (୧୯୫୫), The Gozaga Manuscripts (୧୯୫୬), Leaving the Yellow house (୧୯୫୮) । ଏହା ବ୍ୟତୀତ ବହୁତ ପ୍ରବନ୍ଧ ବିଭିନ୍ନ ପତ୍ରିକାରେ ପ୍ରକାଶିତ ହୋଇଛି ।

 

୧୯୭୬ ମସିହାରେ ସେ ନୋବେଲ ପୁରସ୍କାର ପାଇ ବହୁ ଚର୍ଚ୍ଚିତ ହୋଇଛନ୍ତି । ପୃଥିବୀରେ ଜଣେ ବିଶିଷ୍ଟ ଔପନ୍ୟାସିକ ଭାବରେ ସେ ସ୍ୱୀକୃତ । ଏହା ପୂର୍ବରୁ ସେ ତିନିଥର ଆମେରିକାର National Book Award ପାଇଥିଲେ ଓ ୧୯୭୦ ମସିହାରେ Humboldt’s Gift ଉପନ୍ୟାସ ପାଇଁ ସେ ସମ୍ମାନଜନକ ‘‘ପୁଲ୍‌ଜିର’’ ପୁରସ୍କାର ପାଇଥିଲେ ।

 

ସଲ୍‌ବେଲୋ ଜଣେ ଇହୁଦୀ ଆମେରିକୀୟ ଲେଖକ । ତାଙ୍କ ଉପନ୍ୟାସର ଅଧିକାଂଶ ଚରିତ୍ର ଇହୁଦୀ । ଆମେରିକୀୟ ବ୍ୟକ୍ତିବାଦ ସହିତ ମିଶି ଏକ ମାନବିକ ଆବେଦନ ହିଁ ସଲବେଲୋଙ୍କ ଉପନ୍ୟାସକୁ ଲୋକପ୍ରିୟ କରିଛି । ଆଧୁନିକ ସଭ୍ୟତାର ଯାବତୀୟ ନୈରାଶ୍ୟ, ବ୍ୟର୍ଥତାକୁ ଗଭୀର ମନନଶୀଳତା, ମାନବିକ ସହାନୁଭୂତି ଓ ବିଶ୍ଳେଷଣରେ ବେଲୋ ମଣିଷ ଆତ୍ମାର ସୌନ୍ଦର୍ଯ୍ୟକୁ ଉଦ୍‌ଘାଟନ କରିଛନ୍ତି ।

 

ବେଲୋଙ୍କର ସମସ୍ତ ଉପନ୍ୟାସର ମୁଖ୍ୟ ଚରିତ୍ର ଗୁଡ଼ିକ ଅତି ବ୍ୟସ୍ତ-ବିବ୍ରତ ହୋଇ ମୁକ୍ତି ଖୋଜିଛନ୍ତି । ଜୀବନ ସହିତ ସାଲିସ କରି ଏକ ଶତୃତା ପରାୟଣ ପୃଥିବୀରେ ଅର୍ଥପୂର୍ଣ୍ଣ ଭାବରେ ବଞ୍ଚିବାକୁ ସେମାନେ ଚାହାଁନ୍ତି ଅନେକ ପ୍ରକାର ଯଥା ସାମାଜିକ ବୌଦ୍ଧିକ ଭାବୋଚ୍ଛ୍ୱାସିକ ଧର୍ମ ସମ୍ବନ୍ଧୀୟ ଓ ଦାର୍ଶନିକ ଇତ୍ୟାଦି ସମସ୍ୟାକୁ ସମ୍ମୁଖୀନ କରିବାକୁ ହୁଏ । ଜୀବନରେ କିଛି ଗୋଟିଏ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଆବିଷ୍କାର କରିବାକୁ ଏହି ଚରିତ୍ରଗୁଡ଼ିକ ଭୀଷଣ ତତ୍ପର । ଏମାନେ ବାସ୍ତବତାର ସାମନା କରି ସନ୍ତୁଷ୍ଟ ହୋଇ ରହିପାରନ୍ତି ନାହିଁ, ଏକ ପ୍ରକାର ଉଚ୍ଚତର ଦିବ୍ୟଦୃଷ୍ଟିରେ ଉଦ୍‌ବୁଦ୍ଧ ହେବାପାଇଁ ସେମାନଙ୍କର ଉଚ୍ଚ ଅଭିଳାଷ ଥାଏ । ଚରିତ୍ର ଗୁଡ଼ିକ ମୃତ୍ୟୁମୁଖୀ ହେଲେହେଁ ସେମାନେ ମୃତ୍ୟୁ ମଧ୍ୟରୁ ଜୀବନକୁ ଅନୁଭବ କରନ୍ତି । ବେଲୋଙ୍କ ଉପନ୍ୟାସଗୁଡ଼ିକ ବିଚ୍ଛିନ୍ନତାବୋଧ ଦେଇ ସମନ୍ୱୟର ପ୍ରଚେଷ୍ଟା ଆଡ଼କୁ ଗତି କରନ୍ତି । ବ୍ୟକ୍ତି ମର୍ଯ୍ୟାଦା ଦେଇ ମଣିଷକୁ ମଣିଷ ଭାବରେ ଦେଖିବାର ଦୃଷ୍ଟିକୋଣ ହିଁ ବେଲୋଙ୍କ ଉପନ୍ୟାସରେ ପ୍ରାଧାନ୍ୟ ରହିଛି । ବିଶେଷ କରି ବିଶ୍ଵଯୁଦ୍ଧ ପରବର୍ତ୍ତୀ ସମୟରେ ଇହୁଦୀ ଜାତିର ଦୁର୍ଦ୍ଦଶାକୁ ଔପନ୍ୟାସିକ ମର୍ମେ ମର୍ମେ ଉପଲବ୍‌ଧି କରିଛନ୍ତି । ଏହି ରାଜନୀତିକ ସମସ୍ୟାଟିକୁ ବାଦ୍‌ ଦେଇ ସେ ବାଛି ନେଇଛନ୍ତି ଇହୁଦୀ ମଣିଷର ଦୈନନ୍ଦିନ ସମସ୍ୟା ଓ ତା’ର ମନସ୍ତାତ୍ତ୍ୱିକ ଦିଗର ବିଶ୍ଳେଷଣ କ୍ଷେତ୍ର । ତେଣୁ ଇହୁଦୀୟ ବ୍ୟକ୍ତିଟି କେବଳ ମାଧ୍ୟମ ଏକ ପ୍ରତୀକ । ବିଶ୍ଵର ସଂକଟମୟ ଅବସ୍ଥା, ଯୁଦ୍ଧ ବେକାରୀ ଜୀବନ, ଆର୍ଥକ ଦୁଃସ୍ଥିତି ମଧ୍ୟରେ ସ୍ଥିତିର ସଂଗ୍ରାମ ଇହୁଦୀର ସମସ୍ୟା ନହୋଇ ଆମେରିକାନ ସମଗ୍ର ମାନବ ଜାତିର ସମସ୍ୟା ହୋଇଛି । ବେଲୋଙ୍କ ଉପନ୍ୟାସରେ ଚରିତ୍ରଗୁଡ଼ିକ ନିରାଶା- ହତାଶା- ମଧ୍ୟରେ ଗତି କରିଥିଲେ ହେଁ ଶେଷରେ ପ୍ରଚଣ୍ଡ ଆଶାବାଦ ପ୍ରକଟ କରିଥା’ନ୍ତି । କେତେକ ସମାଲୋଚକ ବେଲୋଙ୍କୁ ସଠିକ୍‌ ଭାବରେ ବୁଝି ନପାରି ଭିନ୍ନମତ ପ୍ରଦାନ କରନ୍ତି । ମାତ୍ର ମଣିଷର ସମସ୍ତ ବିଫଳତାର ଅନ୍ତରାଳରେ ସ୍ରଷ୍ଟା ଲକ୍ଷ୍ୟ କରିଛନ୍ତି ତା’ର ମହାନତାକୁ ଓ ମଣିଷର ଅପରାଜେୟତାକୁ-। ଅଯଥା କାହାଣୀକୁ ପାରମ୍ପରିକ ରୀତିରେ ସେ ଲେଖିନାହାନ୍ତି । ଜୀବନଧର୍ମୀ ବିଷୟକୁ ନେଇ ତାଙ୍କ ଉପନ୍ୟାସଗୁଡ଼ିକ କାଳଜୟୀ ହୋଇଛି । ଏକ ନୈରାଶ୍ୟ ଜର୍ଜରିତ ମଣିଷ ସମାଜକୁ ଆତ୍ମବିଶ୍ଵାସ ଓ ଆତ୍ମଜ୍ଞାନ ଦେବାରେ ବେଲୋ ସଫଳ ହୋଇଛନ୍ତି । ତେଣୁ ୧୮୫୦ ପରବର୍ତ୍ତୀ ଆମେରିକାନ୍‌ ଲେଖକଙ୍କ ପାଇଁ ସେ ନୂତନ ଶୈଳୀ ଓ ବିଶ୍ଵାସର ପ୍ରବର୍ତ୍ତକ ହୋଇ ବହୁ ଔପନ୍ୟାସିକଙ୍କୁ ପ୍ରଭାବିତ କରିଛନ୍ତି । ମଣିଷ ଜୀବନରେ ଦୁଃଖ, ବିଫଳତା, ନୈରାଶ୍ୟ ଓ ଅପମାନ ଥିଲେହେଁ, ମଣିଷ ତାର ଆତ୍ମାର ସର୍ବଶେଷ ଆକାଙ୍‌କ୍ଷା ସଫଳ କରିବା ଲାଗି ସଦାସର୍ବଦା ଚେଷ୍ଚିତ-। ଏହି ପ୍ରୟାସ ପାଇଁ ତାର ବିଲୟ ନାହିଁ । ସେ ବହ୍ନି ରହିବ ଚିରକାଳ ଓ ଅନ୍ୟମାନଙ୍କ ପ୍ରତି ସମ୍ବେଦନଶୀଳ ହୋଇ ମଣିଷ ପୃଥିବୀରେ ପ୍ରେମ ଓ ଶାନ୍ତି ପ୍ରତିଷ୍ଠା କରିପାରେ । ଏହି ଆଶାବାଦ ପାଇଁ ତାଙ୍କର ସୃଷ୍ଟିଗୁଡ଼ିକ ଚିରନ୍ତନ ହୋଇଛି ।

 

 

ପ୍ରାଧ୍ୟାପକ ଓଡ଼ିଆ ବିଭାଗ

ନୀଳମଣି ମହାବିଦ୍ୟାଳୟ

ରୂପ୍‌ସା, ବାଲେଶ୍ଵର

***

 

ସର୍ବଦା ସତ୍‌ରେ ବିଶ୍ୱାସୀ : ରାଜପୁତ୍ର

ଜୟନ୍ତ କୁମାର ଦାସ

 

ଓଡ଼ିଆ ଗଳ୍ପର ସୁଦୀର୍ଘ ଯାତ୍ରାପଥରେ ଡକ୍‌ଟର ହୃଷୀକେଶ ପଣ୍ଡା ଜଣେ କ୍ରାନ୍ତିକାରୀ ସ୍ରଷ୍ଟା-। ନୂତନ ଥିମ୍‌ ଓ ଫର୍ମର ପ୍ରୟୋଗ ଯୋଗୁଁ ତାଙ୍କ ଗଳ୍ପଗୁଡ଼ିକ ବାରି ହୋଇପଡ଼େ । ଉତ୍ତର ଅଶୀ ଓଡ଼ିଆ ଗଳ୍ପରେ ଯେଉଁ ପରୀକ୍ଷା ନିରୀକ୍ଷା ଦେଖା ଦେଇଥାଏ, ସେଥିରେ ସାମିଲ ହେବା ସହିତ ଏହାକୁ ତାଙ୍କ ଗଳ୍ପଗୁଡ଼ିକରେ ବିଶେଷ ଭାବେ ପ୍ରୟୋଗ କରିବା ପାଇଁ ସେ ଯତ୍ନବାନ । ସମାଜ ଓ ମଣିଷର ସଂଗୁପ୍ତ ମନର ସୂକ୍ଷ୍ମଭାବ ବିଶ୍ଳେଷଣ କରିବା ତାଙ୍କର ଲକ୍ଷ୍ୟ । ସାଂପ୍ରତିକ ମଣିଷର କାୟା ଓ ଆତ୍ମା ଏକ ନୁହେଁ । ଭିତରର ମଣିଷ ଓ ବାହାରର ମଣିଷ ସଂପୂର୍ଣ୍ଣ ଅଲଗା । ସେଥିପାଇଁ ଗୋଟିଏ ମଣିଷ ପାଖରେ ଦେଖାଦେଇଛି ଦୁଇ ପ୍ରକାର ପ୍ରତିକ୍ରିୟା । ଏହିପରି ନୂଆ ମଣିଷମାନଙ୍କୁ ନେଇ ସୃଷ୍ଟି ହୋଇଛି ଗାଳ୍ପିକଙ୍କ କଳା-କୋଣାର୍କ । ପରଂପରାକୁ ଭାଙ୍ଗି ଏକ ନୂତନ ମୂଲ୍ୟବୋଧର ପ୍ରତିଷ୍ଠାରେ ସେ ବ୍ରତୀ । ଯାହାର ଫଳସ୍ୱରୂପ ଅନ୍ୟାୟ ଓ ବିରୁଦ୍ଧରେ ଖୋଲାଖୋଲି ଚ୍ୟାଲେଞ୍ଜ କରିବାକୁ ମଧ୍ୟ ସେ ପ୍ରସ୍ତୁତ । ଏହା ସହିତ ଅଭିନବ ବିଷୟବସ୍ତୁ, କଥନଭଂଗୀରେ ମୌଳିକତା ଓ ଚରିତ୍ର ଚିତ୍ରଣରେ ନୂତନତା ପ୍ରଦର୍ଶନ କରି ସେ ତାଙ୍କ ଗଳ୍ପଗୁଡ଼ିକୁ ପୁଷ୍ଟ କରିପାରିଛନ୍ତି-। ଜଣେ ସ୍ପଷ୍ଟବାଦୀ, ନିର୍ଭିକ ଓ ସଚ୍ଚୋଟ ବ୍ୟକ୍ତି ହୋଇଥିବାରୁ ସେ ନିଜର ବିଶାଳ ଅଭିଜ୍ଞତା ଓ ଅନୁଭୂତିକୁ ସ୍ପଷ୍ଟଭାବେ ବ୍ୟକ୍ତ କରିବାରେ ଦ୍ୱିଧା ପ୍ରକାଶ କରିନାହାନ୍ତି । ପାଠକମାନଙ୍କୁ ଏକ କଳ୍ପନାର ରାଜ୍ୟକୁ ନନେଇ ବାସ୍ତବ ଜଗତରେ ହିଁ ନିଜର ବକ୍ତବ୍ୟକୁ ରୋକ୍‌ଠୋକ୍‌ ଓ ସଂକ୍ଷିପ୍ତ ବର୍ଣ୍ଣନା ମାଧ୍ୟମରେ କହିବାକୁ ଚେଷ୍ଟା କରି ସଫଳ ହୋଇଛନ୍ତି । ସେଥିପାଇଁ ତାଙ୍କ ଲେଖାରେ ବିଷୟବସ୍ତୁ ଓ ଚରିତ୍ରର ଗୁରୁତ୍ୱ ନଥାଏ । କାରଣ ତାଙ୍କ ପ୍ରତ୍ୟେକଟି ଗଳ୍ପରେ ନିଜର ବକ୍ତବ୍ୟ ଓ ଅନ୍ତର୍ଦୃଷ୍ଟିକୁ ଗୁରୁତ୍ୱ ଦେଇଥିବାରୁ ଗଳ୍ପଗୁଡ଼ିକ ଘଟଣା ପ୍ରଧାନ ନହୋଇ ହୋଇଥାଏ ବକ୍ତବ୍ୟ ପ୍ରଧାନ-। ଏହାହିଁ ହେଉଛି ହୃଷୀକେଶୀୟ ଶୈଳୀ । ଏହାକୁ ସ୍ଵୀକାର କରି ସେ କହିଛନ୍ତି- ‘‘ତରୁଣ ବାବୁ ଆପଣଙ୍କୁ ମୁଁ ଠକେଇଲି, ଉପନ୍ୟାସଟିଏ ଲେଖିଦେଲି ହେଲେ ତହିଁରେ ଗପ ଦେଲି ନାହିଁ, ଚରିତ୍ର ଦେଲିନାହିଁ, ପଟ ଦେଲି ନାହିଁ, କୌଣସି ନୀତିକଥା ତା ଅନ୍ତରାଳରେ ରଖିଲି ନାହିଁ ।’’ (ପ୍ରୌଢ଼ଭାବନା, ହୃଶୀକେଶ ପଣ୍ଡା, ପୃଷ୍ଠଭୂମି, ପୃଷ୍ଠ - ୧୦୮)

 

ସାହିତ୍ୟିକର ସାମାଜିକ ଦାୟିତ୍ୱ ରହିଛି ଏବଂ ନିଶ୍ଚିତ ରହିବା ଉଚିତ୍‌ ବୋଲି ଗଭୀର ଭାବେ ବିଶ୍ଵାସ ରଖୁଥିବା ଗାଳ୍ପିକ ଡକ୍ଟର ପଣ୍ଡା ବୃତ୍ତିରେ ଭାରତ ସରକାରଙ୍କ ଅଧିନରେ ଜଣେ ସଚ୍ଚୋଟ ପ୍ରଶାସନିକ ଅଫିସର ଓ ପ୍ରବୃତ୍ତିରେ ଜଣେ ସାହିତ୍ୟ ସ୍ରଷ୍ଟା । ପ୍ରଶାସନିକ ସେବାର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵରେ ରହିଥିବାରୁ ଦେଶ ବିଦେଶର ବହୁ ଅଂଚଳ ଭ୍ରମଣ କରିବା ସହିତ ବହୁ ଲୌକିକ ସଂସ୍ପର୍ଶରେ ଆସିବାର ସୁଯୋଗ ପାଇଛନ୍ତି । ବୃତ୍ତିଗତ ଜୀବନର ସଫଳତା ଓ ବ୍ୟାପ୍ତ ଅନୁଭୂତିକୁ ସେ ନିଜର ପ୍ରବୃତ୍ତି ମାଧ୍ୟମରେ ବ୍ୟକ୍ତ କରି ସାଫଲ୍ୟ ଅର୍ଜିଛନ୍ତି । ସେଥିପାଇଁ ଓଡ଼ିଶା ଓ ଓଡ଼ିଶା ବାହାରର ଶ୍ରଦ୍ଧାଶୀଳ ପାଠକମାନଙ୍କ ନିକଟରେ ସେ ଖୁବ୍‌ ପରିଚିତ । ତାଙ୍କ ବହୁଶ୍ରାବ୍ୟ ଲେଖନୀ ଏପର୍ଯ୍ୟନ୍ତ ପାଠକମାନଙ୍କୁ ଭେଟି ଦେଇଛି ସାତଟି ଉପନ୍ୟାସ, ଆଠଟି ଗଳ୍ପ ସଂକଳନ, ଚାରୋଟି ନାଟକ ଓ ଅନେକ ଫିଚର ଫିଲ୍ମ । ଏହି ଗଳ୍ପ ସଂକଳନଗୁଡ଼ିକ ହେଲା ‘ବାହାରେ ଛିଡ଼ା ହୋଇଥିବା ଲୋକ’ (୧୯୮୨), ‘ରେବତୀ’ (୧୯୮୩), ‘ରାଜପୁତ୍ର’ (୧୯୮୭), ‘ସାହାବ ଦେବତା’ (୧୯୮୯), ‘ପ୍ରୌଢ଼ଭାବନା’ (୧୯୯୨), ‘ଶୂନ୍ୟତାର ପାଶ୍ଚତ୍ୟକୁ’ (୧୯୪୪), ‘ବୟସ୍କଙ୍କ ପାଇଁ ଶିଶୁ କାହାଣୀ’ (୧୯୯୪) ଓ ‘ମିଛ ଖୁସି, ସତ ଦୁଃଖ” (୨୦୦୫) । ଏତଦ୍‌ଭିନ୍ନ ଏଇ ନିକଟ ଅତୀତରେ ତାଙ୍କର ପ୍ରଥମ ଚାରୋଟି ଗଳ୍ପ ସଂକଳନ ଓ ଚାରୋଟି ଅପ୍ରକାଶିତ ଗଳ୍ପକୁ ନେଇ ପ୍ରକାଶିତ ହୋଇଛି ‘ହୃଷୀକେଶ ପଣ୍ଡାଙ୍କ ଗଳ୍ପ ସମଗ୍ର’ (ପ୍ରଥମ ଭାଗ), (୨୦୦୮) । ଉପରୋକ୍ତ ସଂକଳନଗୁଡ଼ିକରେ ସ୍ଥାନ ପାଇଛି ଅଠାନବେଟି ଗଳ୍ପ । ମାତ୍ର ‘ରେବତୀ’ ସଂକଳନରେ ସ୍ଥାନିତ ପାଞ୍ଚଟି ଗଳ୍ପ ପୁନର୍ବାର ‘ପ୍ରୌଢ଼ ଭାବନା’ ସଂକଳନରେ ସ୍ଥାନ ପାଇଥିବାରୁ ତାଙ୍କର ସର୍ବମୋଟ ଗଳ୍ପ ସଂଖ୍ୟା ହେଉଛି ତେୟାନବେ । ଉପରୋକ୍ତ ଗଳ୍ପଗୁଡ଼ିକରେ ଗାଳ୍ପିକଙ୍କର ସୂକ୍ଷ୍ମ ଚିନ୍ତା ଓ ଚେତନାର ଘଟିଛି ପରିପ୍ରକାଶ ।

 

ଆଲୋଚନାର ସୁବିଧାର୍ଥେ ଏହି ଗଳ୍ପଗୁଡ଼ିକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଇପାରେ । ଯଥା- (୧) ଅବକ୍ଷୟଗ୍ରସ୍ତ ସଭ୍ୟତା ଓ ସଂସ୍କୃତିମୂଳକ ଗଳ୍ପ, (୨) ନାରୀ ମନସ୍ତତ୍ତ୍ଵମୂଳକ ଗଳ୍ପ (୩) ଆଦିବାସୀ ଜନଜୀବନ ସମସ୍ୟାମୂଳକ ଗଳ୍ପ, (୪) ଲୋକକାହାଣୀ ଶୈଳୀମୂଳକ ଗଳ୍ପ ଓ (୫) ସାମାଜିକ ସମସ୍ୟାମୂଳକ ଗଳ୍ପ । ପ୍ରତ୍ୟେକ ବିଭାଗରେ ସାମାଜିକ ସମସ୍ୟା ଅନ୍ତର୍ଗତ ହେଲେହେଁ ଗଳ୍ପଗୁଡ଼ିକର ଉପରୋକ୍ତ ସ୍ଵର ସ୍ପଷ୍ଟ ।

 

(୧) ଅବକ୍ଷୟଗ୍ରସ୍ତ ସଭ୍ୟତା ଓ ସଂସ୍କୃତିମୂଳକ ଗଳ୍ପ - ଓଡ଼ିଶାର ପରଂପରା, ସଭ୍ୟତା ଓ ସଂସ୍କୃତି ବହୁ ପ୍ରାଚୀନ ଓ ସମୃଦ୍ଧ । ଏହି ସଭ୍ୟତା ଓ ସଂସ୍କୃତି ପାଇଁ ଓଡ଼ିଶା ଗର୍ବିତ ଓ ବିଶ୍ଵ ଦରବାରରେ ମଧ୍ୟ ବନ୍ଦିତ । ମାତ୍ର ଏହି ସୁସମୃଦ୍ଧ ପରଂପରା ଆଜି ଅବକ୍ଷୟଗ୍ରସ୍ତ । ସଂପ୍ରତି ଲୋକମାନଙ୍କ ମଧ୍ୟରେ ଦେଖା ଦେଇଛି ଏକତାର ଅଭାବ ଓ ସଂସ୍କୃତିକୁ ପାସୋରି ଯିବାର ମନୋଭାବ । ଏହି ଅଧଃପତିତ ଓଡ଼ିଆ ଜାତିର ଦୁର୍ଦ୍ଦଶାକୁ ଗାଳ୍ପିକ ‘ସାଧବ ପୁଅ’, ‘ଧର୍ମପଦ’ ଓ ‘ପୁରୀ’ ଗଳ୍ପରେ ଉପସ୍ଥାପନ କରିଛନ୍ତି । ନିଜର ସୂକ୍ଷ୍ମ ପର୍ଯ୍ୟବେକ୍ଷଣ ଶକ୍ତି ମାଧ୍ୟମରେ ଗାଳ୍ପିକ ସମସାମୟିକ ଓଡ଼ିଆ ଯୁବକମାନଙ୍କର ନିକୃଷ୍ଟ ମାନସିକତା ଓ ଧର୍ମ ରକ୍ଷକମାନଙ୍କର ଭକ୍ଷକ ରୂପକୁ ବ୍ୟଙ୍ଗାତ୍ମକ ଦୃଷ୍ଟିକୋଣରୁ ବିଚାର କରିଛନ୍ତି ।

 

‘ସାଧବ ପୁଅ’ ଗଳ୍ପର ନାୟକ ପରୀକ୍ଷିତ କଲିକତାରେ ପାନ ଦୋକାନରେ କାମ କରେ । ମାତ୍ର ଗାଁରେ ପ୍ରଚାର କରେ ସେ ଲଜେନ୍‌ସ ଫେକ୍‌ଟ୍ରିରେ କାମ କରୁଛି । କଲିକତାରେ ରହୁଥିବାରୁ ସେ ନିଜକୁ ଗର୍ବିତ ମନେ କରିବା ସହିତ ଗାଁକୁ ଆସିଲେ ବଦଳିଯାଏ ତାର ଚାଲି-ଚଳଣି, କଥାବାର୍ତ୍ତା ଓ ବ୍ୟବହାର । ଷ୍ଟେସନ୍‌ରେ ଓହ୍ଲେଇ ନିଜର କଲିକତି ଚଳଣିକୁ ଦେଖେଇବା ପାଇଁ ଜି.ଆର୍‌.ପି. ଘର ପଛପଟେ ମଇଳା ଲୁଗା ବଦଳେଇ ଇସ୍ତ୍ରୀ କରି ଲୁଗା ପିନ୍ଧେ, ମୁଣ୍ତ ଧୋଇ ତେଲ ଲଗେଇ ପାତିଆ କରି ମୁଣ୍ଡ କୁଣ୍ଡାଏ ଓ ଇସ୍ତ୍ରୀ ଦାଗକୁ ନଖରେ ପୁନର୍ଜୀବିତ କରିବାକୁ ଚେଷ୍ଟା କରେ-। ସହରୀ ଆଦବ କାଇଦା ଦେଖେଇ ସବୁ ପଇସା ଖର୍ଚ୍ଚ କରିଦେଇ ପୁଣି ଥରେ ସେ ଫେରିଯାଏ ତା’ର ଅସଲି କର୍ମମୟ ଜୀବନକୁ । ଯେଉଁଠାରେ ସେ ପାନ ଦୋକାନରେ ମାସକୁ ତିନିଶହ ଟଙ୍କା ଦରମାରେ କାମ କରେ । ବାସ୍ତବିକ୍‌ ସମୟ ବଦଳିଯାଇଛି । ଗାଁର ଯୁବକମାନେ ଚାକିରି ଆଳରେ ବଡ଼ ସହରରେ ଚାକର ହେବାକୁ ମଧ୍ୟ ପ୍ରସ୍ତୁତ । ପରୀକ୍ଷିତ ପରି କିଏ ପାନ ଦୋକାନରେ କାମ କରେ ତ କିଏ ତା ମଝିଆଁ ଭାଇ ପରି ପାଇଖାନା ସଫା କରି ପେଟ ପୋଷେ । ବାଣିଜ୍ୟର ସମୟ ପରିବର୍ତ୍ତେ ଆସିଛି ଦାସତ୍ୱର ସମୟ । ଉତ୍କଳର ପ୍ରାଚୀନ ଓ ସମୃଦ୍ଧ ବାଣିଜ୍ୟ ପରଂପରା ଏହିପରି ଯୁବକମାନଙ୍କ ଦ୍ଵାରା ହେଉଛି ନଷ୍ଟଭ୍ରଷ୍ଟ । ଏହି ମହାନ୍‌ ପରଂପରାକୁ ବିକୃତ କରିବା ସହିତ ହୀନମନ୍ୟତାର ଶିକାର ହେଉଥିବା ଏହିପରି ଯୁବକମାନଙ୍କ ଦୂରବସ୍ଥା ସଂପର୍କରେ ବର୍ଣ୍ଣନା କରିବାକୁ ଯାଇ ଗାଳ୍ପିକ ଏକ ବ୍ୟଂଗାତ୍ମକ ଗୀତର ଅବତାରଣା କରିଛନ୍ତି ।

 

‘‘ଓଡ଼ିଆ ସାଧବ ପୁଅ ଘରେ ବସେ ନାହିଁ । କଥାରେ

ଅଛି-ବାଣିଜ୍ୟେ ବସତେ ଲକ୍ଷ୍ମୀ । ଓଡ଼ିଆ ସାଧବ ପୁଅ

ପୁଣି ଥରେ ସିଲ୍‌କ, ବାଉଁଶ ଲୁଗା, ହୀରା-ନୀଳା-

ମୋତି-ମାଣିକ୍ୟ ବୋଇତରେ ବୋଝେଇ ପୋତ

ମେଲିଦେବ ସାତ ସମୁଦ୍ର ତେର ନଈ ଆର ପାରିକୁ।’’

(ସାଧବ ପୁଅ, ପ୍ରୌଢ଼ଭାବନା, ୧୯୯୨- ପୃଷ୍ଠା- ୩୫)

 

ସେହିପରି ‘ଧର୍ମପଦ’ ଗଳ୍ପର ଧର୍ମପଦ ଏକ କିମ୍ବଦନ୍ତୀୟ ଚରିତ୍ର । ଯିଏକି କୋଣାର୍କ ମଂଦିରର ମୁଣ୍ଡି ମାରିଥିଲା । ଉକ୍ତ ଗଳ୍ପରେ ଧର୍ମପଦ ନିଜ ପରିବାରକୁ ମଧ୍ୟ ଠିକ୍‌ଭାବେ ଗଢ଼ି ପାରିଲା ନାହିଁ । ଏହି ଡରୁଆ ଓ ଲାଜୁଆ ପିଲା ସହରକୁ ଯାଇ, ହେଲ୍‌ପର ଓ ପିଅନ ହୋଇ ପରିଶେଷରେ ନିଜର ବୁଦ୍ଧି ବଳରେ ଷ୍ଟିଲ୍‌ପ୍ଲାଣ୍ଟ ଟ୍ରେଡ୍‌ ଇଉନଅନର ସଭାପତି ହୋଇପାରିଲା । ଅର୍ଥ ଓ ପ୍ରତିପତ୍ତିରେ ବୁଡ଼ି ରହି ସେ ଭୁଲିଗଲା ନିଜର ବାପା, ମା’ ଓ ଆତ୍ମୀୟସ୍ଵଜନଙ୍କୁ । ଏଠାରେ ଧର୍ମପଦ ଆମ ସଂସ୍କୃତି ଓ ସଭ୍ୟତାରୁ ଅଚ୍ୟୁତ ଏକ ମଣିଷ, ସବୁ ଥାଇବି ଯାହାର ପରିବାରରୂପକ ମଂଦିର ରହିଗଲା ଚୂଡ଼ାହୀନ ଭାବେ । ଏହିପରି ଭାବେ ଉତ୍କଳୀୟ ଜନସଂସ୍କୃତି ଅର୍ଥାତ୍‌ ଜଗନ୍ନାଥ ସଂସ୍କୃତିର ଅଧଃପତନକୁ ଗାଳ୍ପିକ ‘ପୁରୀ’ ଗଳ୍ପରେ ଦର୍ଶାଇଛନ୍ତି । ପୁରୀ ପରି ବଡ଼ ବଡ଼ ମନ୍ଦିରରେ ଦେଖାଦେଇଛି ପଣ୍ଡାମାନଙ୍କର ଦୌରାତ୍ମ୍ୟ । ଯାହାଫଳରେ ଶ୍ରଦ୍ଧାଳୁ ଭକ୍ତମାନେ ନାନା ଭାବରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜଗନ୍ନାଥଙ୍କ ଆଦିପୂଜକ ଆଦିବାସୀମାନଙ୍କୁ ଅଛୁଆଁ କରିଦେଇ ବ୍ରାହ୍ମଣମାନେ ନିଜର କାୟା ବିସ୍ତାର କରୁଛନ୍ତି । ଫଳସ୍ଵରୂପ ଓଡ଼ିଶାର ମହାନ୍‌ ସଂସ୍କୃତି ଆଜି ଏକ ବିବାଦୀୟ ମୋଡ଼ରେ ପହଂଚିଛି । ଗାଳ୍ପିକଙ୍କ ଭାଷାରେ, ‘‘ସବୁବେଳେ ଭଗବାନଙ୍କ ପାଖେ ପହଂଚିବାର ରାସ୍ତା କଣ୍ଟକିତ ଓ ଧର୍ମଯାଜକମାନେ ଗୋଟେ ଗୋଟେ କଣ୍ଟା ।’’ ପରିଶେଷରେ ଜଗନ୍ନାଥ ମନ୍ଦିରରେ ହେଉଥିବା ଅନ୍ୟାୟ-ଅନୀତି ଓ ବ୍ରାହ୍ମଣମାନଙ୍କର ପ୍ରାଦୁର୍ଭାବରେ ନୟାନ୍ତ ହୋଇ ଗଳ୍ପର ନାୟକ-ନାୟିକା ଦୁଇଜଣ ସମୁଦ୍ର କୂଳରେ ବାହା ହୋଇପଡ଼ିଛନ୍ତି ।

 

ଜଣେ ସମାଜ ସଚେତକ ଗାଳ୍ପିକ ହିସାବରେ ଓଡ଼ିଶାର ସଭ୍ୟତା ଓ ସଂସ୍କୃତି ପାଇଁ ଚିନ୍ତା କରିଛନ୍ତି । ସଂପ୍ରତି ଯୁବ ସଂପ୍ରଦାୟ ପାଖରେ ଦେଖା ଦେଇଥିବା ପରଶ୍ରୀକାତରତା ଓ ହୀନମନ୍ୟତାକୁ ଗାଳ୍ପିକ କୁଶଳତାର ସହ ମିଥ୍‌ ପ୍ରୟୋଗ ପୂର୍ବକ ସୂଚେଇ ଦେଇଛନ୍ତି । ଏହା ମାଧ୍ୟମରେ ସାଂପ୍ରତିକ ପୃଷ୍ଠଭୂମିରେ ଆଧୁନିକ ମଣିଷର ପ୍ରଥା, ପରଂପରା, ସଂସ୍କୃତି ପ୍ରତି ପ୍ରମାଣ ପାଉଥିବା ନେତିସୂଚକ ମାନସିକତା ଓ ଅବକ୍ଷୟଗ୍ରସ୍ତ ସଂସ୍କୃତି ମୂଲ୍ୟାୟିତ । ଐତିହାସିକ, କିମ୍ବଦନ୍ତୀମୂଳକ ଓ ପୌରାଣିକ ମିଥ୍‌ ଏଠି ସଫଳ ଭାବେ ପ୍ରୟୋଗ କରାଯାଇଛି । ଏ ତିନୋଟି ମିଥ୍‌ର ପ୍ରୟୋଗ ଗଳ୍ପର ଆବେଗକୁ ଅଧିକ ହୃଦୟସ୍ପର୍ଶୀ, ବୌଦ୍ଧିକ ଓ ବ୍ୟଂଜନାମୟ କରିପାରିଛି । ଏହା ମାଧ୍ୟମରେ ଗାଳ୍ପିକ ପରୀକ୍ଷିତ ଓ ଧର୍ମପଦ ପରି ମାନସିକତା ରଖୁଥିବା ଯୁବକମାନଙ୍କୁ ବ୍ୟଂଗ କରିବା ସହିତ ମନ୍ଦିରମାନଙ୍କରେ ପ୍ରାଧାନ୍ୟ ବିସ୍ତାର କରିଥିବା ଧର୍ମଯାଜକମାନଙ୍କୁ ସିଧାସଳଖ ଅଂଗୁଳି ନିର୍ଦ୍ଦେଶ କରିଛନ୍ତି ।

 

(୨) ନାରୀ ମନସ୍ତତ୍ତ୍ୱମୂଳକ ଗଳ୍ପ - ସଂପ୍ରତି ବିଶ୍ଵରେ ଦେଖାଦେଇଛି ବିଭିନ୍ନ ପ୍ରକାର ପରିବର୍ତ୍ତନ । ଏହା ସହିତ ପରିବର୍ତ୍ତନ ହେଉଛି ନାରୀର ସାମାଜିକ ଓ ମାନସିକ ଅବସ୍ଥା । ସେ ଆଉ ଆଗପରି ଘର କୋଣରେ ବସି ନରହି ଜୀବନର ପ୍ରତ୍ୟେକ ପଦକ୍ଷେପରେ ପୁରୁଷ ସହ ସମକକ୍ଷ ଏବଂ ଆଗକୁ ଯିବାକୁ ମଧ୍ୟ ପ୍ରସ୍ତୁତ । ସୀତା, ସାବିତ୍ରୀ ପରି ପତିବ୍ରତାରେ ସୀମିତ ନରହି ନିଜ ଜୀବନ ଅନ୍ଵେଷାରେ ସେ ବ୍ରତୀ । ସାରା ବିଶ୍ଵକୁ ହାତମୁଠାରେ ରଖିବାକୁ ସକ୍ଷମ ହୋଇଥିଲେହେଁ ତା’ ପାଖରେ ପରିଲକ୍ଷିତ ହେଉଛି ମାନସିକ ବିଶୃଙ୍ଖଳା । ଅର୍ଥ, ପ୍ରତିପତ୍ତି ଓ ବିଳାସରେ ରହିବା ସତ୍ତ୍ଵେ ସେ ହୋଇଯାଉଛି ଏକାକୀ ଓ ଅସହାୟ । କେମିତି ଏକ ମାନସିକ ଅଭାବ ଓ ନିଃସଙ୍ଗତା ଅନୁଭବୁଛି ସେ । ସର୍ବଦା ଏକ ଖାଁ ଖାଁ ଶୂନ୍ୟତା ତା’ ପଶ୍ଚାତ୍‌ଧାବନ କରୁଛି । ଏହି ଶୂନ୍ୟତାବୋଧକୁ ନେଇ ସୃଷ୍ଟି ହୋଇଛି ‘ଜିନିଆ ଫୁଲ, ବନ୍ଦ କବାଟ ଓ ଭଂଗା ପିପେଟ୍‌ରେ ସୂର୍ଯ୍ୟାଲୋକ’, ‘ରେବତୀ’, ‘ଏକ ନିରର୍ଥକ ଯୌବନ ମିଳାଇଯାଏ ଅବାନ୍ତର ବାର୍ଦ୍ଧକ୍ୟରେ’, ‘ପରୀ’ ଓ ‘ବୈକୁଣ୍ଠ ସମାନ ଅଟେ’ ଇତ୍ୟାଦି ପରି ଗଳ୍ପ ।
 

ସାହିତ୍ୟରେ ଦେଖାଦେଉଥିବା ବିଭିନ୍ନ ଚେତନା ମଧ୍ୟରୁ ନିଃସଙ୍ଗତା ଏକ ବଳିଷ୍ଠ ଚେତନା-। ବିଶ୍ଵ ସାହିତ୍ୟରେ ମଧ୍ୟ ଏହାର ବହୁଳ ପ୍ରଭାବ ପରିଲକ୍ଷିତ । ଦ୍ୱିତୀୟ ବିଶ୍ଵଯୁଦ୍ଧ ପରେ ପରେ ସାରା ବିଶ୍ଵରେ ଓ ମଣିଷ ଜୀବନରେ । ଦେଖାଦେଇଥିବା ବୈପ୍ଳବିକ ପରିବର୍ତ୍ତନ ସାହିତ୍ୟକୁ ଅନେକାଂଶରେ କରିଛି ପ୍ରଭାବିତ । ସେଥିପାଇଁ ସାହିତ୍ୟରେ ସ୍ଵପ୍ନଭଂଗ, ଅଭାବବୋଧ, ମୋହଭଂଗ ଅସହାୟତା, ଏକାକୀତ୍ୱବୋଧ ଓ ନିଃସଙ୍ଗତାର ହୋଇଛି ପରିପ୍ରକାଶ । ଗାଳ୍ପିକ ଡକ୍ଟର ହୃଷୀକେଶ ପଣ୍ଡା ମଧ୍ୟ ମାଳତୀ, ପ୍ରଜ୍ଞା, ରେବତୀ ଓ ମୋହିନୀ ଚରିତ୍ର ମାଧ୍ୟମରେ ସାଂପ୍ରତିକ ନାରୀମାନଙ୍କର ଅସହାୟ ଓ ନିର୍ଜନ ମୁହୂର୍ତ୍ତକୁ ସଫଳ ଭାବେ ଉପସ୍ଥାପନ କରିଛନ୍ତି ଉକ୍ତ ଗଳ୍ପଗୁଡ଼ିକରେ ।

 

‘ଜିନିଆ ଫୁଲ, ବନ୍ଦ କବାଟ ଓ ଭଂଗା ପିପେଟ୍‌ରେ ସୂର୍ଯ୍ୟାଲୋକ ଓ ‘ବୈକୁଣ୍ଠ ସମାନ ଅଟେ ଇତ୍ୟାଦି ଗଳ୍ପରେ ମୋହିନୀ ଓ ପ୍ରଜ୍ଞା ବିବାହ ପରେ ମଧ୍ୟ ସ୍ୱାମୀର ଅନ୍ତରଂଗ ହୋଇପାରିନାହାନ୍ତି । ସ୍ଵାମୀ ସ୍ତ୍ରୀ ସଂପର୍କ ନିବିଡ଼ତର ହୋଇପାରୁନାହିଁ । ସେମାନଙ୍କର ବୈବାହିକ ଜୀବନର ପ୍ରଣୟରେ ନାହିଁ କୌଣସି ଉଷ୍ମତା ସ୍ଵାମୀଙ୍କ ପାଖରୁ ଆଦର ଖୋଜୁ ଖୋଜୁ ସେମାନଙ୍କ ଜୀବନ ହୋଇଯାଏ ନିଛାଟିଆ । ହେନା, ମଲ୍ଲୀ, ଗଂଗଶିଉଳୀ ଓ ବାସର ଶେଯର ସ୍ଵପ୍ନ ଦେଖୁଥିବା ପ୍ରଜ୍ଞାପରି ନାରୀମାନେ ପ୍ରକୃତିସ୍ଥ‌ ହୁଅନ୍ତି ସ୍ଵାମୀର ଦଉଡ଼ିଆ ଖଟ, ଲୋଚାନୋଟା ହୋଇ ଦଉଡ଼ିରୁ ବାଦୁଡ଼ି ପରି ଝୁଲୁଥିବା ଜାମା, ପେଣ୍ଟ, ଚଡ଼ି ଓ ଗଞ୍ଜିର ଉତ୍କଟତା ଓ ଦୁଃସ୍ଥ ଅବସ୍ଥା ସହ ସାମ୍ନାସାମ୍ନି ହେବା ପରେ । ତେଣୁ ସବୁ ଆଶା, ସ୍ଵପ୍ନ ମିଳେଇଯାଏ ଏଇ ନିଷ୍ଠୁର ସତ୍ୟ ପାଖରେ । ସେ ଭାବେ - ‘କେମିତି କଟିବ ଦୁଃସହ ଜୀବନ ଏ ଗ୍ରାମୀଣ ଭଦ୍ରଲୋକଙ୍କ ସଂଗେ, ଏ ଘରେ ଯେଉଁଠି ମଉଜ ମଜଲିସ ଦୂରେ ଥାଉ, ଖାଲି ଦୁଃଖମାନେ କ୍ଳାନ୍ତ ହେବାପରି କାନ୍ଥସାରା ଡେରି ହୋଇଛନ୍ତି, ବାସିନ୍ଦାମାନଙ୍କୁ ଆପଣାର କରି ନେବାକୁ ।’’ (ବୈକୁଣ୍ଠ ସମାନ ଅଟେ ଇତ୍ୟାଦି, ସାହାବ ଦେବତା, ୧୯୯୭, ପୃଷ୍ଠା - ୯୪) ସ୍ୱାମୀଠାରୁ ଅନେକ କିଛି ଆଶା ରଖିଥିବା ଏହିପରି ନାରୀମାନେ ପାଇଥାନ୍ତି ବିଫଳ ଦାମ୍ପତ୍ୟ ଜୀବନ ଓ ଆଶା ଭଂଗର ଦୁଃଖ ।

 

ପରଂପରା ବିଚ୍ୟୁତ ଏକ ଆତ୍ମମନସ୍ଥ ଯୁବତୀ ମୋହିନୀର ବ୍ୟର୍ଥ ପ୍ରେମ ଓ ବୈବାହିକ ଜୀବନର ଅସଫଳତାକୁ ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି ‘ଜିନିଆ ଫୁଲ, ବନ୍ଦ କବାଟ ଓ ଭଂଗାପିପେଟ୍‌ରେ ସୂର୍ଯ୍ୟାଲୋକ’ ଗଳ୍ପରେ । ମୋହିନୀ ପରି ‘ଏକ ନିରର୍ଥକ ଯୌବନ ମିଳାଇଯାଏ ଅବାନ୍ତର ବାର୍ଦ୍ଧକ୍ୟରେ’’ ଗଳ୍ପରେ ସ୍ତ୍ରୀଲୋକଟି ତାଙ୍କ ସ୍ଵାମୀଙ୍କ ଉପସ୍ଥିତିରେ ମଧ୍ୟ ପରପୁରୁଷର ସ୍ୱପ୍ନରେ ମସ୍‌ଗୁଲ ଏବଂ ପୁରୁଣା ପ୍ରେମର ରୋମାଣ୍ଟିକ ସ୍ମୃତିଚାରଣରେ ବ୍ୟସ୍ତ । ସ୍ୱାମୀର ଆଲିଂଗନ ସତ୍ତ୍ଵେ ଶୁଭଂକରର ପ୍ରଥମ ସ୍ପର୍ଶକୁ ମନେ ପକାଇ ଏମାନେ ଆହ୍ଲାଦିତ । ସ୍ତ୍ରୀଲୋକଟି ତେଣୁ ଖୋଲାଖୋଲି ଭାବେ କହିଛି, ‘‘ମୋର ଯେ ଆଦର୍ଶ ହିନ୍ଦୁ ସତୀ ସାଧ୍ଵୀ ସାବିତ୍ରୀ ପତ୍ନୀ ହେବାର ଯୋଗ୍ୟତା ନାହିଁ, ସେ କଥା କ’ଣ ଖୋଲାଖୋଲି କହିଦେବା ଦରକାର ?’’ (ପୌଢ଼ ଭାବନା, ୧୯୯୨, ପୃଷ୍ଠା - ୧୮) ସତୀ, ସାବିତ୍ରୀ ଭୂମିକା ଯେ ନିର୍ବାହ କରିପାରିବ ନାହିଁ ତାହା ସେ ସିଧାସଳଖ ପ୍ରକାଶ କରିବାରେ ମଧ୍ୟ କୁଣ୍ଠିତା ନୁହେଁ । ବିବାହ ପରେ ନାରୀର ମାନସିକ ସ୍ତରରେ ଦେଖା ଯାଉଥିବା ଦ୍ଵୈତ ଭାବନାକୁ ଗାଳ୍ପିକ ସୁଂଦର ଭାବେ ଉପସ୍ଥାପନ କରିଛନ୍ତି ।

 

ଉଚ୍ଚଶିକ୍ଷିତା ନାରୀମାନଙ୍କର ଅସହାୟତା ଓ ଏକଲାପଣର ସାର୍ଥକ ନିଦର୍ଶନ ହେଉଛି ‘ରେବତୀ’ ଓ ‘ପରୀ’ ଗଳ୍ପ । ‘ରେବତୀ’ ଗଳ୍ପର ରେବତୀ ଓ ‘ପରୀ’ ଗଳ୍ପର ମାଳତୀ ଏହି ବସ୍ତୁବାଦୀ ସମାଜର ନିଷ୍ଠୁର ସତ୍ୟ ସାମ୍ନାରେ ଦଣ୍ଡାୟମାନ । ରେବତୀ ଚାକିରି କରି ପ୍ରତିଷ୍ଠା ଲାଭ କରିବା ସତ୍ତ୍ଵେ ନିଃସଂଗ ଓ ମାଳତୀ ପାଠପଢ଼ି ଭବିଷ୍ୟତ ଓ ଚାକିରି ଅନ୍ଵେଷଣରେ ଅସହାୟ । ଏହିପରି ଉଚ୍ଚଶିକ୍ଷିତା ନାରୀମାନଙ୍କୁ କିନ୍ତୁ ବୁଝିପାରି ନାହାନ୍ତି ମା’ ଓ ବୁଢ଼ୀ ମା’ମାନେ । ଏହା ମାଧ୍ୟମରେ ଗାଳ୍ପିକ ମନେ ପକେଇ ଦିଅନ୍ତି ଶହେ ବର୍ଷରୁ ଉର୍ଦ୍ଧ୍ୱ‌ ସମୟ ଅତିକ୍ରାନ୍ତ ହୋଇଯାଇଥିବା ଫକୀରମୋହନଙ୍କ କିମ୍ବଦନ୍ତୀୟ ‘ରେବତୀ’ର ମର୍ମସ୍ପର୍ଶୀ ବାଣୀ । ମାଳତୀ ଠାରୁ ପଢ଼ାପଢ଼ି, ପରୀକ୍ଷା ଓ ଚାକିରି କଥା ଶୁଣି ବୁଢ଼ୀ ମା’ କହିଛି - ‘‘ପଢ଼ାପଢ଼ି ବହୁତ ହେଲା । ଆଲୋ ନାଭିରେ ତ କସ୍ତୁରୀ, ତୁ କୁଆଡ଼େ ଧାଉଁଛୁ, ପଢ଼ାପଢ଼ି, ଚାକିରି, ବୁଦ୍ଧି, ବିବେକ ?’’ (ପରୀ, ସାହାବ ଦେବତା) ୧୯୯୭, ପୃଷ୍ଠା-୬୦), ଓଡ଼ିଆ ପାଠକମାନେ ଫକୀରମୋହନଙ୍କ ‘ରେବତୀ’ରେ ଯେ ନାରୀଶିକ୍ଷା ଏବଂ କୁସଂସ୍କାର ବିଷୟରେ କୁହାଯାଇଥିଲା ତାହା ଏପର୍ଯ୍ୟନ୍ତ ଅବଗତ ଥିଲେ । ମାତ୍ର ଏହି ଧାରଣାକୁ ସଂପୂର୍ଣ୍ଣ ବିରୋଧ କରି ଗାଳ୍ପିକ ଡଃ ପଣ୍ଡା କହନ୍ତି - ‘‘ମୂଳ ‘ରେବତୀ’ ନାରୀ ଶିକ୍ଷା ବିଷୟରେ ନୁହେଁ; ରେବତୀ ଏହାର ନାୟିକା ନୁହେଁ । ଏହା ନିଃସଙ୍ଗତା ବିଷୟରେ ଓ ବୁଢ଼ୀ ମାଆ ଏହାର ପ୍ରଧାନ ଚରିତ୍ର ।’’ (ରେବତୀ : ରେବତୀ, ସଂକଳନ - ଅସିତ୍‌ ମହାନ୍ତି, ପୃଷ୍ଠା - ୬୪) ସେଥିପାଇଁ ଅସହାୟତା ଓ ନିଃସଂଗତାର ଅସ୍ଥିକଂକାଳ ଉପରେ ଆଧୁନିକ ନାରୀର ରକ୍ତମାଂସରେ ସେ ଜୀବନ୍ୟାସ ଦେଇଛନ୍ତି ତାଙ୍କ ‘ରେବତୀ’କୁ ।

 

ରେବତୀ ପରି ମାଳତୀ ମଧ୍ୟ ଖାଁ ଖାଁ ଶୂନ୍ୟତା ଅନୁଭବ କରୁଛି ଓ ବୋର୍‌ ହେଉଛି । ଏଥିପାଇଁ ସେ ସ୍ଵର୍ଗକୁ ମୁଥ ମାରୁଛି, ଯଦିଓ ସ୍ୱର୍ଗ ବିରୁଦ୍ଧରେ ବା ଆଉ କାହାରି ବିରୁଦ୍ଧରେ ତା’ର ରାଗ ନାହିଁ । କାରଣ ଶୂନ୍ୟତା ଛଡ଼ା ଆଉ କାହା ସାଂଗେ ଟକ୍‌କର ଦେବାର ଯୋଗ୍ୟତା ତା’ର ନାହିଁ-। ଗାଳ୍ପିକ ସମାଜର ଏହିପରି ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର ଉଚ୍ଚଶିକ୍ଷିତା ନାରୀମାନଙ୍କର ମନସ୍ତତ୍ତ୍ଵକୁ ଦର୍ଶାଇଛନ୍ତି । ଏକ ଆଶା-ଆକାଂକ୍ଷା ବିହୀନ ସ୍ଵପ୍ନହୀନ ଜୀବନ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଅସନ୍ତୋଷ ଓ ଅତୃପ୍ତି । ମଣିଷ ଯାହା ଚାହେଁ ତା’ ସମସ୍ତ ହୁଏତ ପାଏନା । ମାତ୍ର ନ ପାଇବା ସହିତ ସାଲିସ୍‌ କରିନିଏ । ମାତ୍ର ଏଠାରେ ସାଲିସ୍‌ କରି ପାରୁନଥିବା ଚରିତ୍ରର ଗାଥା ବର୍ଣ୍ଣିତ । ସେଥିପାଇଁ ସମୟକୁ ଦିନେ ଦମ୍ଭରେ ମୁହଁ ମୋଡ଼ି ଚାଲିଯାଉଥିବା ରେବତୀର ବର୍ତ୍ତମାନର ଅସହାୟତାକୁ ଆଶ୍ଵାସନା ଦେବାକୁ ଯାଇ ଗାଳ୍ପିକ କହନ୍ତି ‘ରେବତୀ ଲୋ, ମୋତେ ଦେଇଦେ, ତୋର ଅସହାୟତା, ତୋର ବୟସ, ତୋ ନିର୍ଜନତା, ତୋର ବାର୍ଦ୍ଧକ୍ୟ, ତୋର ହାତ ଗୋଡ଼ର ସବୁ ଶିକୁଳି । ମୁଁ ତତେ କଇଁଫୁଲ ଦେବି, ମହୁମାଛି ଦେବି, ମୋର ଯାବତୀୟ ଖୁସି ଦେବି, ମୋର ନିର୍ବୋଧତା ଦେବି । ତୁ ଫେରିଆ ନଈକୂଳ ବାଲିରେ ଦୌଡ଼ିବାକୁ, ସମୁଦ୍ରରେ ପହଁରିବାକୁ, ପିନ୍‌ପିନ୍‌ ଖରାରେ ସୂର୍ଯ୍ୟମୁଖୀ ଫୁଲପରି ଚହଲି ଯିବାକୁ ।’’ (ରେବତୀ, ପୃଷ୍ଠା-୫୦) ମାତ୍ର ରେବତୀ ଦେଇପାରିନାହିଁ ତା’ର ଅସହାୟତା, ନିର୍ଜନତା, ବାର୍ଦ୍ଧକ୍ୟ ଓ ମୁକ୍ତ ହୋଇପାରିନାହିଁ ତା ହାତଗୋଡ଼ରେ ବଂଧା ଶିକୁଳିରୁ ।

 

ସଂପ୍ରତି ପାରଂପରିକ ଜୀବନଯାପନ ପ୍ରଣାଳୀରେ ଦେଖାଦେଇଛି ଅନେକ ପରିବର୍ତ୍ତନ । ଜୀବନ ସଂଗ୍ରାମର ପରିସର ବୃଦ୍ଧିପାଇଛି ଓ ନାରୀମାନେ ନିଜକୁ ଏଥିରେ ସାମିଲ କରିଦେଇଛନ୍ତି । ସମାଲୋଚକ ଡକ୍ଟର କ୍ଷୀରୋଦ ଚନ୍ଦ୍ର ବେହେରାଙ୍କ ମତରେ, ‘‘ବିଂଶ ଶତାବ୍ଦୀର ଶେଷ ଦୁଇ ଦଶନ୍ଧିରେ ଓଡ଼ିଆ ନାରୀ ପରିବାର, ଧର୍ମ ଓ ସଂସ୍କାରର ରକ୍ଷଣଶୀଳତାରୁ ମୁକ୍ତ ହୋଇ ନିଜ ସୃଜନଶୀଳତାରେ ପୃଥିବୀକୁ କରିଛି ଅଧିକ ମହିମାବନ୍ତ । ସେ କେବଳ ଆର୍ଥନୀତିକ ସ୍ଵାବଲମ୍ବନଶୀଳ ହୋଇନାହିଁ, ପ୍ରଗତିବାଦୀ ଚେତନାରେ ପୁରୁଷକୁ ମଧ୍ୟ ପଛରେ ପକାଇ ଦେଇଛି-।’’ (ଏକବିଂଶ ଶତାବ୍ଦୀର ଓଡ଼ିଆ ଗଳ୍ପ : ପ୍ରତିଶୃତି ଓ ସମ୍ଭାବନା, ୨୦୦୩, ପୃଷ୍ଠା - ୨୪୯) ମାତ୍ର ସଫଳତାର ପାହାଚରେ ଛିଡ଼ା ହୋଇ ମଧ୍ୟ ସେ ମାନସିକ ଭାବେ ବିକଳାଂଗ । ସେଥିପାଇଁ ପ୍ରଜ୍ଞା ଓ ମୋହିନୀ ସ୍ଵାମୀର ସ୍ପର୍ଶଜନିତ ଉଷ୍ମତା ଅନୁଭବ କରିପାରି ନାହାନ୍ତି, ମାଳତୀ ବୁଢ଼ୀ ମା’ର ପରୀ କାହାଣୀ ଶୁଣି ମଧ୍ୟ ବୋର୍‌ ହେଉଛି ଓ ରେବତୀ ସାମାଜିକ ପ୍ରତିଷ୍ଠା ସତ୍ତ୍ଵେ କାହାର ସାନ୍ନିଧ୍ୟ ଆଶାରେ ଅସହାୟ ଭାବେ ବିଡ଼ି ଟାଣି ଘୂରିବୁଲେ ।

 

(୩) ଆଦିବାସୀ ଜନଜୀବନ ସମସ୍ୟାମୂଳକ ଗଳ୍ପ - ଆଦିବାସୀମାନେ ଓଡ଼ିଶାର ଜନଜୀବନ ସହିତ ସଭ୍ୟତା ଓ ସଂସ୍କୃତି ସହିତ ଓତଃପ୍ରୋତ ଭାବେ ଜଡ଼ିତ ହୋଇଥିବାରୁ ସାହିତ୍ୟରେ ମଧ୍ୟ ଏମାନଙ୍କ ସ୍ଥାନ ଗୁରୁତ୍ଵପୂର୍ଣ୍ଣ । ବିଶେଷ କରି ସେମାନଙ୍କ ଉପରେ ହେଉଥିବା ଶୋଷଣ ଓ ଅତ୍ୟାଚାର ହେଲା ସାହିତ୍ୟର ମୁଖ୍ୟ ବିଷୟ । ପରିବର୍ତ୍ତିତ ଚିନ୍ତାଧାରା ସହିତ କେବଳ ବଦଳି ଯାଇଛି ଶୋଷଣ ଓ ଅତ୍ୟାଚାର ଶୈଳୀ । ରାଜା, ଜମିଦାର ଓ ସାହୁକାରଙ୍କର ପରିମାର୍ଜିତ ରୂପ ହେଉଛି ବର୍ତ୍ତମାନର ନେତା, ସରକାରୀ କର୍ମଚାରୀ ଓ ଉଚ୍ଚପଦସ୍ଥ ଅଫିସରମାନେ । ମାତ୍ର ନା କୌଣସି ପରିବର୍ତ୍ତନ ନା ରୂପନ୍ତରଣ ଅଛି ଏହି ନିର୍ଯ୍ୟାତିତମାନଙ୍କର । ଏବେବି ସେମାନେ ଡଙ୍ଗର ଦେବତା ଓ.ଦାଦି ବୁଢ଼ାକୁ ଆଶ୍ରୟ କରି ଜୀବନ ସଂଗ୍ରାମରେ ଏକନିଷ୍ଠ । ଏମାନଙ୍କ ଦୁଃସ୍ଥିତି ଓ ନିର୍ଯ୍ୟାତନାକୁ ସାହସର ସହ ପାଠକ ଆଗରେ ଉପସ୍ଥାପନ କରିଛନ୍ତି ଗାଳ୍ପିକ। ନିଜର ବ୍ୟାପ୍ତ ଅନୁଭୂତିକୁ ପାଥେୟ କରି ସେ ରଚନା କରିଛନ୍ତି ତେରଟି ଆଦିବାସୀ ଜୀବନୀ ଭିତ୍ତିକ ଗଳ୍ପ । ସେଗୁଡ଼ିକ ହେଲା- ‘ସିସିଫସ ଓ ବୋଣ୍ଡା’ ଓ ‘ସ୍ଥାନରେ କାଳରେ’ (ସଂ- ବାହାରେ ଛିଡ଼ା ହୋଇଥିବା ଲୋକ), ‘ଛତିଶତମ ସାଧାରଣତନ୍ତ୍ର ଦିବସରେ ଜାତି ଉଦ୍ଦେଶ୍ୟରେ ଧାନଫୁଲ ପରଜା ପ୍ରଦତ୍ତ ଅଭିଭାଷଣର ମର୍ମାନୁବାଦ’, ‘ଖୋସା’ ଓ ‘ରାଜପୁତ୍ର’ (ସଂ-ରାଜପୁତ), ‘ଛଞ୍ଚାଣ’, ‘କୋରସ’, ‘ଖଣ୍ଡିଆଭୂତ’, ‘ସାହାବ ଦେବତା’ ଓ ‘କୁନୁମୁନୁ’ ( ସଂ- ସାହାବ ଦେବତା) ଏବଂ ‘ମିଛ ଖୁସି, ସତ ଦୁଃଖ’ ସଂକଳନରେ ସ୍ଥାନିତ ତିନୋଟି ଯାକ ଗଳ୍ପ । ଏହି ଗଳ୍ପଗୁଡ଼ିକ ମାଧ୍ୟମରେ ସେମାନଙ୍କ ସମସ୍ୟା ଉପସ୍ଥାପନ କରିବା ସହିତ ନେତା, ମନ୍ତ୍ରୀ ଓ ଅଫିସରମାନଙ୍କୁ ସିଧାସଳଖ ଆକ୍ଷେପ କରିବାକୁ ଗାଳ୍ପିକ ଭୁଲିନାହାନ୍ତି ।

 

ଜୀବନର ପ୍ରତ୍ୟେକ ସ୍ତରରେ ଏମାନେ ଶୋଷିତ । କେତେବେଳେ ମଣିଷ ଦ୍ଵାରା ତ କେତେବେଳେ ପ୍ରକୃତି ଦ୍ଵାରା । ବିରାଜ ମୋହନ ଦାସଙ୍କ ଭାଷାରେ - ‘‘ପ୍ରକୃତିର ନାନା ବ୍ୟୁତ୍ପାତ ଦେବାଦେବୀଙ୍କର ଅସନ୍ତୋଷରୁ ସୃଷ୍ଟି ବୋଲି ସେମାନେ ଧାରଣା ପୋଷଣ କରିଥାନ୍ତି । ସେହି ଦେବାଦେବୀଙ୍କର ସନ୍ତୋଷ ବିଧାନ ପାଇଁ ଦରକାର ପାରା, କୁକୁଡ଼ା, ଛେଳି, ମଇଁଷିର ବଳି । ତାକୁ କିଣିବା ପାଇଁ ଆବଶ୍ୟକୀୟ ଅର୍ଥ ସାହୁକାର ଠାରୁ ଋଣରେ ଆସେ । ସାହୁକାର ଋଣ ବାବଦକୁ ହଜାର ହଜାର ଟଙ୍କାର ଫସଲ ଅଳ୍ପ କେତେ ଟଙ୍କାରେ ନେଇଯାଏ । ଫସଲ ସବୁ ଦେଇ ମଧ୍ୟ ଆଦିବାସୀମାନେ ଋଣମୁକ୍ତ ହୋଇପାରନ୍ତି ନାହିଁ । ସାହୁକାର ଘରେ ବିନା ଦରମାରେ ଗୋତି ରହିବାକୁ ବାଧ୍ୟ ହୁଅନ୍ତି । ସାହୁକାର ମହାଜନଙ୍କ ବ୍ୟତୀତ ଅନ୍ୟ ଦୃଷ୍ଟ ଦେବତା, ଜଙ୍ଗଲ କର୍ମଚାରୀ, ଜଙ୍ଗଲ ଜଗୁଆଳି, ଜମାନ ଆଦିଙ୍କୁ ମଧ୍ୟ ସନ୍ତୁଷ୍ଟ କରିବାକୁ ପଡ଼େ ଅର୍ଥାତ୍‌ ଆଦିବାସୀମାନେ ସେମାନଙ୍କ ଦ୍ଵାରା ଶୋଷିତ ହୁଅନ୍ତି । ସେମାନଙ୍କର ମନସ୍ତତ୍ତ୍ଵ ହେଉଛି ସେମାନେ ଯାହାକୁ ଡରନ୍ତି, ତାଙ୍କୁ ମାନନ୍ତି, ପୂଜା କରନ୍ତି ଭୋଗ ଲାଞ୍ଚ ଦିଅନ୍ତି ।’’ (ଓଡ଼ିଆ କଥା ସାହିତ୍ୟର କେତୋଟି ଦିଗ, ୧୯୯୨, ପୃଷ୍ଠା -୩) ସାହୁକାର ଓ ଜଂଗଲର ଦୃଷ୍ଟ ଦେବତାଙ୍କ ପରି ସଂପ୍ରତି ଏମାନେ ମୁଖାପିନ୍ଧା ଭଦ୍ରଲୋକଙ୍କ ଦ୍ଵାରା ହେଉଛନ୍ତି ଶୋଷିତ । ପ୍ରତିବାଦ କରି ବି କୌଣସି ମୂଲ୍ୟ ପାଆନ୍ତି ନାହିଁ । ସେଥିପାଇଁ ସମସ୍ତେ ସୁନାପୁଟର ଦିସାରୀ ଓ ସର୍ଗିଗୁଡ଼ାର ଚାଙ୍ଗୁ ପରି ସହିଯା’ନ୍ତି ସମସ୍ତ ଅତ୍ୟାଚାର-। ତା’ର ଫଳସ୍ଵରୂପ ପ୍ରେମଶୀଳା ଭୋଇ ପରି ଅନେକ ଲୋକ ବିନା ପ୍ରତିବାଦରେ ଆଦରି ନିଅନ୍ତି ଅନାହାର ମୃତ୍ୟୁକୁ । ଆହୁରି ମଧ୍ୟ ଚାଂଗୁ ନିଜ ସ୍ତ୍ରୀ ବଉଳଫୁଲର ଇଜ୍ଜତ୍‌ ବଦଳରେ ହାତରେ ଟାଂଗିଆ ଧରି ବି କିଛି କରିପାରିନାହିଁ । କାରଣ ତା’ ଆଗରେ ବନ୍ଧୁକ ଓ ସମୂହଶାନ୍ତି ।

 

ସଭ୍ୟତାର ଆରଂଭରୁ ଏମାନେ ନିର୍ଯ୍ୟାତିତ । ସହରୀ ସଭ୍ୟତା ଓ ଯାନ୍ତ୍ରିକ ସଭ୍ୟତାର ବିକାଶ ଏମାନଙ୍କ ପାଇଁ କାଳ ହୋଇଛି । ଆଧୁନିକ ଭାରତ ନିର୍ମାଣ ପାଇଁ ଡୁଡୁମା ଜଳପ୍ରପାତ, ମାଛକୁଣ୍ଡ ଓ ବାଲିମେଳା ବନ୍ଧନିର୍ମାଣ ଓ ଦଣ୍ଡକାରଣ୍ୟ ନିର୍ମାଣ ହୋଇଛି । ଏଥିପାଇଁ ସମସ୍ତ ଅତ୍ୟାଚାର ପରଜାମାନଙ୍କୁ ସହିବାକୁ ପଡ଼ିଛି । ଦେଶ ଓ ଜାତିର ଉନ୍ନତି ପାଇଁ କେତେବେଳେ ନଦୀବଂଧ ନାଁରେ ତ କେତେବେଳେ କଳକାରଖାନା ନାଁରେ ଏମାନେ ବାରଂବାର ବିସ୍ଥାପିତ ହୁଅନ୍ତି-। ଗାଳ୍ପିକଙ୍କ ଭାଷାରେ, ‘‘ଲୋକେ ଓ ସେମାନଙ୍କ ବାପାମାନେ ଗତ ତିରିଶ ବର୍ଷ ଧରି ଠା’କୁ ଠା’ ବୁଲି ଏତେ ଥକି ଯାଇଥିଲେ ଯେ ଆସନ୍ତା ଦୁଇ ପୁରୁଷ ପର୍ଯ୍ୟନ୍ତ ଆଉ ଥରେ ଗାଁ ବସେଇବାର ସମର୍ଥ ହରାଇଥିଲେ। ତା’ଛଡ଼ା ଏଠୁ ଗାଁ ଉଠିଗଲେ କେଉଁଠିକି ଯିବେ, ଆଉ ଠାଏ ଜାଗା ମିଳିବା ସମ୍ଭବ ନୁହେଁ, ଏବେ ଆଉ ଆଶ୍ରୟ ଦେବାକୁ ଜାଗା ନାହିଁ, ସବୁ ଜଂଗଲ ଏବେ କାଗଜକଳ କି କାଜୁବାଦାମ କଂପାନୀ କି ଅଭୟାରଣ୍ୟରେ ।’’ (ଛଞ୍ଚାଣ, ସାହାବଦେବତା, ୧୯୯୭, ପୃଷ୍ଠା-୬) ଏହି ଗଳ୍ପ ପରି ‘‘ଛତିଶତମ ସାଧାରଣତନ୍ତ୍ର ଦିବସରେ ଜାତି ଉଦ୍ଦେଶ୍ୟରେ ଧାନଫୁଲ ପରଜା ପ୍ରଦତ୍ତ ଅଭିଭାଷଣର ମର୍ମାନୁବାଦ’ ଗଳ୍ପରେ ମଧ୍ୟ ସରଳ ଆଦିବାସୀମାନେ କିପରି ବାସ୍ତୁହରା ହେବା ସହିତ, ସେମାନଙ୍କ ଝିଅ-ବୋହୂମାନେ କଣ୍ଟ୍ରାକ୍‌ଟର ଓ ବାବୁଭାୟାମାନଙ୍କ ଦ୍ଵାରା ଅତ୍ୟାଚାରିତା, ଧର୍ଷିତା ହୋଇ ଆତ୍ମହତ୍ୟା କରନ୍ତି ତାହାର ଏକ ଜୀବନ୍ତ ଚିତ୍ର ଗାଳ୍ପିକ ଧାନଫୁଲ ପରଜା ମାଧ୍ୟମରେ ଦେଇଛନ୍ତି । ଏକଥା ସତ ଯେ, ଦେଶର ବିକାଶରେ ଶିଳ୍ପର ଭୂମିକା ଗୁରୁତ୍ୱପୂର୍ଣ୍ଣ । ମାତ୍ର ମଣିଷକୁ ବାସଚ୍ୟୁତ କରି ତଳିତଳାନ୍ତ କରି ଶିଳ୍ପାୟନର ପ୍ରତିଷ୍ଠାକୁ ଘୋର ବିରୋଧ କରିଛନ୍ତି ଗାଳ୍ପିକ । ସେଥିପାଇଁ ନିର୍ଯ୍ୟାତିତ ଓ ଅତ୍ୟାଚାରିତମାନଙ୍କୁ ସେମାନଙ୍କର ନାର୍ଯ୍ୟଦାବି ଫେରେଇ ଦେବା ପାଇଁ ସୁଶାନ୍ତ, ବିମ୍ବାଧର, ଅନାହାର କମିଶନର ଓ ସ୍ଥିତପ୍ରଜ୍ଞ ପରି ଅଫିସରମାନେ ସଂକଳ୍ପବଦ୍ଧ । ସରକାରଙ୍କର ଓ ନେତା ମନ୍ତ୍ରୀଙ୍କର ହସ୍ତକ୍ଷେପ ଯୋଗୁଁ ନିଜ କାର୍ଯ୍ୟରେ ସଂପୂର୍ଣ୍ଣ ସଫଳ ହୋଇପାରୁନାହାନ୍ତି ସେମାନେ । ଆଂଶିକ ସଫଳତାରେ ମଧ୍ୟ ସେମାନେ ଉଲ୍ଲସିତ । ‘କୋରସ’ ଗଳ୍ପର ସୁଶାନ୍ତ ଆଦିବାସୀମାନଙ୍କୁ ଜମି ଫେରେଇ ଦେଇଛି ଓ ତତ୍‌କ୍ଷଣାତ୍‌ ପାଇଯାଇଛି ବଦଳି ନିର୍ଦ୍ଦେଶ । ତଥାପି ସେ ଗର୍ବିତ ମନେ କରିଛି । ଗାଳ୍ପିକ ଏହା ମାଧ୍ୟମରେ ଏଷ୍ଟାବ୍ଲିଶ୍‌ମେଣ୍ଟ ବିରୋଧରେ କରିଛନ୍ତି ବଜ୍ର ଆହ୍ୱାନ ।

 

‘ସାହାବଦେବତା’ ଏକ ଉଚ୍ଚକୋଟୀର ଗଳ୍ପ । ଯେଉଁଥିରେ ରାଜନୀତିକ ବ୍ୟକ୍ତିମାନଙ୍କର ଅର୍ଥ ଉପାର୍ଜନର ଏକ ଅଭିନବ ଶୈଳୀକୁ ଗାଳ୍ପିକ ଲୋକଲୋଚନକୁ ଆଣିଛନ୍ତି । ପ୍ରୋଜେକ୍ଟ ନାଁରେ ସାଧାରଣ ଲୋକଙ୍କୁ ଭୂଆଁ ବୁଲେଇ ସେମାନେ ସରକାରଙ୍କ ଠାରୁ ଅର୍ଥ ଆତ୍ମସାତ୍‌ କରନ୍ତି । ସେହିପରି ‘ରାଜପୁତ୍ର’ ଗଳ୍ପ ଏକ ଶିକ୍ଷିତ କନ୍ଧ ଯୁବକ ଦଶରଥର ଦୁର୍ଦ୍ଦଶାର କାହାଣୀ । ଏଠାରେ କଂଧ ସଂପ୍ରଦାୟର ଉନ୍ନତିର ବାଧକ ସାଜିଛନ୍ତି ସେହି ଜାତିର ଜଣେ ପଦସ୍ଥ ଅଫିସର । ଏହିପରି ସମସ୍ୟାକୁ ଉପଜୀବ୍ୟ କରି ଗୋପୀନାଥ ମହାନ୍ତି ଲେଖିଥିଲେ ଅପହଞ୍ଚ ଉପନ୍ୟାସ । ଶ୍ରୀଯୁକ୍ତ ମହାନ୍ତି ସାମାଜିକ ନୀତି-ନିୟମକୁ ଗୁରୁତ୍ୱ ଦେଉଥିବାରୁ ଅର୍ଥ ଓ ପ୍ରତିପତ୍ତି ପାଇଁ ନିଜ ଗୋଷ୍ଠୀରୁ ଓହରି ଯାଇଥିବା ବୀମା କଂଧର ପୁଅ କେ.ଟିମାୟା ଦୋରା, ନିଜ ଭୁଲ ବୁଝିପାରି ସମଗୋତ୍ରୀୟ ହୋଇପାରିଛି । ମାତ୍ର ‘ରାଜପୁତ୍ର’ ଗଳ୍ପରେ କନ୍ଧ ଅଫିସରମାନଙ୍କର ନା ଅଛି ଅନୁଶୋଚନା ନା ନିଜ ଜାତି ପାଇଁ ଅନୁକଂପା । ତେଣୁ ଦଶରଥ ଅନ୍ୟାୟ ଉପଲବ୍‌ଧି କରି ମଧ୍ୟ ପ୍ରତିବାଦ କରିପାରିନାହିଁ । ମାତ୍ର ପ୍ରତିବାଦ କରି ମଧ୍ୟ ‘ଖଣ୍ଡିଆଭୂତ’ ଗଳ୍ପ ଶିବ ପରଜା ହୋଇଛି ହୀନସ୍ତା ।

 

ଗାଳ୍ପିକ ହୃଷୀକେଶ ପଣ୍ଡାଙ୍କର ବହୁଚର୍ଚ୍ଚିତ ଗଳ୍ପ ସଂକଳନ ହେଉଛି ‘ମିଛ ଖୁସି, ସତ ଦୁଃଖ’-। ତିନୋଟି ଦୀର୍ଘ ଗଳ୍ପକୁ ନେଇ ସଂକଳନଟି ପୁଷ୍ଟ ହେବା ସହିତ ଏଥିରେ ଅବକ୍ଷୟଗ୍ରସ୍ତ ସାମାଜିକ ମୂଲ୍ୟବୋଧ ସହ ସତ୍ୟ ସଂଘର୍ଷର ଚିତ୍ର ପ୍ରତିଫଳିତ । ଏସ୍‌. ପ୍ରଜ୍ଞା, ବିମ୍ୱାଧର ଓ ଅନାହାର କମିଶନର ତିନୋଟି ମୁଖ୍ୟ ଚରିତ୍ର ହୋଇଥିବା ବେଳେ ସମସ୍ତେ ଏହି ସ୍ଖଳିତ ମୂଲ୍ୟବୋଧର ପରିପନ୍ଥୀ । ଅନୁସଂଧାନ ବା ତଦନ୍ତ ହେଉଛି ପ୍ରତ୍ୟେକ ଗଳ୍ପର ମୁଖ୍ୟ ବିଷୟ । ପ୍ରଥମ ଗଳ୍ପ ‘ମିଛ ଖୁସି, ସତ ଦୁଃଖ’ରେ ସାଁପାହାର କଂପାନୀର ଅନୁସଂଧାନ, ଦ୍ୱିତୀୟ ଗଳ୍ପ ବାରୁଆଳି ଗାଁରେ କାଜୁବାଦାମ ଚାଷ ଓ ବିମ୍ବାଧର ଭାଗ୍ୟ’ରେ କାଜୁବାଦାମ ଚାଷର ସର୍ବେକ୍ଷଣ ଓ ତୃତୀୟ ଗଳ୍ପ ‘ଅନାହାର କମିଶନରଙ୍କ ଏକ ରିପୋର୍ଟ’ରେ ପ୍ରେମଶୀଳା ଭୋଇ ନାମକ ଏକ ଆଦିବାସୀ ଯୁବତୀର ଅନାହାର ଜନିତ ତଦନ୍ତ ହେଉଛି ଏହି ଗଳ୍ପଗୁଡ଼ିକର ବକ୍ତବ୍ୟ । ତଦନ୍ତର ଦାୟିତ୍ୱ ସଂପାଦନ କରନ୍ତି ଉପରୋକ୍ତ ଅତି ନିଜର ପ୍ରଶାସନିକ ଅଫିସର । ସର୍ବଦା ସତ୍‌ପଥରେ ଥାଇ ନିର୍ଭୁଲ ତଥ୍ୟ ପ୍ରଦାନ କରିବାକୁ ଯାଇ ଏମାନେ ସରକାରଙ୍କର ଆକ୍ରୋଶର ଶୀକାର ହୁଅନ୍ତି । ଏ ସଂପର୍କରେ ଚର୍ଚ୍ଚା କରି ପ୍ରସନ୍ନ ମହାନ୍ତି କହନ୍ତି - ଯାବତୀୟ ଅନୁଶାସନର ଅନୁପାଳନ ମଧ୍ୟରେ ଅଣନିଶ୍ୱାସୀ ହୋଇଉଠେ ସରକାରୀ କର୍ମଚାରୀଟିଏ । ହାତରେ ଅମାପ କ୍ଷମତା ଥାଇ ବି ଅନେକ ସମୟରେ ଅସହାୟ ହୋଇଉଠେ ଜୀବନ । ଚାକିରି ନୁହେଁ ତ ଏକ ପ୍ରକାର ବଂଦୀ ଜୀବନ । ଦୀର୍ଘ ଚାକିରି ଜୀବନର ସମସ୍ତ ତିକ୍ତ ଅନୁଭୂତିକୁ ଚୁପ୍‌ଚାପ୍‌ ସହଯିବାକୁ ହୁଏ କଇଁଛଟିଏ ଭଳି । ଅହରହ ସନ୍ତୁଳିତ ହେବାକୁ ହୁଏ ଦୁଶ୍ଚିନ୍ତା ଓ ଦୁର୍ଭାବନାରେ । ଶାସକୀୟ ଔଦ୍ଧତ୍ୟ ବେଳେବେଳେ ଏଭଳି ମାର୍ମିକ ଆତ୍ମପୀଡ଼ନର କାରଣ ହୋଇପଡ଼େ ଯେ ବିଚରା କର୍ତ୍ତବ୍ୟନିଷ୍ଠ କର୍ମଚାରୀଟି ଅକୁହା ଯନ୍ତ୍ରଣାରେ ଆକ୍ତାମାକ୍ତା ହୋଇଉଠେ । ମନ ଭିତରେ ଗୁମୁରି ଉଠୁଥିବା ବିଦ୍ରୋହର ସ୍ଵରକୁ ଆକଟ କରି ବସେ ଚାରିପାଖର ଆଦର୍ଶ ଅନୁଶାସନ । ଚୁପ୍‌ଚାପ୍‌ ସହିଯିବାକୁ ହୁଏ ସବୁ ନିର୍ଯ୍ୟାତନାକୁ କୁରୁସଭାର ବିବସ୍ତ୍ରା ଦ୍ରୌପଦୀ ଭଳି ।’’ ( ପ୍ରଗତିବାଦୀ, ମାର୍ଚ୍ଚ ୧୨, ୨୦୦୬), ଏହିପରି ଭାବେ ନିଜ ପ୍ରଶାସକ ଜୀବନର ଅଙ୍ଗେ ନିଭେଇଥିବା କିଛି ଘଟଣାକୁ ନେଇ ରଚିତ ହୋଇଛି ଗାଳ୍ପିକଙ୍କର ଏହି ଉଚ୍ଚକୋଟୀର ଗଳ୍ପ ସଂକଳନଟି ।

 

ଗାଳ୍ପିକଙ୍କର ପ୍ରତ୍ୟେକ ଆଦିବାସୀ ଗଳ୍ପରେ ତାଙ୍କର ମୌଳିକ ଚିନ୍ତାଧାରା ସହିତ ସୂକ୍ଷ୍ମ ଦୃଷ୍ଟିଭଂଗୀ ପ୍ରତିଫଳିତ । ଯଦିଓ ନାମକରଣରେ କାଳ୍ପନିକତା ପରିଲକ୍ଷିତ ହୁଏ, ତଥାପି ଗାଳ୍ପିକ ସ୍ପଷ୍ଟ ଓ ନିର୍ଭୀକ ଭାବରେ ନିଜ ପ୍ରଶାସକ ଜୀବନର ଅନୁଭୂତିକୁ ତଥ୍ୟଭିତ୍ତିକ ପ୍ରମାଣ ସହ ଉପସ୍ଥାପନ କରିଛନ୍ତି । ଏହାର ସମାଧାନ ପାଇଁ ଜନସାଧାରଣଙ୍କ ସାହାଯ୍ୟ ସହଯୋଗ ଜରୁରୀ । ନହେଲେ ଏସବୁ ସମସ୍ୟାର ସୂତ୍ରଧର ସାଜିଥିବା ଚୋରାକାଠ ବେପାରୀ, ସାହୁକାର, ଦାଦନ ଦଲାଲ, ମିଲ୍‌ବାଲା, ଡିଲର ଓ ସର୍ବୋପରି ଉଚ୍ଚପଦସ୍ଥ ଅଫିସରମାନେ, ଯେଉଁମାନେ ଭଦ୍ରମୁଖା ପିନ୍ଧି ଗଣତନ୍ତ୍ରର ମୁଖିଆ ସାଜିଛନ୍ତି ଓ କ୍ଷମତାକୁ ଏପରି ଜାବୁଡ଼ି ଧରିଛନ୍ତି ଯେ, ସେମାନଙ୍କୁ ଏକା ଏକା ପ୍ରତିହତ କରିବା କଷ୍ଟକର । ଏ ସଂପର୍କରେ ସୁସମାଲୋଚକ ପ୍ରଫେସର ବାଉରୀବଂଧୁ କରଙ୍କ ମତ ଯଥାର୍ଥ ମନେହୁଏ ତାଙ୍କ ମତରେ - ‘‘ଯେ ପର୍ଯ୍ୟନ୍ତ ମଣିଷର ନୈତିକ ଭାବନାର ବିକାଶ ଘଟିଛି, ସେ ପର୍ଯ୍ୟନ୍ତ ଆମ ସମାଜରେ ନଥିଲା ବାଲା ପ୍ରତି ଥିଲାବାଲାଙ୍କର ଶୋଷଣ ଚାଲିଥିବ ।’’ (ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ ଉପନ୍ୟାସ, ୨୦୦୪, ପୃଷ୍ଠା - ୨୭)

 

(୪) ଲୋକକାହାଣୀ ଶୈଳୀମୂଳକ ଗଳ୍ପ - ସାହିତ୍ୟର ଅନ୍ୟାନ୍ୟ ବିଭାଗ ପରି ଗଳ୍ପ ରଚନାର ଧାରାରେ ପରିଲକ୍ଷିତ ହେଉଛ ପରିବର୍ତ୍ତନ । ଏହାର କାରଣ ସାଂପ୍ରତିକ ଗାଳ୍ପିକମାନଙ୍କ ମଧ୍ୟରେ ଦେଖା ଦେଇଥିବା ନିଜ ନିଜ ଗଳ୍ପରେ ନୂତନ ଶୈଳୀର ପ୍ରୟୋଗ କରିବାର ପ୍ରବଣତା । ଆତ୍ମିକ ଦିଗରେ ପରିବର୍ତ୍ତନ ଆଣିବା ପାଇଁ ସେମାନେ ଯେତିକି ବ୍ୟଗ୍ର, ଆଂଗିକରେ ପରିବର୍ତ୍ତନ ଆଣିବା ପାଇଁ ସେହି ପରିମାଣରେ ବ୍ୟାକୁଳ । ସେଥିପାଇଁ ସଂପ୍ରତି ଲୋକ ସାହିତ୍ୟକୁ ଆଂଗିକ ଭାବେ ବ୍ୟବହାର କରାଯାଇ ନାନା ପରୀକ୍ଷା ନିରୀକ୍ଷା କରାଯାଉଛି । ବହୁ ଗାଳ୍ପିକ ଏହି ପରୀକ୍ଷାରେ ସାମିଲ ହୋଇ ଏକ ନୂତନ ପରଂପରା ସୃଷ୍ଟି କରିଛନ୍ତି । ପୁରୁଣା ଫର୍ମରେ ନୂତନ ଦୃଷ୍ଟିଭଂଗୀକୁ ବ୍ୟକ୍ତି କରୁଥିବା ଯୋଗୁଁ ବକ୍ତବ୍ୟର ଗୁରୁତ୍ୱ ଉପଲବ୍‌ଧି ହେବା ସହିତ ପାଠକୀୟ ଦୃଷ୍ଟି ଆକର୍ଷଣ ମଧ୍ୟ କରିପାରିଛି । ମନୋଜ ଦାସ ଏହି ଧାରାରେ ବିଶେଷ ସଫଳତା ଅର୍ଜନ କରିପାରିଛନ୍ତି । ଅନେକ ଗାଳ୍ପିକ ସଫଳତାର ଶୀର୍ଷରେ ନ ପହଂଚି ପାରିଥିଲେ ମଧ୍ୟ ଲୋକଲୋଚନକୁ ଆସିପାରିଛନ୍ତି । ଗାଳ୍ପିକ ହୃଷୀକେଶ ପଣ୍ଡା ଏହି ଧାରାରେ ଜଣେ ବ୍ୟତିକ୍ରମ ସ୍ରଷ୍ଟା-। ଲୋକ କାହାଣୀ ଶୈଳୀକୁ ନେଇ ଗଳ୍ପ ରଚନା କରିଥିଲେ ହେଁ ଭିନ୍ନ ଭାବରେ କହିବାର ପ୍ରବଣତା, ନୂତନ ଶୈଳୀ ଓ ଶିଳ୍ପକଳାରେ ତାଙ୍କ ଗଳ୍ପଗୁଡ଼ିକ ହୋଇଛି ପରିପୁଷ୍ଟ ।

 

ଅଧୁନା ଗଳ୍ପଗୁଡ଼ିକରେ ଲୋକକାହାଣୀ ଶୈଳୀକୁ ବ୍ୟବହାର କରିବାର ମୁଖ୍ୟ କାରଣ ହେଲା, ଏହା ଶୈଳୀଶ୍ରୁତି ଭାବେ ଗଳ୍ପକୁ ଏକ ଗଠନଗତ ଶୃଙ୍ଖଳା ପ୍ରଦାନ କରେ । ଏହାର ଭାଷା ଲୋକଭାଷା ହୋଇଥିବାରୁ ଏହା ଅଧିକ ବୋଧଗମ୍ୟ । ସାଧାରଣତଃ ଲୋକ କାହାଣୀରେ ବ୍ୟବହୃତ ମୋଟିଫ୍‌ ଲୋକମାନଙ୍କ ମନରେ ଅବଚେତନ ସ୍ତରରେ ରହିଥିବାରୁ ଏହି ଢାଞ୍ଚାରେ ରଚିତ ନୂତନ ଗଳ୍ପଗୁଡ଼ିକୁ ବୁଝିବାରେ ବିଶେଷ ଅସୁବିଧା ହୋଇନଥାଏ । ଏହି ଶୈଳୀରେ ଲେଖକର ସ୍ଵାଧୀନତା ଅନେକ ପରିମାଣରେ ବୃଦ୍ଧିପାଏ । ଅନେକ ବିଷୟ ଅଛି ଯାହା ପ୍ରତ୍ୟକ୍ଷ ଭାବେ ପ୍ରକାଶ କରିବାରେ ଯେଉଁ ଅସୁବିଧା ଥାଏ, ତାହା ଏହି ଶୈଳୀ ଦ୍ୱାରା ଦୂରୀଭୂତ ହୋଇଥାଏ-। ଲେଖକ ଅକ୍ଳେଶରେ ସ୍ଵାଭାବିକ ଭାବେ ଉଦ୍ଦିଷ୍ଟ ବିଷୟକୁ ବ୍ୟକ୍ତ କରୁଥିବାରୁ ଗାଳ୍ପିକ ଡକ୍ଟର ପଣ୍ଡା ଏହି ଶୈଳୀ ମାଧ୍ୟମରେ ସାଂପ୍ରତିକ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିଛନ୍ତି । ମିଶ୍ରିତ ଭାଷାରେ, ପ୍ରାଚୀନ ସଂସ୍କୃତି ଓ ପରଂପରାର ପୃଷ୍ଠଭୂମିରେ ସରଳ ଭାବରେ ଏକ ଗଭୀର ତାତ୍ତ୍ୱିକ ତଥ୍ୟ ପ୍ରଦାନ କରିବା ଗାଳ୍ପିକଙ୍କ ଲକ୍ଷ୍ୟ ।

 

‘ବୟସ୍କଙ୍କ ପାଇଁ ଶିଶୁ କାହାଣୀ’ ଗଳ୍ପ ସଂକଳନରେ ସ୍ଥାନିତ ଏଗାରଟି ଯାକ ଗଳ୍ପ ଏହି ଶୈଳୀରେ ରଚିତ । ଏତଦ୍‌ଭିନ୍ନ ‘ରାଜପୁତ୍ର’ ସଂକଳନର ‘କିଲମିନ୍‌ଝୋନାର ଭ୍ରମଣ ବୃତ୍ତାନ୍ତ’, ‘ଜହ୍ନ ଖୋଜୁଥିବା ଜିଦ୍‌ଖୋର ରାଜା’, ‘ଅମୃତ କୁଆଡ଼େ ଗଲା ?’ ଓ ’ରେବତୀ’ ସଂକଳନର ‘ସାବିତ୍ରୀ ସତ୍ୟବାନ ଓ ତରଣୀସେନ ଦାସ’ ଓ ‘ଗୋଟିଏ ଗୃହପାଳିତ ବିଲେଇର ଆତ୍ମକାହାଣୀ’ ଗଳ୍ପ ଦୁଇଟି ମଧ୍ୟ ଏହି ଶୈଳୀକୁ ନେଇ ହୋଇଛି ପରିପୁଷ୍ଟ । ଅର୍ଥାତ୍‌ ସର୍ବମୋଟ ଷୋହଳଟି ଗଳ୍ପ ଏହି ଶୈଳୀରେ ରଚିତ ।

 

କେତେଗୁଡ଼ିଏ ଗଳ୍ପରେ ଲୋକକାହାଣୀର ଉପାଦାନ ଥାଏ, ମାତ୍ର କଳେବର ଆଧୁନିକ ଗଳ୍ପର । ଯଥା- ‘ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି’, ‘ପଣ୍ଡିତେ ଓ ଅବୋଲକରା କଥା’, ‘ସାଧବାଣୀ, ସାଧବ, କଟୁଆଳ, ମନ୍ତ୍ରୀ, ବ୍ରାହ୍ମଣ ଇତ୍ୟାଦି କଥା’, ‘ପାଞ୍ଚଝିଅ କଥା’, ‘ସାବିତ୍ରୀ ସତ୍ୟବାନ ଓ ତରଣୀସେନ ଦାସ’ ଇତ୍ୟାଦି । ସ୍ଵାଧୀନତାର ଷାଠିଏ ବର୍ଷ ପରେ ମଧ୍ୟ ଦେଶର ସାମାଜିକ, ରାଜନୀତିକ ଓ ଆର୍ଥନୀତିକ ମାନର କ୍ରମ ଅଧୋଗତି ଘଟିଚାଲିଛି । କୁତ୍ସିତ ରାଜନୀତି ପାଇଁ ଏବେବି ଲୋକମାନେ ପରାଧୀନ ଜୀବନ ଅତିବାହିତ କରୁଛନ୍ତି । ନେତା ଓ ମନ୍ତ୍ରୀମାନଙ୍କର କୁଚକ୍ରାନ୍ତ ପାଇଁ ସାଧାରଣ ଜନତା ନିଷ୍ଫେଷିତ ହେବା ସହିତ ଏବେ ମଧ୍ୟ ଆମ ଦେଶ ବିଭିନ୍ନ ପ୍ରକାରର ସାହାଯ୍ୟ ସହଯୋଗ ପାଇଁ ବାହାର ଦେଶ ଉପରେ ନିର୍ଭରଶୀଳ ହେବାକୁ ବାଧ୍ୟ ହେଉଛି । ‘ପଣ୍ଡିତେ ଓ ଅବଲୋକରା କଥା’ ଗଳ୍ପରେ ପଣ୍ଡିତ ଓ ଅବଲୋକରାର କଥୋପକଥନ ମାଧ୍ୟମରେ ଏହା ସ୍ପଷ୍ଟ କରିଦେଇଛନ୍ତି ଗାଳ୍ପିକ । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଆମର ଉନ୍ନତ ଜ୍ଞାନ କୌଶଳ ସତ୍ତ୍ଵେ ଅର୍ଥନୀତି, କୃଷି କୌଶଳ, ଶିଳ୍ପ ସଭ୍ୟତା, ଆର୍କିଟେକ୍‌ଚର, ସାହିତ୍ୟ, ସଂସ୍କୃତି ଓ ଫେଶନ ପାଇଁ ଏବେ ମଧ୍ୟ ଆମେ ଜାପାନ ଉପରେ ନିର୍ଭରଶୀଳ । ସେହିପରି ‘ସାଧବବାଣୀ, ସାଧବ, କଟୁଆଳ, ମନ୍ତ୍ରୀ, ବ୍ରାହ୍ମଣ ଇତ୍ୟାଦି କଥା’ରେ ସାଂପ୍ରତିକ ସମାଜରେ ପ୍ରତିଷ୍ଠିତ ରାଜନୀତିକ ନେତା, ଚାକିରିଜୀବୀ ପୁରୁଷ ଓ ମହିଳା, ଅଦାଲତର ବିଚାରକ ଇତ୍ୟାଦିଙ୍କ ବିକୃତ ଓ ନିକୃଷ୍ଟ ମାନସିକତାକୁ ବିଦ୍ରୂପ କରିଛନ୍ତି ଗାଳ୍ପିକ-

 

ଅନ୍ୟ କେତେକ ଗଳ୍ପରେ ଅଲୌକିକତା ଓ ଅତିରଂଜନର ପ୍ରାଧାନ୍ୟ ପରିଲକ୍ଷିତ ହୁଏ । ‘ଜହ୍ନ ଖୋଜୁଥିବା ଏକ ଜିଦ୍‌ଖୋର ରାଜା’, ‘ଅମୃତ କୁଆଡ଼େ ଗଲା ?’, ‘ଗଉଡ଼ ଟୋକା ଓ ବୁଢ଼ୀ ଅସୁରୁଣୀ କଥା’ ଇତ୍ୟାଦି ଏହି ଶୈଳୀରେ ରଚିତ । ଏହାକୁ ଏକ କୌଶଳ (Technical) ଭାବେ ଗ୍ରହଣ କରି ଏହି ଗଳ୍ପ ମାଧ୍ୟମରେ ପାରିବାରିକ ଦ୍ଵନ୍ଦ୍ୱ ଓ ରାଜନୀତିକ ବ୍ୟଭିଚାରକୁ ଦୂର କରିବାର ପ୍ରୟାସୀ ହୋଇଛନ୍ତି ଗାଳ୍ପିକ । ଏହି ଶୈଳୀର ସଫଳ ପ୍ରୟୋଗକାରୀ ମନୋଜ ଦାସ ମଧ୍ୟ ଅଲୌକିକତା ଓ ଅତୀନ୍ଦ୍ରିୟଚେତନା (Mysticism) ଉପରେ ବିଶ୍ଵାସ ରଖନ୍ତି । ଅଧ୍ୟାପକ ପି.ରାଜାଙ୍କୁ ‘ଦି ଟାଇମ୍‌ସ ଅଫ୍‌ ଇଣ୍ଡିଆ’ରେ ଦେଇଥିବା ସାକ୍ଷାତ୍‌କାରରେ ସେ କହିଛନ୍ତି - ‘‘Mysticism ଜଣକୁ ଏପରି ଆନ୍ତଃ ସ୍ୱାଧୀନତାର ସ୍ୱାଦ ଦେଇପାରେ, ଯାହାଦ୍ୱାରା ସେ ବହୁପ୍ରକାର ବାଧା ଓ ସୀମାକୁ ଅତିକ୍ରମ କରିପାରେ ।’’ (ଲେଖକଙ୍କ ସହ ପ୍ରଶ୍ନୋତ୍ତର, ମନୋଜ ପଞ୍ଚବିଂଶତି, ପୃଷ୍ଠା-ଗ) ବାସ୍ତବିକ୍‌ ଏହି ଶୈଳୀ ମଣିଷର ଅନ୍ଧକାରମୟ ଦିଗକୁ ଉଦ୍‌ଭାସିତ କରିବା ପାଇଁ ଲେଖକକୁ ଦିଏ ଏକ ବ୍ୟାପକ ପରିସର ।

 

ଆତ୍ମକାହାଣୀ ଧର୍ମୀ ଶୈଳୀରେ ମଧ୍ୟ କେତୋଟି ଗଳ୍ପ ଲେଖାହୋଇଛି । ‘କାଶ୍ମୀର କାହାଣୀ’, ଗୋଟିଏ ଗୃହପାଳିତ ବିଲେଇର ଆତ୍ମକାହାଣୀ’ ଓ ‘କିଲ୍‍ମିନ୍‌ ଝୋନାର ଭ୍ରମଣ ବୃତ୍ତାନ୍ତ’ ଏହି ପର୍ଯ୍ୟାୟବାଚୀ । ପାଞ୍ଚ ଶତ ମୁଦ୍ରା, ବିଲେଇ ଓ ମାଛକୁ ଚରିତ୍ର ଭାବେ ନେଇ, ଏହା ମାଧ୍ୟମରେ ସାଧାରଣ ମଣିଷର ଜୀବନ ସଂଘର୍ଷ, ନ୍ୟାୟ- ଅନ୍ୟାୟ ଓ ସର୍ବୋପରି ସାମାଜିକ ଚଳଣିକୁ ସୁନ୍ଦର ଭାବେ ଉପସ୍ଥାପନ କରିଛନ୍ତି ଗାଳ୍ପିକ । ପାଞ୍ଚଶତ ମୁଦ୍ରା ପରି ଏକ ନିର୍ଜୀବ ବସ୍ତୁକୁ ଚରିତ୍ର ଭାବେ ଦେଇ ଗାଳ୍ପିକ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିପାରିଛନ୍ତି । ସମାଲୋଚକ କ୍ଷୀରୋଦ ଚନ୍ଦ୍ର ବେହେରାଙ୍କ ଭାଷାରେ- ‘କାଶ୍ମୀର କାହାଣୀ’ ଗଳ୍ପରେ ଏକ ପାଞ୍ଚଶହ ଟଙ୍କିଆ ନୋଟ ଭିତରେ ଗାଳ୍ପିକ ଆତ୍ମସ୍ଥ ହୋଇ ଯେଉଁ ବର୍ଣ୍ଣନା କରିଛନ୍ତି, ବାସ୍ତବରେ ସେଥିରୁ ତାଙ୍କର ଭାଷାଗତ ପରିପକ୍ୱତା ଓ କଥନକରେ ଗାଳ୍ପିକଙ୍କର ସ୍ଥିତି ସଂପର୍କିତ ସଚେତନତାର ଉଦାହରଣ ମିଳିଥାଏ ।’’ (ଏକବିଂଶ ଶତାବ୍ଦୀର ଓଡ଼ିଆ ଗଳ୍ପ : ପ୍ରତିଶୃତି ଓ ସମ୍ଭାବନା, ୨୦୦୩, ପୃଷ୍ଠା - ୧୧୩)

 

ମଣିଷ ଯେତେ ଆଧୁନିକ ହେଲେ ମଧ୍ୟ ପୂର୍ବ-ପୁରୁଷମାନଙ୍କ ସ୍ଥିତିକୁ ଅସ୍ଵୀକାର କରିପାରିବ ନାହିଁ । ଲୋକକାହାଣୀ ଆମର ଅସ୍ଥି ମଜାଗତ ଏବଂ ଏହା ଆମର ଅତୀତ ପରଂପରାକୁ ସ୍ମୃତିର ସୁଅରେ ଭସେଇ ଆଣି ବର୍ତ୍ତମାନର ପୃଷ୍ଠଭୂମିରେ ସମତାଳ ରକ୍ଷା କରି ଭବିଷ୍ୟତ ପାଇଁ ଏକ ନୂତନ ସତ୍ୟ ସଂଧାନର ସୁଯୋଗ ସୃଷ୍ଟି କରିପାରୁଛି ।

 

(୫) ସାମାଜିକ ସମସ୍ୟାମୂଳକ ଗଳ୍ପ - ଯେହେତୁ ମଣିଷ ଏକ ସାମାଜିକ ପ୍ରାଣୀ ତାକୁ କେନ୍ଦ୍ର କରି ରଚିତ ସମସ୍ତ ସାହିତ୍ୟ ସାମାଜିକ ପର୍ଯ୍ୟାୟବାଚୀ । ଆମ ପରିପାର୍ଶ୍ଵରେ ଘଟୁଥିବା ଘଟଣା ସେ ରାଜନୀତିକ ହେଉ, ଐତିହାସିକ ହେଉ ବା କିମ୍ବଦନ୍ତୀମୂଳକ ହେଉ ତାହା ଆମ ସମାଜର ଅଂଶବିଶେଷ । ନିଜର ସୁବିଧାର୍ଥେ ବିଭାଗୀକରଣ କରାଯାଇଥାଏ । ଏଠାରେ ମଧ୍ୟ ଆଲୋଚନାର ସୁବିଧାର୍ଥେ ଉପରୋକ୍ତ ବିଭାଗୀକରଣ କରାଯାଇଛି । ଉପରୋକ୍ତ ଗଳ୍ପଗୁଡ଼ିକୁ ବାଦ୍‌ଦେଇ ଆଉ ସମସ୍ତ ଗଳ୍ପକୁ ଏହି ପର୍ଯ୍ୟାୟରେ ଆଲୋଚନା କରାଯାଇପାରେ ।

 

ସଂପତି ମଣିଷ ନିଜର ଆତ୍ମସତ୍ତା ଅନ୍ଵେଷଣର ବ୍ରତୀ । ସମାଜର ଧରାବଂଧା ରୁଟିନ୍‌ଯୁକ୍ତ ନିୟମକାନୁନ୍‌ ଓ ଜୀବନଧାରଣ ପ୍ରକ୍ରିୟାର ସୀମା ସରହଦ ଅତିକ୍ରମ କରିବାକୁ ସେ ବ୍ୟଗ୍ର । ସେଥିପାଇଁ ଅଧିକାଂଶ ହୃଷୀକେଶୀୟ ଚରିତ୍ର ସମାଜକୁ ଉପେକ୍ଷା କରି ନିଜସ୍ଵ ସ୍ଥିତି ସୁଦୃଢ଼ କରିବାକୁ ଶତତ ଚେଷ୍ଟିତ । ‘‘ନଚିକେତାର ସବାଶେଷ ପ୍ରେମ ଗପ’ ଗଳ୍ପରେ ନାୟକ ନଚିକେତା ଜଣେ ଶିକ୍ଷିତ ଓ ଆତ୍ମ ମନସ୍କ ଯୁବକ । ମାୟା ସହିତ ତା’ର ଥିବା ଘନିଷ୍ଠତାରେ ଦେଖାଦେଇଛି ଶିଥିଳତା । ମାୟାର ବାହାଘର ଅନ୍ୟତ୍ର ଠିକ୍‌ ହୋଇଯିବା ପରେ ବି ସେ ମାୟାକୁ ଚିଠି ଦେଇଛି, ଫୋନ୍‌ କରିଛି ଓ ସମାଜକୁ ଖାତିର୍‌ ନକରି କଲେଜ ଯାଇ ତାକୁ ଦେଖା କରିଛି । ମାତ୍ର ଦୁଇଜଣ ପରସ୍ପରର ସଂପର୍କ ବିଷୟରେ ସଚେତନ । ଏହିପରି ଭାବେ ଗଳ୍ପନାୟକ ପ୍ରୀତି, ବାସ୍ନା, ମାୟା ଓ କନଅପା ପ୍ରେମରେ ମଧ୍ୟ ମସ୍‌ଗୁଲ । ‘ପୃଥିବୀ ହୃଦୟରେ ସମସ୍ତେ ଏକାକୀ’, ‘କନଅପାର ପାଉଁଜୀ’, ‘ହୃଦୟ ଭିତରେ ଝଡ଼ିପୋକ ଉଡ଼ୁଥିବାର ଦୃଶ୍ୟ’ ଇତ୍ୟାଦି ଗଳ୍ପରେ ଉପରୋକ୍ତ ପ୍ରତିକ୍ରିୟା ପରିଲକ୍ଷିତ ହୁଏ । ଗଳ୍ପନାୟକ ବାସ୍ତବତା ସହିତ ସମ୍ମୁଖୀନ ହେବା ପରେ ହୃଦୟ ଭିତରେ ଝଡ଼ିପୋକ ଉଡ଼ୁଥିବାର ଅନୁଭବ କରିଛି ଏବଂ ଭାବିଛି - ‘‘ଏବେ ଆଉ କଣ ? ଭାବୁଚି ତମେ ଆଉ ଆସିବ ନାଇଁ, ମୁଁ ଆଉ ତମକୁ ଡାକିବି ନାଇଁ । ଏଠି ଏକା ଏକା ବସି ସିଗାରେଟ/ଦାରୁ ପିଇବି, ରଜା ପରି ଏକାଟିଆ ହୋଇଯିବି ।’’ (ବାହାରେ ଛିଡ଼ା ହୋଇଥିବା ଲୋକ, ପୃଷ୍ଠା - ୨୯)

 

ସଂପ୍ରତି ଚାକିରି ଓ ବେକାରୀ ସମସ୍ୟା ଦେଶର ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଦେଇଛି । ଏଥିପାଇଁ ଅରାଜକତା ଦେଖାଦେବା ସହ ଯୁବପୀଢ଼ି ବିଶୃଙ୍ଖଳିତ ହୋଇଯାଉଛନ୍ତି-। ସବୁଠାରୁ ଶୃଙ୍ଖଳିତ ସାମରିକ ଚାକିରିରେ ହେଉଥିବା ଦୁର୍ନୀତିକୁ ‘କୌଣସି ଏକ କଜଳପାତି ସଂପର୍କରେ’ ଗଳ୍ପରେ ଗାଳ୍ପିକ ବ୍ୟକ୍ତ କରିଛନ୍ତି । ସେହିପରି ‘ନିଶୁଣି’, ‘ଜଣେ ସମସାମୟିକ ନାୟକର କଥା’, ‘ପ୍ରକୃତ ହତ୍ୟାକାରୀ ଦୟାକରି ହାତ ଟେକିବେ କି ?’ ଇତ୍ୟାଦି ଗଳ୍ପରେ ପ୍ରମୋସନ, ଝିଅ ବାହାଘର, ପରିବାର ରକ୍ଷଣାବେକ୍ଷଣ ଚିନ୍ତା ଯୋଗୁଁ ଅଫିସରେ ହେଉଥିବା ଅନୈତିକ କାର୍ଯ୍ୟ ଓ ବ୍ୟଭିଚାରକୁ ପ୍ରାଞ୍ଜଳ ଭାବେ ଉପସ୍ଥାପନ କରାଯାଇଛି । ସେହିପରି ବେକାରୀ ସମସ୍ୟାକୁ ଭିତ୍ତିକରି ରଚିତ ଗଳ୍ପଗୁଡ଼ିକ ହେଲା- ‘ସନାତନ ସବୁଦିନେ କ୍ଲବ ଯାଏ’, ‘କଣ ଖୋଜୁଛ ଯଯାତି ?’, ‘ଚାରି ସଂଗାତ କଥା’ ଓ ‘ଡିଡି ଆମର ସାଙ୍ଗ, ଭାରି ଭଲ ସାଙ୍ଗ ।’ ଅର୍ଥଚିନ୍ତା ଓ ତତ୍‌ଜନିତ ମାନସିକ ଦ୍ଵନ୍ଦ୍ୱ ଯୋଗୁଁ ଯଯାତି, ଧଡ଼ି, ଧୂଳିଆ, ସନାତନ, ସନ୍ତୋଷ, ନରେନ୍ଦ୍ର ଓ ସାଧୁ ଇତ୍ୟାଦି ଚରିତ୍ର ବାଜେ କଥାରେ ମୁଣ୍ଡ ପୂରାନ୍ତି, ସିନେମାରେ ମିଶିବାର ସ୍ଵପ୍ନ ଦେଖନ୍ତି ଓ ମଦ ପିଅନ୍ତି । ବେକାର ସନାତନ ପରିବାରର ବଡ଼ ପୁଅ । ଔଷଧ ବିନା ସାନଭାଇ ଟାଇଫଏଡରେ ମରିଯିବା ପରେ ପାରିବାରିକ ଅଶାନ୍ତି ଓ ନିଜର ମାନସିକ ଅବସାଦ ଦୂର କରିବା ପାଇଁ ତା’ର ମୁଖ୍ୟ ଆଶ୍ରୟସ୍ଥଳ ହୋଇଯାଇଛି କ୍ଲବ । ସେ ଭୁଲିଯିବାକୁ ଚାହେଁ ଘର, ପରିବାର ଓ ନିଜସ୍ଵ ସତ୍ତାକୁ ମଧ୍ୟ । ଗାଳ୍ପିକଙ୍କ ଭାଷାରେ-

 

‘‘ସନାତନ ସବୁଦିନ କ୍ଲବରେ ମଦ ପିଏ ।

କ୍ଲବରେ ପହଞ୍ଚିବା ମାତ୍ରକେ କିଛି କ୍ଷଣ

ଅଦ୍ଭୂତ ସଂପର୍କହୀନ ଲୋକଙ୍କୁ ଦେଖି ଦେଖି

ସେ ନିଜକୁ ଆଶ୍ଚର୍ଯ୍ୟ ହୋଇ ପଚାରେ

ମୁଁ କ୍ଲବ୍‌ କାହିଁକି ଆସିଚି ? କିନ୍ତୁ

ଦି’ ଚାରି ପେଗ୍‌ ପିଇଦେଲା ପରେ

ସେ ଏ ପ୍ରଶ୍ନଟି ଭୁଲିଯାଏ ଓ

କ୍ଲବ୍‌ ସାଙ୍ଗେ ସାମିଲ ହୋଇଯାଏ ।’’

(ସନାତନ ସବୁଦିନେ କ୍ଲବ ଯାଏ, ରେବତୀ, ପୃଷ୍ଠା- ୮୦-୮୧)

 

ସେହିପରି କାମ ନଥିବାରୁ ‘ଚାରି ସଙ୍ଗାତ କଥା’ ଗଳ୍ପରେ ଧଡ଼ି ଓ ଧୂଳିଆ ବସ୍ତା ଭିତରେ ଥିବା କୁକୁରର ମୃତ ଦେହକୁ କଲେଜ ଚୌକିଦାରର ମୃତଦେହ ବୋଲି ଘୋଷଣା କରନ୍ତି । ଏହିପରି ବିନା କାରଣରେ ଆଜିର ସୁସ୍ଥ ଯୁବ ସମାଜ ନଷ୍ଟ କରୁଛି ନିଜର ବହୁମୂଲ୍ୟ ସମୟ । ଦେଶ ଯେତେବେଳେ ସେମାନଙ୍କ ଠାରୁ ଆଶା କରୁଛି କିଛି ନୂତନ ଆଲୋକ, ସେତେବେଳେ ସେମାନେ ଗୋଟିଏ ଚା’ କପ୍‌ରେ ନିଜତ୍ୱ ହରେଇ ହୋଇଯାଉଛନ୍ତି ପଙ୍ଗୁ ଓ ଅଥର୍ବ ।

 

ହୃଷୀକେଶଙ୍କ ଗଳ୍ପ ଭିତରୁ ‘ମେରିଆ’ ଏକ ଉଲ୍ଲେଖଯୋଗ୍ୟ ଗଳ୍ପ । ରେପ୍‌/ ଟୋକୀମରା / ଟୋକୀ ଉଡ଼ାର ଗଳ୍ପ’ ମେରିଆ’ । ନେତା ଓ ମନ୍ତ୍ରୀଙ୍କ ପିଲାମାନେ କିପରି ସାଧାରଣ ଝିଅମାନଙ୍କୁ ରାଜରାସ୍ତାରେ ଉଠେଇ ଆଣି ରେପ୍‌ କରନ୍ତି ତାହାର ଏକ ଉତ୍କୃଷ୍ଟ ପ୍ରମାଣ । ମାତ୍ର ଉକ୍ତ ଗଳ୍ପରେ ସାମ୍ବାଦିକମାନେ କିପରି ସତ୍‌ଘଟଣା ପ୍ରକାଶ ନକରି ଅଭିଯୁକ୍ତମାନଙ୍କୁ ପକ୍ଷପାତିତା କରନ୍ତି ତାହା ବ୍ୟକ୍ତ କରିଛନ୍ତି ଗାଳ୍ପିକ । ଶାନ୍ତନୁ, ପ୍ରବୀର ଓ ସୁବୀର ପରି ସାମ୍ବାଦିକମାନେ ସେମାନଙ୍କର ସାମାଜିକ ଦାୟିତ୍ୱ ଭୁଲିଯିବା ଦ୍ଵାରା ଅଭିଯୁକ୍ତମାନେ ଭଦ୍ରଭାବେ ଘୂରିବୁଲିବା ସହିତ ସାଧାରଣ ଜନଜୀବନ ହୋଇଯାଉଛି ଅସ୍ତବ୍ୟସ୍ତ ।

 

‘ଶୂନ୍ୟତାର ପାଶ୍ଚାତ୍ୟ’କୁ ଗଳ୍ପ ସଂକଳନରେ ଗାଳ୍ପିକଙ୍କ ଲେଖନୀର ପରିପକ୍ଵତାର ପ୍ରମାଣ ମିଳିବା ସହ ଏଥିରେ ଉତ୍ତର ଆଧୁନିକ ମାନସିକତାର ଘଟିଛି ପରିପ୍ରକାଶ । ଉପନିବେଶବାଦ ଫଳରେ ଆର୍ଥନୀତିକ ଉଦାରୀକରଣ ଜନିତ ସମସ୍ୟା ଏହି ଗଳ୍ପଗୁଡ଼ିକର ଭିତ୍ତିଭୂମି ହୋଇଥିବା ଯୋଗୁଁ ଗଳ୍ପଗୁଡ଼ିକ କାହାଣୀ ଧର୍ମିତ ହରେଇ ହୋଇଯାଇଛି ବକ୍ତବ୍ୟ ପ୍ରଧାନ । ନୂତନ ଉପନିବେଶବାଦ ଯୋଗୁଁ ଦେଶର ଦେଖା ଦେଇଥିବା ବିଭିନ୍ନ ପ୍ରକାର ଅସ୍ଥିରତା ସହିତ ପାଶ୍ଚାତ୍ୟ ମାନସିକତାର ପ୍ରଭାବ ଯୋଗୁ ଦାଂପତ୍ୟ ପ୍ରେମରେ ବ୍ୟର୍ଥତା ସହିତ ପରକୀୟା ପ୍ରୀତି (Extra Merital) ର ପ୍ରଭାବ ‘ବାସ୍‌, ‘ପଥୁକୀ’, ‘ଔରସ୍ୟ’, ‘କେତୋଟି ଭଂଗା ଚଉତା ରଂବସ୍‌’, ‘ଲଂଚକ୍ଲବ ଓ ଭାରତବର୍ଷ, ‘ବଂଚିବାର ବାଧ୍ୟବାଧକତାରେ’ ଓ ‘ଶୂନ୍ୟତାର ପାଶ୍ଚାତ୍ୟକୁ’ ଇତ୍ୟାଦି ଗଳ୍ପ ଗୁଡ଼ିକରେ ଦେଖିବାକୁ ମିଳେ ।

 

ପାଶ୍ଚାତ୍ୟ ସଭ୍ୟତା ଓ ସଂସ୍କୃତିର ପ୍ରଭାବରେ ହିମାନୀ, ମାଧବୀ, ତିମା ଓ ଜୟାପରି ଚରିତ୍ର ଉଗ୍ର ଆଧୁନିକା ଓ ନିଜ ସ୍ଥିତି ସଂପର୍କରେ ସଚେତନ । ଏମାନେ ସ୍ଵାମୀ ଓ ପରିବାରକୁ ଗୁରୁତ୍ୱ ନଦେଇ ଦେଶରେ ସୃଷ୍ଟି ହେଉଥିବା ଦାରିଦ୍ର୍ୟ ସମସ୍ୟା ଓ ଆର୍ଥନୀତିକ ଅସ୍ଥିରତାକୁ ନେଇ ଭାଷଣ ଦିଅନ୍ତି । ସେଥିପାଇଁ ‘ପଥୁକୀ’ ଗଳ୍ପରେ ହିମାନୀ ମାତୃତ୍ୱକୁ ଗୁରୁତ୍ୱ ନଦେଇ ଭ୍ରୂଣ ନଷ୍ଟ କରିବାକୁ ଜିଦ୍‌ ଧରିଛି । ଗାଳ୍ପିକଙ୍କ ଭାଷାରେ - ‘‘ହିମାନୀକୁ କଣ ଆଦୌ ଭୟ ଲାଗି ନଥିବ ? ସେ କ’ଣ ଆଦୌ ଭାବିବ ନାହିଁ ଯେ ଭ୍ରୂଣଟି ହୁଏତ ପିଲାଯିଏ ହୋଇପାରିଥାନ୍ତା ! × × × ସେ କାହିଁକି ଜିଦ୍‌ ଧରିଥିଲା ? ସେ କ’ଣ ଅଭିମନ୍ୟୁ ଉପରେ ପ୍ରତିଶୋଧ ନେଉଥିଲା ନା ସେ ସତରେ ଏଡ଼େ ପ୍ରଚଣ୍ଡ କ୍ୟାରିଅରିଷ୍ଟ ?’’ (ପଥୁକୀ, ଶୂନତାର ପାଶ୍ଚାତ୍ୟକୁ, ପୃଷ୍ଠା- ୨୨) ସଂପ୍ରତି ମଣିଷ ଯେତେ ଆଧୁନିକ ହେଉଛି ତା’ନୈତିକତାକୁ ମଧ୍ୟ ଧିରେ ଧିରେ ଭୁଲିଯାଇଛି । ଜୀବନଧାରଣ ମାନର ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହେଉଛି ପାଶ୍ଚାତ୍ୟଶୈଳୀରେ ତାରକା ଖଚିତ ହୋଟେଲ, ଲଂଚ୍‌ କ୍ଲବ ଓ ବହୁ ଉପଭୋଗ ସାମଗ୍ରୀ । ସମସ୍ତେ ଏଥିପ୍ରତି ଆକର୍ଷିତ ହେବାଦ୍ଵାରା ନଷ୍ଟ ହୋଇଯାଉଛି ପରସ୍ପରର ଭଲପାଇବା ଓ ସୌହାର୍ଦ୍ଦ୍ୟ ।

 

ପାଶ୍ଚାତ୍ୟ ଦେଶରେ ସୃଷ୍ଟି ଉପନିବେଶବାଦ ଯୋଗୁଁ ଭାରତୀୟମାନଙ୍କୁ ବହୁ ନିର୍ଯ୍ୟାତନା ସହିବାକୁ ପଡ଼ିଥିଲା । ଏହାର ପ୍ରତିଶୋଧ ସ୍ଵରୂପ ଗଳ୍ପ ନାୟକ ଭାରତୀୟତାର ମହିମାରେ ଉଦ୍‌ବୁଦ୍ଧ-। ‘ଶୂନ୍ୟତାର ପାଶ୍ଚାତ୍ୟକୁ’ ଗଳ୍ପରେ ଜଣେ ବେଶ୍ୟା ସହ କଥୋପକଥନ ମାଧ୍ୟମରେ ଭାରତୀୟମାନଙ୍କର ହୀନମନ୍ୟତା ଦୂର କରିବାକୁ ଚେଷ୍ଟା କରିବା ସହିତ ସମସ୍ତଙ୍କୁ ଜାତୀୟତାର ମହିମାରେ ମହିମାମୟ ହେବାକୁ ଆହ୍ଵାନ କରିଛନ୍ତି । ଗାଳ୍ପିକଙ୍କ ଭାଷାରେ, ‘‘ତଥାପି ବିଶ୍ୱାସ କର, ତମ ଉପରକୁ ଏ ଶହେ ଡଲାର ଫିଙ୍ଗିଦେଇ, ତମକୁ ସମ୍ଭୋଗ ନକରି, ଏପରିକି ନଛୁଇଁ ଚାଲିଯାଉଛି ମୁଁ ଦୁଇଶହ ବର୍ଷ ଉପନିବେଶପଣିଆର ବଦଲା ନେଇ ।’’ (ଶୂନ୍ୟତାର ପାଶ୍ଚାତ୍ୟକୁ, ପୃଷ୍ଠା-୮୬)
 

୧୯୮୨ ମସିହାରୁ ୨୦୦୫ ପର୍ଯ୍ୟନ୍ତ ସମୟସୀମା ମଧ୍ୟରେ ଗାଳ୍ପିକ ଡଃ ହୃଷୀକେଶ ପଣ୍ଡାଙ୍କର ପ୍ରକାଶିତ ହୋଇଛି ଆଠଗୋଟି ଗଳ୍ପ ସଂକଳନ । ପ୍ରଥମ ଦୁଇ ତିନୋଟି ସଂକଳନରେ ତାରୁଣ୍ୟର ଭାବ ପ୍ରକଟିତ ହୋଇଥିଲେ ମଧ୍ୟ ଶେଷ ଗଳ୍ପ ସଂକଳନ ‘ମିଛ ଖୁସି, ସତ ଦୁଃଖ’ (୨୦୦୫)ରେ ଗାଳ୍ପିକଙ୍କ ପରିପକ୍ୱତା ଓ ବୁଦ୍ଧିଦୀପ୍ତତାର ପରିଚୟ ମିଳିଥାଏ । ସେ ସାଂପ୍ରତିକ ସମସ୍ୟାର ସମାଧାନ ସହପୁରାଣ, କିମ୍ବଦନ୍ତୀ ଓ ଉତ୍କଳୀୟ ସଂସ୍କୃତିର ପୁନରୁତ୍‌ଥାନ ପାଇଁ ଚେଷ୍ଚିତ । ମାତ୍ର ତାଙ୍କ ନାୟକଗୁଡ଼ିକ ଅ-ନାୟକ ବା ପ୍ରତିନାୟକ । ଏ ସଂପର୍କରେ କ୍ଷୀରୋଦ ଚନ୍ଦ୍ର ବେହେରା କହନ୍ତି -“ହୃଷୀକେଶଙ୍କ ନାୟକଗୁଡ଼ିକ ପ୍ରତିନାୟକ । ତାଙ୍କ ଭିତରେ ହିରୋଇକ୍‌ ଭାବନା ବଦଳରେ ଅଧିକାଂଶ ସମୟରେ ବାସ୍ତବ ଜୀବନର ଉଦାସୀନତା ତାଙ୍କୁ ଗ୍ରାସ କରିଥାଏ । ଉଦାସୀନତା ବଦଳରେ ଯଦି ନାୟକମାନେ ନାୟକତ୍ୱ ଦେଖାଇଥାନ୍ତେ ତେବେ ଗଳ୍ପଟି ପାରଂପାରିକ ପରିଣତି ଓ କାବ୍ୟିକ ନ୍ୟାୟ ଆଡ଼କୁ ଗତି କରିଥାନ୍ତା । ସବୁଠାରୁ ବଡ଼ କଥା ବାସ୍ତବ ଜୀବନରେ ସର୍ବଦା ନାୟକତ୍ୱ ଦେଖାଇ ହୁଏ ନାହିଁ ଏବଂ ବାସ୍ତବରେ କାବ୍ୟିକ ନ୍ୟାୟ ଚରିତ୍ରମାନଙ୍କୁ ମିଳି ନଥାଏ।” (ଏକବିଂଶ ଶତାବ୍ଦୀର ଓଡ଼ିଆ ଗଳ୍ପ, ପୃଷ୍ଠା- ୧୦୯)

 

ଗାଳ୍ପିକ ତାଙ୍କ ପ୍ରତ୍ୟେକ ସଂକଳନରେ ନୂତନ ବିଶ୍ଵାସ, ନୂତନ ଗଠନଶୈଳୀ ଓ ନୂତନ ଭାଷା ନେଇ ଆସନ୍ତି । ଠୋ ଠୋ ହସି ନିର୍ଭିକ ଭାବେ ବାସ୍ତବ ସମସ୍ୟାକୁ ରୋକ୍‌ଠୋକ୍‌ ଭାବେ ବର୍ଣ୍ଣନା କରନ୍ତି । ତାଙ୍କ କଲମ ଏପର୍ଯ୍ୟନ୍ତ ସତ୍‌ ପଥରୁ ବିଚ୍ୟୁତ ହୋଇନାହିଁ । ନିଜର ଦୃଢ଼ ମନୋବଳ ଓ ପ୍ରତ୍ୟେକ ପଦକ୍ଷେପରେ ଅଭିନବତ୍ଵ ପ୍ରଦର୍ଶନ ପାଇଁ ଗାଳ୍ପିକ ଡକ୍ଟର ହୃଷୀକେଶ ପଣ୍ଡା ୧୯୮୦ ପରବର୍ତ୍ତୀ ଓଡ଼ିଆ ଗଳ୍ପର ଯେ ମଂଗୁଆଳ ହୋଇପାରିବେ ଏହା ନିଃସନ୍ଦେହରେ କୁହାଯାଇପାରେ ।

 

 

ୟୁ.ଜି.ସି, ରିସର୍ଚ ଫେଲୋ

ଓଡ଼ିଆ ବିଭାଗ, ବିଶ୍ୱଭାରତୀ

ଶାନ୍ତିନିକେତନ- ୭୩୧୨୩୫ (ପ,ବଂଗ)

 

***

 

ସୁରେନ୍ଦ୍ର ମହାନ୍ତିଙ୍କ କଥାମାନସ :

Unknown

ଏକ ବିହଙ୍ଗାବଲୋକନ

ଡକ୍ଟର ବାସନ୍ତୀ ମହାନ୍ତି

 

ସ୍ରଷ୍ଟା ଓ ସୃଷ୍ଟି ପରସ୍ପର ଅଭିନ୍ନ ନୁହନ୍ତି । ବ୍ୟକ୍ତି ଚେତନାର ଦିଗନ୍ତ ଜ୍ଞାତରେ ହେଉ ବା ଅଜ୍ଞାତରେ ହେଉ ତା’ର ସୃଷ୍ଟି ସମ୍ଭାରକୁ ସମୃଦ୍ଧ କରିଥାଏ । ବ୍ୟକ୍ତିର ବିଦ୍‌ବତ୍ତା, ପ୍ରତିଭା, ଜୀବନଜିଜ୍ଞାସା ଓ ପାରିପାର୍ଶ୍ୱିକ ସ୍ଥିତିର ବାଙ୍ମୟ ଆଲେଖ୍ୟ ସାହିତ୍ୟ ରୂପରେ ଆତ୍ମପ୍ରକାଶ କରିଥାଏ-। ଜଣେ ସୃଜନଶୀଳ ବ୍ୟକ୍ତିର ବ୍ୟକ୍ତିତ୍ୱକୁ ଅସ୍ଵୀକାର କରି ତା’ର ସୃଷ୍ଟି ସଂପର୍କରେ ତର୍ଜମା ଆଦୌ ସମ୍ଭବ ନୁହେଁ । ସୃଷ୍ଟି ଭିତରେ ଯତ୍ରତତ୍ର ସ୍ରଷ୍ଟାର ଅସ୍ତିତ୍ୱ ସଂଗୋପିତ ହୋଇ ରହିଥାଏ । ସ୍ରଷ୍ଟାର ଜୀବନ ପରିଧି ପର୍ଯ୍ୟାଲୋଚନା ପ୍ରସଙ୍ଗରେ ଏହି ସଂପୂଟିତ ରୂପ ଉଦ୍‌ଭାସିତ ହୋଇ ଆଲୋଚନାର ଏକ ନୂତନ ଓ ସ୍ଥିର ଦିଗ୍‌ବଳୟ ଉନ୍ମୋଚନ କରିଥାଏ । ପ୍ରତ୍ୟେକ ସାର୍ଥକ ସାଧକଙ୍କ ଜୀବନ ଚରିତରେ ଏହି ସତ୍ୟ ସ୍ଵତଃ ଉଦ୍‍ଘାଟିତ ହୋଇଥାଏ । ଓଡ଼ିଆ ସାହିତ୍ୟର ବିଶିଷ୍ଟ ସାରସ୍ଵତ ସାଧକ ସୁରେନ୍ଦ୍ର ମହାନ୍ତି ଏହାର ବ୍ୟତିକ୍ରମ ନୁହନ୍ତି । କ୍ଷୁଦ୍ର ଅଖ୍ୟାତ ପଲ୍ଲୀର ଗୋବର ଲିପା ମାଟିପିଣ୍ଡାରୁ ଆବେଗମୟ ଅନୁଭବରୁ ପାର୍ଲାମେଣ୍ଟର ବୌଦ୍ଧିକ ବିଚାର, ଚିନ୍ତନ ପର୍ଯ୍ୟନ୍ତ ସବୁ କିଛି ତାଙ୍କ ସାହିତ୍ୟକୁ ଅନ୍ତଗର୍ଭିତ କରିଥିଲା ।

 

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମସ୍ଥାନ ସତ୍ୟଭାମାପୁର ନିକଟବର୍ତ୍ତୀ ଗାଁ ପୁରୁଷୋତ୍ତମପୁର କଟକ ସହରର ଉତ୍ତର ପୂର୍ବ କୋଣରେ ବାରମାଇଲ ଦୂରତ୍ୱରେ ଅବସ୍ଥିତ । ସାଲେପୁର ଥାନା ଅନ୍ତର୍ଗତ ବାଉଁଶ ବଣ ଆମ୍ବତୋଟା କିଆ ଗୋହିରୀ ଘେରା ଏହି ଗାଁରେ ସୁରେନ୍ଦ୍ର ମହାନ୍ତି ୧୯୨୨ ଖ୍ରୀଷ୍ଟାବ୍ଦ ଜୁନ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ପିତା ଲୋକନାଥ ମହାନ୍ତି ଓ ମାଆ ସୁଶୀଳା ଦେବୀଙ୍କର ସେ ଜ୍ୟେଷ୍ଠ ସନ୍ତାନ । ଗାଁରେ ଆଭିଜାତ୍ୟର ସ୍ଵର ସନ୍ତକ ବହନ କରିଥିବା ଏ ପରିବାରଟି ସଂସ୍କାର ସଂପନ୍ନ ଥିଲା, ସୁରେନ୍ଦ୍ର ମହାନ୍ତିଙ୍କ ଜ୍ୟେଷ୍ଠ ପିତାମହ ଗୋପୀନାଥ ମହାନ୍ତିଙ୍କ ଦାଣ୍ଡଘର ସଙ୍ଗାରେ ବଙ୍ଗଳା ଓ ସଂସ୍କୃତ ଭାଷାର ଅଜସ୍ର ପୁସ୍ତକ ଗଛିତ ଥିଲା । ପ୍ରତିବର୍ଷ ଘର ଛପର ବେଳେ ସେଗୁଡ଼ିକ ତଳକୁ ଅଣାଯାଉଥିଲା ଓ ପୁଣି ଛପର ସରିଲେ ତାହା ଉପରକୁ ଉଠାଯାଉଥିଲା । ଶୈଶବରୁ ଏ ବହିଗୁଡ଼ିକ ସୁରେନ୍ଦ୍ର ମହାନ୍ତିଙ୍କୁ କୌତୁହଳୀ କରିଥିଲା । ସେ ପାଗା ହାଟରୁ ତ୍ରିଭାଷୀ ବହିଖଣ୍ଡିଏ କିଣି ଏ ବହି ସବୁ ପଢ଼ିବା ପାଇଁ ଚେଷ୍ଟା କରିଥିଲେ । ଏହି ସାରସ୍ଵତ ସଂସ୍କାର ତାଙ୍କ ସୃଜନଶୀଳ ବ୍ୟକ୍ତିତ୍ୱକୁ ବହୁ ପରିମାଣରେ ପ୍ରଭାବିତ କରିଥିଲା ।

 

ସୁରେନ୍ଦ୍ର ମହାନ୍ତିଙ୍କ ଶୈଶବକୁ ଅନ୍ୟ ଯେଉଁ ସାରସ୍ଵତ ସ୍ଵର୍ଗ ଅଭିମନ୍ତ୍ରିତ କରିଥିଲା ତାହା ଥିଲା ତାଙ୍କ ବଂଶର ଭାଗବତ ଘର । ଗୋଟିଏ ବଡ଼ ବିମାନରେ ପୋଥିସବୁ ଥାକ ଥାକ ହୋଇ ରହିଥିଲା । ଏହାକୁ ସେ ତାଙ୍କ ପୂର୍ବପୁରୁଷଙ୍କ ବାଙ୍ମୟ କୀର୍ତ୍ତିର ଭଣ୍ଡାର ବୋଲି କହନ୍ତି । ପ୍ରତିବର୍ଷ ଦଶହରାରେ ଲେଖନୀ ବସା ଓ ଗାଦୀ ପୂଜା ବେଳକୁ ଗାଦୀରୁ ପୋଥିତକ କାଢ଼ି ଖରାରେ ଶୁଖାଇବାକୁ ସେ ପରମ ଶ୍ଲାଘ୍ୟ କର୍ତ୍ତବ୍ୟ ବୋଲି ମନେ କରୁଥିଲେ । ଏହି ଭାଗବତ ଗାଦୀର ସ୍ମୃତି, ଏ ଘରର ଚନ୍ଦନଛିଟା ଓ ମଧୁମାଳତୀର ବାସ୍ନା ତାଙ୍କୁ ଶୈଶବରୁ ଏକ ସୁଦୂରପ୍ରସାରୀ ସାରସ୍ଵତ ବ୍ୟକ୍ତିତ୍ୱ ପାଇଁ ପ୍ରସ୍ତୁତ କରୁଥିଲା । ତାଙ୍କ ନିଜ ଭାଷାରେ- ‘‘ମୁଁ ଜନ୍ମିଥିଲି ବହିର ପୁରୁଣା ପୃଷ୍ଠା ଆଉ ପୋଥିର ବାସ୍ନା ଭିତରେ । ଆଜି ସୁଦ୍ଧା ପୁରୁଣା ବହିର ପୃଷ୍ଠା ମୋର ସବୁଠାରୁ ପ୍ରିୟ । ଦିଲ୍ଲୀରେ ଥିଲାବେଳେ ଅନେକ ସମୟରେ ମୁଁ ଚାଲି ଯାଉଥିଲି ସେଣ୍ଟ୍ରାଲ ଆର୍କାଇଭସ୍‌ ଲାଇବ୍ରେରୀକୁ । ସେଠାରେ କିଛି ସମୟ ବସିଲେ ପୁରୁଣା ବହିର କୀଟଦ୍ରଂଷ୍ଟ ପୃଷ୍ଠାମାନଙ୍କ ବାସ୍ନାରେ ମୋର ମନ ପୁଣି ସତେଜ ହୋଇ ଉଠୁଥିଲା । ××× ଶୈଶବର ଯଦି କିଛି ଗନ୍ଧଥାଏ ତା’ହେଲେ ତାହା ଗୋବରଲିପା ମାଟିପିଣ୍ଡା ଓ ମଧୁମାଳତୀର ଗନ୍ଧ ।’’(୧)

 

ଏହିଭଳି ସଂସ୍କାର ସଂପନ୍ନ ସାରସ୍ଵତ ଅଭିଭାବ ପରିବେଶକୁ ଅନ୍ତବର୍ତ୍ତିତ କରି ସୁରେନ୍ଦ୍ରଙ୍କ ଶୈଶବ ପ୍ରତିଶ୍ରୁତିମୟ ହୋଇ ଉଠୁଥିଲା । ଶୈଶବର ବନ୍ଧନହୀନ ଚପଳତା ଭିତରେ ଗାଁ ଚାଟଶାଳୀର ବଇଷମ ମାଷ୍ଟ୍ରଙ୍କର ପାଠପଢ଼ା ଓ କାନପୁର ମେଟ୍‌କାଫ୍‌ ମିଡ଼ିଲ ଭର୍ଣ୍ଣାକୁଲାର୍‌ ଶିକ୍ଷା ସମାପ୍ତ କରି ୧୯୩୯ ମସିହାରେ ରେଭେନ୍ସା କଲେଜରେ ଆଇ.ଏ. ଶ୍ରେଣୀରେ ଭର୍ତ୍ତି ହୋଇଥିଲେ ସୁଦ୍ଧା ଆନୁଷ୍ଠାନିକ ଶିକ୍ଷା ଓ ଗତାନୁଗତିକ ପଦ୍ଧତି ତାଙ୍କୁ ଆଦୌ ପରିତୃପ୍ତି ଦେଇପାରୁ ନ ଥିଲା । କଲେଜର କ୍ଲାସରୁମ୍‌ ଅପେକ୍ଷା କନିକା ଲାଇବେରୀ ଓ ସହରର ରାସ୍ତା ତାଙ୍କ ପାଇଁ ଥିଲା ପ୍ରକୃତ ବିଶ୍ଵବିଦ୍ୟାଳୟ ।

 

ସୁରେନ୍ଦ୍ର ମହାନ୍ତିଙ୍କ ଜୀବିକା ଜୀବନଠାରୁ ପୃଥକ ନଥିଲା । ଗଭୀର ଜୀବନ ଜିଜ୍ଞାସା ତାଙ୍କୁ ଯେଉଁ ଜୀବିକାରେ ଥିଲେ ସୁଦ୍ଧା ସେଥିପ୍ରତି ଆନ୍ତରିକତା, ନିବିଡ଼ତା ଓ ଆତ୍ମପ୍ରତ୍ୟୟ ସୃଷ୍ଟି କରିବାରେ ସହାୟକ ହୋଇଥିଲା । ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇ ସେ କଲେଜରୁ ବହିଷ୍କୃତ ହୋଇଥିଲେ । ଆଠମାସ କାଳ ଅଣ୍ଡର ଗ୍ରାଉଣ୍ଡରେ ରହି ଫେରିବା ପରେ ଆଉଥରେ ରେଭେନ୍ସା କଲେଜରେ ଅଧ୍ୟୟନର ସୁଯୋଗ ତାଙ୍କୁ ମିଳିନଥିଲା । ପିତାଙ୍କଠାରୁ ସବୁପ୍ରକାର ଆର୍ଥିକ ସାହାଯ୍ୟ ବନ୍ଦ ହୋଇଗଲା । ତେଣୁ ଜୀବିକା ନିର୍ବାହ ପାଇଁ ୧୯୪୩ରେ ତାଙ୍କୁ ଯେତେବେଳେ ୨୧ ବର୍ଷ ଲୁଧିଆନା ସିଲ୍କକମ୍ପାନୀର ଭ୍ରାମ୍ୟମାଣ ଏଜେଣ୍ଟ ରୂପେ ସେ କାର୍ଯ୍ୟ କରିଥିଲେ । ଏହି ସମୟରେ ଖୋର୍ଦ୍ଧା ରୋଡ଼ ମୁସଲମାନ ଲୁଗାବିକାଳୀଙ୍କ ସହ ଯେଉଁ ଆନ୍ତରିକତା ସେ ଅର୍ଜନ କରିଥିଲେ ସେହି ସ୍ମୃତିର ରୂପରେଖ ତାଙ୍କର ‘ଦୁଇବନ୍ଧୁ ଗଳ୍ପ’ ।

 

ଏକସ୍ଥାୟୀ ଜୀବିକାର ଅନୁସନ୍ଧାନରେ ସେ ପ୍ରଥମେ ସାମ୍ବାଦିକତାକୁ ଗ୍ରହଣ କରିଥିଲେ । ସାହିତ୍ୟ ତ ତାଙ୍କର ପ୍ରବୃତ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ପାର୍ଲାମେଣ୍ଟ ରାଜନୀତି ତାଙ୍କ ବ୍ୟକ୍ତିତ୍ୱକୁ ଆହୁରି ଶାଣିତ ଓ ଦୃଢ଼ କରିଥିଲା । ଜୀବନ ଓ ଜୀବିକା ସଂପର୍କରେ ସେ କହନ୍ତି- “ମୋ ଜୀବନରେ ପ୍ରଥମେ ଦୁଇଟା ଇଂଜିନ୍‌ ଧରି ମୁଁ ଉଡ଼ିବା ଆରମ୍ଭ କରିଥିଲି । ଗୋଟିଏ ଇଂଜିନ୍‌ ସାହିତ୍ୟ ଓ ଅନ୍ୟଟି ସାମ୍ବାଦିକତା । ତା’ପରେ ଆଉ ଗୋଟିଏ ଇଂଜିନ୍‌ ଧରିଲି ପାର୍ଲାମେଣ୍ଟାରୀ ରାଜନୀତି । ତେଣୁ ମଝି ଆକାଶରେ ଉଡ଼ୁ ଉଡ଼ୁ ଦୁଇଟା ଇଂଜିନ୍‌ ଅଚଳ ହୋଇଗଲେ ବି ମୋର ତଳେ ପଡ଼ିବାର ଭୟ ନ ଥିଲା । xxx ଗ୍ରୀକ୍‌ ଉପକଥାର ଫୋନିକ୍ସ ପରି ମୁଁ ସବୁବେଳେ ପାଉଁଶ ଗଦା ଭିତରୁ ପୁଣି ନୂଆଡ଼େଣା ମେଲି ଆକାଶକୁ ଉଠିଛି ।”(୨)

 

ଜୀବନର ଚଲାପଥରେ ବହୁଘାଟରେ ପାଣିପିଇ ତାଙ୍କ ଦୁର୍ଦ୍ଦମନୀୟ ବ୍ୟକ୍ତିତ୍ୱ ବଳିଷ୍ଠ ହୋଇଥିଲା । ବହୁଦିନ ରାଜନୀତିରେ ରହିଥିଲେ ସୁଦ୍ଧା ତାଙ୍କ ସାହିତ୍ୟିକ ସତ୍ତାଟି ତାଙ୍କୁ ଆଦୌ ରାଜନୀତିର କଳୁଷିତ ବାତାବରଣ ଭିତରେ ନିଜତ୍ୱ ହରେଇବାକୁ ଦେଇ ନ ଥିଲା । ତାଙ୍କ ନିଜ ଭାଷାରେ ‘‘ମୋ ଭିତରର ସେଇ ଅଭିମାନୀ ଲେଖକ ସତ୍ତାଟି ମୋତେ କେବେ କାହା ପାଖରେ ମୁଣ୍ଡ ନୁଆଁଇଁ ଦେଲା ନାହିଁ । ମୋର ଯାହା ବୁଦ୍ଧି, ବିଚକ୍ଷଣତା, ସାହିତ୍ୟିରେ ଏଇ ଅଭିମାନ ଟିକକ ନ ଥିଲେ ମୁଁ ଓଡ଼ିଶାର ଗୋଟିଏ ପ୍ରସିଦ୍ଧ ଟାଉଟର ହୋଇଥା’ନ୍ତି ।’’ (୩)

 

‘‘ଜୈବିକ ପୃଥିବୀର ବହୁଉତ୍ସବ ବହୁ ସମାରୋହଠାରୁ ଦୂରରେ ରହି ଯେଉଁ ନାନା ମର୍ମାନ୍ତିକ ଉପଲବ୍ଧି ମୋର ଚେତନାକୁ ତୀକ୍ଷ୍ଣ କରିଥିଲା ତାହା ଯଥାର୍ଥରେ ମୋର ସାହିତ୍ୟର ବିଶେଷତଃ ଗଳ୍ପ ସାହିତ୍ୟର ଭିତ୍ତିଭୂମି । ସେଇଥିପାଇଁ ମୋର ଗଳ୍ପଗୁଡ଼ିକ ଅତି ଏକାନ୍ତ ଭାବରେ ନିଜର ସ୍ଵକୀୟତାରେ ସ୍ଵତନ୍ତ୍ର ।” (୪) ଗଦ୍ୟଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କର ଏହି ସ୍ଵୀକାରୋକ୍ତିରୁ କଥାଶିଳ୍ପ ପ୍ରତି ତାଙ୍କର ଅଙ୍ଗୀକାରବଦ୍ଧତାର ପରିଚୟ ମିଳେ । ଗଦ୍ୟ ସାହିତ୍ୟର ବିଭିନ୍ନ ବିଭାବରେ ସେ ଲେଖନୀ ଚାଳନା କଲେ ସୁଦ୍ଧା କ୍ଷୁଦ୍ର ଗଳ୍ପରେ ନିଜକୁ ସେ ବେଶୀ ମାତ୍ରାରେ ପ୍ରକାଶ କରିପାରନ୍ତି ବୋଲି ସ୍ଵୀକାର କରନ୍ତି । ‘ମାଳତୀ ମାଧବ’ ନାଟକ ତାଙ୍କୁ ବିଫଳତା ଦେଇଥିଲା କିନ୍ତୁ ତାଙ୍କର ଆଦ୍ୟଗଳ୍ପ ‘ବନ୍ଦୀ’ର ସଫଳତା ତାଙ୍କ ସାହିତ୍ୟିକ ବ୍ୟକ୍ତିସତ୍ତାର ଅସୀମ ପ୍ରତିଶ୍ରୁତି ବହନ କରିଥିଲା । ଗଳ୍ପପ୍ରାଣ ସୁରେନ୍ଦ୍ରଙ୍କର ବ୍ୟକ୍ତିଚେତନା, ଜୀବନପ୍ରତି ଦୃଷ୍ଟିକୋଣ, ପୁରୁଷକାରର ପ୍ରତିବଦ୍ଧତା ଅକୃତ୍ରିମ ଭାବରେ କ୍ଷୁଦ୍ରଗଳ୍ପରେ ପ୍ରତିଫଳିତ ହୋଇଥିଲା । ସେ ନିଜେ ଥିଲେ ତାଙ୍କ ଗଳ୍ପଗୁଡ଼ିକର ନାୟକ । ତାଙ୍କ ବ୍ୟକ୍ତିତ୍ଵର ଅଭ୍ରାନ୍ତ ପ୍ରତିଫଳନ ଗଳ୍ପର ଛତ୍ରେ ଛତ୍ରେ ଅନୁଭବ କରିହୁଏ-। କଥାକାର ସୁରେନ୍ଦ୍ରଙ୍କ କଥାମାନସରେ ଅନୁସନ୍ଧାନ କରିବା ପୂର୍ବରୁ କଥାମାନସର ପରିଭାଷା ଓ ସ୍ୱରୂପ ସଂପର୍କରେ କିଞ୍ଚିତ୍‌ ବିଚାର ବିଧେୟ । କଥାମାନସ କହିଲେ, ‘‘ନିଶ୍ଚୟ ସେ ଲେଖିଥିବା କଥାକୃତିଗୁଡ଼ିକର ବିବିଧତା, ବର୍ଣାଢ଼୍ୟତା, ବ୍ୟାପକତା କିମ୍ବା ପର୍ଯ୍ୟାପ୍ତତା ନୁହେଁ । ନିଶ୍ଚିତଭାବେ ତାଙ୍କର ପରୀକ୍ଷା ଓ ପ୍ରୟୋଗର ଚମତ୍କାରିତା ନୁହେଁ । ବରଂ ସାମଗ୍ରିକ ଭାବେ ତାଙ୍କ କଥାକୃତିଗୁଡ଼ିକର ବକ୍ତବ୍ୟର ସମୀକରଣକୁ ବୁଝିବାକୁ ହେବ ।” ( ୫) ତେବେ ଗାଳ୍ପିକଙ୍କ ଅଭିବ୍ୟକ୍ତିର ପରିପୂର୍ଣ୍ଣ ପ୍ରାଣ ପ୍ରାଚୁର୍ଯ୍ୟ ତାଙ୍କ ସୃଷ୍ଟିର ଛତ୍ରେ ଛତ୍ରେ ପ୍ରତିଫଳିତ ହୋଇଛି । ଚରିତ୍ରଗୁଡ଼ିକର ଅନ୍ତଃସତ୍ତା, ଭାବବସ୍ତୁର ଭିତ୍ତିଭୂମି, କାହାଣୀର ଗତିଶୀଳତା ଓ ଆଙ୍ଗିକ ଭାବବିନ୍ୟାସ- ସକଳ କ୍ଷେତ୍ରରେ ଗାଳ୍ପିକଙ୍କ ଦୃଷ୍ଟି ଓ ଦର୍ଶନର ଭାବସଂଚାରୀ ରୂପ ବୈଭବ ହିଁ କଥାକାରର କଥାମାନସ । ଏହି କଥା ମାନସର ସର୍ବବ୍ୟାପୀ ଆବେଦନ ତାଙ୍କୁ ଓଡ଼ିଆ କଥା ସାହିତ୍ୟରେ ଅସପତ୍ନ ସ୍ରଷ୍ଟାର ଗୌରବ ଅର୍ପଣ କରିଛି ।

 

ଗଳ୍ପରଚନା ତାଙ୍କର ଏକ ଚେଷ୍ଟାକୃତ ଆକାଙ୍‌କ୍ଷାରୁ ନୁହେଁ । ଗଭୀର ଅନ୍ତର୍ଦାହ, ଆତ୍ମସମୀକ୍ଷା, ଜ୍ଵଳନ ଓ ଆତ୍ମପୀଡ଼ା ମଧ୍ୟରେ ହୋଇଥାଏ । ତେଣୁ ସେ କହନ୍ତି- ମାପିଚୁପି ଲେଖେ-। ଅଙ୍କ କଷିଲା ପରି ଲେଖେ । ଏକ ଦୁର୍ବିସହ ବେଦନାରେ ଲେଖେ ।

 

ଅତୀତ ପ୍ରତି ଅସନ୍ତୋଷ ଓ ନୂତନ ସୃଷ୍ଟିକାମନାର ବ୍ୟାକୁଳତା ତାଙ୍କ କଥା ମାନସର ସହଜାତ ଲକ୍ଷଣ ତେବେ ଅତୀତ ପ୍ରତି ବିଦ୍ରୋହ ତାଙ୍କୁ ସମ୍ପୂର୍ଣ୍ଣ ଛିନ୍ମମୂଳ କରିନାହିଁ । ଫକୀରମୋହନଙ୍କ ପରି ଆମ ସଂସ୍କୃତି ଓ ପରମ୍ପରାରେ ଯାହା କିଛି ସୁନ୍ଦର ଶାଶ୍ଵତ ଓ ଜୀବନୋଚ୍ଛଜ ତାହାର ସୁରକ୍ଷା ଓ ସଂହତି ପାଇଁ ସୁରେନ୍ଦ୍ର ସର୍ବଦା ତତ୍ପର ଥା’ନ୍ତି । ଅବକ୍ଷୟକୁ ସାମନ୍ତବାଦୀ ଗଳ୍ପମାନଙ୍କରେ ଏହି ମାନସିକତାର ଅଭ୍ରାନ୍ତ ପ୍ରତିଫଳନ ପରିଲକ୍ଷିତ ହୁଏ । ସଂସ୍କୃତି ପୁଣି ଜୀବନର ସମୃଦ୍ଧ ଓ ପ୍ରଗତି ପାଇଁ ନୂତନ ଚିନ୍ତାଧାରା, ନୂତନ ଜୀବନ ପଦ୍ଧତି ବଞ୍ଚିବାର ନୂଆ କୌଶଳକୁ ସ୍ଵାଗତ କରନ୍ତି, ଋଢ଼ିବାଦୀ ଚିନ୍ତାଧାରା, ପରମ୍ପରା ନାଁରେ ଗୁଡ଼ାଏ ଅନ୍ଧବିଶ୍ଵାସ, ସଂସ୍କୃତି ନାମରେ ଗୁଡ଼ାଏ ବିକୃତିକୁ ଅନ୍ତର୍ଗର୍ଭିତ କରି ପ୍ରଗତିର ପଥ ବ୍ୟାହତ କରିବାକୁ ସେ ଆଦୌ ଚାହାନ୍ତି ନାହିଁ ।

 

ଆଦର୍ଶ ଓ ବାସ୍ତବର ସମନ୍ଵୟରେ ଜୀବନକୁ ଅନୁଭବ କରିବା ତାଙ୍କ ଗଳ୍ପମାନସର ଭିତ୍ତିଭୂମି । ଅତି ଗୁଡ଼ାଏ ନୀତି ଆଦର୍ଶ ଅନୁଶାସନର ଶୃଙ୍ଖଳ ମଣିଷକୁ ଯେମିତି ଜୀବନ ବିରୋଧୀ କରିଦିଏ, ନୀତିହୀନତା ଅନ୍ୟାୟ, ମୂଲ୍ୟବୋଧର ଅବକ୍ଷୟଶୀଳତା ଓ ବିବେକହୀନତା ଆଦି ଜୀବନର ସୌନ୍ଦର୍ଯ୍ୟ ନଷ୍ଟ କରି ତାକୁ ପଶୁରେ ପରିଣତ କରିଦିଏ । ପ୍ରବୃତ୍ତି ଓ ନିବୃତ୍ତିର ସମୀକରଣରେ ଏକ ମଧ୍ୟମ ପନ୍ଥା ଅବଲମ୍ବନରେ ସେ ବିଶ୍ୱାସୀ, ବୌଦ୍ଧଯୁଗୀୟ ଗଳ୍ପଗୁଡ଼ିକରେ ଏହି ମାନସିକତା ଫୁଟି ଉଠିବା ପାଇଁ ସେ ବିସ୍ତୃତ ଅବସର ସୃଷ୍ଟି କରିଛନ୍ତି । ଉଡ୍ରରାମ ପୁତ୍ର, ମହାନିର୍ବାଣ ଗଳ୍ପର ନୀଳୋତ୍ପଳ, ମଧୁମତ୍ତା ଆଦି ଚରିତ୍ର ନିର୍ବାଣର ମହାସୁଖକୁ ଅସ୍ଵୀକାର କରି ଜୀବନର କ୍ଷଣଭଙ୍ଗୁରତା ଭିତରେ ଅମୃତର ସନ୍ଧାନ କରିଛନ୍ତି । ଚିର ଅତୃପ୍ତ ମହାତୃଷ୍ଣାର ଆବର୍ତ୍ତ ଭିତରେ ଦେହ ଓ ଆତ୍ମା ମାଂସ ଓ ପ୍ରାଣ ରୂପ ଓ ଅରୂପ ସବୁକିଛି ଯେ ନିଶ୍ଚିହ୍ନ ହୋଇଯାଏ କାମନାର ତୀବ୍ର ଜ୍ଵାଳା ଯନ୍ତ୍ରଣାରେ କ୍ଷତାକ୍ତ ମଣିଷ ତଥାପି ଜୀବନ ବନ୍ଦନାର ବନ୍ଦନାରେ ଉନ୍ମାଦଗ୍ରସ୍ତ ହୋଇଉଠେ । ଜୀବନର ଏ ଚିରନ୍ତନ ରହସ୍ୟକୁ ମର୍ମେ ମର୍ମେ ଅନୁଭବ କରିଥିଲେ ଗାଳ୍ପିକ । କେବଳ ବୌଦ୍ଧଯୁଗୀୟ ଗଳ୍ପ ନୁହେଁ ତାଙ୍କର ଅଧିକାଂଶ ଗଳ୍ପର ଏହା ହିଁ ଥିଲା ଅନ୍ତଃସ୍ଵର ।

 

କର୍ମଫଳର ଅଲଂଘନୀୟ ପରିଣତିରୁ କେହି କେବେ ମୁକ୍ତ ହୋଇ ନାହାନ୍ତି । ଶ୍ରୀକୃଷ୍ଣଙ୍କ ପରି ନିୟତି ପୁରୁଷ ହୁଅନ୍ତୁ କିମ୍ବା ନିଧି କାନଗୋଇଙ୍କ ପରି ସାଧାରଣ ମଣିଷ । ଏହା ତାଙ୍କ ଶୈଶବର ସଂସ୍କାର । ପାପପୁଣ୍ୟର ବିଚାର ବୋଧପ୍ରତି ସେ ସଂପୂର୍ଣ୍ଣ ସଚେତନ ଥିଲେ । ଗଭୀର ଆତ୍ମ ସମୀକ୍ଷା କରି ଜୀବନର ସିଦ୍ଧାନ୍ତକୁ ସେ ଗ୍ରହଣ କରୁଥିଲେ । ପ୍ରତିକୂଳ ପରିବେଶରେ ସୁଦ୍ଧା ତାଙ୍କ ଚରିତ୍ରଗୁଡ଼ିକ ବ୍ୟକ୍ତିର ଅହଂଚେତନାର ମୌଳିକ ଭାବସତ୍ତା ହରାଇ ନ ଥିଲେ । ସେ ତ ଏକାନ୍ତ ଶୁଚିନିଷ୍ଠ ପବିତ୍ର ଜୀବନ ଯାପନରେ ବିଶ୍ଵାସୀ ନ ଥିଲେ କିନ୍ତୁ କୌଣସି ପରିସ୍ଥିତିରେ ସୁଦ୍ଧା ନିଜତ୍ୱକୁ ବଳି ଦେଉ ନଥିଲେ । ‘‘ତାଙ୍କ ଦୃଷ୍ଟିରେ ସର୍ଜନାତ୍ମକ କଳାକାର କୌଣସି ଗୁଣରେ ସମାଜର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କଠାରୁ ନ୍ୟୁନ ନୁହଁନ୍ତି । ସେଥିପାଇଁ କୌଣସି ସାହିତ୍ୟିକ ସମ୍ମିଳନ ବା ବ୍ୟକ୍ତିଗତ ଆଲୋଚନାବେଳେ କୌଣସି କବି ବା କଳାକାରଙ୍କ ସାଲିସ୍‌ପୂର୍ଣ୍ଣ କଥାବାର୍ତ୍ତାକୁ ସେ ବିରୋଧ କରୁଥିଲେ ।’’ (୬) ତାଙ୍କର ବହୁଗଳ୍ପ ଅନ୍ତରାଳରେ କଥାକାରଙ୍କ ଏହି ମାନସିକତା ଉଦ୍‌ଭାସନ ହୋଇଉଠେ । ବ୍ୟକ୍ତିଗତ ଭାବରେ ସୁଦ୍ଧା ତାଙ୍କର ଲେଖକୀୟ ସ୍ଵାଭିମାନଟିକୁ ନୀତିହୀନତା ଓ ଅବିବେକୀପଣରେ କଳୁଷିତ କରି ନାହାନ୍ତି । ଏହି ଲେଖକୀୟ ଅନମନୀୟ ସଭା ତାଙ୍କ କଥାମାନସକୁ ଦିଗନ୍ତ ବିସ୍ତାରୀ କରିଥିଲା ।

 

ସେ ମନୋରଞ୍ଜନଧର୍ମୀ କଥାସୃଷ୍ଟିରେ ଆଦୌ ସହମତ ନ ଥଲେ । ଯେଉଁମାନଙ୍କର ସାହିତ୍ୟ ଓ ସାହିତ୍ୟିକଙ୍କ ପ୍ରତି ଏହି ଦୃଷ୍ଟିକୋଣ ଥିଲା, ସେମାନଙ୍କୁ ତୀବ୍ର ଆକ୍ଷେପ କରି କହୁଥିଲେ, ତମେ କ’ଣ ଭାବୁଛ ଲେଖକମାନେ ଗୋଟିଏ ଗୋଟିଏ ରସଗୋଲା : ସବୁବେଳେ ମିଠା ଆଉ ମୋଲାୟମ ! କାରଣ ଅକାରଣରେ ହସିବାକୁ ବାଧ୍ୟ ! ତୁମମାନଙ୍କ ମନୋରଞ୍ଜନ ପାଇଁ ସବୁବେଳେ ଖାଲି ବେହେଲାମି କରୁଥିବେ ?(୭)

 

ସୁରେନ୍ଦ୍ରଙ୍କ କଥାମାନସ ବସ୍ତୁତାନ୍ତ୍ରିକ ସଭ୍ୟତାପ୍ରତି ବୀତସ୍ପୃହ ନୁହେଁ । କିନ୍ତୁ ସୁସ୍ଥ ଜୀବନ ଯାପନ ପାଇଁ ଏହାର ମାତ୍ରାଧିକ୍ୟ ପ୍ରୟୋଗ ମଣିଷକୁ ପଙ୍ଗୁ ଓ ଚିନ୍ତାଶକ୍ତି ରହିତ କରିଦିଏ । ମଣିଷକୁ ନିଃସଙ୍ଗ କରିଦିଏ । ଜୀବନରୁ ନିର୍ମଳ ପ୍ରଶାନ୍ତି ଛିନ୍ନ କରି ଏକ କୃତ୍ରିମତାର ବାତାବରଣ ଭିତରେ ଜୀବନକୁ ବିକ୍ରୀ କରିଦିଏ ବୋଲି ତାଙ୍କର ବିଶ୍ଵାସ । ସେହି ହେତୁ ସୁରେନ୍ଦ୍ରଙ୍କ କଥାମାନସ ସହରୀ ମଣିଷର ବସ୍ତୁ ପୃଷ୍ଠାକୁ ନାନା ସାଟାୟାର ମାଧ୍ୟମରେ ତୀର୍ଯ୍ୟକ୍ ସମାଲୋଚନା କରିଛି । ମହାନଗରୀର ରାତ୍ରି, ସାଇକେଲ୍‌ ଚୋର, ଓ କାଲକାଟା, ରାଜଧାନୀ, ଉଜ୍ୱଳ ମଣ୍ଡଳ, ବାବିତା ଆଦି ଗଳ୍ପ ସୃଷ୍ଟି ମୂଳରେ ଏହି ମାନସିକତା ବିଦ୍ୟମାନ ।

 

ସୁରେନ୍ଦ୍ର ମହାନ୍ତିଙ୍କ କଥାମାନସ ଆଧ୍ୟାତ୍ମବାଦର ଜୟଗାନ କରୁଥିଲା । ବ୍ୟକ୍ତିଗତ କର୍ମକ୍ଳାନ୍ତ ଜୀବନରେ ଶତ ବିଫଳତା ଓ ବ୍ୟର୍ଥତାର କ୍ଷତ ଆଧ୍ୟାତ୍ମିକତାର ପ୍ରଲେପରେ ଯନ୍ତ୍ରଣାମୁକ୍ତ ହୋଇ ପାରିବ ବୋଲି ତାଙ୍କର ଅଗାଧ ବିଶ୍ୱାସ ଥିଲା । ସେହି ହେତୁରୁ ତାଙ୍କର ଅଧିକାଂଶ ଚରିତ୍ର ସିନିକ୍‌ଧର୍ମୀ ଥିଲେ ସୁଦ୍ଧା ପରିଶେଷରେ ସତ୍ୟଶିବ ସୁନ୍ଦରର ଜୟଗାନରେ ମୁଖରିତ ହୋଇଉଠୁଥିଲେ ।

 

ରାଜନୀତିର ସ୍ଵାର୍ଥନ୍ୱେଷୀ କଳୁଷିତ ବାତାବରଣରେ ତାଙ୍କ ମାନସ ସତ୍ତା ଅତିଷ୍ଠ ହୋଇ ଉଠୁଥିଲା । ଦୀର୍ଘଦିନ ଧରି ପ୍ରତ୍ୟକ୍ଷ ରାଜନୀତିରେ ରହି ନେତୃବୃନ୍ଦଙ୍କର କ୍ଷମତା ପାଇଁ ଶ୍ଵାନଯୁଦ୍ଧ ସନ୍ଦର୍ଶନରେ ଭାରତରେ ଗଣତନ୍ତ୍ରର ଭବିଷ୍ୟତ ନେଇ ତାଙ୍କ ଶିଳ୍ପୀସତ୍ତା ଆତଙ୍କିତ ହୋଇ ପଡ଼ିଥିଲା-। ବ୍ୟଙ୍ଗ ବିଦ୍ରୂପ ମାଧ୍ୟମରେ ନେତୃବୃନ୍ଦଙ୍କର ଦୋଷତ୍ରୁଟିର ନଗ୍ନ ପରିପ୍ରକାଶ କରି ଏକ ସଚେତନଶୀଳ ସୁସ୍ଥ ରାଜନୈତିକ ବାତାବରଣ ସୃଷ୍ଟି ପାଇଁ ସେ ସତତ ପ୍ରଚେଷ୍ଟ ଥିଲେ ।

 

ପ୍ରେମ ଓ ପ୍ରଣୟ ପ୍ରସଙ୍ଗରେ ଗାଳ୍ପିକଙ୍କର ଉପଲବ୍ଧି ଅତ୍ୟନ୍ତ ମାର୍ମିକ । ହେତୁବାଦ ଓ ଆବେଗର ସମ୍ମିଶ୍ରଣ ତାଙ୍କ ଲେଖାର ମୂଳଭିତ୍ତି ବୋଲି ସ୍ୱୀକାର କରି ସେ କହନ୍ତି, ‘‘ରିଜନ୍ ବା ହେତୁବାଦ ଓ ଇମୋସନ୍ ବା ଆବେଗ ମୋ ଲେଖାର ମୂଳଭିତ୍ତି । କେବଳ ଇନ୍‌ଷ୍ଟ୍ରିକ୍ଟ ବା ପ୍ରେରଣା ନୁହେଁ । ସେଥିପାଇଁ ମୋ ଛୋଟ ଗଳ୍ପଗୁଡ଼ିକରେ ପ୍ରେମ, ପ୍ରଣୟ, ବିରହ, ପ୍ରତୀକ୍ଷା ଓ ଆକାଙ୍‌କ୍ଷା ପ୍ରଭୃତିର ଶୋଚନୀୟ ଅଭାବ ।” (୮) ସାଂପ୍ରତିକ ଯୁଗ ଯନ୍ତ୍ରଣାକ୍ରାନ୍ତ ମଣିଷ ପାଇଁ ପ୍ରେମର ପରିଭାଷା ପରିବର୍ତ୍ତିତ ହୋଇଯାଇଛି । ସବୁ ବ୍ୟର୍ଥପ୍ରେମର ଭଗ୍ନସ୍ତୁପ । ଆଜିର ପ୍ରେମ ପ୍ରେମ ନୁହେଁ କେବଳ ଉପଲକ୍ଷ୍ୟ ମାତ୍ର । କାରଣ ପ୍ରେମ ଏକ ହୋଲ୍‌ଟାଇମ୍‌ ଜବ୍‌ ନୁହେଁ । ଜୀବନର ଅନ୍ୟାନ୍ୟ ଆବଶ୍ୟକତା ଭଳି ଏହାର ମଧ୍ୟ ସାମୟିକ ଆବଶ୍ୟକତା ଅଛି, ସମଗ୍ର ଜୀବନ ଏହି ଅନୁଭବ ପାଇଁ ଉତ୍ସର୍ଗ କରିବାର କୌଣସି ଯଥାର୍ଥତା ନାହିଁ ବୋଲି ପ୍ରତିପାଦିତ କରୁଥିବାବେଳେ (ସ୍ୱପ୍ନରେ ମନ୍ଦୋଦରୀ) ପୁଣି ପ୍ରେମ ପ୍ରସଙ୍ଗରେ ଏକ ସୁନ୍ଦର ଚିରନ୍ତନ ପରିଭାଷା ଦେଇ କହନ୍ତି- ‘‘ଦେହର କ୍ଷୁଧା ପ୍ରେମ ନୁହେଁ, ଭାଷାର ସଂଯମରେ ସାହିତ୍ୟ, ରେଖାର ସଂଯମରେ ଚିତ୍ର, ଭଙ୍ଗୀର ସଂଯମରେ ମୁଦ୍ରା ଓ ଶକ୍ତିର ସଂଯମରେ ଶୌର୍ଯ୍ୟ ସୃଷ୍ଟି ହେଲା ପରି ଆବେଗ ଓ କାମନାର ସଂଯମରେ ପ୍ରେମର ପରିଚୟ ମିଳେ ।’’ (୯) କିନ୍ତୁ ଆଜିର ମଣିଷ ପ୍ରେମ ଅର୍ଥ କେବଳ ବୁଝେ ତୁଚ୍ଛ ବାସ୍ତବ କାମନାର ପରିପୂର୍ତ୍ତି । ପ୍ରେମର ମହାର୍ଘ ସଂଜ୍ଞା ଦୈହିକ କ୍ଷୁଧା ନିକଟରେ ବଳି ପଡ଼ିଯାଇଛି । ଏହି ଯୁଗୀୟ ସତ୍ୟର ଉଲଙ୍ଗ ଉପଲବ୍ଧି ହେତୁ ଆଦର୍ଶବାଦର ପ୍ରଚ୍ଛଦପଟରେ ପୁରୁଷ ଓ ନାରୀର ସହଜାତ ଆକର୍ଷଣକୁ ଢାଙ୍କିବାର ପ୍ରୟାସ ନ କରି ବାସ୍ତବବାଦୀ ଜୀବନ ସମ୍ଭୋଗୀ ସୁରେନ୍ଦ୍ର ମହାନ୍ତି ଏହାର ସହଜ ଓ ସ୍ୱାଭାବିକ ପ୍ରକାଶ ଉପରେ ପ୍ରାଧାନ୍ୟ ଦେଇଛନ୍ତି । ପ୍ରିୟତମାସୁ, ନୀଳଜ୍ୟୋତ୍ସ୍ନା ନର୍ତ୍ତକୀ, ସବୁଜପତ୍ର ଓ ଧୂସର ଗୋଲାପ, ସେ ଓ ମୁଁ ଆଦିଗଳ୍ପ ଗାଳ୍ପିକଙ୍କର ଏହି ମାନସିକତାର ପୁଷ୍କଳ ଆଲେଖ୍ୟ ।

 

ଯୌନାବେଗ ଓ ପ୍ରେମଭାବ ସଂପୂର୍ଣ୍ଣ ଭିନ୍ନ ଭିନ୍ନ ଚେତନା । ପ୍ରେମରେ ବିଫଳ ହେଲେ ମଣିଷ ଦାର୍ଶନିକ ପାଲଟିଯାଏ କିନ୍ତୁ ଯୌନ ଚେତନା ଅତୃପ୍ତ ରହିଲେ ମଣିଷର ମାନସିକ ବିକୃତ୍ତି ଘଟେ । ଆନନ୍ଦ ଭୈରବୀ କମ୍ବଳର ତମ୍ବୁ, ସାପ, ଅହଲ୍ୟା ଆଦି ଗଳ୍ପରେ ସୁରେନ୍ଦ୍ରଙ୍କର ଉପଲବ୍ଧି ପ୍ରତିପାଦିତ ହୋଇଛି । ଏ ପ୍ରସଙ୍ଗରେ ଆନନ୍ଦ ଭୈରବୀ ଗଳ୍ପର ନାୟିକା ଆନନ୍ଦ ଭୈରବୀ ଚରିତ୍ରର ଚମତ୍କାରିତା ଅନୁଧ୍ୟେୟ । ଅତୃପ୍ତ ଯୌନକ୍ଷୁଧା ଅବଦମିତ ସାଂସାରିକ ମୋହ ଆନନ୍ଦ ଭୈରବୀକୁ ଉଗ୍ରକାମ ପ୍ରମତ୍ତ କରିଛି । ବାବା ଚିନ୍ମୟାନନ୍ଦଙ୍କ ପୌରୁଷହୀନତା ତାର କାମତୃଷ୍ଣାକୁ ଚରିତାର୍ଥ କରିପାରେ ନାହିଁ । ତା ଜ୍ୱାଳାରୁ ବର୍ତ୍ତିବା ପାଇଁ ସେ ପ୍ରତି ରାତ୍ରିରେ ଆନନ୍ଦ ଭୈରବୀଙ୍କୁ ବାହାରକୁ ନିକ୍ଷେପ କରନ୍ତି । ବିଚରା ଆନନ୍ଦ ଭୈରବୀ ସାରାରାତି ନିରୂପାୟ ହୋଇ ଚିନ୍ମୟାନନ୍ଦଙ୍କୁ ଅଶ୍ରାବ୍ୟ ଗାଳିବର୍ଷଣ କରି ନିଜର କାମ ଉତ୍ତେଜନା ପ୍ରଶମିତ କରିଥାନ୍ତି । ଚିନ୍ମୟାନନ୍ଦଙ୍କ ଗଞ୍ଜେଇ ସେବନ ଜନିତ କ୍ଲୀବ ପ୍ରୌଢ଼ତ୍ୱକୁ ଅବଶେଷରେ ଅବଜ୍ଞା କରି ଜଣେ ତରୁଣ ସନ୍ନ୍ୟାସୀଙ୍କ ସହ କାମାତୁର ଆନନ୍ଦ ଭୈରବୀଙ୍କ ପଳାୟନ ଓ ନିଭୃତ ଆଳାପ ଅତୃପ୍ତ ଯୌନ ଚେତନାର ମର୍ମାନ୍ତକ ପରିପ୍ରକାଶ-

 

କାଳେ କାଳେ ପ୍ରକୃତି ସହ ମଣିଷ ସଂଘର୍ଷ କରି ବଞ୍ଚିବାର ଭିନ୍ନ ଭିନ୍ନ ଉପାଦାନ, ଉନ୍ମାଦନା ଓ ଉତ୍ତେଜନା ସଂଗ୍ରହ କରିଛି । ପ୍ରକୃତିର କରାଳରୂପ ସନ୍ଦର୍ଶନ କରି ସେ କେତେବେଳେ ସ୍ତବ୍ଧ ଚକିତ ହୋଇଛି ତ ପୁଣି କେତେବେଳେ ପ୍ରକୃତିର ସର୍ବଗ୍ରାସୀ ବିଧ୍ୱଂସୀ ପ୍ରକ୍ରିୟାରେ ଅସହାୟ କ୍ରୀଡ଼ନକଟିଏ ହୋଇ ଅକଥନୀୟ ଯନ୍ତ୍ରଣା ଭୋଗ କରିଛି, ତଥାପି ଏ ମଣିଷ ପ୍ରକୃତି ପାଖରେ ପରାଜୟ ସ୍ଵୀକାର କରିନାହିଁ । ଧ୍ଵଂସସ୍ତୁପ ଉପରେ ସୁଦ୍ଧା ନିଜର ସ୍ଥିତି ଜାହିର କରିଛି । ନୂଆ ଆତ୍ମପ୍ରତ୍ୟୟ, ବଞ୍ଚିବାର ନୂତନ ପ୍ରତିଶ୍ରୁତି କ୍ଷତାକ୍ତ ହୋଇଥିବା ସ୍ୱପ୍ନକୁ ପୁଣି ନୂତନ ରଙ୍ଗ ରୂପରସରେ ଭରି ପୂର୍ବାପେକ୍ଷା ଦ୍ୱିଗୁଣ ଉତ୍ସାହରେ ବଞ୍ଚିବାର ନିଶାସଂଗ୍ରହ କରେ । ପ୍ରକୃତିର କୃପା ଓ କୋପକୁ ସମଭାବରେ ଗ୍ରହଣ କରେ । ମଣିଷର ଏହି ଅନମନୀୟ ପ୍ରବୃତ୍ତି ହିଁ ତାକୁ ଆଗକୁ ବଢ଼ିବାକୁ ପ୍ରେରଣା ପ୍ରଦାନ କରେ । ପ୍ରଳୟ ପରେ ବି ଜୀବନ ସମ୍ଭବ, ଗାଳ୍ପିକଙ୍କ ଏ ମାନସିକତା ପ୍ରତିଫଳିତ ହୋଇଛି ‘‘ବରଜୁ ଷେଣ୍ଢ ଘାଇ, ମେଣ୍ଢାଖାଇ, ମରୁଡ଼ି, ସାତ ଭଉଣୀ ଆଦି ଗଳ୍ପରେ ।

 

ବନ୍ୟା ପ୍ରପୀଡ଼ିତ ଜନତାର ସେବା କରିବା ମନୋବୃତ୍ତି ଅନ୍ତରାଳରେ ସହରୀ ମଣିଷର ଥାଏ ଆତ୍ମପ୍ରୌଢ଼ୀ ଉଦ୍ଧତ ଅଭିମାନ ଓ ଶସ୍ତା ଲୋକପ୍ରିୟତା ଅର୍ଜନ କରିବାର କୌଶଳ । ସହରୀ ମଣିଷର ଏହି ପ୍ରବଞ୍ଚନାପୂର୍ଣ୍ଣ ସେବା ମନୋବୃତ୍ତିକୁ ଉପହାସ କରିଛି ପଲ୍ଲୀମାଟିର ଜଣେ ଅନାମଧେୟ ବ୍ୟକ୍ତିର ଅନାବିଳ ଆନ୍ତରିକତାରେ ଛଳଛଳ ସେବା ଓ ସହାନୁଭୂତି । ସେହି ଗ୍ରାମ୍ୟ ଅପରିଷ୍କାର ଅସୁନ୍ଦର ଟାଆଁସା ଚମଡ଼ାଥିବା ଲୋକଟାର ଜୀବନପ୍ରତି ଦୃଷ୍ଟିକୋଣରେ ଅଭିଭୂତ ହୋଇ ଗାଳ୍ପିକ ଅନୁଭବ କରିଛନ୍ତି -xxx କ୍ଷୁଧା ଏମାନଙ୍କୁ ଭିକ୍ଷୁକ ବା ଦସ୍ୟୁ କରେ ନାହିଁ । କ୍ଷୁଧା ଏମାନଙ୍କୁ ଦିଏ କେବଳ ପ୍ରାଚୁର୍ଯ୍ୟମୟ ଜୀବନର ବାର୍ତ୍ତା ଓ ସମ୍ଭାବନା । (୧୦) ‘ଜଣେ ଅପରିଚିତର ପରିଚୟ’ ଗଳ୍ପର ଏହା ହିଁ ଅନ୍ତଃଦର୍ଶନ ।

 

କୁସଂସ୍କାରପ୍ରାପ୍ତ ଅନ୍ଧବିଶ୍ଵାସୀ ପଲ୍ଲୀଜନତାର ମାଳିକା ଓ ଭବିଷ୍ୟବାଣୀ ଉପରେ ବିଶ୍ୱାସ କରି ପ୍ରକୃତିର ସକଳ ଅତ୍ୟାଚାରକୁ ନିର୍ବିକାର ଭାବରେ ସହ୍ୟ କରିବାର ମାନସିକତା ସୁରେନ୍ଦ୍ର ମହାନ୍ତିଙ୍କୁ ଆକୃଷ୍ଟ କରିଛି । ବଞ୍ଚିବାର ସକଳ ସ୍ପର୍ଦ୍ଧା, ଆତ୍ମାଭିମାନ, ଔଦ୍ଧତ୍ୟ ପରିତ୍ୟାଗ କରି ଏକ ନିରହଙ୍କାରୀ ନମ୍ର ଆଧ୍ୟାତ୍ମବାଦୀ, ଧାର୍ମିକ ଜୀବନ ବଞ୍ଚିବା ପାଇଁ ପ୍ରକୃତିର ତାଣ୍ଡବଲୀଳା ଯେପରି ବାରମ୍ବାର ସଚେତନ କରିଦେଇଥାଏ ତାହାର ମାର୍ମିକ ଉପସ୍ଥାପନା ସୁରେନ୍ଦ୍ରଙ୍କ ପ୍ରାକୃତିକ ବିପର୍ଯ୍ୟୟ ସମ୍ବଳିତ ଗଳ୍ପଗୁଡ଼ିକରେ ହୋଇଛି ।

 

ସମାଜ ତାତ୍ତ୍ୱିକ ଦୃଷ୍ଟିରୁ ଚଳିତ ଶତାବ୍ଦୀ (ବିଂଶ ଶତାବ୍ଦୀ)ର ସପ୍ତମଦଶକ ଏକ ଭୟଙ୍କର ଯୁଗସଂକ୍ରାନ୍ତିର କାଳ । ଯାହାର ଆରମ୍ଭ ହୋଇଥିଲା ପଞ୍ଚମ ଦଶକର ଶେଷ ଭାଗରୁ । ସପ୍ତମ ଦଶକରେ ଅର୍ଥ ହିଁ ହୋଇଗଲା ଜୀବନର ପରମାର୍ଥ । (୧୧) ସୁରେନ୍ଦ୍ର ମହାନ୍ତିଙ୍କର ଏ ଲେଖନୀୟ ଅଭିବ୍ୟକ୍ତିର ପ୍ରତିଫଳନ ତାଙ୍କ ସୃଷ୍ଟି ସମୂହରେ ସ୍ପଷ୍ଟ ଅନୁଭବ କରିହୁଏ । ତାଙ୍କ ବହୁପ୍ରସାରୀ ବ୍ୟକ୍ତିତ୍ଵ ଅନୁଭବ କରିଛି ଯୁଗ ଯନ୍ତ୍ରଣାକ୍ରାନ୍ତ, ‘‘ମଣିଷର କୋମଳ ପ୍ରବୃତ୍ତି ପରିବର୍ତ୍ତେ ଜାନ୍ତବ ବିକୃତି ବିକଶି ଆସୁଛି । ହୃଦୟ ଓ ମନର ରୋମାଣ୍ଟିକ୍‌ ରସରହସ୍ୟ ଆଉ କିଛି ଅବଶେଷ ନାହିଁ । ଯାହା ଅଛି ବୋଲି ମନେ ହେଉଛି ତାହା କଣ୍ଡିସନ, ରିଫ୍ଲେକ୍ସ ବା ଅଭ୍ୟାସବଦ୍ଧ ପ୍ରତିକ୍ରିୟା ଭିନ୍ନ ଅନ୍ୟ କିଛି ନୁହେଁ । (୧୨) ‘‘ବ୍ୟକ୍ତିସତ୍ତାର ଶୂନ୍ୟ ଗର୍ଭତା, ନିଃସଙ୍ଗତା, ସଂଶୟାଚ୍ଛନ୍ନ ବର୍ତ୍ତମାନ, ହତାଶା, ପ୍ରାଚୁର୍ଯ୍ୟର ପୀଡ଼ନ, ଅସଂଲଗ୍ନ ଯୌନ ବିକୃତି ଓ ଅର୍ଥୋପାର୍ଜନ ପାଇଁ ରୁଦ୍ଧଶ୍ଵାସୀ ସଂଗ୍ରାମ ସାଂପ୍ରତିକ ଜୀବନକୁ ଅଭିଶପ୍ତ ଜର୍ଜରିତ କରିଦେଇଛି । ନୀତି, ଆଦର୍ଶ, ବିବେକ ଓ ମୂଲ୍ୟବୋଧକୁ ଜଳାଞ୍ଜଳୀ ଦେଇ ବଞ୍ଚିବାଟାକୁ ଜୀବନର ଏକ ମାତ୍ର ସତ୍ୟ ରୂପେ ଗ୍ରହଣ କରିଛି । ଶତାବ୍ଦୀର ସ୍ରଷ୍ଟା ସୁରେନ୍ଦ୍ର ମହାନ୍ତି ଖଣ୍ଡିତ ବ୍ୟକ୍ତିସତ୍ତାର ଏ ଯନ୍ତ୍ରଣାକୁ ଉପଲବ୍ଧି କରିଥିଲେ । ତାଙ୍କ ଜୀବନବାଦୀ ଦୃଷ୍ଟିକୋଣ ଏ ଯୁଗଯନ୍ତ୍ରଣାକୁ ଅତି ସମ୍ବେଦନଶୀଳତାର ସହ ନିଜ ସୃଷ୍ଟିରେ ଅନ୍ତର୍ଗର୍ଭିତ କରିଥିଲା । ପ୍ରସଙ୍ଗକ୍ରମେ ଯୁଗ ଯନ୍ତ୍ରଣାକ୍ରାନ୍ତ ମଣିଷ ପ୍ରତି ଗାଳ୍ପିକଙ୍କ ସମ୍ବେଦନଶୀଳତା ଅନୁଶୀଳନ ପାଇଁ ‘କୁବେରର କବିତା’ ଗଳ୍ପଟି ଅନୁଧ୍ୟେୟ । ଏ ଗଳ୍ପଟିରେ ଅସୂୟା ପ୍ରଣୋଦିତ ସଂଶୟାଚ୍ଛନ୍ନ ସାଂପ୍ରତିକ ମଣିଷର ଅସୁସ୍ଥ ମାନସିକତା ସ୍ପଷ୍ଟ ପ୍ରତିଫଳିତ । ଜୀବନର କଠିନ ପରିଶ୍ରମ ଅଦମନୀୟ ଇଚ୍ଛାଶକ୍ତି ବଳରେ କୁବେର ସୋମନାଥ କିରାନୀ ପଦରୁ ଉତ୍ତୀର୍ଣ୍ଣ ହୋଇ ଡେପୁଟୀ ମାଜିଷ୍ଟ୍ରେଟ୍‌ ପଦରେ ଅବସର ନେବା ଓ ଅପାଣ୍ଡବା ପାଟପୁର ଗାଁରେ ଦୁଇତାଲା ବିଶିଷ୍ଟ କୋଠାଘର ତୋଳି ପୁତ୍ରକନ୍ୟାମାନଙ୍କୁ ଉତ୍ତମରୂପେ ସଂସ୍ଥାପିତ କରିବା ତାଙ୍କ ସାର୍ଥକ ବ୍ୟକ୍ତିତ୍ଵର ନମୁନା । ଐଶ୍ଵର୍ଯ୍ୟ ଓ ପ୍ରାଚୁର୍ଯ୍ୟର ଶୀର୍ଷସୀମା ସ୍ପର୍ଶ କରିଥିବା ସୋମନାଥ କିନ୍ତୁ ଲକ୍ଷ୍ମୀ ଛଡ଼ା ହତଭାଗା ଅକର୍ମା ନୀଳମଣି ପ୍ରତି ଅସହିଷ୍ଣୁ ହୋଇପଡ଼ନ୍ତି । ତାଙ୍କର ଶଙ୍କାଗ୍ରସ୍ତ ସଂଶୟାଚ୍ଛନ୍ନ ମାନସିକତା ନିଶ୍ଚିତ କରିନେଇଛି ଯେ ନୀଳମଣି ହୁଏତ ତା’ ବଂଶୀସ୍ଵନ ମାଧ୍ୟମରେ କୌଣସି ନିରୀହା ଗ୍ରାମ୍ୟ ବଧୂକୁ ପାପର ପିଚ୍ଛିଳ ପଥକୁ ଟାଣିନେବା ପାଇଁ ସଂକେତ ଦେଉଛି । (ଏପରିକି ନିଜ କନିଷ୍ଠବଧୂ କନକକୁ ବି ଏଥିରେ ଅନ୍ତର୍ଭୁକ୍ତ ହେବାର ଆଶଙ୍କାରେ ସେ ଆହୁରି ଉଦ୍‍ବିଘ୍ନ ହୋଇପଡ଼ନ୍ତି ।)

 

ପ୍ରାଚୀନତା ଓ ନବୀନତାର ଏ ଦ୍ୱନ୍ଦ୍ୱ କାଳେ କାଳେ ସମାଜକୁ ଉଦ୍‌ବେଗଗ୍ରସ୍ତ କରିଛି । ନିଜ ନିଜ ଦୃଷ୍ଟିକୋଣରେ ଅଚଳାୟତନ ପରି ଅଟଳ ଦୁଇପକ୍ଷକୁ ଉଦ୍ଦେଶ୍ୟ କରି ସେ କହନ୍ତି- ‘‘ସେମାନଙ୍କୁ ମୁଁ ବା କିପରି ବୁଝାଇ ପାରିବି, ଆଦିମ କୃଷିପ୍ରଧାନ ସମାଜରେ ସବୁଥିଲା ଯଦି ଜକଜକି ପଥର ପରି ଅକ୍ଷୟ ଅପରିବର୍ତ୍ତନୀୟ, ଯନ୍ତ୍ର ଶିଳ୍ପୋତ୍ତର ସମାଜରେ ସବୁ ଭଙ୍ଗୁର, ମୁହୂର୍ତ୍ତକୁ ମୁହୂର୍ତ୍ତ ପରିବର୍ତ୍ତନଶୀଳ । ଏଇ ଭଙ୍ଗୁରତା ଉପରେ ଗଢ଼ା ଆଜିର ଉତ୍ପାଦନ ପଦ୍ଧତିର ଭିତ୍ତି ।’’ (ପଳାସପୁର ଓ ଫୋର୍ସିଲେନ୍) ପ୍ରାଚୁର୍ଯ୍ୟ ଭିତରେ ଏହି ଦୈନ୍ୟ ହିଁ ଯନ୍ତ୍ର ଶିଳ୍ପୋତ୍ତର ସମାଜରେ ସବୁ ସଫଳତା ଭିତରେ ବିଫଳତାର, ସବୁ ପୂର୍ଣ୍ଣତା ଭିତରେ ଅପୂର୍ଣ୍ଣତାର ଅଙ୍ଗରେଖା ଆଙ୍କି ଦିଏ ।

 

ଯୁଗ ଯନ୍ତ୍ରଣାକୁ ନିବିଡ଼ ଭାବରେ ଅନୁଭବ କରିଥିବା ଗାଳ୍ପିକଙ୍କର ଯେଉଁ ଚର୍ମଭେଦୀ ମର୍ମଦାହର ସ୍ୱତଃସ୍ଫୁର୍ତ୍ତ ଅଭିବ୍ୟକ୍ତି ପରିସ୍ଫୁଟିତ ହୋଇଛି ତାହା ହିଁ ତାଙ୍କ ଲେଖକୀୟ ସତ୍ତା । ଅନ୍ତରର ଜ୍ୱାଳାରେ ହିତ ତାଙ୍କ ସୃଜନୀଶକ୍ତି ଶତସିଂହ ବିକ୍ରମରେ ଜାଗ୍ରତ ହୋଇଉଠେ । କାହାର ମନୋରଞ୍ଜନ ପାଇଁ ସେ କେବେ ଲେଖିନାହାନ୍ତି ଓ ଲେଖିବେ ନାହିଁ ବୋଲି ସ୍ୱୀକାର କରନ୍ତି ।

 

ସିନିକ୍‌ଧର୍ମୀତା ସୁରେନ୍ଦ୍ର କଥାମାନସର ଅନ୍ୟ ଏକ ବିଶେଷତ୍ୱ । ସମସାମୟିକ ବହୁବ୍ୟକ୍ତିଙ୍କର କୌତୁହଳ ଓ ଜିଜ୍ଞାସାର ଉତ୍ତର ଦେଇ ସେ କହନ୍ତି- ‘‘ମୁଁ ପ୍ରାୟ ସାରାଜୀବନ ଜଣେ ରହସ୍ୟାବୃତ୍ତ ବ୍ୟକ୍ତି ରୂପେ ରହି ଆସିଛି । କିନ୍ତୁ ପ୍ରକୃତରେ ମୋ ଜୀବନ ଆକାଶ ପରି ସ୍ପଷ୍ଟ ଓ ପାଣିପରି ସ୍ଵଚ୍ଛ । (୧୩) ଏହି ସ୍ପଷ୍ଟତା ଓ ସ୍ଵଚ୍ଛତା ହେତୁ ଚରିତ୍ରଗୁଡ଼ିକ ନିବିଡ଼ଭାବେ ଗାଳ୍ପିକଙ୍କ ଜୀବନ ଦର୍ଶନକୁ ଜାବୁଡ଼ି ଧରିଥା’ନ୍ତି । ଓଡ଼ିଆ ସାହିତ୍ୟରେ ସିନିକ୍‌ ଚରିତ୍ରର ଅନୁପ୍ରବେଶ ପ୍ରଥମଥର ପାଇଁ ‘କୃଷ୍ଣଚୂଡ଼ା’ ଗଳ୍ପର ସଦାନନ୍ଦ ଚରିତ୍ର ମାଧ୍ୟମରେ ହୋଇଥିଲା । ଏଥିପାଇଁ ତାଙ୍କୁ ଅନେକ ପ୍ରତିକୂଳ ସମାଲୋଚନାର ଶରବ୍ୟ ହେବା ପାଇଁ ପଡ଼ିଥିଲା । ପ୍ରତିକୂଳ ସମାଲୋଚନା ଶିବିରର ମନ୍ତବ୍ୟ ହେଉଚି ଗଳ୍ପନାୟକ ସିନିକ୍ ସଦାନନ୍ଦର ବ୍ୟକ୍ତିସତ୍ତା ଅନ୍ତରାଳରେ ସ୍ରଷ୍ଟା ସୁରେନ୍ଦ୍ରଙ୍କ ବ୍ୟକ୍ତିସତ୍ତା ତଥା କାବ୍ୟସତ୍ତା ନେପଥ୍ୟରେ ଆତ୍ମଗୋପନ ନ କରି ପ୍ରକାଶ୍ୟରେ ଆତ୍ମପ୍ରକାଶ କରିଛି-। ଅନ୍ୟକଥାରେ କଥାକାର ସୁରେନ୍ଦ୍ର ମହାନ୍ତି ଓ ଗଳ୍ପନାୟକ ସଦାନନ୍ଦ ଏକ ଓ ଅଭିନ୍ନ । ସୁତରାଂ ଲେଖକ ସର୍ବାନ୍ତଃକରଣରେ ସିନିସିଜମ୍‌ ବ୍ୟାଧି ସଂକ୍ରମିତ ଜଣେ ନିରୋଳା ସିନିକ୍‌ । (୧୪)

 

ସିନିସିଜମ୍‌ ଏକ ଭୟାନକ ନେତିବାଦ । ଘୋର ନୈରାଶ୍ୟବାଦ ପାଶ୍ଚାତ୍ୟ ଦର୍ଶନରେ ସିନିସିଜମ୍‌ର ପୋଡ଼ାଭୂଇଁରେ ଦୁବଟିଏ ବି କଅଁଳିବାର ଆଶା ନ ଥାଏ । କିନ୍ତୁ ପ୍ରାଚ୍ୟ ଦର୍ଶନରେ ଏହି ସିନିସିଜମ୍‌ ବା ନେତିବାଦ ଏତେ ମାରାତ୍ମକ ଅଥବା ଆତ୍ମଘାତୀ ନୁହେଁ । ପ୍ରାଚ୍ୟ ନେତିବାଦ ଆଧ୍ୟାତ୍ମିକତା ଆଧାରିତ । ଆଧ୍ୟାତ୍ମିକ ବାଦୀମାନେ ଜଡ଼ସୃଷ୍ଟିକୁ ମିଥ୍ୟା ଅଳୀକ ଅସାର କହି ଜଡ଼ବାଦୀ ପ୍ରକୃତିର ଉର୍ଦ୍ଧ୍ୱରେ ଯେଉଁ ମହନୀୟ ଚେତନା ଅତୀନ୍ଦ୍ରିୟ ସତ୍ତା ରହିଛି ତା’ର ସନ୍ଧାନରେ ବ୍ରତୀ ରହନ୍ତି । ପ୍ରାରମ୍ଭରୁ ଏହି ନେତିବାଦ୍‌ ନାସ୍ତିସୂଚକ ହେଲେ ସୁଦ୍ଧା ପରିଣତିରେ ଏହା ବିଶାଳ ସମ୍ଭାବନା ବିରାଟ ଅସ୍ତିସୂଚକ ଜୀବନର ସନ୍ଧାନ ଦେଇଥାଏ ।

 

ସୁରେନ୍ଦ୍ର ମହାନ୍ତି ଯଦି ସିନିକ୍‌ ହୋଇଥା’ନ୍ତି ତେବେ ସେ ପ୍ରାଚ୍ୟଦର୍ଶନାନୁଯାୟୀ ନେତିବାଦୀ-। ଏ ସଂପର୍କରେ ସେ ନିଜେ ସ୍ୱୀକାର କରି କହନ୍ତି- ‘‘xxx ସେଇମାନେ ମୋର ସମାଲୋଚନା କରନ୍ତି - ମୁଁ ସିନିକ୍‌, ସବୁକଥାକୁ ଉପେକ୍ଷା କରେ । ମୋର ମନେହୁଏ, ସିନିସିଜ୍‌ମରୁ ଜନ୍ମଲାଭ କରିଛି ଯେତେ ସବୁ ଜ୍ଞାନ ଓ ବିଜ୍ଞାନ । ଉପନିଷଦର ନେତି ନେତିର ଏହାହିଁ ମର୍ମକଥା । ଇୟେ ନୁହେଁ ଇୟେ ନୁହେଁ ତାହେଲେ କ’ଣ ? ଖୋଜି ଖୋଜି କ୍ଳାନ୍ତ ହୁଅ ନାହିଁ । ଚରୈବତି, ଚରୈବତି, ଅନ୍ୱେଷଣ କର । ସହଜ ସମାଲୋଚକମାନେ ତେଣୁ ଯାହାକୁ ନୈରାଶ୍ୟବାଦ ଓ ସିନିସିଜିମ୍‌ କହନ୍ତି ତାହା ମୋ ପାଖରେ ପ୍ରସୂତୀର ବେଦନା । ଏ ବେଦନା ନ ଥିଲେ ଆମର ବୌଦ୍ଧିକ ଦିଗ୍‌ବଳୟ ସଂପ୍ରସାରିତ ନ ହୋଇ ସଂକୁଚିତ ହୋଇ ପଡ଼ିଥାନ୍ତା । (୧୫)

 

ଜୀବନ ଅନ୍ୱେଷୀ କଥାକାର ସୁରେନ୍ଦ୍ରଙ୍କ ଦୃଷ୍ଟିକୋଣରେ ସିନିସିଜମ୍‌ରୁ ବୌଦ୍ଧିକତାର ବିକାଶ । ନୂତନ ଜୀବନାନୁଭୂତିର ସ୍ପନ୍ଦନ । ନୂତନ ମୂଲ୍ୟବୋଧର ବ୍ୟାକୁଳ ଅନ୍ୱେଷଣ । ଅତୀତର ଗଡ଼୍‌ଡ଼ାଳିକା ପ୍ରବାହରୁ ମୁକ୍ତି । ନୂତନ ଜୀବନାଦର୍ଶର ଭିତ୍ତିଭୂମି । ଏହି ଜୀବନ ଅନ୍ୱେଷୀ ଭାବ ତାଙ୍କୁ ଚିରଦିନ ଅଚଳ ଅତୃପ୍ତି ମଧ୍ୟରେ ରଖିଛି । ଏହି ଅସନ୍ତୋଷ ଓ ଅତୃପ୍ତି ମଧ୍ୟରୁ ନିତ୍ୟ ନବ ନବ ସୃଷ୍ଟି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛି ।

 

ଅନ୍ୟମାନଙ୍କ ଭଳି ସୁରେନ୍ଦ୍ର ମହାନ୍ତି ସିନିସିଜିମ୍‌କୁ ଅସୁସ୍ଥ ମାନସିକତା ରୂପେ ଗ୍ରହଣ କରନ୍ତି ନାହିଁ । ନୂତନ ମୂଲ୍ୟବୋଧ ଓ ନୂତନ ଜୀବନାଦର୍ଶ ସୃଷ୍ଟିପୂର୍ବର ପ୍ରସୂତୀ ବେଦନାଭଳି ଏହା ଏକ ଆବାହନୀ ଯନ୍ତ୍ରଣା ।

 

ସୁରେନ୍ଦ୍ରଙ୍କ କଥା ସୃଷ୍ଟିର ଅନ୍ତଃସତ୍ତା ପୁରୁଷାଭିମୁଖୀ । ବହୁଗଳ୍ପର ଚରିତ୍ରରେ ‘ମୁଁ’ ତ୍ୱର ଆରୋପ ହୋଇଛି ଓ ସେଇ ମୁଁ ତ୍ୱ ଭିତରେ ଗାଳ୍ପିକଙ୍କ ପୁରୁଷସତ୍ତାଟି ବିଦ୍ୟମାନ ହେବା ଭଳି ଅନୁଭୂତ ହୁଏ । ପୁରୁଷ ଚରିତ୍ରକୁ କେନ୍ଦ୍ରକରି ନାରୀ ଚରିତ୍ରଗୁଡ଼ିକ ଆବର୍ତ୍ତିତ ହେବାର ପରିଲକ୍ଷିତ ହୁଏ । ନିଜ ବ୍ୟକ୍ତିସତ୍ତାର ପ୍ରସାରରେ ନୁହେଁ ବରଂ ଗଳ୍ପ ନାୟକର ଚାରିତ୍ରିକ ବିଶେଷତ୍ୱ ପ୍ରତିପାଦନ ପାଇଁ ଗାଳ୍ପିକ ଏ ଚରିତ୍ରଗୁଡ଼ିକୁ ସୃଷ୍ଟି କରିଥିବା ଭଳି ବୋଧହୁଏ ଦୃଢ଼ ଚରିତ୍ରବତ୍ତା, ଆତ୍ମପ୍ରତ୍ୟୟ, ତ୍ୟାଗ, ତିତିକ୍ଷା, ଧୈର୍ଯ୍ୟ, ସହିଷ୍ଣୁତା ଭଳି ନାରୀର ମଙ୍ଗଳମୟୀ ସ୍ଵରୂପ ଉଦ୍‌ଘାଟନ ଅପେକ୍ଷା ନାରୀକୁ ଉଦଗ୍ର କାମନାର ଏକ ଜୀବନ୍ତ ପ୍ରତିରୂପ ବୋଲି ପ୍ରତିପାଦନ କରିବାରେ ସୁରେନ୍ଦ୍ର ଲେଖନୀ ଅଧିକ ତତ୍‌ପର । ସଂଯମପିଣ୍ଡିତ ବୌଦ୍ଧ ଶ୍ରମଣଙ୍କୁ ଯୋଗଭ୍ରଷ୍ଟ କରିବାଠାରୁ କାବାରେ ଡ୍ୟାନ୍ସରେ ଉଲଙ୍ଗ ନୃତ୍ୟ ପ୍ରଦର୍ଶନ କରିବା ଅଶ୍ଲୀଳତା ନିବାରଣ ନାଁରେ ନିଜର ଅତୃପ୍ତ ଯୌନକ୍ଷୁଧାର ପ୍ରଦର୍ଶନ କରିବା, କାମପିପାସା ଚରିତାର୍ଥ ପାଇଁ ବାରମ୍ବାର ଗର୍ଭପାତ କରିବା, ଉତ୍କଟ ଧନତୃଷ୍ଣା ପାଇଁ ପ୍ରେମିକକୁ ପ୍ରତ୍ୟାଖ୍ୟାନ କରିବା ଭଳି ଅନେକ ଦୃଷ୍ଟାନ୍ତ ରହିଛି । ଯୁଦ୍ଧୋତ୍ତର ସମାଜରେ ଅବଶ୍ୟ କେତେକ ନାରୀଙ୍କର ଏହା ଥିଲା ସ୍ଵାଭାବିକ ପରିଣତି । କିନ୍ତୁ ଏହା ନାରୀର ଖଣ୍ଡିତାଂଶ, ପରିପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ଵ ନୁହେଁ । ସୁରେନ୍ଦ୍ର ମହାନ୍ତିଙ୍କ ଭଳି ଜଣେ ପ୍ରଗତିଶୀଳ ଚିନ୍ତାଧାରା ସଂପନ୍ନ ବ୍ୟକ୍ତିତ୍ୱ ଗଳ୍ପଗୁଡ଼ିକରେ ନାରୀ ଚରିତ୍ରର ନକାରାତ୍ମକ । ଦିଗ ଉପରେ ଗୁରୁତ୍ୱ ଦେବା ଆଦୌ ସମୀଚିନ ମନେ ହୁଏ ନାହିଁ । ଏହା ଆହୁରି ଗବେଷଣା ସାପେକ୍ଷ ।

 

ସ୍ରଷ୍ଟାର ଆଭିମୁଖ୍ୟ ସର୍ବଦା ତା’ର ସୃଷ୍ଟିକୁ ଆଚ୍ଛନ୍ନ କରି ରଖିଥାଏ । କଳାକାରର ଜୀବନ୍ତ ଅନୁଭବର ଚର୍ମଭେଦୀ ସ୍ପର୍ଶ ନ ପାଇଲେ କଳା ଉତ୍ତୀର୍ଣ୍ଣ ହୁଏ ନାହିଁ । ଗାଳ୍ପିକ ସୁରେନ୍ଦ୍ର ମହାନ୍ତି ତ ସହଜରେ ସ୍ୱୀକାର କରନ୍ତି- ‘‘ଯାହା ମୋର ଚେତନାକୁ ସ୍ପର୍ଶ ନ କରିଛି ଯାହା ମୋର ସୃଷ୍ଟି ପ୍ରବଣତାକୁ ଧକ୍କା ନ ଦେଇଛି, ଯାହା ମୋର ଅନ୍ତର ପୁରୁଷ କଣ୍ଠରେ ମର୍ମେ ମର୍ମେ ଉଚ୍ଚାରିତ ନ ହୋଇଛି, ମୁଁ ତାହାକୁ କଦାପି ଲେଖିନାହିଁ କିମ୍ବା ଲେଖି ସମୟ ନଷ୍ଟ କରିନାହିଁ ।’’ (୧୬)

 

ସୁରେନ୍ଦ୍ରଙ୍କ ବ୍ୟକ୍ତିତ୍ୱ ଏକ ନିର୍ଭେଜାଲ ବ୍ୟକ୍ତିତ୍ୱ । ସେଠାରେ କୃତ୍ରିମତା, ଛଳନା, ହିପୋକ୍ରେସି କିମ୍ବା ଆତ୍ମପ୍ରତାରଣାର ସ୍ଥାନ ନ ଥିଲା । କୌଣସି ନୀତିନିୟମ ଅନୁଶାସନ ବା ଆଦର୍ଶର ପ୍ରଚାର ତାଙ୍କ ବ୍ୟକ୍ତିତ୍ୱକୁ ବିକ୍ରୀ କରି ନଥିଲା । ଜୀବନର ଜିଜ୍ଞାସା ପାଇଁ, ବଞ୍ଚିବାର ରହସ୍ୟ ଉନ୍ମୋଚନ ପାଇଁ, ସତ୍ୟର ସନ୍ଧାନ ପାଇଁ ଓ ମାନବିକ ମୂଲ୍ୟବୋଧର ପରିଚୟ ପାଇଁ ସେ ସକଳ ପ୍ରକାର ଅନୁଭବକୁ ଶ୍ରଦ୍ଧାସିକ୍ତ ସ୍ଵାଗତ କରିଛନ୍ତି । ଏହି ଅନୁଭୂତିକୁ ଆନ୍ତର୍ଗର୍ହିତ କରିଥିବା ତାଙ୍କ ବ୍ୟକ୍ତି ସତ୍ତା ଅତି ସହଜରେ ସକଳ ବାଧାବିଘ୍ନ ଅତିକ୍ରମ କରି ବୃହତ୍ତର ଜୀବନର ନିକଟତର ହୋଇଛି । ଏମାନଙ୍କ ସମସ୍ୟା ସଙ୍କଟ ଆଶା ଓ ସ୍ଵପ୍ନ ଭିତରେ ନିଜକୁ ଆବିଷ୍କାର କରିଛି । ସେ କହନ୍ତି-ସାହିତ୍ୟ ଜୀବନ ପାଇଁ ଯେତେକାଳ ସମର୍ପିତ ସେଥିରେ ବ୍ୟକ୍ତିଚେତନାରୁ ବିକାଶ ଭାବନା ସଂଗ୍ରାମ ଓ ଆବେଗର ଚିତ୍ର ପ୍ରତିଫଳିତ ହେବା ଅତ୍ୟାବଶ୍ୟକ । (୧୭)

 

ସୁରେନ୍ଦ୍ରଙ୍କ କଥାମାନସ ସୁନ୍ଦର କାରୁକାର୍ଯ୍ୟ ପୂର୍ଣ୍ଣ ଗଳ୍ପସୃଷ୍ଟିରେ ଆସ୍ଥା ସ୍ଥାପନ କରିଥିଲା । ପାରମ୍ପରିକ ଶଗଡ଼ ଗୁଳାରୁ ବିଚ୍ୟୁତ ହୋଇ ନୂତନ ଆଙ୍ଗିକ, ଆଭିଜାତ୍ୟ ପୂର୍ଣ୍ଣଭାଷା, ତୀର୍ଯ୍ୟକ୍‌ ଓ ବ୍ୟଞ୍ଜନାଧର୍ମୀ ବକ୍ତବ୍ୟରେ ବିଶ୍ଵାସ କରୁଥିଲା । ଓଡ଼ିଆ କ୍ଷୁଦ୍ରଗଳ୍ପ ଇତିହାସରେ ନୂତନ ମୋଡ଼ ଫିଟାଇଥିବା ଦାବିଦାର ସୁରେନ୍ଦ୍ର ମହାନ୍ତିଙ୍କ କଥାମାନସ ସର୍ବାନ୍ତଃକରଣରେ ଥିଲା କାଳଜୟୀ । କାଳର କଷଟୀ ପଥରରେ ବହୁ ପରୀକ୍ଷିତ ତାଙ୍କର କଥାଶିଳ୍ପ ଓଡ଼ିଆ ଗଳ୍ପ ଭଣ୍ଡାରର ଅମୂଲ୍ୟ ସଂପଦ । ଫକୀର ମୋହନଙ୍କ ପରେ ସୁରେନ୍ଦ୍ରଙ୍କ ପ୍ରଜ୍ଞାବାଦୀ ଗଳ୍ପ ଏ ଯାବତ୍ ଅନତିକ୍ରମ୍ୟ ହୋଇ ରହିଛି । ସାହିତ୍ୟର ଗଣଧର୍ମୀତା ସଂପର୍କରେ ସ୍ରଷ୍ଟା ସୁରେନ୍ଦ୍ର କହନ୍ତି - ‘‘ସାହିତ୍ୟ ଗଣ ପାଇଁ ହୋଇପାରେ ମାତ୍ର ଗଣଦ୍ୱାରା ହୋଇପାରିବ ନାହିଁ ।’’ ଆଙ୍ଗିକରେ ସାହିତ୍ୟକୁ ଆଭିଜାତ୍ୟମୟ କରିବା ଦିଗରେ ସୁରେନ୍ଦ୍ର ସଚେଷ୍ଟ ଥିଲେ । ସମ୍ଭ୍ରାନ୍ତଭାଷା ଓ ନାଟକୀୟ ସଂଳାପ ତାଙ୍କର ଏ ଉଦ୍ଦେଶ୍ୟ ଚରିତାର୍ଥ କରିବାରେ ସହାୟକ ହୋଇଥିଲା । ବିଭିନ୍ନ ଅଙ୍ଗରାଗ ନେଇ ଆଙ୍ଗିକ ଓ ଆତ୍ମିକ ଶୈଳୀ ସମୃଦ୍ଧ ତାଙ୍କର ଗଳ୍ପଗୁଡ଼ିକ ଓଡ଼ିଆ ସାହିତ୍ୟରେ ଅସପତ୍ନ ପ୍ରତିଷ୍ଠା ଲାଭ କରିଛି ।

 

ପାଦଟୀକା :

(୧)

ମହାନ୍ତି ସୁରେନ୍ଦ୍ର, ପଥ ଓ ପୃଥିବୀ-ପୃ-୫

(୨)

ତତ୍ରୈବ, ପୃ ୩୭୫

(୩)

ତତ୍ରୈବ, ପୃ ୪୭୨

(୪)

ଏଷଣା, ୨୧ ଖଣ୍ଡ, ୧୯୯୦

(୫)

ପରିଡ଼ା ପ୍ରକାଶ, ସରସ୍ୱତୀ ସୁରେନ୍ଦ୍ର-ପୃ- ୬୯

(୬)

ଲେଙ୍କା ଶଇଳେନ୍ଦ୍ର, କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତି, ଅଗ୍ରଲେଖା

(୭)

ପଥ ଓ ପୃଥିବୀ, ପୃ-୪୭୨

(୮)

ମୁଁ କାହିଁକି ଲେଖେ, ସୁରେନ୍ଦ୍ର ବିଚିତ୍ରା, ପୃ (ଗ)

(୯)

ମହାନ୍ତି ସୁରେନ୍ଦ୍ର, ନୀଳଜ୍ୟୋତ୍ସ୍ନା, ମରାଳର ମୃତ୍ୟୁ ।

(୧୦)

ମହାନ୍ତି ସୁରେନ୍ଦ୍ର, ମରାଳର ମୃତ୍ୟୁ, ପୃ-୮୮ ।

(୧୧)

ମହାନ୍ତି ସୁରେନ୍ଦ୍ର, ମାଂସର କୋଣାର୍କ, ପ୍ରସଙ୍ଗକ୍ରମେ ।

(୧୨)

ସୁରେନ୍ଦ୍ର ସାହିତ୍ୟ ସମୀକ୍ଷଣ, ପୃ ୧୫୧

(୧୩)

ପଥ ଓ ପୃଥିବୀ-ପୃ- ୮

(୧୪)

ପରିଡ଼ା ପ୍ରକାଶ, ସୁରେନ୍ଦ୍ର ସାହିତ୍ୟ ସମୀକ୍ଷଣ, ପୃ-୩୦ ।

(୧୫)

ପଥ ଓ ପୃଥିବୀ, ପୃ-୧୧୦ ।

(୧୬)

ମାଂସର କୋଣାର୍କ, ପ୍ରସଙ୍ଗକ୍ରମେ ।

(୧୭)

ଗଳ୍ପ, ସାକ୍ଷାତକାର, ୩ୟ ସଂକଳନ ।

 

 

ଭୈରବ କଲେଜ,

ଡାବୁଗାଁ, ନବରଙ୍ଗପୁର

 

***

 

ସିଂହଭୂମର ଓଡ଼ିଆ-ଶିକ୍ଷା :

ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ

ସତ୍ୟପ୍ରିୟ ମହାଳିକ

 

ସିଂହଭୂମର ରାଜବଂଶ ପ୍ରଥମେ ଯୋଧପୁରରୁ ଆସିଥିଲେ । ସେମାନଙ୍କ ମାତୃଭାଷା ଓଡ଼ିଆ ନ ଥିଲା । ମାତ୍ର ଶାସନଗତ ସୁବିଧା ଦୃଷ୍ଟିରୁ ସେମାନେ ଓଡ଼ିଆ ଭାଷା ଶିଖିଲେ ଓ ଓଡ଼ିଆ ଭାଷା-ସାହିତ୍ୟର ଚର୍ଚ୍ଚା ମଧ୍ୟ କଲେ । ସେମାନେ ଏଇଥିପାଇଁ କଲେ ଯେ, ସିଂହଭୂମରେ ବହୁକାଳରୁ ଓଡ଼ିଆ ଏକ ପ୍ରମୁଖ ଭାଷା ଭାବରେ ଗୁରୁତ୍ୱ ଲାଭ କରିସାରିଥିଲା । ସ୍ଥାନୀୟ ଭାଷାକୁ ଆୟତ୍ତ କରି ସେହି ଭାଷାରେ କୋର୍ଟ-କଚେରୀ କାମ ଓ ବିଦ୍ୟାଳୟରେ ଶିକ୍ଷାର ମାଧ୍ୟମ କରାଯିବାର ନିଷ୍ପତ୍ତି ନିଆଗଲା ।

 

ଷଢ଼େଇକଳା-ଖରସୁଆଁ ରାଜବଂଶାବଳୀ (ବଂଶ ପ୍ରଭା ଲେଖନ କିମ୍ବା ମାଦଳା) ଓଡ଼ିଆ ଭାଷାରେ ଲେଖାଯାଇଥିଲା । ରାଜ ତଥା ପ୍ରଶାସକଙ୍କର ସମସ୍ତ ଚିଠିପତ୍ର ଓ ଆଦେଶ ବା ଅଭିଲେଖ ଆଦି ଓଡ଼ିଆ ଭାଷାରେ ଲେଖା ଯାଉଥିଲା । ତାଳପତ୍ରରେ ଲେଖା ଯାଉଥିବା ସନନ୍ଦ, ପ୍ରଶସ୍ତି ପତ୍ର ଓ ଓଡ଼ିଆ ଭାଷାରେ ଲେଖା ଯାଇଥିବା ଚିଠିପତ୍ର ଏସବୁର ଉଦାହରଣ ।

 

ଇଂରେଜମାନେ ସିଂଭୂମକୁ ଆସିବା ପୂର୍ବରୁ ଏହି ଅଞ୍ଚଳରେ ଶିକ୍ଷାର ବିକାଶ ସାଧିତ ହୋଇନଥିଲା । ସର୍ବସାଧାରଣ ଜନତା ଶିକ୍ଷାରୁ ବଂଚିତ ଥିଲେ । ସ୍ଥାନୀୟ ରାଜାମାନେ ମଧ୍ୟ ଜନସାଧାରଣଙ୍କୁ ଶିକ୍ଷିତ ହେବାରେ କୌଣସି ଆଗ୍ରହ ପ୍ରକାଶ କରୁ ନ ଥିଲେ । ୧୮୨୧ ମସିହା ବେଳକୁ ଇଂରେଜ (ବ୍ରିଟିଶ୍‌) ସହିତ ସିଂହଭୂମର ହୋ ଜନ-ଜାତିଙ୍କର ଏକ ବୁଝାମଣାରେ ସେମାନଙ୍କୁ ତାଙ୍କ ପିଲାଙ୍କୁ ଓଡ଼ିଆ କିମ୍ବା ହିନ୍ଦୀ ଭାଷାରେ ଶିକ୍ଷିତ କରିବା ପାଇଁ ବାଧ୍ୟ କରାଯାଇଥିବାର ଏକ ତଥ୍ୟ ହସ୍ତଗତ ହୁଏ । (୧)

 

(୧)

L.S.S.O. halley, Bengal District Gazetteer, Vol-xx, p-35.

(୨)

H. Ricketts, Singhbhum Report, pp-105-106.

 

ଆଦିବାସୀ ଓ ନୀଚ ଜାତିର ଲୋକଙ୍କ ପାଇଁ ଶିକ୍ଷା ନିଷେଧ ଥିଲା । ଏହା କେବଳ ରାଜା, ପ୍ରଶାସକ, ବ୍ରାହ୍ମଣ ପୂଜକ ଓ ଗ୍ରାମ ମୁଖିଆଙ୍କ ପାଇଁ ପ୍ରଯୁଜ୍ୟ ଥିଲା । ୧୮୪୧ ମସିହା ବେଳକୁ ଚାଇଁବସାରେ ଏକ ଆଂଗ୍ଲୋ-ହିନ୍ଦୀ ବିଦ୍ୟାଳୟ ପ୍ରତିଷ୍ଠା କରାଗଲା । ମାତ୍ର ଏହା ୧୮୫୧ ମସିହା ବେଳକୁ ବନ୍ଦ ହୋଇଗଲା । ସରକାରଙ୍କ ତରଫରୁ ଏହି ସମୟରେ ଚାଇଁବସା, ଜୟନ୍ତ ଗଡ଼, ଘାଟଶିଳା, ଟରୁ ଏବଂ ଷଢ଼େଇକଳାରେ ବଙ୍ଗଳା-ମାଧ୍ୟମ ବିଦ୍ୟାଳୟ ସ୍ଥାପନ କରାଗଲା । ମାତ୍ର ସ୍ଥାନୀୟ ଲୋକେ ବଙ୍ଗଳା ମାଧ୍ୟମରେ ପିଲାମାନଙ୍କୁ ଶିକ୍ଷିତ କରିବାକୁ କୁଣ୍ଠା ପ୍ରକାଶ କରୁଥିବାରୁ H. Ricketts ସାହେବ ସିଂହଭୂମ ଗସ୍ତ ସମୟରେ ବଙ୍ଗଳା ବଦଳରେ ହିନ୍ଦୀକୁ ଶିକ୍ଷାର ମାଧ୍ୟମ ରୂପେ ପ୍ରଚଳନ କରିବା ପାଇଁ ପ୍ରସ୍ତାବ ଦେଲେ । (୨)

 

 

ଯେତେବେଳେ ଷଢ଼େଇକଳାର ଚାଇଁବସା ସହିତ ରାଜନୀତିକ ସଂପର୍କ ଥିଲା, ସେତେବେଳେ ହିନ୍ଦୀକୁ ରାଜଭାଷା (Court Language) ଭାବେ ଲଦି ଦିଆଗଲା । ସେତେବେଳେ ହିନ୍ଦୀକୁ କୋର୍ଟ କଚେରୀର ଭାଷା ଭାବେ ଲଦି ଦିଆ ଯାଇଥିବାବେଳେ ବଙ୍ଗଳାକୁ ବିଦ୍ୟାଳୟରେ ଶିକ୍ଷାର ମାଧ୍ୟମ ଭାବେ ଲଦି ଦିଆଗଲା । ତତ୍‌କାଳୀନ ଡେପୁଟି କମିଶନର (ସିଂହଭୂମ) ଶ୍ରୀ .ବି.ସି. ସେନ୍, ତା ୨୬.୦୧.୧୯୧୪ରେ ଏକ ଅଫିସିଆଲ ନୋଟରେ ଉଲ୍ଲେଖ କରିଥିଲେ- ‘‘The most important question affecting the schools is the introduction of Oriya as the Vernacular xxx । do not see why this should not be the court language instead of Hindi.’’(୧)

 

(୧)

Memorandum to the chairman and Members of the states reorganisation commission, New Delhi, by Raja Aditya Pratap Singh Deo, Seraikella, 1954,p-39.

(୨)

-do -, p-32

(୧)

H. Recketts, Singhbhum Reports, pp-105-06.

 

ଠିକ୍‌ ୧୯୨୧ ମସିହା ବେଳକୁ ଓଡ଼ିଆ ରାଜଭାଷା ରୂପେ କୋର୍ଟ କଚେରୀରେ ପ୍ରଚଳିତ ହେବାକୁ ଲାଗିଲା ଓ ବିଦ୍ୟାଳୟରେ ଓଡ଼ିଆ ଶିକ୍ଷାଦାନର ଏକ ମାଧ୍ୟମ ରୂପେ ପ୍ରବର୍ତ୍ତିତ ହେଲା । ସେଇଥିପାଇଁ ହିନ୍ଦୀ ଭାଷୀଙ୍କ ସଂଖ୍ୟା କମିଯିବାକୁ ଲାଗିଲା । ଏ ସଂପର୍କରେ ବିହାର ଏବଂ ଓଡ଼ିଶା ଜନଗଣନା ସୁପରିଟେଣ୍ଡେଣ୍ଟ ଲେଖିଥିଲେ- In seraikella the proportionate number of Hindi-speakers has dropped to about half what it was, but the absolute figures are small. The drop has a good deal to do with the fact that oriya has been introduced as the Court Language and that education is largely conducted in the medium of oriya. (୨)

 

ଓଡ଼ିଆ ମାଧ୍ୟମରେ ଶିକ୍ଷାଦାନ ନିମନ୍ତେ ବିଦେଶୀ ପ୍ରଶାସକ ଓ ଭାଷାବିତ୍‌ଙ୍କ ସାଧୁ ଉଦ୍ୟମ ଓ ପ୍ରସ୍ତାବଗୁଡ଼ିକୁ ଦେଖିଲେ ସତରେ ଚକିତ ହେବାକୁ ପଡ଼େ । ସିଂହଭୂମର ତତ୍‌କାଳୀନ ଡେପୁଟି କମିଶନର A. Garret, I.C.S. ତାଙ୍କ ଚିଠି ନଂ. ୫୭ T.C. ଚାଇବସା dt. ୧୦.୦୩.୧୯୧୯ରେ ଲେଖିଥିଲେ- Porahat and Dhalbhum are essentially oriya, when they are not aboriginal it is undesirable that oriya is not taught in the schools of these estates.’’

 

ଠିକ୍‌ ସେହିପରି ସିଂହଭୂମର ଡେପୁଟି କମିଶନର Mr. Carry ତା ୧୬.୧୨.୧୯୦୭ରିଖରେ ଖରସୁଆଁ" M.E. Schoolର ପରିଦର୍ଶନବେଳେ ଲେଖିଥିଲେ- There seems to no question at all but that oriya is the language spoken by almost all no-aboriginal races in these states of Kharswan and Seraikella and that failure of education hitherto is due to text book being in foreign language. The Chief’s family speak oriya also, why Hindi was made Court Language, । can not ascertain but ther is no doubt that oriya must be the medium of instruction and text books must be in oriya language.

 

୧୮୫୧ ବେଳକୁ ଷଢ଼େଇକଳା ଖରସୁଆଁରେ ଯେଉଁ କେତୋଟି ବଙ୍ଗଳା ମାଧ୍ୟମ ସ୍କୁଲ୍‌ ଖୋଲିଥିଲା ତାହା ସ୍ଥାନୀୟ ଲୋକମାନଙ୍କୁ ଆକୃଷ୍ଟ କରିପାରି ନ ଥିଲା । ସେପାଇଁ ବୋର୍ଡ଼ ଅଫ୍‌ ରେଭିନ୍ୟୁର ସଭ୍ୟ H. Ricketts ସିଂହଭୂମ ପରିଦର୍ଶନ କାଳରେ ଏଠାରେ ବଙ୍ଗଳା ମାଧ୍ୟମ ସ୍କୁଲ୍‌ ପରିବର୍ତ୍ତେ ହିନ୍ଦୀ ମାଧ୍ୟମ ସ୍କୁଲ୍‌ ଖୋଲିବା ପାଇଁ ପରାମର୍ଶ ଦେଇଥିଲେ । (୧) ୧୮୭୦-୭୧ ବେଳକୁ ଷଢ଼େଇକଳା-ଖରସୁଆଁରେ ଦୁଇଟି ମୋଡ଼େଲ ସ୍କୁଲ ପ୍ରତିଷ୍ଠା କରାଗଲା । ସେଥିରେ ସର୍ବମୋଟ ଛାତ୍ର ଛାତ୍ରୀଙ୍କ ସଂଖ୍ୟା ଥିଲା ୮୧ । ୧୯୦୧ ମସିହାବେଳକୁ ଷଢ଼େଇକଲାରେ ୨୪ଟି ସ୍କୁଲ୍‌ରେ ମୋଟ ୫୭୨ ଜଣ ପଢ଼ୁଥିବାବେଳେ ଖରସୁଆଁରେ ୯ଟି ସ୍କୁଲରେ ମୋଟ ୩୦୮ ଜଣ ପଢ଼ୁଥିଲେ ।

 

୧୯୦୬-୦୭ ବେଳକୁ ଖରସୁଆଁରେ ସ୍କୁଲ୍‌ ସଂଖ୍ୟା ୨୩ ହୋଇ ଛାତ୍ର-ଛାତ୍ରୀଙ୍କ ସଂଖ୍ୟା ୩୫୨କୁ ବୃଦ୍ଧି ପାଇଥିବାବେଳେ ଷଢ଼େଇକଳାରେ ସ୍କୁଲ ସଂଖ୍ୟା ୩୦ ଓ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୧୩୧ରେ ପହଞ୍ଚିଥିଲା ।

 

୧୯୦୮ ବେଳକୁ ଷଢ଼େଇକଳା ସହରରେ ଗୋଟିଏ ମିଡ଼ିଲ ସ୍କୁଲ୍‌ ଏବଂ ଗୋଟିଏ ପ୍ରାଇମେରୀ ସ୍କୁଲ୍ ଥିଲାବେଳେ ଖରସୁଆଁରେ ଗୋଟିଏ ମିଡ଼ିଲ ସ୍କୁଲ୍‌ ଥିଲା । ଅନ୍ୟ ପ୍ରାଇମେରୀ ସ୍କୁଲ୍‌ଗୁଡ଼ିକ ଏଠି ସେଠି ଖୋଲିଥିଲେ ।

 

ସିଂହଭୂମର ଶୈକ୍ଷିକ ବାତାବରଣ ୧୯୪୫ ବେଳକୁ ବଦଳିବାକୁ ଲାଗିଲା । ଖରସୁଆଁରେ ୧୯୪୬-୪୭ ବେଳକୁ ଗୋଟିଏ ମିଡ଼ିଲ ସ୍କୁଲ, ୫ଟି ଅପର ପ୍ରାଇମେରୀ ସ୍କୁଲ ଏବଂ ୧୪ଟି ଲୋୟର ପ୍ରାଇମେରୀ ସ୍କୁଲରେ ସର୍ବମୋଟ ୧,୧୪୯ ଜଣ ଛାତ୍ରଛାତ୍ରୀ ଥଲେ । ସେହିପରି ଷଢ଼େଇକଳାରେ ୧୯୪୫ -୪୬ ବେଳକୁ ଗୋଟିଏ ହାଇସ୍କୁଲ ତିନୋଟି ମିଡ଼ିଲ ସ୍କୁଲ, ଛଅଟି ଅପର ପ୍ରାଇମେରୀ ଓ ୭୮ଟି ଲୋୟର ପ୍ରାଇମେରୀ ସ୍କୁଲରେ ସର୍ବମୋଟ ତିନିହଜାର ତିନିଶହ ଛାତ୍ରଛାତ୍ରୀ ଥିଲେ ।

 

ଏହି ସମୟରେ ଛାତ୍ରଛାତ୍ରୀମାନେ ପାଟନା କିମ୍ବା ଉତ୍କଳ ବିଶ୍ୱବିଦ୍ୟାଳୟରୁ ମାଟ୍ରିକୁଲେସନ ପରୀକ୍ଷା ଦେଉଥିଲେ । ଏକ ତଥ୍ୟ ଅନୁସାରେ ୧୯୩୮-୪୧ ମଧ୍ୟରେ ୨୪ ଜଣ ଛାତ୍ର ପାଟନା ବିଶ୍ୱବିଦ୍ୟାଳୟରୁ ପରୀକ୍ଷା ଦେଇଥିବାବଳେ ୧୯୪୧-୪୬ ମଧ୍ୟରେ ୫୩ ଜଣ ଛାତ୍ର ଉତ୍କଳ ବିଶ୍ୱବିଦ୍ୟାଳୟରୁ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିଲେ । (୧)

 

(୧)

C.K. Paty, History of Seraikella & Kharaswan States, p-148.

 

ଏହିସବୁ ତଥ୍ୟ ସୂଚାଇ ଦିଏ ଯେ, ସିଂହଭୂମ ଓ ବିଶେଷତଃ ଷଢ଼େଇକଳା-ଖରସୁଆଁରେ ଶିକ୍ଷାର ମାଧ୍ୟମ ରୂପେ ଓଡ଼ିଆ ଭାଷାକୁ କିପରି ଐତିହାସିକ ସଂଘର୍ଷ କରିବାକୁ ପଡ଼ିଥିଲା । ଓଡ଼ିଆ ମାଧ୍ୟମରେ ଶିକ୍ଷା ଓ ଓଡ଼ିଆ-ଶିକ୍ଷା ଅବଶ୍ୟ ଦୁଇଟି ଭିନ୍ନ ପ୍ରସଙ୍ଗ । ମାତ୍ର ଏକଥା ସତ୍ୟ ଯେ ଓଡ଼ିଆ-ଭାଷାର ଶିକ୍ଷାଦାନ, ଏହି ଜାତି ଓ ସଂସ୍କୃତିର ମୌଳିକ ଅଧିକାର । ଭାରତୀୟ ସମ୍ବିଧାନରେ ଏହି କଥାଟି ସମର୍ଥିତ ଯେ ୧୪ ବର୍ଷ ପର୍ଯ୍ୟନ୍ତ ଗୋଟିଏ ଶିଶୁକୁ ତା’ ନିଜର ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ କରିବା ଜରୁରୀ ।

 

ମାତ୍ର ଦୁର୍ଭାଗ୍ୟର କଥା ଏହି ଯେ, ସିଂହଭୂମର ଓଡ଼ିଆ ଭାଷା ପ୍ରତି ଅଣଓଡ଼ିଆ ସରକାର ଓ ପ୍ରଶାସକମାନଙ୍କର ବୈମାତୃକ ମନୋଭାବ ଏହି ଜାତି ଓ ସଂସ୍କୃତିର ମେରୁଦଣ୍ଡଟିକୁ ଭାଙ୍ଗିଦେବାରେ ଅନେକାଂଶରେ ସଫଳ ହୋଇଛି । ଷଢ଼େଇକଳା-ଖରସୁଆଁ ବିହାରରେ ମିଶିଯିବା ପରେ ସବା ଆଗ ଓଡ଼ିଆ ମାଧ୍ୟମ ଶିକ୍ଷା ଓ ବିଦ୍ୟାଳୟ ତଥା ଓଡ଼ିଆ ଭାଷୀ ଲୋକଙ୍କ ଉପରେ ଦମନ ଆରମ୍ଭ ହୋଇଗଲା । କିନ୍ତୁ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ହିନ୍ଦୀ ମାଧ୍ୟମକୁ ରୂପାନ୍ତରିତ ହୋଇଗଲେ ।

 

ଓଡ଼ିଆ ପ୍ରାଇମେରୀ ସ୍କୁଲରୁ ହିନ୍ଦୀ ସ୍କୁଲ୍‌କୁ ରୂପାନ୍ତରିତ ହୋଇଥିବା ସ୍କୁଲମାନେ ହେଲେ-କି.ତା ଏଲ.ପି. ସ୍କୁଲ, କୁଲଡ଼ିହି, ଜାରକେ, ଜାମୁଡ଼ିହି, କାନସରା, ସିନି, ବଙ୍କସାହି, କେଶର ଗଢ଼ିଆ ଓ ହୁଦୁ ଇତ୍ୟାଦି ।

 

ଖାଲି ସେତିକି ନୁହେଁ କରାଇକଳା, ଆଦିତ୍ୟପୁର ଓଡ଼ିଆ ମିଡ଼ିଲ ସ୍କୁଲଗୁଡ଼ିକ ମଧ୍ୟ ହିନ୍ଦୀ ସ୍କୁଲରେ ରୂପାନ୍ତରିତ ହୋଇଯାଇ ଏଥିରେ ଶିକ୍ଷକତା କରୁଥିବା ଓଡ଼ିଆ ଶିକ୍ଷକମାନଙ୍କୁ ବଳଦି କରାଯାଇ ତାଙ୍କ ଜାଗାରେ ହିନ୍ଦୀ ଭାଷାର ଶିକ୍ଷକମାନଙ୍କର ପଦସ୍ଥାପନା କରାଗଲା । ଖାଲି ସେତିକି ନୁହେଁ ଓଡ଼ିଆ ମାଧ୍ୟମ ସ୍କୁଲଗୁଡ଼ିକର ସରକାରୀ ଗ୍ରାଣ୍ଟ ମଧ୍ୟ ବନ୍ଦ କରି ଦିଆଗଲା । ଓଡ଼ିଆ ବଦଳରେ ହିନ୍ଦୀ ମାଧ୍ୟମରେ ଶିକ୍ଷାଦାନ ପାଇଁ ସମ୍ମତି ପ୍ରଦାନ କଲେ ସେହି ସ୍କୁଲ୍‌ଗୁଡ଼ିକୁ ସରକାରୀ ଅନୁଦାନ ଦେବାର ସର୍ତ୍ତ ରଖାଯାଇଥିଲା । (୧)

 

(୧)

A Colessal Hoax, by Rajanikanta Satpathy, P-7.

 

ଓଡ଼ିଆ ଶିକ୍ଷକମାନେ ଅଧିକ ଯୋଗ୍ୟ ଓ ତାଲିମପ୍ରାପ୍ତ ଥିବା ସତ୍ତ୍ୱେ ବିହାରୀ ଶିକ୍ଷକଙ୍କ ତୁଳନାରେ ସେମାନଙ୍କୁ କମ୍‌ ଦରମା ଦିଆଯାଉଥିଲା । ଷଢ଼େଇକଳାରେ ଥିବା ନୃପରାଜ ହାଇ ସ୍କୁଲ (ବିହାର ସରକାର ବଜେଟ (୧୯୪୭-୪୮)ରେ ସେ ସମୟରେ ସମୁଦାୟ ୩୫୭ ଜଣ ଛାତ୍ରଙ୍କ ମଧ୍ୟରୁ ୩୩୫ ଜଣ ଓଡ଼ିଆ ଛାତ୍ର ଥିଲେ । ସମୁଦାୟ ଶିକ୍ଷକଙ୍କ ସଂଖ୍ୟା ୧୧ (ଓଡ଼ିଆ) ଥିବାବେଳେ ବିହାର ସରକାରଙ୍କ ଦ୍ୱାରା ୮ଜଣଙ୍କ ବଦଳି କରାଯାଇ ହିନ୍ଦୀ ଓ ବଙ୍ଗଳା ଭାଷୀ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା । (୨)

 

(୨)

- do -, P-13.

 

ସେତିକିରେ ବିହାର ସରକାର ସନ୍ତୁଷ୍ଟ ହୋଇନଥିଲେ । ଓଡ଼ିଆ ମେଧାବୀ ଛାତ୍ରମାନଙ୍କୁ ବୃତ୍ତି ବନ୍ଦ କରିଦେବା, ବହି, ଖାତା କଲମ ଇତ୍ୟାଦି ନ ଦେବା ପର୍ଯ୍ୟନ୍ତ ଯାବତୀୟ ଷଡ଼ଯନ୍ତ୍ର ଆରମ୍ଭ କରିଦେଲେ । ସିଂହଭୂମରୁ ସଂପୂର୍ଣ୍ଣ ଭାବେ ଓଡ଼ିଆ ଶିକ୍ଷାର ଉଚ୍ଛେଦ କରିବା ପାଇଁ ଏହି ସମୟରୁ ବିଧିବଦ୍ଧ ଭାବେ ମୂଳଦୁଆ ପଡ଼ିଗଲା । ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଓଡ଼ିଆ ଶିକ୍ଷା ଓ ଓଡ଼ିଆ ଭାଷା-ସାହିତ୍ୟର ଅଧ୍ୟୟନକୁ ନାନାଭାବେ ଅବଦମିତ କରାଗଲା । ଫଳରେ ଅଧିକାଂଶ ଓଡ଼ିଆ ଛାତ୍ର-ଛାତ୍ରୀ ଓଡ଼ିଆ ବଦଳରେ ହିନ୍ଦୀ ବା ବଙ୍ଗଳାକୁ ନିଜର ମାତୃଭାଷା ଭାବେ ସ୍ଵୀକାର କରିନେଲେ ଏବଂ ସେହି କାରଣରୁ ଓଡ଼ିଆ ଜନଗଣନା ବେଳେ ମାତୃଭାଷାକୁ ଏକ ଭିତ୍ତି କରି ଓଡ଼ିଆ ଜନସଂଖ୍ୟାର ହ୍ରାସ ହେବାକୁ ଲାଗିଲା ।

 

୧୯୧୬ ମସିହାରେ ଉତ୍କଳମଣି ଗୋପବନ୍ଧୁ ଚକ୍ରଧରପୁର ପୁରୁଣାବସ୍ତିଠାରେ ଗୋଟିଏ ଓଡ଼ିଆ ସ୍କୁଲ ପ୍ରତିଷ୍ଠା କରିଥିଲେ । ତାହା ଆଜି ସ୍ମାରକୀ ହୋଇ ରହିଛି ସତ୍ୟ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଓ ଗୋଦାବରୀଶ ବାବୁଙ୍କ ଦ୍ଵାରା ପରିଚାଳିତ ୩୬୦ଟି ଓଡ଼ିଆ ବିଦ୍ୟାଳୟର ସଂଖ୍ୟା ଆଜି ୧୩୪ରେ ପହଞ୍ଚିସାରିଛି ।

 

୧୯୭୧ ମସିହାରେ ଓଡ଼ିଶାର ‘ନୀଳଚକ୍ର’ ସଂସ୍ଥା ଷଢ଼େଇକଳାରେ ଏକ ଓଡ଼ିଆ ହାଇସ୍କୁଲ ପ୍ରତିଷ୍ଠା କରିଥିଲେ । ସ୍ଥାନୀୟ ଅଭିଭାବକମାନେ ବହୁ ଆଶା ଓ ସ୍ୱପ୍ନ ନେଇ ନିଜ ପିଲାମାନଙ୍କୁ ଏହି ସ୍କୁଲରେ ଭର୍ତ୍ତି କରିବା ପାଇଁ ଅନ୍ୟ ସ୍କୁଲ୍‌ମାନଙ୍କରୁ ଉଠାଇ ଆଣିଥିଲେ । ମାତ୍ର ଦୁର୍ଭାଗ୍ୟର କଥା ଯେ, ମାତ୍ର ଚାରିବର୍ଷ ଏହି ସ୍କୁଲ ଚାଲିବା ପରେ ନାନା ସାଂଗଠନିକ ଓ ରାଜନୀତିକ କାରଣରୁ ଏହା ବନ୍ଦ ହୋଇଗଲା । ସେହି ସ୍କୁଲର ପିଲାମାନେ ଆଉ କେଉଁଠି ପଢ଼ିବାର ସୁଯୋଗ ପାଇଲେ ନାହିଁ । ଖାସକରି ଓଡ଼ିଶା ସରକାରଙ୍କ ତରଫରୁ ଏପରି ଏକ ବିଦ୍ୟାଳୟ ଖୋଲି ଚଳାଇବାରେ କୌଣସି ସ୍ୱତନ୍ତ୍ର ଯୋଜନା ବା ଆଗ୍ରହ ରହିଲା ନାହିଁ ।

 

ସ୍କୁଲ, କଲେଜରେ ନାମକୁ ମାତ୍ର ଓଡ଼ିଆ ଏକ ଭାଷା ଓ ମାତୃଭାଷା ହୋଇ ରହିଲା । ଏହା ମୁଖ୍ୟତଃ ଇଚ୍ଛାଧୀନ ଭାଷା ହୋଇ ରହିଲା । ପୁରୁଣା ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକ ପ୍ରଚଳିତ ହେଉଥିବାରୁ ସ୍ଥାନୀୟ ଛାତ୍ର-ଛାତ୍ରୀମାନେ ଉପଯୁକ୍ତ ଶିକ୍ଷା ପ୍ରାପ୍ତିରୁ ବଂଚିତ ହେଲେ । ସ୍କୁଲ, କଲେଜମାନଙ୍କରେ ଶିକ୍ଷକଙ୍କ ସଂଖ୍ୟା କମିଗଲା । ଛାତ୍ର-ଛାତ୍ରୀଙ୍କ ସଂଖ୍ୟା ମଧ୍ୟ କମିଗଲା । ପାଠ୍ୟପୁସ୍ତକ ବଜାରେ ମିଳିଲା ନାହିଁ । ଓଡ଼ିଶା ସରକାର ବା ବିହାର (ଝାରଖଣ୍ଡ) ସରକାର ଏଥିପ୍ରତି ଧ୍ୟାନ ଦେଲେ ନାହିଁ । ନିର୍ଦ୍ଧାରିତ ସମୟରେ ପରୀକ୍ଷାର ଫଳ ପ୍ରକାଶିତ ହେଲା ନାହିଁ । ଓଡ଼ିଆ ଉତ୍ତର ପୁସ୍ତିକା ଅଣଓଡ଼ିଆ ଶିକ୍ଷକମାନଙ୍କ ଦ୍ଵାରା ଦେଖାଗଲା । ଫଳତଃ ଓଡ଼ିଆ ଛାତ୍ର-ଛାତ୍ରୀମାନେ ଉଚ୍ଚଶିକ୍ଷା, ନିଯୁକ୍ତିର ସୁଯୋଗରୁ ବଂଚିତ ହେଲେ ।

 

ଏପରିକି ନବଗଠିତ ଝାରଖଣ୍ଡ ରାଜ୍ୟରେ ମଧ୍ୟ ମ୍ୟାଟ୍ରିକ ସିଲାବସ୍‌ରୁ ଓଡ଼ିଆ ଭାଷା ଉଠାଇନେବାର ଷଡ଼ଯନ୍ତ୍ର ହୋଇଥିଲା । ରାଜ୍ୟ ଉଚ୍ଚନ୍ୟାୟାଳୟ (High Court) ରେ ଏ ମାମଲା ଚାଲିଥିବାବେଳେ ସ୍ଥାନୀୟ ସମ୍ବାଦପତ୍ରମାନଙ୍କରେ ଓଡ଼ିଆ ଭାଷାଭାଷୀମାନେ ଏହାର ବିରୋଧ ଜଣାଇ ଆନ୍ଦୋଳନ କରିଥିଲେ । (୧)

 

(୧)

Hindustan Times, Jamshedpur, 3.10.2001, ହିନ୍ଦୁସ୍ତାନ (ହିନ୍ଦୀ), ୨୯.୯.୨୦୦୧ ।

 

ବିଦ୍ୟାଳୟ ସ୍ତରରେ ଓଡ଼ିଆ ଛାତ୍ର-ଛାତ୍ରୀଙ୍କ ସଂଖ୍ୟା କମିଯିବା ଫଳରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଓଡ଼ିଆ ଭାଷା-ଶିକ୍ଷାର ଅଧୋଗତି ଆରମ୍ଭ ହୋଇସାରିଛି । ଝାରଖଣ୍ଡରେ ତିନୋଟି ବିଶ୍ଵବିଦ୍ୟାଳୟ ମଧ୍ୟରେ ପ୍ରାୟ ୧୫ରୁ ଅଧିକ ମହାବିଦ୍ୟାଳୟରେ ଓଡ଼ିଆ ସ୍ନାତକ (Honours) ଶ୍ରେଣୀ ଓ ଦୁଇଟି ମହାବିଦ୍ୟାଳୟରେ ଓଡ଼ିଆ ସ୍ନାତକୋତ୍ତର (Post Graduation) ଶ୍ରେଣୀର ଶିକ୍ଷାଦାନ ବ୍ୟବସ୍ଥା ଅଛି । ମାତ୍ର ଅନ୍ୟ ଭାଷାଭାଷୀଙ୍କ ତୁଳନାରେ ଓଡ଼ିଆ ଭାଷାଶିକ୍ଷା ପ୍ରତି ଚରମ ଅବହେଳା ପ୍ରଦର୍ଶନ କରାଯିବାର ଏକ ପ୍ରମୁଖ ଉଦାହରଣ ହେଲା ରାଞ୍ଚି ବିଶ୍ୱବିଦ୍ୟାଳୟରେ ସ୍ଵତନ୍ତ୍ର P.G. ଡିପାର୍ଟମେଣ୍ଟ ନାହିଁ । ଏଣୁ ପ୍ରଶ୍ନପତ୍ର ପ୍ରସ୍ତୁତି, ଗବେଷଣା, ପାଠ୍ୟପୁସ୍ତକ ନିର୍ବାଚନ ବା ପ୍ରସ୍ତୁତି, ପାଠ୍ୟକ୍ରମ (Syllabus) ମୂଲ୍ୟାୟନ ଓ ପରୀକ୍ଷା ମୂଲ୍ୟାୟନ ଇତ୍ୟାଦି କ୍ଷେତ୍ରରେ ନାନାବିଧ ସମସ୍ୟା ଦେଖା ଦେଇଥାଏ ।

 

ଛାତ୍ରଙ୍କ ପରୀକ୍ଷା ଫଳ (Result) ପ୍ରକାଶନ ଓ ଶିକ୍ଷକମାନଙ୍କ ପଦୋନ୍ନତି (Promotion) ଇତ୍ୟାଦି କ୍ଷେତ୍ରରେ ଅନିୟମିତତା ଓ ଅସଂଗତି ଓଡ଼ିଆ ଶିକ୍ଷାର ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଉଛି । ଆଜି ବି ବହୁ ଓଡ଼ିଆ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆବଶ୍ୟକ ହେଉଥିବା ଓଡ଼ିଆ ଶିକ୍ଷକଙ୍କ ସଂଖ୍ୟା ଯଥେଷ୍ଟ କମ୍‌ ବା କେତେକ କ୍ଷେତ୍ରରେ ଶୂନ୍ୟ ।

 

ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତି ଓ ଅଣଓଡ଼ିଆ ପ୍ରଶାସନ, ଅଫିସର ବା କର୍ମଚାରୀମାନଙ୍କ ଅସୂୟା ମନୋଭାବ ଓଡ଼ିଆ ଶିକ୍ଷାର ଧ୍ୱଂସସାଧନ ଦିଗରେ ଯେଉଁପରି ସଫଳକାମୀ ହୋଇଛି, ଏହାଦ୍ୱାରା ଏହାର ଭବିଷ୍ୟତ ମଧ୍ୟ ସ୍ପଷ୍ଟ ହୋଇ ଉଠିଛି ।

 

ଏକଦା ୧୯୧୨ ମସିହାରେ ବିହାର-ଓଡ଼ିଶା ପ୍ରଦେଶ ଗଠିତ ହେବାପରେ ସିଂହଭୂମରେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ବିଲୋପ କରିବା ପାଇଁ ଯେଉଁ ବିଧିବଦ୍ଧ ଷଡ଼ଯନ୍ତ୍ର ଓ ଚକ୍ରାନ୍ତର ସୂତ୍ରପାତ ହୋଇଥିଲା ତାହା ଆଜିବି ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ସଂକ୍ରମଣଶୀଳ । ୧୯୧୯ ମସିହା ସୁଦ୍ଧା ସମଗ୍ର ସିଂହଭୂମ ଅଞ୍ଚଳରେ ପ୍ରତିଷ୍ଠିତ ହୋଇଥଲା ପ୍ରାୟ ୧୩୯ଟି ଓଡ଼ିଆ ସ୍କୁଲ । ଆଜିର ତାରିଖରେ ଏମାନଙ୍କର ଅସ୍ତିତ୍ୱ ପ୍ରଶ୍ନବାଚୀରେ ଝୁଲୁଚି । ପଣ୍ଡିତ ଗୋପବନ୍ଧୁ, ଗୋଦାବରୀଶ, କୃପାସିନ୍ଧୁ ମିଶ୍ର, କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ, ଅନନ୍ତ ମିଶ୍ର, ଗତିକୃଷ୍ଣ ମିଶ୍ର ଆଦିଙ୍କ ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ଅଭିଯାନ ଆଜି କେବଳ ଇତିହାସର ମାମୁଲି ତଥ୍ୟ ହୋଇଯାଇଛି ।

 

ଝାରଖଣ୍ଡରେ ବର୍ତ୍ତମାନର ଓଡ଼ିଆ ଶିକ୍ଷା ମୁମୂର୍ଷୁ ଅବସ୍ଥାରେ ଅଛି । ଶ୍ରେଣୀରେ ଛାତ୍ର-ଛାତ୍ରୀଙ୍କ ସଂଖ୍ୟା କମି ଚାଲିଛି । ଅଭିଭାବକ ଓ ଛାତ୍ରଙ୍କ ମଧ୍ୟରେ ଓଡ଼ିଆ ଶିକ୍ଷା ପାଇଁ କୌଣସି ସ୍ପୃହା ନାହିଁ । ଓଡ଼ିଆ ଛାତ୍ର-ଛାତ୍ରୀଙ୍କୁ ଓଡ଼ିଶାରେ ବା ଝାରଖଣ୍ଡରେ ଯେଉଁ ବିଶେଷ ସୁଯୋଗ ମିଳିବାର ଥିଲା (ଶିକ୍ଷା, ନିଯୁକ୍ତି କ୍ଷେତ୍ରରେ) ତାହା ସଂକୁଚିତ ଓ କେତେକ ସ୍ଥାନରେ ବିଲୁପ୍ତ ପ୍ରାୟ ।

 

ସେଇ ପୁରୁଣା ଢାଞ୍ଚାର ପାଠ୍ୟକ୍ରମ ଓ ଅଯଥା ଭାରାକ୍ରାନ୍ତ ଅନୁପଯୋଗୀ ପାଠ୍ୟପୁସ୍ତକର ବୋଝ ମଧ୍ୟ ଛାତ୍ର-ଛାତ୍ରୀଙ୍କ ପାଇଁ କୌଣସି ଦୃଷ୍ଟିରୁ ଅନୁକୂଳ ନୁହେଁ । ବ୍ୟାବହାରିକ ଭାଷା ଶିକ୍ଷାର କୌଣସି ପ୍ରୟୋଗ ହେଉନଥିବାରୁ ଏଠାରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ର-ଛାତ୍ରୀମାନେ ଉଚ୍ଚଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ପଛୁଆ ହୋଇ ରହିଯିବେ ।

 

ଉଚ୍ଚମାଧ୍ୟମିକ ଶିକ୍ଷା (Higher Secondary Education) କ୍ଷେତ୍ରରେ ମଧ ‘ଓଡ଼ିଆ’ ବିଷୟକୁ ବାଧ୍ୟତାମୂଳକ ନ କରି ଐଚ୍ଛିକ ଭାବେ ରଖାଯାଇଛି । ଏହି ଐଚ୍ଛିକ ଓଡ଼ିଆ ବିଷୟର ବିକଳ୍ପ ଭାବେ ଇଂରାଜୀ ଓ ଅନ୍ୟାନ୍ୟ ଭାଷା ରଖାଯାଇଥିବାରୁ ଓଡ଼ିଆ ପିଲାମାନେ ‘ଓଡ଼ିଆ’ ନପଢ଼ି ଅନ୍ୟଭାଷା ପଢ଼ିବାକୁ ଆଗ୍ରହ ଦେଖାଉଛନ୍ତି ।
 

ଏହି ଧାରାରେ ଯଦି ଓଡ଼ିଆ ଶିକ୍ଷାର ଗତି ଅବ୍ୟାହତ ରହେ ତେବେ ବିଚ୍ଛିନ୍ନାଞ୍ଚଳର ଓଡ଼ିଆ ଅସ୍ତିତ୍ୱଟି ହୁଏତ ଆସନ୍ତାକାଲି ପାଇଁ ଏକ ଦୁଃସ୍ୱପ୍ନ ହୋଇ ରହିଯିବ । ଓଡ଼ିଶା ସରକାର, ଉତ୍କଳ ସମ୍ମିଳନୀ ପରି ବେସରକାରୀ ସଂଗଠନ ଓ ନେତୃବୃନ୍ଦ, ଝାରଖଣ୍ଡ ସରକାର ଓ ଓଡ଼ିଆ ଜନସାଧାରଣ ଏ ବିଷୟରେ ଚିନ୍ତା କରିବା ଉଚିତ ।

 

ବର୍ତ୍ତମାନ ପରିପ୍ରେକ୍ଷୀରେ ଭବିଷ୍ୟତକୁ ତଉଲିବାକୁ ପଡ଼ିବ । ଓଡ଼ିଆ ଭାଷାର ଇତିହାସକୁ ଅନାଇ ବର୍ତ୍ତମାନର ଅବସ୍ଥାକୁ ମାପିନେବାକୁ ହେବ । ବର୍ତ୍ତମାନର ଭୂଇଁରେ ଠିଆ ହୋଇଥିବା ଭବିଷ୍ୟତର ମହାଦ୍ରୁମ ଅତୀତ ଓ ବର୍ତ୍ତମାନକୁ ନେଇ ବଢ଼ିବ ବା ମରିଯିବ । ଏହାର ନିଷ୍ପତ୍ତି ଆମ ସମସ୍ତଙ୍କ ହାତରେ । ଏହି ପରିପ୍ରେକ୍ଷୀରେ ଡ. କୃଷ୍ଣ ଚରଣ ସାହୁଙ୍କ ମନ୍ତବ୍ୟଟିକୁ ଉଦ୍ଧାର କରାଯାଇପାରେ । ସେ ତାଙ୍କ ପ୍ରବନ୍ଧ The language spoken in Singhbhumରେ କହିଛନ୍ତି- “The growing popularity of Hindi language will help the process of the gradual dying out of the native languages of Singhbhum, and thus creating an interesting history of language in future.’’ (୧)

 

(୧)

K.C. Sahoo, Literature and Social life in Mediaval Orissa, P-103.

 

 

କେ.ଏସ୍‌, କଲେଜ

ଷଢ଼େଇକଳା-୮୩୩୨୧୯

ଝାରଖଣ୍ଡ

 

***

 

ନିବିଡ଼ ଅନ୍ଧକାର ଗହ୍ୱରରେ

ପ୍ରଦୀପର କୋମଳ ଆଭା : ଅମାବାସ୍ୟାର ଚନ୍ଦ୍ର

ବାଳକୃଷ୍ଣ ବେହେରା

 

ଓଡ଼ିଆ ଉପନ୍ୟାସ ସାହିତ୍ୟରେ ଔପନ୍ୟାସିକ ଗୋବିନ୍ଦ ଦାସଙ୍କ ଚରିତ୍ର ସଂପୂର୍ଣ୍ଣ ଅଲଗା । ତାଙ୍କ ଚରିତ୍ରସମୂହ ପାପପଙ୍କରେ ଲଟପଟ ହେଉଥିବା ମଣିଷ, ଅଥଚ ଅନ୍ତରର କୋମଳ ସମ୍ବେଦନା ସହ ମାନବିକତାରେ ଭରପୁର । ସମାଜ ଯେଉଁ ପୁରୁଣା ମୂଲ୍ୟବୋଧକୁ ଜାବୁଡ଼ି ଧରି ପାପ-ପୁଣ୍ୟର ଭାଗମାପ କରିଛି, ସେ ଭିତରେ ଗୋବିନ୍ଦ ଦାସଙ୍କ ଅନେକ ଚରିତ୍ର ପାପର ପକ୍ଷ ନେଇ ମହିମାନ୍ୱିତ । ଗୋବିନ୍ଦ ଦାସଙ୍କ ବିଜିଗୁପ୍ତ, ଚିତ୍ରଲେଖା, ମିସ୍‌ ନୀରା, ବାଈଜୀ, ମିସ୍‌ ଲୀନା ଆଉ ପାପର ପରମ ନାୟକ କାଉଲ ପ୍ରଭୃତି ସେଇ ମହତ୍ତର ମଣିଷ ପଣିଆରେ ଉଜ୍ଜଳ । ତାଙ୍କ ଭିତରେ ରହିଛି ଅନ୍ଧକାରପକ୍ଷ, ତଥାପି ସେମାନେ ମହାନ୍ ।

 

ଜୀବନଭୋଗୀ ବିଜିଗୁପ୍ତ । ନର୍ତ୍ତକୀର ନୃତ୍ୟଛନ୍ଦରେ ଅନୁଭବ କରନ୍ତି ଶିହରଣ । ପ୍ରେମ କରି ବସନ୍ତି ନର୍ତ୍ତକୀ ଚିତ୍ରଲେଖାକୁ । ହୃଦୟ ତାଙ୍କ ପୂର୍ଣ୍ଣ ହୋଇଉଠେ ଚିତ୍ରଲେଖାଙ୍କୁ ପାଇ । କିନ୍ତୁ ଦିନେ ଚିତ୍ରଲେଖା ଚାଲିଯାଆନ୍ତି ଯୋଗୀଶ୍ରେଷ୍ଠ ସୌମ୍ୟଦର୍ଶନ କୁମାରଗିରିଙ୍କ ପାଖକୁ । ଯଶୋଧାରାଙ୍କୁ ବିବାହ କରିବାର ପ୍ରସ୍ତାବ ଏଡ଼ିପାରନ୍ତି ନାହିଁ ବିଜିଗୁପ୍ତ । ଏପଟେ ଚିତ୍ରଲେଖାଙ୍କ ବିଚ୍ଛେଦ ଯୋଗୁଁ ତାଙ୍କୁ ସବୁକିଛି ମନେହୁଏ ଅନ୍ଧକାର । ତେଣୁ ସେ ତ୍ୟାଗ କରନ୍ତି ସକଳ ରାଜ୍ୟଭୋଗ । ଶ୍ଵେତାଂକଙ୍କୁ ଦାନ କରନ୍ତି ସବୁକିଛି । ତା’ରି ଫଳରେ ଶ୍ଵେତାଙ୍କ ପାଆନ୍ତି ଯଶୋଧାରାଙ୍କ ସହ ସମସ୍ତ ରାଜ୍ୟ । ପୁଣି ଗୋଟିଏ ଦୁଃସମୟ ପରେ ଫେରିଆସନ୍ତି ଚିତ୍ରଲେଖା ତାଙ୍କର ପ୍ରିୟମଣିଷ ବିଜିଗୁପ୍ତ ପାଖକୁ । ବିଜିଗୁପ୍ତ ପୂର୍ବ ପ୍ରତାରଣାକୁ ଆଦୌ ମନରେ ନ ଧରି ଗ୍ରହଣ କରନ୍ତି ତାଙ୍କୁ । ପ୍ରକୃତରେ ବିଜିଗୁପ୍ତ ଭୋଗୀ, ପ୍ରେମୀ ଆଉ ତ୍ୟାଗୀ । ସବୁରି ଭିତରେ ଫୁଟି ଉଠିଛି ତାଙ୍କର ମହାନ୍‌ ମାନବିକତା । ତଥାକଥିତ ମୂଲ୍ୟବୋଧ ଅନୁସାରେ ସେ ପାପୀ; କିନ୍ତୁ ତାଙ୍କର ମାନବିକତା ହିଁ ତାଙ୍କର ଶ୍ରେଷ୍ଠ ପରିଚୟ ।

 

ଚିତ୍ରଲେଖା ନୃତ୍ୟାଙ୍ଗନା । କିନ୍ତୁ ବିଦ୍ୟା ବୁଦ୍ଧି ସୌନ୍ଦର୍ଯ୍ୟ ଓ ମାନବିକତାର ପୂଜାରିଣୀ ସିଏ-। ପୁଣି ସେ ନିଜର ପ୍ରେମିକର ଅସଲ ପରିଚୟ ପାଇ ପାରନ୍ତି ଆଉ କୁମାରଗିରି ପରି ନିରର୍ଥକ ସାଧକର ଦେହଭୋଗକୁ ସେ ବୁଝିପାରନ୍ତି । ତେଣୁ ସେ ମଧ୍ୟ ବର୍ଜନ କରିପାରନ୍ତି ନିଜର ସମସ୍ତ ବାହ୍ୟ ସମ୍ପଦ । ବିଜିଗୁପ୍ତଙ୍କ ମାନବିକତା ଆଉ ପ୍ରେମକୁ ସେ ସମ୍ମାନ କରନ୍ତି ।

 

ଦେହଜୀବୀ ମିସ୍‌ ନୀରା । ନାରୀର ସକଳ ସ୍ଵପ୍ନ ସମ୍ଭାବନାକୁ କରନ୍ତି ସେ ବିସର୍ଜନ । ତାଙ୍କରି ଭିତରେ କାର୍ଯ୍ୟ କରେ ତ୍ୟାଗର ମନୋଭାବ । ବାପା ମା’ଙ୍କ ପ୍ରାୟ ମାସକର ଭୋକିଲା ମୁହଁ ତାଙ୍କ ସାମ୍ନାରେ ଭାସି ଉଠେ । ଗୃହ ଫେରନ୍ତା ନିର୍ମଳାକୁ ଅନାଇ ରହେ ମାଆଙ୍କର ଔଷଧ, ପଥି ଆବଶ୍ୟକ କରୁଥିବା ରୋଗିଣା ମୁହଁ । ସତପଥରେ କର୍ମବିନିଯୋଗରେ ଯେଉଁ ଅର୍ଥାଗମ ହେଲା ତାହା ଅତି ସାମାନ୍ୟ । ପୁଣି କର୍ମକ୍ଷେତ୍ରରେ ସାମ୍ନା କଲେ ଅନେକ ମାଂସଲୋଲୁପ ଆଖି‌ର । ମା ବାପାଙ୍କ ଆଦରର ନିର୍ମଳା ମିସ୍‌ ନୀରା ହୁଅନ୍ତି । ଧନାଢ଼୍ୟ ବ୍ୟକ୍ତିଙ୍କୁ ଦେହ ବିକନ୍ତି । ମା’ ମୁହଁରେ ଔଷଧ ତ ଦେଇପାରନ୍ତି । ବାପା ମା’ଙ୍କୁ ଖାଇବା ମୁଠାକ ବି ଠିକ୍‌ ଭାବରେ ଯୋଗାଇ ପାରନ୍ତି । ଅମଣିଷମାନଙ୍କୁ ପୋଷା ମନାନ୍ତି ଆଉ ତାଙ୍କରି ଟଙ୍କାରେ ପ୍ରାସାଦ ନିର୍ମାଣ କରନ୍ତି । ପ୍ରାସାଦ ନିର୍ମାଣ କରି ଯେମିତି ନିଜ ଅତୀତ ଦିନର ମନସ୍କାମନା ପୂର୍ଣ୍ଣ କରନ୍ତି, ପ୍ରତିଶୋଧ ନିଅନ୍ତି । ମିସ୍‌ ନୀରା କେବେ ମନେକରନ୍ତି ନାହିଁ ଯେ ଦେହ ବ୍ୟବସାୟ ପାପ ବୋଲି । ସେ ଦୁଃଖ ପାଆନ୍ତି । ତେବେ ସେଇ ଦୁଃଖରେ ଯେ ସ୍ୱାଦ ଅଛି ତାହା ସେ ମର୍ମେ ମର୍ମେ ଉପଲବ୍‌ଧି କରନ୍ତି । ‘‘ଓଟ ଯେମିତି କଣ୍ଟା ଖାଏ; ତା’ ଓଠରୁ ଜିଭରୁ ରକ୍ତ ବାହାରେ, ତଥାପି ତାକୁ ସେ ଉପଭୋଗ କରେ । ଆହୁରି ବେଶି ବେଶି ଖାଏ ।’’୧

 

(୧)

ଗୋବିନ୍ଦ ଦାସ, ଅମାବାସ୍ୟାର ଚନ୍ଦ୍ର, ୨୦୦୭, ପୃ-୩୧ ।

 

ପରବର୍ତ୍ତି ସମୟରେ କାଉଲଙ୍କ ସହ ତାଙ୍କର ସାକ୍ଷାତ ହୁଏ । କାଉଲଙ୍କ ବଦାନ୍ୟତାରେ ଫେରିପାଆନ୍ତି ବିଗତ ଲୁପ୍ତ ଜୀବନର ଗୌରବ । ବାପା ମା’ଙ୍କ ମୁହଁରେ ଭୋକର ଦାଗ ସିନା ନ ଥିଲା କିନ୍ତୁ ଗଣିକାର ମା’ ବାପା ଭାବରେ ପୂରି ରହିଥିଲା ଅନ୍ତର୍ଦାହୀ ବେଦନା; ତା’ ମଧ୍ୟ କାଉଲଙ୍କ ଦାନରେ ଦୂର ହୁଏ । ମିସ୍‌ ନୀରା ବେଶି ଧନ ପାଆନ୍ତି । କିନ୍ତୁ ତ୍ୟାଗ ପଥରୁ ଆଉ ଓହରି ଯାଆନ୍ତି ନାହଁ । ନିଜକୁ ଲଗାଇ ଦିଅନ୍ତି ସେବାରେ, ଗଢ଼ିବାରେ । ପତିତା ଗଣିକାଙ୍କ ପିଲାଙ୍କୁ ପଢ଼ାଇବା ପାଇଁ ସ୍କୁଲ୍‌ ଖୋଲନ୍ତି, ନିଜେ ଶିକ୍ଷାଦାନ କରନ୍ତି ।

 

ବମ୍ବେର ଫୁଟ୍‌ପାଥରେ ଜୀବନ ବଞ୍ଚାନ୍ତି ସଲିମ । କିନ୍ତୁ ଜଣେ ଅସହାୟ ପିଲାଟି ପ୍ରତି ତାଙ୍କର ସମବେଦନା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ପିଲାଟିର ସହଜ ସ୍ଵୀକାରୋକ୍ତି ତାଙ୍କୁ ପିଲାଟି ପ୍ରତି ଆକର୍ଷିତ କରିଛି । ପିଲାଟି ସେଦିନ ଚୋରୀ କରି ମାଲିକଙ୍କଠାରୁ ତଡ଼ା ଖାଇଥିଲା । ଚୋରୀ କରିଥିବା କଥାଟାକୁ ସେ ପ୍ରକୃତରେ କେଡ଼େ ସରଳ ଆଉ ନିରୀହ ଭାଷାରେ ସ୍ଵୀକାର କରିଥିଲା । ପିଲାଟି ପାଠପଢ଼ିବ-ଏଥିପାଇଁ ସଲିମ ମିଥ୍ୟାର ଆଶ୍ରୟ ନେଇଛନ୍ତି; କିନ୍ତୁ ଏହି ମିଛ ଭିତରେ ଜଣେ ନିରୀହ ପିଲାଟିର ଉନ୍ନତ ଚିନ୍ତା ସ୍ପଷ୍ଟ ଭାବରେ କାର୍ଯ୍ୟକରୁଛି । ସଲିମ ଫୁଟ୍‌ପାଥରେ ଜୀବନ ବଞ୍ଚାନ୍ତି, ସହରର ଅପାଂକ୍ତେୟ ଗଳି ଭିତରେ ଅନ୍ଧକାର ଘରଟିରେ ବାସ କରନ୍ତି, ବେଶ୍ୟା ପାଖକୁ ଯାଆନ୍ତି, ମିଛ କହନ୍ତି ତଥାପି ତାଙ୍କର ମାନବିକତା ପାଖରେ ତାଙ୍କର ଏହିସବୁ ଅନ୍ଧକାର ପକ୍ଷ ଖୁବ୍‌ ମଳିନ ପଡ଼ିଯାଏ ।

 

ମାୟା ଦେହଜୀବୀ । ତାଙ୍କର ଜୀବନ ଗରାଖ ଗହଣରେ । ସମସ୍ତଙ୍କ ସହ ଭାବହୀନ ସଂପର୍କ । ଏସବୁ ସତ୍ତ୍ୱେ ମାୟାଙ୍କ ଭିତରେ ମାତୃତ୍ୱର କି ପ୍ରଚଣ୍ଡ ତେଜ ! ନିଃସହାୟ କାଉଲ ଜର ପୀଡ଼ିତ । ତେଣୁ ସେ ଡକାଇଲେ ଡାକ୍ତର । କାଉଲଙ୍କ ଯତ୍ନନେଲେ ଖୁବ୍‌ ଆନ୍ତରିକତାର ସହ । ପାଖରେ ବସି ଗପ ଶୁଣାଇଲେ । ଗପ କହି ବୁଝାଇଲେ ଆଉ ଆଉଁସିଲେ ଅତି ଯତ୍ନରେ । ଜଣେ ମା’ର ଅକୁଣ୍ଠିତ ତଥା ନିଃସଙ୍କୋଚ ସ୍ନେହ ଫୁଟି ଉଠେ ମାୟାଙ୍କ ପାଖରେ । ସେଇ ଫଳ, ପଥି ଓ ଔଷଧ ସହ ଯେମିତି ମାୟା ଖୁଆଇ ଦେଉଥିଲେ ବାତ୍ସଲ୍ୟର ମଧୁ । ସେଇ ଉପର ପ୍ରତିଟି ଶବ୍ଦ ଭିତରେ, ସେଇ ସ୍ପର୍ଶର ପ୍ରତିଟି ମର୍ମରେ ଯେମିତି ସେ ଢାଳି ଦେଉଥିଲେ ମାତୃତ୍ଵର ଦିବ୍ୟ ଆଶୀର୍ବାଦ । ପିଲାଟିକୁ ସୁସ୍ଥ କଲେ ମାତୃତ୍ୱର ସକଳ ସଂକଳ୍ପ ନେଇ । ତେଣୁ ଦେହଜୀବୀ ମାୟା ମନେହୁଅନ୍ତି ଭାବମୟତାର ପରିପୂର୍ଣ୍ଣ ପ୍ରକାଶ ।

 

ବାଈଜୀ ନୃତ୍ୟଜୀବୀ, ସଙ୍ଗୀତଜୀବୀ । ବାଲ୍ୟବିଧବା ହୋଇ ଜୀବନର ସକଳ ସମ୍ଭାବନାଠୁ ଦୂରେଇ ଯାଇଥିଲେ । ଦୂରେଇଗଲେ ସମାଜଠୁ ଜାତିଠୁ । ହେଲେ ବାଈଜୀ । କିନ୍ତୁ ବାଈଜୀଙ୍କ ଭିତରେ ପୂରି ରହିଛି ତ୍ୟାଗ ଓ ମାତୃତ୍ୱର ବିପୁଳ ସମ୍ଭାର । ଅପ୍ରତ୍ୟାଶିତ ଭାବରେ ତାଙ୍କର ଦେଖାହୁଏ ଜଣେ ସୌମ୍ୟ ସମ୍ଭ୍ରାନ୍ତ ଓ ଶିକ୍ଷିତ ଯୁବକ ସହ । ଆଉ ଜଣେ ଯୁବକର ଏଇସବୁ ଗୁଣ ସତ୍ତ୍ୱେ ଯେ ଥିଲା ଅସହାୟତା-ସେଇ ଅସହାୟତା ପ୍ରତି ସମ୍ବେଦନଶୀଳ ହୋଇପଡ଼ନ୍ତି ନିଜର ଅଜାଣତରେ, ସ୍ଵତଃସ୍ଫୁର୍ତ୍ତ ଭାବରେ । ବାଈଜୀଙ୍କ ଭିତରର ମାତୃମମତା ପୁରୁଷର ଏପରି ଅବସ୍ଥା ପ୍ରତି କରୁଣା ବିଗଳିତ ହୋଇପଡ଼େ । ସେଇ ଅଜଣା ଯୁବକର ଅସହାୟତା ଅପରିପକ୍ୱତା ପ୍ରତି ସମ୍ବେଦନଶୀଳ ହୋଇ ଭଲପାଇ ବସନ୍ତି ସେ । ଅସହାୟକୁ ସାହସ ଦିଅନ୍ତି । ତାଙ୍କୁ ସୁଖୀ କରିବାରେ ସବୁକିଛି ଲୋଟେଇ ଦିଅନ୍ତି ଆଉ ହୃଦୟରେ ହୋଇଉଠନ୍ତି ଐଶ୍ଵର୍ଯ୍ୟଶାଳିନୀ । ପ୍ରିୟତମ ପାଇଁ ସବୁ ତ୍ୟାଗ କରିବାର ମହତସୁଖ ଅନୁଭବ କରନ୍ତି । ପୁଣି ପ୍ରିୟତମର ମୃତ୍ୟୁଜନିତ ହତାଶାକୁ ମଧ୍ୟ ପିଇଯାଇ କଅଁଳ ଶିଶୁଟି ପାଇଁ ଫେରିଆସନ୍ତି ନୃତ୍ୟଶାଳାକୁ । ସେଠି ନୃତ୍ୟ କରନ୍ତି-ତ୍ୟାଗ ପାଇଁ । ବେଦନା ଜଡ଼ିତ ନୃତ୍ୟ । କାଉଲଙ୍କ ପ୍ରତି ସମ୍ମାନ ବୋଧରେ ପୂରି ଉଠେ ତାଙ୍କ ହୃଦୟ । କାଉଲଙ୍କ ବଦାନ୍ୟତା ପାଇଁ ସେ ତାକୁ ଭଗ୍ନଦେବତା ଭାବରେ ସମ୍ମାନ କରନ୍ତି । ଅଭିଶପ୍ତା ଈଶ୍ୱରୀ ବାଈଜୀ ।

 

ମିସ୍‌ ନୀରା କାଉଲଙ୍କୁ ପାଆନ୍ତି । ତାଙ୍କ ସହ ସମୟ ବିତାନ୍ତି ଆଉ ତ୍ୟାଗ ଗୁଣରେ ସମ୍ମାନ କରନ୍ତି । ଜୀବନ ପ୍ରତି ଚରମ ଭାବରେ ସମର୍ପିତ କାଉଲ ଜଣେ ପରମ ଆସ୍ତିକ । କାରଣ ସେ ଜୀବନ ଜୀଇଁବାର ସବୁକିଛିକୁ ଗ୍ରହଣ କରିଛନ୍ତି । ଜୀବନର ସକଳ ଆବେଗ ଚରିତାର୍ଥ କରିଛନ୍ତି । ଧର୍ମ ସମାଜ ନୀତିନିୟମର ଉର୍ଦ୍ଧ୍ୱରେ ଜୀବନ ବଞ୍ଚିବା ହିଁ ତାଙ୍କ ଚରିତ୍ରର ସ୍ୱତନ୍ତ୍ରତା । ଧର୍ମ ସମାଜ ନୀତିନିୟମ ସବୁକୁ ମାନି ଚଳିବାକୁ ଗୋଟିଏ ପ୍ରାଚୀନ ଧାରଣାରେ ଆସ୍ତିକତା କୁହାଯାଏ । କିନ୍ତୁ ପ୍ରକୃତରେ ତାହା ହଁ ନାସ୍ତିକତା । ଜୀବନକୁ ଅବହେଳା କରିବା ପ୍ରକୃତରେ ନାସ୍ତିକତା ନୁହେଁ ତ ଆଉ କ’ଣ ? ଜୀବନ ଅଛି ଜୀଇଁବା ପାଇଁ । ଜୀବନ ବଞ୍ଚିବାଠୁ ଆଉ କ’ଣ ଅଧିକ ଗୁରୁତ୍ୱପୂର୍ଣ୍ଣ ! କାଉଲଙ୍କ ଜୀବନକୁ ଭେଟିଲେ ଏକଥାଟି ଖୁବ୍‌ ଜୀବନ୍ତ ମନେହୁଏ । ଏଇ ଧୂଳି ମାଟିର ପୃଥିବୀ ଛଡ଼ା ଏକ ଅବାନ୍ତର ସ୍ଵର୍ଗ କଳ୍ପନା ଯେମିତି ଏକ ଜୀବନ ବିମୁଖତା, ସେମିତି ଆବେଗ ପ୍ରତିରୋଧ କରି ସଂଯମ ଓ ଧାର୍ମିକତା ପରି ପାରମ୍ପରିକ କାର୍ଯ୍ୟସବୁ ପାଳନ କରିବା ତା’ଠାରୁ ବେଶୀ ଦୁଃଖଦ । ଶରୀର ଦେଇ ମଣିଷ ବଞ୍ଚେ । ସେ ହୁଏତ ଜାଣତରେ ହେଉ ଅବା ଅଜାଣତରେ ହେଉ ତା’ର ପାପ ନେଇ ଗର୍ବ କରେ । ସତରେ ପାପ କେତେ ଆଦିମ ! ପାପ କେତେ ମୌଳିକ ! କାଉଲ ଏସବୁର ପରମପୂଜକ ।

 

କାଉଲଙ୍କ ଗୋଟିଏ ଜାତି ନାହିଁ, ଗୋଟିଏ ଗୋଷ୍ଠୀ ନାହିଁ । ସେ ଯେମିତି ବ୍ୟକ୍ତିମଣିଷକୁ ସମ୍ମାନ କରିଛନ୍ତି ସେମିତି ତାଙ୍କ ଜୀବନରେ ବି ସେ ବ୍ୟକ୍ତିମଣିଷର ସକ୍ଷମତାକୁ ହିଁ ପ୍ରତିପାଦନ କରିଛନ୍ତି । କାଉଲ ମଦ, ଜୁଆ ଓ ନାରୀ ଦେହର ନିଶାକୁ ଉପଭୋଗ କରିଛନ୍ତି ଓ ତ୍ୟାଗ ସେବା ସର୍ବୋପରି ମାନବିକତାର ନିଶାକୁ ଅନୁଭବ କରିଛନ୍ତି । ଜଣେ ମଣିଷ ଭାବରେ ମଣିଷକୁ ଭଲ ପାଇବାର ଅଦମ୍ୟ ନିଶାକୁ ଅନୁଭବ କରିଛନ୍ତି । ନିଶାଖୋର କାଉଲ । ପ୍ରମତ୍ତ କାଉଲ। ଖେଳୁଆଡ଼ କାଉଲ । ଜୁଆଡ଼ି କାଉଲ । କାଉଲ ପ୍ରକୃତରେ ଜଣେ ଜୀବନ୍ତ ମଣିଷ ଯାହାର ପ୍ରତିଟି କାର୍ଯ୍ୟକଳାପରେ ଫୁଟି ଉଠିଛି ଜୀବନର ଉଷ୍ମସ୍ପନ୍ଦନ । କାଉଲଙ୍କ ଜୀବନର ଗତି ରହିଛି । ଗୀତା ବାଇବେଲ କୋରାନର ଉପଦେଶ ତାଙ୍କୁ ଜୀବନ ବଞ୍ଚିବାର ନିୟମ ବତାଇ ପାରିନାହିଁ । ଚର୍ଚ୍ଚ ତାଙ୍କୁ ଦେଖାଇ ପାରିନାହଁ ଜୀବନାଲୋକ । କିନ୍ତୁ ତାକୁ ପ୍ରମତ୍ତ ନିଶାଖୋର ଖେଳୁଆଡ଼ର ଆହ୍ୱାନ ଜଣେ ଅଲଗା ମଣିଷ କରି ଠିଆ କରାଇପାରିଛି । ମଣିଷ ପ୍ରକୃତରେ ସ୍ୱତନ୍ତ୍ର-ଜଣେ ବ୍ୟକ୍ତି । ତା’ର କୌଣସି ଜାତି ନାହିଁ, ତା’ର କୌଣସି ସମୂହ ନାହିଁ, ଏକତ୍ର ଠିଆ ହେବା ପାଇଁ ବାଧ୍ୟବାଧକତାର ଧ୍ଵଜା ନାହିଁ । ମଣିଷ ସ୍ଵତନ୍ତ୍ର ମଣିଷ ମଣିଷ ଭିତରେ କେତେ ତଫାତ୍‌ ସତରେ ! ଆଉ ମଣିଷ କେବେ ସମାନ ହୋଇ ନ ପାରେ । ମଣିଷ ଭିତରେ ସାମ୍ୟବାଦ ସମ୍ଭବ ନୁହେଁ । ସମାଜବାଦ ଏକ ଉପହାସକାରୀ ପରିକଳ୍ପନା । ମଣିଷ ଗୋଟିଏ ଜାତି ଚିନ୍ତା କରିବା ଏକ ସର୍ବଭ୍ରାନ୍ତ ଧାରଣା । କାଉଲ ଏହାର ଜୀବନ୍ତ ଉଦାହରଣ ।

 

କାଉଲ ପ୍ରକୃତରେ ଜଣେ ଶକ୍ତିଶାଳୀ ବ୍ୟକ୍ତି ମଣିଷଟିଏ । ଅନ୍ଧାରୁଆ ଘରଟି ଭିତରେ ଜ୍ଵରଗ୍ରସ୍ତ ଛୋଟ ପିଲାଟି କାଉଲ । ତଥାପି ବଞ୍ଚିବାର ଦୃଢ଼ ଇଚ୍ଛା ତା’ର ଖୁବ୍‌ ମାର୍ମିକ ବମ୍ବେର ଫୁଟପାଥରେ ଜୀବନ ତା’ର । ତଥାପି ବଢ଼ିବାର ଦୃଢ଼ସଂକଳ୍ପ ଖୁବ୍‌ ଶକ୍ତ । ଦୁନିଆରେ ପ୍ରତିଷ୍ଠିତ ହେବାର ନିଶା ତା’ର ପ୍ରବଳ । ପରବର୍ତ୍ତୀ ସମୟରେ କାଉଲ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି, ବଢ଼ିଛନ୍ତି, ବଞ୍ଚିଛନ୍ତି ପ୍ରାଣପୂର୍ଣ୍ଣ ଭାବରେ ।

 

କାଉଲ ଅନନ୍ୟ ଚରିତ୍ରର ସର୍ବୋତ୍ତମ ଉଦାହରଣ । ଯିଏ ହାରି କରି ଜିତେ ଓ ଜିତିବା ପରେ ହାରିବାଟାକୁ ସ୍ଵୀକାର କରିନିଏ । ବାଈଜୀଙ୍କ ପାଖରେ ନିଜ ଦେହର ସମ୍ମାନ କରିବାକୁ ଯାଆନ୍ତି କାଉଲ । ଉତ୍ତେଜନା ଅନୁଭବ କରନ୍ତି । ଚାହାନ୍ତି ପୁରୁଷତ୍ୱ ପ୍ରମାଣର ସମ୍ମତି । କିନ୍ତୁ ବିଦୂଷୀ ବାଈଜୀଙ୍କ ପାଖରୁ ସେ ହାରନ୍ତି । ଯିଏ ନାରୀଭୋଗରେ କେବେ ହାରିନାହାନ୍ତି କି ପ୍ରତିଦାନ ପାଇଁ କେବେ କୃପଣତା ଦେଖାଇ ନାହାନ୍ତି- ସମସ୍ତ ପ୍ରକାର ନିବେଦନ ପରେ ସେ ଆଜି ସଫଳ ହୋଇନାହାନ୍ତି । କିନ୍ତୁ ବାଈଜୀଙ୍କ ଦୁଃଖରେ ସମ୍ବେଦନଶୀଳ ହୋଇ, ମାତୃତ୍ୱର ସମ୍ମାନ ରକ୍ଷା କରି କାଉଲ ପ୍ରକୃତରେ ମହାନ୍‌ । ଘୋଡ଼ାଦୌଡ଼ରେ ବାଜି ଲଗାଇ ବାରମ୍ବାର ହାରି ହାରି ସେ ରିକ୍ତହସ୍ତ । ଅନ୍ତରର ଇଙ୍ଗିତ ସତ୍ତ୍ୱେ ସେ ତାଙ୍କର ଶେଷ ବାଜିଟା ମଧ୍ୟ ଲଗାଇ ପାରନ୍ତି ନାହିଁ ତାଙ୍କର ଈପ୍‌ସିତ ଘୋଡ଼ା ‘ରକ୍‌ ପାୱାର’ ଉପରେ । କେବଳମାତ୍ର ଗୋଟିଏ କରୁଣ, ଯନ୍ତ୍ରଣାଗ୍ରସ୍ତ ମଣିଷର କ୍ରନ୍ଦନ ବାଜି ଲଗାଇବାର ପଥରୋଧ କରେ । ଏଇ ଅସହାୟ ମଣିଷଟି ଥିଲେ ମି. ବୁଦ୍ଧମୂର୍ତ୍ତି । କାଉଲଙ୍କ ଅପରିଚିତ । ତଥାପି ତାଙ୍କରି ସେବା ପାଇଁ କାଉଲ ଛାଡ଼ିଦେଲେ ବାଜି । ଛାଡ଼ିଲେ ଟଙ୍କା ଜିତିବାର ଲୋଭ, ଆଉ ମିସ୍‌ଜେନିଙ୍କ ସକଳ ଅନୁରୋଧ-ବିଜୟ ପାଇଁ । ଅସହାୟ ଜୀବନ ପ୍ରତି ତାଙ୍କର ମାନବୀୟ ଦରଦ ପାଇଁ ସେ ଛାଡ଼ିଦେଲେ ଜେନୀ ସହ ବିତାଇବାକୁ ଥିବା ପୂର୍ବ ନିର୍ଦ୍ଦିଷ୍ଟ ସମୟ । ମିସ୍‌ ଜେନି ଘୃଣା କଲେ । କିନ୍ତୁ ମହତ୍‌ ମନୁଷ୍ୟତା ପାଇଁ କାଉଲ ଜିତିଲେ । ଜିତିଲା ମଣିଷର ମାନବିକତା । ମ୍ୟୁନିସିପାଲିଟି ନିର୍ବାଚନରେ ପଣ୍ଡିତଜୀଙ୍କୁ ପରାଜିତ କରିଛନ୍ତି । କାଉଲ ପ୍ରଦର୍ଶନ କରିଛନ୍ତି ସବୁପ୍ରକାର ଶକ୍ତିର ପରାକାଷ୍ଠା । କିନ୍ତୁ ବିଜୟୀ କାଉଲ ପଣ୍ଡିତଜୀଙ୍କୁ ସମର୍ପି ଦେଇଛନ୍ତି ବିଜୟର ମାଳା । ସମର୍ପି ଦେଇଛନ୍ତି ନିଜର ଅର୍ଥ । ବ୍ୟକ୍ତିର ସମ୍ମାନ ପାଇଁ ତ୍ୟାଗ କରିଛନ୍ତି ନିଜର ପଦବୀ ଓ ପ୍ରତିଷ୍ଠା । ଶୁଣିପାରିଛନ୍ତି ବିବେକର ସ୍ପଷ୍ଟ ନିର୍ଦ୍ଦେଶ । ସେ ଏହି ମ୍ୟୁନିସିପାଲିଟି ବିଜୟ ପାଇଁ ଗ୍ରହଣ କରିଥିଲେ ଚ୍ୟାଲେଞ୍ଜ । ଜିତିଲେ ନିର୍ବାଚନ । କିନ୍ତୁ ତ୍ୟାଗ କଲେ ପୁଣି ସବୁକିଛି । ପଣ୍ଡିତଜୀଙ୍କ ପାଖରେ ନିଜର ସ୍ଥିତି ବିଷୟରେ ସଚେତନ ହୋଇ ନିଜକୁ ଛୋଟ ମନେ କରି ନିଜର ମାନବିକତାର ଡାକ ଶୁଣି ପାରିଛନ୍ତି । ମନୀଷାଙ୍କୁ ବଞ୍ଚାଇବାର ଚ୍ୟାଲେଞ୍ଜ ସେ ଗ୍ରହଣ କରନ୍ତି । ତାଙ୍କର ବିପୁଳ ଅର୍ଥ ବିନିଯୋଗ ହୁଏ ମନୀଷାଙ୍କ ସେବାରେ । ପାଣି ଦରରେ ତାଙ୍କର କାରଖାନା ବିକ୍ରି ହୁଏ । ବ୍ୟବସାୟ ଅଚଳ ହୋଇପଡ଼େ । ପ୍ରତିଷ୍ଠିତ କାଉଲ କ୍ରମଶଃ ଅପସରି ଯାଆନ୍ତି ତାଙ୍କର ଚିରାଚରିତ ଜୀବନଶୈଳୀରୁ । ମନୀଷା ପାଇଁ ସେ ସର୍ବସ୍ୱାନ୍ତ ହୋଇପଡ଼ନ୍ତି । ତାଙ୍କୁ ଆବୋରି ରଖିଥିବା ଜୁଆଡ଼ିର ନିଶା, ଘୋଡ଼ା ଖେଳରେ ବରବାଦ ହୋଇଥିବାର ନିଶା, ଚେୟାରମ୍ୟାନ ପଦ ଛାଡ଼ିବାର ନିଶା, ଜୀବନକୁ ଦୁଇହାତ ମୁଠାରେ ଧରି ଫିଙ୍ଗି ପାରୁଥିବାର ନିଶାରେ ସେ ନିଜକୁ ନିଶ୍ଚିହ୍ନ କରି ଦେଇପାରନ୍ତି । ସେ ତ ପ୍ରକୃତରେ ମାନବିକତାର ନିଶା । ମାନବ ଜୀବନର ଆବେଗ ତ ସେଇ, ଯେଉଁ ଆବେଗରେ, ଯେଉଁ ମାନବିକତାରେ କାଉଲ ପରିଚାଳିତ ହୁଅନ୍ତି । ସେଥିରେ ସେ ଜଣେ ପୋଖତ ନିଶାଖୋର । ତାଙ୍କର ବିଜୟ ସୁନିଶ୍ଚିତ । ତାଙ୍କ ବକ୍ତବ୍ୟ ଏଠାରେ ଉଦ୍ଧାର କରାଯାଇପାରେ, ‘‘ସର୍ବସ୍ୱାନ୍ତ ହୋଇପାରେ କାଉଲ, କିନ୍ତୁ ପରାଜିତ ନୁହେଁ ।’’୨

 

 

ପ୍ରକୃତରେ କାଉଲଙ୍କ ପ୍ରତିଟି ପଦକ୍ଷେପରେ ବିପୁଳ ଅର୍ଥବିନିଯୋଗ ହୋଇଛି । ମିସ୍‌ ନୀରା ତାଙ୍କ ପୂର୍ବଜୀବନ ଫେରି ପାଆନ୍ତି । ପତିତାମାନଙ୍କ ଅସହାୟ ପିଲାଙ୍କୁ ପଢ଼ାଇବା ପାଇଁ ସ୍କଲ ହୁଏ । ମିସ୍‌ ନୀରାଙ୍କ ମା’ ବାପା ଫେରିପାଆନ୍ତି ତାଙ୍କର ପୂର୍ବଗୌରବ ଆଉ ଆନନ୍ଦ । ବାଈଜୀଙ୍କ ଝିଅଟିର ପିତୃତ୍ୱ ଗ୍ରହଣ କରନ୍ତି କାଉଲ । ଅନାଥ ଶିଶୁଙ୍କ ମଙ୍ଗଳ ପାଇଁ ପାଣ୍ଠି କରିଦିଅନ୍ତି । ନିର୍ବାଚନ ପାଇଁ ଖର୍ଚ୍ଚ ହୁଏ ଅକଳନୀୟ । କାଉଲଙ୍କ ବିନୟ ପରେ ବି ପଣ୍ଡିତଜୀ ପାଆନ୍ତି ପଦ ଆଉ ତାଙ୍କର ସେବା ପାଇଁ କାଉଲ ପୁଣି ସମର୍ପଣ କରନ୍ତି ଧନ । ମନୀଷା ପାଆନ୍ତି ନୂଆ ଜୀବନ । କିନ୍ତୁ ଏସବୁ ଭିତରେ କାଉଲଙ୍କର ହିଁ ବିଜୟ ହୁଏ । ଏସବୁ ଭିତରେ କାଉଲଙ୍କ ମନୁଷ୍ୟତାର ପ୍ରମାଣ ମିଳେ। ପୁଣି କାଉଲ ଜଣେ ମଣିଷ ଯିଏ ସକଳ ଦୁଃଖ ସହି ସହି ଜୀବନକୁ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରନ୍ତି ଓ ସଫଳ ଭାବରେ ବଞ୍ଚନ୍ତି । ଅସ୍ତିତ୍ୱବାଦୀ ଦାର୍ଶନିକ ନିତ୍‌ସେ ସମାଜର ସାଧାରଣ ମଣିଷଙ୍କ ଭିତରେ ଯିଏ ଦୁଃଖରେ ବି ଦମ୍ଭର ସହିତ ବଞ୍ଚିପାରିଲା ସେ ହିଁ ପ୍ରକୃତରେ ସୁପରମ୍ୟାନର ଜନକ ହେବ ବୋଲି ଆଶା କରନ୍ତି । ତେବେ କାଉଲ ହୋଇପାରନ୍ତି ସୁପରମ୍ୟାନର ପ୍ରକୃତ ଜନକ । କିର୍ରକେଗାର୍ଡ଼ ଦୁଃଖ ଓ ବିଷାଦ ଜର୍ଜରିତ ଜୀବନ ଭିତରେ ଯିଏ ଏକୁଟିଆ ଗୋଟିଏ ନିଦା ଜୀବନ ବଞ୍ଚିପାରେ ତାଙ୍କୁ ବୀର ବୋଲି ଅଭିହିତ କରିଛନ୍ତି । ତେଣୁ କାଉଲ ନିଜେ ଜୀବନବୀର । କାଉଲ ପ୍ରକୃତରେ ଜଣେ ଅସଲ ବ୍ୟକ୍ତି ମଣିଷ ।

 

କାଉଲଙ୍କ ବ୍ୟକ୍ତିତ୍ଵର ଅନ୍ୟ ଏକ ବିଶିଷ୍ଟ ଗୁଣ ହେଲା ଜୀବନ ପ୍ରତି ସାଧୁତା । ସମାଜ ଦୃଷ୍ଟିରେ ଯାହାକୁ ତଥାକଥିତ ଭାବରେ ପାପ ବୋଲି ବିବେଚନା କରାଯାଏ, କାଉଲ ସେସବୁରେ ନିବିଡ଼ ଭାବରେ ଜଡ଼ିତ । କିନ୍ତୁ ସେ ସେକଥାକୁ ସ୍ଵୀକାର କରିପାରନ୍ତି । ନିର୍ବାଚନ ପରେ କାଉଲଙ୍କ ପ୍ରଶଂସାର ଶତମୁଖର ହେଉଥାଏ ଜନତା । ନିଜେ ପଣ୍ଡିତଜୀ ଢାଳିଦିଅନ୍ତି ସମ୍ମାନ । କିନ୍ତୁ କାଉଲ ଏତେ ମିଥ୍ୟାକୁ ପ୍ରଶ୍ରୟ ଦେଇ ପାରନ୍ତି ନାହିଁ । ତାଙ୍କର ପ୍ରଶଂସା ସମୟରେ ବି ସେ ମିସ୍‌ ନୀନାଙ୍କୁ ବୁଝାଉଥାନ୍ତି, ‘‘ନୀନା ! ମୋର ପୁଣି ଧର୍ମ, ସାଧୁତା, ଚରିତ୍ରବତ୍ତା ! ଏସବୁର ପ୍ରତିବାଦ ଆବଶ୍ୟକ । ଏସବୁ ମିଥ୍ୟା ।’’୩ କିନ୍ତୁ କିଏ ତାଙ୍କର ପ୍ରତିବାଦ କରିବ ! କିଏ ପ୍ରତିପାଦିତ କରିବ ତାଙ୍କର ଚରିତ୍ରର ଅନ୍ଧକାର ପକ୍ଷକୁ ! ନିଜେ କାଉଲ କହନ୍ତି, ‘‘ମୋ ଜୀବନ ପାପର ଏକ ସୁଦୀର୍ଘ ଗାଥା । ମୁଁ ମଦ୍ୟପ-। ମୁଁ ବେଶ୍ୟାସକ୍ତ । ମୁଁ ଜୁଆଡ଼ି । ମୁଁ କଳାବଜାରୀ । ମୁଁ ଅସାଧୁ । କୌଣସି ଧର୍ମରେ ମୋର ବିଶ୍ଵାସ ନାହିଁ । କୌଣସି ନୀତି ସହିତ କିଛି ସମ୍ପର୍କ ନାହିଁ ।’’୪

 

(୨)

ଗୋବିନ୍ଦ ଦାସ, ଅମାବାସ୍ୟାର ଚନ୍ଦ୍ର ୨୦୦୭, ପୃ-୮୯

(୪)

ତତ୍ରୈବ, ପୃ-୯୯ ।

 

ମନୀଷାଙ୍କୁ ଗଭୀର ଭାବରେ ଭଲ ପାଇବସନ୍ତି; କିନ୍ତୁ ମନୀଷାଙ୍କର ତାଙ୍କ ପ୍ରତି ଧାରଣାକୁ ସେ ବେଶ୍‌ ହୃଦୟଙ୍ଗମ କରିପାରନ୍ତି ଆଉ ନିଜର ଅସଲ ପରିଚୟ ସଚେତନ ହୋଇ ମନୀଷାଙ୍କୁ ଆଘାତ ନ ଦେବା ପାଇଁ ହିଁ ସେ ମନୀଷାଙ୍କ ଜୀବନରୁ ଦୂରେଇ ଯାଇଛନ୍ତି । ଦେହଧର୍ମ ପାଳନରେ ଟିକିଏ ବି ଊଣା କରିନାହାନ୍ତି । ଉନ୍ମାଦନାର ପରିପୂର୍ତ୍ତି ଲାଗି ଟିକିଏ ବି ହେଳା କରିନାହାନ୍ତି । ନିଶାଖୋର ହୋଇ ଆବେଗର ତଣ୍ଟିଚିପି ବସନ୍ତି ନାହିଁ । ଧର୍ମ ନାମରେ ଜୀବନର ସଂକୋଚନକୁ ଆଦୌ ପ୍ରଶ୍ରୟ ହିଁ ଦେଇନାହାନ୍ତି । ଜୀବନ ପ୍ରତି ସବୁ ଅର୍ଘ୍ୟ ବାଢ଼ିଛନ୍ତି ଅଥଚ ନିଃସଙ୍କୋଚରେ ସ୍ଵୀକାର କରିପାରନ୍ତି ସେସବୁକୁ । କାରଣ ତାଙ୍କର କେବେ ବି ମନେ ହୋଇନାହିଁ ଯେ, ସେ ଯାହା ଭୋଗ କରିଛନ୍ତି, ତାହା ଅନ୍ୟର କୌଣସି କ୍ଷତି କରିଛି । ପ୍ରକୃତରେ ତାଙ୍କର ପାପ ପାଇଁ କାହାରି କ୍ଷତି ହୋଇନାହିଁ । ସେ ନିଜେ ଅନୁତାପ ମଧ୍ୟ କରିନାହାନ୍ତି । ହିନ୍ଦୀ ଔପନ୍ୟାସିକ ଭଗବତୀ ବର୍ମା ତାଙ୍କ ‘ଚିତ୍ରଲେଖା’ ଉପନ୍ୟାସରେ ଯେଉଁ ପାପ ଅନ୍ୟର କ୍ଷତି କରେ ନାହିଁ ତାହା ପାପ ନୁହେଁ ବୋଲି କହିଛନ୍ତି । କାଉଲଙ୍କ ପାଖରେ ପାପ-ପୁଣ୍ୟର ବିଚାର ନାହିଁ । ସେ ଏହାର ଊର୍ଦ୍ଧ୍ୱରେ । କେବଳ ମାନବିକତାର ମହାନତା ନେଇ ତାଙ୍କୁ ବିଚାର କରାଯାଇପାରେ । ସମାଲୋଚକ ସବିତା ପ୍ରଧାନଙ୍କ ଅନୁସାରେ କାଉଲ ଏକ ନିରୋଳା, ଖାଣ୍ଟି ମଣିଷ ।* କାଉଲ ଆବେଗଭରା ମଣିଷଟିଏ । ଏହି ମଣିଷକୁ ପ୍ରକୃତରେ କୌଣସି ଧର୍ମ ସମାଜ ନୀତିନିୟମ ବାନ୍ଧିପାରେ ନାହିଁ । ଧର୍ମସମାଜ ନୀତିନିୟମ ମଣିଷକୁ ସଂକୀର୍ଣ୍ଣ କରିପକାଏ । ବ୍ୟକ୍ତି ମଣିଷକୁ, ବୀରପୁରୁଷକୁ ମାରିବାକୁ ଚେଷ୍ଟା କରେ । ଦୁର୍ବଳମାନଙ୍କୁ ବଞ୍ଚାଇବାର ଚେଷ୍ଟା କରେ; ଯାହା ଫଳରେ ମଣିଷର ପ୍ରଗତି ବାଧାପାଏ । ବ୍ୟକ୍ତି ମଣିଷଟି ଦୁଃଖପାଏ ଆଉ ଯେଉଁ ମଣିଷଟି ଏଇସବୁ ସଂକୀର୍ଣ୍ଣ ପରିସୀମା ପାରକରି ନିଜକୁ ସ୍ଥାପିତ କରିପାରେ ତାକୁ ସମାଜ ପରେ ମାନିନିଏ । ସେଥିପାଇଁ ନିତ୍‌ସେଙ୍କ ଜରାଥୁଷ୍ଟ୍ର ଆଜି ମହାନ । ସେଇଥିପାଇଁ ବୀର ନେପୋଲିୟନଙ୍କୁ ସେ ଶତମୁଖରେ ପ୍ରଶଂସା କରିଛନ୍ତି । ନେପୋଲିୟନଙ୍କ ଆହ୍ୱାନରେ ମୃତ୍ୟୁବରଣ କରୁଥିବା ବୀର ସୈନ୍ୟମାନଙ୍କୁ ମଧ୍ୟ ସେ ଶତମୁଖରେ ପ୍ରଶଂସା କରିଛନ୍ତି । ‘ଅମାବାସ୍ୟାର ଚନ୍ଦ୍ର’ରେ ଉପନ୍ୟାସକାର କହନ୍ତି, “କେତେକ ବ୍ୟକ୍ତି ଅଛନ୍ତି, ବିଭିନ୍ନ କାରଣରୁ ତତ୍‌କାଳୀନ ସମାଜ ତାଙ୍କ ଉପରେ ପୂର୍ଣ୍ଣ କର୍ତ୍ତୃତ୍ଵ ବିସ୍ତାର କରିପାରେ ନାହିଁ । ସେମାନେ ନିଜକୁ ଘୋଷଣା କରନ୍ତି ସ୍ଵାଧୀନ, ସମାଜଠୁ, ଧର୍ମଠୁ । ସେମାନଙ୍କ ଭିତରୁ ବାହାରନ୍ତି ବୁଦ୍ଧ, ଯୀଶୁ, ମହମ୍ମଦ, ଗାନ୍ଧୀ ସକ୍ରେଟିସ୍‌ । ସେମାନେ ସମାଜକୁ ନିଜର କର୍ତ୍ତୃତ୍ୱକୁ ଆଣିବାକୁ ଚେଷ୍ଟା କରନ୍ତି । ଅବଶେଷରେ ସେଇମାନେ ହୁଅନ୍ତି କୃତକାର୍ଯ୍ୟ । ସମାଜ ହୁଏ ବଶୀଭୂତ, ସେମାନଙ୍କ ମୂଲ୍ୟବୋଧକୁ ଗ୍ରହଣ କରି ନିଜର ପରିବର୍ତ୍ତନ କରେ ।’’ ୫

 

*      ‘‘ସମାଜର ତଥାକଥିତ ପାପ-ପୁଣ୍ୟ ବିଚାରର ନିକିତିରେ ମପାଯାଇପାରେନା କାଉଲ ଚରିତ୍ରକୁ । ସମାଜ ଦୃଷ୍ଟିରେ ଯାହା ନିନ୍ଦନୀୟ, କଳଙ୍କିତ ସେ ସମସ୍ତରେ ଳିପ୍ତ ଥାଇ ସୁଦ୍ଧା କାଉଲ ପଦ୍ମପତ୍ରରେ ପାଣି ବିନ୍ଦୁଏ ସଦୃଶ ନିଷ୍କଳଙ୍କ ଓ ପବିତ୍ର କାଉଲ, ଏ ସମସ୍ତ ବିଚାର ଊର୍ଦ୍ଧ୍ୱରେ ଏକ ନିରୋଳା, ଖାଣ୍ଟି ମଣିଷ । ଭଲମନ୍ଦର ସମାହାର । ମଣିଷ ପଣିଆର ଭିନ୍ନ ଏକ ଧ୍ଵଜା- କାଉଲ ।’’

 

ପ୍ରତିବେଶୀ, ଜାନୁୟାରୀ- ମାର୍ଚ୍ଚ ୨୦୦୦, ପୃ- ୩୬ ।

 

(୫)

ଗୋବିନ୍ଦ ଦାସ, ଅମାବାସ୍ୟାର ଚନ୍ଦ୍ର, ୨୦୦୭, ପୃ- ୨ ।

 

କାଉଲ ସେମିତି ସମାଜଠୁ ଧର୍ମଠୁ ଅଲଗା । କେବଳ ତାଙ୍କର ଆବେଗ, ତ୍ୟାଗ ମାନବିକତା ପାଖରେ ସବୁ ପ୍ରାଚୀନ ମୂଲ୍ୟବୋଧ ଭୁଷୁଡ଼ି ପଡ଼ିଛି । ବ୍ୟକ୍ତି ମଣିଷର ଆବେଗକୁ ନିତ୍‌ସେ କିର୍‌କେଗାର୍ଡ଼ ହାଇଡ଼ଗାର୍ଭ ପ୍ରମୁଖ ଅସ୍ତିରବାଦୀ ଦାର୍ଶନିକଗଣ ହୃଦୟରେ ସବୁଶ୍ରଦ୍ଧା ଦେଇ ସମ୍ମାନ ଜଣାଇଛନ୍ତି । ବ୍ୟକ୍ତି ମଣିଷଟିର ପ୍ରକୃତ ଶକ୍ତି ବିଷୟରେ ଚିହ୍ନାଇ ଦେବାକୁ ସେମାନେ ବାରମ୍ବାର ପ୍ରୟାସ କରିଛନ୍ତି । ଗୋଷ୍ଠୀ ସମାଜ ସମୂହ ଜାତିକୁ ସେମାନେ ପ୍ରବଳ ଭାବରେ ଆକ୍ରମଣ କରିଛନ୍ତି । ସାମ୍ୟବାଦ ସମାଜବାଦ, ଗଣତନ୍ତ୍ର ହେଉଛି ଦୁର୍ବଳ ସହ ସମାନ କରିବାକୁ ଯାଇ ଶକ୍ତିମାନ ବ୍ୟକ୍ତିକୁ ଦଳିଚକଟି ଦେବାର ଯୋଜନାବଦ୍ଧ ଅପପ୍ରୟାସ ମାତ୍ର । ପ୍ରକୃତରେ ମଣିଷ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଜାତିର କଦାପି ହୋଇ ନ ପାରେ । ଗୋରୁଜାତି, ମେଣ୍ଢାପଲ ପରି ମଣିଷର କିଛି ସେପରି ସମୂହ ନାହିଁ । ମଣିଷ ନିଜେ ନିଜେ ଅନ୍ୟମାନଙ୍କଠୁ ଭିନ୍ନ ଅନ୍ୟ ମଣିଷଠୁ ବି ସ୍ୱତନ୍ତ୍ର । ମଣିଷ ସ୍ଵତନ୍ତ୍ର ଅନନ୍ୟ । ଅସ୍ତିତ୍ୱବାଦର ଏକ ନିର୍ଭୀକ ଅଥଚ ଯୁକ୍ତିନିଷ୍ଠ ଘୋଷଣା ମଣିଷର ସ୍ଵତନ୍ତ୍ରତା ସହ ପରିଚିତ କରାଇପାରେ । ହେରମାନ ହେସଙ୍କ ସିଦ୍ଧାର୍ଥ ସେପରି ମନେକରନ୍ତି ଯେ ବ୍ରାହ୍ମଣମାନଙ୍କ ଗୋଟିଏ କୁଳ ଅଛି, ସନ୍ନ୍ୟାସୀମାନଙ୍କ ଗୋଟିଏ ସମାଜ ଅଛି, ଭିକ୍ଷୁମାନଙ୍କ ଗୋଷ୍ଠୀ ଅଛି । ତେଣୁ ସେ କ୍ରମଶଃ ଆଗେଇଯାଆନ୍ତି ଜୀବନ ଅନ୍ୱେଷଣରେ । ବ୍ୟକ୍ତିର ସେଇ ଅବାରିତ ଆବେଗ ବଳରେ ବଢ଼ିଛନ୍ତି ଆଗକୁ ଆଗକୁ । ସେ ବ୍ରାହ୍ମଣପୁତ୍ର, ସନ୍ନ୍ୟାସୀ, ସେ ପ୍ରେମିକ, ବ୍ୟବସାୟୀ, ତରେଇ, ପିତା ହୋଇଛନ୍ତି; କିନ୍ତୁ ତାଙ୍କର ଅସଲ ପରିଚୟ ହେଉଛି ଯେ ସେ ଜଣେ ବ୍ୟକ୍ତି ମଣିଷ । ତାଙ୍କର ସବୁ କାର୍ଯ୍ୟକଳାପ ଜୀବନଶୈଳୀ ଭିତରେ ହିଁ ବ୍ୟକ୍ତି ମଣିଷର ପ୍ରତିଷ୍ଠା ହୋଇଛି । ଭଗବତୀ ବର୍ମାଙ୍କ ବିଜିଗୁପ୍ତ ଜୀବନଭୋଗୀ । ସିଦ୍ଧାର୍ଥ ବିଜିଗୁପ୍ତ ଜୀବନଭୋଗୀ । କାଉଲ ସେଇ ବ୍ୟକ୍ତି ମଣିଷର ଏକ ଶକ୍ତିଶାଳୀ ସ୍ଫୁରଣ ।

 

‘ସିଦ୍ଧାର୍ଥ’ ଉପନ୍ୟାସରେ ସିଦ୍ଧାର୍ଥ ବ୍ୟବସାୟ କରନ୍ତି, ଜୁଆ ଖେଳନ୍ତି । ବ୍ୟବସାୟ ଭିତରେ କାହାକୁ ସାହାଯ୍ୟ କରିପାରିଲେ ସେ ନିଜେ ଖୁସିହୁଅନ୍ତି, ବ୍ୟବସାୟର ଅଂଶୀଦାର କାମସ୍ଵାମୀଙ୍କ ଅନିଚ୍ଛାସତ୍ତ୍ୱେ । ସେ ଗଣିକା କମଳାଙ୍କ ପାଖକୁ ଯାଆନ୍ତି । ‘ଅମାବାସ୍ୟାର ଚନ୍ଦ୍ର’ରେ କାଉଲ ମଧ୍ୟ ପୋଖତ ବ୍ୟବସାୟୀ, ଜୁଆଡ଼ୀ । ସେ ଦେହଜୀବୀଙ୍କ ପାଖକୁ ଯାଆନ୍ତି । ‘ଚିତ୍ରଲେଖା’ରେ ବିଜିଗୁପ୍ତ ନୃତ୍ୟାଙ୍ଗନା ଚିତ୍ରଲେଖାଙ୍କ ପାଖକୁ ଯାଆନ୍ତି । ବିଜିଗୁପ୍ତ ପ୍ରେମ ପାଇଁ ମାନବିକତା ପାଇଁ ଧନସମ୍ପଦ ସକଳ ଐଶ୍ଵର୍ଯ୍ୟ ତ୍ୟାଗ କରିପାରନ୍ତି, ତ୍ୟାଗ କରିପାରନ୍ତି ରାଜ୍ୟ ଓ ରାଜପଦ । କାଉଲ ସେମିତି ପ୍ରେମ ଓ ମାନବିକତା ପାଇଁ ବିପୁଳ ଅର୍ଥ ସହ ସାମାଜିକ ବ୍ୟବସାୟିକ ପ୍ରତିଷ୍ଠା ତ୍ୟାଗ କରିପାରନ୍ତି । ତିନୋଟି ଉପନ୍ୟାସର ନାୟକ ସୁନ୍ଦର ବିଦ୍ୱାନ ଓ ପରମ ପ୍ରେମିକ । ଏମାନଙ୍କ ମଧ୍ୟରେ ପୁଣି ଦେଖାଯାଏ ବ୍ୟକ୍ତି ମଣିଷର ଅମାପଶକ୍ତି । କେବେହେଲେ ଏମାନଙ୍କ ଉପରେ ସମାଜର ସଂକୀର୍ଣ୍ଣବନ୍ଧନ ଶକ୍ତ ହୋଇପାରିନାହିଁ । ଏମାନେ ତିନିହେଁ ବ୍ୟକ୍ତି ମଣିଷର ଶକ୍ତିଶାଳୀ ଉଦାହରଣ । ଏମାନଙ୍କ ଚାରିତ୍ରିକ କ୍ରମ ଉତ୍ତରଣ ପୁଣି ଚମତ୍କାର ବିଷୟଟିଏ । ଏ ତିନୋଟି ଚରିତ୍ର ଭିତରେ ଗର୍ବ କରିବାର ସବୁପ୍ରକାର ଗୁଣ ଥିବାସତ୍ତ୍ୱେ ଏମାନେ ଖୁବ୍‌ ବିନୀତ ।

 

‘ସିଦ୍ଧାର୍ଥ’ ଉପନ୍ୟାସରେ ତରେଇ ଚରିତ୍ରଟିର ଏକାଗ୍ର ଭାବରେ ଶୁଣିବାର ଗୁଣଟି ଆମେ ‘ଅମାବାସ୍ୟାର ଚନ୍ଦ୍ର’ରେ କାଉଲଙ୍କ ପାଖରେ ଦେଖି । କାଉଲ ମିସ୍‌ନୀରା ଓ ବାଈଜୀଙ୍କ ଜୀବନର ସୁଦୀର୍ଘ କରୁଣ କାହାଣୀ ଶୁଣିବାରେ ଏହା ସୁସ୍ପଷ୍ଟ । ତେବେ କାଉଲଙ୍କ ଚରିତ୍ରର ସବୁଠୁ ଗୋଟିଏ ବଡ଼ ଗୁଣ ହେଉଛି ତ୍ୟାଗ । ସମଗ୍ର ଜୀବନ ତ୍ୟାଗର ଗୋଟିଏ ଜ୍ଵଳନ୍ତ ଉଦାହରଣ ସିଏ । ମାନବିକତାରେ ପୂର୍ଣ୍ଣ ତାଙ୍କର ସମଗ୍ର ଜୀବନ । ଯାହା ଅନ୍ୟ ଦୁଇଟି ଚରିତ୍ର ସିଦ୍ଧାର୍ଥ ଓ ବିଜିଗୁପ୍ତଙ୍କଠାରୁ ବେଶୀ ତେଜଦୀପ୍ତ କରିଦିଏ । ତାଙ୍କ ପାଖରେ ମାନବିକତାର ନିଶା ପ୍ରବଳ । କାଉଲଙ୍କ ବ୍ୟକ୍ତି ପରିଚୟ ଦେବାକୁ ଯାଇ ଗୋବିନ୍ଦଦାସ ନିଜେ କହନ୍ତି, ‘ତାହା ତୁମେ’ ହେଇପାର । କେହି ବି ହେଇପାରନ୍ତି । ବେଶୀ ଜିଦ୍‌ କଲେ ମୁଁ କହିବି କାଉଲ ହେଉଛି ହେରମାନ୍‌ ହେସ୍‌ଙ୍କ ସିଦ୍ଧାର୍ଥ ଉପନ୍ୟାସର ସିଦ୍ଧାର୍ଥ ।”୬ ପୁଣି ସେ କହନ୍ତି, “ହଁ, କିଛିଟା ମୁଁ ନିଜେ ଏବଂ କିଛିଟା ମୁଁ ଜାଣିଥିବା ଲୋକ, ଏମିତି ଗୋଟେ ଅସ୍ପଷ୍ଟ କେଲାଜ୍‌ ହେଉଛି କାଉଲ୍‌ ।’’୭

 

(୬)

ପ୍ରଫୁଲ୍ଲ ମହାନ୍ତି, ସାକ୍ଷାତକାର, ପ୍ରତିବେଶୀ, ଜାନୁୟାରୀ- ମାର୍ଚ୍ଚ, ୨୦୦୦, ପୃ- ୩୩ ।

(୭)

ତତ୍ରୈବ-ପୃ- ୩୩ ।

 

ଏହି ଦୁଇଟି ସ୍ଵୀକାରୋକ୍ତିରୁ ଜଣାପଡ଼େ କାଉଲ ଉପରେ ସିଦ୍ଧାର୍ଥ ଚରିତ୍ରର ପ୍ରଭାବ । ପୁଣି ‘ଅମାବାସ୍ୟାର ଚନ୍ଦ୍ର’ରେ ବିଜିଗୁପ୍ତଙ୍କ ସହ କାଉଲଙ୍କ ଚାରିତ୍ରିକ ସମାନତା ଦେଖାଇଛନ୍ତି ଔପନ୍ୟାସିକ ନିଜେ । ତେବେ ଏଥିରେ କେହି ବି କାଉଲ ହୋଇପାରିବାର ସ୍ଵୀକାରୋକ୍ତିରୁ ଜଣାପଡ଼େ ଯେ କାଉଲ ଚରିତ୍ର କେତେ ବିଶାଳ ବ୍ୟକ୍ତିତ୍ୱର ଅଧିକାରୀ । ‘ହଁ, କିଛିଟା ମୁଁ ନିଜେ’ ଏହି ବକ୍ତବ୍ୟ ଭିତରେ ଲେଖକ ଯେ ନିଜକୁ ଲେଖିଛନ୍ତି ବୋଲି ଯାହା ଜଣାପଡ଼େ, ତାହା ଗୋଟିଏ ଅସ୍ତିତ୍ୱବାଦୀୟ ଗୁଣ ।

 

କାଉଲ କୃତଜ୍ଞଚିତ୍ତ । ଏହା ମଧ୍ୟ ତାଙ୍କ ମାନବିକତାର ଗୋଟିଏ ବଡ଼ ଗୁଣ । ଅସହାୟ ଅବସ୍ଥାରେ ହାତଧରି ଯିଏ ଆଗକୁ ବଢ଼ାଇଥିଲା, ଯିଏ ଆଶ୍ରୟ ଦେଇଥିଲା, ଯିଏ ପାଳନ କରିଥିଲା-ସିଏ ହେଉଛି ସଲିମ ଭାଇ । ସମଗ୍ର ଜୀବନ କାଉଲ ତାଙ୍କ ପାଖରେ କୃତଜ୍ଞ । କାଉଲ ଯଦି କାହାକୁ ମାନନ୍ତି, ତା’ ହେଲେ ସିଏ ହେଉଛନ୍ତି ସଲିମ ଭାଇ । ମାୟାଙ୍କ ସ୍ନେହ ପାଇଁ କାଉଲ ଅନୁଭବ କରନ୍ତି ମାତୃସ୍ନେହ । ସୁସ୍ଥ ହେବାପରେ ରମେଶ ଲୋତକ ଚକ୍ଷୁରେ ମାୟାଙ୍କୁ ସ୍ଵୀକାର କରନ୍ତି ମା’ ଭାବରେ-। ଚମଡ଼ା କମ୍ପାନୀର ମାଲିକଙ୍କ ମୃତ୍ୟୁପରେ ନିଃସନ୍ତାନ ଦମ୍ପତିଙ୍କ ଉତ୍ତରାଧିକାରୀ ହୁଅନ୍ତି କାଉଲ । ମାଲିକଙ୍କ ବିଧବା ପତ୍ନୀ ତାଙ୍କ ନାମରେ ଲେଖିଦିଅନ୍ତି କମ୍ପାନୀର ଅଧିକାଂଶ ସେୟାର । ଏଇ ଦାନର ପ୍ରତିଦାନରେ ଶେଷପର୍ଯ୍ୟନ୍ତ ମନପ୍ରାଣ ଦେଇ କାଉଲ ସେବା କରନ୍ତି ବିଧବାନାରୀ ଜଣଙ୍କ ସହ ଅନ୍ୟାନ୍ୟ ଆଶ୍ରିତଙ୍କର । ମନୀଷାଙ୍କ ଜୀବନଦାତା ଏ କାଉଲ । ଅଥଚ ତାଙ୍କର ଟିକିଏ ସେବାଯତ୍ନରେ ନିଜକୁ ଢାଳି-ଦେଇଥିବା ମନୀଷାଙ୍କ ପ୍ରତି କି ଅନ୍ତରଭରା ଏ କୃତଜ୍ଞତା ସତରେ !

 

ବାଈଜୀଙ୍କ କୋଠରୀରେ ଦ୍ରୌପଦୀଙ୍କ ବସ୍ତ୍ରହରଣ ଚିତ୍ର । ଚିତ୍ରରେ ଦ୍ରୌପଦୀଙ୍କ ପ୍ରତିବାଦ ମାମୁଲି ମାତ୍ର । କାଉଲ ତେଣୁ ମନେ କରୁଛନ୍ତି ଯେ ଦ୍ରୌପଦୀ ହୁଏତ ନିଜର ରୂପ ପ୍ରତିଷ୍ଠା ଉପଭୋଗ କରୁଛନ୍ତି, ପଞ୍ଚସ୍ଵାମୀଙ୍କ ଭ୍ରାତା ଅବା କର୍ଣ୍ଣଙ୍କ ପାଖରେ । ମହାଭାରତ ଯୁଗରୁ ଆଜିପର୍ଯ୍ୟନ୍ତ ଚଳି ଆସୁଥିବା ବିଶ୍ଵାସ ଯେ ଦ୍ରୌପଦୀ ନିଜର ମାନରକ୍ଷା କରିବାକୁ କରୁଣ ପ୍ରାର୍ଥନା କରିଛନ୍ତି ସେତେବେଳେ । ଅଥଚ କାଉଲଙ୍କ ମନରେ ତା’ର ବିପରୀତ ରୂପଟେ ଦେଖାଦେବା ପ୍ରକୃତରେ ପ୍ରଚଳିତ ଧାରଣା ଉପରେ ଏକ ଶକ୍ତ ଆଘାତ । ଏଠାରେ ଉପନ୍ୟାସକାର ପ୍ରତିମୂଲ୍ୟବୋଧକୁ ପ୍ରତିଷ୍ଠା କରିବାରେ ବେଶ୍‌ ସଫଳ । ସମୟକ୍ରମେ ସମସାମୟିକ ମୂଲ୍ୟବୋଧଗୁଡ଼ିକ ଭାଙ୍ଗିବ ହିଁ ଭାଙ୍ଗିବ । ତା’ର ସ୍ଥାନ ନେବ ନୂତନ ମୂଲ୍ୟବୋଧ । ଏ ବିଷୟରେ ପ୍ରାବନ୍ଧିକ ଶରତ କୁମାର ମହାନ୍ତିଙ୍କ ମତ ଯେ, “ଯୁଗ ଯୁଗ ଧରି ଶକ୍ତିଶାଳୀ ଥିବା ମୂଲ୍ୟବୋଧମାନ ଭାଙ୍କିପଡ଼ୁଛି ବୋଲି କ୍ଷୋଭ ପ୍ରକାଶ କରିବା ଓ ସେମାନଙ୍କୁ ବଞ୍ଚାଇ ରଖିବା ଉଦ୍ୟମର ବିଶେଷ ମୂଲ୍ୟ ନାହିଁ । ମୂଲ୍ୟବୋଧଙ୍କର ଯୁଗୋପଯୋଗୀ ରୂପାନ୍ତର ଲୋଡ଼ା । ଆହୁରି ଲୋଡ଼ା, ଅମଡ଼ା ବାଟରେ ଯାତାୟତ କରି ବଞ୍ଚିବାର ନୂତନ ଅଭିଜ୍ଞତାରୁ ନୂଆ ନୂଆ ମୂଲ୍ୟବୋଧ ଗଢ଼ିବାର ସୃଜନଶୀଳତା ।”୮

 

(୮)

ଶରତ କୁମାର ମହାନ୍ତି, ‘ମୁଖବନ୍ଧ’, ସଂସ୍କୃତି ଅପସଂସ୍କୃତି, ଅଗ୍ରଦୂତ, ୧୯୮୪ ।

 

କାଉଲ ପରମ ପ୍ରେମିକ ଭାବରେ ମନୀଷାଙ୍କୁ ଭଲ ପାଇବସନ୍ତି । କେମଳ ଅନୁଭବରେ ପରିପୂର୍ଣ୍ଣ । ହୋଇଉଠନ୍ତି । କିନ୍ତୁ ପରେ ବାଧା ପାଆନ୍ତି ତାଙ୍କ ପ୍ରତି ମନୀଷାଙ୍କ ଭୁଲ୍‌ ଧାରଣା ଯୋଗୁଁ-। ଏଇ ପ୍ରେମରେ ବିଚ୍ଛେଦ ଆସେ । ମନୀଷାଙ୍କୁ କଷ୍ଟ ନ ଦେବାକୁ ଯାଇ କାଉଲ ଅପସରି ଯାଆନ୍ତି । ମନୀଷା ମଧ୍ୟ ଅନ୍ୟ କାହାକୁ ଗ୍ରହଣ କରନ୍ତି ନାହିଁ । ଏକ ଉତ୍ତରିତ ପ୍ରେମାନୁଭବରେ ପିତୃପୂର୍ଣ୍ଣ ହୋଇ ଶେଷରେ ତାଙ୍କର ମୃତ୍ୟୁ ହୁଏ । ଏଇ ପ୍ରେମ ବିରହ ବେଶୀ ଶକ୍ତିଶାଳୀ ଆଉ ମାର୍ଜିତ ମନେହୁଏ । କିର୍‌କେଗାର୍ଡ଼ ସମଗ୍ର ଜୀବନ ପ୍ରିୟତମାଙ୍କ ବିରହ ଅନୁଭବ କରିଛନ୍ତି । ବିରହରେ ତାଙ୍କୁ ବେଶୀ ଭାବରେ ପାଇଛନ୍ତି । ତାଙ୍କ ଲେଖାସବୁ ନିଜ ପ୍ରେମ ଉଦ୍ଦେଶ୍ୟରେ ଲିଖିତ ଏକ ଏକ ଆତ୍ମକଥନ । ଏଠି କାଉଲ ମନୀଷାଙ୍କ ପ୍ରେମ ମଧ୍ୟ ବିରହରେ ବେଶୀ ସୁନ୍ଦର ମନେହୁଏ । କିନ୍ତୁ ଏହି ବିଚ୍ଛେଦରେ ମନେହୁଏ ନିତ୍‌ସେଙ୍କ ପ୍ରଭାବ ବେଶୀ । ନିତ୍‌ସେ ମନେ କରନ୍ତି ଯେ ବ୍ୟକ୍ତି ମଣିଷ ଯେତେବେଳେ ଶକ୍ତିଶାଳୀ ତଥା ଉଚ୍ଚସ୍ତରର ହୋଇଥାଏ, ସେଇ ମଣିଷ ପ୍ରେମ କରିବା ମଧ୍ୟ ଉଚିତ ନୁହେଁ, ଯେପର୍ଯ୍ୟନ୍ତ ତା’ର ସମସ୍ତରର ମଣିଷଟିଏ ନ ପାଇଛି । କାରଣ ଏମିତି ଅସନ୍ତୁଳିତ ପ୍ରେମରେ ସେହି ଉଚ୍ଚସ୍ତରରେ ଥିବା ମଣିଷ ଜୀବନର ଊର୍ଦ୍ଧ୍ୱ ଗତିରେ ବାଧା ଆସିବ । କାଉଲ ଯେଉଁ ମହାମାନବିକତାରେ ପରିପୂର୍ଣ୍ଣ ତାଙ୍କ ଅପେକ୍ଷା ମନୀଷାଙ୍କ ସେପରି କୌଣସି ଦିଗ ନାହିଁ । କାଉଲ ଭିତରେ ରାମରାବଣ ପରିଚୟ ଉଭୟେ ଅଛନ୍ତି । ଅଥଚ ମନୀଷା କେବଳ ରାମଙ୍କୁ କଳ୍ପନା କରିଛନ୍ତି ।

 

କାଉଲ ପାପର ଦୁନିଆରେ ଜୀବନ ବଞ୍ଚି ମହାନ । ଏ ଦୁନିଆରେ ପଶି ସେ ମିସ୍‌ ନୀରା ଓ ବାଈଜୀଙ୍କୁ ଉଦ୍ଧାର କରିଛନ୍ତି । ବିପନ୍ନ ବୁଦ୍ଧମୂର୍ତ୍ତିଙ୍କ ଜୀବନ ବଞ୍ଚାଇପାରିଛନ୍ତି । ପୁଣି ତାଙ୍କର ପାପ ଅର୍ଜିତ ଧନ ମୁମୂର୍ଷୁ ମନୀଷାଙ୍କ ସେବାରେ ନିୟୋଜିତ । ତେଣୁ କାଉଲ ସବୁ ପାପ କରୁଥିବା ସତ୍ତ୍ୱେ ତାଙ୍କର ମାନବିକତା ଯୋଗୁଁ ସେ ପାଠକ ମନରେ ସମ୍ମାନଯୋଗ୍ୟ । ‘ଅମାବାସ୍ୟାର ଚନ୍ଦ୍ର’ରେ ତାଙ୍କୁ ନେଇ ଆଣ୍ଟିହିରୋର ସ୍ପଷ୍ଟ ଓ ସଫଳ ରୂପାୟନ ଦେଖିବାକୁ ମିଳେ । କାଉଲଙ୍କ କ୍ଷୁଦ୍ର ପ୍ରତିରୂପ ସବୁ ମିସ୍‌ ନୀରା, ମିସ୍‌ ମାୟା, ସଲିମ୍‌, ବାଈଜୀ । ଏମାନଙ୍କ ଜୀବନବୋଧ ବାହ୍ୟତଃ ପାପ ବିଜଡ଼ିତ । ଅଥଚ ସେ ଭିତରେ ରହିଛି ତ୍ୟାଗ, ଅନ୍ୟକୁ ବଞ୍ଚାଇବାର, ଗଢ଼ିବାର ମହତ ଇଚ୍ଛା । ଏଇ ଚରିତ୍ରସବୁକୁ ଚିହ୍ନେଇ ଦେବାର ମଧ୍ୟ ସଫଳ ପ୍ରୟାସ କରିଛନ୍ତି ଔପନ୍ୟାସିକ । ଉପନ୍ୟାସ ମୂଳରେ କାଉଲଙ୍କ ଏକ ସ୍ପଷ୍ଟ ପରିଚୟ ସେ ଦେଇଛନ୍ତି । ସେ ଭିତରୁ କାଉଲଙ୍କ ଉଦ୍ଦେଶ୍ୟରେ ତାଙ୍କର କେତୋଟି ଧାଡ଼ି ଏଠାରେ ଉଦ୍ଧାର କରାଯାଇପାରେ । “ତୁମ ଜୀବନର ଘନ ଅନ୍ଧକାର ଗହ୍ୱର ମଧ୍ୟରେ ଏକ ପ୍ରଦୀପର କୋମଳ ଆଭାସ ମଧ୍ୟ ଲକ୍ଷ୍ୟ କରିଛି । ତୁମର କଳଙ୍କ ଯିଏ ଦେଖିବ, ସେ ଏ ଆଲୋକକୁ ମଧ୍ୟ ଅବଜ୍ଞା କରିପାରିବ ନାହଁ । ଲୋକେ ବୁଝନ୍ତୁ ଯେ, ଅନ୍ୟକୁ ପତିତ ବୋଲି ଆଖ୍ୟା ଦେବା ସହଜ ନୁହେଁ, ବ୍ୟକ୍ତିର ପରିଧିକୁ ସମୀକ୍ଷଣ କରିବା କେତେ ଜଟିଳ । ଚରିତ୍ରହୀନତା ଭିତରେ ଥାଇପାରେ ମହତ୍ତ୍ୱ । ପାପ ଭିତରେ ମଧ୍ୟ ଥାଇପାରେ ଗୌରବ ।

 

ତୁମ ଜୀବନରେ କିଛି ବିଡ଼ମ୍ବନା ନାହିଁ, କିଛି ପ୍ରତାରଣା ନାହିଁ, କିଛି ହିପ୍ରୋକ୍ରାସି ନାହଁ । ତୁମେ ସତ୍ୟମୃତ୍ୟୁ ପରି, ତୁମେ ଚିରଞ୍ଜିବୀ-ଅନ୍ଧକାର ପରି ।’’୯

 

(୯)

ଗୋବିନ୍ଦ ଦାସ, ଅମାବାସ୍ୟାର ଚନ୍ଦ୍ର, ୨୦୦୭, ପୃ- ୧-୨ ।

 

ଉପନ୍ୟାସଟିରେ ଚରିତ୍ରକୁ ବୁଝାଇବାରେ ଉପନ୍ୟାସକାର ସଫଳ ପ୍ରୟାସ କରିଛନ୍ତି । ସୁସାହିତ୍ୟିକ ମହାପାତ୍ର ନୀଳମଣି ସାହୁ ମଧ୍ୟ କହନ୍ତି, “ବର୍ତ୍ତମାନର କଥା ସାହିତ୍ୟର ଆଭିମୁଖ୍ୟ ହେଲା- ମଣିଷକୁ ଦେଖାଇବା ନୁହେଁ- ବୁଝାଇବା ।”୧୦

 

(୧୦)

ମହାପାତ୍ର ନୀଳମଣି, ସାହୁ, ଆମ କଥା ସାହିତ୍ୟର କଥା ଓ ରମ୍ୟରଚନା, ୧୯୮୫, ପୃ- ୧୩୬ ।

 

କାଉଲଙ୍କ ସବୁ ଅନ୍ଧକାର ପକ୍ଷ ଥାଇ ମଧ୍ୟ ତାଙ୍କ ମାନବିକତାକୁ ଔପନ୍ୟାସିକ ଠିକ୍‌ ଭାବରେ ଉପସ୍ଥାପନ କରିପାରିଛନ୍ତି । ତାଙ୍କର ଚରିତ୍ରକୁ ବୁଝାଇବାକୁ ଯାଇ ସେ ଉପନ୍ୟାସର ପ୍ରଥମରୁ ହିଁ ବିଜିଗୁପ୍ତଙ୍କ ସଂପର୍କିତ କାହାଣୀଟି ବର୍ଣ୍ଣନା କରିଛନ୍ତି । ସବୁପ୍ରକାର ଆସାମାଜିକ କାର୍ଯ୍ୟସ୍ଥଳରେ କାଉଲଙ୍କ ଉପସ୍ଥିତି ରହିଛି; କିନ୍ତୁ ତାଙ୍କ ମାନବିକତା ସେ ଭିତରେ ବି ଆହୁରି ବଳିଷ୍ଠ-। ସେ କଦାପି ବିରାଗୀ ଜୀବନ ବଞ୍ଚିନାହାନ୍ତି । ବିରାଗ ତ ଜୀବନର ହତ୍ୟା । ତପସ୍ୟା ଯେମିତି ଆତ୍ମାକୁ ଅବରୁଦ୍ଧ କରିବାର ବିଶେଷ ପଦ୍ଧତି । ମୁକ୍ତିର ଇଚ୍ଛା ହେଉଛି ଜୀବନଠାରୁ ପଳାୟନ କରିବା-। ଯେଉଁଥିପାଇଁ କୁମାର ଗିରିଙ୍କ ବ୍ୟକ୍ତିତ୍ଵ ଓ କାର୍ଯ୍ୟକଳାପଠୁ ବିଜିଗୁପ୍ତଙ୍କ ଜୀବନ ଏତେ ପ୍ରାଣପୂର୍ଣ୍ଣ ମନେହୁଏ । କାଉଲଙ୍କ ଜୀବନ ସେମିତି ତାଙ୍କର ଜୀବନ ଭୋଗ ପାଇଁ ବେଶ୍‌ ମାର୍ମିକ ।

 

ଔପନ୍ୟାସିକ ଓଡ଼ିଆ ଉପନ୍ୟାସ ସାହିତ୍ୟର ପ୍ରଥମଥର ପାଇଁ ଏତେ ସ୍ପଷ୍ଟ ଭାବରେ ଆଣ୍ଟିହିରୋ, ଆଣ୍ଟି ଲେଡ଼ି ହିରୋ ଚିତ୍ରଣ ସଫଳତାର ସହ କରିଛନ୍ତି । ତାଙ୍କର ସମସ୍ତ ଚରିତ୍ର ପାପ କରିଛନ୍ତି: କିନ୍ତୁ ତାଙ୍କର ତ୍ୟାଗ ସେବା, ମାନବିକତା ଗୁଣରେ ସେମାନେ ବେଶୀ ଦୀପ୍ତିମନ୍ତ । ସେମାନଙ୍କ ପାପକର୍ମ ଅର୍ଜିତ ଧନ ମଣିଷର ସେବାରେ ହୁଏ ନିବେଦିତ । ମଣିଷ ଜୀବନ ଅନ୍ଧକାର ଭିତରେ ବି ଆଲୋକର ସ୍ପଷ୍ଟ କୋମଳ ଆଭା ଫୁଟି ଉଠେ ଏହା ଦେଖାଇବା ଉପନ୍ୟାସର ମୂଳ ଉଦ୍ଦେଶ୍ୟ । ମୂଲ୍ୟବୋଧ ବଦଳି ଯାଇଛି । ମଣିଷର ଜୀବନଶୈଳୀରେ ଆସିଛି ପ୍ରାଣମୟତା । ବଢ଼ିଛି ଜୀବନକୁ ଭୋଗ କରିବାର ପ୍ରବଣତା । ମଣିଷକୁ ଭଲ ପାଇବାର ଇଚ୍ଛା ଖୁବ୍‌ ଦୃଢ଼ ହୋଇଛି-। ଏକୁଟିଆ ହୋଇଛି ମଣିଷ । ଶକ୍ତିଶାଳୀ ହୋଇଉଠିଛି ପ୍ରାଣରେ, ଆତ୍ମାରେ । ସବୁରି ଊର୍ଦ୍ଧ୍ୱରେ ମଣିଷ ଆଜି ଯେତେଯେତେ ପାପକର୍ମ କରିଛି, ସେ ଭିତରେ ତା’ର ମାନସିକତା ସେତେ ସେତେ ବଳିଷ୍ଠ ହେବାରେ ଲାଗିଛି । ମଣିଷର ଏପରି ଭିତରି ଖଞ୍ଜାକୁ ଚିହ୍ନାଇ ଦେଇଥିବା ଅସ୍ତିତ୍ୱବାଦୀ ଗୁଣ ‘ଅମାବାସ୍ୟାର ଚନ୍ଦ୍ର’ରେ ସୁସ୍ପଷ୍ଟ । ସକଳ ଦୋଷତ୍ରୁଟି ସତ୍ତ୍ୱେ ମଣିଷ ମହତ୍ତର ଓ ତା’ର ଜୀବନ ବଞ୍ଚିବା ହିଁ ସାର ଓ ସୁନ୍ଦର ବୋଲି ସ୍ଥିତିବାଦୀ ଦାର୍ଶନିକଙ୍କ ଉଦ୍‌ଘୋଷଣା ଏହି ଉପନ୍ୟାସର କେନ୍ଦ୍ରବିନ୍ଦୁ ।

 

 

ଅଧ୍ୟାପକ

ଓଡ଼ିଆ ବିଭାଗ

ଜାମସେଦପୁର କୋ- ଅପରେଟିଭ୍‌ କଲେଜ

ଜାମସେଦପୁର – ୮୩୧୦୩୬

ଝାରଖଣ୍ଡ

 

***